ହୋମ / ଶକ୍ତି / ପରିବେଶ / ମୃତ୍ତିକା ସଂରଚନାର ଉତ୍ପତ୍ତି
ସେଆର କରନ୍ତୁ

ମୃତ୍ତିକା ସଂରଚନାର ଉତ୍ପତ୍ତି

ମୃତ୍ତିକା ସଂରଚନାର ଉତ୍ପତ୍ତି ସମ୍ବନ୍ଧରେ ସୂଚନା ।

ମୃତ୍ତିକା କର୍ଷଣ ସମୟରେ ଏବଂ ମୃତ୍ତିକା ପ୍ରସାରିତ ଏବଂ ସଙ୍କୁଚିତ ହେବା ଫଳରେ ମୃତ୍ତିକା କଣିକାଗୁଡିକ ଚାପିହୋଇ ପଞ୍ଜୀକୃତ ହୁଏ । ମୃତ୍ତିକା ମଧ୍ୟରେ ଚେରର ବୃଦ୍ଧି ଏବଂ ଜିଆ, ବିଛା ଏବଂ ଅନ୍ୟାନ୍ୟ ଜୀବଜନ୍ତୁମାନେ ଗର୍ତ୍ତକରି ଯାତାୟାତ କରିବା ଫଳରେ ମୃତ୍ତିକା କଣିକା ଚାପି ହୋଇ ପୁଞ୍ଜୀକୃତ ହୋଇଥାନ୍ତି । ଜୈବ ପଦାର୍ଥର ବିଘଟନବେଳେ ସୃଷ୍ଟି ହେଉଥିବା ଅଠାଳିଆ ପଦାର୍ଥ, ଉଦ୍ଭିଦ ଚେରରୁ ଏବଂ ଜିଆ ଏବଂ ଅଣୁଜୀବମାନଙ୍କଠାରୁ ନିସୃତ ଲାଳୁଆ ଅଠାଳିଆ ପଦାର୍ଥ, ସୂକ୍ଷ୍ମ ଜୈବ ପଦାର୍ଥ ଏବଂ ଚୂନ ଜାତୀୟ ପଦାର୍ଥ ସିମେଣ୍ଟ ଭଳି ପୁଞ୍ଜୀକୃତ ମୃତ୍ତିକା କଣିକାଗୁଡିକୁ ପରସ୍ପର ସହିତ ଯୋଡିଦେଇ ଦାନା ସଂରଚନା ଘଟାଇଥାନ୍ତି । ସାଧାରଣତଃ ଚୂନ ଓ ହ୍ୟୁମସ୍ ର ମିଶ୍ରଣ ଦ୍ଵାରା ଯେଉଁ ସିମେଣ୍ଟ ଜାତୀୟ ପଦାର୍ଥ ସୃଷ୍ଟିହୁଏ ତାହା ପୁଞ୍ଜିଭୂତ କଣିକା ଗୁଡିକୁ ଖୁବଶକ୍ତ ଭାବରେ ଯୋଡିରଖେ ଏବଂ ଦାନାଗୁଡିକର ସ୍ଥାୟୀତ୍ଵ ବୃଦ୍ଧିକରେ ।

ମୃତ୍ତିକା ଦାନା ସଂରଚନାର ଗୁରୁତ୍ଵ

ଦାନା ସଂରଚନା ହେବା ଦ୍ଵାରା ବିଭିନ୍ନ ଆକାର ଓ ଆକୃତି ବିଶିଷ୍ଟ ଦାନାଗୁଡିକ ସଜାଇ ହୋଇ ରହନ୍ତି ଏବଂ ସେମାନଙ୍କ ମଧ୍ୟରେ ଛିଦ୍ର ବା ଫାଙ୍କ ସ୍ଥାନ ସୃଷ୍ଟିହୁଏ । ଏହାଦ୍ଵାରା ମୃତ୍ତିକା କଣିକା ବିଶେଷତଃ କର୍ଦ୍ଦମ ଓ ପଟୁ କଣିକାଗୁଡିକର ସଂଲଗ୍ନଟା ହ୍ରାସପାଏ । ମାଟି ଛିଦ୍ରାଳ ଓ ହାଲୁକା ହୋଇଯାଏ ଏବଂ ମୃତ୍ତିକା କର୍ଷଣ ସହଜ ହୁଏ । ଛିଦ୍ରାଳ ମୃତ୍ତିକା ମଧ୍ୟରେ ଜଳ ଓ ପବନ ଯାତାୟାତରେ ଉନ୍ନତି ଘଟେ । ଚେର ବୃଦ୍ଧିପାଇଁ ଉତ୍ତମ ପରିବେଶ ସୃଷ୍ଟିହୁଏ । ଦାନା ସଂରଚନା ନ ହୋଇଥିବା ମୃତ୍ତିକାରେ କର୍ଦ୍ଦମ ଓ ପଟୁ କଣିକା ପରସ୍ପର ସଂଲଗ୍ନ ରହି ନିଦା ମୃତ୍ତିକା ସ୍ତର ସୃଷ୍ଟିକରନ୍ତି । ଏହା ମଧ୍ୟରେ କେବଳ ଅତି ସୂକ୍ଷ୍ମ ଛିଦ୍ର ରହିଥାଏ । ତେଣୁ ଜଳ ନିଷ୍କାସିତ ହୋଇପାରେ ନାହିଁ ଏବଂ ପବନ ଚଳାଚଳ କରିପାରେ ନାହିଁ । ଶୁଷ୍କ ହେଲେ ବଡ ବଡ ଫାଟ ସୃଷ୍ଟି ହୁଏ ଏବଂ କର୍ଷଣ ସମୟରେ କଠିନ ଢେଲା ବାହାରେ ବାଲିଆ ମାଟିଗୁଡିକ ଅତି ହୁଗୁଳା ରହିବା ଫଳରେ ଜଳ ଧରି ରଖିପାରେ ନାହିଁ ଏବଂ ଚେର ହୁଗୁଳିଯାଇ ଗଛ ଉପୁଡିପଡେ ।

ତେଣୁ ଉପଯୁକ୍ତ ବୟନ ନଥିବା ମୃତ୍ତିକାର ଉନ୍ନତିକରଣ ନିମନ୍ତେ ଦାନା ସଂରଚନା ଉପାଦେୟ । ଯେଉଁ ମୃତ୍ତିକାରେ ସ୍ଥାୟୀ ଦାନାକାର ବା କ୍ରମ୍ବ ଆକୃତି ଦାନା ସଂରଚନା ହୋଇଥାଏ ତାହା ସର୍ବାପେକ୍ଷା ଉନ୍ନତ ମୃତ୍ତିକା ବୋଲି ଧରାଯାଏ ।

ମୃତ୍ତିକା – ସଂରଚନାତ୍ମକ ପରିଚାଳନା

ଉନ୍ନତ ଦାନା ସଂରଚନା ଥିବା ମୃତ୍ତିକାକୁ କର୍ଷଣ କରିବା ସହଜ । କର୍ଷଣ ପରେ ମଇଦେଲେ ମାଟିର ବପନ ଯୋଗ୍ୟତା ଭଲ ରହେ ଏବଂ ମଞ୍ଜି ବୁଣିବା, ଘୋଡାଇବା ସହଜ ହୁଏ । ସ୍ଥାୟୀ ଦାନା ସଂରଚନା ଥିବା ମୃତ୍ତିକା ପୃଷ୍ଠରେ ଛେଚା ବର୍ଷାପରେ ନିବୁଜ ଖେଳପା ସୃଷ୍ଟିହୁଏ ନାହିଁ । ତେଣୁ ଅଙ୍କୁରୋଦଗାମ ବାଧାପାଏ ନାହିଁ । ଦାନା ସଂରଚନା ହେବାଦ୍ଵାରା ମୃତ୍ତିକାରେ ସ୍ଥୂଳରନ୍ଧ୍ର ଏବଂ ସୂକ୍ଷ୍ମରନ୍ଧ୍ରର ଅନୁପାତ ଠିକ୍ ରହେ ଏବଂ ମୃତ୍ତିକାର ଜଳଧାରଣ, ଜଳ ନିଷ୍କାସନ ଏବଂ ବାୟୁ ସଞ୍ଚାଳନ ଉନ୍ନତହୁଏ । ସବୁ ଦିଗରୁ ଦେଖିଲେ , ଉତ୍ତମ ମୃତ୍ତିକା ସଂରଚନା ଚେର ବୃଦ୍ଧିପାଇଁ ଉନ୍ନତ ପରିବେଶ ସୃଷ୍ଟି କରେ । ଏବଂ ମୃତିକାର ଉତ୍ପାଦିକା ଶକ୍ତି ବଢାଏ ।

ତେଣୁ ମୃତ୍ତିକା ସଂରଚନାର ଉନ୍ନତି ବିଧାନ ନିମନ୍ତେ ନିମ୍ନଲିଖିତ ପରିଚାଳନା ବ୍ୟବସ୍ଥା ପ୍ରତି ଗୁରୁତ୍ଵ ଦିଆଯାଏ।

  1. ଯଥେଷ୍ଟ ଜୈବିକ ଖତ, ସବୁଜ ଖତ, ଫସଲ ଅବଶେଷ ପ୍ରଭୃତି ପ୍ରୟୋଗ କଲେ ତାହା ବିଘଟିତ ହୋଇ ଅଧିକ ହ୍ୟୁମସ୍ ସୃଷ୍ଟି କରେ ଏବଂ ମୃତ୍ତିକା ସଂରଚନାରେ ଉନ୍ନତି ଆଣେ । ଫସ୍ ଫେଟ ସାର ଅଧିକ ଚେର ସୃଷ୍ଟି କରାଏ ଏବଂ ପରୋକ୍ଷଭାବରେ ମୃତ୍ତିକାରେ ଜୈବ ପଦାର୍ଥ ବୃଦ୍ଧିକରେ ।
  2. ଜଳ ପରିପୃକ୍ତ ବା ଜଳ ପ୍ଲାବିତ ଅବସ୍ଥାରେ କାଦୁଅ କଲେ ସଂରଚନା ନଷ୍ଟହୁଏ । ତେଣୁ ପ୍ରତିବର୍ଷ କାଦୁଅ କରି ଜମିରେ ଧାନ ରୋଇବା ଭଲନୁହେଁ ।
  3. ଜମିରେ ସବୁ ଋତୁରେ ଏକ ଜାତୀୟ ଫସଲ ଚାଷ ନକରି ଗୁଚ୍ଛଚେର ଓ ମୁଖ୍ୟ ଚେର ଥିବା ଫସଲ ଅଦଳବଦଳ କରି ଚାଷକଲେ ତାହା ମୃତ୍ତିକା ସଂରଚନା ପାଇଁ ସହାୟକ ହୁଏ । ବିଶେଷତଃ ଧାଡିରେ ବୁଣାଯାଉନଥିବା ଘାସ ଜାତୀୟ ଫସଲ ଏବଂ ଡାଲିଜାତୀୟ ଫସଲ ଚାଷକଲେ ସଂରଚନାରେ ଉନ୍ନତିହୁଏ ।
  4. ଖାରିମାଟି ଓ ଅତ୍ୟଧିକ ଅମ୍ଳମାଟିରେ ଚୂନ ଅଭାବ ଥିବାରୁ ସ୍ଥାୟୀ ଦାନା ସଂରଚନା ହୋଇପାରେ ନାହିଁ । ତେଣୁ ମାଟିରେ ଚୂନ ଅଭାବ ଥିବାରୁ ସ୍ଥାୟୀ ଦାନା ସଂରଚନା ହୋଇପାରେ ନାହିଁ । ତେଣୁ ଜିପସମ୍ , ଚୂନ ପ୍ରଭୃତି ରାସାୟନିକ ମୃତ୍ତିକା ସୁଧାରକ ପ୍ରୟୋଗ କରି ସବୁଜ ଖତ ଫସଲ ଚାଷକଲେ ବା ଜୈବିକ ଖତ ପ୍ରୟୋଗ କଲେ ସ୍ଥାୟୀ ଦାନା ସଂରଚନା ହୁଏ ।
  5. ଜିଆ ଏବଂ ଅନ୍ୟାନ୍ୟ ଜୀବଜନ୍ତୁ ସଂରଚନାରେ ସହାୟତା କରନ୍ତି । ତେଣୁ ବିଷାକ୍ତ ପଦାର୍ଥ ପ୍ରୟୋଗ କରି ବା ପରିବେଶ ଦୂଷିତ କରି ସେମାନଙ୍କ ବଂଶ ଲୋପ କରିବା ଉଚିତ ନୁହେଁ ।

ମୃତ୍ତିକାର ଘନତ୍ଵ

ଘନତ୍ଵ କହିଲେ ପ୍ରତି ଏକକ ଆୟତନ ବିଶିଷ୍ଟ ବସ୍ତୁର ଓଜନକୁ ବୁଝାଏ । ଯଦି ଆୟତନକୁ କ୍ୟୁବିକ ସେ.ମି. ଏବଂ ଓଜନକୁ ଗ୍ରାମରେ ପ୍ରକାଶ କରାଯାଏ । ତେବେ ଘନତ୍ଵ ଗ୍ରାମ / କ୍ୟୁ ସେ.ମି. ରେ ପ୍ରକାଶ କରାଯିବ । ଘନତ୍ଵ ସାଧାରଣତଃ ଘନ ସେ. ମି. ପ୍ରତି ଗ୍ରାମ ହିସାବରେ ପ୍ରକାଶ କରାଯାଏ । ମୃତ୍ତିକାରେ ପାଣି , ପବନ ଓ ଜଡ ପାଦାର୍ଥ ଏକାଠି ମିଶି ରହିଥାଏ । ଏଣୁ ଏହାର ଆୟତନ ଓ ଘନତ୍ଵ ଦୁଇପ୍ରକାର । ଯଥା : ମୃତ୍ତିକାର ଜଡ ଓ ଜୈବ କଣିକାଗୁଡିକର ଆୟତନର ଆୟତନ ଏବଂ ଏହାର ଓଜନ ଅବମ ମୃତ୍ତିକାର ସ୍ଥୂଳ ଆୟତନ ଓ ଓଜନ ।

କଣିକା ଆୟତନ

ଜଡ ଓ ଜୈବ କଣିକାର ଆୟତନ ।

ସ୍ଥଳ ଆୟତନ

ଜଡ ଓ ଜୈବ କଣିକା ବା ଘନ ପଦାର୍ଥର ଆୟତନ + ଫାଙ୍କ ବା ଛିଦ୍ର ଗୁଡିକର ମୋଟ ଆୟତନ । ସେହି ଅନୁସାରେ ମୃତ୍ତିକାର ଘନତ୍ଵ ମଧ୍ୟ ଦୁଇପ୍ରକାର । ଯଥା : -

  • କଣିକା ଘନତ୍ଵ
  • ମୃତ୍ତିକାର ଓଜନ (ଗ୍ରାମ)/ମୃତ୍ତିକାସ୍ଥ କଣିକା ବା ଘନ ପଦାର୍ଥର ଆୟତନ (ଘନ : ସେ.ମି.) ।

  • ସ୍ଥଳ ଘନତ୍ଵ
  • ମୃତ୍ତିକାର ଓଜନ (ଗ୍ରାମ)/ ମୃତ୍ତିକାର ସ୍ଥୂଳ ଆୟତନ (ଘନ : ସେ.ମି.) ।

  • ଉଦାହରଣ - ୧

    ଖଣ୍ଡିଏ ଶୁଖିଲା ଟେଳାର ଓଜନ = 55.6 ଗ୍ରାମ ଏହାର ସ୍ଥୂଳ ଆୟତନ = 42.0 ଘନ ସେ.ମି. ।

    ସ୍ଥୂଳ ଘନତ୍ଵ = 56.6 ଗ୍ରାମ / 42.0 ଘନ ସେ.ମି. = 1.32 ଗ୍ରାମ୍/ ଘନ ସେ.ମି. ।

    ଛିଦ୍ରକୁ ବାଦଦେଇ ଜଡପଦାର୍ଥ ର ଆୟତନ = 21.5 କୁ ସେ.ମି. ।

    କଣିକା ଘନତ୍ଵ (P.D.) ... 55.6 g / 21.5 cc .... 2.58 ଗ୍ରାମ୍ /ଘନ ସେ.ମି. ।

ମୃତ୍ତିକାରେ ଥିବା ଜଡ ବା ଖଣିଜ ପଦାର୍ଥ କଣିକା ଗୁଡିକର ହାରାହାରି ଘନତ୍ଵ 2.75g /cc ମଧ୍ୟରେ ରହିପାରେ । ବ୍ୟବହାରିକ ଦୃଷ୍ଟିରୁ ସାଧାରଣତଃ 2.65g / cc ମୂଲ୍ୟକୁ ଗ୍ରହଣ କରାଯାଉଛି ।

ବି:ଦ୍ର: - ଘନତ୍ଵ ହିସାବ ପାଇଁ ଉତ୍ତାପରେ ଶୁଷ୍କ ହୋଇଥିବା ମୃତ୍ତିକାର ଓଜନ ନିଆଯାଏ ।

ସେହିପରି ସ୍ଥୂଳଘନତ୍ଵ ମଧ୍ୟ ମୃତ୍ତିକାରେ ଥିବା ଫାଙ୍କା ସ୍ଥାନ ବା ଛିଦ୍ରଗୁଡିକର ଆୟତନ ତାରତମ୍ୟ ଅନୁସାରେ କମ୍ ବେଶି ହୋଇପାରେ । ଦୋରସା, ପଟୁ ଦୋରସା ଏବଂ ମଟାଳ ଦୋରସା ମୃତ୍ତିକାଗୁଡିକର ସ୍ଥୂଳ ଘନତ୍ଵ 1.00 ରୁ 1.6g/cc ମଧ୍ୟରେ ରହେ । ବାଲିଆ, ଦୋରସା ବାଲିଆ ମୃତ୍ତିକାର ସ୍ଥୂଳ ଘନତ୍ଵ 1.2 ରୁ 1.8 g/cc ମଧ୍ୟରେ ରହୁଥିବାର ଦେଖାଯାଏ । ଉପର ମାଟି ସବୁବେଳେ ଚାଷ ହେଉଥିବାରୁ ଏବଂ ଏଥିରେ ଖତ ଇତ୍ୟାଦି ବିଭିନ୍ନ ଜୈବ ପଦାର୍ଥ ମିଶିଥିବାରୁ ଏହା ଫସଫସିଆ ଏବଂ ଏହାର ସ୍ଥୂଳ ଘନତ୍ଵ ତଳେଥିବା ଟାଣ ମାଟି ଠାରୁ କମ୍ ।

ଯେ କୌଣସି ମୃତ୍ତିକାର ଓଜନ ହିସାବ କଲାବେଳେ ସ୍ଥୂଳଘନତ୍ଵ ବିଚାରକୁ ନିଆଯାଏ । ଜମି ସାଧାରଣତଃ 15 ସେ.ମି. ଚାଷ ହୋଇଥାଏ । ଏଣୁ ଏକ ହେକ୍ଟର ଜମିର 15 ସେ.ମି. ପର୍ଯ୍ୟନ୍ତ ମାଟିର ଓଜନ

= କ୍ଷେତ୍ରଫଳ X ଗଭୀରତା X ଘନତ୍ଵ

= 2025000 kg or , 2.025 ନିୟୁତ କି.ଗ୍ରା .

ମୂଳ ଘନତ୍ଵ ଘାନା ସେ.ମି. ପ୍ରତି 1.65 ଗ୍ରାମ ଧରାଗଲେ ଏହି ଓଜନ 2.4 ନିୟୁତ କି.ଗ୍ରା. କିନ୍ତୁ ସାଧାରଣ ହିସାବ ପାଇଁ ଏହି ମାଟିର ଓଜନ 2 ନିୟୁତ କି.ଗ୍ରା . ବୋଲି ଧରାଯାଇଥାଏ ।

ମୃତ୍ତିକା ଛିଦ୍ରତା

ମୃତ୍ତିକାର ମୋଟ ଆୟତନ ଶତକଡା ଯେତେ ଭାଗ ଫାଙ୍କ ସ୍ଥାନ ଥାଏ ତାହାକୁ ଛିଦ୍ରତା କୁହାଯାଏ । ମୋଟ ଆୟତନକୁ 100 ଧରାଯାଏ ଏବଂ ତହିଁରୁ ଘାନା ପଦାର୍ଥର ଆୟତନ ବାଦ୍ ଦେଲେ ଫାଙ୍କ ସ୍ଥାନର ଆୟତନ ରହିଯାଏ ।

ଉଦାହରଣ

ଧରାଯାଉ ଗୋଟିଏ ମୃତ୍ତିକାର କଣିକା ଘନତ୍ଵ = 2.7g /cc

ସ୍ଥୂଳଘନତ୍ଵ = 1.45g/ cc

ଘନ ପଦାର୍ଥ ବା କଣିକା ଗୁଡିକର

ଆୟତନ = X 100 = 53.7%

ଛିଦ୍ରତା = 100 – 53.7 = 46.3%

ମୃତ୍ତିକାର ଛିଦ୍ରତା ନିରୂପଣ ସୂତ୍ର

= 100 –( X 100)

ଆକାର ଭିତରେ ମୃତ୍ତିକାର ଛିଦ୍ରଗୁଡିକୁ 2 ଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ସ୍ଥୂଳ ଛିଦ୍ର ଏବଂ ସୂକ୍ଷ୍ମଛିଦ୍ର ଯଦିଓ ସେମାନଙ୍କ ମଧ୍ୟରେ ଏକ ନିର୍ଦ୍ଧିଷ୍ଟ ସୀମାରେଖା ନାହିଁ , ତଥାପି 0.06 ସେ.ମି. ରୁ କମ୍ ବ୍ୟାସ ଥିବା ଛିଦ୍ରଗୁଡିକୁ ସୂକ୍ଷ୍ମଛିଦ୍ର ଶ୍ରେଣୀଭୁକ୍ତ କରାଯାଉଛି । ଏହାଠାରୁ ବଡ ଛିଦ୍ର ଗୁଡିକୁ ସ୍ଥୂଳ ଛିଦ୍ର ଶ୍ରେଣୀଭୁକ୍ତ କରାଯାଉଛି । ମୃତ୍ତିକାସ୍ଥ ଛିଦ୍ର ଗୁଡିକ ପରସ୍ପର ସହିତ ଯୋଡି ହୋଇ ରହି ଛିଦ୍ର ନଳୀ ସୃଷ୍ଟି କରନ୍ତି । ଏହି ଛିଦ୍ର ନଳୀ ମଧ୍ୟ ଦେଇ ଜଳ ଓ ବାୟୁ ଚଳଚଳ କରେ ।

ବାଲିଆ ବୟନ ଶ୍ରେଣୀ ମୃତ୍ତିକାରେ ଅଧିକ ସ୍ଥୂଳ ଛିଦ୍ର ରହିଥାଏ । କିନ୍ତୁ ସୂକ୍ଷ୍ମ ବୟନ ଶ୍ରେଣୀ ମୃତ୍ତିକା ଗୁଡିକରେ ଅଧିକ ସୂକ୍ଷ୍ମ ଛିଦ୍ର ଓ କମ୍ ସ୍ଥୂଳ ଛିଦ୍ର ରହିଥାଏ । ଦୋରସା ଶ୍ରେଣୀ ମୃତ୍ତିକାରେ ଉଭୟ ପ୍ରକାର ଛିଦ୍ରର ଅନୁପାତ ପ୍ରାୟ ସମାନ । ସୂକ୍ଷ୍ମ ବୟନ ଶ୍ରେଣୀ ମୃତ୍ତିକାଗୁଡିକରେ ମୋଟ ଛିଦ୍ରତା ମୋଟା ବୟନ ଶ୍ରେଣୀ ମୃତ୍ତିକା ତୁଳନାରେ ଅଧିକ । ମୃତ୍ତିକାରେ ଜଳଧାରଣ , ଜଳ ନିଷ୍କାସନ , ବାୟୁ ସଂଚାଳନ ଆଙ୍କୁରୋଦଗମ ଓ ଛେରା ବୃଦ୍ଧିପାଇଁ ସ୍ଥୂଳ ଓ ସୂକ୍ଷ୍ମ ଛିଦ୍ର ଗୁଡିକର ଭୂମିକା ସମ୍ପର୍କରେ ନିମ୍ନରେ ବିଶଦ ଆଲୋଚନା କରାଗଲା ।

ମୃତ୍ତିକାର ଜଳଧାରଣ ଶକ୍ତି ଓ ଜଳର ସୁଲଭତା

ବୃଷ୍ଟିପାତ ବା ଜଳସେଚନ ସମୟରେ ମୃତ୍ତିକା ପୃଷ୍ଠର ରନ୍ଧ୍ର ମଧ୍ୟଦେଇ ଜଳ ମୃତ୍ତିକା ମଧ୍ୟକୁ ପ୍ରବେଶ କରେ । ଏହି ପ୍ରକ୍ରିୟାକୁ ଜଳ ପରିସ୍ରବଣ କୁହାଯାଏ । ମୃତ୍ତିକା ପୃଷ୍ଠରେ ଅଧିକ ସ୍ଥୂଳ ରନ୍ଧ୍ର ଥିଲେ ଜଳ ଶୀଘ୍ର ଭେଦିଯାଏ କିନ୍ତୁ ସୂକ୍ଷ୍ମରନ୍ଧ୍ର ମଧ୍ୟଦେଇ ଜଳ ଭେଦିବାକୁ ସମୟ ଲାଗେ । ଶୀଘ୍ର ବା ମନ୍ଥର ଗତିରେ ଜଳଭେଡିବା ଗୁଣକୁ ମୃତ୍ତିକାର ଜଳ ଭେଦ୍ୟତା କୁହାଯାଏ । ଏହା ମୃତ୍ତିକାର ଛିଦ୍ରତା ଏବଂ ସ୍ଥୂଳ ଓ ସୂକ୍ଷ୍ମ ରନ୍ଧ୍ରର ଅନୁପାତ ଉପରେ ନିର୍ଭର କରେ । ବାଲିଆ ମାଟିର ଜଳ ଭେଦ୍ୟତା ମଟାଳ ମୃତ୍ତିକା ତୁଳନାରେ ଅଧିକ । ମୃତ୍ତିକା ପୃଷ୍ଠରେ ରନ୍ଧ୍ରଗୁଡିକ ସୂକ୍ଷ୍ମ କଣିକାମାନଙ୍କ ଦ୍ଵାରା ବୁଜି ହୋଇଗଲେ ମୃତ୍ତିକା ମଧ୍ୟକୁ ଜଳ ପରିସ୍ରବଣ ହୋଇପାରେ ନାହିଁ । ସ୍ଥାୟୀ ଦାନା ସଂରଚନା ହୋଇନଥିବା ମୃତ୍ତିକାରେ ଛେଚା ବର୍ଷାପରେ ଏହିପରି ନିବୁଜସ୍ତର ସୃଷ୍ଟି ହୁଏ ଏବଂ ଜଳ ପରିସ୍ରବଣ ବନ୍ଦ ହୋଇଯାଏ ।

ମୃତ୍ତିକା ମଧ୍ୟକୁ ଜଳ ପ୍ରବେଶ କଲାପରେ ମୃତ୍ତିକା ଘନ ପଦାର୍ଥ କଣିକାଗୁଡିକ ଚୋଷଣ ତଥା କୌଶିକ ଆକର୍ଷଣ ବଳ ଦ୍ଵାରା ରନ୍ଧ୍ର ମଧ୍ୟରେ ଜଳକୁ ଧରି ରଖିବାକୂ ଚେଷ୍ଟିତ ହୁଅନ୍ତି । ପକ୍ଷାନ୍ତର ମାଧ୍ୟାକର୍ଷଣ ବଳ ରନ୍ଧ୍ରମାନଙ୍କରୁ ଜଳକୁ ଟାଣି ବାହାର କରି ନେଇ ଯିବାକୁ ଚେଷ୍ଟାକରେ । ସାଧାରଣତଃ ସ୍ଥୂଳ ରନ୍ଧ୍ରମାନଙ୍କରେ ଥିବା ଜଳ ଉପରେ ଘନ ପଦାର୍ଥ କଣିକାର ଚୋଷଣ ବଳ ଓ କୌଶିକ ଆକର୍ଷଣ ବଳ ମାଧ୍ୟାକର୍ଷଣ ବଳ ତୁଳନାରେ କମ୍ ଥିବାରୁ ସ୍ଥୂଳ ରନ୍ଧ୍ରରୁ ଜଳ ତଳକୁ ନିଗିଡିଯାଏ । ଏହି ନିଗିଡି ଯାଉଥିବା ଜଳକୁ ମାଧ୍ୟାକର୍ଷିତ ଜଳ କୁହାଯାଏ । ସୂକ୍ଷ୍ମ ରନ୍ଧ୍ରମାନଙ୍କରେ ଚୋଷଣ ତଥା କୌଶିକ ଆକର୍ଷଣ ବଳ ଯଥେଷ୍ଟ ଅଧିକ । ତେଣୁ ସୂକ୍ଷ୍ମ ରନ୍ଧ୍ରଗୁଡିକ ଜଳକୁ ଧରି ରଖିପାରନ୍ତି । ମାଧ୍ୟାକର୍ଷିତ ଜଳ ନିଗିଡିଯିବା ପୂର୍ବରୁ ଉଭୟ ସ୍ଥୂଳ ଓ ସୂକ୍ଷ୍ମ ରନ୍ଧ୍ର ଗୁଡିକରେ ଜଳ ଭରି ରହିଥାଏ ଏବଂ ମୃତ୍ତିକା ସମ୍ପୂର୍ଣ୍ଣ ଆର୍ଦ୍ର ବା ଜଳ ପରିପୃକ୍ତ ଅବସ୍ଥାରେ ଥାଏ । ଏହି ଅବସ୍ଥାରେ ମୃତ୍ତିକା ଯେତିକି ଜଳ ଧରି ରଖିଥାଏ ତାହାକୁ ସର୍ବାଧିକ ଜଳଧାରଣ କ୍ଷମତା କୁହାଯାଏ । ସମ୍ପୂର୍ଣ୍ଣ ପରିପୃକ୍ତ ଅବସ୍ଥାରୁ ମାଧ୍ୟାକର୍ଷିତ ଜଳ ନିଗିଡି ଯିବାପାଇଁ ୪୮ ରୁ ୭୨ ଘଣ୍ଟା ସମୟ ଲାଗେ । ଏହାପରେ ଜଳ ମୁଖ୍ୟତଃ ସୂକ୍ଷ୍ମ ରନ୍ଧ୍ରମାନଙ୍କରେ ରହିଯାଏ ଏବଂ ସ୍ଥୂଳ ରନ୍ଧ୍ରମାନଙ୍କରେ ଘନ ପଦାର୍ଥ କଣିକା ଉପରେ ପତଳା ଆସ୍ତରଣ ଭାବରେ ଅଳ୍ପ ଜଳ ରହିଥାଏ । ସ୍ଥୂଳ ରନ୍ଧ୍ରମାନଙ୍କରୁ ଜଳ ନିଗିଡି ଗଲାପରେ ବାୟୁ ସେହି ସ୍ଥାନକୁ ପୁନଃ ଦଖଲ କରେ । ଏହି ଅବସ୍ଥାରେ ମୃତ୍ତିକା ଯେତିକି ପରିମାଣ ଜଳ ଧରିରଖେ ତାହାକୁ ମୃତ୍ତିକାର କ୍ଷେତ୍ର କ୍ଷମତା କୁହାଯାଏ । ମୃତ୍ତିକା ରନ୍ଧ୍ର ମଧ୍ୟରେ ଜଳ ଯେଉଁ ବଳଦ୍ଵାରା ଆକର୍ଷିତ ହୋଇ ରହିଥାଏ ତାହାକୁ ଜଳର ବିପରୀତ ଚାପଶକ୍ତି ଭାବରେ ଅଭିହିତ କରାଯାଏ । କ୍ଷେତ୍ର କ୍ଷମତାରେ ଥିବା ଜଳର ବିପରୀତ ଚାପଶକ୍ତି ବା ଆର୍ଦ୍ରତା ଭାର 0.1 ରୁ 0.33 ବାର ବା Atmosphere ରହିଥାଏ । ଉଦ୍ଭିଦ ନିଜର ଆବଶ୍ୟକତା ପୂରଣ ପାଇଁ ଜଳ ଶୋଷଣ କରେ ଏବଂ ସେହି ଜଳର ମୁଖ୍ୟଭାଗ ପ୍ରସ୍ଵେଦନ ପ୍ରକ୍ରିୟାରେ ନଷ୍ଟହୁଏ । ଆର୍ଦ୍ର ମୃତ୍ତିକା ପୃଷ୍ଠକୁ ବାଷ୍ପୀଭବନ ଦ୍ଵାରା ମଧ୍ୟ ଜଳ ନଷ୍ଟହୁଏ । ଏହି ବାଷ୍ପୀଭବନ - ପ୍ରସ୍ଵେଦନ ପ୍ରକ୍ରିୟା କ୍ରମାଗତ ଚାଲିଥାଏ ଏବଂ ସୂକ୍ଷ୍ମ ରନ୍ଧ୍ରସ୍ଥ ଜଳର ପରିମାଣ ହ୍ରାସପାଏ । ଏଥି ସହିତ ରନ୍ଧ୍ରସ୍ଥ ଜଳର ବିପରୀତ ଚାପ ବୃଦ୍ଧିପାଏ । ଅପେକ୍ଷାକୃତ ଅଧିକ ଆର୍ଦ୍ରଥିବା ବିଭାଗରୁ ଶୁଷ୍କ ହୋଇଯାଉଥିବା ବିଭାଗରୁ ଜଳ କୌଶିକ ରନ୍ଧ୍ରନଳୀ ମଧ୍ୟଦେଇ ଗତି କରେ । ଉପର ସ୍ତରର ମୃତ୍ତିକା ପ୍ରଥମେ ଶୁଷ୍କ ହୁଏ ତେଣୁ ନିମ୍ନସ୍ଥ ଅପେକ୍ଷାକୃତ ଆର୍ଦ୍ର ସ୍ତରରୁ ଏବଂ ଭୂମି ନିମ୍ନସ୍ଥ ଜଳ ସ୍ତରକୁ କୌଶିକ ରନ୍ଧ୍ର ମଧ୍ୟଦେଇ ଜଳ ଆକର୍ଷିତ ହୋଇ ଉଠିଆସେ । ଉଦ୍ଭିଦର ଚେର ମଧ୍ୟ ଜଳ ଅନ୍ଵେଷଣରେ ମୃତ୍ତିକାର ଗଭୀର ଆର୍ଦ୍ରସ୍ତରକୁ ପ୍ରସାରିତ ହୁଏ । ତେଣୁ ଜଳର ସୁଲଭତା ପାଇଁ ଚେର ପ୍ରସାରଣ ଓ ଜଳର କୌଶିକ ଉତଥାନ ଉଭୟର ପରିପୂରକ ଭାବରେ କାର୍ଯ୍ୟ କରନ୍ତି । ତଥାପି କ୍ରମାଗତ ବାଷ୍ପୀଭବନ ପ୍ରସ୍ଵେଦନ କ୍ଷତି ଯୋଗୁଁ ମୃତ୍ତିକା କ୍ରମେ ଶୁଷ୍କ ହୋଇ ଆସେ , ଏହାର ବିପରୀତ ଜଳଚାପ ଯଥେଷ୍ଟ ବୃଦ୍ଧିପାଏ, ଜଳଶୋଷଣ ପାଇଁ ଉଦ୍ଭିଦକୁ ଅଧିକ ଶକ୍ତି ବିନିଯୋଗ କରିବା ଆବଶ୍ୟକ ପଡେ । ଫଳରେ ପ୍ରସ୍ଵେଦନ ଆବଶ୍ୟକତା ମେଣ୍ଟାଇବା ପାଇଁ ଯେତେ ଜଳ ଆବଶ୍ୟକତା ତାହା ଚେର ଶୋଷଣ କରିପାରେ ନାହିଁ, ଝାଉଁଳିଯାଏ । ପ୍ରଥମେ ପ୍ରଥମେ ଉଦ୍ଭିଦ କେବଳ ଦିନ ସମୟରେ ଝାଉଁଳେ । ରାତ୍ରି ଓ ପ୍ରଭାତ ସମୟରେ ସତେଜତା ଫେରିଆସେ । ଏହାକୁ ଅସ୍ଥାୟୀ ଝାଉଁଳିବା କୁହାଯାଏ । କିନ୍ତୁ ମୃତ୍ତିକା ଅଧିକ ଶୁଷ୍କ ହେଲେ ଜଳ ସୁଲଭତା ଖୁବ୍ ମନ୍ଥର ହୋଇଯାଏ । ଏବଂ ଉଦ୍ଭିଦ ଦିନ ଓ ରାତି ସବୁବେଳ ଝାଉଁଳିପଡୁଥିବାର ଦେଖାଯାଏ । ଏହାକୁ ସ୍ଥାୟୀ ଝାଉଁଳିବା ଅବସ୍ଥା କୁହାଯାଏ ।ଥରେ ସ୍ଥାୟୀ ଝାଉଁଳିବା ଆରମ୍ଭ ହେଲେ ଉଦ୍ଭିଦର ବୃଦ୍ଧି ବନ୍ଦ ହୋଇଯାଏ ଓ ଅକାଳ ମୃତ୍ୟୁ ଘଟେ । ସ୍ଥାୟୀ ଝାଉଁଳିବା ଅବସ୍ଥାରେ ମୃତ୍ତିକାରେ ଜଳର ବିପରୀତ ଚାପ 15 ବାୟୁମଣ୍ଡଳୀୟ ଚାପ ପାଖାପାଖି ରହିଥାଏ ଏହି ଅବସ୍ଥାରେ ମୃତ୍ତିକାସ୍ଥ ଘନ କଣିକାଗୁଡିକ ଉପରେ ଜଳ ଏକ ପତଳା ଆସ୍ତରଣ ଭାବରେ ଖୁବ୍ ଜୋରରେ ଆକର୍ଷିତ ହୋଇ ରହିଥାଏ । କେବଳ ମରୁଭୁମିରେ ବଢୁଥିବା ଉଦ୍ଭିଦଙ୍କୁ ବାଦ୍ ଦେଲେ ଅନ୍ୟାନ୍ୟ ଉଦ୍ଭିଦ ଏହି ଜଳକୁ ନିଜର ବ୍ୟବହାରରେ ଲଗାଇ ପାରନ୍ତି ନାହିଁ । ତେଣୁ ଏହାକୁ ଅଲଭ୍ୟ ଜଳ କୁହାଯାଏ । କ୍ଷେତ୍ର କ୍ଷମତାରୁ ସ୍ଥାୟୀ ଝାଉଁଳା ପର୍ଯ୍ୟନ୍ତ ଜଳ ମୃତ୍ତିକା ରନ୍ଧ୍ରମାନଙ୍କରୁ ଉଦ୍ଭିଦ ଦ୍ଵାରା ବ୍ୟବହୃତ ହୋଇପାରେ ।ଏହାକୁ ଉଦ୍ଭିଦ ବ୍ୟବହାର ଉପଯୋଗୀ ଜଳ କୁହାଯାଏ । ଅନ୍ୟ ଅର୍ଥରେ କହିବାକୁ ଗଲେ 0.1 ରୁ 15 ବାୟୁମଣ୍ଡଳୀୟ ଚାପରେ ମୃତ୍ତିକା ମଧ୍ୟରେ ରହିଥିବା ଜଳ ଉଦ୍ଭିଦ ବ୍ୟବହାର ଉପଯୋଗୀ ।

ମୃତ୍ତିକାସ୍ଥ ଜଳ ପରିମାଣ ନିରୂପଣ

କୋର ସାମ୍ପଲର ସାହାଯ୍ୟରେ ଜମିରୁ ଆର୍ଦ୍ର ମୃତ୍ତିକା ନମୁନା ନେଇ ତାହାକୁ ଓଜନ କରାଯାଏ ଏବଂ ଓଜନ ମଧ୍ୟରେ ରଖି ଉତ୍ତାପରେ ଶୁଷ୍କ କରିବା ପରେ ପୁଣି ଥରେ ଓଜନ କରାଯାଏ ।

ଉଦାହରଣ

ଧରାଯାଉ କୋର ସାମ୍ପଲର ଅନ୍ତଃବ୍ୟାସ = 7 ସେ.ମି.

ଏବଂ ଉଚ୍ଚତା = 10 ସେ. ମି.

ତେଣୁ କୋର ସାମ୍ପଲର ଅନ୍ତଃ ଆୟତନ

= X 10

= 385CC

ଯଦି କୋର ସାମ୍ପଲରର ଓଜନ = 150 g

ଆନ୍ତ ମୃତ୍ତିକା ସହିତ = 75 g

ଶୁଷ୍କ ମୃତ୍ତିକା ଓଜନ = 650.5g

ତେବେ ମୃତ୍ତିକାରେ ଥିବା ଜଳର ପରିମାଣ = g ବା 752.0 – 650.5 = 101g

ଶୁଷ୍କ ମୃତ୍ତିକାର ଓଜନ = ( ବା 650.5 – 150 = 500 .5g

ଓଜନ ଭିତ୍ତିକ ଜଳ ପରିମାଣ (%) = 101.5g / 500.5g X 100 – 20.3%

ଏହି ମୃତ୍ତିକାର ସ୍ଥୂଳଘନତ୍ଵ = 500.5g / 385cc = 1.3g /cc

ଏହି ମୃତ୍ତିକାରେ ଆୟତନ ଭିତ୍ତିକ ଜଳ ପରିମାଣ (%)

ଜଳର ଆପେକ୍ଷିକ ଗୁରୁତ୍ଵ 1 ବୋଲି ଧରି

= 101.5g / 385cc X 100 = 26.4 %

ଆୟତନଭିତ୍ତିକ ଜଳ ପରିମାଣ ଓଜନ ଭିତ୍ତିକ ଜଳ ପରିମାଣ X ମୃତ୍ତିକାର ସ୍ଥୂଳ ଘନତ୍ଵ = 20.3% X 1.3 = 26.4%

ମୃତ୍ତିକାର ଉତ୍ତାପ

ମୃତ୍ତିକା ସୂର୍ଯ୍ୟ କିରଣରୁ ତାପ ଶକ୍ତି ଆହରଣ କରେ । ଶୁଷ୍କ ମୃତ୍ତିକା ଶୀଘ୍ର ଉତ୍ତପ୍ତ ହୋଇ ଉତ୍ତାପ ବିକିରଣ ପରେ ଶୀଘ୍ର ଥଣ୍ଡା ହୋଇଯାଏ । କିନ୍ତୁ ଆର୍ଦ୍ର ମୃତ୍ତିକା ସୂର୍ଯ୍ୟ କିରଣରୁ ଉତ୍ତାପ ଗ୍ରହଣ କରି ଉଷ୍ମ ହେବା ପାଇଁ ସମୟ ଲାଗେ,ଏବଂ ଡେରିରେ ଥଣ୍ଡା ହୁଏ । ତେଣୁ ମୃତ୍ତିକାର ଉତ୍ତାପ ସୂର୍ଯ୍ୟଙ୍କଠାରୁ ମିଳୁଥିବା ତାପଶକ୍ତି ଉପରେ ନିର୍ଭର କରେ । ଗ୍ରୀଷ୍ମ କାଳରେ ମୃତ୍ତିକା ଅଧିକ ଉଷ୍ମରହେ ଏବଂ ଶୀତ କାଳରେ ଅପେକ୍ଷାକୃତ ଥଣ୍ଡାରହେ । ଏହା ବ୍ୟତୀତ ମୃତ୍ତିକାରେ ଜୈବ ପଦାର୍ଥ ଅପଘଟନ ସମୟରେ ଯେଉଁ ତାପଶକ୍ତି ନିର୍ଗତ ହୁଏ ତାହା ମଧ୍ୟ ମୃତ୍ତିକାକୁ ଉଷ୍ମ ରଖିବାରେ ସହାୟକ ହୁଏ । ସେଥିପାଇଁ ଅଧିକ ଜୈବ ପଦାର୍ଥ ଥିବା କଳା ରଙ୍ଗର ମୃତ୍ତିକା ଅନ୍ୟାନ୍ୟ ମୃତ୍ତିକା ତୁଳନାରେ ଅଧିକ ଉଷ୍ମ ରହେ । ସାଧାରଣ ଭାବରେ ଦେଖାଯାଏ ଯେ ଫସଲ ଦ୍ଵାରା ଆଚ୍ଛାଦିତ ମୃତ୍ତିକାର ଉତ୍ତାପ ବାଯୁମଣ୍ଡଳ ଉତ୍ତାପ ତୁଳନାରେ 1 ରୁ 20 ଅଧିକ ଥାଏ । ଆର୍ଦ୍ର ମୃତ୍ତିକାରୁ ବାଷ୍ପୀଭବନ ହେଲେ ମୃତ୍ତିକା ଶୀତଳ ରହେ ।

ମୃତ୍ତିକା ଉତ୍ତାପର ଉପାଦେୟତା

  1. ଅଣୁଜୀବମାନଙ୍କର କାର୍ଯ୍ୟକାରିତା ଏବଂ ସେମାନଙ୍କ ଦ୍ଵାରା ଜୈବ ପଦାର୍ଥ ବିଘଟନ ପାଇଁ ନିର୍ଦ୍ଧିଷ୍ଟ ଉଷ୍ମତା ଆବଶ୍ୟକ । କମ୍ ଉତ୍ତାପରେ ଏହି ଜୈବ ପ୍ରକ୍ରିୟା ମନ୍ଥର ହୋଇଯାଏ ।

    ଯବକ୍ଷାରଜାନ ନାଇଟ୍ରିକରଣ ଗନ୍ଧକ ସଲଫେଟକୁ ରୂପାନ୍ତରୀକରଣ ପ୍ରଭୃତି ଜୈବ ପ୍ରକ୍ରିୟା ଥଣ୍ଡା ମୃତ୍ତିକାରେ ଧିମେଇଯାଏ ।

  2. ଖଣିଜ ପଦାର୍ଥ ଗୁଡିକର ଦ୍ରବଣୀୟତା ଏବଂ ତତ୍ ସନ୍ନିହିତ ଖାଦ୍ୟ ସାରର ସରଳୀକରଣ ଓ ସୁଲଭତା ମଧ୍ୟ ଶୀତଳ ମୃତ୍ତିକାରେ ମନ୍ଥର ହୋଇଯାଏ ।
  3. ମଞ୍ଜିରୁ ଅଙ୍କୁରୋଦଗମ ଏବଂ ଚାରାଗଛର ଚେର ବୃଦ୍ଧିପାଇଁ ଆବଶ୍ୟକ ଉତ୍ତାପ ମୃତ୍ତିକାରୁ ମିଳିବା ଆବଶ୍ୟକ । ନିର୍ଦ୍ଧିଷ୍ଟ ଉଷ୍ମତା ନଥିଲେ ମଞ୍ଜି ଗଜା ହୋଇପାରେ ନାହିଁ ଏବଂ ଚେର ବୃଦ୍ଧି ହୁଏନାହିଁ ।
  4. ମୃତ୍ତିକାରେ ଉଷ୍ମତା କମ୍ ଥିଲେ ଉଦ୍ଭିଦର ଜଳ ଓ ଖାଦ୍ୟସାର ଶୋଷଣ କ୍ଷମତା ହ୍ରାସପାଏ ।
  5. ଖତ, କମ୍ପୋଷ୍ଟ ପ୍ରୟୋଗ ଏବଂ ଶୁଷ୍କ ଡାଳପତ୍ର, ନଡା କିମ୍ବା ପଲିଥିନ ଚଦରଦ୍ଵାରା ଘୋଡାଇବା ଦ୍ଵାରା ଶୀତଦିନେ ମୃତ୍ତିକାରେ ଉଷ୍ମତା ରକ୍ଷାକରାଯାଏ ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

2.88888888889
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top