ହୋମ / ଶକ୍ତି / ପରିବେଶ / ମୃତ୍ତିକାର ଉର୍ବରତା ଓ ଉତ୍ପାଦିକା ଶକ୍ତି (ଆପେକ୍ଷିକ ଗ୍ରହଣୀୟ ପରିମାଣ )
ସେଆର କରନ୍ତୁ

ମୃତ୍ତିକାର ଉର୍ବରତା ଓ ଉତ୍ପାଦିକା ଶକ୍ତି (ଆପେକ୍ଷିକ ଗ୍ରହଣୀୟ ପରିମାଣ )

ଆପେକ୍ଷିକ ଗ୍ରହଣୀୟ ପରିମାଣ ସମ୍ବନ୍ଧିତ ସୂଚନା ।

କେତେକ ଖାଦ୍ୟସାର ଉପାଦାନ ମଧ୍ୟରେ ବିରୋଧାତ୍ମକ ସମ୍ପର୍କ ଏବଂ ଆଉ କେତେକ ମଧ୍ୟରେ ସହଯୋଗୀ ସମ୍ପର୍କ ଦେଖାଯାଏ । ଯଥା : ଅଧିକ ଫସଫେଟ୍ ଗ୍ରହଣୀୟ ହେଉଥିବା ମୃତ୍ତିକାରେ ମଲିବଡେନମ୍ ଗ୍ରହଣୀୟତା ମଧ୍ୟ ଅଧିକ କିନ୍ତୁ ଦସ୍ତାର ଗ୍ରହଣୀୟତା ବାଧାପାଏ । ଅତ୍ୟଧିକ ଲୌହ ଗ୍ରହଣୀୟ ହୋଇ ଉଦ୍ଭିଦରେ ବିଷାକ୍ତ ପ୍ରଭାବ ଦେଖାଦେଲେ । ପୋଟାସିୟମ, ଦସ୍ତା, ମାଙ୍ଗାନିଜ ପ୍ରଭୃତିର ଅଭାବ ଲକ୍ଷଣ ପ୍ରକାଶପାଏ । ଅଧିକ କ୍ୟାଲସିୟମ ଗ୍ରହଣୀୟ ହେଉଥିଲେ ବୋରନ୍ ଗ୍ରହଣୀୟତା କମିଯାଏ ।

ଉଦ୍ଭିଦ ସମ୍ପର୍କିତ କାରକ

ନିର୍ଦ୍ଧିଷ୍ଟ ପ୍ରକାର ଉଦ୍ଭିଦର ଖାଦ୍ୟସାର ଚାହିଦା ଅଧିକ ଥିଲେ ଚେରର ବିସ୍ତାର ଅଧିକ ହୁଏ ଯାହା ଫଳରେ ତାହା ଅଧିକ ଆୟତନ ମୃତ୍ତିକାରୁ ଖାଦ୍ୟସାର ଆହରଣ କରିପାରେ ଧନାତ୍ମକ ଆୟନା ବିନିମୟ ଶକ୍ତି ଅଧିକ ଥିବା ଛେରା ଅଧିକ କାଲସିୟମ ଅବଶୋଷଣ କରିବାରେ ସକ୍ଷମ ହୁଏ । ଗୁଚ୍ଛ ଛେରା ଥିବା ଏକ ବୀଜପତ୍ରୀ ଉଦ୍ଭିଦର ଚେର ଅଧିକ ପୋଟାସିୟମ ଆହରଣ କରିବାରେ ସକ୍ଷମ ନୂଆ ଚେର ପୁରୁଣା ଚେର ତୁଳନାରେ ଅଧିକ ଖାଦ୍ୟସାର ଆହରଣ କରିପାରେ । ଚେର ଉପରେ ଥିବା ମାଇକୋରାଇଜା କବକ ମଧ୍ୟ ଅଦ୍ରବଣୀୟ ଫସଫେଟ୍ କୁ ଉଦ୍ଭିଦ ଗ୍ରହଣୀୟ ଅବସ୍ଥାକୁ ରୂପାନ୍ତର କରେ । ଉପରୋକ୍ତ କାରଣରୁ ବିଭିନ୍ନ ପ୍ରକାର ଉଦ୍ଭିଦ ପାଇଁ ନିର୍ଦ୍ଧିଷ୍ଟ ମୃତ୍ତିକାରୁ ଖାଦ୍ୟସାର ଗ୍ରହଣୀୟତା ଭିନ୍ନ ଭିନ୍ନ ହୋଇଥାଏ ।

କୌଣସି ମୃତ୍ତିକାରେ ବିଭିନ୍ନ ଖାଦ୍ୟସାର ମୋଟ ପରିମାଣ ଖୁବ୍ ଅଧିକ ଥାଇପାରେ କିନ୍ତୁ ଉଦ୍ଭିଦକୁ ଆବଶ୍ୟକ ପରିମାଣରେ ଓ ସୁଷମ ଅନୁପାତରେ ତାହା ପ୍ରାପ୍ତ ନ ହେଲେ ଉଦ୍ଭିଦର ପୋଷଣ କ୍ରିୟା ବାଧାପ୍ରାପ୍ତ ହୁଏ । ଫଳତଃ ଫସଲର ବୃଦ୍ଧି ସୀମିତ ହୋଇଯାଏ ।

ମୃତ୍ତିକା ଉର୍ବରତା ଓ ଉତ୍ପାଦିକା ଶକ୍ତି ଉର୍ବରତା

ଉଦ୍ଭିଦର ସ୍ଵାଭାବିକ ବୃଦ୍ଧି ପାଇଁ ବିଭିନ୍ନ ଖାଦ୍ୟସାର ଗୁଡିକୁ ଆବଶ୍ୟକ ପରିମାଣରେ ଉପଯୁକ୍ତ ଅନୁପାତରେ ଯୋଗାଇପାରିବାର ନିଜସ୍ଵ କ୍ଷମତାକୁ ମୃତ୍ତିକାର ଉର୍ବରତା କୁହାଯାଏ ।

ଉତ୍ପାଦିକା

ଏହା ମୃତ୍ତିକାର ଫସଲ ଉପୁଯାଇବା ବା ଭଲ ଅମଳ ଦେବା କ୍ଷମତା । ଏହା କେବଳ ଉର୍ବରତା ଉପରେ ନିର୍ଭର କରେ ନାହିଁ । ମୃତ୍ତିକାର ପ୍ରକାର ଏହାର ଭୌତିକ ଓ ରାସାୟନିକ ଗୁଣାବଳୀ, ଅବସ୍ଥିତି, ଜଳଧାରଣ ଓ ଜଳ ନିଷ୍କାସନ କ୍ଷମତା, ଗଭୀରତା ପ୍ରଭୃତିକୁ ନେଇ ପରିଚାଳନା ଉପରେ ଉତ୍ପାଦିକତା ନିର୍ଭର କରେ । ଏଣୁ ଉତ୍ପାଦିକତା = ଉର୍ବରତା + ପରିଚାଳନା । କୁପରିଚାଳନା ହେତୁ ଉର୍ବର ମୃତ୍ତିକା ମଧ୍ୟ ଉତ୍ପାଦନ ହୀନ ହୋଇପାରେ ।

ପ୍ରତ୍ୟକ ଉତ୍ପାଦନକ୍ଷମ ମୃତ୍ତିକା ନିଶ୍ଚୟ ଉର୍ବର । କିନ୍ତୁ ପ୍ରତ୍ୟକ ଉର୍ବର ମୃତ୍ତିକା ଉତ୍ପାଦନ କ୍ଷମ ନ ହୋଇପାରେ ।

ମୃତ୍ତିକା ପରୀକ୍ଷା

ଫସଲ ଅମଳ ପରିମାଣ ମୃତ୍ତିକାର ଉର୍ବରତା ତଥା ଆନୁଷଙ୍ଗିକ ଭୌତିକ ଓ ରାସାୟନିକ ଗୁଣ ଉପରେ ନିର୍ଭର କରେ । କୌଣସି ଫସଲ ଲଗାଇବା ପୂର୍ବରୁ ମୃତ୍ତିକାର ଭୌତିକ ଓ ରାସାୟନିକ ଗୁଣ ସେହି ଫସଲ ପାଇଁ ଉପଯୁକ୍ତ କି ନୁହେଁ ତାହା ଜାଣିବା ଆବଶ୍ୟକ । ମୃତ୍ତିକା ଉପଯୁକ୍ତ ନ ଥିଲେ ଆବଶ୍ୟକ ବ୍ୟବସ୍ଥା କରି ମୃତ୍ତିକାର ଭୌତିକ ବା ରାସାୟନିକ ଗୁଣର ଉନ୍ନତି ସାଧନ କରାଯାଇପାରେ । ମାଟିର ଦାନା ଗଠନ ଓ ସରଞ୍ଚନା ଠିକ୍ ନ ଥିଲେ ଖତ କମ୍ପୋଷ୍ଟ ଓ ପଙ୍କ ପ୍ରୟୋଗ ଏବଂ ଉପଯୁକ୍ତ ସମୟରେ କମଣ କରି ମୃତ୍ତିକାର ଗୁଣ ଉନ୍ନତ କରାଯାଇପାରେ । ପୋଖରୀ ପଙ୍କ ପ୍ରୟୋଗ କରି ବାଲିଆ ମାଟିର ଜଳଧାରଣ କ୍ଷମତା ବୃଦ୍ଧି କରାଯାଇପାରେ । ଅଧିକ ଅମ୍ଳୀୟ ମାଟିରେ ଚୂନ ଜାତୀୟ ପଦାର୍ଥ ପ୍ରୟୋଗ କରି ଶୋଧନ କରାଯାଏ । କିମ୍ବା ମୃତ୍ତିକାର ଗୁଣାବଳୀ ପରିବର୍ତ୍ତନ ନ କରି ମଧ୍ୟ ଯେଉଁ ଫସଲ ଲଗାଇଲେ ଭଲ ଉତ୍ପାଦନ ମିଳିବ ତାହା ନିର୍ଦ୍ଧାରଣ କରାଯାଏ ।

ମୃତ୍ତିକାର ଉର୍ବରତା ମଧ୍ୟ ନିରୂପଣ କରାଯିବା ଆବଶ୍ୟକ । ହୁଏତ ଫସଲର ଆବଶ୍ୟକତାକୁ ଚାହିଁ ଆବଶ୍ୟକ ଖାଦ୍ୟସାର ଯଥେଷ୍ଟ ପରିମାଣରେ ଓ ଉପଯୁକ୍ତ ଅନୁପାତରେ ଗ୍ରହଣୀୟ ଅବସ୍ଥାରେ ନ ଥାଇପାରେ । ଯେଉଁଟି ବା ଯେଉଁ ଗୁଡିକର ଅଭାବ ଥିବ ତାହା ପୂରଣ ପାଇଁ ଖତ ଓ ସାର ପ୍ରୟୋଗ କରାଯିବା ଆବଶ୍ୟକ ହୁଏ ।

ଉର୍ବରତା ନିରୂପଣ ପାଇଁ ଅନେକଗୁଡିଏ ପନ୍ଥା ରହିଛି । ସେଗୁଡିକ ମଧ୍ୟରୁ ମୃତ୍ତିକା ପରୀକ୍ଷା ସହଜ, ସରଲା ଓ କମ୍ ସମୟସାପେକ୍ଷ । ତେଣୁ ସର୍ବତ୍ର ଏହି ପନ୍ଥା ଅବଲମ୍ବନ କରାଯାଉଛି ।

ଉର୍ବରତା ନିରୂପଣ ପାଇଁ ମୃତ୍ତିକା ପରୀକ୍ଷା ଏକ ମୁଖ୍ୟ ପନ୍ଥା । ଫସଲ ଲଗାଇବା ପୂର୍ବରୁ ଜମିରୁ ନମୁନା ମାଟି ସଂଗ୍ରହ କରାଯାଏ । ନମୁନା ମାଟି ସଂଗ୍ରହର ନିର୍ଦ୍ଧିଷ୍ଟ ପ୍ରଣାଳୀ ରହିଛି । ପରୀକ୍ଷା ପାଇଁ ମାତ୍ର ୫୦୦ ଗ୍ରାମ ନମୁନା ମାଟି ପଠାଯାଏ । ଏହା ଏପରି ସଂଗୃହିତ ହେବା ଦରକାର ଯଦ୍ଵାରା ଏହା ସମୁଦାୟ କ୍ଷେତ୍ରରେ ଥିବା ମାଟିର ସଠିକ୍ ଗୁଣାବଳୀ ପ୍ରକାଶ କରିପାରିବ । ନମୁନା ମାଟି ମୃତ୍ତିକା ପରୀକ୍ଷାଗାରାକୁ ପଠାଇବା ବେଳେ କ୍ଷେତ୍ର ବିବରଣୀ ନିର୍ଦ୍ଧିଷ୍ଟ ଫର୍ମରେ ପୂରଣ କରାଯାଇ ପଠାଯାଏ । ମୃତ୍ତିକା ପରୀକ୍ଷାଗାରାରେ ମୃତ୍ତିକା ନମୁନାର କେତେକ ଦୈହିକ ଗୁଣ, ରାସାୟନିକ ଗୁଣ ଏବଂ ବିଭିନ୍ନ ଖାଦ୍ୟସାରର ଗ୍ରହଣୀୟତା ପରିମାଣ ପରୀକ୍ଷା କରାଯାଏ । ମୃତ୍ତିକା ପରୀକ୍ଷାର ଫଳାଫଳକୁ ବିଚାର କରି ଓ ବିବରଣୀ ଫର୍ମ ସହିତ ମେଳକ କରି ମୃତ୍ତିକାର ଉନ୍ନତି ବିଧାନ ନିମନ୍ତେ ଖତ, ସାର ଓ ବିଶୋଧକ ପଦାର୍ଥ ଇତ୍ୟାଦି ପ୍ରୟୋଗ କରିବା ପାଇଁ ଅନୁମୋଦନ ପତ୍ର ଦିଆଯାଏ ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

2.55555555556
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top