ହୋମ / ଶକ୍ତି / ପରିବେଶ / ମୃତ୍ତିକାରେ ଜୈବିକ ପ୍ରକ୍ରିୟା
ସେଆର କରନ୍ତୁ

ମୃତ୍ତିକାରେ ଜୈବିକ ପ୍ରକ୍ରିୟା

ମୃତ୍ତିକାରେ ଜୈବିକ ପ୍ରକ୍ରିୟା ସମ୍ବନ୍ଧିତ ସୂଚନା ।

ଜୈବିକ ପଦାର୍ଥର ବିପଚନ

ବିଭିନ୍ନ ଉପାୟରେ ମୃତ୍ତିକାରେ ମିଶୁଥିବା ପଦାର୍ଥ ପ୍ରଥମେ ଜୀବଜନ୍ତୁ ମାନଙ୍କ ଦ୍ଵାରା ଖଣ୍ଡବିଖଣ୍ଡିତ ହୁଏ । ତତ୍ ପରେ ଅଣୁଜୀବମାନେ ସେଗୁଡିକୁ ବିପଚନ କରନ୍ତି । ଏହି ବିପଚନ ଫଳରେ ଜୈବିକ ପଦାର୍ଥ ସନ୍ନିହିତ ଶ୍ଵେତସାର ସ୍ନେହସାର, ପୁଷ୍ଟିସାର ପ୍ରଭୃତିର ରାସାୟନିକ ଅପଘଟନ ହୁଏ । ଅଣୁଜୀବମାନେ ଏହି ସବୁ ପଦାର୍ଥରୁ ସେମାନଙ୍କର ଶରୀର ବୃଦ୍ଧିପାଇଁ ଖାଦ୍ୟ ଓ କାର୍ଯ୍ୟକାରିତା ପାଇଁ ଶକ୍ତି ଆହରଣ କରନ୍ତି । ଶ୍ଵେତସାର, ପୁଷ୍ଟିସାର ପ୍ରଭୃତି ରାସାୟନିକ ଅପଘଟନ ହେବାବେଳେ ସେଥିରୁ ଜୈବିକ ଅମ୍ଳ ସୃଷ୍ଟି ହୁଏ ଓ ଅଙ୍ଗାରକାମ୍ଳ ଗ୍ୟାସ ଓ ଜଳ ନିର୍ଗତ ହୁଏ । ସେଲ୍ୟୁଲୋଜ, ହୋମି ସେଲ୍ୟୁଲୋଜ, ଲିଗ୍ ନିନ୍ ପ୍ରଭୃତି କ୍ଳିଷ୍ଟ ଜୈବିକ ପଦାର୍ଥ ଗୁଡିକର ସମ୍ପୂର୍ଣ୍ଣ ଅପଘଟନ ନହୋଇ ଆଂଶିକ ପରିବର୍ତ୍ତନ ଘଟେ । ଜୈବିକ ପଦାର୍ଥର ବିପଚନ ଓ ଅପଘଟନ ଫଳରେ ପରିଶେଷରେ ଅତିସୂକ୍ଷ୍ମ, ଚିକ୍କଣ ଅଠାଳିଆ ପଦାର୍ଥ ରହିଯାଏ । ଏହାର ରଙ୍ଗ ଗାଢ ବାଦାମୀ ଓ ଏହା ଅପେକ୍ଷାକୃତ କ୍ଷୟହୀନ । ଏହାକୁ ହ୍ୟୁମସ୍ କୁହାଯାଏ । ଏହି ହ୍ୟୁମସ୍ ମୃତ୍ତିକାରେ ଥିବା ଖଣିଜ ବା ଜଡ୍ କଣିକାଗୁଡିକ ଉପରେ ସୂକ୍ଷ୍ମ ଆସ୍ତରଣ ଭାବରେ ଲାଖି ରହିଥାଏ ।

ଯବକ୍ଷାରଜାନ ନିବନ୍ଧନ

କେତେକ ପ୍ରକାର ଶାକାଣୁ, ନୀଳରହିତ ଶୈବାଳ ବାୟୁମଣ୍ଡଳସ୍ଥ ଯବକ୍ଷାରଜାନ ଗ୍ୟାସକୁ ବିଜାରଣ କରି ଆମୋନିୟମ ଯୁକ୍ତ ଜୈବ ଯୌଗିକରେ ପରିଣତ କରନ୍ତି । ଏହି ପ୍ରକ୍ରିୟାକୁ ଯବକ୍ଷାରଜାନ ନିବନ୍ଧନ କରନ୍ତି । ଏହି ଅଣୁଜୀବମାନଙ୍କର କୋଷରେ ନାଇଟ୍ରୋଜେନ ସୃଷ୍ଟିକରି ରହନ୍ତି । ସେହି ଉଦ୍ଭିଦରୁ ଖାଦ୍ୟ ଓ ଶକ୍ତି ଆହରଣ କରି ଜବକ୍ଷାରଜାନ ନିବନ୍ଧନ କରନ୍ତି ଓ ଉଦ୍ଭିଦକୁ ଯୋଗାଇ ଦିଅନ୍ତି । ଉଦ୍ଭିଦ ଓ ଅଣୁଜୀବ ପରସ୍ପର ନିର୍ଭରଶୀଳ ହୋଇ ରହୁଥିବାରୁ ଏହାକୁ ସହଜୀବୀ ସମ୍ପର୍କ କୁହାଯାଏ । ଶିମ୍ବ ଜାତୀୟ ଉଦ୍ଭିଦର ଚେରରେ ଗୁଟିକା ସୃଷ୍ଟିକରି ଯବକ୍ଷାରଜାନ ନିବନ୍ଧନ କରୁଥିବା ରାଇଜୋବିଅମ ଶାକାଣୁ ଏହି ଶ୍ରେଣୀର । ଆଜୋଲା ଦଳର ପତ୍ରଗୁଡିକ ମଧ୍ୟରେ ଏହି ଯବକ୍ଷାରଜାନ ନିବନ୍ଧନ କରୁଥିବା ଅନାବାଏନା ଆଜୋଲାଇ ନାମକ ନୀଳହରିତ ଶୈବାଳ ମୃତ୍ତିକାରେ ମୁକ୍ତ ଭାବରେ ବାସ କରନ୍ତି । ମୃତ୍ତିକାସ୍ଥ ଜୈବ ପଦାର୍ଥରୁ ଖାଦ୍ୟ ଓ ଶକ୍ତି ଆହରଣ କରି ଜବକ୍ଷାରଜାନ ନିବନ୍ଧନ କରନ୍ତି । ସେମାନଙ୍କୁ ଅଣସହଜୀବୀ ବା ମୁକ୍ତ ନିବାସୀ ଯବକ୍ଷାରଜାନ ନିବନ୍ଧନକାରୀ କୁହାଯାଏ । ଆଜୋଟୋବାକ୍ଟର, ଆଜୋସ୍ପିରିଲମ ପ୍ରଭୃତି ଶାକାଣୁ ଓ ନଷ୍ଟକ ଆନାବାଏନା ପ୍ରଭୃତି ନୀଳହରତ ଶୈବାଳଗୁଡିକ ଏହି ଶ୍ରେଣୀର । ଅଣୁଜୀବମାନଙ୍କ ଦ୍ଵାରା ନିବନ୍ଧନ ଯବକ୍ଷାରଜାନ, ଅଣୁଜୀବମାନଙ୍କର ମୃତ ଶରୀର ମଧ୍ୟରେ ମୃତ୍ତିକାରେ ମିଶେ ଓ ଏହାର ଉର୍ବରତା ବୃଦ୍ଧିକରେ ।

ଉଦ୍ଭିଦ ଖାଦ୍ୟସାର ରୂପାନ୍ତର

ମୃତ୍ତିକାସ୍ଥ ଅଣୁଜୀବ ବିଶେଷତଃ ଶାକାଣୁମାନେ ଜୈବିକ ପଦାର୍ଥ ମଧ୍ୟରେ ଥିବା ପୁଷ୍ଟିସାର, ଲିଗନିନ୍ ପ୍ରଭୃତିକୁ ବିଘଟଣ କରି ସେଥିରେ ଥିବା କ୍ଳିଷ୍ଟ ଯବକ୍ଷାର ଜାତୀୟ ଯୌଗିକକୁ ସରଲା ଆମିନୋଅମ୍ଳ, ଆମୋନିଆ ଏବଂ ନାଇଟ୍ରେଟକୁ ରୂପାନ୍ତର କରନ୍ତି । ଏହା ଫଳରେ ଯବକ୍ଷାର ଉଦ୍ଭିଦ ଗ୍ରହଣୀୟ ଯୌଗିକରେ ପରିଣତ ହୁଏ । ଆହୁରି କେତେକ ନିର୍ଦ୍ଧିଷ୍ଟ ଶ୍ରେଣୀର ଶାକାଣୁ କ୍ଳିଷ୍ଟ ଫସ୍ ଫେଟ୍ ଯୌଗିକ ଏବଂ ଗନ୍ଧକକୁ ରୂପାନ୍ତର କରି ଉଦ୍ଭିଦ ଗ୍ରହଣୀୟ ଅବସ୍ଥାକୁ ଆଣିଥାଆନ୍ତି ।

ମୃତ୍ତିକାରେ ଜୈବପଦାର୍ଥର ଗୁରୁତ୍ଵ

  1. ଜୈବିକ ପଦାର୍ଥ ମୃତ୍ତିକାସ୍ଥ ଉପକାରୀ ଜୀବ ଓ ଅଣୁଜୀବମାନଙ୍କ ପାଇଁ ଖାଦ୍ୟ ଓ କାର୍ଯ୍ୟକାରୀ ଶକ୍ତିର ଉତ୍ସ ।
  2. ଜୈବ ପଦାର୍ଥର ଯବକ୍ଷାରଜାନ, ଗନ୍ଧକ, ଫସଫରସ୍, ମାଗ୍ନେସିୟମ ପ୍ରଭୃତି ମୁଖ୍ୟ ଖାଦ୍ୟ ଉପାଦାନଗୁଡିକ ଯଥେଷ୍ଟ ଥାଏ । ଜୈବ ପଦାର୍ଥ ବିପଚନ ଓ ଅପଘଟନ ହେଲେ ଏହିସବୁ ଖାଦ୍ୟ ଉପାଦାନ ସରଳ ଯୌଗିକରେ ପରିଣତ ହୁଏ ଓ ଗଛ ଦ୍ଵାରା ବ୍ୟବହୃତ ହୁଏ ।
  3. ଜୈବିକ ପଦାର୍ଥରେ ଲୌହ, ମାଙ୍ଗାନିଜ, ବୋରନ ପ୍ରଭୃତି ଅଣୁଖାଦ୍ୟ ଉପାଦାନ ରହିଥାଏ । ଜୈବପଦାର୍ଥ ଅପଘଟନ ହେଲେ ସେହି ଖାଦ୍ୟ ଉପାଦାନ ମଧ୍ୟ ଫସଲକୁ ସୁଲଭ ହୋଇଥାଏ ।
  4. ଜୈବ ପଦାର୍ଥର ଅପଘଟନ ହେତୁ ଯେଉଁ ଜୈବିକ ଅମ୍ଳ ନିର୍ଗତ ହୁଏ ତାହା ମୃତ୍ତିକାସ୍ଥ କ୍ଳିଷ୍ଟ ଖଣିଜ ଲବଣଗୁଡିକୁ ଦ୍ରବୀଭୂତ କରିବାରେ ସହାୟକ ହୁଏ ତେଣୁ ସେହି ଖଣିଜ ପଦାର୍ଥରୁ ଉଦ୍ଭିଦ ଖାଦ୍ୟ ଉପାଦାନ ସରଳ ଯୌଗିକ ଆକାରରେ ମୃତ୍ତିକାରେ ମିଶେ ଓ ମୃତ୍ତିକା ଉର୍ବର ହୁଏ ।
  5. ଯାଇବା ପଦାର୍ଥ ଅପଘଟନ ହେଲେ ସେଥିରୁ ହ୍ୟୁମସ୍ ନାମକ ଗାଢ ରଙ୍ଗର ଚିକ୍କଣ ଅଠାଳିଆ ସୂକ୍ଷ୍ମ ପଦାର୍ଥ ସୃଷ୍ଟିହୁଏ । ଏହା ମୃତ୍ତିକାର ଦାନା ଗଠନ ପାଇଁ ସହାୟକ ହୁଏ । ଏହାଦ୍ୱାରା ମୃତ୍ତିକାର ଭୌତିକ ଗୁଣ ଉନ୍ନତ ହୁଏ । ଏହାର ଜଳଧାରଣ ଓ ଜଳ ନିଷ୍କାସନ ଗୁଣର ଉନ୍ନତି ହୁଏ । ମୃତ୍ତିକା ସଚ୍ଚିଦ୍ର ଓ ହାଲୁକା ରହେ ଏବଂ ଏଥିରେ ଭଲ ବାୟୁ ଚଳାଚଳ ଓ ଚେର ବୃଦ୍ଧି ଭଲ ହୁଏ ।
  6. ଅଧିକ ଜୈବ ପଦାର୍ଥ ଥିବା ମାଟିର ରଙ୍ଗ ଗାଢ ଧୂସର ଦେଖାଯାଏ । ଏହି ମାଟି ଅଧିକ ଉତ୍ତାପ ଧରି ରଖେ । ତେଣୁ ମଞ୍ଜିର ଅଙ୍କୁରୋଦଗମ ଓ ଚାରା ଗଛର ଚେର ବୃଦ୍ଧି ତ୍ୱରାନ୍ୱିତ ହୁଏ ।
  7. ଅଧିକ ହ୍ୟୁମସ୍ ଥିବା ମାଟିର ଧନାତ୍ମକ ଆୟନ ବିନିମୟ ଶକ୍ତି ଅଧିକ । ତେଣୁ ଅଧିକ ଉଦ୍ଭିଦ ଖାଦ୍ୟ ଉପାଦାନ ବିନିମୟଶୀଳ ଅବସ୍ଥାରେ ରହିପାରେ ଏବଂ ଫସଲକୁ ଅଧିକ ସୁଲଭ ହୁଏ ।
  8. ହ୍ୟୁମସ୍ ମୃତ୍ତିକାସ୍ଥ ଅକସାଇଡ କର୍ଦ୍ଦମ ଏବଂ ମୁକ୍ତ ଚୂନ ଦ୍ଵାରା ଯେଉଁ ଫସଫରସ୍ ନିବନ୍ଧନ ହୁଏ ତାହା ପ୍ରତିରୋଧ କରେ । ତେଣୁ ଅଧିକ ଫସଫରସ୍ ଗ୍ରହଣୀୟ ଅବସ୍ଥାରେ ରହେ ।
  9. ଯାଇବା ପଦାର୍ଥ ଅମ୍ଳତଥା କ୍ଷାରୀ ମାଟିର କୁପ୍ରଭାବ ହ୍ରାସ କରେ, ଲୁଣି ମାଟିରେ ଥିବା ଅତ୍ୟଧିକ ଦ୍ରବଣୀୟ ଲବଣ ଓ ସୋଡିୟମର ଖରାପ ପ୍ରଭାବରୁ ଫସଲକୁ ରକ୍ଷାକରେ ।

ଜୈବ ପଦାର୍ଥର ଉପରୋକ୍ତ ଗୁରୁତ୍ଵପୂର୍ଣ୍ଣ ଭୂମିକା ଦୃଷ୍ଟିରୁ ଏହାକୁ ମୃତ୍ତିକାର ଜୀବନ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେଥିପାଇଁ ମୃତ୍ତିକାକୁ ଏକ ଜୀବନ୍ତ ପ୍ରାକୃତିକ ବସ୍ତୁ ହିସାବରେ ଗ୍ରହଣ କରାଯାଏ । ଅଣୁଜୀବ ତଥା ଜୈବ ପଦାର୍ଥ ବିହୀନ ମୃତ୍ତିକାକୁ ମୃତ – ମୃତ୍ତିକା ବୋଲି ଅଭିହିତ କରାଯାଏ ।

ମୃତ୍ତିକାସ୍ଥ ଜଳ

ମୃତ୍ତିକାସ୍ଥ ଛିଦ୍ର ମଧ୍ୟରେ ବାୟୁ କିମ୍ବା ଜଳ ରହିଥାଏ । ଶୁଷ୍କ ମୃତ୍ତିକାରେ ଛିଦ୍ର ଗୁଡିକରେ ବାୟୁ ରହିଥାଏ ଏବଂ ପାଣି ଢାଳିଲେ ବାୟୁ ବୁଦ୍ ବୁଦ୍ ହୋଇ ବାହାରେ ଓ ସେହି ସ୍ଥାନକୁ ଜଳ ଭେଦିଯାଏ । ଆଂଶିକ ଆର୍ଦ୍ର ମାଟିରେ ବଡ ବଡ ଛିଦ୍ରମାନଙ୍କରେ ବାୟୁ ଓ ସୂକ୍ଷ୍ମ ଛିଦ୍ରମାନଙ୍କରେ ଜଳ ରହିଥାଏ ।

ମୃତ୍ତିକାସ୍ଥ ଜଳରେ ବିଭିନ୍ନ ପ୍ରକାର ଲବଣ ଅଳ୍ପ ମାତ୍ରାରେ ଦ୍ରବିଭୂତ ହୋଇ ରହିଥାଏ । ତେଣୁ ରାସାୟନିକ ଦୃଷ୍ଟିକୋଣରୁ ଏହାକୁ ମୃତ୍ତିକା ଦ୍ରବଣ କୁହାଯାଏ । ଦ୍ରବିଭୂତ ଲବଣ ଗୁଡିକ ମଧ୍ୟରେ କାଲସିଅମ, ମାଗ୍ନେସିଅମ, ପୋଟାସିୟମ, ସୋଡିଅମ, ଉଦ୍ ଜାନ, ଆଲୁମିନିୟମ, ଲୌହ, ପ୍ରବୃତି ଧନାତ୍ମକ ଆୟନ ଏବଂ ନାଇଟ୍ରେଟ, କ୍ଳୋରାଇଡ, ସଲଫେଟ, ଫସ୍ ଫେଟ, କାର୍ବୋନେଟ, ବାଇକାର୍ବୋନେଟ, ହାଇଡ୍ରକସିଲ୍ ପ୍ରଭୃତି ଗୁଣାତ୍ମକ ଆୟନ ପ୍ରଧାନ । ମୃତ୍ତିକା ଭେଦରେ ଏହି ଦ୍ରବୀଭୂତ ଲବଣର ପରିମାଣ କମ୍ ବା ବେଶୀ ଥାଇପାରେ । ସାଧାରଣ ମୃତ୍ତିକାରେ ଏହି ଦ୍ରବଣ ଖୁବ୍ ପତଳା ଓ ଲଘୁ । ଯେଉଁ ମୃତ୍ତିକାରେ ଅଧିକ ମାତ୍ରାରେ ଦ୍ରବୀଭୂତ ଲବଣ ଥାଏ ତାହାକୁ ଲବଣାକ୍ତ ମୃତ୍ତିକା କୁହାଯାଏ । ମୃତ୍ତିକାସ୍ଥ ଦ୍ରବଣ କ୍ଷାରୀୟ ବା ଅମ୍ଳୀୟ ବା ନିରପେକ୍ଷ ଥାଇପାରେ।

ମୃତ୍ତିକାସ୍ଥ ଜଳ ବା ମୃତ୍ତିକା ଦ୍ରବଣ ବୃଦ୍ଧିପାଇଁ ଅପରିହାର୍ଯ୍ୟ । ଅଙ୍ଗାର ଆତ୍ମିକରଣ ଏବଂ ପ୍ରସ୍ଵେଦନ ଆବଶ୍ୟକତା ପୂରଣ ପାଇଁ ଉଦ୍ଭିଦ ଚେର ସାହାଯ୍ୟରେ ମୃତ୍ତିକାରୁ ଜଳ ଶୋଷଣ କରିଥାଏ । ଯଥେଷ୍ଟ ଜଳଶୋଷଣ ନକରି ପାରିଲେ ଗଛ ଝାଉଁଳି ପଡେ । ଜଳ ଶୋଷଣ ସହିତ ଦ୍ରବୀଭୂତ ଲବଣ ମଧ୍ୟ ଉଦ୍ଭିଦ ମଧ୍ୟକୁ ପ୍ରବେଶ କରେ । ଦ୍ରବୀଭୂତ ଲବଣ ଗୁଡିକ ମଧ୍ୟରୁ ଅଧିକାଂଶ ଉଦ୍ଭିଦର ଖାଦ୍ୟସାର ଭାବରେ ବ୍ୟବହୃତ ହୁଏ । ମୃତ୍ତିକାରେ ମଞ୍ଜିର ଗଜାହେବା ପାଇଁ ମଧ୍ୟ ଜଳଶୋଷଣ ଆବଶ୍ୟକ । ତେଣୁ ଉଦ୍ଭିଦ ବୃଦ୍ଧିପାଇଁ ମୃତ୍ତିକାସ୍ଥ ଜଳର ଭୂମିକା ସର୍ବାଧିକ ଗୁରୁତ୍ଵପୂର୍ଣ୍ଣ । ମୃତ୍ତିକାର ଭୌତିକଗୁଣ ପରିଚ୍ଛେଦରେ ଏ ସମ୍ପର୍କରେ ବିସ୍ତୃତ ଭାବରେ ପଢାଯିବ ।

ମୃତ୍ତିକାସ୍ଥ ବାୟୁ ଏବଂ ବାୟୁ ଚଳାଚଳ

ମୃତ୍ତିକା ଛିଦ୍ରମାନଙ୍କରୁ ଜଳ ଅପସାରିତ ହେବା ସଙ୍ଗେ ସଙ୍ଗେ ବାୟୁ ସେହି ସ୍ଥାନକୁ ଅଧିକାର କରିବସେ । ମୃତ୍ତିକା ମଧ୍ୟରେ ଥିବା ଜୀବଜନ୍ତୁ, ଜୀବନ୍ତ ଚେର, ତଥା ଅଣୁଜୀବମାନେ ସେମାନଙ୍କର ଶ୍ଵାସକ୍ରିୟା ପାଇଁ ଏହି ବାୟୁରୁ ଅମ୍ଳଜାନ ଗ୍ୟାସ ଗ୍ରହଣ କରନ୍ତି ଏବଂ ପ୍ରତି ବଦଳରେ ଅଙ୍ଗାରକାମ୍ଳ ଗ୍ୟାସ ଛାଡନ୍ତି । ମୃତ୍ତିକାସ୍ଥ ଜୈବ ପଦାର୍ଥର ଅପଘଟନ ସମୟରେ ଅଙ୍ଗାରକାମ୍ଳ, ମିଥେନ ପ୍ରଭୃତି ଗ୍ୟାସ ନିର୍ଗତ ହୁଏ । ଗନ୍ଧକର ଜାରଣ ହେଲେ ସଲଫର ଡାଇଅକସାଇଡ ଏବଂ ବିଜାରଣ ହେଲେ ହାଇଡ୍ରୋଜେନ ସଲଫାଇଡ ଗ୍ୟାସ ନିର୍ଗତ ହୁଏ । ଯବକ୍ଷାରଜାନ ମଧ୍ୟ ଆମୋନିଆ, ନାଇଟ୍ରିକ ଅକସାଇଡ, ଏବଂ ନାଇଟ୍ରିସ୍ ଅକସାଇଡ ଗ୍ୟାସ ଆକାରରେ ବାହାରେ । ମୃତ୍ତିକା ମଧ୍ୟରୁ ଏହି ଗ୍ୟାସଗୁଡିକ ବାୟୁମଣ୍ଡଳକୁ ବାହାଇଯିବା ପାଇଁ କିଛିଟା ସମୟ ଲାଗେ । ଏହି ଦୁଇ ଗ୍ୟାସର ପରିମାଣ ଅନୁସାରେ କାରଣ ବା ବିଜାରଣ ପ୍ରକ୍ରିୟା ଚାଲିଥାଏ । ବାୟୁମଣ୍ଡଳ ଏବଂ ମୃତ୍ତିକାସ୍ଥ ବାୟୁରେ ଅଙ୍ଗାରକାମ୍ଳ, ମିଥେନ ପ୍ରଭୃତି ଗ୍ୟାସ ପରିମାଣ ବୃଦ୍ଧିପାଏ । ଏବଂ ଅମ୍ଳଜାନ ପରିମାଣ ହ୍ରାସପାଏ । ବିଶେଷତଃ ଓଦାମାଟି ମଧ୍ୟକୁ ବାୟୁ ଚଳାଚଳ ଅତି ମନ୍ଥର ଗତିରେ ହେଉଥିବାରୁ ମୃତ୍ତିକାସ୍ଥ ବାୟୁରେ ଅମ୍ଳଜାନ ଅନୁପାତ କମିଯାଇ ଅଙ୍ଗାରକାମ୍ଳର ଅନୁପାତ ବଢିଯାଏ ।

ଯେଉଁ ମୃତ୍ତିକାରେ ବାୟୁ ମୁକ୍ତ ଭାବରେ ଚଳାଚଳ କରୁଥାଏ ତାହାକାଉ ବାତାୟିତ ମୃତ୍ତିକା କୁହାଯାଏ । ମୁକ୍ତ ଭାବରେ ବାୟୁ ଚଳାଚଳ ନହୋଇପଡ଼ୁଥିବା ଏବଂ ଅମ୍ଳଜାନ ନୁପାତ ହ୍ରାସ ପାଇଥିବା ମୃତ୍ତିକାକୁ ଅବାପୟିତ ମୃତ୍ତିକା କୁହାଯାଏ ।

ମୃତ୍ତିକାସ୍ଥ ଜୀବଜନ୍ତୁ, ଉଦ୍ଭିଦ ଚେର ଓ ଅଣୁଜୀବମାନଙ୍କର ଶ୍ଵାସକ୍ରିୟା ପାଇଁ ଅମ୍ଳଜାନ ନିହାତି ଆବଶ୍ୟକ । ଆହୁରି ମଧ୍ୟ ଜୈବ ପଦାର୍ଥର ଅପଘଟନ, ଜାରଣ ବିଜାରଣ ରାସାୟନିକ ପ୍ରକ୍ରିୟା ଏବଂ ଯବକ୍ଷାର, ଗନ୍ଧକ ପ୍ରଭୃତି ଖାଦ୍ୟ ଉପାଦାନର ରୂପାନ୍ତରୀକରଣ ପାଇଁ ଅମ୍ଳଜାନ ଆବଶ୍ୟକ । ସେଥିପାଇଁ ମୃତ୍ତିକା ମଧ୍ୟକୁ ବାୟୁ ସଂଚାଳନ ଏକାନ୍ତ ଅପରିହାର୍ଯ୍ୟ । ବାୟୁ ସଂଚାଳନ ନହେଲେ ଉଦ୍ଭିଦ ଚେର ଏବଂ ଅଣୁଜୀବମାନଙ୍କର ଶ୍ଵାସରୁଦ୍ଧ ଘଟେ ଏବଂ ବିଜାରଣ ପ୍ରକ୍ରିୟା ତୀବ୍ର ହୁଏ । ସମ୍ପୂର୍ଣ୍ଣ ଆର୍ଦ୍ର ଏବଂ ଜଳ ପ୍ଳାବିତ ମୃତ୍ତିକାରେ ଏପରି ଘଟେ । ଶ୍ଵାସପ୍ରକ୍ରିୟା ବାଧା ପ୍ରାପ୍ତ ହେଲେ ଉଦ୍ଭିଦ ଜଳ ଓ ଖାଦ୍ୟସାର ଶୋଷଣ ପାଇଁ ଶକ୍ତି ପାଏ ନାହିଁ ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top