ସେଆର କରନ୍ତୁ

ସୋଲାର ଦିଦି

ସମସ୍ୟାରୁ ମୁକୁଳିବାର ପଥ ଆବିଷ୍କାର କରିଛନ୍ତି ଗୁଡିୟା ଏବେ ସମସ୍ତଙ୍କ ପାଇଁ ସେ "ସୋଲାର ଦିଦି"

ଗୁଡିୟାଙ୍କ ସଂଘର୍ଷ

ଏହି ସମାଜରେ ବହୁ ସଂଖ୍ୟାରେ ସମସ୍ୟା ଭିତରେ ଫସି ରହିଥିବା ଲୋକ ରହିଛନ୍ତି ।  ଏମିତି ବି ଲୋକ ଅଛନ୍ତି ଯେଉଁମାନଙ୍କୁ ଦୁଇ  ବେଳା ଖାଇବା ମିଳେନାହିଁ । ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ କିଛି ଲୋକ ନିଜକୁ ପ୍ରସ୍ତୁତ କରନ୍ତି ଓ ଆଗକୁ ବଢନ୍ତି ।  ଜୀବନକୁ ଭଲରେ କଟାଇବା ପାଇଁ ବହୁତ ପରିଶ୍ରମ କରିଥାନ୍ତି ।  ପ୍ରକୃତରେ ସଫଳତା ତା'ର ପାଦ ଚୁମେ ଯିଏ ପାଣିରେ ବି ଗାର ପକାଇବାର ସାହସ ରଖେ ।  କାନପୁର ପାଖ ଏକ ଗାଁରେ ଜଣେ ମହିଳା ଏମିତି କିଛି କରି ଦେଖାଇଛନ୍ତି ।  ସେ ହେଉଛନ୍ତି ଗୁଡିୟା ।  ହଁ, ବାପା ମା ସ୍ନେହ ଓ ଗେଲବସରରେ ତାଙ୍କ ନାଁ ଗୁଡିୟା ରଖିଥିଲେ ।  ବର୍ତ୍ତମାନ ଏହି ଗୁଡିୟା କାନପୁରର ଆଖପାଖ ଗାଁ ଲୋକଙ୍କ ପାଇଁ ‘ସୋଲାର ଦିଦି’ ନାମରେ ପରିଚିତ ।  ଶୁଣିବାକୁ ଅଜବ ଲାଗିପାରେ ।  କିନ୍ତୁ ଏହା ସତ୍ୟ ।  ସୋଲାର ଦିଦି ପାଇଁ ଗୁଡିୟାଙ୍କୁ ଅନେକ ସଂଘର୍ଷ ଦେଇ ଗତି କରିବାକୁ ପଡିଛି ।  ସଂଘର୍ଷ ସେହି କ୍ଷେତ୍ରରେ ଯେଉଁଥିରେ ସବୁବେଳେ ପୁରୁଷମାନଙ୍କର କର୍ତ୍ତୁତ୍ଵ ରହିଛି ।  ନିଜର ପରିଶ୍ରମ ଓ ଅଧ୍ୟବସାୟ ଫଳରେ ସେ ଜଣେ ସଫଳ ସୋଲାର ମେକାନିକ୍ ହୋଇ ବାହାରିଛନ୍ତି ।

ଗୁଡିୟା ରାଠୋଡଙ୍କ ପୈତୃକ ଗାଁ ହେଉଛି କାନପୁରର ବିଧାନୁ ଅଂଚଳର ହଡହା ଗାଁ । ସେ ଫତେହଫୁର ଗାଁରେ ବିବାହ କଲେ ।  ବିବାହ ସମୟରେ ତାଙ୍କର ସ୍ଥିତି ଯେ ବହୁତ ଭଲ ଥିଲା, ତାହା କହି ହେବ ନାହିଁ ।  ଚାରିବର୍ଷ ତଳେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା ।  ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଇ ପିଲାଙ୍କୁ ଧରି ଶାଶୁ ଘରେ ରହିବା କଷ୍ଟକର ହୋଇପଡିଥିଲା ।  ସେ ଚିନ୍ତା କଲେ ଶାଶୁ ଘରେ ରହି ଏ ଅଭାବ ଭିତରେ ପିଲାଙ୍କୁ ଭଲ ମଣିଷ କରିହେବ ନାହିଁ ।  ଗୁଡିୟା ପିଲାଙ୍କୁ ଧରି ବାପ ଘରକୁ ଚାଲିଆସିଲେ । ସେ ଆତ୍ମନିର୍ଭର ହେବାକୁ ନିଷ୍ପତି ନେଲେ ।  ସେ ଘରୁ ଗୋଡ କାଢିଲେ ଓ ସାମାଜିକ ସଂସ୍ଥା ଶ୍ରମିକ ଭାରତୀ ସହ ସାମିଲ ହେଲେ । ଏହି ସଂସ୍ଥା କେନ୍ଦ୍ର ସରକାରଙ୍କ ଟେରୀ ଯୋଜନା ମାଧ୍ୟମରେ ଗାଁରେ ସୋଲାର ଲାଇଟ୍ କାର୍ଯ୍ୟକ୍ରମ ଚଲାଉଥିଲା ।

ଗୁଡିୟାରୁ ସୋଲାର ଦିଦି

ଗୁଡିୟା କହନ୍ତି ,"ଶ୍ରମିକ ଭାରତୀ ସହ ଯୋଡି ହୋଇ ପ୍ରଥମ ସୋଲାର ଲାଇଟ୍ ସମ୍ପର୍କିତ କାର୍ଯ୍ୟକ୍ରମରେ ଭାଗ ନେଲି ।  ଏବେ  ସୋଲାର ଲାଇଟ୍ ର ମରାମତି କାମ ମୁଁ ଭଲ ଭାବେ କରିପାରୁଛି । ମୁଁ ପ୍ରଥମେ ଭାବିଥିଲି ଏମିତି କଣ ଅଛି ଏହି କାମରେ ଯେ କେବଳ ପୁରୁଷମାନେ କରିପାରିବେ ।  ଚେଷ୍ଟା କରି ଏବେ ମୁଁ ଭଲ କାମ କରିପାରୁଛି । "

ଗୁଡିୟା ଗାଁ ଗାଁ ବୁଲି ସୋଲାର ଲାଇଟ୍, ସୋଲାର ଚୁହ୍ଲା, ସୋଲାର ପଂଖା ଆଦି ଲଗାଇବା କାମ ଆରମ୍ଭ କରିଦେଲେ । ସେଗୁଡିକର ମରାମତି ମଧ୍ୟ କଲେ ।  ଚାରିବର୍ଷର କଡା ପରିଶ୍ରମ ଫଳରେ ଲୋକେ ତାଙ୍କୁ ସୋଲାର ଦିଦି ବୋଲି ଡାକୁଛନ୍ତି । "ପ୍ରଥମେ ଲୋକେ ମୋତେ ଯେତେବେଳେ ସୋଲାର ଦିଦି ଡାକିଲେ, ମୋତେ ଅଜବ ଲାଗିଥିଲା ।  କିନ୍ତୁ ଧୀରେ ଧୀରେ ମୋତେ ବି ଏହି ନାଁ ଭଲ ଲାଗିଲା ।  "ସେ ବହୁତ ଭଲ କାମ କରନ୍ତି ।  ଖାସ୍ ସେଇଥିପାଇଁ ବିଧାନୁ ଅଂଚଳରେ ବନପୁରା, କଠାରା,ଇଜିୟାରା, ତିବାରୀପୁର ଆଦି ୧୨ରୁ ଅଧିକ ଗାଁରେ ସୋଲାର ମେକାନିକ୍ କଥା ଉଠିଲେ କେବଳ ସୋଲାର ଦିଦିଙ୍କ ନାମ ହିଁ ଆସେ ।

ଗାଁବସିନ୍ଧାଙ୍କ ମତ

ଗାଁର ଜଣେ ମହିଳା ଭାରତୀଙ୍କ କହିବା କଥା ହେଲା -"ଗାଁରେ ସୋଲାର ଲାଇଟ୍ ଖରାପ ହୋଇଗଲା, ପଂଖା ଖରାପ ହୋଇଗଲା କି ଆଉ କଣ ସୋଲାର ଜିନିଷ ଖରାପ ହୋଇଗଲା ମାତ୍ରେ ଆମେ ସୋଲାର ଦିଦିଙ୍କୁ ଫୋନ୍ ଲଗାଉ ।  ସୋଲାର ଦିଦି ନିଜ ବ୍ୟାଗରେ ପେଚକସ୍, ପ୍ଲାସ ଓ ସୋଲାର ଉପକରଣ ଧରି ସ୍କୁଟିରେ ଗାଁରେ ଆସି ପହଁଚିଯାନ୍ତି । "

କୁହାଯାଏ ସମୟ ସମସ୍ତଙ୍କୁ ସୁଯୋଗ ଦିଏ, ନୂଆ ରାହା ଦେଖାଏ ।  ଯଦି ସାମ୍ନାରେ ଥିବା ମଣିଷ ଏହାର ସଂକେତକୁ ବୁଝି ପାରିଲା, ତେବେ ତାର ସ୍ଥିତି ବଦଳିବା ନିଶ୍ଚିତ ।  ସେହିଭଳି ଗିଡିୟା ପୁରୁଣା ସମସ୍ୟାକୁ ନୂତନ ଦିଶା ଦେଇଥିଲେ ଓ ତାହାକୁ ସକାରାତ୍ମକ କରିପାରିଥିଲେ । ଏହି ବାଟରେ ପରିଶ୍ରମ ତ ଅଛି, କିନ୍ତୁ ଆତ୍ମନିର୍ଭର ହେବାର ଶାନ୍ତି ମଧ୍ୟ ଅଛି ।  ଏ ସମ୍ପର୍କରେ ଗୁଡିୟା କୁହନ୍ତି -" ଏମିତି ଏକ ସମୟ ଆସିଥିଲା, ଯେତେବେଳ ମୋତେ ଲାଗିଲା ଏ ଜୀବନରେ ଏବେ କଣ ହେବ ।  କିନ୍ତୁ ସବୁ ସମସ୍ୟାରୁ ବାହାରିବା ପାଇଁ ରାସ୍ତା ଥାଏ ।  କିନ୍ତୁ ଆମକୁ ଏହା ବାହାର କରିବାକୁ ପଡିବ ।  ମୁଁ ଯାହା କରୁଛି, ମୋତେ ଖୁବ୍ ଶାନ୍ତି ମିଳୁଛି "

ଆଉ ଜଣେ ଗ୍ରାମବାସୀ କଲ୍ଲୁଙ୍କ କହିବା କଥା ହେଲା -"ସୋଲାର ଦିଦିଙ୍କୁ ଯେତେବେଳେ ଫୋନ୍ କଲେ ସେ ନିଜ ବ୍ୟାଗ୍ ଧରି ଆସି ପହଁଚିଯାନ୍ତି ।  ସେଥିରେ ସେ କେବେ ଖିଲାପ କରିନାହାନ୍ତି ।  ଘରେ ସେଲାରକୁ ନେଇ ସବୁ ସମସ୍ୟାର ସମାଧାନ ହେଉଛନ୍ତି ସୋଲାର ଦିଦି । "

ଶେଷକଥା

ନିଜ ବଳରେ ଏତେ ସବୁ ଗାଁରେ କାମ କରିବା କେଉଁ ପାହାଡ ଚଢାଠାରୁ ମଧ୍ୟ କମ୍ ନୁହେଁ ।  ସହରରେ ଯେତେ ସୁବିଧା ହେଲେ ମଧ୍ୟ ଜଣେ ମହିଳା ଘର ଘର ବୁଲି ବିଦ୍ୟୁତ୍ କିମ୍ବା ସୋଲାର ଲାଇଟ୍ ମରାମତି କରିବା ପ୍ରାୟ ଦେଖାଯାଏନି ।  ଗୁଡିୟା ଓରଫ ସୋଲାର ଦିଦିଙ୍କ ହିମ୍ମତ କେବଳ ପ୍ରଶଂସା ଯୋଗ୍ୟ ନୁହେଁ, ବଂର ପ୍ରେରଣାଦାୟୀ ମଧ୍ୟ । ୟୋର ଷ୍ଟୋରୀ ସୋଲାର ଦିଦିଙ୍କ ଏହି ପରିଶ୍ରମକୁ ସଲାମ୍ କରୁଛି ।

ଆଧାର - Akhand social worker, freelance journalist

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top