ସେଆର କରନ୍ତୁ

ଆଖି

ଆଖି ମଣିଷର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ । ଆଖିର ଯତ୍ନ ନେବା ନିହାନ୍ତି ଜରୁରୀ ।

ଉପକ୍ରମ

ଆଖି ହେଉଛି ମଣିଷ ଓ ଅନ୍ୟ ପଶୁପକ୍ଷୀମାନଙ୍କ ଶରୀରରେ ଥିବା ଏକ ଅଙ୍ଗ । ଏହା ଦେଖିବାରେ ସାହାଯ୍ୟ କରିଥାଏ । ଆଖିର ଆଗ ପରଦା ବା କରନିଆ ପୁରାପୁରୀ କାଚପରି ସ୍ଵଛ । ତା ପଛକୁ ଗୋଟାଏ କୋଠରୀ । ସେଥିରେ ପାଣି ଭଳି ଦ୍ରବ୍ୟ ଭରି ରହିଥାଏ । ତା ପଛକୁ ଗୋଟାଏ ମାଂସପେଶୀର ଗୋଲାକାର ପରଦା - ଆଇରିସ । ସେ ପରଦାର ଠିକ୍ ମଝିରେ ଫାଙ୍କଟାଏ ଥାଏ । ତାକୁ ପିଉପିଲ କୁହାଯାଏ । ଏହି ପିଉପିଲଟି ଠିକ୍ କେମେରାର ସର୍ଟର ଭଳି କାମ କରେ । ବେଶୀ ଆଲୁଅରେ ଛୋଟ ହୋଇଯାଏ ଓ କମ୍ ଆଲୁଅ ହେଲେ ମେଲା ହୋଇଯାଏ । ତା ପଛକୁ ଲେନ୍ସ ଓ ଲେନ୍ସ ପଛକୁ ଭିଟ୍ରିଯାସ ହ୍ୟୁମାର ତା ପଛକୁ ରେଟିନା ଥାଏ । ଆଲୁଅ ପ୍ରଥମେ ଆଖିର କରନିଆ ଦେଇ ଲେନ୍ସ ପାର ହେଲା ବେଳକୁ ଆଲୁଅ କଣା ସବୁ ସମାନ୍ତରାଳ ହୋଇ ଯାଆନ୍ତି । ସେସବୁ ସମାନ୍ତରାଳ ଆଲୁଅ ରେଟିନା ଦେହରେ ପଡ଼ିଲେ ରେଟିନାର ବିଭିନ୍ନ ପ୍ରକାରର ଜୀବକୋଷମାନେ ଉତ୍ତେଜିତ ହୁଅନ୍ତି ।

କାର୍ଯ୍ୟପ୍ରଣାଳୀ

ଆଲୁଅ ଧରିବା ପାଇଁ ଆଖିର ରେଟିନାରେ ପ୍ରାୟ ୧୩୭ ନିଯୁତ ଜୀବକୋଷ ଥାଏ । ତା ମଧ୍ୟରୁ ୧୩୦ ନିଯୁତ ଖାଲି କଳା ଓ ଧଳା ଚିହ୍ନିବା ପାଇଁ ଲମ୍ବା ଲମ୍ବା ଜୀବକୋଷ ଓ ସାତ ନିଯୁତ ପିରାମିଡ ଭଳି ଜୀବକୋଷ ରଙ୍ଗୀନ ଆଲୁଅ ଧରି ରଖିବା ପାଇଁ । ଏଇ ଦୁଇପ୍ରକାର ଜୀବକୋଷମାନଙ୍କ ପାଇଁ ମଣିଷ ସବୁପ୍ରକାରର ଆଲୁଅ ସହଜରେ ବାରିପାରେ । ଲମ୍ବା ଲମ୍ବା ଜୀବକୋଷ ବା ରଡମାନେ ରେଟିନା ସାରା ବିଛାଡି ହୋଇ ରହିଥାନ୍ତି। ମାତ୍ର ପିରାମିଡ ଭଳି ଜୀବକୋଷ ମାନେ କେବଳ ଗୋଟାଏ ଜାଗାରେ ଠୁଳ ହୋଇ ରହିଥାନ୍ତି । ସେଇ ଜାଗାଟି ହେଲା ଫୋବିଆ - ଗୋଟାଏ ମୁଗ ଆକାରର ଖାଲି ଜାଗା । ଯେତେ ଆଲୁଅ ଆଖିର ଲେନ୍ସ ଦେଇ ଆସେ ତାର ଫୋକସ ବିନ୍ଦୁ ହେଲା ଏଇ ଫୋବିଆ । ଖୁବ୍ ପାଖ ଜିନିଷକୁ ଦେଖିବା ପାଇଁ ଏଇ ଫୋବିଆ ହେଉଛି ଦାୟୀ । ରେଟିନାର ଜୀବକୋଷମାନଙ୍କରେ ଆଲୁଅ ପଡ଼ିଲେ ନାନା ପ୍ରକାର ରାସାୟନିକ ପ୍ରତିକ୍ରିୟା ହୋଇଯାଏ । ସେଇ ପ୍ରତିକ୍ରିୟା ହେଲେ ସେମାନଙ୍କ ଦେହରେ ବିଦ୍ୟୁତ ପ୍ରବାହ ହୁଏ । ସେ ବିଦ୍ୟୁତ ପ୍ରବାହ ଆଖିର ସ୍ନାଯୁକୁ ଯାଇ ମସ୍ତିସ୍କରେ ଥିବା ଅକ୍ସିପିଟେଲ ଲୋବକୁ ଯାଏ। ସେଠାରେ ମସ୍ତିସ୍କ ଏ ସବୁକୁ ବିଶ୍ଳେଷଣ କରି ମଣିଷକୁ କଣ ଦେଖିଲା ବୋଲି ଜଣାଇଦିଏ । ରଙ୍ଗୀନ ଆଲୁଅ ଦେଖିଲାବେଳେ ମଧ୍ୟ ସେହିପରି ରାସାୟନିକ ପ୍ରତିକ୍ରିୟା ଓ ବିଦ୍ୟୁତ୍ ପ୍ରବାହ ହୁଏ । ମାତ୍ର ଏ ପ୍ରତିକ୍ରିୟା ଏତେ ସୂକ୍ଷ୍ମ ଓ କିଟିମିଟିଆ ଯେ , ଟିକିଏ କିଛି ଖରାପ ହେଲେ ରଙ୍ଗିନ ଜିନିଷ ଦେଖିବାରେ ଅସୁବିଧା ହୁଏ । ଅଳ୍ପ ବହୁତ ଆଠ ଜଣକରେ ଜଣଙ୍କର କିଛି ନା କିଛି ଅସୁବିଧା ଥାଏ ରଙ୍ଗିନ ଜିନିଷ ଦେଖିବା ପାଇଁ । ଆଲୁଅ କମି ଯିବା କ୍ଷଣି ଅନ୍ଧାରରେ ରଙ୍ଗିନ ଜିନିଷ ଦେଖି ହୁଏ ନାହିଁ । ସବୁ ପ୍ରାୟ ଧୂସରିଆ ଦେଖା ଯାଆନ୍ତି କାରଣ ଆଖିର କୋନ ଜୀବକୋଷମାନେ ଅନ୍ଧାରରେ କିଛି କାମ କରି ପାରନ୍ତି ନାହିଁ । କେବଳ ଲମ୍ବା ଜୀବକୋଷ - ରଡମାନେହିଁ କାମ କରନ୍ତି ।

ମଣିଷ ପିଲା ଥିଲାବେଳେ କେବଳ ଆଲୁଅ ବା ଅନ୍ଧାର ବୁଝି ପାରିଥାଏ । ପାଖ ଜିନିଷକୁ ଦେଖି ପାରେ ନା । ଦୁଇଟି ଆଖିର ଲୟ ବଦ୍ଧତା ନ ଥାଏ। ଧିରେ ଧିରେ ବଢିଗଲା ପରେ ଦୁଇଟି ଆଖି ଠିକ୍ ଭାବରେ ଦେଖେ ଓ ଲୟବଦ୍ଧତା ବଢେ। ଝାପ୍ସା ଆଲୁଅରେ ପିଲାମାନେ ପଢି ପାରନ୍ତି ବଡ଼ ମାନେ ପାରନ୍ତି ନାହିଁ। ତାର କାରଣ ହେଲା ପିଲାବେଳେ ଆଖିର ମାଂସପେଶୀ ସବୁ ଖୁବ୍ ତାଜା ଥାଏ ଓ ଭଲ କାମ କରିପାରେ । ଆଖି ଦିନକୁ ପ୍ରାୟ ୧୦,୦୦୦ ଥର ଘୁରି ବୁଲେ । ଏଥିରୁ ଆଖିର ମାଂସପେଶୀର ଶକ୍ତିର କଳନା କରାଯାଇପାରେ।

ବିଶ୍ରାମ

ଶୋଇଗଲାପରେ ଆଖି ପୂର୍ଣ୍ଣ ବିଶ୍ରାମ ପାଏ। ମାତ୍ର ଚେଇଁଥିଲାବେଳେ ମଧ୍ୟ ଟିକିଏ ଟିକିଏ ; ଯଦିଓ ଖୁବ୍କମ୍ ସମୟ ପାଇଁ ଆଖିମିଟିକା ମାରିବା ସମୟଟାରେ ଆଖି ବିଶ୍ରାମ ନେଇଥାଏ । ବେଳେବେଳେ ଦୁଇଆଖି ପାଳି କରି କାମ କରନ୍ତି । ଗୋଟିଏ ଆଖି ନବେ ଭାଗ କାମ କଲାବେଳେ ଅନ୍ୟଟି ଅଳସେଇ ଯାଏ । ଏହିପରି ଦୁଇଆଖି ଶରୀରପାଇଁ ଅନବରତ କାମ କରିଥାଏ।

ଲୁହ

ଆଖିର ଲୁହରେ ଲାଇସୋଜାଇମ ମଧ୍ୟ ଅଛି - ଏହା ଆଖିର ପ୍ରତିରକ୍ଷା ବ୍ୟବସ୍ଥା। କୌଣସି ଜୀବାଣୁ ଆସିଲେ ତାକୁ ମାରିଦେବା ପାଇଁ ଏହା କାମରେ ଲାଗେ।

ଉତ୍ସ:  The organization of retina and Visual system

3.21621621622
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top