ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ନିରାପଦ ମାତୃତ୍ଵ
ସେଆର କରନ୍ତୁ

ନିରାପଦ ମାତୃତ୍ଵ

ନିରାପଦ ମାତୃତ୍ଵ ର ସୂଚନା

ଉପକ୍ରମ

ଗର୍ଭଧାରଣ  ଓ  ପ୍ରସବ  ସମ୍ପର୍କିତ  ସମସ୍ୟା  ଯୋଗୁଁ  ପ୍ରତିଦିନ   ପ୍ରାୟ  ୧୪୦୦  ମହିଳା  ମୃତ୍ୟୁବରଣ  କରିଥାଆନ୍ତି   । ପ୍ରତି  ହଜାରରେ  ଦଶରୁ  ଅଧିକଙ୍କ   କ୍ଷେତ୍ରରେ   ଗର୍ଭଧାରଣ   ସମୟରେ   ଜଟିଳତା   ଦେଖାଯାଇଥାଏ   । ଏଥିରୁ   ଅଧିକାଂଶ   କ୍ଷେତ୍ରରେ  ମା ଓ  ଶିଶୁ  ଦୁହିଁଙ୍କ  ଜୀବନ  ପ୍ରତି  ବିପଦ  ରହିଥାଏ  କିମ୍ବା  ସେମାନେ  ଅକ୍ଷମ   ହୋଇଯାଆନ୍ତି   ।

ଗର୍ଭବତୀ  ହେବା  ଆଗରୁ  ମହିଳାଙ୍କର  ସ୍ୱାସ୍ଥ୍ୟ  ଭଲ  ଥିଲେ , ସେ  ଯଥେଷ୍ଟ  ପୃଷ୍ଟିକର  ଖାଦ୍ୟ  ପାଉଥିଲେ , ପ୍ରତ୍ୟକ  ଗର୍ଭଧାରଣ  ସମୟରେ  ପ୍ରଶିକ୍ଷିତ   ସ୍ୱାସ୍ଥ୍ୟକର୍ମୀଙ୍କ   ପାଖରେ  ଅତି କମରେ  ଚାରିଥର   ପରୀକ୍ଷା  କରି  ନେଇଥିଲେ  ଏବଂ  ପ୍ରସବ  ସମୟରେ  ଜଣେ  ଡାକ୍ତର , ନର୍ସ  ବା ଧାଈ  ଭଳି  ପ୍ରଶିକ୍ଷିତ  ସହାୟକର ସାହାଯ୍ୟ  ନେଲେ  ପ୍ରସବ କାଳରେ ଦେଖାଯାଉଥିବା ବିଭିନ୍ନ  ବିପଦ  ବେଶ୍  କମିଯାଏ  । ତା’ଛଡା   ମହିଳା  ଜଣକ  ପ୍ରସବ  କରିବାର  ୧୨ ଘଣ୍ଟା  ଯାଏଁ  ଏବଂ ୬ ସପ୍ତାହ   ପରେ  ମଧ୍ୟ  ଡାକ୍ତରଙ୍କ  ପରାମର୍ଶ  ନେବା  ଉଚିତ   ।

ପ୍ରସବ  ପୂର୍ବ  ଏବଂ  ପର  ସମୟରେ  ସେବା  ଯୋଗାଇବା , ପ୍ରସବ  ସମୟରେ  ସହାୟତା  କରିବା  ସମ୍ପର୍କରେ  ସ୍ୱାସ୍ଥ୍ୟକର୍ମୀଙ୍କୁ  ପ୍ରଶିକ୍ଷଣ  ଦେବା  ଏବଂ  ଗର୍ଭଧାରଣ  ଓ  ପ୍ରସବ  ସମୟରେ   ଜଟିଳ  ସମସ୍ୟାରେ  ପଡୁଥିବା  ମହିଳାଙ୍କର  ସ୍ଵତନ୍ତ୍ର  ଯତ୍ନ  ନେବା  ଓ  ବିଶେଷଜ୍ଞଙ୍କ   ପାଖକୁ   ପଠାଇବାର  ବ୍ୟବସ୍ଥା  କରିବା  ହେଉଛି  ସରକାରଙ୍କର   ବିଶେଷ  ଦାୟିତ୍ଵ   । ଗର୍ଭବତୀ  ମହିଳାଙ୍କ  ଆବଶ୍ୟକ  ସେବା  ସମେତ  ସମସ୍ତ  ପ୍ରକାର  ମହିଳା  ବିରୋଧୀ  ପାତରଅନ୍ତରକୁ  ଦୂର  କରିଦେବା  ପାଇଁ  ଏକ  ଆନ୍ତର୍ଜାତିକ  ଚୁକ୍ତିକୁ  ଅଧିକାଂଶ   ସରକାର  ଅନୁମୋଦନ  କରିଛନ୍ତି    ।

ନିରାପଦ  ମାତୃତ୍ଵ

  1. ଗର୍ଭଧାରଣ  ଏବଂ  ପ୍ରସବ  ସମୟରେ  ଦେଖାଯାଉଥିବା  ସମସ୍ୟାର  ସତର୍କ  ସୂଚନା  ସବୁକୁ   ପରିବାରର   ସମସ୍ତେ  ଜାଣିପାରୁଥିବା  ଆବଶ୍ୟକ   । ଏପ୍ରକାର  ଅସୁବିଧା  ଆସିଲେ   ସାଙ୍ଗେ ସାଙ୍ଗେ  ତା’ର  ସାହାଯ୍ୟ  ପାଇଁ  ପ୍ରସ୍ତୁତ   ଥିବା  ମଧ୍ୟ  ଜରୁରୀ   ।
  2. ଗର୍ଭଧାରଣ  ସମୟରେ  ଜଣେ  ଡାକ୍ତର , ନର୍ସ  ବା ପ୍ରଶିକ୍ଷିତ  ଧାଈ  ଭଳି  ଉପଯୁକ୍ତ  ତାଲିମପ୍ରାପ୍ତ  ସହାୟକ  ଅତି  କମରେ  ଚାରିଥର  ପରୀକ୍ଷା  କରିବା  ଉଚିତ ଏବଂ  ପ୍ରତ୍ୟକ  ପ୍ରସବ  ସମୟରେ   ସେମାନେ   ସାହାଯ୍ୟ  କରିବା  ଦରକାର   ।
  3. ଗର୍ଭବତୀ  ଥିବା  ସମୟରେ  ସବୁ  ମହିଳା  ପୃଷ୍ଟିକର  ଖାଦ୍ୟ  ଖାଇବା  ଓ  ଯଥେଷ୍ଟ  ବିଶ୍ରାମ  ନେବା  ଉଚିତ   ।
  4. ଧୂମପାନ , ମଦ , ନିଶାଦ୍ରବ୍ୟ  , ବିଷାକ୍ତ  ଓ  ପ୍ରଦୂଷକ  ଜିନିଷ  ଉଭୟ  ଗର୍ଭବତୀ   ମହିଳା  ଏବଂ  ଶିଶୁ  ପାଇଁ  କ୍ଷତିକାରକ   ।
  5. ଅନେକ  ଗୋଷ୍ଠୀ  ମଧ୍ୟରେ  ମହିଳା  ଥିବା  ସମୟରେ   ଏଭଳି  ନିର୍ଯ୍ୟାତନା  ଦେବା  ଗୋଟିଏ  ଗୁରୁତର   ସ୍ୱାସ୍ଥ୍ୟ  ସମସ୍ୟା   । ଗର୍ଭବତୀ  ଥିବା  ସମୟରେ  ଏଭଳି  ନିର୍ଯ୍ୟାତନା  ଉଭୟ  ମହିଳା  ଓ  ଗର୍ଭରେ  ଥିବା  ଶିଶୁ  ପାଇଁ  ହାନିକାରକ  ।
  6. ଶିକ୍ଷିତ  ଓ  ସ୍ୱାସ୍ଥ୍ୟବତୀ  ଏବଂ  ଶିଶୁ  ଓ  କିଶୋର  ଅବସ୍ଥାରେ  ପୃଷ୍ଟିକର  ଖାଦ୍ୟ  ପାଇଥିବା  ମହିଳାଙ୍କର  ପରବର୍ତ୍ତୀ  ସମୟରେ   ଗର୍ଭଧାରଣ  ଓ  ପ୍ରସବ  କରିବାରେ  କମ  ଅସୁବିଧା   ହୋଇଥାଏ   ।
  7. ବିଶେଷ   କରି  ଗର୍ଭବତୀ  ଥିବା  ବେଳେ  ଓ  ଶିଶୁ  ଜନ୍ମ  କରିବା  ସମୟରେ  ପ୍ରତ୍ୟକ  ମହିଳାଙ୍କର  ଉତ୍ତମ  ସ୍ୱାସ୍ଥ୍ୟ  ସେବା  ପାଇବାର  ଅଧିକାର  ରହିଛି  । ଏହି  ସ୍ୱାସ୍ଥ୍ୟ  ସେବା  ଯୋଗାଉଥିବା  କର୍ମୀ  ବୈଷୟିକ  ଦୃଷ୍ଟିରୁ  ଦକ୍ଷ  ହୋଇଥିବା  ଏବଂ  ମହିଳାଙ୍କୁ  ସେ  ସମ୍ମାନ   ଦେଖାଉଥିବା  ଉଚିତ   ।

୧. ଗର୍ଭଧାରଣ ଏବଂ  ପ୍ରସବ  ସମୟରେ  ଦେଖାଯାଉଥିବା  ସମସ୍ୟାର  ସତର୍କ  ସୂଚନା  ସବୁକୁ  ପରିବାରର  ସମସ୍ତେ  ଜାଣିପାରୁଥିବା  ଆବଶ୍ୟକ   । ଏପ୍ରକାର  ଅସୁବିଧା  ଆସିଲେ  ସାଙ୍ଗେ ସାଙ୍ଗେ  ତା’ର  ସାହାଯ୍ୟ  ପାଇଁ  ପ୍ରସ୍ତୁତ   ଥିବା  ମଧ୍ୟ  ଜରୁରୀ

ପ୍ରତ୍ୟକ  ଗର୍ଭଧାରଣ  ସହ  କିଛି  ବିପଦ  ରହିଥାଏ   । ଅଧିକାଂଶ  ଜଟିଳତା   ବିଷୟରେ  ଆଗୁଆ  ଜାଣିହୁଏ  । ପ୍ରଥମ  ପ୍ରସବ  ଉଭୟ  ମାଆ  ଓ  ଶିଶୁ  ପାଇଁ  ବିପଦଜନକ   । ପ୍ରତ୍ୟକ ଗର୍ଭଧାରଣ  ସମୟରେ  ଜଣେ  ଗର୍ଭବତୀ  ମହିଳାଙ୍କର  ଅତି  କମରେ  ଚାରିଥର  ସ୍ୱାସ୍ଥ୍ୟକେନ୍ଦ୍ରରେ  ପରୀକ୍ଷା  କରାଇବା  ଉଚିତ  । ପ୍ରସବ  ପାଇଁ  ଉପଯୁକ୍ତ  ସ୍ଥାନ  ବାଛିବାରେ  ଡାକ୍ତର , ନର୍ସ   ବା ଧାଈ  ଭଳି  ଜଣେ  ପ୍ରଶିକ୍ଷିତ  ସହାୟକଙ୍କ   ପରାମର୍ଶ   ନେବା  ଉଚିତ   ।

ଗର୍ଭଧାରଣ  ଓ  ପ୍ରସବ  ସମୟରେ  ଏବଂ  ପ୍ରସବ  ପରେ  କୌଣସି  ପ୍ରାକସୂଚନା  ନଦେଇ  ମଧ୍ୟ  ବିପଦଜନକ   ସମସ୍ୟା  ଆସିପାରେ  । ତେଣୁ  ସବୁ  ପରିବାର  ସେଥି ପ୍ରତି  ସଚେତନ  ରହିଥିବା  ଓ  ପାଖର  ସ୍ୱାସ୍ଥ୍ୟକେନ୍ଦ୍ର  ବିଷୟରେ   ଜାଣିଥିବା  ଦରକାର   । କୌଣସି  ଅସୁବିଧା  ପାଇଁ  ଯୋଜନା  ଓ  ଅର୍ଥ  ପ୍ରସ୍ତୁତ  କରି  ରଖିଥିବା  ମଧ୍ୟ  ଆବଶ୍ୟକ   । ଫଳରେ   ଯେକୌଣସି  ସମୟରେ  ମହିଳା  ଜଣକୁ  ସେମାନେ  ସଠିକ  ସ୍ୱାସ୍ଥ୍ୟ   ସେବା  ଯୋଗାଇପାରିବେ   । ଯଦି  ସମ୍ଭବ  ହୁଏ  ତେବେ  ମହିଳା  ଜଣକୁ  ସ୍ୱାସ୍ଥ୍ୟକେନ୍ଦ୍ର  ପାଖକୁ  ଅସ୍ଥାୟୀ  ଭାବରେ   ନେଇଯିବା  ଉଚିତ   ।

ପ୍ରସବଟି   କଷ୍ଟକର  ହେବାର  ସମ୍ଭାବନା  ଜଣାପଡିଲେ  ଡାକ୍ତରଖାନା  ବା  ପ୍ରସବ  କେନ୍ଦ୍ରରେ  ପ୍ରସବ  କରାଇବା  ଉଚିତ  । ସବୁ  ପ୍ରସବ , ବିଶେଷ  କରି  ପ୍ରଥମ  ପ୍ରସବ , ଡାକ୍ତରଖାନା  ବା  ପ୍ରସବ  କେନ୍ଦ୍ରରେ  ହେବା  ଉଚିତ   ।

ପ୍ରତ୍ୟକ  ପରିବାର  କାରଣ  ତଥା  ସମସ୍ୟାର  ସତର୍କ  ସୂଚନା  ବିଷୟରେ   ଜାଣିଥିବା  ଉଚିତ   ।

ଗର୍ଭଧାରଣ ପୂର୍ବରୁ   ବିପଦର  କେତେକ  କାରଣ

  • ପୂର୍ବ  ପ୍ରସବଠାରୁ  ଦୁଇ  ବର୍ଷରୁ  କମ  ସମୟ  ବ୍ୟବଧାନ
  • ୧୮ ବର୍ଷରୁ କମ୍  ବୟସର  କିଶୋରୀ ବା  ୩୫ ବର୍ଷରୁ  ଅଧିକ  ବୟସର  ମହିଳା
  • ପୂର୍ବରୁ  ଚାରୋଟି  ବା  ଅଧିକ  ସନ୍ତାନ  ଥିବା  ମହିଳା
  • ମହିଳାର  ପୂର୍ବ  ପ୍ରସବରେ   ସମୟ  ପୂର୍ବରୁ  ଜନ୍ମ  ବା  ୨ କି.ଗ୍ରା  ଓଜନରୁ  କମ  ଓଜନିଆ  ଶିଶୁର  ଜନ୍ମ
  • ମହିଳାଙ୍କ  ପୂର୍ବ  ପ୍ରସବରେ  ଅସୁବିଧା  ହୋଇଥିଲା  ବା  ଅସ୍ତ୍ରୋପ୍ରଚାର   ହୋଇଥିଲା
  • ମହିଳାର  ଓଜନ  ୩୮ କି.ଗ୍ରା ରୁ  କମ୍ ହୋଇଥିଲେ
  • ସାମାଜିକ  ପ୍ରଥାରେ  ମହିଳାଙ୍କ  ଜନନାଙ୍ଗ  କଟା  ହୋଇଥିଲେ

ଗର୍ଭଧାରଣ  ସମୟରେ  ସତର୍କ  ସୂଚନା

  • ଓଜନ  ନବଢିଲେ (ଗର୍ଭବତୀ  ଥିବା  ସମୟରେ  ଓଜନ  ଅତି  କମରେ  ୬ କି.ଗ୍ରା  ବଢିବା  ଉଚିତ  ।)
  • ରକ୍ତହୀନତା , ଆଖିପତା ଶେତା  ଦିଶିବା  (ସୁସ୍ଥ  ସମୟରେ  ଆଖିପତା  ଲାଲ  ବା  ଗୋଲାପୀ  ଦେଖାଯାଏ) , ଅଧିକ  କ୍ଲାନ୍ତ  ହୋଇପଡିବା  ବା  ସହଜରେ  ଧଇଁସଇଁ  ହୋଇଯିବା  ।
  • ଗୋଦା , ହାତ ବା  ମୁହଁ  ଅସ୍ଵାଭାବିକ  ଭାବରେ  ଫୁଲିଯିବା   ।
  • ଗର୍ଭସ୍ଥ  ଶିଶୁ  ବିଶେଷ  ଗତିଶୀଳ  ନହେବା  ବା  ସ୍ଥିର  ରହିବା   ।

ଯଥାଶୀଘ୍ର  ସାହାଯ୍ୟ  ନେବା  ପାଇଁ  ସଙ୍କେତ

  • ଗର୍ଭବତୀ  ଥିବା  ସମୟରେ  ଯୋନିରୁ  ରକ୍ତସ୍ରାବ , ପ୍ରସବ  ପରେ  ପ୍ରବଳ  ବା  ନିୟମିତ  ରକ୍ତସ୍ରାବ
  • ପ୍ରଚଣ୍ଡ  ମୁଣ୍ଡ ବ୍ୟଥା  ବା  ପେଟ  ବ୍ୟଥା
  • ପ୍ରବଳ  ବା  ନିୟମିତ  ବାନ୍ତି
  • ଭୀଷଣ  ଜ୍ଵର
  • ପ୍ରସବର  ଯଥା  ସମୟ  ପୂର୍ବରୁ  ପାଣି  ବାହାରିବା
  • ଦେହ  ଛାଟିପିଟି  ହେବା  ପ୍ରବଳ  ଯନ୍ତ୍ରଣା
  • ଲମ୍ବା  ସମୟ  ଧରି  ପ୍ରସବ  ବେଦନା  ହେବା

୨. ଗର୍ଭଧାରଣ  ସମୟରେ  ଜଣେ  ଡାକ୍ତର , ନର୍ସ  ବା  ପ୍ରଶିକ୍ଷିତ  ଧାଈ  ଭଳି  ଉପଯୁକ୍ତ  ତାଲିମପ୍ରାପ୍ତ  ସହାୟକ  ଅତି  କମରେ   ଚାରିଥର  ପରୀକ୍ଷା  କରିବା  ଉଚିତ  ଏବଂ  ପ୍ରତ୍ୟକ  ପ୍ରସବ  ସମୟରେ  ସେମାନେ  ସାହାଯ୍ୟ  କରିବା  ଦରକାର   ।

ପ୍ରତି ଥର  ଗର୍ଭଧାରଣ  ବେଳେ  ବିଶେଷ ଧ୍ୟାନ  ଦେବା  ଆବଶ୍ୟକ , କାରଣ  କିଛି ବଡ  ସମସ୍ୟା  ଆସିବାର  ସମ୍ଭାବନା  ସବୁବେଳେ  ରହିଥାଏ   । ଗର୍ଭବତୀ  ମହିଳା  ସ୍ୱାସ୍ଥ୍ୟକେନ୍ଦ୍ରକୁ  ଗଲେ  ବା  ଗର୍ଭବତୀ  ହେବା  କଥା  ଜାଣିବା  ପରେ  ଉପଯୁକ୍ତ  ସ୍ୱାସ୍ଥ୍ୟ  ସହାୟତା  ନେଲେ  ଅଧିକାଂଶ  ବିପଦକୁ   ଏଡାଇ  ଦିଆଯାଇ  ପାରିବ   । ପ୍ରତି  ଗର୍ଭଧାରଣ  ସମୟ  ମଧ୍ୟରେ  ଅତିକମରେ  ଚାରିଥର , ପ୍ରସବ  ପରେ  ୧୨ ଘଣ୍ଟା  ଯାଏଁ  ଏବଂ  ପ୍ରସବର  ୬ ସପ୍ତାହ  ପରେ  ପରୀକ୍ଷା  କରାଇବା  ଉଚିତ   ।

ଗର୍ଭଧାରଣ  ସମୟରେ  ଯଦି  ରକ୍ତସ୍ରାବ  ବା  ପେଟ  ବ୍ୟଥା  ହୁଏ  ବା  ଉପରେ  ଦିଆଯାଇଥିବା  କୌଣସି  ସତର୍କ  ସୂଚନା  ଦେଖାଯାଏ , ତେବେ  ସାଙ୍ଗେ  ସାଙ୍ଗେ  ସ୍ୱାସ୍ଥ୍ୟକର୍ମୀ  ବା  ପ୍ରଶିକ୍ଷିତ  ପ୍ରସବ  ସହାୟତାଙ୍କ  ପରାମର୍ଶ   ନେବା  ଉଚିତ   ।

ଜଣେ  ପ୍ରଶିକ୍ଷିତ  ପ୍ରସବ  ସହାୟକ  ପ୍ରସବ  ସମୟରେ  ସହାୟତା  କରିବା  ସହ  ପ୍ରସବର  ୧୨ ଘଣ୍ଟା  ପର  ଯାଏଁ  ମା ଓ  ଶିଶୁର  ସ୍ୱାସ୍ଥ୍ୟ  ପରୀକ୍ଷା  କରିପାରିଲେ  ମା ’ ଓ  ଶିଶୁ  ଅସୁସ୍ଥ  ହେବା  ବା  ତାଙ୍କର  ମୃତ୍ୟୁ  ହେବାର  ସମ୍ଭାବନା  କମିଯିବ   ।

ତଳ  ଉପାୟରେ  ଜଣେ  କୁଶଳୀ  ପ୍ରସୂତି  ସହାୟକ  (ଡାକ୍ତର , ନର୍ସ  ବା  ପ୍ରଶିକ୍ଷିତ  ଧାଈ) ବିପଦମୁକ୍ତ  ଗର୍ଭଧାରଣରେ  ଓ  ଶିଶୁକୁ  ସ୍ୱାସ୍ଥ୍ୟବାନ  ରଖିବାରେ  ସାହାଯ୍ୟ  କରିପାରିବେ :

  • ଗର୍ଭଧାରଣର  ପ୍ରଗତି  ପରୀକ୍ଷା  କରିବେ , ତାହେଲେ  ଯଦି  କୌଣସି  ଅସୁବିଧା  ଆସେ  ମହିଳାଙ୍କୁ  ପ୍ରସବ  ପାଇଁ  ସାଙ୍ଗେ  ସାଙ୍ଗେ  ଡାକ୍ତରଖାନାକୁ  ନେଇଯିବା  ହେବ   ।
  • ଉଚ୍ଚ  ରକ୍ତଚାପ  ଉଭୟ  ମାଆ ଓ ଶିଶୁ  ପାଇଁ  ବିପଦଜନକ , ତେଣୁ  ତାହା  ଉପରେ  ଧ୍ୟାନ  ରଖି
  • ରକ୍ତହୀନତା  ପାଇଁ  ନିୟମିତ  ପରୀକ୍ଷା  କରି  ଓ  ଦରକାର  ଅନୁସାରେ  ଲୌହ  / ଫୋଲେଟ  ପରିପୂରକ  ଯୋଗାଇ
  • ଜୀବସାର  କ  ଅଭାବ ଦେଖାଯାଉଥିବା  ଅଞ୍ଚଳରେ  ମାଆ  ଓ ତା’ର  ନବଜାତ  ଶିଶୁକୁ  ସଂକ୍ରମଣରୁ ରକ୍ଷା  କରିବା  ପାଇଁ  ଯଥେଷ୍ଟ  ପରିମାଣର  ଜୀବସାର କ ଦେଇ   ।
  • ଗର୍ଭଧାରଣ  ସମୟରେ  କୌଣସି  ସଂକ୍ରମଣ , ବିଶେଷ  କରି  ମୂତ୍ରନଳୀ ଓ ଯୌନ  ରୋଗ  ସଂକ୍ରମଣ , ପରୀକ୍ଷା  କରି  ଉପଯୁକ୍ତ  ଆଣ୍ଟିବାୟୋଟିକ  ଦ୍ଵାରା  ଚିକିତ୍ସା  କରାଇ
  • ଗର୍ଭବତୀ  ମହିଳା  ଓ  ତା’ ନବଜାତ  ଶିଶୁକୁ  ଧନୁଷ୍ଟଙ୍କାର  ରୋଗରୁ  ରକ୍ଷା  କରିବା  ପାଇଁ  ଦୁଇଟି  ଇଞ୍ଜେକ୍ସନ  ଦେଇ
  • ଖାଦ୍ୟରେ  କେବଳ  ଆୟୋଡିନଯୁକ୍ତ  ଲୁଣର ବ୍ୟବହାର  ପାଇଁ  ଗର୍ଭବତୀ  ମହିଳାଙ୍କୁ  ପ୍ରୋତ୍ସାହିତ  କରି , ଏହା  ତାଙ୍କୁ  ଗଳଗଣ୍ଡ  ରୋଗରୁ  ଏବଂ  ଶିଶୁକୁ  ମାନସିକ  ଓ  ଶାରୀରିକ  ଅକ୍ଷମତାରୁ  ରକ୍ଷା  କରିବ
  • ଗର୍ଭରେ  ଶିଶୁ  ଠିକ୍  ଭାବରେ  ବାଢୁଛି  ବୋଲି  ପରୀକ୍ଷା  କରି
  • ଆବଶ୍ୟକ  ହେଲେ  ମେଲେରିଆ  ଔଷଧ  ଦେଇ
  • ମା’କୁ  ପ୍ରସବ  ପାଇଁ  ପ୍ରସ୍ତୁତ  ରଖିବା  ସହ  ସ୍ତନ୍ୟପାନ  ପାଇଁ  ଓ  ନିଜ  ତଥା  ନବଜାତ  ଶିଶୁର  ଯତ୍ନ  ବିଷୟରେ  ଉପଦେଶ  ଦେଇ
  • ଗର୍ଭବତୀ  ମହିଳା  ଏବଂ  ତା’ ପରିବାର  ଲୋକଙ୍କୁ  କେଉଁଠି  ପ୍ରସବ  କରାଇବା  ଉଚିତ  ତାହା  ଜଣାଇ  ଏବଂ  ପ୍ରସବ  ସମୟରେ  ବା  ପରେ  ସମସ୍ୟା  ଦେଖାଦେଲେ  କିପରି  ସାହାଯ୍ୟ  ପାଇବେ  ବୁଝାଇ
  • ଯୌନ  ସଂକ୍ରମିତ  ରୋଗରୁ  କିପରି  ଦୂରେଇ  ରହିହେବ  ସେ  ବିଷୟରେ  ଉପଦେଶ  ଦେଇ
  • ସ୍ଵଇଚ୍ଛାରେ  ଏବଂ  ବିଶ୍ଵାସନୀୟ  ଭାବରେ  ଏଚ.ଆଇ.ଭି.  ପରୀକ୍ଷା  କରି  ଓ  ପରାମର୍ଶ  ଦେଇ  । ପ୍ରତ୍ୟକ  ମହିଳାଙ୍କ  ସ୍ଵଇଚ୍ଛାରେ  ଓ ଗୋପନୀୟ  ଭାବରେ  ଏଚ.ଆଇ.ଭି. ପରୀକ୍ଷା  ଓ  ପରାମର୍ଶ  ନେବାରେ  ଅଧିକାର  ଅଛି  । ସଂକ୍ରମିତ  ବା ସଂକ୍ରମିତ  ହେବାର  ସମ୍ଭାବନା  ଥିବା  ଗର୍ଭବତୀ  ମହିଳା  ବା  ନୂଆ  ପ୍ରସୂତି  ମାଆ  ପ୍ରଶିକ୍ଷିତ  ସ୍ୱାସ୍ଥ୍ୟକର୍ମୀଙ୍କଠାରୁ  ପରାମର୍ଶ  ନେଇ  କିପରି  ନିଜ  ଶିଶୁକୁ  ସଂକ୍ରମଣରୁ  ରକ୍ଷା  କରି  ହେବ  ଏବଂ  ନିଜର  ଯତ୍ନ  ନେବେ  ବୁଝିବା  ଉଚିତ   ।

ପ୍ରସବ  ସମୟରେ  କୁଶଳୀ  ସହାୟକ  ଜାଣନ୍ତି

  • କେତେବେଳେ  ପ୍ରସବ  ବେଦନା  ବହୁତ  ଲମ୍ବା  ହେଉଛି  (୧୨ ଘଣ୍ଟାରୁ  ଅଧିକ) ଏବଂ  କେତେବେଳେ  ଡାକ୍ତରଖାନାକୁ  ଯିବା  ନିତାନ୍ତ  ଜରୁରୀ
  • କେତେବେଳେ  ଓ  କିପରି  ସ୍ୱାସ୍ଥ୍ୟ  ସେବା  ପାଇହେବ
  • କିପରି  ସଂକ୍ରମଣର  ଭୟ  କମାଯିବ (ପରିଷ୍କାର ହାତ , ଯନ୍ତ୍ରପାତି , ପ୍ରସବ ଅଞ୍ଚଳ)
  • ଶିଶୁର  ଅବସ୍ଥିତି  ଠିକ  ନଥିଲେ , କ’ଣ  କରାଯିବା  ଉଚିତ
  • ମାଆ  ଦେହରୁ  ବହୁ  ପରିମାଣରେ  ରକ୍ତସ୍ରାବ  ହେଲେ  କ’ଣ  କରିବା  ଦରକାର
  • କେତେବେଳେ  ନାଡି  କାଟିବା  କଥା  ଏବଂ  କିପରି  ତା’ର ଯତ୍ନ  ନେବା ଦରକାର 
  • ଶିଶୁର  ଶ୍ଵାସକ୍ରିୟା  ଆରମ୍ଭ  ଣହେଲେ  କ’ଣ  କରିବା  ଦରକାର 
  • ଶିଶୁ  ଜନ୍ମ  ପରେ  ତାକୁ  କିପରି  ଶୁଖାଇବା  ଏବଂ  ଉଷୁମ  ରଖିବା  ଦରକାର
  • ଜନ୍ମ  ପରେ  ପରେ  କିପରି  ଶିଶୁକୁ  ମା’କ୍ଷୀର  ଖୁଆଇବା  ଦରକାର  ସେ  ବିଷୟରେ  ପରାମର୍ଶ  ଦେବା
  • ଶିଶୁ  ଜନ୍ମ  ପରେ  ଗର୍ଭର  ଫୁଲ  ବା  ଭୃଣ  ଆବରଣକୁ  କିପରି  ସୁରକ୍ଷିତ  ଭାବରେ  ବାହାର  କରିବା  ଏବଂ ମାଆର  ଯତ୍ନ  ନେବା
  • ଅନ୍ଧତ୍ଵରୁ  ରକ୍ଷା  କରିବା  ପାଇଁ  କିପରି  ଶିଶୁର  ଆଖିରେ  ଅନୁମୋଦିତ  ଔଷଧ  ପକାଇବା 

ପ୍ରସବ ପରେ  ଜଣେ  କୁଶଳୀ  ସହାୟକ  କ’ଣ  କରିବା  ଉଚିତ

  • ପ୍ରସବ  ପରେ  ପରେ  ୧୨ ଘଣ୍ଟା  ଯାଏଁ  ଏବଂ  ପ୍ରସବର  ଛଅ  ସପ୍ତାହ  ପରେ  ମହିଳାଙ୍କର  ସ୍ୱାସ୍ଥ୍ୟ  ପରୀକ୍ଷା  କରିବା
  • କିପରି  ଆଉ  ଗୋଟିଏ  ଗର୍ଭଧାରଣକୁ  ରୋକାଯିବା  ବା  ଘୁଞ୍ଚାଇ  ହେବ  ସେ  ବିଷୟରେ  ଉପଦେଶ  ଦେବା
  • କିପରି  ଏଚ.ଆଇ.ଭି. ପରି  ଯୌନ  ସଂକ୍ରମିତ  ରୋଗକୁ  ଏଡାଇ  ହେବ  ବା  କିପରି  ଶିଶୁମାନଙ୍କୁ  ଏହି  ପ୍ରକାର  ସଂକ୍ରମଣରୁ  ମୁକ୍ତ  ରଖିହେବ , ସେ  ବିଷୟରେ  ମହିଳାମାନଙ୍କୁ  ଉପଦେଶ  ଦେବା   ।

୩. ଗର୍ଭବତୀ  ଥିବା  ସମୟରେ  ସବୁ  ମହିଳା  ପୃଷ୍ଟିକର  ଖାଦ୍ୟ  ଖାଇବା  ଓ  ଯଥେଷ୍ଟ  ବିଶ୍ରାମ  ନେବା  ଉଚିତ  ।

ଜଣେ  ଗର୍ଭବତୀ  ମହିଳା  ତା’ର  ପରିବାର  ଯୋଗାଇ  ପାରୁଥିବା  ସବୁଠାରୁ  ଭଲ  ଖାଦ୍ୟ  ଖାଇବା  ଉଚିତ  । କ୍ଷୀର , ଫଳ , ପନିପରିବା , ମାଂସ , ମାଛ , ଅଣ୍ଡା , ଶସ୍ୟ , ମଟରଦାନା , ବିନ୍ ଆଦି  ଏହିଭଳି  କିଛି  ଖାଦ୍ୟ   । ଏହିସବୁ  ଖାଦ୍ୟ  ଗର୍ଭଧାରଣ  ସମୟରେ  ଖାଇବାରେ  କିଛି  ବିପଦ  ନଥାଏ  ।

ଗର୍ଭବତୀ  ଥିବା  ସମୟରେ  ଲୌହ , ଜୀବସାର କ ଏବଂ  ଫୋଲିକ  ଅମ୍ଳ  ଥିବା  ଖାଦ୍ୟ  ଖାଇଲେ  ମହିଳା  ଜଣକ  ସୁସ୍ଥ  ସବଳ  ଅନୁଭବ  କରିବ   । ଏହି  ଉପାଦାନ  ମାଂସ , ମାଛ , ଅଣ୍ଡା , ସବୁଜ  ପନିପରିବା , କମଳା  ଜାତୀୟ  ଫଳ  ଏବଂ  ପରିବାରୁ  ଯଥେଷ୍ଟ  ପରିମାଣରେ  ମିଳିଥାଏ  । ରକ୍ତହୀନତାର  ପ୍ରତିକାର  ପାଇଁ  ସ୍ୱାସ୍ଥ୍ୟକର୍ମୀମାନେ  ଲୌହ  ବଟିକା  ଯୋଗାଇ  ପାରିବେ   । ଜୀବସାର  କ  ଅଭାବ  ଦେଖା  ଯାଉଥିବା  ଅଞ୍ଚଳରେ  ସେମାନେ  ଜୀବସାର କ ଯୋଗାଇ  ସଂକ୍ରମଣ  ରୋକିପାରିବେ   । ଗର୍ଭବତୀ  ମହିଳା  ପ୍ରତିଦିନ  ୧୦,୦୦୦ ଆନ୍ତର୍ଜାତିକ  ଏକକ  (ଏ.ୟୁ.) ବା  ସପ୍ତାହକୁ  ୨୫୦୦୦  ଆନ୍ତର୍ଜାତିକ  ଏକକ  (ଏ.ୟୁ.) ରୁ  ଅଧିକ  ପରିମାଣର  ଜୀବସାର କ ଖାଇବା  ଉଚିତ  ନୁହେଁ  ।

ଆୟୋଡିନଯୁକ୍ତ  ଲୁଣ ବ୍ୟବହାର  କରିବା  ଉଚିତ  । ଯେଉଁ  ମହିଳାଙ୍କ  ଖାଦ୍ୟରେ  ଯଥେଷ୍ଟ  ପରିମାଣର  ଆୟୋଡିନ  ନଥାଏ , ସେମାନଙ୍କ  କ୍ଷେତ୍ରରେ  ଗର୍ଭନଷ୍ଟ  ହୋଇପାରେ  କିମ୍ବା  ମାନସିକ  ବା  ଶାରୀରିକ  ଭାବେ  ଅକ୍ଷମ  ଶିଶୁ  ଜନ୍ମ  ହେବାର  ସମ୍ଭାବନା  ଥାଏ   ।

ଗଳା  ଫୁଲି  ରହିବା  ଗଳଗଣ୍ଡ  ରୋଗର  ଲକ୍ଷଣ  ଏବଂ  ମହିଳା  କମ୍  ପରିମାଣର  ଆୟୋଡିନ୍  ପାଉଥିବାର  ଏହା  ସ୍ପଷ୍ଟ  ସଙ୍କେତ   ।

ମହିଳାଙ୍କର  ରକ୍ତହୀନତା , ମେଲେରିଆ  ବା  କୃମି  ରୋଗ  ଥିବାର  ସମ୍ଭାବନା  ଥିଲେ  ସ୍ୱାସ୍ଥ୍ୟକର୍ମୀଙ୍କ  ସହ  ପରାମର୍ଶ  କରିବା  ଉଚିତ  ।

୪. ଧୂମପାନ , ମଦ , ନିଶାଦ୍ରବ୍ୟ , ବିଷାକ୍ତ ଓ  ପ୍ରଦୂଷକ  ଜିନିଷ  ଉଭୟ  ଗର୍ଭବତୀ  ମହିଳା  ଏବଂ  ଶିଶୁ  ପାଇଁ  କ୍ଷତିକାରକ   ।

ବିଡି , ସିଗାରେଟ  ଖାଇଲେ ବା  ଅନ୍ୟ  କେହି  ଧୂମପାନ  କରୁଥିବା  ଜାଗାରେ  ରହିଲେ , ମଦ  ପିଇଲେ  ବା  ନିଶା  ଔଷଧ  ସେବନ  କଲେ  ଗର୍ଭବତୀ  ମହିଳା  ନିଜର  ସ୍ୱାସ୍ଥ୍ୟହାନୀ  କରିବା  ସହ  ଗର୍ଭସ୍ଥ  ଶିଶୁର  ମଧ୍ୟ  କ୍ଷତି  ଘଟାଇଥାଏ  । ଗର୍ଭବତୀ  ଥିବା  ସମୟରେ  କେବଳ  ନିହାତି  ଜରୁରୀ  ହେଲେ  ପ୍ରଶିକ୍ଷିତ  ସ୍ୱାସ୍ଥ୍ୟକର୍ମୀଙ୍କ  ପରାମର୍ଶରେ  ହିନ  କୌଣସି  ଔଷଧ  ଖାଇବା  ଉଚିତ   ।

ଗର୍ଭବତୀ  ମହିଳା  ଧୂମପାନ  କଲେ , ଅନେକ  ସମୟରେ  ଜନ୍ମ  ବେଳେ  ତାଙ୍କ  ଶିଶୁର  ଓଜନ  କମ୍ ହୁଏ ଏବଂ  ତାକୁ  ଅଧିକାଂଶ  ସମୟରେ  ଥଣ୍ଡା , କାଶ , ନିମୋନିଆ  କିମ୍ବା  ଶ୍ଵାସରୋଗ  ହୁଏ  ।

ଶିଶୁର  ଉପଯୁକ୍ତ  ଶାରୀରିକ  ଓ  ମାନସିକ  ବୃଦ୍ଧି  ପାଇଁ  ଗର୍ଭବତୀ  ମହିଳା  ଏବଂ  ଛୋଟ  ଶିଶୁକୁ  ଧୂଆଁପତ୍ର  ଓ  ରୋଷେଇର  ଧୂଆଁ , କୀଟନାଶକ , ତୃଣନାଶକ  ଏବଂ  ଅନ୍ୟ   ବିଷ  ତଥା  ସୀସା  ପରି  ପ୍ରଦୂଷକଠାରୁ  ଦୂରେଇ  ରଖିବା  ଆବଶ୍ୟକ   । ସୀସା  ମୁଖ୍ୟତଃ  ସୀସାନଳୀର  ବୁହା  ହେଉଥିବା  ପାଣିରୁ  ଆସିଥାଏ   ।

୫. ଅନେକ  ଗୋଷ୍ଠୀ  ମଧ୍ୟରେ  ମହିଳା  ଏବଂ ଶିଶୁଙ୍କୁ  ଶାରୀରିକ  ନିର୍ଯ୍ୟାତନା  ଦେବା  ଗୋଟିଏ  ଗୁରୁତର ସ୍ୱାସ୍ଥ୍ୟ  ସମସ୍ୟା   । ଗର୍ଭବତୀ  ଥିବା  ସମୟରେ  ଏଭଳି  ନିର୍ଯ୍ୟାତନା  ଉଭୟ  ମହିଳା  ଓ  ଗର୍ଭରେ  ଥିବା  ଶିଶୁ  ପାଇଁ  ହାନିକାରକ

ଯଦି  କୌଣସି  ଗର୍ଭବତୀ  ମହିଳା  ନିର୍ଯ୍ୟାତିତା  ହୁଅନ୍ତି , ତେବେ  ଏହା  ଉଭୟ  ମହିଳା ଓ  ଶିଶୁ  ଉପରେ  ବହୁତ  ଖରାପ  ପ୍ରଭାବ  ପକାଇଥାଏ   । ଗର୍ଭବତୀ  ମହିଳା  ଶାରୀରିକ  ନିର୍ଯ୍ୟାତନା  ପାଇଲେ ଭବିଷ୍ୟତରେ  ଗର୍ଭବତୀ  ହେବା  ସମ୍ଭାବନା  କମିଯାଏ  । ତା’ପରିବାର  ଲୋକ  ଏଥିପ୍ରତି  ଦୃଷ୍ଟି  ଦେବା  ଉଚିତ ଏବଂ  ତାକୁ  ନିର୍ଯ୍ୟାତନା  ଦେଉଥିବା  ବ୍ୟକ୍ତିଠାରୁ  ଦୂରେଇ  ରଖିବା  ଜରୁରୀ  ।

ମହିଳା  ଲେଖି  ପଢି  ଜାଣିଥିଲେ  ନିଜର ଓ  ନିଜ  ପରିବାରର  ସ୍ୱାସ୍ଥ୍ୟର  ସୁରକ୍ଷା  କରିପାରେ  । ଝିଅ ଅତି  କମ୍ ରେ  ସାତବର୍ଷ  ପାଠ  ପଢିଥିଲେ , ବିନା  ପାଠ  ବା  ଅଳ୍ପ  ପାଠ  ପଢିଥିବା  ଝିଅ  ତୁଳନାରେ  କମ୍ ବୟସରେ  ଗର୍ଭବତୀ  ହେବା  ଏବଂ  ଶୀଘ୍ର  ବାହା  ହେବା  ଭଳି  କାମ  କରିବାର  ସମ୍ଭାବନା  କମ୍

୬. ଶିକ୍ଷିତ  ସ୍ୱାସ୍ଥ୍ୟବତୀ  ଏବଂ  ଶିଶୁ  ଓ  କିଶୋର  ଅବସ୍ଥାରେ  ପୃଷ୍ଟିକର  ଖାଦ୍ୟ  ପାଇଥିବା  ମହିଳାଙ୍କର  ପରବର୍ତ୍ତୀ  ସମୟରେ  ଗର୍ଭଧାରଣ  ଓ  ପ୍ରସବ  କରିବାରେ  କମ  ଅସୁବିଧା  ହୋଇଥାଏ

ଶିଶୁ  ଓ  କିଶୋର  ବୟସରେ ବିନ୍ ତଥା  ଅନ୍ୟ  ଡାଲି  ଜାତୀୟ  ଖାଦ୍ୟ , ଶସ୍ୟ , ସବୁଜ  ପନିପରିବା  ଏବଂ  ଲାଲ / ହଳଦିଆ / କମଳା  ରଙ୍ଗର  ପାରିବା  ଓ  ଫଳ  ଆଦି  ପୃଷ୍ଟିକର  ଖାଦ୍ୟ  ଖାଇଥିଲେ  ଗର୍ଭଧାରଣ  ଓ  ପ୍ରସବ  ସମୟର  ସମସ୍ୟା  ଅନେକ  କମ  ହୋଇଥାଏ  । ଏହା  ସହ  କ୍ଷୀର  ଓ କ୍ଷୀରଜାତ  ଦ୍ରବ୍ୟ , ଅଣ୍ଡା , ମାଛ , କୁକୁଡା ଏବଂ  ମାଂସ  ମଧ୍ୟ  ଖାଇବା  ଉଚିତ  ।

ସାମାଜିକ  ପ୍ରଥାରେ  ଝିଅ  ବା  ମହିଳାର  ଜନନାଙ୍ଗ  କଟା  ହେବା  ଫଳରେ  ତାଙ୍କ  ଯୌନାଙ୍ଗ  ଓ  ମୂତ୍ରନଳୀରେ  ଗୁରୁତର  ସଂକ୍ରମଣ  ସୃଷ୍ଟି   ହୋଇପାରେ   । ଏଥିଯୋଗୁ  ବାନ୍ଧ୍ୟାତ୍ଵ  ବା  ମୃତ୍ୟୁ  ମଧ୍ୟ  ଆସିପାରେ  । ଜନନାଙ୍ଗ  ଏଭଳି  କଟା  ହୋଇଥିଲେ  ତାହା  ପ୍ରସବ  ସମୟରେ  ଜଟିଳ  ସମସ୍ୟା  ସୃଷ୍ଟି  କରିଥାଏ  । ଝିଅ ଓ ମହିଳାଙ୍କ  ମାନସିକ  ସ୍ୱାସ୍ଥ୍ୟରେ  ମଧ୍ୟ  ଏହା  ସମସ୍ୟା  ଆଣିଥାଏ   ।

୭. ବିଶେଷ  କରି  ଗର୍ଭବତୀ  ଥିବା  ବେଳେ  ଓ  ଶିଶୁ  ଜନ୍ମ  କରିବା  ସମୟରେ  ପ୍ରତ୍ୟକ   ମହିଳାଙ୍କର  ଉତ୍ତମ  ସ୍ୱାସ୍ଥ୍ୟ  ସେବା  ପାଇବାର  ଅଧିକାର  ରହିଛି  । ଏହି  ସ୍ୱାସ୍ଥ୍ୟ  ସେବା  ଯୋଗାଉଥିବା  କର୍ମୀ  ବୈଷୟିକ  ଦୃଷ୍ଟିରୁ  ଦକ୍ଷ  ହୋଇଥିବା  ଏବଂ  ମହିଳାଙ୍କୁ  ସେ  ସମ୍ମାନ  ଦେଖାଉଥିବା  ଉଚିତ

ମହିଳାମାନେ  ଗର୍ଭଧାରଣ  ବେଳେ , ପ୍ରସବ  ସମୟରେ  ଏବଂ  ପ୍ରସବ  ପରେ  ଉପଯୁକ୍ତ  ସ୍ୱାସ୍ଥ୍ୟ  ସେବା  ଓ  ସ୍ଵାସ୍ଥ୍ୟଗତ  ଉପଦେଶ  ପାଇପାରିଲେ  ଗର୍ଭଧାରଣ   ଓ  ପ୍ରସବ  ସମ୍ପର୍କିତ  ଅଧିକାଂଶ  ସମସ୍ୟା  ଏଡାଇ  ଦେଇ  ହେବ   ।

ଡାକ୍ତର , ନର୍ସ  ବା  ଧାଈ  ଭଳି  ଜଣେ  କୁଶଳୀ  ପ୍ରସବ  ସହାୟକଙ୍କର ସେବା  ପାଇବାର  ଏବଂ  ଆବଶ୍ୟକ  ସ୍ଥଳେ  ଜରୁରୀକାଳୀନ  ପ୍ରସୂତି  ଯତ୍ନ  ପାଇବାର  ଅଧିକାର  ପ୍ରତ୍ୟକ  ମହିଳାଙ୍କର  ରହିଛି   ।

ଉତ୍ତମ  ସ୍ୱାସ୍ଥ୍ୟସେବା ମହିଳାଙ୍କୁ  ସୂଚନା  ଓ  ପରାମର୍ଶ  ଦେଇ  ସ୍ୱାସ୍ଥ୍ୟ  ସମ୍ପର୍କିତ  ସଚେତନ  ନିସ୍ପତି  ନେବା  ଦିଗରେ  ସକ୍ଷମ  କରାଏ  । ମାତୃତ୍ଵ  ସେବା  ପାଇବାକୁ  ଚାହୁଁଥିବା  ମହିଳା  ସହଜରେ  ସ୍ୱାସ୍ଥ୍ୟ  କେନ୍ଦ୍ରରେ  ପହଞ୍ଚି  ପାରିବା  ଜରୁରୀ   । ସ୍ଵାଷ୍ୟସେବା  ପାଇବାରେ  ଆର୍ଥିକ  ସମସ୍ୟା  ତାଙ୍କୁ  ବାଧା  ଦେବା  ଉଚିତ  ନୁହେଁ   । ସ୍ୱାସ୍ଥ୍ୟସେବା  ଯୋଗାଉଥିବା  ବ୍ୟକ୍ତିଙ୍କର  ଏ  ଦିଗରେ  ଯଥେଷ୍ଟ  ଦକ୍ଷତା  ଥିବା  ଆବଶ୍ୟକ   । ମହିଳାଙ୍କୁ  ସମ୍ମାନ  ଦେଖାଇବା , ମହିଳାଙ୍କର  ଗୋପନୀୟତାର  ଅଧିକାରକୁ  ଦେବା  ଦିଗରେ  ସେମାନଙ୍କର  ତାଲିମ  ଥିବା  ମଧ୍ୟ  ଜରୁରୀ  ।

ଆଧାର :UNICEF

3.02857142857
sonu Mar 24, 2017 02:13 PM

ଏହି ସୂଚନା ମା ହେବାକୁ ଯାଉଥିବା ମହିଳା ପାଇଁ ବହୁତ ସାହାଯ୍ୟ ହେବ

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top