ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / ଶିଶୁ ପାଇଁ ରକ୍ଷାକବଚ
ସେଆର କରନ୍ତୁ

ଶିଶୁ ପାଇଁ ରକ୍ଷାକବଚ

ଶିଶୁଜନ୍ମ ପରେ ପରେ ମା' ସ୍ତନରେ ଏକ ଅମୃତର ପ୍ରକୃତି ଖଞ୍ଜିଦେଇଛି, ଯାହା ଶିଶୁକୁ ବଞ୍ଚିବାର ସମସ୍ତ ଉପାଦାନ ଯୋଗାଇ ଦେଇଥାଏ

ସ୍ତନ୍ୟପ୍ରାନ

ସ୍ତନ୍ୟପାନ ସମ୍ପର୍କରେ ବିଶ୍ଵବ୍ୟାପୀ ସଚେତନତା ସୃଷ୍ଟି ଲାଗି ୧୯୯୧ ଫେବୃୟାରୀ ୧୪ରେ ୱାର୍ଲ୍ଡ  ଆଲିଆନ୍ସ ଫର୍ ବ୍ରେଷ୍ଟ ଫିଡିଂ ଆକ୍ସନ ପ୍ରତିଷ୍ଠା କରାଯାଇଥିଲା। ୧୯୯୨ରେ ମିଳିତ ଜାତିସଂଘର ୟୁନିସେଫ୍, ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଏହାକୁ ଅଗ୍ରାଧିକାର ଦିଆଯାଇଥିଲା। ସେବେଠୁ ପ୍ରତିବର୍ଷ ଅଗଷ୍ଟ ପ୍ରଥମ ସପ୍ତାହକୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ ଭାବେ ପାଳନ କରାଯାଇଆସୁଅଛି।

ସ୍ତନ୍ୟପ୍ରାନ ଓ ମା’ର ସୌନ୍ଦର୍ଯ୍ୟ ସମ୍ପିକରେ

ଶିଶୁଜନ୍ମ ପରେ ପରେ ମା' ସ୍ତନରେ ଏକ ଅମୃତର ପ୍ରକୃତି ଖଞ୍ଜିଦେଇଛି, ଯାହା ଶିଶୁକୁ ବଞ୍ଚିବାର ସମସ୍ତଉପାଦାନ ଯୋଗାଇ ଦେଇଥାଏ ଏବଂ ଶିଶୁର ଶାରୀରିକ ତଥା ମାନସିକ ବର୍ଦ୍ଧନ ପାଇଁ ସମସ୍ତ ପ୍ରକାର ପୋଷଣ ଦେହରେ ପହଞ୍ଚାଇଥାଏ । ଏଥିସହିତ ମା' ଠାରୁ ସ୍ତନ୍ୟ ପାନ ଉଭୟ ମା’ ଓ ଶିଶୁଙ୍କୁ ବହୁ ରୋଗଠାରୁ ମଧ୍ୟ  ଦୁରେଇ ରଖିବାରେ ସହାୟକ ହୋଇଥାଏ  I

ମାତୃତ୍ଵ ନାରୀଟିକୁ ଏକ ସୁକୋମଳ ଲାଳିତ୍ୟରେ ସୌନ୍ଦର୍ଯ୍ୟମୟୀ କରିଦିଏ । ଗର୍ଭଧାରଣ କରିବା ମାତ୍ରେ ଅପୂର୍ବ ତେଜ ଓ ଲାବଣ୍ୟରେ ତା’ର ଅଙ୍ଗପ୍ରତ୍ୟଙ୍ଗ ଉତ୍କଳ ହୋଇଯାଏ ଏବଂ କିଛି ମାସ ଭିତରେ ନାରୀର ଆବରଣ ଖୋଲି ପ୍ରଜାପତି ଭଳି ମା’ଟିଏ ଏ ଧରାରେ ଜନ୍ମ ନେଇଥାଏ । ତେବେ ମୁହଁର ଏ ଉଜ୍ଜଳତା, ଚର୍ମର ଏ ଚିକ୍କଣତା ତଥା ଦେହର ଏ ଅଖଣ୍ଡ ଲାବଣ୍ୟର ରହସ୍ୟ କ'ଣ ? କେଉଁଠୁ ଆରମ୍ଭ ହୁଏ। ଏ ଅଖଣ୍ଡଆଭାର ଉତ୍ସ ? ଏହା ହେଉଛି ଗର୍ଭାବସ୍ଥାରେ ଝରୁଥିବା ହରମୋନ ଇଷ୍ଟ୍ରୋଜେନ୍ ଓ ପ୍ରୋଜେଷ୍ଟେରେନ୍‌ର କରାମତି ।

ମା’ ସ୍ତନରୁ ଝରୁଥିବା ବହଳିଆ କଷକ୍ଷୀର ଶିଶୁ ପାଇଁ ପ୍ରଥମ ପ୍ରତିଷେଧକ ଟିକା ଏବଂ ଏହା ଅନେକ ରୋଗରୁ ଶିଶୁଟିକୁ ରକ୍ଷା କରିଥାଏ । ମା' କ୍ଷୀର ଯେ ଶିଶୁ ପାଇଁ ଅମୃତ, ଏକଥା ପ୍ରାୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ମହିଳାମାନେ ଜାଣିଲେଣି, ତେଣୁ ଅନେକେ ସ୍ତନ୍ୟପାନ ପାଇଁ ଆଗଭର ହେଲେଣି । ଦୁଃଖର ବିଷୟ ଏବେ ବି କେତେକ ଆଧୁନିକ ମା' ଏବଂ କର୍ମଜୀବୀ ମହିଳା ସୌନ୍ଦର୍ଯ୍ୟ ହାନି ଭୟରେ ଶିଶୁକୁ ସ୍ତନ୍ୟପାନ କରାଇବାକୁ ପଛଘୁଞ୍ଚା ଦେଉଛନ୍ତି । ସେମାନଙ୍କର ଧାରଣା ଶିଶୁକୁ ସ୍ତନ୍ୟପାନ କରାଇଲେ ଶାରୀରିକ ଗଠନ ଖରାପ ହେବା ସହ ସ୍ତନ ଢିଲା ହୋଇ ଓହଳିପଡିବ ଏବଂ ବକ୍ଷର ଚର୍ମ ମଧ୍ୟ କୁଞ୍ଚିତ ହୋଇଯିବ ।

ସ୍ତନ୍ୟପାନ ସମୟରେ ବେଶି କ୍ୟାଲୋରିର  ଖାଦ୍ୟ ଖାଇବା ଦ୍ଵାରା ମୋଟା ହୋଇଯିବା ଆଶଙ୍କା ମଧ୍ୟ ଅନେକଙ୍କୁ ଶିଶୁକୁ ସ୍ତନ୍ୟପାନ କରାଇବାରୁ ବଞ୍ଚିତ କରିଥାଏ । କିନ୍ତୁ ଏହି ଧାରଣା ଠିକ୍ ନୁହେଁ। ସ୍ତନ୍ୟପାନ କରାଇବା ଦ୍ଵାରା ମା’ ଦେହରେ ଥିବା ସମସ୍ତ ଗଚ୍ଛିତ ଚର୍ବିଅ°ଶ, ପୁଷ୍ଟିସାର ଓ  ଶ୍ଵେତସାର ଅଂଶ, କମିଯାଏ । ଏହା ମା’ ଦେହରୁ ଅଯଥା ଚର୍ବିଅ°ଶ ଓ ମୋଟାପଣିଆ

(ଓବେସିଟି)କୁ କମାଇ ଦେଇଥାଏ । ଶିଶୁ କ୍ଷୀର ଖାଇବା ଦ୍ଵାରା ମା’ର ମସ୍ତିଷ୍କରୁ ଅକ୍ସିଟୋସିନ୍, ହରମୋନର କ୍ଷରଣ ହେବାଦ୍ଵାରା ଜରାୟୁ ସଂକୁଚିତ ହୋଇଥାଏ, ଏହାର ଆଭଦ୍ଵାରା ମା'ର ମାସିକ ଋତୁସ୍ରାବ ବିଳମ୍ବରେ ହୋଇଥାଏ। ଏବଂ ଗର୍ଭଧାରଣରେ ଡେରି ହୋଇଥାଏ। (ତେମ୍ପୋରାରି କଣ୍ଟାସେପସନ୍) ।

ସ୍ତନ୍ୟପାନ ମଧ୍ୟ  ମା’ କୁ ଅନେକ ରୋଗରୁ ରକ୍ଷା କରିଥାଏ ଯଥା ସ୍ତନକର୍କଟ, ଡିମ୍ବକୋଷର କର୍କଟ ରୋଗ (ଏଣ୍ଡୋମେଟ୍ରିଆଲ୍ କ୍ୟାନସର), ଜରାୟୁଗ୍ରୀବା କର୍କଟରୋଗ, ରିଉମାଟଏଡ୍ ଆର୍ଥ୍ରାଇଟିସ୍, ହାଡ ପୋରିଆରୋଗ ( ଓଷ୍ଟିଓପୋରୋସିସ୍) ଆଦି । ଏହାଛଡ଼ା ସ୍ତନ୍ୟପାନ କରାଉଥିବା ମା’ର ରକ୍ତରେ କୋଲେଷ୍ଟରାଲ୍ ଓ ଟ୍ରାଇଗ୍ଲିସରାଇଡ (ରକ୍ତରେ ଚର୍ବିଅ°ଶ) କମ୍ ପରିମାଣରେ ଥାଏ, ତେଣୁ ମା'କୁ ଉଚ୍ଚ ରକ୍ତଚାପ ଓ ହୃଦ୍‌ଘାତ ହେବା ଆଶଙ୍କା ମଧ୍ୟ କମ୍ ଥାଏ ।

ଶିଶୁକୁ ୬ ମାସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ଖାଇବାକୁ ଦିଆଯାଇଥାଏ, ଏହାଛଡ଼ା ଶିଶୁକୁ ୨ ବର୍ଷ ଯାଏଁ ସ୍ତନ୍ୟପାନ କରାଇଥିଲେ, ମାସିକ ଋତୁସ୍ରାବର ବିରତି ପୂର୍ବରୁ ଶତକଡ଼ା ୪୦ ଭାଗ ସ୍ତନକର୍କଟ ରୋଗ ହେବା ଆଶଙ୍କା କମିଯାଇଥାଏ । ୬ ବର୍ଷ ଶିଶୁକୁ ସ୍ତନ୍ୟପାନ କରାଇଥିବା ମା'ର ମେନୋପଜ୍ ଆଗରୁ ସ୍ତନକର୍କଟ ରୋଗ ହେବାର ଆଶଙ୍କା ଶତକଡ଼ା ୬୬ ଭାଗ କମିଯାଇଥାଏ ।

୭ ବର୍ଷ ଶିଶୁକୁ ସ୍ତନ୍ୟପାନ କରାଇଥିବା ମା’ର ସ୍ତନକର୍କଟ ରୋଗ ହେବା ଚାନନ୍ସ ପ୍ରାୟ ନ ଥାଏ କହିଲେ ଚଳେ । ମା’ ଓ ଶିଶୁ ଭିତରେ ଏକ ସ୍ନେହର ବନ୍ଧନ ଜନ୍ମ ପରେ ପରେ ହିଁ ଆରମ୍ଭ ହୋଇଥାଏ । ଯାହା ଦ୍ଵାରା ଶିଶୁ ନିଜକୁ ସୁରକ୍ଷିତ ମନେ କରିଥାଏ, ତା’ର ଶାରୀରିକ ଓ ମାନସିକ ବିକାଶ ଭଲ ହେବାସହ ମା'କୁ ମଧ୍ୟ ଭାବନାତ୍ମକ ସନ୍ତୋଷ ମିଳିଥାଏ ଏବଂ ଆତ୍ମସନ୍ତୋଷର ଏକ ଅପୂର୍ବ ଆଭା ସାରା ଦେହରେ ଉଛୁଳିଉଠେ, ଯାହାକି ମା’ ର ସୌନ୍ଦର୍ଯ୍ୟ ବୃଦ୍ଧି କରେ । ତା'ଛଡା ସ୍ତନ୍ୟପାନ କରାଉଥିବା ଦିନଗୁଡ଼ିକରେ ମା' ଖାଉଥିବା ଖାଦ୍ୟ ଏବଂ ପାନୀୟ ମଧ୍ୟ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ ।

ତେଣୁ ଆଧୁନିକା, କର୍ମଜୀବୀ ମା'ମାନେ ସ୍ତନ୍ୟପାନ ଦ୍ଵାରା ସୌନ୍ଦର୍ଯ୍ୟ ହାନି ନୁହେଁ ବରଂ ସୌନ୍ଦର୍ଯ୍ୟମୟୀ। ହେବାପାଇଁ ନିଜ ମନକୁ ଦୃଢ଼ କରନ୍ତୁ ଏବଂ ଏକ ସଶ୍ରଦ୍ଧ ଇଚ୍ଛାଶକ୍ତି ରଖି ଶରୀରର କିଛି ଅଂଶ କ୍ଷୀର ଆକାରରେ ନିଜ ନବଜାତକକୁ ଖୁଆଇ ତାକୁ ସୁସ୍ଥ ରଖିବାର ସଂକଳ୍ପ ନିଅନ୍ତୁ ।

ସ୍ତନ୍ୟପାନ ସମୟରେ କିପରି ରହିବେ ସତର୍କ ।

  • ସନ୍ତାନ ପ୍ରସବ ପରେ ମା’ ସ୍ତନରୁ ଝରୁଥିବା କଷକ୍ଷରକୁ ଅପରିଷ୍କାର ଭାବି ଅନେକେ ଫିଙ୍ଗି ଦେଇଥାନ୍ତି । କିନ୍ତୁ ବାସ୍ତବରେ ଏହା ଶିଶୁ ପାଇଁ ବେଶ୍ ଉପକାରୀ। ଏଥିରେ ଶିଶୁ ପାଇଁ ଆବଶ୍ୟକ ପୋଷକ ତତ୍ତ୍ଵ ଏବଂ ରୋଗ ପ୍ରତିରୋଧକ ଶକ୍ତି ଭରପୁର ଥାଏ । ତେଣୁ ଏହାକୁ ଫିଙ୍ଗି ଶିଶୁକୁ ତା’ର ପ୍ରଥମ ପ୍ରତିଷେଧକ ଟିକାରୁ ବଞ୍ଚିତ କରନ୍ତୁ ନାହିଁ। ।
  • ନୂଆ ନୂଆ ସ୍ତନ୍ୟପାନ କରାଉଥିବା ଅଧିକାଂଶ ମା' ଶିଶୁଙ୍କୁ କିଛି କିଛି ସମୟ ଅନ୍ତରାଳରେ କ୍ଷୀର ପିଆଇଥାନ୍ତି । ଯାହାଦ୍ଵାରା ଶିଶୁଠାରେ ଅରୁଚି, ବାନ୍ତି ଆଦି ଦେଖାଦେଇଥାଏ । ତେଣୁ ଶିଶୁକୁ ଭୋକ କଲେ ଅର୍ଥାତ୍ ସେ କାନ୍ଦିଲେ କ୍ଷୀର ପିଆଇବା ଦରକାର । ଏହାଦ୍ଵାରା ଶିଶୁର ଖାଦ୍ୟ ହଜମ କରିବା ସହଜ ହୋଇଥାଏ ।
  • କ୍ଷୀର ପିଇବା ପରେ ଶିଶୁକୁ ନିଜ କାନ୍ଧରେ ପକାଇ ( ଯେପରି ଶିଶୁର ପେଟ ଚାପିହେବ) ତା' ପିଠିକୁ କିଛି ସମୟ ଥାପୁଡାନ୍ତୁ। ଏହାଦ୍ଵାରା ଶିଶୁ ପେଟରୁ ହାକୁତି ଆକାରରେ ଗ୍ୟାସ୍ ବାହାରି ଆସିବ ଏବଂ ସେ ବାନ୍ତି କରିବ ନାହିଁ । ଏହାପରେ ଶିଶୁକୁ ଚିତ୍ କରି ନ ଶୁଆଇ କଡ଼ମାଡି କିମ୍ବା ତା'ର ମୁହଁକୁ ଗୋଟେ କଡ଼କୁ କରି ଶୁଆଇବାକୁ ଚେଷ୍ଟା କରନ୍ତୁ। କାରଣ ଚିତ୍ ହୋଇ ଶୋଇବା ଦ୍ଵାରା ଶିଶୁ ବାନ୍ତି କରିବା ସମୟରେ ଏହା ନାକ ଦେଇ ଭିତରକୁ ଯାଇ ନିଃଶ୍ଵାସ ବନ୍ଦ ହୋଇଯିବା ଆଶଙ୍କା ଥାଏ ।
  • ଶୋଇବା ଅବସ୍ଥାରେ ଶିଶୁକୁ ସ୍ତନ୍ୟପାନ କରାଇବା ଅନୁଚିତା କାରଣ ଏହାଦ୍ଵାରା ଶିଶୁର ନାକରେ ଚାପ ପଡ଼ି ଶ୍ଵାସରୁଦ୍ଧ ହେବା ଆଶଙ୍କା ଥାଏ । ତେଣୁ ସର୍ବଦା ବସିରହି ସ୍ତନ୍ୟପାନ କରାଇବା ନିରାପଦ ।
  • ଶିଶୁକୁ ସର୍ବଦା ଦୁଇସ୍ତନରୁ ସମାନ ପରିମାଣରେ କ୍ଷୀର ପିଆଇବାକୁ ଚେଷ୍ଟା କରନ୍ତୁ । ନଚେତ୍ ଗୋଟିଏ ସ୍ତନରେ ଅଧିକ କ୍ଷୀର ଜମାହୋଇ ପରବର୍ତ୍ତୀ ସମୟରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ । ତା'ଛଡ଼ା ଶିଶୁ ଯଦି ଠିକ୍ ଭାବେ କ୍ଷୀର ନ ପିଉଛି କିମ୍ବା ମା’ ର ଅଧିକ କ୍ଷୀର ହେଉଛି ତେବେ ତାହା ଯେପରି ରହି ନ ଯାଏ ସେଥିପ୍ରତି ଧ୍ୟାନଦେବା ଆବଶ୍ୟକ । କାରଣ ଏହା ରହିଯିବା ଫଳରେ ସ୍ତନରେ ଗୋଟାଳି ହୋଇ ବିନ୍ଧିବା, ପୂଯ ହେବା ଏବଂ କେବେ କେବେ ଏହା ଅଧିକ କ୍ଷତିକାରକ ମଧ୍ୟ ହୋଇଥାଏ ।
  • ମା' ଅତି ଦୁର୍ବଳ, ପୁଷ୍ଟିହୀନତାର ଶିକାର କିମ୍ବା ରୁଗଣ ହୋଇଥିଲେ। ସ୍ତନ୍ୟପାନ କରାଇବା ଅନୁଚିତ ।
  • ସେହିପରି ମାନସିକ ରୋଗଗ୍ରସ୍ତ, କୁଷ୍ଠ, ଏଚ୍ଆଇଭି, ଯକ୍ଷ୍ମା, ହାଡଫୁଟି, ମିଳିମିଳା, ଜଣ୍ଡିସ୍ ଆଦି ରୋଗ ଥିଲେ କିମ୍ବା ମା' ସ୍ତନରେ ଘା' ହୋଇଥିଲେ। ସ୍ତନ୍ୟପାନ କରାଇବା ଶିଶୁ ପ୍ରତି ବିପଜ୍ଜନକା

ସଂଗୃହିତ:ଡା. ସରୋଜିନୀ ଷଡଙ୍ଗୀ, ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ, କଟକ

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top