ସେଆର କରନ୍ତୁ

ଭଲ ଖାଇବାର ଉପାୟ

ଭଲ ଖାଇବାର ଉପାୟ ସମ୍ବନ୍ଧରେ ସୂଚନା ।

ଯଥେଷ୍ଟ ଧନ ବା ଜମି ନଥାଇ ମଧ୍ୟ ଭଲ ଖାଇବାର ଉପାୟ

କ୍ଷୁଧା ଓ ପୁଷ୍ଟିହୀନତାର ବିଭିନ୍ନ କାରଣ ରହିଛି । ଦାରିଦ୍ର୍ୟ ହେଉଛି ସେ ମଧ୍ୟରୁ ଗୋଟିଏ କାରଣ । ପୃଥିବୀର ଅନେକ ଭାଗରେ ପ୍ରାୟ ସମସ୍ତ ଧନ ଓ ଜମି ମାତ୍ର ଅଳ୍ପ କେତେକ ଲୋକଙ୍କ ହାତରେ ଠୁଳ ହୋଇ ରହିଅଛି । ସେମାନେ ଅଧିକ ଅର୍ଥଲା କରିବା ପାଇଁ ତମାଖୁ ଓ କଫି ପରି ଅର୍ଥକାରୀ ଫସଲ ଚାଷ କରନ୍ତି, ମାତ୍ର ଏ ସବୁର ପୌଷ୍ଟିକତା ଅତ୍ୟନ୍ତ କମ୍ । ଗରିବମାନେ ଯେଉଁ ଅଳ୍ପ ଜମି ଜମିଦାରମାନଙ୍କଠାରୁ ନେଇ ଚାଷ କରିଥାନ୍ତି, ସେଥିରୁ ମିଳୁଥିବା ଫସଲର ଅଧିକ ଭାଗ ଜମିମାଲିକମାନେ ନେଇଯାଆନ୍ତି । ଯେ ପର୍ଯ୍ୟନ୍ତ ଲୋକମାନେ ନିଜ ନିଜ ମଧ୍ୟରେ ସୁଷମ ବଣ୍ଟନ ବିଷୟରେ ବୁଝିନାହାନ୍ତି, ସେ ପର୍ଯ୍ୟନ୍ତ କ୍ଷୁଧା ଓ ପୁଷ୍ଟିହୀନତା ଆଦି ସମସ୍ୟାର ସମାଧାନ ହୋଇପାରିବ ନାହିଁ ।

ମାତ୍ର କେତେକ ଉପାୟ ରହିଛି ଯାହା କରିବା ଦ୍ଵାରା ଗରିବ ଲୋକମଧ୍ୟ କମ୍ ଖର୍ଚ୍ଚରେ ଭଲ ଖାଦ୍ୟ ଖାଇପାରିବେ ଓ ଶକ୍ତିଶାଳୀ ହୋଇ ସେ ତା’ର ଅଧିକାର ପାଇଁ ଲଢିବା ନିମନ୍ତେ ସକ୍ଷମ ହେବେ । “ଗ୍ରାମ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ନିମନ୍ତେ ଦୁଇପଦ” (ପୁସ୍ତକର ଆରମ୍ଭରେ ଦିଆଯାଇଛି) ଭଲ ପୁଷ୍ଟିକର ଖାଦ୍ୟ ପାଇବାପାଇଁ କେତେକ ସୂଚନା ଦିଆଯାଇଛି । ଏଥିରେ ଜମିର ଉପଯୁକ୍ତ ଓ ଉନ୍ନତ ବ୍ୟବହାର ଯଥା – ଫସଲ ଅଦଳ ବଦଳ, ଛୋଟ ଛୋଟ ଆଡି ବନେଇବା ଓ ଜଳସେଚନ, ମହୁ ଚାଷ, ଭଲ ଗୋଦାମ ଘର ଓ ଘରର ବଗିଚା ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି । ଯଦି ପୁରା ଗାଁ ବା କେତୋଟି ପରିବାର ମିଶି ଉପରୋକ୍ତ ସୂଚନାରୁ କିଛି କାର୍ଯ୍ୟକାରୀ କରନ୍ତି, ତେବେ ମଧ୍ୟ ପୁଷ୍ଟିକର ଖାଦ୍ୟ ସମ୍ବନ୍ଧୀୟ ସମସ୍ୟାର ବହୁତ କିଛି ସମାଧାନ ହୋଇପାରିବ ।

ଜମି ଓ ଖାଦ୍ୟ ବିଷୟ ବିଚାର କଲାବେଳେ, ଏହା ମନେ ରଖିବାକୁ ହେବ ଯେ, କିଛି ପରିମାଣର ଜମି କେବଳ ନିର୍ଦ୍ଧିଷ୍ଟ ସଂଖ୍ୟକ ଲୋକଙ୍କ ପାଇଁ ଖାଦ୍ୟ ଯୋଗାଇ ପାରିବ । ଯଦି ଆପଣଙ୍କ ପାଖରେ ଜମି ଓ ଅନ୍ୟାନ୍ୟ ସୁବିଧା ସୀମିତ, ତେବେ ଆପଣ ପରିବାର ନିୟୋଜନ କରିନେବା ଉଚିତ । ଅଧିକ ପିଲାର ଅର୍ଥ କାମ କରିବା ପାଇଁ ଅଧିକା ହାତ ହୋଇପାରେ ମାତ୍ର ଏତେ ଜମି ହାତପାଇଁ ସବୁବେଳେ ସୀମିତ ବୋଲି ବୁଝିବା ଦରକାର ।

ଭୋକିଲା ଭଲ କାମ କରିପାରନ୍ତି ନାହିଁ, ସେମାନଙ୍କ ମଧ୍ୟରୁ ଅଧିକାଂଶ ମରିଯାଆନ୍ତି ।

ଉପଯୁକ୍ତ ପୁଷ୍ଟିସାଧନ ପାଇଁ ଛୋଟ ପରିବାର ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ । ଏ ବିଷୟ ଚିନ୍ତାକରି ଭବିଷ୍ୟତର ଯୋଜନା ଗଢନ୍ତୁ । ଜମି ଓ ଲୋକଙ୍କ ମଧ୍ୟରେ ଭାରସାମ୍ୟତା ବିଷୟରେ ପୂର୍ବରୁ ବର୍ଣ୍ଣନା କରାଯାଇଛି ।

ଯେତେବେଳେ ଟଙ୍କା ସୀମିତ, ତାହାକୁ ବୁଦ୍ଧିମତାର ସହ ଖର୍ଚ୍ଚ କରିବା ଉଚିତ୍ । ଏହାର ଅର୍ଥ ସହଯୋଗ ଓ ଭବିଷ୍ୟତ ଯୋଜନା । ଅନେକ ସମୟରେ ଏକ ଗରିବ ପରିବାରର ପିତା ନିଜ ପରିବାର ପାଇଁ ପୌଷ୍ଟିକ ଆହାର ଯଥା – ଅଣ୍ଡା ପାଇଁ କୁକୁଡା କିଣିବା ପରିବର୍ତ୍ତେ ତାଙ୍କର ସ୍ୱଳ୍ପ ସମ୍ବଳକୁ ତମାଖୁ ଓ ମଦ କିଣିବାରେ ଅଯଥାରେ ଖର୍ଚ୍ଚ କରି ଦେଇଥାନ୍ତି । ଯେଉଁମାନେ ଏକାଠି ବସି ମଦ୍ୟପାନ କରନ୍ତି, ସେମାନେ ନ ପିଇଥିବା ସମୟରେ ଯଦି ଏକତ୍ର ବସି ରହି ସମସ୍ୟାର ସମାଧାନ ପାଇଁ ଚିନ୍ତା କରନ୍ତେ ଖୁବ ଭଲ ହୁଅନ୍ତା ।

ବେଳେବେଳେ ମା’ ମାନେ ପିଲାଙ୍କୁ ମିଠାଇ କିଣିଦିଅନ୍ତି । ମାତ୍ର ସେମାନେ ଏହି ପଇସାକୁ ଦୁଧ,ଅଣ୍ଡା ବା ଅନ୍ୟାନ୍ୟ ପୌଷ୍ଟିକ ଆହାର କିଣିବାରେ ଖର୍ଚ୍ଚ କରିପାରନ୍ତେ । ଏହାଦ୍ଵାରା ଏକା ପଇସା ଖର୍ଚ୍ଚ କରି ସେମାନେ ତାଙ୍କର ପିଲାମାନଙ୍କୁ ସ୍ୱାସ୍ଥ୍ୟବାନ୍ କରିପାରନ୍ତେ ।

ଯଦି ଆପଣଙ୍କ ପାଖରେ ଅଳ୍ପ ପଇସା ଥାଏ ଓ ଆପଣ ନିଜ ପିଲାର ଉପଯୁକ୍ତ ବୃଦ୍ଧି ଚାହୁଁଥାନ୍ତି, ତେବେ ତାକୁ ମିଠାଇ କିଣି ଦେବା ପରିବର୍ତ୍ତେ ଅଣ୍ଡା କିଣି ଦିଅନ୍ତୁ ।

ଭିଟାମିନ କେଉଁ ଠାରୁ ପାଇବା – ବଟିକା, ଇଞ୍ଜେକ୍ସନ, ସିରପ ନା ଭୋଜନରୁ :

ଠିକ୍ ଖାଦ୍ୟ ଖାଇଲେ ଆବଶ୍ୟକୀୟ ସମସ୍ତ ଭିଟାମିନ ସେଇଥିରୁ ହିଁ ମିଳିଯାଇଥାଏ । ଭିଟାମିନ ବଟିକା,ଇଞ୍ଜେକ୍ସନ ଓ ସିରପ୍ ଇତ୍ୟାଦି କିଣିବା ଅପେକ୍ଷା ପୁଷ୍ଟିକର ଖାଦ୍ୟଖାଇବା ଯଥେଷ୍ଟ ଭଲ ।

ଯଦି ଆପଣ ଭିଟାମିନ ଦରକାର କରନ୍ତି ତେବେ ବଟିକା, ଇଞ୍ଜେକ୍ସନ କିଣିବା ପରିବର୍ତ୍ତେ ଫଳ, ଅଣ୍ଡା ଓ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ କିଣନ୍ତୁ ।

ବେଳେବେଳେ କ୍ଷେତ୍ରରେ ପାଟିରେ ଖିଆଯାଉଥିବା ଭିଟାମିନ, ଇଞ୍ଜେକ୍ସନ ପରି କାମ କରିଥାଏ, ଏଗୁଡ଼ିକର ଦାମ୍ କମ୍ ଏବଂ ଏଗୁଡିକ ବିପଦଜନକ ନୁହଁନ୍ତି । ଭିଟାମିନର ଇଞ୍ଜେକ୍ସନ ଦିଅନ୍ତୁ ନାହିଁ । ଏହାକୁ ପାଟିରେ ଖାଇବା ଉଚିତ୍ । ଯଦି ପୁଷ୍ଟିକର ଖାଦ୍ୟ ଆକାରରେ ଖିଆ ଯାଏ ତେବେ ଭଲ ।

ଯଦି ଆପଣ କୌଣସି ତିଆରି ହୋଇଥିବା ଭିଟାମିନ କିଣନ୍ତି, ତେବେ ଦେଖିବା ଉଚିତ୍ ଯେ ସେଥିରେ ଏସବୁ ଭିଟାମିନ ଓ ଖଣିଜ ତତ୍ତ୍ଵ ଅଛି ଯାହାକି ଶୁଷ୍କ ମନ୍ଦ ଜାତୀୟ ଖାଦ୍ୟରେ କମ୍ ଥାଏ।

ଏଗୁଡିକ ନିଆସିନ (ନିଆସିନାମାଇଡ) ଭିଟାମିନ ଖ (ଥିଆମିନ) ଭିଟାମିନ ଖ (ରିବୋଫ୍ଲାବିନ) ଲୌହ (ଫେରସ୍, ସଲଫେଟ, ଇତ୍ୟାଦି)ଗର୍ଭବତୀ ମହିଳା ତଥା ରକ୍ତହୀନତା ଭୋଗୁଥିବା ବ୍ୟକ୍ତିଙ୍କ ପାଇଁ।

ଏତଦ୍ ବ୍ୟତୀତ କେତେକ ଲୋକଙ୍କର ଅନ୍ୟ କିଛି ଭିଟାମିନ ଆବଶ୍ୟକ ହୋଇଥାଏ, ଫୋଲିକ ଏସିଡ (ଫୋଲିସିନ) ଗର୍ଭବତୀ ମହିଳାଙ୍କ ପାଇଁ ଭିଟାମିନ ‘କ’, ଭିଟାମିନ ‘ଗ’ (ଆସର୍ବିକ ଏସିଡ), ଭିଟାମିନ ‘ଘ’ ଭିଟାମିନ ଖ (ପାଇରିଡକସିନ) ଛୋଟ ପିଲା ତଥା ଟି.ବି. (ଯକ୍ଷ୍ମା) ରୋଗ ପାଇଁ ଔଷଧ ଖାଉଥିବା ବ୍ୟକ୍ତିଙ୍କ ପାଇଁ କ୍ୟାଲସିୟମ – ପିଲାମାନଙ୍କ ପାଇଁ ଏବଂ ସ୍ତନ୍ୟପାନ କରାଉଥିବା ମାଆମାନଙ୍କ ପାଇଁ, ଯେଉଁମାନେ ଉପଯୁକ୍ତ ପରିମାଣର ଦୁଧ, ଛେନା ଓ କ୍ୟାଲସିୟମ ଜାତୀୟ ଖାଦ୍ୟ ପାଆନ୍ତି ନାହିଁ ।

ଆୟୋଡିନ (ଯେଉଁ ସ୍ଥାନ ମାନଙ୍କରେ ଗଳଗଣ୍ଡ ରୋଗର ପ୍ରାଦୁର୍ଭାବ ଅଧିକ) । ଆମ ଖାଦ୍ୟରୁ ବାଦଦେବା ଜିନିଷ ବହୁତ ଲୋକ ଏହା ଭାବିଥାନ୍ତି ଯେ ଅନେକ ଖାଦ୍ୟ ଅଛି ଯାହାକି ସେମାନଙ୍କର କ୍ଷତି କରିବ, ତେଣୁ ଅସୁସ୍ଥ ଥିବା ସମୟରେ ସେମାନେ କେତେକ ଖାଦ୍ୟ ଖାଆନ୍ତି ନାହିଁ । ସେମାନେ କେତେକ ଖାଦ୍ୟକୁ ‘ଗରମ’ ଓ କେତେକ ଖାଦ୍ୟକୁ ‘ଥଣ୍ଡା’ ବୋଲି ଭାବିଥାନ୍ତି ଓ ଗରମ ହେତୁ ଅସୁସ୍ଥତା ସମୟରେ ତଥାକଥିତ ‘ଗରମ’ ଖାଦ୍ୟ ଓ ଥଣ୍ଡା ଜନିତ ଅସୁସ୍ଥତା ସମୟରେ ‘ଥଣ୍ଡା’ ଖାଦ୍ୟକୁ ଖାଇ ନ ଥାନ୍ତି ।

ଏମାନେ ମଧ୍ୟ ଏପରି କେତେକ ଖାଦ୍ୟକୁ ବାଦ୍ ଦିଅନ୍ତି ଯେଉଁଥିରେ ପିଥମ୍ ଅଛି ବୋଲି ଭାବନ୍ତି । ସେମାନେ ମଧ୍ୟ ବିଶ୍ଵାସ କରନ୍ତି ଯେ ସଦ୍ୟ ଜନ୍ମ ଦେଇଥିବା ମାଆମାନଙ୍କ ପାଇଁ କେତେକ ଖାଦ୍ୟ କ୍ଷତିକାରକ। ଏଭୟ ବିଶ୍ଵାସ ଉପକାର କରିବା ପରିବର୍ତ୍ତେ ଅଧିକ କ୍ଷତି କରିଥାଏ । ଫଳରେ ରୋଗରେ ପଡିଥିବା ସମୟରେ ଏଭଳି ବହୁତ ଖାଦ୍ୟ ସେମାନେ ଖାଆନ୍ତି ନାହିଁ ଯାହା ତାଙ୍କୁ ସୁସ୍ଥ ହେବାପାଇଁ ସାହାଯ୍ୟ କରିପାରନ୍ତା ।

ସ୍ଵାସ୍ଥ୍ୟବାନ ବ୍ୟକ୍ତିଙ୍କ ଅପେକ୍ଷା ରୋଗାଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ ପୌଷ୍ଟିକ ତଥା ସ୍ୱାସ୍ଥ୍ୟକାରକ ଖାଦ୍ୟ ଅଧିକ ଦରକାର । ଆମର, କେଉଁ ଖାଦ୍ୟ କ୍ଷତି କରିଥାଏ, ସେ ବିଷୟରେ ବେଶୀ ଚିନ୍ତା ନ କରି, କେଉଁ ଖାଦ୍ୟ ଖାଇ ରୋଗୀ ସୁସ୍ଥ ହୋଇପାରିବ, ସେ ବିଷୟରେ ଅଧିକ ଚିନ୍ତା କରିବା ଉଚିତ୍ । ଉଦାହରଣ ସ୍ୱରୂପ – ଫଳ, ପାରିବା, ଦୁଧ, ମାଂସ, ଅଣ୍ଡା ଏବଂ ମାଛ ଇତ୍ୟାଦି । ସାଧାରଣ ନିୟମ ଅନୁସାରେ –

ସୁସ୍ଥଥିବା ସମୟରେ ଯେଉଁ ଖାଦ୍ୟ ଉପକାରୀ, ଅସୁସ୍ଥତା ସମୟରେ ମଧ୍ୟ ସେହି ଖାଦ୍ୟ ସେତିକି ଉପକାରୀ ।

ଯାହା ସୁସ୍ଥ ଲୋକପାଇଁ କ୍ଷତିକାରକ, ତାହା ଅସୁସ୍ଥ ଥିବା ସମୟରେ ଅଧିକ କ୍ଷତି କରିଥାଏ, ତେଣୁ ଏ ସବୁ ଜିନିଷଠାରୁ ଦୂରେଇ ରହନ୍ତୁ ।

  • ମଦ୍ୟପାନ ଯକୃତ, ପେଟ ଓ ସ୍ନାୟୁ ସମ୍ବନ୍ଧୀୟ ରୋଗ ସୃଷ୍ଟି କରେ ଓ ଏହା ମଧ୍ୟ ସମାଜରେ ଅନେକ ସମସ୍ୟା ସୃଷ୍ଟି କରେ ।
  • ଧୂମପାନ ଦ୍ଵାରା ଲଗାତାର କାଶ, ଫୁସ୍ ଫୁସ୍ ରେ କର୍କଟ ଓ ଅନ୍ୟାନ୍ୟ ସମସ୍ୟା ହୋଇପାରେ ଫୁସ୍ ଫୁସ୍ ରୋଗୀ ଯଥା – ଟି.ବି. (ଯକ୍ଷ୍ମା), ଶ୍ଵାସରୋଗ, ବ୍ରୋଙ୍କାଇଟସ୍ ଓ ଗର୍ଭବତୀ ମହିଳାଙ୍କ ପାଇଁ ଧୂମପାନ ବହୁତ କ୍ଷତିକାରକ ।
  • ଅତ୍ୟଧିକ ତେଲିଆ ଖାଦ୍ୟ, ଲଙ୍କା, ଗରମ ମସଲା ଓ କଫି, ପାକସ୍ଥଳୀ ଓ ଅନ୍ତ୍ରନଳୀରେ ହଜମ ସମ୍ବନ୍ଧୀୟ ସମସ୍ୟା ମାନଙ୍କର କାରଣ ହୋଇଥାଏ ।
  • ଅତ୍ୟଧିକ ମିଠା ଓ ଚିନି ଭୋକ ମାରିଦିଏ, ଦାନ୍ତ ଖରାପ କରେ, ହୃଦରୋଗର ସମ୍ଭାବନା ତଥା ଅନ୍ତ୍ର କର୍କଟର କାରଣ ହୋଇଥାଏ । କିନ୍ତୁ ଅଳ୍ପପରିମାଣର ଚିନି, ରୋଗୀ ତଥା ପୁଷ୍ଟିହୀନ ପିଲାଙ୍କ ପାଇଁ ଶକ୍ତି ଯୋଗାଇଥାଏ ।

ଅଳ୍ପ କେତେକ ରୋଗରେ କେତେକ ବିଶେଷ ପ୍ରକାର ଖାଦ୍ୟ ଖାଇବା ମନା । ଉଦାହରଣସ୍ୱରୂପ, ଉଚ୍ଚରକ୍ତଚାପ, ହୃଦରୋଗ ଓ ପାଦଫୁଲା ହୋଇଥିବା ଲୋକ ଲୁଣ ଖାଇବା ଉଚିତ୍ ନୁହେଁ । ଖାଇଲେ ବି ବହୁତ କମ୍ ପରିମାଣ ଖାଇବା ଉଚିତ୍ । ଅତ୍ୟଧିକ ଲୁଣ କୌଣସି ବ୍ୟକ୍ତି ପାଇଁ ଭଲ ନୁହେଁ । ପେଟର ଘା’ ଓ ବହୁମୁଟ୍ରା ରୋଗ ପାଇଁ ସ୍ଵତନ୍ତ୍ର ଭୋଜନ ଦରକାର ହୋଇଥାଏ ।

ଖାଦ୍ୟ ବିଷୟରେ କେତେକ ଭୁଲ ଧାରଣା

ପିଲା ଜନ୍ମ ପରେ ମା’ର ଖାଦ୍ୟ

  • କେତେକ ସ୍ଥାନରେ ଏକ ବିପଦଜନକ ବିଶ୍ଵାସ ଅଛି ଯେ, ଶିଶୁକୁ ଜନ୍ମ ଦେଲା ପରେ ପରେ ମା’ କେତେକ ପ୍ରକାରର ଖାଦ୍ୟ ଖାଇବା ଉଚିତ୍ ନୁହେଁ । ଏହି ବିଶ୍ଵାସ ଫଳରେ ମାଆମାନେ କେତେକ ପୁଷ୍ଟିକର ଖାଦ୍ୟ ଖାଇବାରୁ ବଞ୍ଚିତ ହୋଇଥାନ୍ତି ଓ କେବଳ ପାଣିଆ ଡାଲି, ଭାତ ତଥା ରୁଟି ଖାଇ ଦୁର୍ବଳ ଓ ରକ୍ତହୀନ ହୋଇଯାଆନ୍ତି ଓ ସଂକ୍ରାମକ ରୋଗରୁ ରକ୍ଷା ପାଇବା ପାଇଁ ପ୍ରତିରୋଧ କ୍ଷମତା କମିଯାଏ ଓ ସେ ମୃତ୍ୟୁବରଣ ମଧ୍ୟ କରିପାରନ୍ତି ।
  • ରକ୍ତପାତ କିମ୍ବା ସଂକ୍ରାମକ ରୋଗ ସହିତ ଲଢିବା ବା ପିଲାକୁ ଅଧିକ କ୍ଷୀର ଦେବାପାଇଁ ଗୋଟିଏ ନବଜାତ ଶିଶୁର ମାଆଙ୍କୁ ଅତ୍ୟଧିକ ପରିମାଣରେ ଶରୀର ଗଠନରେ ସହାୟକାରୀ ଖାଦ୍ୟ ଯଥା – ଶିମ୍ବ, କୁକୁଡାମାଂସ, ଅଣ୍ଡା, ଦୁଗ୍ଧଜାତ ଦ୍ରବ୍ୟ, ମାଛ, ମାଂସ, ଫଳ ଓ ପନିପରିବା ଖାଇବା ଉଚିତ୍ । ଏସବୁ ଖାଦ୍ୟ ତା’ର କିଛି କ୍ଷତି କରି ନ ଥାଏ, ବରଂ ଏହା ତା’ର ସ୍ୱାସ୍ଥ୍ୟ ଭଲ ରଖିଥାଏ ।
  • ଶର୍ଦ୍ଦି, କାଶ ବା ଥଣ୍ଡାରେ ପୀଡିତ ବ୍ୟକ୍ତି କମଳା, ପିଜୁଳୀ ଓ ଅନ୍ୟାନ୍ୟ ଫଳ ଖାଇଲେ କିଛି କ୍ଷତି ହୁଏ ନାହିଁ । ଅପର ପକ୍ଷରେ, କମଳା ଓ ବିଲାତି ବାଇଗଣ ଭଳି ଫଳରେ ଭିଟାମିନ୍ ‘ଗ’ ପ୍ରଚୁର ପରିମାଣରେ ଥାଏ ଓ ଏହା ଥଣ୍ଡା ଓ ଅନ୍ୟାନ୍ୟ ସଂକ୍ରାମକ ରୋଗ କବଳରୁ ରକ୍ଷା କରିଥାଏ ।
  • ଏହା ଠିକ୍ ନୁହେଁ ଯେ ଔଷଧ ଖାଇବା ସମୟରେ ପିଜୁଳୀ ଓ ମସଲା ଖିଆଯିବା କଥା ନୁହେଁ । ଔଷଧ ଖାଉଥାନ୍ତୁ ବା ନ ଖାଉଥାନ୍ତୁ ପେଟ ବା ହଜମ ସମ୍ବନ୍ଧୀୟ ସମସ୍ୟା ଥିଲେ ଚର୍ବି ଓ ମସଲା ଜାତୀୟ ଖାଦ୍ୟ ଖାଇବା କ୍ଷତିକାରକ ।
  • ମାଛ ଓ ମାଂସ ସହିତ କ୍ଷୀର ଖାଇବା ଉଚିତ୍ ନୁହେଁ, ମଧ୍ୟ ସତ୍ୟ ନୁହେଁ ।

ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କର ପୋଷଣ

  • ଗର୍ଭ ଏପରି ଏକ ଅବସ୍ଥା ଯେଉଁଥିରେ ଜଣେ ମହିଳାର ଗର୍ଭରେ ପିଲା ରହିଥାଏ । ଗର୍ଭସ୍ଥ ପିଲା ବଢିବା ପାଇଁ ମା’ର ପୋଷଣ ଉପରେ ନିର୍ଭର କରିଥାଏ । ଯଦି ମା’ ଗର୍ଭ ସମୟରେ ଉପଯୁକ୍ତ ପରିମାଣରେ ଖାଦ୍ୟ ଖାଇ ନ ଥାଏ ତେବେ ପିଲା ଦୁର୍ବଳ ଓ ଛୋଟ ହୋଇ ଜନ୍ମ ହୋଇଥାଏ । ଏହି ଦୁର୍ବଳ ଓ ଛୋଟ ପିଲା ଅଧିକ ସମୟ ଜ୍ଵରରେ ପଡିବାର ସମ୍ଭାବନା ଥାଏ ଓ ପ୍ରାୟ ଅଧିକାଂଶ ମରିଯାଆନ୍ତି । ଏଥି ସହିତ ଏହି ପିଲାମାନେ କୁପୋଷଣର ଶିକାର ହୋଇଥାନ୍ତି । ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା ଖାଦ୍ୟ ଆବଶ୍ୟକ କରିଥାନ୍ତି ।
  • ଜଣେ ମହିଳାର ଖାଦ୍ୟରେ ଶକ୍ତିଦାୟକ ଖାଦ୍ୟ ଯଥା – ଗହମ, ଚାଉଳ, ଶରୀର ଗଠନକାରୀ ଖାଦ୍ୟ ଯଥା – ଡାଲି, ମଟର, ବିନ୍, ସବୁଜ, ପନିପରିବା ଓ ତେଲ ଓ ଶ୍ଵେତସାର ଜାତୀୟ ଖାଦ୍ୟ ରହିବା ଆବଶ୍ୟକ । ଗର୍ଭ ସମୟରେ ପୁଷ୍ଟିକାରକ ଖାଦ୍ୟ ଖାଇବା ଦ୍ଵାରା ସ୍ତନ୍ୟପାନ ସମୟରେ ଶିଶୁପାଇଁ ଆବଶ୍ୟକ ପରିମାଣର କ୍ଷୀର ମା’ଠାରୁ ମିଳିଥାଏ ।
  • ଗର୍ଭ ବା ସ୍ତନ୍ୟପାନ କରାଉଥିବା ମହିଳା ଯଦି କାମ କରୁଥାନ୍ତି ସେ ଅଧିକ ପୁଷ୍ଟିକାରକ ଖାଦ୍ୟ ଖାଇବା ଉଚିତ୍ । ଯାହାଦ୍ଵାରା ମା’ଠାରେ କ୍ଷୀର ଅଧିକ ହୋଇପାରିବ ଓ ପିଲା ଠିକ୍ ଭାବରେ ବଢିପାରିବ ଯଥାସମ୍ଭବ ଅଧିକ ବିଶ୍ରାମ ନେବା ଉଚିତ୍ ।

ପିଲାମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବା

  • ମା’ ବା ଯେ କୌଣସି ବ୍ୟକ୍ତି ପିଲାର ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ନିଜ ହାତ ପାଣି ଓ ସାବୁନରେ ଭଲ ଭାବେ ଧୋଇବା ଉଚିତ୍ । ଅପରିଷ୍କାର ହାତ ଯୋଗୁଁ ହାତରେ ଥିବା ଜୀବାଣୁମାନେ ଖାଦ୍ୟରେ ମିଶିଯାଆନ୍ତି ଯାହାଦ୍ଵାରା ପିଲାକୁ ତରଳ ଝାଡା ହୋଇଥାଏ । ଖାଦ୍ୟ ପ୍ରସ୍ତୁତ କରିସାରିବା ପରେ ଏହାକୁ ଘୋଡାଇ ରଖିବା ଉଚିତ୍ ।
  • ଛୋଟ ପିଲାମାନଙ୍କ ପାଇଁ ସବୁଠାରୁ ଭଲ ଆହାର ପ୍ରଥମ ୪ ମାସ ।

ପିଲା ଜନ୍ମର ପ୍ରଥମ ୪ ମାସ ପିଲା କେବଳ ମା’ କ୍ଷୀର ଖାଇବା ଉଚିତ୍ ।

  • ଶିଶୁମାନଙ୍କ ପାଇଁ ସ୍ତନ୍ୟପାନ ସବୁଠାରୁ ଭଲ ଓ ଶୁଦ୍ଧ ଖାଦ୍ୟ ଅଟେ, ବଜାରରୁ କିଣାଯାଉଥିବା ଯେ କୌଣସି ଶିଶୁ ଖାଦ୍ୟ ଅପେକ୍ଷା ଏହା ଯଥେଷ୍ଟ ଭଲ । ଯଦି ପିଲାକୁ ପ୍ରଥମ ୨ରୁ ୪ ମାସ କେବଳ ମା’ କ୍ଷୀର ପିଆଇବେ ; ତେବେ ଝାଡାବାନ୍ତି ତଥା ଅନ୍ୟାନ୍ୟ ସଂକ୍ରାମକ ରୋଗ ପ୍ରତିରୋଧ ହୋଇପାରିବ ।
  • ଅଧିକାଂଶ ମହିଳାଙ୍କ ସ୍ତନରେ ପିଲାପାଇଁ ଉପଯୁକ୍ତ ପରିମାଣର କ୍ଷୀର ଥାଏ । ପିଲା ଅଧିକ ଥର କ୍ଷୀର ଖାଇଲେ ମା’ଠାରୁ ଏହା ଅଧିକ ବାହାରିଥାଏ ।

ଯଦି ମା ସ୍ତନରୁ ଯଥେଷ୍ଟ କ୍ଷୀର ନମିଳେ

  • ମା’ ବହୁତ ପାଣି ଓ ଅନ୍ୟାନ୍ୟ ତରଳ ପଦାର୍ଥ ପିଇବା ଦରକାର । ସେ ଯେତେ ଅଧିକ ତରଳ ପଦାର୍ଥ ପିଇବେ, ତାଙ୍କ ସ୍ତନରୁ ସେତେ ଅଧିକ କ୍ଷୀର ବାହାରିବ।
  • ମା’ ଭଲ ଖାଇବା ଉଚିତ । ପ୍ରୋଟିନ ଓ ଭିଟାମିନଯୁକ୍ତ ଖାଦ୍ୟ ଯଥା – ଶିମ୍ବ, ସବୁଜ ପନିପରିବା, ଅମୃତଭଣ୍ଡା, ରସୁଣ, ମାଂସ, ଦୁଧ, ଛେନା, ଅଣ୍ଡା, ଶୁଖୁଆ ପ୍ରଭୃତି ଖାଦ୍ୟ, ତା’ର ପିଲାପାଇଁ ଯଥେଷ୍ଟ କ୍ଷୀର ପ୍ରସ୍ତୁତ କରିବାରେ ମା’କୁ ସାହାଯ୍ୟ କରିଥାଏ ।

ଯଦି ମା’ର ସ୍ତନରୁ ଆଦୌ କ୍ଷୀର ନବାହାରେ

  • ଭଲ ଖାଦ୍ୟ ଓ ପ୍ରଚୁର ତରଳ ପଦାର୍ଥ ଆବଶ୍ୟକ । ଶିଶୁକୁ ବାରମ୍ବାର ସ୍ତନ୍ୟପାନ କରାଇବା ମଧ୍ୟ ଆବଶ୍ୟକ । ଏପରି କଲେ ମା’ ସ୍ତନରୁ କ୍ଷୀର ବାହାରିଥାଏ ।
  • ଯଦି ଉପରୋକ୍ତ ଉପାୟ କାମ ନକରେ, ତେବେ ପିଲାକୁ ଅନ୍ୟ କ୍ଷୀର ଯଥା – ଗାଈ କ୍ଷୀର,ଛେଳି କ୍ଷୀର ଓ ଡବା କ୍ଷୀର ଦିଅନ୍ତୁ । ଯେକୌଣସି ପ୍ରକାର କ୍ଷୀରରେ ଅଳ୍ପ କିଛି ଚିନି ମିଶାଇ ପିଲାକୁ ଦିଅନ୍ତୁ । (କୃତ୍ରିମ ଉପାୟରେ ବହଳିଆ କ୍ଷୀର ପିଆନ୍ତୁ ନାହିଁ )।
  • ଯଦି ସର କଢା ହୋଇଥିବା କ୍ଷୀର ବ୍ୟବହାର କରନ୍ତି, ତେବେ ଗୋଟିଏ ଟେବୁଲଚାମଚ ବନସ୍ପତି ବା ଖାଇବା ତେଲ ପକାନ୍ତୁ ।
  • ସବୁ ସମୟରେ କ୍ଷୀର ଓ ପାଣିକୁ ଗରମ କରନ୍ତୁ। କ୍ଷୀରଖିଆ ବୋତଲ ବ୍ୟବହାର କରିବା ଅପେକ୍ଷା ଗୋଟିଏ କପ୍ ଓ ଗୋଟିଏ ଚାମଚରେ ପିଲାକୁ ଖୁଆଇବା ଅଧିକ ନିରାପଦ । ରବର ଓ ବୋତଲକୁ ସଫା ରଖିବାରେ ଅସୁବିଧା ହୋଇପାରେ, ଯାହାଦ୍ୱାରା ଝାଡାବାନ୍ତି ପରି କେତେକ ସଂକ୍ରାମକ ରୋଗ ହୋଇପାରେ । ଯଦି ବୋତଲ ବ୍ୟବହାର କରନ୍ତି ତେବେ ପ୍ରତି ଥର ପିଲାକୁ ଖୁଆଇବା ପୂର୍ବରୁ ବୋତଲ ଓ ରବରକୁ ଗରମ ପାଣିରେ ଧୋଇବା ଦରକାର ।

ବୋତଲରେ କ୍ଷୀର ଖୁଆଇବା ବିପଦଜନକ । ଏହା ଆପଣଙ୍କ ପିଲାକୁ ମାରି ଦେଇପାରେ ।

ଯଦି ପିଲା ପାଇଁ କ୍ଷୀର କିଣିବାପାଇଁ ପଇସା ନାହିଁ ; ତେବେ ଚାଉଳ, ଯଅ ଓ ଅନ୍ୟାନ୍ୟ ଶସ୍ୟ ଜାତୀୟ ଖାଦ୍ୟର ହାଲୱା କରି ଦିଅନ୍ତୁ । ଯଦି ସମ୍ଭବ ହୁଏ, ଏଥିରେ ସବୁ ସମୟରେ ଚୋପା ଛଡା ଶିମ୍ବ ଓ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ମିଶାନ୍ତୁ । ଏସବୁକୁ ଭଲ ଭାବରେ ଚକଟି ତରଳ ଭାବରେ ଦେବା ଦରକାର । ଯଦି ସମ୍ଭବ ଏଥିରେ ତେଲ ବା ଚିନି ମିଶାନ୍ତୁ ।

ଚେତାବନୀ – କେବଳ ଚାଉଳ ବା ଜଅର ପାଣି ପିଲାପାଇଁ ଯଥେଷ୍ଟ ପୁଷ୍ଟିକାରକ ନୁହେଁ । ଏହାଦ୍ଵାରା ପିଲା ଠିକ୍ ଭାବରେ ବଢିପାରେ ନାହିଁ କି ଠିକ୍ ସମୟରେ ଚାଲିପାରେ ନାହିଁ କି କଥା କହିପାରେ ନାହିଁ ଅତି ସହଜରେ ରୋଗାକ୍ରାନ୍ତ ହୋଇଥାଏ ଓ ମରିଯାଇ ପାରେ। ପିଲାକୁ ବିଭିନ୍ନ ପ୍ରକାର ଖାଦ୍ୟର ମିଶ୍ରଣ ଦେବା ଉଚିତ୍ । ଯଅଧାନ ଖାଦ୍ୟ ସହ ସାହାଯ୍ୟକାରୀ ଖାଦ୍ୟ ମିଶାଇ ଖାଇବା ଉଚିତ୍।

୪ ମାସରୁ ୧ ବର୍ଷ ପର୍ଯ୍ୟନ୍ତ

  1. ଯଦି ସମ୍ଭବ ହୁଏ ପିଲାଟି ୨ ବର୍ଷର ହେବା ପର୍ଯ୍ୟନ୍ତ ସ୍ତନ୍ୟପାନ ଚାଲୁରଖନ୍ତୁ ।
  2. ପିଲାଟି ୪ ମାସର ହୋଇଗଲେ ତାକୁ ଅନ୍ୟ ଖାଦ୍ୟ ଦେବା ଆରମ୍ଭ କରନ୍ତୁ । ଏସବୁ ଖାଦ୍ୟ ଭଲଭାବରେ ରନ୍ଧା ହୋଇଥିବା ଦରକାର । ଶିଶୁଟି ପ୍ରଥମେ ପ୍ରଥମେ ଏସବୁ ଖାଦ୍ୟ ଥୁକି ପକାଇଦିଏ, ଏହାର ସ୍ଵାଦ ତା ପାଇଁ ଅଦ୍ଭୁତ ଥାଏ କାରଣ ପୂର୍ବରୁ ସେ ଏ ଖାଦ୍ୟ ଖାଇ ନ ଥାଏ । କିନ୍ତୁ ଛୁଆକୁ ସେ ଖାଦ୍ୟ ଦିଆଯିବା ଉଚିତ୍ ।

ଅତି ଶୀଘ୍ର ଛୁଆଟି ଖାଦ୍ୟକୁ ଆରେଇ ଯିବ ଓ ଖାଇବାକୁ ଆରମ୍ଭ କରିବ । ନିମ୍ନଲିଖିତ ଖାଦ୍ୟ ବିଭାଗରୁ ଗୋଟିଏ ଗୋଟିଏ ନେଇ ଅତି କମ୍ ଖର୍ଚ୍ଚରେ ପିଲାପାଇଁ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରାଯାଇପାରେ ।

ମୁଖ୍ୟ ଖାଦ୍ୟ

ପ୍ରୋଟିନ ଯୁକ୍ତ ଖାଦ୍ୟ

ଶକ୍ତିଦାୟକ ଖାଦ୍ୟ

ଭିଟାମିନ ଓ ଖଣିଜ ସାରଯୁକ୍ତ ଖାଦ୍ୟ

ଗହମ

ଡାଲି

ଚର୍ବି

ଘନ ସବୁଜପତ୍ର ବିଶିଷ୍ଟ

ଚାଉଳ

ମଟର

ତେଲ

ପନିପରିବା

ମାଣ୍ଡିଆ

ଶିମ୍ବ

ଛେନା

ଫଳ

ଯଅ

ଚିନାବାଦାମ

ଘିଅ

ପ୍ରାଣୀଜ ଖାଦ୍ୟ

ବାଜରା

ସୋୟାବିନ

ଲହୁଣି

ଯଥା – ଦୁଧ, ଅଣ୍ଡା, ମାଛ

ଆଳୁ, ଦକ୍ଷିଣି ମୂଳା

ସବୁଜ ପନିପରିବା

ଗୁଡ, ଚିନି, ମହୁ

ମାଂସ

ଶିଶୁକୁ ୪ ମାସ ପୁରିଗଲେ ମା’କ୍ଷୀର ତା’ ପାଇଁ ଯଥେଷ୍ଟ ହୁଏ ନାହିଁ । ତା’କୁ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ଦେବା ଉଚିତ୍ । ନିମ୍ନରେ କେତେକ ଖାଦ୍ୟର ଉଦାହରଣ ଦିଆଗଲା ।

୪ ରୁ ୬ ମାସ

  • ଡାଲି ଓ ବହୁତ ପନିପରିବା ସିଝା ହୋଇଥିବା ପାଣିରେ ଅଳ୍ପ ପରିମାଣରେ କ୍ଷୀର ଓ ଗୁଡ ମିଶାଇ ରାନ୍ଧିକରି ଦିଅନ୍ତୁ । ଭଲ ଭାବରେ ରନ୍ଧା ହୋଇ ମିଶା ଯାଇଥିବା ଡାଲି ସହିତ ରୁଟି ବା ଭାତ ମିଶାଇ ଦିଅନ୍ତୁ ।
  • ଭଲ ଭାବରେ ରନ୍ଧା ହୋଇଥିବା ସବୁଜ ପନିପରିବା ଦିଅନ୍ତୁ ।
  • କଦଳୀ, ଅମୃତଭଣ୍ଡା ଓ ଅନ୍ୟାନ୍ୟ ପାଚିଥିବା ଫଳର ମିଶ୍ରଣ ଦିଅନ୍ତୁ ।
  • ଅଧା ସିଝା ଅଣ୍ଡାର କେଶରକୁ କ୍ଷୀର କିମ୍ବା ରୁଟିରେ ମିଶାଇ ଦିଅନ୍ତୁ । ଡାଲି, ଗହମ, ମାଣ୍ଡିଆ, ଯଅ ତଥା ଅନ୍ୟାନ୍ୟ ଶସ୍ୟର ହାଲୱା ଦିଅନ୍ତୁ ।

୬ ମାସରୁ ୧ ବର୍ଷ

  • ମିଳାଇ ଯାଇଥିବା ଭାତ ସହିତ ଡାଲି, ସବୁଜ ପନିପରିବା, ଦୁଧ, ଅଣ୍ଡା, ଆଳୁ ଓ ପାଚିଲା ଫଳ ଇତ୍ୟାଦି ମିଶାଇ ଦିଅନ୍ତୁ ।

ଚେତାବନୀ – ପିଲାମାନେ ସାଧାରଣତଃ ୬ ମାସରୁ ୧ ବର୍ଷ ମଧ୍ୟରେ ପୁଷ୍ଟିହୀନତା ରୋଗରେ ପଡିଥାନ୍ତି । ଏହାର ବିପଦଜନକ ଲକ୍ଷଣ ପିଲାଙ୍କ ଠାରେ ସବୁବେଳେ ପ୍ରକାଶ ପାଏ ନାହିଁ । ଫଳରେ ଶର୍ଦ୍ଦି, ଥଣ୍ଡା ପରି ସାଧାରଣ ରୋଗ ସେମାନଙ୍କୁ ଅତିଶୟ ଭାବରେ ପୁଷ୍ଟିହୀନ କରିପକାଏ ସେମାନଙ୍କୁ ଅଧିକ ଖାଦ୍ୟ ଦିଆଯିବା ଉଚିତ୍ ।

ଏ ବୟସର ପିଲାମାନଙ୍କୁ ସ୍ୱାସ୍ଥ୍ୟବାନ ରଖିବା ପାଇଁ ସ୍ତନ୍ୟପାନ ଚାଲୁ ରଖନ୍ତୁ । ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ମଧ୍ୟ ଦିଅନ୍ତୁ, ଫୁଟା ପାଣି ପିଇବାକୁ ଦିଅନ୍ତୁ ଏବଂ ପିଲାକୁ ଓ ତା’ର ଚତୁଃପାର୍ଶ୍ଵ ପରିଷ୍କାର ରଖନ୍ତୁ।

  • ଛୋଟ ପିଲାର ପେଟ ଛୋଟ । ଗୋଟିଏ ଥରରେ ସେ ବହୁତ ଖାଦ୍ୟ ଖାଇପାରେ ନାହିଁ । ତେଣୁ ତାକୁ ବାରମ୍ବାର ଖୁଆନ୍ତୁ । ଯେତେ ଖାଦ୍ୟ ଖାଇପାରିବେ ସେତେ ଦିଅନ୍ତୁ । ୬ମାସ ବେଳକୁ ପିଲାଟି ଦିନକୁ ୫ ରୁ ୬ ଥର ଖାଇବା ଉଚିତ୍ ।

ଏକ ବର୍ଷ ବା ତଦୁର୍ଦ୍ଧ୍ଵ

  • ବର୍ଷକର ପିଲା ବଡଲୋକ ଖାଉଥିବା ସବୁ ଖାଦ୍ୟ ଖାଇପାରିବ, କିନ୍ତୁ ଯେତେବେଳେ ସମ୍ଭବ ସେ ମା’ କ୍ଷୀର ପିଇବା ଉଚିତ୍ କିମ୍ବା ପ୍ରତିଦିନ ପିଲାକୁ ସମସ୍ତେ ଯାହା ଖାଉଛନ୍ତି ତା’କୁ ଦିଅନ୍ତୁ ଏହାଦ୍ଵାରା ଶିଶୁକୁ ଖାଦ୍ୟସାର, ଭିଟାମିନ, ଲୌହଅଂଶଯୁକ୍ତ ଓ ଖଣିଜସାର ପ୍ରଚୁର ପରିମାଣରେ ମିଳିଥାଏ ତା’ ହେଲେ ହିଁ ପିଲା ସୁସ୍ଥ ସବଳ ହୋଇବଢିବ ।
  • ପିଲା ଓ ଚକୋଲେଟ – ଛୋଟ ପିଲାଙ୍କୁ ଚକୋଲେଟ, ମିଠାଇ, ସର୍ବତ ଇତ୍ୟାଦି ପିଇବାରେ ଅଭ୍ୟସ୍ତ କରାନ୍ତୁ ନାହିଁ । ଅଧିକ ମିଠା ଜିନିଷ ପାଇଲେ ଅନ୍ୟ ଉପକାରୀ ଖାଦ୍ୟପଦାର୍ଥଗୁଡିକୁ ସେମାନେ ଖାଇବାକୁ ଇଚ୍ଛା କରନ୍ତି ନାହିଁ । ମିଠା, ସେମାନଙ୍କର ଦାନ୍ତ ପାଇଁ ମଧ୍ୟ ଖରାପ ।
  • କିନ୍ତୁ ଯେତେବେଳେ ଖାଦ୍ୟ ମିଳିବା କଷ୍ଟକର ହୁଏ, ସେତେବେଳେ କିଛି ଚିନି ବା ବନସ୍ପତି ତେଲକୁ ଦୁଧ କିମ୍ବା ଅନ୍ୟାନ୍ୟ ଖାଦ୍ୟରେ ମିଶାଇଲେ ସେମାନେ ପୁରା ମାତ୍ରାରେ, ପ୍ରୋଟିନ ପାଇପାରନ୍ତି ।

ଆଧାର ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

3.42857142857
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top