ସେଆର କରନ୍ତୁ

ଚିକିତ୍ସା ବିଭାଗ- ୧

ବିଭିନ୍ନ ରୋଗ ର ଚିକିତ୍ସା ର ସୂଚନା

ବଥ ଓ ବାଳମୂଳିଆ

ବଥ ଓ  ବାଳମୂଳିଆ  ଯଦିଓ  ଏକ  ସାଧାରଣ  କଷ୍ଟ, ତଥାପି  ଖରାଦିନେ  ଏହାର  ପ୍ରାବଲ୍ୟ  ବେଶି  । ଜଣଜଣଙ୍କଠାରେ  ମୁଥମୁଥ  ହୋଇ  ଛୋଟ  ଛୋଟ  ବାଳମୂଳିଆ  ବାହାରି   ବହୁତ  ଯନ୍ତ୍ରଣା   ଦିଏ  । ଦିହ  ମୁଣ୍ଡ  ଦରଜ  ଯେ  ଛୁଇଁ  ହେବନାହିଁ  । ସେଥିରୁ  କେତେକ  ନ ପାଚି  କଇଥା  ପଡିଯାଏ   । ଏଥିରେ  ଆର୍ଣ୍ଣିକା  ଏକ ପ୍ରକାର   ଆମୋଘ  ଔଷଧ   । ଦିନକୁ  ୨-୩ ପାନ  କରି  ୨-୪ ଦିନ  ଦିଅନ୍ତୁ  ଓ  ବାଳମୂଳିଆ  ଗୁଡିକ  ଶୁଖିଗଲେ  ସଲଫର  ଏକ  ପାନ  ଦେଇ  ଦେବେ   । କେତେକ  ସ୍ଥଳରେ  ଦେଖିବେ, ବଥଟି  ଲାଲ ଟକଟକ  କରି  ଖାଲି  ଧକଧକ  କରି  ବ୍ୟଥା  କରିବ, ହାତ  ହାତ  ମାରିଲେ  ଜାଗାଟି  ଖୁବ  ଗରମ, ତେବେ  ବେଲାଡୋନା  ଦିନକୁ  ୩-୪ ଥର  କରିଦିଅନ୍ତୁ   । ଦେଖନ୍ତୁ  ଏହିପରି  ଲାଲ୍  ଦରଜ  ଯେ  କହିଲେ  ନ ସରେ,  ମାତ୍ର  ରୋଗୀ  ବଠଟିକୁ  କେବଳ  ସାଉଁଳୁଥିବ, ସତେ  ଯେପରି  ସେଥିରେ  ସେ  ଆରାମ  ପାଉଛି   । କାରଣ, ବଥ  ଭିତରଟା  ବା  ସେ  ଜାଗାଟା  ଶରଶର  କରୁଥିବ  ଓ  ରାତିହେଲେ  ବିନ୍ଧାଛିଟିକା  ବଢୁଥିବ, ତାହାଲେ  ମର୍କସଲ  ହିଁ  ବ୍ୟବହାର  କରିବେ   । ଯେତେବେଳେ  ଦେଖିବେ  ବଥ  ଜାଗାଟି  ଖୁବ୍  ସ୍ପର୍ଶ  କାତର, ଏତେ  ଦରଜ  ଯେ  ଛୁଇଂବା  ମଧ୍ୟ  କଷ୍ଟ, ସାମାନ୍ୟ  ଉଷୁମ  ଶେକ  ଦେଲେ   ଉପଶମ, ତାହାହେଲେ  ହିପାରସଲଫ  ହିଁ  ଦେବାକୁ  ହେବ   । ମାତ୍ର  ଦେଖିବେ, ଯଦି  ପୂଜ  ହେଇଗଲାଣି, ଜାଗାଟି  ବା  ବଥଟି  ଏତେ  ସ୍ପର୍ଶକାତର  ନୁହେଁ, ଗରମ  ଶେକ  ଦେବାକୁ  ଭଲ  ଲାଗୁଛି, ତାହା  ହେଲେ  ସାଇଲିସିଆ  ପ୍ରୟୋଗରେ   ବଥ  ଫାଟି  ପୂଜ  ବାହାରି  ଶୁଖିଯିବ  । ବେଳେବେଳେ  ଦେଖିବେ   ଗୋଟାକ ପରେ  ଗୋଟାଏ  ବଥ  ବାହାରିବାରେ  ଲାଗିଛି, ଯେପରି  ତାହାର  ଶେଷ  ନାହିଁ, ତାହାହେଲେ  ସଲଫର  ଉଚ୍ଚଶକ୍ତିର  ଗୋଟିଏ  ଦୁଇଟି  ପାନ  ଦେବେ   । ମାତ୍ର,  ରୋଗୀ  ଯଦି  ଖୁବ୍  ଶର୍ଦ୍ଦିପ୍ରବଣ   ହୋଇଥାଏ  ତାହାହେଲେ  ଟ୍ୟୁବରକୁଲିନମ  ଦେବାଟା  ନିତାନ୍ତ  ଜରୁରୀ   । କେତେବେଳେ  ଅବା  ଦେଖିବେ, ବଥ  ବା  ବାଳମୂଳିଆଟି  କଇଥିଆ  ପଡିଯାଇଛି   । ଯେତେ  ଯାହାଦେଲେ  ମଧ୍ୟ  ପାଚୁନାହିଁକି  ବସୁ  ନାହିଁ  ଆର୍ଣ୍ଣିକା  ମଧ୍ୟ  ଫେଲ୍, ଯନ୍ତ୍ରଣା  ବଢି  ବଢି  ଚାଲିଛି, ସେତେବେଳେ  ମାଇରିଷ୍ଟିକା   ଦିନକୁ  ୩-୪ ଥର  ଦେବାକୁ  ହେବ, ଆଉ  ଦେଖିବେ  ୩-୪ ଦିନ  ମଧ୍ୟରେ  ସୁଫଳ  ମିଳିବହିଁ  ମିଳିବ   । ବଥ  ପାଚି  ଆସୁଛି, ବା  ପାଚିବା  ଡେରି  ହେଉଛି, ଅଥବା  ଭଲଭାବରେ   ପୂଜ  ବାହାରୁ  ନାହିଁ,  ତାହାହେଲେ  କାଲେଣ୍ଡୁରା Q  ୨୦-୩୦  ଟୋପା  ଏକକପ୍  ଉଷୁମ  ପାଣିରେ   ପକାଇ, ତୁଳା  ଭିଜାଇ  ବଥ  ଉପରେ  ପକାଇ  ରଖିଲେ   ପୂଜସବୁ  ଟାଣିହୋଇ  ଗୋଟିଏ ଜାଗାରେ  ରହି  ମୁଁ  କରିଦେବ  ଓ ବଥଟି  ଫାଟିଯିବ  ବା  ପୂଜସବୁ  ଟାଣି  ହୋଇ  ବାହାରି  ଯିବ  ।

ତୁଣ୍ଡ ଘା’

ପିଲାମାନଙ୍କର  ଏହା  ଏକ  ସାଧାରଣ  ରୋଗ  । ଯଦିଓ  ଏହା  ସାଧାରଣତଃ  ଗରିବ  ଶ୍ରେଣୀର  ଅଶିକ୍ଷିତ  ଲୋକଙ୍କ  ଘରେ  ଦେଖାଯାଏ, ବୋତଲ ଖିଆ  ଉଚ୍ଚଶ୍ରେଣୀର  ଶିକ୍ଷିତଙ୍କ  ଘରେ  ଏହାର  ପ୍ରାଦୁର୍ଭାବ  କମ୍  ନୁହେଁ   । ଏହାର  ସେଇ  ଗୋଟିଏ  କାରଣ  ମଇଳା  ଅପରିଷ୍କାର   ଜିନିଷ  ପାଟିରେ  ପୁରାଇବା   । ବୋତଲକୁ  ଗରମ  ପାଣିରେ  ଫୁଟାଇ  ଭଲ  କରି  ପରିଷ୍କାର  ନ କରି  ସେଥିରେ  ଯେତେ  ଦାମିକା  କୃତ୍ରିମ  ଖାଦ୍ୟ  ଦେଲେ  ମଧ୍ୟ  ଅବସ୍ଥା  ଯାହା, ଗୋବର  ଲିପା  ମାଟିଘରେ  ଥାଇ  ପିଲା  ଏପଟ  ସେପଟ  ହାତମାରି  ପାଟିରେ  ଆଙ୍ଗୁଳି  ପୂରାଇଲେ  ବା  ଅପରିଷ୍କାର  ସ୍ତନରୁ  କ୍ଷୀରପାନ  କଲେ  ମଧ୍ୟ  ସେଇଆ   । ତଫାତ  କିଛି  ନାହିଁ  ରୋଗ  ପାଖରେ   । ପାଟିରେ  ଲାଳ  ଛାଡିବା  ଠାରୁ  ଆରମ୍ଭକରି  ଛତୁ  ଫୁଟିଲାପରି  ନାନା  ପ୍ରକାରର   ତୁଣ୍ଡ  ଘା’  ହୋଇ  ଛୁଆକୁ   ବିକଳ  ଅବସ୍ଥାରେ   ପକାଏ   । ତୁରନ୍ତ  ଚିକିତ୍ସା  ନ  କଲେ  ଏହି  ତୁଣ୍ଡ  ଘା’  ପେଟ  ଭିତରକୁ  ମଧ୍ୟ  ବ୍ୟାପିଯାଇ  ଶିଶୁର  ଜୀବନ  ଉପରେ  ଆଶଙ୍କା  ସୃଷ୍ଟି  କରିଥାଏ   । ହୋମୀୟପାଥି  ଚିକିତ୍ସାରେ  ଏହାର  ଆଶୁ  ଉପଶମ  ହେବାର  ରେକର୍ଡ  ଅଜସ୍ର   । ଛୁଆର  ପାଟିକୁ  ମହୁରେ  ପୋଛନ୍ତୁ, ଦିନରେ  ଦୁଇ  ତିନିଥର  ଔଷଧ  ଖୁଆନ୍ତୁ   ।

ଏ  ଅବସ୍ଥାରେ  ପିଲା  ଯଦି  ଦୁଗ୍ଧପାନ  ସଙ୍ଗେ  ସଙ୍ଗେ  ଅଇକରି  ଚେକି  ଚେକି  ଛେନାପରି  ବାନ୍ତି  କରି  ପକାଏ  ଓ  ଅତ୍ୟନ୍ତ  ନିସ୍ତେଜ  ହୋଇ  ଶୋଇପଡେ, ନିଦ  ଭାଙ୍ଗିଲେ  ପୁଣି  ଖାଏ  ଓ ପୁନରାୟ ବାନ୍ତିକରି  ଅବଶ   ହୋଇପଡେ, ଓ  ଏଭଳି  ଅବସ୍ଥା  ବାର  ବାର  ହୁଏ; ଜିଭରେ  ଘା’  ହୋଇଥାଏ  ଏବଂ  ଶୁଖିଲା  ଦେଖାଯାଏ; ଅନେକ  ସମୟରେ  ପିଲାକୁ  ପିହୁଳା  ପରି  ଛାଟିନିଏ   । ତେବେ  ଇଥୁଜା – ୩୦ ଦିଅନ୍ତୁ   ।

କିନ୍ତୁ  ଦେଖିବେ  ଏହିଭଳି  ଛେନା  ବାନ୍ତି  କରୁଥିବ, ଜିଭରେ  ଚୂନ  ଲିପିଲାଭଳି  ଧଳା  ସାରା  ବସି  ଯାଇଥିବ, ପିଲା  ଖାଲି  ଚିଡି ଚିଡି  ହେଉଥିବ, ତା  ଆଡକୁ  ଚାହିଁଲେ  ବା  ତା’ ସାଙ୍ଗରେ  ଟିକେ  ଲାଗିଲେ  ରାଗି  ଅଥୟ  କରୁଥିବ, ତାହାହେଲେ  ଏଣ୍ଟିମକ୍ରୁଡ – ୩୦ ଦେବେ   । ବାରମ୍ବାର ଅତ୍ୟନ୍ତ  ଦୁର୍ଗନ୍ଧ  ଝାଡାରେ  ଦୁର୍ବଳ  ହୋଇଯାଇଥିବା  ସତ୍ତ୍ୱେ  ପିଲା  ଅତ୍ୟନ୍ତ  ଅସ୍ଥିର, ସବୁବେଳେ  ଖାଲି  ହୋଇ  ଉଠାଉଥିବ, ଦିନ  ବା  ରାତି, ଗୋଟାକରୁ  ଦୁଇଟା  ଭିତରେ ଖାଇବା  ସଙ୍ଗେ  ସଙ୍ଗେ  ବାନ୍ତି  କରି  ପକାଉଥିବା  ପିଲାର  ସାଂଘାତିକ  ତୁଣ୍ଡ  ଘା’  ଯଦି  ଛତୁ  ଫୁଟିଲା  ଭଳି  ହୋଇଥିବ  ଓ  ମୁହଁରୁ  ଦୁର୍ଗନ୍ଧ  ବାହାରୁଥିବ  ତାହାହେଲେ  ଆର୍ସେନିକ  ଆଲବମ – ୬ ଦେବେ  ।

ଅନେକ  କିନ୍ତୁ  ପିଲାଙ୍କର  ତୁଣ୍ଡ  ଘା’ ରେ  ଆଖିବୁଜି  ବୋରାକ୍ସ – ୬ ଖାଇବାକୁ  ଦେଇ  ମହୁରେ  ଟାଙ୍ଗଣାଖଇ  ଫେଣ୍ଟି  ଜିଭରେ  ଲଗାଇ  ଭଲ  ଫଳ  ପାଆନ୍ତି  ବୋଲି  କହିଥାନ୍ତି  । କିନ୍ତୁ  ବୋରାକ୍ସର  ଲକ୍ଷଣ  ନ ଥିଲେ  ହୋମିଓ ପାଠ୍ୟ  ମତରେ  ଏହା  ଦେବା  ସଙ୍ଗତ  ହୁଏନା  । ତାହାର  ଲକ୍ଷଣ  ହେଉଛି ଛତୁ  ଫୁଟିଲା  ପରି  ଧଳା  ଦେଖାଯାଉଥିବା   ଜିଭଟି  ପୋଛିଲେ  ରକ୍ତ  ବାହାରୁଥିବ, ପିଲାର  ଜିଭ  ଓ  ପାଟି  ଏତେ  ସ୍ପର୍ଶକାତର  ହୋଇଥିବ  ଯେ, ନାଁ  ସେ  ହାତ  ମରେଇ  ଦେବ  ପୋଛିବାପାଇଁ, ନା ବୋତଲ  ବା  ମା’ ସ୍ତନରୁ କ୍ଷୀର  ଟାଣି  ପାରିବ   । ପାଟି  ଭିତରୁ  ଗରମ  ବାହାରୁଥିବ  । ସାମାନ୍ୟ  ହଲଚଲରେ  ପିଲା  ଚମକି  ଉଠୁଥିବ  । ଶେଯରେ   ଶୁଆଇବାକୁ  ଗଲାବେଳେ  ଚମକି  ପଡି  ମା’କୁ  ଜାବୁଡି  ଧରୁଥିବ   ।

କ୍ୟାମୋମିଲା- ୧୨ ଅତ୍ୟନ୍ତ  ରାଗି  ପିଲାର  ତୁଣ୍ଡ  ଘା’  ରେ  ଲାଗିବ  । କୌଣସି  ପ୍ରକାର  ଉଷୁମ  ଖାଦ୍ୟ  ସେ  ଖାଇପାରିବ  ନାହିଁ   ଯାହାକି  ଆର୍ସେନିକର   ସମ୍ପୂର୍ଣ୍ଣ  ବିପରୀତ   । ଆର୍ସେନିକ  ଥଣ୍ଡା  ଆଦୌ  ଖାଇ  ପାରିବ  ନାହିଁ   । କ୍ୟାମୋମିଲା  କୋଳଛଡା  ଶେଯରେ  ରହିବ  ନାହିଁ  । ବରଂ  ବାରମ୍ବାର  ଜଣକଠାରୁ  ଅନ୍ୟଜଣକ  ପାଖକୁ  ଯିବାକୁ  ଚାହିଁବ   । ସବୁଜ  ପଚା  ଦୁର୍ଗନ୍ଧଯୁକ୍ତ  ଝାଡା  ହେଉଥିବ  ।

ତୁଣ୍ଡ  ଘା’ , ପ୍ରଚୁର  ଲାଳସ୍ରାବ  ହେଉଥିବ, ରାତିସାରା  ପିଲା  ବ୍ୟସ୍ତ   କରୁଥିବ   । ଜିଭ ଓ  ପାଟି  ଭିତରେ  କ୍ଷତଭଳି  ହୋଇ  ତାହା  ଉପରେ  ମୋଟା  ଚର୍ବିଭଳି   ବସିଥିବ, ସଫାକଲେ  ମଧ୍ୟ  ଯିବ  ନାହିଁ   । ମାଢିରୁ  ରକ୍ତ  ପଡୁଥିବ ; ତାହା  ସହିତ  ନାଳ  ନାଳ  ବା  ନାଳରକ୍ତ  ମିଶା   ଶୂଳାଝାଡା  ହେଉଥିବ, ତାହାହେଲେ  ମର୍କସଲ – ୬ ଦିଆଯିବା  ଆବଶ୍ୟକ    ।

ଅନେକ  ସମୟରେ, ବିଶେଷତଃ  ଖରାଦିନେ  ଛୁଆର  ପାଟିରେ  ଛାଲ  ଛାଡିଲାଭଳି  ମନ୍ଦା  ମନ୍ଦା  ଦାଗ  ଥିବ, ବହୁତ  ପାଣି  ପିଉଥିବ  ଅଥଚ  ବଡ  ଟାଣ  ଲଣ୍ଡି  ପାଇଖାନା  ହେଉଥିବ  । ତାହାହେଲେ  ନେଟ୍ରାମମ୍ୟୁର – ୩୦ ଦେବେ  । ନେଟ୍ରାମମ୍ୟୁରର  ପିଲେ  ଦେଖିବେ  ସବୁବେଳେ  ଟିକେ  ଟିକେ  ଗୋଡାଲୁଣ  ନେଇ  ପାଟିରେ   ପୁରାଉଥିବେ  ।

ପିଲାଙ୍କ  ତୁଣ୍ଡ ଘା’ରେ  ବାପ୍ଟିସିଆ – ୬ ମଧ୍ୟ  ବେଶ୍  ଭଲକାମ  କରେ   । ଏହାର  ମୁହଁ  ତ  ଦୁର୍ଗନ୍ଧ  ନିଶ୍ଚୟ, ଝାଡା  ମଧ୍ୟ  ତା’ଠାରୁ  ଅଧିକ   । ରୋଗୀ  କେବଳ  ତରଳ  ଖାଦ୍ୟ   ଛଡା  ଅନ୍ୟକିଛି  ଗିଳି   ପାରେନା   । ସାମାନ୍ୟ  ଟାଣ  ଜିନିଷ  ଗିଳିଲେ  ହିଁ ବାନ୍ତି  କରିପକାନ୍ତି,

ସତେ  ଯେପରି  ଅଧାବାଟରୁ  ବାହାରି  ଆସୁଛି   । ପାଟିରୁ  ଦୁର୍ଗନ୍ଧ  ଲାଳ  ବୋହୁଥାଏ  । ଏହାଏପରି   ଦୁର୍ଗନ୍ଧ  ଯେ  ରୋଗୀ  ନିଜେ  ମଧ୍ୟ  ତାହା  ଢୋକିବାକୁ  ଘୃଣାବୋଧ   କରେ   ।

ଏସବୁ  କ୍ଷେତ୍ରରେ  କିନ୍ତୁ  ବାଇଓକେମିକର   କେଲିମ୍ୟୁର  3X  ଚୂର୍ଣ୍ଣ  ମହୁରେ  ଗୋଳାଇ  ଜିଭରେ   ମାରିଲେ   ବା  ପିଲାକୁ  ଚଟାଇଲେ  ବେଶ୍  ଭଲ  ଫଳ  ମିଳିଥାଏ   ଯଦି  ତୁଣ୍ଡ  ଘା’  ଧଳା  ଦେଖାଯାଉଥାଏ   ।

ତୁଣ୍ଡ ଘା’ର  ଅତି  ସାଂଘାତିକ  ଅବସ୍ଥା, ଯେତେବେଳେ  ପାଟିର  ଲାଳ  ଖୁବ୍  କ୍ଷତକାରୀ  ହୋଇଯାଏ, ଯେଉଁଠି  ଲାଗିବ  ଘା’  ହୋଇଯିବ ;  ଜିଭ  ଫୁଲି  ଯାଇଥିବ, ମୁହଁରୁ  ଦୁର୍ଗନ୍ଧ  ବାହାରୁଥିବ, ପିଲା  ବହୁତ  ଅବସନ୍ନ   ହୋଇପଡ଼ିଥିବ, ତାହାହେଲେ  କେଲିକ୍ଲୋର – ୬ ଦେବାକୁ  ଭୁଲିବେ  ନାହିଁ   । ଅବଶ୍ୟ, ଅବସାଦ  ଅତି  ସାଂଘାତିକ, ଜିଭରେ  ଗଭୀର  କ୍ଷତ  ଥିବ; ଜିଭ  ଶୁଖି  ଚମଡା  ଭଳି  ରହିଥିବ,  ମାଢି  ଓ ପାଟି  ଭିତର  ଓ  ଜିଭ  ତଳ  ଗ୍ରନ୍ଥି  ସବୁ  ଫୁଲି  ଯାଇଥିବ, ତେବେ  ଏସିଡମ୍ୟୁର – ୬ ସେଭଳି  ଅବସ୍ଥାରୁ  ରକ୍ଷା   କରିବାକୁ  ହିଁ  ସକ୍ଷମ  ।

ଗଣ୍ଠିବାତ

ଏହା  ଏକ  ଏପରି  ଧାତୁଗତ  ରୋଗ   ଯେ  ବାୟୁମଣ୍ଡଳରେ  ଆର୍ଦ୍ରତା   ବଢିବା  ସଙ୍ଗେ  ସଙ୍ଗେ  ଏ  ରୋଗରେ  ଭୋଗୁଥିବା   ଲୋକର  ସମସ୍ତ  କଷ୍ଟ   ବଢିଯାଏ  । ଏପରିକି  ଶାରୀରିକ  ପରିଶ୍ରମ  ପରେ   ଝାଳ  ଶୁଖିବା  ପୂର୍ବରୁ  ଯଦି  ଧୁଆଧୋଇ  ହୋଇପଡନ୍ତି  ବା  ହଠାତ୍ ଏୟାରକଣ୍ଡିସନର  ପାଖରେ  ବସି  ଝାଳ  ମାରି  ଦିଆଯାଏ ତ’ହେଲେ  ମଧ୍ୟ  ଏ  ରୋଗର  କଷ୍ଟ  ବଢିଯାଏ   । ଏହିସବୁ  ବିଶେଷ  ଗୁଣ  ଥିବାରୁ  ଏ  ରୋଗଟି  ବର୍ଷାକାଳରେ  ବିଶେଷଭାବରେ  ଦୃଶ୍ୟ ହୋଇଥାଏ   ।

ଅନେକ  ସମୟରେ  ଦେଖିବେ  ଆକାଶରେ  ମେଘ  ଦେଖାଗଲେ  ହିଁ  ଗଣ୍ଠିସବୁ  ଦରଜ  ହୋଇଯିବ   । ବର୍ଷା  ହେଲେ  ତ କଥା   ସରିଲା  । ମେଘ  ସହିତ  ଏ  ରୋଗୀମାନେ   ଏପରି  ସମ୍ପୃକ୍ତ  ହୋଇପଡନ୍ତି  ଯେ  ଏମାନେ  ଠିକଣା  ଭାବରେ  ବର୍ଷାର  ଭବିଷ୍ୟତବାଣୀ  କରିପାରନ୍ତି   । ଏହା  କେବଳ  ବହି  କଥା  ନୁହେଁ  ବ ଆଈମା’ ଗପ  ନୁହେଁ   । ମୋର  ଜଣେ  ଏପରି  ରୋଗୀ  ଅଛନ୍ତି  ଯେ କି  ରୋଡୋଡେଣ୍ଡ୍ରେନ – ୨୦୦ ରେ ବେଶ୍  ଉପଶମ  ଅନୁଭବ  କରୁଛନ୍ତି   । ଏହା  ଦେଖିବାର   କଥା ଯେ  ଗଣ୍ଠିଗୁଡିକରେ  ଯେତେ  ପୀଡା  ବଢେ  ଓ  ଫୁଲେ, ରୋଗୀ  ସେତେ  ବ୍ୟସ୍ତ  ଓ  ସବୁବେଳେ  ଖାଲି  ଏପଟ  ସେପଟ  ହେଉଥିବେ, ନଚେତ   ଧୀରେ  ଧୀରେ  ଚାଲବୁଲ  କରୁଥିବେ, ବିଶ୍ରାମରେ  ସତେ  ଯେପରି  କଷ୍ଟ  ଆହୁରି  ବଢି  ଯାଇଛି  । ଗରମ  ସେକରେ  ଟିକେ  ଆରାମ ମିଳେ   ।

ଠିକ୍  ଏହିଭଳି   ଅବସ୍ଥା  ରସଟକ୍ସରେ  ମଧ୍ୟ   । ଅବଶ୍ୟ  କଷ୍ଟ  ସହିତ  ଜ୍ଵର  ଥିବ   । ଗଣ୍ଠିସବୁ  ଛଡା  ଦେହର  ସର୍ବାଙ୍ଗ  ଛେଚିକୁଟି  ହେଉଥିବ   । ସନ୍ତସନ୍ତିଆ  ଜାଗାରେ   ରହିବା  ହେତୁ,  ବର୍ଷାରେ  ବହୁତ  ସମୟ  ଭିଜିବା  ଦ୍ଵାରା  ଝାଳ  ବୋହୁଥିବା  ସମୟରେ  ହଠାତ୍  ଗାଧୋଇ  ପଡି  ବା  ଏୟାରକୁଲର  ପାଖରେ  ବସି  ଝାଳ  ଝାଳ  ମାରିଦେବା  ଦ୍ଵାରା  ଯଦି  କଷ୍ଟ  ଆରମ୍ଭ  ହୁଏ  ଜ୍ଵର  ହୋଇ, ତେବେ  ରସଟକ୍ସ – ୨୦୦ ର  ୩/୪  ଘଣ୍ଟା  ବ୍ୟବଧାନରେ   ପ୍ରୟୋଗ  ଖୁବ୍  ଶୀଘ୍ର  ଉପଶମ  ଆଣିଦିଏ  । ଏ ରୋଗୀ  ଗରମ  ସେକରେ  ଉପଶମ   ପାଏ   । ବୁଲାଚଲା  କଲେ  ସାମାନ୍ୟ  ଆରାମ  ଅନୁଭବ  କଲେ  ମଧ୍ୟ  ଚାଲିବା  ଆରମ୍ଭ  କରିବା  ହିଁ  ଏକ  ସାଂଘାତିକ  କଷ୍ଟକର  ବ୍ୟାପାର   । ପରେ  ପରେ  ଅବଶ୍ୟ  କଷ୍ଟ  କମିଆସେ   ।

ବ୍ରାୟୋନିଆ କିନ୍ତୁ  ଏହାର  ଠିକ୍  ଓଲଟା  । ରୋଗୀ  ଚୁପଚାପ  ପଡି  ରହିଥିବ   । ସାମାନ୍ୟ  ହଲଚଲରେ  ସାଂଘାତିକ  କଷ୍ଟ   । ଜ୍ଵର  ସହିତ  ଖୁବ୍  ଶୋଷ  ଥିବ   । କୋଷ୍ଠକାଠିନ୍ୟ   କହିଲେ  ନ  ସରେ  । ଝାଡାର  ବେଗ  ତ ନ ଥିବ, ହେଲେ  ମଧ୍ୟ  ବହୁତ  ଟାଣ  ଓ  କଷ୍ଟକର   ।

କେତେକ  କ୍ଷେତ୍ରରେ  ଦେଖାଯାଏ  ପାଦର  ଗଣ୍ଠିସବୁରେ   ଆଗ  ଆରମ୍ଭ   ହୋଇ  ଉପର  ଆଡକୁ  ଧୀରେ  ଧୀରେ  ଗଣ୍ଠି  ସବୁ  ଧରିବାକୁ  ଆରମ୍ଭ  କରେ  । ଗଣ୍ଠିସବୁ  ଫୁଲିଥିଲେ   ମଧ୍ୟ  ହାତକୁ  ଥଣ୍ଡା  ଲାଗେ, ଅଥଚ  ରୋଗୀ  ସବୁବେଳେ  ପାଣିକନା  ଗୁଡାଇ   ବସି  ରହେ   । ଗରମ  ସେକରେ  କଷ୍ଟ  ବଢେ   । ଏଭଳି  ରୋଗୀ  ଲିଡମ- ୩୦ରେ  ବେଶ୍  ଆରାମ  ପାଆନ୍ତି   ।

ପାଲସେଟିଲା  ରୋଗୀ  କିନ୍ତୁ  ଆଉ  ପ୍ରକାରେ   । କେତେବେଳେ  କେଉଁ  ଗଣ୍ଠି  ଧରିବ  କହିବା  ମୁସ୍କିଲ  । ଗରମ  ଭଲ  ପାଏ  ନାହିଁ,  ଯଦିଓ  ପୀଡା  ଯେତେ  ବଢେ  ଶୀତଭାବ  ମଧ୍ୟ  ଅନୁରୂପ  ଭାବରେ   ବଢିଥାଏ   । ସର୍ବଦା   ଜ୍ଵରଭାବ  ସହିତ  ପାଟି  ଶୁଖି  ଯାଉଥିବ, ହେଲେ  ପାଣି  ପିଇବାକୁ  ଇଚ୍ଛା  ନ ଥିବ  ବା  ପାଣି  ଭଲ  ଲାଗୁ  ନ ଥିବ  । ଖୋଲା ପବନରେ   ସେ  ସାମାନ୍ୟ  ଉପଶମ  ମନେ  କରୁଥିବ  । ନିବୁଜ  ଘରେ  ଯେପରି  ରୁନ୍ଧି  ହୋଇଗଲା  ଭଳି  ସେ  ମନେ  କରୁଥିବ   ।

ଫାଇଟୋଲାକା – ୩୦ – ୨୦୦ ଏକ  ଅଦ୍ଭୁତ  ଔଷଧ   । ଟନସିଲ   ଦୋଷରୁ  ଯଦି  ଏ  ରୋଗ  ହୋଇ  ବର୍ଷାକାଳରେ  ବାଢୁଥିବ,  ଗରମ ସେକ  ଜମା  ଭଲ  ଲାଗୁ  ନ  ଥିବ, ଡାହାଣପଟର   ଗଣ୍ଠିସବୁ  ବେଶି  କଷ୍ଟ  ହେଉଥିବ, ବିଶେଷକରି  ଡାହାଣ  କାନ୍ଧ  ଓ  ଖୁଆ  ଯଦି  ଆକ୍ରାନ୍ତ   ହୋଇଥିବ  ଏହା  ତୁରନ୍ତ  ଉପଶମ  ଦେବ   ।

ଖୁବ୍ ମୋଟାସୋଟା  ଲୋକର  ଏକକାଳୀନ  ବହୁ  ଗଣ୍ଠିରେ  ପୀଡା  ପ୍ରକାଶ  ପାଇ, ଗୋଟାକପରେ  ଗୋଟାଏ  ଗଣ୍ଠିକୁ  ଘନଘନ  ସ୍ଥାନ  ପରିବର୍ତ୍ତନ  କରୁଥିବ  ଓ  ରୋଗୀର  ସବୁବେଳେ  ଦେହ  ବୁଲେଇ  ହେଉଥିବ, ଯେ  କୌଣସି   ଖାଦ୍ୟଦ୍ରବ୍ୟର  ଗନ୍ଧ   ଆସିଲେ  ହିଁ  ବାନ୍ତି  ଲାଗୁଥିବ, ତାହାହେଲେ  କଲ୍ ଚିକମ୍ – ୩୦ ପ୍ରତି  ୩/୪ ଘଣ୍ଟାରେ  ପାନେ  କରି  ଦେବେ  । ରୋଗର  ଅତ୍ୟନ୍ତ  ତରୁଣାବସ୍ଥାରେ   ଯେତେବେଳେ   ଗଣ୍ଠିସବୁ  ଫୁଲିଥିବ, ଲାଲ  ଦେଖାଯାଇ  ଗରମ  ହୋଇଥିବ  ଓ  ଖୁବ  ଦରଜ   ହୋଇ  ଜ୍ଵର   ଥିବ, ସାମାନ୍ୟ  ନଡାଚଡାରେ   ରୋଗୀ  ଖାଲି  ଚିତ୍କାର  କରୁଥିବ  ଓ  ନାଳୁଆ  ଝାଡା  ହେଉଥିବ  ସେତେବେଳେ  ଏହି  ଔଷଧର  ସମକକ୍ଷ  କ୍ଵଚିତ  ଔଷଧ  ଅଛି   । ଗୋଟିଏ  କଥା  ଆହୁରି   ଲକ୍ଷ୍ୟ  କରିବାର  କଥା  ଯେ  ସଞ୍ଜ  ନଇଁଲେ  ହିଁ  ଏ  ରୋଗର  ବିପତ୍ତି  ଆସେ  ଓ  ରାତି  ସମୟ  ହେଉଛି  ଏହା  ପକ୍ଷରେ  ଏକ  ମାରାତ୍ମକ  ସମୟ  । ରୋଗୀ  ପ୍ରମାଦ  ଗଣେ   ।

ଡଲ୍ କାମେରା କଥା  ନ କହିଲେ  ଅସମ୍ପୂର୍ଣ୍ଣ  ହୋଇଯିବ  । ମେଘୁଆ  ଦିନ, ପାଗ  ପରିବର୍ତ୍ତନ  ବା  ବାୟୁମଣ୍ଡଳର  ଉତ୍ତାପର  ଘନ  ଘନ  ପରିବର୍ତ୍ତନରେ  ଏହି  ରୋଗର  ବୃଦ୍ଧି   ଘଟେ   । ତଥାପି  କୌଣସି  ଚର୍ମରୋଗ  ହେବାପରେ  ଏହା  ଆରମ୍ଭ  ହୋଇଥିଲେ  ଓ  ଉଦାରମୟ  ବା  ନାଳ  ଝାଡା  ସହିତ   ଅଦଳ ବଦଳ  ପରି  ଗଣ୍ଠିବାଟ  ଦେଖାଯାଉଥିଲେ   ଏହି  ଔଷଧକୁ  ଭୁଲିବା  କଥା  ନୁହେଁ   ।

ଏ  ରୋଗ  ପୁରୁଣା  ହୋଇଗଲେ  ଭଲହେବା  ଏକ  ଦୁଷ୍କର  ବ୍ୟାପାର   । ଥୁଜା, ମେଡୋରିନାମ, କଷ୍ଟିକମ, କେଲିବାଇକ୍ରୋମିକମ, ଲାଇକୋପୋଡିୟାମ  ଭଳି  ଖୁବ୍  ଗଭୀର  କ୍ରିୟାଶୀଳ  ଔଷଧମାନଙ୍କର  ଉପଯୁକ୍ତ  ପ୍ରୟୋଗ  ଓ  ଦୀର୍ଘଦିନ  ଧୈର୍ଯ୍ୟର  ସହିତ  ଚିକିତ୍ସାରେ  ଅନେକ  ପରିମାଣରେ  ଏ  ରୋଗର  ଉପଶମ  ହୋଇଥାଏ   । ଅମ୍ଳଜାତୀୟ  ଖାଦ୍ୟ, ଫ୍ରିଜରେ  ଥିବା  ଖାଦ୍ୟ, ଆଇସକ୍ରିମ, କୋଲଡ୍  ଡ୍ରିଂକସ୍ ଓ  ଏୟାର  କୁଲାର  ବ୍ୟବହାର  ଏ  ଜାତୀୟ  ରୋଗୀମାନଙ୍କର  ସର୍ବାଦୌ  ବର୍ଜନୀୟ   ।

ସଂଗୃହୀତ – ଡାକ୍ତର  କମଳାକାନ୍ତ  କର

3.02272727273
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top