ସେଆର କରନ୍ତୁ

‘ଅର୍ଗାନନ୍ – ପ୍ରଥମ ସଂସ୍କରଣ ମୁଖବନ୍ଧ’

‘ଅର୍ଗାନନ୍ – ପ୍ରଥମ ସଂସ୍କରଣ ମୁଖବନ୍ଧ’ ସୂଚନା

ଉପକ୍ରମ

ଏହା  ସର୍ବଯୁଗ  ସ୍ଵୀକୃତ  ଯେ  ଚିକିତ୍ସା   ବିଦ୍ୟାକୁ  ବାଦଦେଲେ  ସର୍ବସମ୍ମତ  ଭାବରେ  ଏତେଟା  ଅନୁମାନ  ଉପରେ  ସିଦ୍ଧାନ୍ତ  ଗ୍ରହଣ  କରୁଥିବା  କଳା  ଅନ୍ୟ  କୌଣସି  ବୃତ୍ତିରେ  ନାହିଁ  । ସୁତରାଂ  ଏ  ସଂସାରରେ  ମନୁଷ୍ୟର  ସର୍ବାପେକ୍ଷା  ଅମୂଲ୍ୟ  ସମ୍ପଦ, ତା’ର  ସ୍ୱାସ୍ଥ୍ୟ, ଯାହା ଉପରେ  ନିର୍ଭର କରେ, ତାହାର  ଭିତ୍ତି  ସୁପ୍ରତିଷ୍ଠିତ  କି ନୁହେଁ, ସେ  ସମ୍ବନ୍ଧରେ ଟିକିନିଖି ଅନୁସନ୍ଧାନ  କରିବା  ପାଇଁ  ବାରଣ  କରିବାର  ହକ୍  କାହାରି  ତିଳେ   ହେଲେ  ନାହିଁ   ।

ବର୍ତ୍ତମାନ  ସମୟରେ  ମୁଁ ହିଁ  କେବଳ  ଏକମାତ୍ର ବ୍ୟକ୍ତି, ଯେ’କି  ଅତ୍ୟନ୍ତ  ଆନ୍ତରିକତା  ଓ  ସାଧୁତାର  ସହିତ  ଏହାର  ଅନୁସନ୍ଧାନରେ  ନିୟୋଜିତ  ଏବଂ  ତାହାରି  ପ୍ରତ୍ୟୟର  ଫଳାଫଳ  ଲିଖିତଭାବରେ, କେତେକ  ଆପଣା  ନାମରେ  ଓ  କେତେକ  ବିନା  ନାମରେ  ଜଗତ୍  ସମକ୍ଷରେ   ପ୍ରକାଶ  କରିଥିବାରୁ   ମୁଁ  ନିଜକୁ  ଗୌରବାନ୍ଵିତ   ମନେକରେ   ।

ଏହି  ଅନୁସନ୍ଧାନ  ମଧ୍ୟରେ  ମୁଁ  ସତ୍ୟର  ପଥ  ଦେଖିବାକୁ  ପାଇଛି   । କିନ୍ତୁ, ଚିରାଚରିତ  ଚିକିତ୍ସାର  ସାଧାରଣ  ରାଜପଥଠାରୁ  ବହୁ  ଦୂରରେ  ସେ  ପଥ  ଏକାକୀ  ଚାଲିବାକୁ   ପଡିଛି  ମୋତେ   । ଯେତେ  ବେଶି  ମୋର  ସିଦ୍ଧାନ୍ତସକଳ  (ଅଭିଜ୍ଞତା  ଦ୍ଵାରା  ଅସମର୍ଥିତ  ଗୋଟିଏ  ହେଲେ  ମଧ୍ୟ  ଯାହା  ମୁଁ  ଗ୍ରହଣ  କରି  ନାହିଁ)   ଲୋକମତ   ଦ୍ଵାରା  ନିର୍ମିତ  ତଥା  କେବଳ  ଜନମତ  ଦ୍ଵାରା  ପରିପୁଷ୍ଟ  ପୁରାତନ  ଚିନ୍ତାର  ଅଟ୍ଟାଳିକାଠାରୁ  ମୋତେ  ଦୂରେଇ  ନେଇଛି, ସେତେ  ବେଶି  ମୁଁ  ସତ୍ୟ  ପରେ  ସତ୍ୟ  ଆଡକୁ  ଆଗେଇ  ଚାଲିଛି   ।

ମୋରି  ପ୍ରତ୍ୟୟର  ସମସ୍ତ  ଫଳାଫଳ  ଏହି  ଗ୍ରନ୍ଥରେ  ଲିପିବଦ୍ଧ   । ଯେଉଁ  ଚିକିତ୍ସକ  ଗୋଷ୍ଠୀ  ବିବେକାନୁସାରେ  ତଥା  ସ୍ଵ - ଜାତୀୟଗଣଙ୍କ   ଦ୍ଵାରା  ନିଷ୍ଠାର  ସହିତ  କାର୍ଯ୍ୟ  କରିବାକୁ  ଇଚ୍ଛୁକ, ସେମାନେ  ସେହି  କାଳ୍ପିକ  ତଥା  ଅନୁମାନସିଦ୍ଧ   ମାରାତ୍ମକ  ତନ୍ତୁରେ  ଝୁଲି  ରହିଥିବେ, କି  ମଙ୍ଗଳକର  ଚିରନ୍ତନ  ସତ୍ୟ  ଆଡକୁ  ଦୃଷ୍ଟି   ଫେରାଇବେ, ଏହା  ହିଁ  କେବଳ  ବର୍ତ୍ତମାନ  ଦେଖିବାକୁ  ବାକି  ରହିଛି   ।

ମୁଁ  ପାଠକଗଣଙ୍କୁ   ସାବଧାନ  କରାଇଦେବା  ଉଚିତ  ମାନେ  କରୁଅଛି  ଯେ, ଆଳସ୍ୟ, ଆରାମପ୍ରିୟତା   ଓ  ଅନମନୀୟତା  ସତ୍ୟର  ଯଜ୍ଞ  ବେଦିକାରେ  ଫଳପ୍ରଦ  ସେବା  ପାଇଁ  ବାଧା  ସୃଷ୍ଟି  କରିଥାଏ   । କେବଳ  ବଦ୍ଧଧାରଣାରୁ  ନିବୃତ୍ତି  ଏବଂ  ଅବିଶ୍ରାନ୍ତି  ଉତ୍ସାହ, ସମସ୍ତ  ମାନବିକ  କାର୍ଯ୍ୟ  ମଧ୍ୟରେ  ପବିତ୍ରତମ  ‘ପ୍ରକୃତ  ଚିକିତ୍ସା’ କାର୍ଯ୍ୟରେ  ବ୍ରତୀ  ହେବାପାଇଁ  ତ୍ୱରାନ୍ୱିତ   କରିଥାଏ   । ଯେଉଁ  ଚିକିତ୍ସକ  ଏହି  ଭାବନା  ନେଇ  ତାଙ୍କ  କାର୍ଯ୍ୟରେ  ବ୍ରତୀ  ଓ  ଯାହାଙ୍କର  ଆଶୀର୍ବାଦ  ଦ୍ଵାରା  ସେ  ଧନ୍ୟ, ସେହି  ପରମ  ଜଗତକାରୁଣିକଙ୍କ  ଠାରେ  ସେ  ସାକ୍ଷାତରେ  ଯୁକ୍ତ  ହୋଇଥା’ନ୍ତି    ।

ଭାଷ୍ୟ

କେତେ  ଗଭୀର  ଭାବରେ  ଜଗତର  ରୋଗକ୍ଳିଷ୍ଟ  ମାନବ   ସମାଜ  ପ୍ରତି  ଋଷିପ୍ରତିମ  ଡା : ସାମୁଏଲ  ହ୍ୟାନିମାନ  ଚିନ୍ତା  କରୁଥିଲେ, “ଅର୍ଗାନନ୍”  ଗ୍ରନ୍ଥର  ପ୍ରଥମ  ସଂସ୍କରଣରେ  ଦେଇଥିବା  ତାଙ୍କର  ଏହି  ମୁଖବନ୍ଧରୁ  ହିଁ  ହୁଏ  ।

“ସର୍ବେ  ଭବନ୍ତୁ  ସୁଖୀନଃ, ସର୍ବେ  ସନ୍ତୁ  ନିରାମୟା” ଏହି  ପବିତ୍ର   ଚିନ୍ତାଧାରା, ଉଲ୍ଲେଖିତ ମୁଖବନ୍ଧର  ପ୍ରତ୍ୟକ   ବାକ୍ୟରେ, ପ୍ରତୀତି  ଶବ୍ଦରେ  ଗୁମୁରି  ଉଠିଛି   । ରୋଗକ୍ଳିଷ୍ଟ  ମାନବ  ସମାଜର  ଦୁଃଖ  ଲାଘବ  କରିବା  ପାଇଁ  କୌଣସି  କାଳ୍ପନିକ  ଭାବଧାରା  ତଥା  ଅନ୍ଧବିଶ୍ଵାସରେ  ଭାସି  ଯିବାକୁ  ସେ  ଆଦୌ  ଭଲ  ଆଖିରେ   ଦେଖିପାରୁ  ନଥିଲେ   । ଯୁକ୍ତି  ଛଳରେ   ଅନେକ  ଅସମ୍ଭବ  କଥା  ସମ୍ଭବ  ହୋଇପାରେ,  ଯାହାର  ବ୍ୟବହାରିକ   ଦିଗ  ଅତ୍ୟନ୍ତ   ଦୁର୍ବଳ   । ଏହା  ଆଡଜି  ଆମର  ଦୈନନ୍ଦିନ   ଅଭିଜ୍ଞତା   ।

ଶୀତତାପ  ନିୟନ୍ତ୍ରିତ  ପ୍ରକୋଷ୍ଠ  ମଧ୍ୟରେ  ବସି, ଦିନ  ଦରିଦ୍ର  ସମାଜର  ଉନ୍ନତିକଳ୍ପେ  ଯେ  କଳ୍ପନାପ୍ରସୂତି, ଯୁକ୍ତିସିଦ୍ଧ  କାର୍ଯ୍ୟସୂଚୀ   ତିଆରି  ହେଉଅଛି, ଆଜି  ଏହି  ସଭ୍ୟତାର   ନୂତନ  ଆଲୋକ  ଭିତରେ, ତାହାରି  ପ୍ରୟୋଗଗାନ୍ତିକ  ଫଳାଫଳ  ଆମେ  ସଭିଏଁ   ଅଙ୍ଗେ  ଲିଭାଇଛେ   । କୌଣସି  ଗୋଟିଏ  ସେଥିରୁ   ଫଳପ୍ରଦ  ହୋଇଛି   ବୋଲି   ମନେ  ହୁଏନା  ବହୁ  ପଞ୍ଚବାର୍ଷିକ  ଯୋଜନା   ଚାଲିଯାଇଥିଲେ   ମଧ୍ୟ   । ହ୍ୟାନିମାନ  ତେଣୁ   ଏସବୁ  ଯୁକ୍ତିସିଦ୍ଧ   କାଳ୍ପିକ   କାର୍ଯ୍ୟର  ବହୁ  ଉର୍ଦ୍ଧ୍ଵରେ  ଥିଲେ   । ସେ  ଥିଲେ   ଏକାନ୍ତ   ବାସ୍ତବବାଦୀ  । ସମଗ୍ର   ମାନବ  ସମାଜର   ପ୍ରତ୍ୟକ  ବ୍ୟକ୍ତିବିଶେଷକୁ  ସେ  ସମାନ   ଦୃଷ୍ଟିରେ  ବିଚାର  କରୁଥିଲେ   । ମାନବ  ସମାଜ  ଇଶ୍ଵରଙ୍କର  ଶ୍ରେଷ୍ଠ  ସୃଷ୍ଟି   ବୋଲି  ସେ  ମନେ  କରୁଥିଲେ  ଓ  ସେଥିପାଇଁ  ରୋଗୀ  କ୍ଷେତ୍ରରେ   ତା’ରି  ସ୍ୱାସ୍ଥ୍ୟର  ପୁନରାନୟନ  କରିବା  ଏକ  ମହତ୍ତର  କାର୍ଯ୍ୟ  ବୋଲି  ସେ  ମଣୁଥିଲେ   । ସେଥିନିମନ୍ତେ   କର୍ମତ୍ପରତା, କର୍ତ୍ତବ୍ୟନିଷ୍ଠା, ପରୀକ୍ଷା – ନିରୀକ୍ଷା  ଯେ  ସର୍ବଦା  ପ୍ରୟୋଜନ  ଏବଂ  କୌଣସି  ବାସ୍ତବତାର  ହିତକାର୍ଯ୍ୟ   ମନୁଷ୍ୟର  ହିତ  ପାଇଁ  ଯେ  କେବଳ  ଯୁକ୍ତିହୀନ , ତାହା  ନୁହେଁ, ଅବାନ୍ତର   ଓ  କ୍ଷତିକାରକ  ବୋଲି  ସେ  ଗୁରୁଗମ୍ଭୀର  ଭାବରେ  ଶୁଣାଇ  ଗଲେ  ଏହି  ମୁଖବନ୍ଧରେ   ।

ମନୁଷ୍ୟର  ଦୁର୍ଲଭ  ଓ  ଅମୂଲ୍ୟ  ଜୀବନ  ପ୍ରତି  ସହାୟକ  କୌଣସି  କାର୍ଯ୍ୟ  କରିବାକୁ  ଗଲେ  ମନ  ଅତ୍ୟନ୍ତ  ନିର୍ମଲା  ତଥା  ନମନୀୟ  ରହିବା  ସର୍ବାଦୌ  ଉଚିତ୍  । ଏହାର  ଅର୍ଥ, ବାସ୍ତବ  ଅଭିଜ୍ଞତାଶୂନ୍ୟ   କୁସଂସ୍କାରାବୃତ  ବଦ୍ଧଧାରଣା  ମନ  ମଧ୍ୟରୁ  ଦୂରେଇ  ଦେବା  ଉଚିତ  । କାରଣ, ଯେ  କୌଣସି  କାର୍ଯ୍ୟର  ଅନୁସନ୍ଧାନ  କରିବାକୁ  ହେଲେ  କୌଣସି  ପ୍ରକାରର  ପୂର୍ବଧାରଣା  ମନ  ମଧ୍ୟରେ  ନ ରହିବା  କଥା   । ଏହାଦ୍ଵାରା  ଠିକଣା  ଫଳ  ଲାଭ  ହୋଇ ନ ଥାଏ   । ଯେ  କୌଣସି  ଗବେଷଣାର  ସଫଳତା  ସମ୍ପୂର୍ଣ୍ଣଭାବରେ  ନିର୍ଭର  କରେ  ମନର  ନମନୀୟତା  ଓ  କୁସଂସ୍କାରହୀନତା  ଉପରେ   । ମନୁଷ୍ୟ – ଜୀବନ  ଭଳି ଏକ  ଦୁର୍ଲଭ   ସମ୍ପଦର  ରକ୍ଷା  କାର୍ଯ୍ୟରେ  ବ୍ରତୀ  ଥିବାବେଳେ  ଏଭଳି  ଦୁର୍ବଳତା  ନିଶ୍ଚୟ  ଶୁଭକାରକ  ନୁହେଁ   ।

ଆଜି  ଦୁନିଆରେ  ମହନୀୟ  ସେବା  ଚିକିତ୍ସା  କାର୍ଯ୍ୟକୁ  ମଧ୍ୟ  ଦୁର୍ନୀତି  ଗ୍ରାସିଛି   । ନିଷ୍ଠାର   ଦାରୁଣ  ଅଭାବ  । ଯେଉଁମାନେ   ଚିକିତ୍ସା  କ୍ଷେତ୍ରରେ  ଗବେଷଣାକୁ   ବ୍ୟବସାୟୀକଭିତ୍ତିରେ   ଗ୍ରହଣକରି  ସମସ୍ତ  ପ୍ରକାର  ମାନବିକତା  ଓ  ନିଷ୍ଠାକୁ  ଜଳାଞ୍ଜଳି  ଦେଇ, କେବଳ  ସ୍ଵ  ସ୍ଵ  ଚିନ୍ତାରେ  ନିଜକୁ ଗରିୟାନ  ମନେ   କରୁଛନ୍ତି, ଆଜିକୁ  ଦେଢଶହବର୍ଷ   ପୂର୍ବେ  ଲିଖିତ   ଏହି   ମୁଖବନ୍ଧର  ପ୍ରତ୍ୟକଟି   ବାକ୍ୟପ୍ରତି  ଯଦି  କେବଳ  ଥରେ   ମାତ୍ର   ଦୃକ୍ ପାତ  କରନ୍ତେ, ତାହାହେଲେ   ସେମାନେ  ଅବଶ୍ୟ  ଏ  ସମସ୍ତ  ଉପଲବ୍ଧି  କରନ୍ତେ  ଓ  ଚିକିତ୍ସା  ନାମରେ  ସ୍ଵ  କାର୍ଯ୍ୟର  ଦୁର୍ବଳତା  ଓ  ନିକୃଷ୍ଠତା  ହୃଦୟଙ୍ଗମ  କରନ୍ତେ    ।

ପରିଶେଷରେ  ଏହି  ମୁଖବନ୍ଧ  ଦ୍ଵାରା  ଏହା  ପ୍ରତୀୟମାନ  ହୁଏ ଯେ  ସଂଯୋଗ   କରିବା  ହିଁ  ଯୋଗ   । ଯେ  ଏହି  କାର୍ଯ୍ୟ  ସାଧନ  କରେ  ସେ  ଯୋଗୀ   । ଏହା  ହିଁ  ମନୁଷ୍ୟ  ଜୀବନର  ସର୍ବଶେଷ  କାମନା   । ବୋଧହୁଏ  ଅର୍ଗାନନ୍ ର  ସୂତ୍ର  ୯ରେ  ଥିବା  “higher  purposes  of our  existence” ର  ଅର୍ଥ  ତାହା  ହିଁ   । ଏହି  ମୁଖବନ୍ଧରେ  ଉଲ୍ଲିଖିତ  ତାଙ୍କର  ଉକ୍ତିରୁ   ହିଁ  ଏହା  ବୁଝାପଡେ   ।

ମହାତ୍ମା  ହ୍ୟାନିମାନ  ଏକ  ମହାନ୍  ଯୋଗୀ  ଥିଲେ  । ଚିକିତ୍ସା  ମାର୍ଗ  ଦ୍ଵାରା  କିପରି  ଜଣେ  ଏହି  ଯୋଗ  ସାଧନାରେ  ପୂର୍ଣ୍ଣତାପ୍ରାପ୍ତ   ହୋଇପାରେ,  ତାହା  ସେ  ଏହି  ମୁଖବନ୍ଧରେ  ଉଲ୍ଲେଖ  କରିଛନ୍ତି   ।

ଏହି  ପ୍ରଥମ  ସଂସ୍କରଣର  ମୁଖବନ୍ଧ  ଜଣେ  ଚିକିତ୍ସକର  କର୍ତ୍ତବ୍ୟ  ସମ୍ପର୍କରେ  ସମୁଚିତ  ନିର୍ଦ୍ଦେଶ  ଦେବା  ସଙ୍ଗେ  ସଙ୍ଗେ  ଅଧିକତର  ସତ୍ୟ  ପ୍ରତିଷ୍ଠା  ପାଇଁ  ଗବେଷଣାର  ପ୍ରକୃତ  ପଥ  ଉନ୍ମୁକ୍ତ   କରିଛି   ।

ସାଧାରଣ  ସମାଲୋଚକର   ଆଖିରେ  ହୁଏତ  ଡା : ହ୍ୟାନିମାନଙ୍କର  ଏ  ଲେଖା  ଅତ୍ୟନ୍ତ  ଅହଂଭାବସୂଚକ   । ତଥାପି, ହୋମିଓପାଥି  ଚିକିତ୍ସାର  ଆବିଷ୍କାର  ଓ ପ୍ରସାରରେ  ସେ ଜେଭଳି  ଭାବରେ  ପ୍ରତିରୋଧ  ଓ ପ୍ରତିଶୋଧ ପରାୟଣତାର   ସମ୍ମୁଖୀନ  ହୋଇ ଏହି  ଗ୍ରନ୍ଥ  ପ୍ରକାଶ  କଲେ, ତାହା  ତାଙ୍କର ଏକକ  ଓ ଅନନ୍ୟ  ସାଧନାର  ଫଳ  । ତେଣୁ  ତାଙ୍କ ଲେଖାରେ  ଯେଉଁ  ଦାମ୍ଭିକତାର  ପରିପ୍ରକାଶ  ହୋଇଛି  ତାହା  ସ୍ଵାଭାବିକ   ।

ସଂଗୃହୀତ – ଡାକ୍ତର କମଳାକାନ୍ତ କର

3.18181818182
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top