ହୋମ / ସ୍ଵାସ୍ଥ୍ୟ / ରୋଗ / ଆପେଣ୍ଡିସାଇଟିସ
ସେଆର କରନ୍ତୁ

ଆପେଣ୍ଡିସାଇଟିସ

ଆପେଣ୍ଡିସାଇଟିସ ରୋଗଟି ଅନ୍ତନଳୀର ଏକ ଅଂଶ ‘ଆପେଣ୍ଡିକ୍ସ’ର ପ୍ରଦାହ ରୋଗକୁ ବୁଝାଏ ।

ଆପେଣ୍ଡିସାଇଟିସ

ଆପେଣ୍ଡିସାଇଟିସ ରୋଗଟି ଅନ୍ତନଳୀର ଏକ ଅଂଶ ‘ଆପେଣ୍ଡିକ୍ସ’ର ପ୍ରଦାହ ରୋଗକୁ ବୁଝାଏ । ଏହି ରୋଗକୁ ଏପିଫ୍ଲାଇଟିସ (epityphlitis) ମଧ୍ୟ କୁହାଯାଏ ।) ଏହି ରୋଗ ଏକ ଜରୁରୀକାଳୀନ ବା ଆପାତସ୍ଥିତି ରୋଗ । ଏହି ରୋଗ ହେଲେ ଆପେଣ୍ଡିକ୍ସ ଫାଟି ଯାଇ ପେଟ ଭିତରେ ଭୟାବହ ପେରିଟୋନାଇଟିସ ଓ ସେପ୍ସିସ ବା ପଚନ ହେବା ସମ୍ଭାବନା ଥାଏ  । ଏହା ଯୋଗୁ ରୋଗୀ ମୃତ୍ୟୁ ମୁଖରେ ପଡନ୍ତି । ଏହି ରୋଗ ବିଷୟ ରେଜିନାଲ୍ଡ ଫିଜଙ୍କ ଦ୍ଵାରା ସର୍ବପ୍ରଥମେ ୧୮୮୬ ମସିହାରେ ଲେଖା ଯାଇଥିଲା  । ଯେତେ ଶୀଘ୍ର ସମ୍ଭବ ଆପେଣ୍ଡିକ୍ସକୁ ଅପରେସନ, ଲାପରୋସ୍କୋପିଦ୍ଵାରା କାଟି ବାହାର କରି ଦିଆଯାଏ । ମନୁଷ୍ୟ ଶରୀରରେ ଏହି ଅଙ୍ଗଟି ଏକ ଅନାବଶ୍ୟକ ଅଙ୍ଗ, ଅନୁବଂଶିକ ଭାବେ ଶରୀରରେ ଥାଏ । ଏଣୁ ଏହାକୁ କାଟି ଦେଲେ କିଛି ଅସୁବିଧା ହୁଏ ନାହିଁ । ଅଧୁନା ସାରା ପୃଥିବୀରେ ତୀବ୍ର ପେଟ ବେଦନାର (Acute abdomen) ଅତି ସାଧାରଣ କାରଣମାନଙ୍କ ମଧ୍ୟରେ ଏହି ରୋଗକୁ ଅଗ୍ରାଧିକାର ଦିଆଯାଉଛି ।

ଚିହ୍ନ ଓ ଲକ୍ଷଣ

ନାହି ଅଞ୍ଚଳରେ ତୀବ୍ର ବେଦନା, ବାନ୍ତି, ଭୋକ ଅଭାବ ଓ ଜର ଏହି ରୋଗର ମୁଖ୍ୟ ଲକ୍ଷଣ । ଅଳ୍ପ କିଛି ଘଣ୍ଟା ମଧ୍ୟରେ ପେଟର ଡାହାଣ ପାଖର ତଳ ଅଂଶରେ କଷ୍ଟ ହୁଏ ଓ ଦରଜ ଲାଗେ । ଡାହାଣଇଲିଆକ ଫୋସା ସ୍ଥାନରେ ସାମାନ୍ୟ ଚାପ ପ୍ରୟୋଗ କଲେ କଷ୍ଟ ହୁଏ । ତଳି ପେଟରେ ଅଧିକ ଚାପ ପ୍ରୟୋଗ କରି ହଠାତ ଛାଡି ଦେଲେ ବହୁତ କଷ୍ଟ ଅନୁଭୂତ ହୁଏ । ତେବେ ଆପେଣ୍ଡିକ୍ସ ତାହାର ନିର୍ଦ୍ଦିଷ୍ଟ ସ୍ଥାନରେ ନ ରହି ଅନ୍ୟ ସ୍ଥାନରେ ରହିଲେ ଦରଜ ଅନୁଭୂତ ହୁଏ ନାହିଁ । ଅତ୍ୟଧିକ ବେଦନା ହେଲେ ଆପେଣ୍ଡିକ୍ସ ଥିବା ସ୍ଥାନରେ ପେଟର ମାଂସପେଶୀ ଶକ୍ତ ହୋଇଯାଏ, ଏହାକୁ ଆବଡୋମିନାଲ ଗାର୍ଡ କୁହାଯାଏ । ଆପେଣ୍ଡିକ୍ସଟି ପେଲଭିସ ବା ଶ୍ରୋଣୀ ଭିତରେ ଥିଲେ ପେଟର କୌଣସି ସ୍ଥାନରେ ଦରଜ ଲାଗେ ନାହିଁ ।

କାରଣ

ଆପେଣ୍ଡିକ୍ସ ଏକ ସରୁ ନଳୀ ଭଳି ଦେଖିବାକୁ ଯାହାର ଗୋଟିଏ ପାଖ ଅନ୍ତନାଳୀରେ ଲାଗିଥାଏ ଓ ଅନ୍ୟ ପାଖଟି ବନ୍ଦ ଥାଏ । ପରୀକ୍ଷା ଦ୍ଵାରା ଜଣା ପଡ଼ିଛି ଏହି ନଳୀଟିର ମୁହଁ ବନ୍ଦ ହୋଇଗଲେ ଆପେଣ୍ଡିସାଇଟିସ ହୁଏ । ତାହା ଭିତରେ ମ୍ୟୁକଶ ଜମା ହୋଇ ଆପେଣ୍ଡିକ୍ସ ଫୁଲିଯାଏ । ଏହି ଫୁଲିବା ଦ୍ଵାରା ରକ୍ତ ସଂଚାଳନ କମିଯାଏ, ତନ୍ତୁ ମରିବାକୁ ଲାଗେ, ଜୀବାଣୁ ସଂକ୍ରମଣ ହୁଏ । ଅଧିକ ବିଳମ୍ବ ହେଲେ ଆପେଣ୍ଡିକ୍ସ ଫାଟି ଯାଇ ତା ଭିତର ପଦାର୍ଥ ପେଟ ଭିତର ପେରିଟୋନିଆଲ ଖୋଳ ଭିତରେ ଖେଳିଯାଇ ଯାହା ଦ୍ଵାରାସେପ୍ଟିସେମିଆ ହୁଏ ଓ ମୃତ୍ୟୁ ହୁଏ ।

ଏହାର ମୁହଁ ବନ୍ଦ ହେବାର ବିଭିନ୍ନ କାରଣ ମଧ୍ୟରେ ଅନ୍ତନାଳୀ ଭିତରେ ଥିବା ପୋକ ବା ୱର୍ମ, ଆଘାତ, ଟାଣ ହୋଇଥିବା ମଳ ଓ ଲସିକା ଗ୍ରନ୍ଥି ପ୍ରଦାହ ମୂଖ୍ୟ କାରଣ।

ରୋଗ ନିର୍ଣ୍ଣୟ

ଏହି ରୋଗ ଚିହ୍ନିବା ବିଶେଷ କଷ୍ଟକର ହୁଏନି । ରୋଗୀ ଇତିହାସ, ଲକ୍ଷଣ ଓ ଶରୀରର ଚିହ୍ନ ପରୀକ୍ଷା ଦ୍ଵାରା ଜଣା ପଡ଼ିଯାଏ । ରକ୍ତ ପରୀକ୍ଷା କଲେ ନିଉଟ୍ରୋଫିଲ ସଂଖ୍ୟା ବଢିଥିବା ଦେଖାଯାଏ । ସନ୍ଦେହ ହେଲେ ଅଲ୍ଟ୍ରାସାଉଣ୍ଡ, ଏକ୍ସ-ରେ ଓ ସି.ଟି. ସ୍କାନ କରାଯାଏ।

ଚିକିତ୍ସା

ପରୀକ୍ଷା ଦ୍ଵାରା ରୋଗ ସାମାନ୍ୟ ଜଣା ପଡ଼ିଲେ ଆଣ୍ଟିବାୟୋଟିକ, ସାଲାଇନ, ଗ୍ଳୁକୋଜ ଦ୍ଵାରା ଚିକିତ୍ସା ଆରମ୍ଭ କରାଯାଏ ଓ ଏହା ବିପଦ ଶୂନ୍ୟ । ଯନ୍ତ୍ରଣା ଉପଶମ ନିମନ୍ତେ ଦରକାର ମୁତାବକ ଔଷଧ ଦିଆଯାଏ । ଏହି ଚିକିତ୍ସାରେ ଭଲ ହୋଇଯିବା ପରେ ଆଉଥରେ ରୋଗ ଲେଉଟିଲେ ଅପରେଶନ ଦରକାର ହୁଏ । ଅବସ୍ଥା ଗମ୍ଭୀର ଥିଲେ ଆପେଣ୍ଡିକ୍ସ କାଟି ବାହାର କରି ଦିଆଯାଏ । ଲାପାରୋଟୋମୀ ବା ଲାପାରୋସ୍କୋପି ଅପରେସନ ଦ୍ଵାରା ବାହାର କରାଯାଏ ।

ରୋଗ ଅନୁଶୀଳନ

ଏହି ରୋଗ ୫ ରୁ ୪୦ ବର୍ଷ ବୟସ୍କ ବ୍ୟକ୍ତିମାନଙ୍କୁ ଆକ୍ରମଣ କରେ । ପୁରୁଷ ରୋଗୀ ସଂଖ୍ୟା ଅଧିକ । ଗରିବ ଓ ଗ୍ରାମରେ ବାସ କରୁଥିବା ଲୋକମାନେ ଅଧିକ ପୀଡିତ ହୁଅନ୍ତି ଯାହାର କାରଣ ଅଜଣା ।

ପୂର୍ବାନୁମାନ

ଠିକ ସମୟରେ ଅପରେସନ କାଲେ ଏହି ରୋଗ ଆରୋଗ୍ୟ ହୋଇଯାଏ । ରୋଗ ଚିହ୍ନଟ ସମୟ, ବୟସ, ରୋଗୀ ଅବସ୍ଥା, ଜଟିଳତା ଉପରେ ରୋଗର ପରବର୍ତ୍ତୀ ଗତି ନିର୍ଭର କରେ ।

ଆଧାର

"bmj.com"

 

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top