ହୋମ / ସ୍ଵାସ୍ଥ୍ୟ / ରୋଗ / କର୍କଟ ରୋଗ / ପ୍ରୋଷ୍ଟେଟ୍ କ୍ୟାନସର
ସେଆର କରନ୍ତୁ

ପ୍ରୋଷ୍ଟେଟ୍ କ୍ୟାନସର

ପ୍ରୋଷ୍ଟେଟ୍ କ୍ୟାନସର କାରଣ ଓ ଚିକିତ୍ସା ସମ୍ବନ୍ଧରେ ସୂଚନା ।

ଉପକ୍ରମ

ପ୍ରୋଷ୍ଟେଟ୍  ଗୋଟିଏ  ଗ୍ରନ୍ଥି । ତଳ  ପେଟରେ  ପରିସ୍ରା  ଥଳୀର  ନିମ୍ନରେ  ଓ  ପରିସ୍ରା  ନଳୀକୁ  ଘେରି  ରହିଥାଏ । ଏହା  ପୁରୁଷଙ୍କର  ଗୋଟିଏ  ଯୌନାଙ୍ଗ  । ୫୦  ବର୍ଷ  ପରେ  ସମସ୍ତଙ୍କର  ଏହି  ଗ୍ରନ୍ଥିର  ଆକାର  ବୃଦ୍ଧିହୁଏ । ଟେଷ୍ଟିସ୍ ରୁ  ନିର୍ଗତ  ପୁରୁଷ  ହରମୋନ୍  ଟେଷ୍ଟୋଷ୍ଟେରେନ୍  ବାର୍ଦ୍ଧକ୍ୟରେ   କମିଯାଏ  । ଏହା  ସହିତ  ପ୍ରୋଷ୍ଟେଟ୍ ର  ସିଧା  ସମ୍ପର୍କ   ରହିଥିବାରୁ   ହରମୋନ  ଅସନ୍ତୁଳନ  ଫଳରେ  ଏହି  ଗ୍ରନ୍ଥି  ବଢିବାକୁ   ଲାଗେ । ପରିସ୍ରାନଳିର  ପ୍ରଥମ  ଭାଗ  ଏହା  ମଧ୍ୟ  ଦେଇ  ଗତି  କରେ   । ପ୍ରୋଷ୍ଟେଟ୍ ର  ବୃଦ୍ଧି  ଏହାକୁ  ଚାପି  ଦିଏ । ତେଣୁ  ପରିସ୍ରା  ଅବରୋଧ  ହୁଏ । ଅନେକଥର  ପରିସ୍ରା  ଲାଗେ । ଅଳ୍ପ  ମୂତ୍ର  ହୁଏ   ପରିସ୍ରା  କରିବା  ପାଇଁ  କୁନ୍ଥାଇବାକୁ   ପଡେ   । ଅନେକଥର  ପରିସ୍ରା  ଉଠିବାକୁ  ପଡେ ।

ପ୍ରୋଷ୍ଟେଟ୍  ଗ୍ରନ୍ଥିର ଅଭିବୃଦ୍ଧି କାରଣ

ପ୍ରୋଷ୍ଟେଟ୍  ଗ୍ରନ୍ଥିର   ଅଭିବୃଦ୍ଧି  ଦୁଇଟି  କାରଣରୁ  ହୁଏ । ଗୋଟିଏ  ବାର୍ଦ୍ଧକ୍ୟଜନିତ  ଏବଂ  ଅନ୍ୟଟି  କ୍ୟାନସର । ଏହା  ମଧ୍ୟରେ  କମ୍  ପ୍ରଭେଦ  ଥାଏ। ମାଂସ  ପରୀକ୍ଷା  କଲେ  କ୍ୟାନସର  ଜାଣିହୁଏ । ମଳଦ୍ଵାରରେ  ଆଙ୍ଗୁଠି  ପୁରାଇ  ପରୀକ୍ଷା  କଲେ  ମୂତ୍ର  ବିଶେଷଜ୍ଞ  ମାନେ  ସଠିକ  ଜାଣି  ପାରିବେ  । ଗ୍ରନ୍ଥିର  ପାଶ୍ଚାତଭାଗ  ଶକ୍ତ  ଗୋଳା  ବାନ୍ଧି  ଯାଇଥାଏ । ରକ୍ତ  ପରୀକ୍ଷା  କଲେ  ପ୍ରୋଷ୍ଟେଟ୍  କ୍ୟାନସର  ଜାଣି  ହୁଏ   । ଏଥିପାଇଁ  ପ୍ରୋଷ୍ଟେଟ୍  ସ୍ପେସିଫିକ୍  ଆଣ୍ଟିଜେନ୍  ବା  ପି.ଏସ୍.ଏ. ନାମକ  ଏକ  ପ୍ରକାର  ରକ୍ତ  ପରୀକ୍ଷା  ଦ୍ଵାରା  ପ୍ରୋଷ୍ଟେଟ୍  ଗ୍ରନ୍ଥି  କର୍କଟ  ରୋଗର  ସନ୍ଦେହ  ଦୃଢୀଭୂତ  ହୁଏ   । ଗୋଟିଏ  ମୋଟା  ଛୁଞ୍ଚି  ସାହାଯ୍ୟରେ  ପ୍ରୋଷ୍ଟେଟ୍  ଗ୍ରନ୍ଥିରୁ  ଟିକିଏ  ମାଂସ  ନେଇ  ଅଣୁବୀକ୍ଷଣ  ଜନ୍ତ୍ର  ସାହାଯ୍ୟରେ  ଦେଖିଲେ  କର୍କଟ  ରୋଗାକ୍ରାନ୍ତ  ପ୍ରୋଷ୍ଟେଟ୍  ଗ୍ରନ୍ଥି  କୋଷଗୁଡ଼ିକର  ଅବସ୍ଥିତି  ସୃଷ୍ଟି   ହୋଇଯାଏ । ଏହାକୁ  ବାୟପ୍ସି  ପରୀକ୍ଷା  କୁହାଯାଏ । ଏହାଦ୍ୱାରା  ରୋଗ  ନିରୂପଣ  ସଠିକ  ହୋଇଥାଏ । ଏହାଛଡା  ଅଣ୍ଟା, କଟି  ଓ ମେରୁହାଡର  ରଞ୍ଜନରଶ୍ମି  ପରୀକ୍ଷା  ଦ୍ଵାରା  କର୍କଟ  ରୋଗ  ଅସ୍ଥିକୁ   ମାଡିଯାଇଛି  କି  ନାହିଁ, ଜଣାପଡେ । ପ୍ରୋଷ୍ଟେଟ୍  ଗ୍ରନ୍ଥିର   ଅଲଟ୍ରାସାଉଣ୍ଡ  ପରୀକ୍ଷା  ଦ୍ଵାରା  ମଧ୍ୟ  ରୋଗ  ବିଷୟରେ   ଆହୁରି  ଅନେକ  ତଥ୍ୟ   ମିଳିଥାଏ ।

ମହିଳାମାନଙ୍କର  ସ୍ତନ  କ୍ୟାନସର  ପରି  ପୁରୁଷମାନଙ୍କର  ପ୍ରୋଷ୍ଟେଟ୍  କ୍ୟାନସରର  ପ୍ରାଦୁର୍ଭାବ   ବେଶି । ଏଥିରେ  ଅନେକ  ବ୍ୟକ୍ତିଙ୍କର  ମୃତ୍ୟୁ  ହୁଏ । ହରମୋନର  ସନ୍ତୁଳନ  ନଷ୍ଟହେବା  ଫଳରେ   ଏହି  କର୍କଟ  ରୋଗର  ସୃଷ୍ଟି  ହୁଏ । ପ୍ରୋଷ୍ଟେଟ୍  ଗୋଟିଏ  ଯୌନ  ଗ୍ରନ୍ଥି । ଏଥିରୁ  ନିର୍ଗତ  ରସ  ପତଳା  ଓ  ଦୁଧ  ପରି  ଧଳା । ଏହାର  ପରିଣାମ  ଶୁକ୍ରର  ୩୦ ପ୍ରତିଶତ । ଶୁକ୍ରକୀଟ   ଯୋନି  ମଧ୍ୟରେ  ସଂସ୍ଥାପିତ  ହେବା  ପର୍ଯ୍ୟନ୍ତ   ଏହା  ଉପଯୁକ୍ତ  ପରିବେଶ   ପ୍ରଦାନକରେ । ଏଥିରେ  ଥିବା  ଏଞ୍ଜାଇମ୍  ଶୁକ୍ରକୁ  ଜମାଟ  ବାନ୍ଧିବାରେ   ସାହାଯ୍ୟ  କରେ । ଫଳରେ  ଶୁକ୍ର  ଜରାୟୁର  ଗ୍ରୀବା  ନିକଟରେ   ଜମିରହେ   । ଶୂକ୍ରାଣୁ  ଜରାୟୁ  ମଧ୍ୟକୁ   ପ୍ରବେଶ  କରିବାରେ   ସାହାଯ୍ୟ  କରେ  ଏହି  ଗ୍ରନ୍ଥି  ସହବାସ  ସମୟରେ  ଶୁକ୍ରକୁ  ପରିସ୍ରା  ସହିତ  ମିଶିବାରେ  ପ୍ରତିରୋଧ  କରେ । ହରମୋନ  ପ୍ରଭାବରୁ  ୫୦ ବର୍ଷ  ପରେ  ବର୍ଦ୍ଧିତ  ପ୍ରୋଷ୍ଟେଟ୍  ପରିସ୍ରା  ଥଳିର  ରନ୍ଧ୍ରକୁ   ଅବରୋଧ   କରିଦିଏ  । ପରିସ୍ରା  ନିଷ୍କାସନ  ହୋଇପାରେ   ନାହିଁ   । ଏହା  କ୍ୟାନସର  ନୁହେଁ । କାରଣ  ବିଭିନ୍ନ  ଅଙ୍ଗକୁ  ବିସ୍ତାରିତ  ହୁଏ  ନାହିଁ  । କେବଳ  ନିଜ  ସ୍ଥାନରେ  ସୀମାବଦ୍ଧ  ରହି  ଆକାର  ବଢିଯାଏ । ଏହା  ଜିନ୍  ଦ୍ଵାରା  ନିୟନ୍ତ୍ରିତ  ହୋଇଥାଏ   । ପ୍ରୋଷ୍ଟେଟ୍ ଅର୍ବୁଦ  ଗୋଟିଏ  ବଂଶଗତ   ରୋଗ । ପରିବାରର ପ୍ରତ୍ୟକ  ବ୍ୟକ୍ତି  ଏହାର  ଶିକାର  ହୁଅନ୍ତି , କିନ୍ତୁ  ପ୍ରୋଷ୍ଟେଟ୍  କ୍ୟାନସରର  ଅନେକ   କୃତ୍ରିମ  କାରଣ  ରହିଛି । ତନ୍ମଧ୍ୟରୁ  ଅବାଧ ଯୌନ  ସମ୍ପର୍କ  ଅନ୍ୟତମ । ଯୌବନରେ  କାମୁକ   ପୁରୁଷ  ଯେଉଁମାନେ  ଅନେକ  ମହିଳା  ସହିତ  ଅସୁରକ୍ଷିତ  ଯୌନ  ସମ୍ପର୍କ  ସ୍ଥାପନ  କରନ୍ତି, ବାର୍ଦ୍ଧକ୍ୟରେ  ପ୍ରୋଷ୍ଟେଟ୍   କ୍ୟାନସର  ଭୋଗ  କରନ୍ତି । ରକ୍ତ  ପରୀକ୍ଷାରୁ  ଜଣାଯାଇଛି ଯେ  ସୁସ୍ଥ  ବ୍ୟକ୍ତି   ତୁଳନାରେ  ରୋଗୀ  ରକ୍ତରେ  ବହୁ  ପରିମାଣରେ  ଏହି  ପ୍ରତିପିଣ୍ଡ  ରହିଥାଏ । ପାପିଲୋମା  ଭୂତାଣୁର  ପ୍ରୋଷ୍ଟେଟ୍   କ୍ୟାନସର  ସହିତ  ସମ୍ପର୍କ  ଥିବାରୁ   ରୋଗୀର  ଯୌନ  ବିବରଣୀରୁ   ପ୍ରମାଣିତ  ହୋଇଛି । ପ୍ରୋଷ୍ଟେଟ୍  ଗୋଟିଏ   ନିବୃତ  ଗ୍ରନ୍ଥି । ଏହା  ବାହାରକୁ  ଦେଖାଯାଏ   ନାହିଁ । ଯୌନ  ଉଦ୍ଦୀପନା  ସହିତ  ଏହାର  ସମ୍ପର୍କ  ଅନେକ  ଜାଣନ୍ତି   ନାହିଁ । ଏହାର  କାର୍ଯ୍ୟଧାରା  ଅଗୋଚର   ହୋଇ  ରହିଛି । ଏଥିରୁ  ନିର୍ଗତ  ଦୁଧପରି  ଧଳା ରସ  ଶୁକ୍ରର  ମୁଖ୍ୟ  ଅଂଶ । ଏହା  ମଧ୍ୟରେ  ସ୍ନାୟୁ  ବିକ୍ଷିପ୍ତ  ହୋଇ  ରହିଥାଏ । ପ୍ରୋଷ୍ଟେଟ୍  ଅପରେସନ  କରିବା  ଫଳରେ  ଏହି  ସ୍ନାୟୁଗୁଡିକ   ଛିଣ୍ଡିଯାଏ । ଫଳରେ  ରୋଗୀ  ନପୁଂସକ   ହୋଇଯାଏ  । ପରିସର  ଅଟକାଇ  ପାରେ  ନାହିଁ   । ପ୍ରୋଷ୍ଟେଟ୍  କ୍ୟାନସର  ବିଜ୍ଞାନୀ  ଡାକ୍ତର  ‘ହିଲେ’  ଏହା  ପାଇଁ  ବଟିକା  ପ୍ରସ୍ତୁତ  କରିବା  ଲାଗି  ଗବେଷଣାରତ  । ଅସଂଯମୀ, ଲମ୍ପଟ ଓ  କାମୁକ  ପ୍ରବୃତ୍ତି  ପରିହାର  ନକଲେ  ତରୁଣ  ବୟସର  ଚୋରାବାଲି   ବାର୍ଦ୍ଧକ୍ୟରେ  ବିଷମୟ   ହେବ   ।

ଚିକିତ୍ସା

ପ୍ରୋଷ୍ଟେଟ୍  ଗ୍ରନ୍ଥିର  କର୍କଟ  ରୋଗ  ନିରୂପଣ  ରୋଗର  ଆରମ୍ଭ  ଅବସ୍ଥାରୁ   ହୋଇପାରିଲେ  ଅସ୍ତ୍ରୋପ୍ରଚାର  ଫଳରେ  ସମଗ୍ର  ଗ୍ରନ୍ଥିଟିକୁ  ବାହାର  କରିଦିଆଯାଏ  । ଏହି  ଅସ୍ତ୍ରୋପ୍ରଚାର  ଫଳରେ  ସମଗ୍ର  ଗ୍ରନ୍ଥିଟିକୁ  ବାହାର   କରିଦିଆଯାଏ । ଏହି ଅସ୍ତ୍ରୋପ୍ରଚାରକୁ  ରାଡିକାଲ୍  ପ୍ରୋଷ୍ଟେଟୋକ୍ଟେମି   ବୋଲି  କୁହାଯାଏ । ଫଳରେ   ରୋଗୀ  ଅନେକ  ବର୍ଷ  ଧରି  ଏକ  ସୁସ୍ଥ  ଓ  କର୍ମଠ  ଜୀବନଯାପନ  କରିପାରନ୍ତି   । କିନ୍ତୁ  ବିଳମ୍ବ  ଅବସ୍ଥାରେ  ରୋଗ  ନିରୂପଣ  ହେଲେ  ଅଣ୍ଡକୋଷ  ଦୁଇଟିକୁ   ଅସ୍ତ୍ରୋପ୍ରଚାର  କରି ବାହାର କରିଦିଆଯାଏ  ଓ  ଅସ୍ତ୍ରୋପ୍ରଚାର  ପରେ  ଆଣ୍ଟିଆନଡ୍ରୋଜେନ  ନାମକ  ଏକ  ଔଷଧ  ସେବନ  ପାଇଁ  ଦିଆଯାଏ  । ଏହି ଚିକିତ୍ସା  ଫଳରେ  ଶରୀରର   ପୁରୁଷ   ଜୀବରସର   ସ୍ତର  ହ୍ରାସ  ପାଏ  ଓ  ପ୍ରୋଷ୍ଟେଟ୍  କର୍କଟ  ରୋଗ  ଆୟତ୍ତ  ଅବସ୍ଥାକୁ  ଆସିଯାଏ   । ଫଳରେ  ରୋଗୀ  ଅନେକ  ଦିନ  ଧରି  ଏକ  କଷ୍ଟଯୁକ୍ତ  ସାଧାରଣ  ଜୀବନ ଯାପନ  କରିଥାନ୍ତି   ।

ପ୍ରୋଷ୍ଟେଟ୍  ଗ୍ରନ୍ଥିର  କର୍କଟ ରୋଗ  ବିଷୟରେ କେତୋଟି  ଜାଣିବାର  କଥା

ପ୍ରୋଷ୍ଟେଟ୍  ଗ୍ରନ୍ଥିର  କର୍କଟ  ରୋଗ  ଅତି  ଧୀର  ଗତିରେ   ବଢେ  । ଉପଯୁକ୍ତ ଚିକିତ୍ସା  ଦ୍ଵାରା  ରୋଗୀ  ଅନ୍ତତଃ  ଆଠରୁ  ଦଶ  ବର୍ଷ  କର୍ମଠ  ଜୀବନଯାପନ  କରି  ସାଧାରଣ  ପରମାୟୁ  ଭୋଗ  କରିପାରିବ । ତେଣୁ  ଏହି  ଗ୍ରନ୍ଥିର  କର୍କଟ  ରୋଗ  ନାଁ  ଶୁଣି  ଭୟ  କରିବାର  କିଛି  ନାହିଁ । ମୂତ୍ର  ରୋଗ  ସମ୍ବନ୍ଧୀୟ  କୌଣସି  ଲକ୍ଷଣ  ନଥାଇ  ମଧ୍ୟ  ଷାଠିଏ  ବର୍ଷ  ବୟସ  ପରେ  ବର୍ଷକୁ  ଅନ୍ତତଃ  ଠାରେ  ଡାକ୍ତର  ପି.ଏସ୍ର.ଏ. ପରୀକ୍ଷା  କରାଇ  ନିଅନ୍ତୁ  । ଏହାଦ୍ୱାରା  ରୋଗର  ଆରମ୍ଭ   ଅବସ୍ଥାରେ  ରୋଗ  ନିରୂପଣ   ହୋଇଯାଇ  ପାରିବ ।

ଯଦି  ଅଣ୍ଟାବିନ୍ଧା  ସାଧାରଣ  ଅଣ୍ଟାବିନ୍ଧା  ଚିକିତ୍ସାରେ  ଉପଶମ  ନହୁଏ ଓ  ତା’ ସାଙ୍ଗକୁ  ପରିସ୍ରାରେ  କଷ୍ଟ  ଅନୁଭବ  ହୁଏ , ତେବେ  ପ୍ରୋଷ୍ଟେଟ୍  ଗ୍ରନ୍ଥିର  କର୍କଟ  ରୋଗ  ହୋଇଥାଏ  ବୋଲି  ସନ୍ଦେହ  କରି  ଚିକିତ୍ସକଙ୍କ   ପରାମର୍ଶ  ନେବା  ଉଚିତ  ।

ପ୍ରୋଷ୍ଟେଟ୍  ଗ୍ରନ୍ଥିର  କର୍କଟ  ରୋଗ  ଚିକିତ୍ସାରେ  ଅବହେଳା  କରନ୍ତୁ  ନାହିଁ । ଚିକିତ୍ସକଙ୍କ  ପରାମର୍ଶରେ  ନିୟମିତ  ପରୀକ୍ଷାନିରୀକ୍ଷା  କରାଇଲେ  ରୋଗର  ପୁନଃ  ଆବିର୍ଭାବକୁ  ଠିକଣା  ସମୟରେ  ଠାବକରି  ଚିକିତ୍ସା  କରାଯାଇ  ପାରିବ ।

ଆଧାର - ଡା. ଦ୍ଵିଜେଶ କୁମାର ପଣ୍ଡା, ଲାୟନ ମିନତୀ ବେହେରା କ୍ୟାନସର ଫାଉଣ୍ଡେସନ ଟ୍ରଷ୍ଟ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top