ହୋମ / ସ୍ଵାସ୍ଥ୍ୟ / ରୋଗ / କିଡନୀ ଖରାପ ହେବାର କାରଣ କ’ଣ?
ସେଆର କରନ୍ତୁ

କିଡନୀ ଖରାପ ହେବାର କାରଣ କ’ଣ?

କିଡନୀ ଖରାପ ହେବାର କାରଣ ବିଷୟରେ ପ୍ରଶ୍ନ ଓ ଉତ୍ତର

କିଡନୀ ଖରାପ ହେବାର କାରଣ

ଆମ ଶରୀରରେ ଦୁଇଟି ବୃକ୍‌କ ବା କିଡନୀ ଥାଏ । ଶରୀରର ଅନ୍ୟ ଅଙ୍ଗଗୁଡିକ ପରି କିଡନୀ ମଧ୍ୟ ବିଭିନ୍ନ ରୋଗ ଦ୍ଵାରା ଆକ୍ରାନ୍ତ ହୋଇପାରେ ଏବଂ ଏଥିମଧ୍ୟରୁ କିଛି ରୋଗ କିଡନୀର ସ୍ଥାୟୀ ଭାବରେ କ୍ଷତି କରିଥାନ୍ତି । ବର୍ତ୍ତମାନ ମଧୁମେହ ବା ଡାଇବେଟିସ୍ ଏବଂ ଉଚ୍ଚରକ୍ତଚାପ କିଡ଼ନୀ ଖରାପ ହେବାର ଦୁଇଟି ପ୍ରମୁଖ କାରଣ । ଏହାଛଡା ବିଭିନ୍ନ ଆଭ୍ୟନ୍ତରୀଣ ବେମାରି ଏବଂ ଖାଦ୍ୟ ଓ ଔଷଧର ପାର୍ଶ୍ଵପ୍ରତିକ୍ରିୟା ତଥା ମେଦବହୁଳତା ଯୋଗୁ ମଧ୍ୟ କିଡନୀ ଖରାପ ହୋଇପାରେ । ସମୟୋପଯୋଗୀ ଚିକିତ୍ସା ନକଲେ କିଡନୀ ସମ୍ପୂର୍ଣ୍ଣ ଖରାପ ହୋଇଯିବାର ଆଶଙ୍କା ରହିଛି ।

ପ୍ରଶ୍ନ ଓ ଉତ୍ତର

ପ୍ରଶ୍ନ : 1 କିଡନୀ ଅକାମୀ ବା ଫେଲୁଅର ପାଇଁ ଦୁଇଟିଯାକ କିଡନୀ ଖରାପ ହେବା ଜରୁରୀ କି?

ଦୁଇଟିଯାକ କିଡନୀ ପ୍ରଭାବିତ ହୋଇ ଖରାପ ହେଲେ ହିଁ ଏହାକୁ କିଡନୀ ଫେଲୁଅର କୁହାଯାଏ । ଜଣେ ବ୍ୟକ୍ତି ସାଧାରଣ ଭାବରେ ବଞ୍ଚିବା ପାଇଁ ଗୋଟିଏ ସୁସ୍ଥ କିଡନୀ ଯଥେଷ୍ଟ । ତେଣୁ ଗୋଟିଏ କିଡନୀ ଖରାପ ହୋଇଗଲେ କିମ୍ବା କୌଣସି ରୋଗ ଯୋଗୁ ଗୋଟିଏ କିଡନୀକୁ ଅସ୍ତ୍ରୋପଚାର କରି କାଢ଼ି ଦିଆଗଲେ ବି ରୋଗୀର ଜୀବନଧାରଣରେ ଅସୁବିଧା ହୋଇନଥାଏ ।

ପ୍ରଶ୍ନ : 2 ଦୁଇଟିଯାକ କିଡନୀ ଖରାପ ହୋଇଯାଇଥିବା ବ୍ୟକ୍ତିଙ୍କର ଚିକିତ୍ସା ପ୍ରଣାଳୀ କଣ?

ସ୍ଥାୟୀ ଭାବରେ ଖରାପ ହୋଇଯାଇଥିବା କିଡନୀ ଦୁଇଟିକୁ ଚିକିତ୍ସା ମାଧ୍ୟମରେ ପୁନଃ କାର୍ଯ୍ୟକ୍ଷମ କରାଇବା ଯଦିଓ ସମ୍ଭବ ନୁହେଁ ତେବେ ଉପଯୁକ୍ତ ଖାଦ୍ୟ ଏବଂ ଚିକିତ୍ସା ଦ୍ଵାରା ରୋଗୀ ଦୀର୍ଘଦିନ ଜୀବନ ଧାରଣ କରିବା ସମ୍ଭବ । କିଡ଼ନୀ ଖରାପ ହେବାର ଅନେକ ସୋପାନ ବା ପର୍ଯ୍ୟାୟ ଥାଏ । ଆଂଶିକ କ୍ଷତିଗ୍ରସ୍ତ କିଡନୀକୁ ଔଷଧ ଦ୍ଵାରା ଚିକିତ୍ସା ସମ୍ଭବ ଥିବା ବେଳେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ କିଡନୀ ପାଇଁ ରକ୍ତ ବିଶୋଧନୀକରଣ ବା ଡାୟାଲିସିସ କିମ୍ବା କିଡନୀ ପ୍ରତିରୋପଣ ଆବଶ୍ୟକ । ସୁସ୍ଥ କିଡନୀର କାମ ହେଉଛି ଶରୀରରୁ ବର୍ଜ୍ୟବସ୍ତ୍ର ଏବଂ ବଳକା ଜଳ ନିଷ୍କାସନ କରିବା । କିଡନୀ ଦୁଇଟି ଖରାପ ହୋଇଗଲେ ଡାୟାଲିସିସ୍ ମେସିନ୍ ଅଥବା ପ୍ରତିରୋପିତ କିଡନୀ ଦ୍ଵାରା ଏହି କାର୍ଯ୍ୟ ସମ୍ପାଦିତ ହୋଇଥାଏ ।

ପ୍ରଶ୍ନ : 3 ଡାୟାଲିସିସ୍ ଏବଂ କିଡନୀ ପ୍ରତିରୋପଣ ମଧ୍ୟରୁ କେଉଁ ପଦ୍ଧତି ଭଲ?

ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ କିଡନୀର ଚିକିତ୍ସା ପାଇଁ ନୂଆ କିଡ଼ନୀ ପ୍ରତିରୋପଣ ହିଁ ସର୍ବୋତ୍ତମ । ତୁଳନାତ୍ମକ ଭାବରେ ଦେଖିବାକୁ ଗଲେ ଦୀର୍ଘସମୟ ଡାୟାଲିସିସ୍ ଅପେକ୍ଷା ଏକ ସଫଳ କିଡନୀ ପ୍ରତିରୋପଣରେ ଖର୍ଚ୍ଚ କମ୍ ଏବଂ ସମସ୍ତ ଦୃଷ୍ଟିରୁ ଏହା ରୋଗୀ ପାଇଁ ଉତ୍ତମ |

ପ୍ରଶ୍ନ : 4 ଡାୟାଲିସିସ୍‌ରେ ଥିବା ରୋଗୀମାନଙ୍କର ଆୟୁଷ ଓ ଜୀବନଧାରଣର ମାନ କିପରି?

କିଡନୀ ଖରାପ ହୋଇଯାଇଥିବା ରୋଗୀଙ୍କ ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ । ଏହି ରୋଗୀମାନଙ୍କୁ ପ୍ରାୟତଃ ସପ୍ତାହକୁ ଦୁଇରୁ ତିନିଥର ଡାୟାଲିସିସ୍ କରିବାକୁ ପଡିଥାଏ। ଏବଂ ଏଥପାଇଁ ନିୟମିତ ଭାବରେ ଡାୟାଲିସିସ୍ ସୁବିଧା ଥିବା ହସ୍ପିଟାଲକୁ ଯିବାକୁ ପଡେ । ଆମ ରାଜ୍ୟରେ ସୀମିତ ସଂଖ୍ୟକ ହସ୍ପିଟାଲରେ ଏହି ସୁବିଧା ଉପଲବ୍ଧ ।

ତେଣୁ ଆର୍ଥଠିକ ବୋଝ ଏବଂ ଯାତ୍ରା ଅସୁବିଧା ବାଦ୍ ଡାୟାଲିସିସ୍‌ଜନିତ ପାର୍ଶ୍ଵପ୍ରତିକ୍ରିୟାରେ ବହୁ ରୋଗୀ ଆକ୍ରାନ୍ତ ହୋଇଥାନ୍ତି । ଏକ ପରିସଂଖ୍ୟାନ ଅନୁଯାୟୀ ପ୍ରକୃଷ୍ଣ ଭାବରେ ଡାୟାଲିସିସ୍ କରିବା ସତ୍ତ୍ୱେ ମାତ୍ର ଶତକଡା ୩୦ଭାଗ ଲୋକ ପାଞ୍ଚବର୍ଷରୁ ଅଧିକ ସମୟ ବଞ୍ଚିପାରନ୍ତି । ଅନ୍ୟପକ୍ଷରେ କିଡନୀ ପ୍ରତିରୋପଣ କରୁଥିବା ରୋଗୀମାନଙ୍କ ମଧ୍ୟରୁ ଶତକଡା ୭୫ ରୁ ୮୦ ଭାଗ ଲୋକ ପାଞ୍ଚବର୍ଷରୁ ଅଧିକ ସମୟ ବଞ୍ଚିଥାନ୍ତି । କିଡନୀ ପ୍ରତିରୋପଣରେ ଜୀବନଧାରଣର ମାନ ଡାୟାଲିସିସ୍ ରୋଗୀଙ୍କ ଅପେକ୍ଷା ଯଥେଷ୍ଟ ଭଲ ।

ପ୍ରଶ୍ନ : 5 କିଡନୀ ପ୍ରତିରୋପଣର ମୁଖ୍ୟ ପ୍ରତିବନ୍ଧକ କଣ?

ପ୍ରତିରୋପଣ ପାଇଁ ଉପଯୁକ୍ତ କିଡନୀ ଅଭାବ ହିଁ ଏହି ଚିକିତ୍ସା ପ୍ରଣାଳୀର ମୁଖ୍ୟ ପ୍ରତିବନ୍ଧକ । ଉପଯୁକ୍ତ ମେଳ ଖାଉଥିବା ଜଣେ ଜୀବିତ ବା ମସ୍ତିଷ୍ଠ ମୃତ (ବ୍ରେନ୍ ଡେଡ୍) ବ୍ୟକ୍ତିଙ୍କ କିଡନୀ ପ୍ରତିରୋପଣ ପାଇଁ ବ୍ୟବହାର କରାଯାଇପାରିବ ।

ଏକ ଆକଳନ ଅନୁଯାୟୀ ସାରା ବିଶ୍ଵରେ ବର୍ଷକୁ ପ୍ରାୟ ୭,୩୫୦୦୦ ଲୋକ କିଡନୀ ସମସ୍ୟାରେ ମୃତ୍ୟୁବରଣ କରନ୍ତି । ବର୍ତ୍ତମାନ ଆମ ଦେଶରେ ପ୍ରତିବର୍ଷ ୨.୨୦୦୦୦ ଲୋକଙ୍କର କିଡନୀ ପ୍ରତିରୋପଣ ଆବଶ୍ୟକ ହେଉଛି । ତନ୍ମଧ୍ୟରୁ ଦେଶରେ ୨୫୦ଟି ପ୍ରତିରୋପଣ କେନ୍ଦ୍ରରେ ବାର୍ଷିକ ପାଖାପାଖି ୭୫୦୦ କିଡନୀ ପ୍ରତିରୋପଣ ହିଁ ସମ୍ଭବ ହୋଇଥାଏ । ଏଥିମଧ୍ୟରୁ ଶତକଡା ନବେ ଭାଗ କିଡନୀ ଜୀବନ୍ତ ଅଙ୍ଗଦାତାଙ୍କଠାରୁ ନିଆଯାଉଥ୍ବା ବେଳେ ମାତ୍ର ଶତକଡା ଦଶ ଭାଗ ମସ୍ତିଷ୍ଠ ମୃତ ବ୍ୟକ୍ତିଙ୍କଠାରୁ ଆସେ । ତେଣୁ ଅଙ୍ଗ ଦାନ ପାଇଁ ବ୍ୟାପକ ଜନସଚେତନତା ଆବଶ୍ୟକ । ମୃତ ଶରୀରକୁ ପୋତିବା ବା ପୋଡିଦେବା ପୂର୍ବରୁ ଏହାର ଆଶିକ ଦାନ ଦ୍ଵାରା ଯଦି ଆଉଜଣେ ନୂତନ ଜୀବନ ପାଇବା ସମ୍ଭବ ହୁଏ ତେବେ ଏହା ସର୍ବାଦୋ ଗ୍ରହଣୀୟ ହେବା ଉଚିତ୍ । ଦକ୍ଷିଣ ଏବଂ ପଶ୍ଚିମ ଭାରତରେ ଏହି ମସ୍ତିଷ୍ଠ ମୃତ ବା କାଡାଭରିକ୍ କିଡନୀ ପ୍ରତିରୋପଣ ବହୁଳ ଭାବରେ ହେଉଥିବାବେଳେ ଆମ ରାଜ୍ୟରେ ଏହା ଏ ପର୍ଯ୍ୟନ୍ତ ସମ୍ଭବ ହୋଇନପାରିବା ଅତ୍ୟନ୍ତ ଦୁଃଖର ବିଷୟ ।

କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ ଅର୍ଥାଭାବ ମଧ୍ୟ ଏକ ଅନ୍ତରାୟ ହୋଇଥାଏ। କିଡନୀ ପ୍ରତିରୋପଣ ପାଇଁ । କିନ୍ତୁ ଦେଖାଯାଇଛି ଯେ, ଦେଢ଼ବର୍ଷ ପର୍ଯ୍ୟନ୍ତ ଡାୟାଲିସିସ୍ ଖର୍ଜରେ ଏକ ସଫଳ କିଡନୀ ପ୍ରତିରୋପଣ କରାଯାଇପାରିବ । ତେଣୁ ଦେଢ଼ବର୍ଷରୁ ଅଧିକ ସମୟ ଡାୟାଲିସିସ୍ ଦରକାର ପଡ଼ୁଥିବା ରୋଗୀଙ୍କ କ୍ଷେତ୍ରରେ କିଡନୀ ପ୍ରତିରୋପଣ ଏକ ଅପେକ୍ଷାକୃତ କମ୍ ବ୍ୟୟସାପେକ୍ଷ ଚିକିତ୍ସା ।

ପ୍ରଶ୍ନ : 6 କେଉଁ ଜୀବିତ ବ୍ୟକ୍ତି କିଡନୀ ଦାନ କରିବାକୁ ସକ୍ଷମ?

ଅଠରରୁ ଷୋଠିଏ ବର୍ଷ ବୟସ୍କ ଏବଂ ଶାରୀରିକ ଓ ମାନସିକ ସୁସ୍ଥ ଯେକୌଣସି ବ୍ୟକ୍ତି ଉପଯୁକ୍ତ ପରୀକ୍ଷା ନିରୀକ୍ଷା ପରେ ସମ୍ପୁର୍ଣ୍ଣ ନିରୋଗ ପ୍ରମାଣିତ ହେଲେ ସ୍ଵେଚ୍ଛାକୃତ ଭାବରେ ନିଜର ଏକ କିଡନୀ ଦାନ କରିପାରିବେ । କିଡନୀ ପ୍ରତିରୋପଣ ପାଇଁ । ରୋଗୀଙ୍କୁ ସମ୍ପୁକ୍ତ ରାଜ୍ୟ ସରକାରଙ୍କଠାରୁ ଅନୁମତି ନେବାକୁ ପଡିଥାଏ । ବିଭିନ୍ନ ଦେଶର ସରକାର ଅଙ୍ଗ ପ୍ରତିରୋପଣ ପାଇଁ ନିଜ ଦେଶରେ ଭିନ୍ନଭିନ୍ନ ଆଇନ୍ ପ୍ରଣୟନ କରିଛନ୍ତି । ଅଙ୍ଗଦାନର ବ୍ୟବସାୟୀକରଣ ବା ଅଙ୍ଗବିକ୍ରିକୁ ରୋକିବା \ ପାଇଁ ଭାରତ ସରକାର ମଧ୍ୟ ଏକ ଅଙ୍ଗଦାନ ସଂକ୍ରାନ୍ତ ଆଇନ ପ୍ରଣୟନ କରିଛନ୍ତି । ଏହାଦ୍ଵାରା ଜଣେ ରୋଗୀ କେବଳ ନିଜର ନିକଟ ସମ୍ପର୍କୀୟ (ମା, ବାପା, ଜେଜେବାପା, ଜେଜେମା, ଅଜା, ଆଈ, ଭାଇ ଭଉଣୀ, ପୁଅ, ଝିଅ, କିମ୍ବା ସ୍ଵାମୀ/ ପ୍ରୀ) ଙ୍କଠାରୁ କିଡନୀ ଗ୍ରହଣ କରିପାରିବ । କେତେକ ବିଶେଷ ପରିସ୍ଥିତିରେ ଦୂର ସମ୍ପର୍କୀୟ ବା ଅଜଣା ବ୍ୟକ୍ତିଠାରୁ କିଡନୀ ଗ୍ରହଣ କରିବାର ମଧ୍ୟ ବ୍ୟବସ୍ଥା ଅଛି । ରାଜ୍ୟ ସରକାରଙ୍କଠାରୁ ଅନୁମତି ନେଇ ଏହା କରାଯାଇପାରିବ ।

କିଡ଼ନୀ ପ୍ରତିରୋପଣ ପୂର୍ବରୁ ଦାତା ଏବଂ ଗ୍ରହୀତାଙ୍କ ରକ୍ତ ଗ୍ରୁପ ଏବଂ ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା ଆବଶ୍ୟକ । ବର୍ତ୍ତମାନ ରକ୍ତ ଗୁପ୍ ଏବଂ ତନ୍ତୁ ମେଳ ହେଉନଥିବା ଯୋଡିଙ୍କ କ୍ଷେତ୍ରରେ କିଡନୀ ପ୍ରତିରୋପଣ ସମ୍ଭବ ହେଉଥ୍ଲେବି ଏହା ଅତ୍ୟନ୍ତ ବ୍ୟୟବହୁଳ ଏବଂ ସେତେ ଭଲ ଫଳ ମିଳିପାରିନାହିଁ ।

ପ୍ରଶ୍ନ : 7  କିଡନୀ ଦାତାଙ୍କର ଭବିଷ୍ୟତରେ କିଛି ଅସୁବିଧା ହୁଏ କି?

ନା, କିଡନୀ ଦାନ କରିବା ପୂର୍ବରୁ ଦାତାଙ୍କୁ ବିଶେଷ ଭାବରେ ପରୀକ୍ଷା କରାଯାଇଥାଏ । ସାମାନ୍ୟ ଅସୁବିଧା ଅଲେ ମଧ୍ୟ ସେମାନଙ୍କ ଠାରୁ କିଡନୀ ଗ୍ରହଣ କରାଯାଏ ନାହିଁ । ଯେହେତୁ ସାଧାରଣ ଜୀବନଯାପନ ପାଇଁ ଗୋଟିଏ କିଡନୀ ଯଥେଷ୍ଟ ତେଣୁ ପ୍ରାୟତଃ କୌଣସି କିଡନୀ ଦାତାଙ୍କର ଭବିଷ୍ୟତରେ କିଛି ଅସୁବିଧା ହେବାର ସମ୍ଭାବନା ନଥାଏ । ପରେ ଯଦି କୌଣସି ବେମାରି ଯୋଗୁ ଦାତାଙ୍କର ଅନ୍ୟ କିଡନୀଟି ଖରାପ ହୋଇଯାଏ ତେବେ ତାଙ୍କୁ ଚିକିତ୍ସା ଆବଶ୍ୟକ । କିନ୍ତୁ ଏପରି ଘଟଣା ବିରଳ ।

ସାଧାରଣରେ ବିଶ୍ଵାସ ଅଛି ଯେ, କିଡନୀଦାତାଙ୍କୁ ସାରା ଜୀବନ ଔଷଧ ଖାଇବାକୁ ପଡେ । କିନ୍ତୁ ଏହା ସତ୍ୟ ନୁହେଁ । କିଡନୀଦାତା ସମ୍ପୁର୍ଣ୍ଣ ସୁସ୍ଥ ଭାବରେ ସାଧାରଣ ଜୀବନଯାପନ କରିଥାନ୍ତି ।

ପ୍ରଶ୍ନ : 8 କିଡନୀ ପ୍ରତିରୋପଣ ପରେ ରୋଗୀଙ୍କୁ ଡାୟାଲିସିସ୍ କିମ୍ବା ଔଷଧର ଆବଶ୍ୟକତା ଥାଏ କି?

ପ୍ରତିରୋପଣ ପରେ ରୋଗୀଙ୍କୁ ଡାୟାଲିସିସ୍ ଏବଂ ବହୁପ୍ରକାର ଖାଦ୍ୟ କଟକଣାରୁ ମୁକ୍ତ ମିଳିଯାଏ । କିନ୍ତୁ ଜୀବନସାରା ଔଷଧ ଖାଇବା ଏବଂ ନିୟମିତ ବ୍ୟବଧାନରେ ଡାକ୍ତରଙ୍କୁ ପରାମର୍ଶ କରିବା ଦରକାର ପଡେ । ରୋଗୀ ସାଧାରଣ ଲୋକପରି ଜୀବନଯାପନ କରିବା ସହିତ ନିଜର ବୃତ୍ତିଗତ କାର୍ଯ୍ୟ କରିପାରେ । କିନ୍ତୁ ପରିଷ୍କାର ପରିଚ୍ଛନ୍ନତା ଏବଂ ରୋଗ ସଂକ୍ରମଣରୁ ରକ୍ଷା ପାଇବା ପାଇଁ କିଛି ସତର୍କତା ଅବଲମ୍ବନ କରିବା ଜରୁରୀ ହୁଏ ।

ପ୍ରଶ୍ନ : 9  ଆଜିକାଲି ବିଭିନ୍ନ ସ୍ଥାନରେ କିଡନୀ ଚୋରିହେବା ଖବର ପ୍ରକାଶ ପାଉଛି । କୌଣସି ହସ୍ପିଟାଲରେ ରୋଗୀ ଠାରୁ କିଡନୀ ଚୋରି କରିବା ସମ୍ଭବ କି ?

ନା, ଏହା ଆଦୌ ସହଜ ଓ ସମ୍ଭବ ପ୍ରକ୍ରିୟା ନୁହେଁ । କିଡନୀ ପ୍ରତିରୋପଣ ଏକ ଅତ୍ୟନ୍ତ ଜଟିଳ ଅସ୍ତ୍ରୋପଚାର ଏବଂ କେବଳ ସରକାରୀ ସ୍ଵୀକୃତିପ୍ରାପ୍ତ କେତେକ ହସ୍ପିଟାଲରେ ସ୍ଵୀକୃତିପ୍ରାପ୍ତ ଅଳ୍ପସଂଖ୍ୟକ ଅଭିଜ୍ଞ ଡାକ୍ତର ହିଁ ଏହା କରିଥାନ୍ତି । କିଡନୀକୁ ଦାତାଙ୍କ ଶରୀରରୁ ବାହାର କଲାପରେ ଏହାକୁ ରାସାୟନିକ ଦ୍ରବଣ ସହ ବରଫରେ ରଖାଯାଏ। ଏବଂ ଅଳ୍ପ ସମୟ ମଧ୍ୟରେ ଏହା ରୋଗୀ ଦେହରେ ପ୍ରତିରୋପଣ କରାନଗଲେ ନଷ୍ଟ ହୋଇଯାଇଥାଏ । ସେଥିପାଇଁ କିଡନୀ ପ୍ରତିରୋପଣ ସମୟରେ ଉଭୟ ଦାତା ଓ ଗ୍ରହୀତାଙ୍କର ଅସ୍ତ୍ରୋପଚାର ଏକ ସମୟରେ ହିଁ କରାଯାଇଥାଏ । ଯଦିଓ ଆମଦେଶରେ କିଛି ସ୍ଥାନରେ କିଡନୀ ଚୋରି ପାଁକେଟ୍ ଦ୍ଵାରା କିମ୍ବା ଲୁଚା ଛପାରେ କେତେକ ହସପିଟାଲରେ କିଡନୀ ପ୍ରତିରୋପଣ ହେବାର ଉଦାହରଣ ଅଛି, କିନ୍ତୁ ଏହା ଏତେ ସହଜ ଓ ସରଳ ପ୍ରକ୍ରିୟା ନୁହେଁ । ପ୍ରତିରୋପଣ କରିବାରେ ସାମାନ୍ୟ ବିଳମ୍ବ ବା ବ୍ୟତିକ୍ରମ ହେଲେ ଏହା ନଷ୍ଟ ହୋଇଯିବା ସହିତ ଗ୍ରହୀତା ପାଇଁ ପ୍ରାଣଘାତକ ହୋଇପାରେ।

ସଂଗୃହିତ : ଡାକ୍ତର ମାନସ ରଞ୍ଜନ ପ୍ରଧାନ ମୂତ୍ରଶଲ୍ୟ ଓ କିଡନୀ ପ୍ରତିରୋପଣ ବିଶେଷଜ୍ଞ, କଳିଙ୍ଗ ହସପିଟାଲ୍, ଭୁବନେଶ୍ଵର

3.03703703704
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top