ହୋମ / ସମାଜ କଲ୍ୟାଣ / ମହିଳା ଓ ଶିଶୁ ବିକାଶ / ଅଧିକାର ଅପେକ୍ଷାରେ ନାରୀ
ସେଆର କରନ୍ତୁ

ଅଧିକାର ଅପେକ୍ଷାରେ ନାରୀ

ନାରୀ ପାଇଁ କଣ ରହିଛି ଅଧିକାର ବ୍ୟବସ୍ଥା ସେ ସମ୍ବନ୍ଧରେ ଜାଣନ୍ତୁ ।


ମନୁଷ୍ୟ ଭାବରେ ନାରୀ ଓ ପୁରୁଷ ଭିନ୍ନ ନୁହନ୍ତି । ମାତ୍ର ପୁରୁଷପ୍ରଧାନ ସମାଜ ବ୍ୟବସ୍ଥାରେ ନାରୀ ଓ ପୁରୁଷ ମଧ୍ୟରେ ରହିଛି ଏକ ଭାରସାମ୍ୟହୀନ ବ୍ୟବଧାନ, ଯେଉଁ ବ୍ୟବଧାନ ବିରୋଧରେ ଅତୀତରେ ନାରୀ କେବେ ପ୍ରଶ୍ନ ପଚାରି ନ ଥିଲା କି ପ୍ରତିବାଦ କରି ନ ଥିଲା । କାରଣ ପ୍ରଶ୍ନ ପଚାରିବା ଓ ପ୍ରତିବାଦ କରିବା ଥିଲା ନାରୀଧର୍ମର ଏକ ବିରୋଧାଭାସ । ଏମିତି ଏକ ମିଛ ମୂଲ୍ୟବୋଧ ପାଖରେ ବନ୍ଧା ପଡିଥିବା ନାରୀ ନିଜକୁ ଜାହିର କରିବା ପରିବର୍ତ୍ତେ ପୁରୁଷପ୍ରଣୀତ ସବୁ ନୀତିନିୟମକୁ ପାଳନ କରିଥିଲା ଖୁବ୍ ନିଷ୍ଠାର ସହିତ । ଏ ଦିଗରେ ତା’ର ଧୈର୍ଯ୍ୟ ଓ ସହନଶୀଳତାକୁ ବହୁ ଭାବରେ ପ୍ରୋତ୍ସାହିତ କରିଥିଲା ପୁରୁଷର ପ୍ରପଞ୍ଚପଣ । ନାରୀର ମନ ମୋହିବା ପାଇଁ ସେ ତାକୁ ବନ୍ଦନୀୟା ବୋଲି କହି ଅଜାଡି ଦେଇଥିଲା ଅଜସ୍ର ପ୍ରଶଂସା । ଅଥଚ ବାସ୍ତବ କ୍ଷେତ୍ରରେ ଅବଳା, ଆଶ୍ରିତା, ରମ୍ୟା, ଭୋଗ୍ୟା ଆଦି ଆଖ୍ୟା ଦେଇ ନାରୀକୁ ନେଇ ଛିଡା କରେଇ ଦେଇଥିଲା ସମାଜର ସବା ତଳ ପାହାଚରେ। ଏବେ ବି ସେହି ମାନସିକତା ରହିଛି ।

ନାରୀକୁ ସୁରକ୍ଷା ଓ ସମ୍ମାନ ନ ଦେଲେ ସମାଜରେ ଦେଖାଦିଏ ନାନା ବିଶୃଙ୍ଖଳା । ଏହି ବିଚାରବୋଧ ନେଇ ସ୍ଵାଧୀନତା ପରବର୍ତ୍ତୀ ଭାରତବର୍ଷରେ  ଉଠିଛି ନାରୀ ଜାଗରଣର ସ୍ଵର । ନାରୀଟିଏ କିପରି ସ୍ଵାଧୀନ ଭାବରେ ବଞ୍ଚିପାରିବ, ନିଜର  ଅଧିକାର ସାବସ୍ତ୍ୟ କାରପାରିବ ଏହାକୁ ଦୃଷ୍ଟିରେ ରଖି ପ୍ରକାଶ ପାଇଛି ରାଜନୈତିକ ତତ୍ପରତା । ନାରୀ ପ୍ରତି ପୁରୁଷର ଅନ୍ୟାୟ, ଅତ୍ୟାଚାର ଓ ଲାଞ୍ଛନା ବିରୋଧରେ ତିଆରି ହୋଇଛି କଠୋର ଆଇନ । ଆମ ରକ୍ଷଣଶୀଳ ସମାଜର ପ୍ରଥା-ପରମ୍ପରାକୁ ପ୍ରତିହତ କରିବା ପାଇଁ ପ୍ରକାଶ ପାଉଛି ନାରୀ ଶିକ୍ଷାର ପ୍ରସାର, ନିଯୁକ୍ତି ସୁଯୋଗ, ରାଜନୀତିରେ ସକ୍ରିୟ ଅଂଶଗ୍ରହଣ ନିମନ୍ତେ ଅନୁକୂଳ ପରିବେଶ ।

ନାରୀ ଶିକ୍ଷା

ନାରୀ ଶିକ୍ଷାର ପ୍ରସାର ତଥା ସଚେତନତା ଫଳରେ ଅନ୍ଧବିଶ୍ଵାସର ଅର୍ଗଳି ଭିତରୁ ମୁକୁଳି ଆସି ନିଜକୁ ଏକ ନୂଆ ରୂପରେ ପ୍ରକଟ କରିପାରିଛି ଯୁଗ ଯୁଗ ଧରି ପିତୃକୈନ୍ଦ୍ରିକ ପ୍ରତାରଣା ଓ ଶଠତାରେ ସଢୁଥିବା ନାରୀ । ସେ ଶିକ୍ଷିତା ହୋଇଛି, ସ୍ଵାବଲମ୍ବୀ ହୋଇଛି ଏବଂ ନିଜର ଅଧିକାର ଜାହିର କରିବା ସହ ପୁରୁଷକୈନ୍ଦ୍ରିକତାକୁ ପ୍ରତିହତ କରିପାରିଛି ନିଜର ଦମ୍ଭିଲାପଣ ନେଇ । ବୃତ୍ତିଗତ ଜୀବନ ନାରୀକୁ ଆଣିଦେଇଛି ଅର୍ଥନୈତିକ ସ୍ଵାଧୀନତା । ରାଜନୀତି କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ନାରୀକୁ ଦେଇଛି ନେତୃତ୍ଵ ନେବାର ମୁକ୍ତ ଅବସର । ଏବେ ପଞ୍ଚାୟତଠାରୁ ଜିଲାସ୍ତର ପର୍ଯ୍ୟନ୍ତ ସ୍ଥିର ହୋଇସାରିଛି ସେମାନଙ୍କ ଆନୁପାତିକ ପ୍ରତିନିଧିତ୍ଵ ।

ବୈଷୟିକ ସଂସ୍କୃତିର ସଂକ୍ରମଣରୁ ସୃଷ୍ଟି ହୋଇଛି ନାରୀ ମାନସିକତାର ନୂଆ ପ୍ରକରଣ । ପାରମ୍ପରିକ ବିଚାରବୋଧର ବଳୟ ଭିତରୁ ମୁକୁଳି ଆସିବା ଦ୍ଵାରା ଅପସରିଯାଇଛି ପ୍ରଚଳିତ ପରମ୍ପରାକୁ ମାନି ଚଳିବାର ଦୁର୍ବଳ ମାନସିକତା । ନାରୀ ପରମ୍ପରାକୁ ନେଇ ପୁରୁଷର ମଗଜକୁ ଉତୁରି ଆସୁଥିବା ପ୍ରଶ୍ନବାଣରେ ନାରୀ ଆଉ ଲହୁଲୁହାଣ ହେଉନି କି ମିଛ ମୂଲ୍ୟବୋଧର କୁହୁକରେ ପୋଷା ମାନି କାଟିଦେଉନି ଆପଣା ଇଚ୍ଛାର ଡେଣା । ବରଂ ନାରୀ ଲାଞ୍ଛନାର ପ୍ରତିଟି ଅଧ୍ୟାୟକୁ ଅତିକ୍ରମକରି ପ୍ରମାଣ କରିପାରିଛି-ନାରୀ ଅବଳା ନୁହେଁ କି ଜଞ୍ଜାଳ ନୁହେଁ । ବଂଶରକ୍ଷାଠାରୁ ଶ୍ରାଦ୍ଧତର୍ପଣ ଯାଏ ସବୁ କ୍ଷେତ୍ରରେ ରହିଛି ପୁରୁଷ ସହ ତା’ର ସମାନ ଅଧିକାର । ଅତଏବ ନାରୀ ଆଜି ପାରମ୍ପରିକ ଜୀବନବୋଧରୁ ମୁକ୍ତହୋଇ ଆପଣେଇ ନେଇଛି ଜଗତୀକରଣ ବ୍ୟବସ୍ଥାର ଉନ୍ନତ ଜୀବନଶୈଳୀ। ତେବେ ଏତେସବୁ ଅଧିକାର ହାସଲ କରିସାରିବା ପରେ ଆଉ ପୁଣି କାହିଁକି ଉଠୁଛି ନାରୀ ସଶକ୍ତୀକରଣର ସ୍ଵର ? ସବୁ ସଜାଗ ଓ ସତର୍କତା ସତ୍ତ୍ୱେ ସମାଜରୁ କାହିଁକି ଅନ୍ତ ହେଉନି କନ୍ୟାଭ୍ରୂଣ ହତ୍ୟା, ଯୌତୁକ ନିର୍ଯାତନା, ଯୌନ ଶୋଷଣ ତଥା ଗଣବଳାତ୍କାର ଭଳି ନାରୀ ନିର୍ଯାତନାର କଳଙ୍କିତ ଅଧ୍ୟାୟ ?

କନ୍ୟାଭ୍ରୂଣ ହତ୍ୟା

ଶିକ୍ଷାଦିକ୍ଷାରେ ଝିଅଟିଏ ଯେତେ ଊର୍ଦ୍ଧ୍ଵକୁ ଗଲେ ମଧ୍ୟ ତା’ ଭିତରେ ଲୁଚିଥାଏ ଏକ ମାଆପଣ । ଏହି ଭାବନା ପିଲାଟି ଦିନରୁ ତା’ ଭିତରେ ଭାରି ଦେଇଥାଏ ମାଆର ଆହା ପଦରେ ପୃଥିବୀ ହୁଏ ଶୀତଳା । ମାତ୍ର ସଂସ୍କୃତିର ବଜାରୀକରଣ ସହିତ ମାଆମାନେ ମମିରେ ପରିଣତ ହୋଇଗଲା ପରେ ସମାଜରେ ସୃଷ୍ଟି ହୋଇଛି ଏକ ସାଂସ୍କୃତିକ ସଙ୍କଟ । ସତ୍ ଶିକ୍ଷା ଓ ଅନୁଶାସନରୁ ବଞ୍ଚିତ ହୋଇ ପିଲାମାନେ ମୁହେଁଇଛନ୍ତି ଅପସଂସ୍କୃତି ଆଡକୁ । ମୂଲ୍ୟବୋଧର ଅବକ୍ଷୟ ମଧ୍ୟରେ ସମାଜରୁ ଅପସାରିଯାଉଛି କନ୍ୟାଦାନ ମୁହାପୁଣ୍ୟ ଓ ନାରୀ ଲକ୍ଷ୍ମୀଙ୍କର ପ୍ରତିରୂପ ଆଦି ଅନେକ ମହାର୍ଘ ଭାବଧାରା । ସେଥିପାଇଁ ସମାଜରେ ବଢି ଚାଲିଛି ଲିଙ୍ଗ ନିରୂପଣ, କନ୍ୟାଭ୍ରୂଣ ହତ୍ୟା ଓ ଗର୍ଭପାତ ଭଳି ଘୃଣ୍ୟ ବ୍ୟବସ୍ଥା । ପରିବାରକୁ କନ୍ୟା ସନ୍ତାନଟିଏ ଆସିଲେ ତାକୁ ବୋଝ ବୋଲି ଭାବୁଛି ନିଜେ ଜନ୍ମଦାତ୍ରୀ ମାଆ । ତେଣୁ ଲିଙ୍ଗଗତ ବିଷମତାର ସମ୍ମୁଖୀନ ହୋଇ କନ୍ୟା ସନ୍ତାନଟିଏ ଭୋଗୁଛି ମାନସିକ ନିର୍ଯାତନା ।

ନାରୀ ସଶକ୍ତୀକରଣ

ନାରୀର ରୂପଲବଣ୍ୟକୁ ଲୋଭିଲା ଆଖିରେ ଚାହିଁବା ପୁରୁଷର ଏକ ଆଦିମ ପ୍ରବୃତ୍ତି । ପୁରୁଷର ଏହି ବଣୁଆ ଆଖିକୁ ଆକ୍ଷେପ କରି ବାଂଲାଦେଶର ପ୍ରସିଦ୍ଧ ବାମାବଦୀ ଲେଖିକ ତସ୍ଲିମା ନସ୍ରିନ୍ କହନ୍ତି – ‘ନାରୀମାନେ ଦେଖିବାର ଜିନିଷ, ଉପଭୋଗର ଜିନିଷ । ମନେରଖିବା ଉଚିତ୍ ଯେ, ନାରୀ ପଣ୍ୟବାଦର ପ୍ରତୀକ ନୁହେଁ । ନାରୀ ଦେହକୁ ବ୍ୟବସାୟରେ ଉପଯୋଗ କରିବା ଅର୍ଥ ନାରୀଜାତିର ମର୍ଯ୍ୟାଦା ପ୍ରତି ଶକ୍ତି ଚାପୁଡା । ମାତ୍ର ଟେଲିଭିଜନ ପରଦାରେ, ବିଭିନ୍ନ ବିଜ୍ଞାପନ ଓ ଚଳଚ୍ଚିତ୍ରରେ ନାରୀ ଦେହ ଯେପରି ପ୍ରଦର୍ଶିତ ହେଉଛି ତାହା ବ୍ୟବସାୟ ଭିନ୍ନ ଆଉ କିଛି ନୁହେଁ । ନାରୀ ଜାତିକୁ ଯେଉଁମାନେ ଏମିତି ଅବାଟକୁ ଟାଣି ନେଉଛନ୍ତି, ସେମାନେ ଯେ ନାରୀ ପ୍ରଗତିରେ ଅନ୍ତରାୟ –ଏକଥା ନାରୀ ନିଜେ ଅନୁଭବ କରିବା ଉଚିତ ।ଅନ୍ୟଥା ଆହୁରି ହୁଗୁଳା ହୋଇପଡିବ ଆତ୍ମଶାସନ ।ନାରୀ ସଶକ୍ତୀକରଣ ପାଇଁ ଯେତେ ଆଇନ ତିଆରି ହେଲେ ବି ଅନୁଶାସନ ବିନା ପରିଷ୍କାର ହୋଇଯିବ ପତନର ପଥ ।

ଆଧାର- ଅଧ୍ୟାପକ ପ୍ରଫୁଲ୍ଲ କୁମାର ସାହୁ ,ବିଜୁ ପଟ୍ଟନାୟକ ନଗର, ଭଦ୍ରକ

2.92592592593
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top