ହୋମ / ସମାଜ କଲ୍ୟାଣ / ଅନୁସୂଚିତ ଜନଜାତି କଲ୍ୟାଣ / ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ (ଜଙ୍ଗଲ ଅଧିକାର ସ୍ଵୀକୃତି) ଆଇନ, ୨୦୦୬
ସେଆର କରନ୍ତୁ

ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ (ଜଙ୍ଗଲ ଅଧିକାର ସ୍ଵୀକୃତି) ଆଇନ, ୨୦୦୬

ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ପାଇଁ ଥିବା ଆଇନ ସମ୍ପର୍କରେ ସୂଚନା ଏହି ପୋର୍ଟାଲ ରେ ମିଳିବ ।

ମୁଖବନ୍ଧ

ଏହି ଆଇନ ଭାରତର ପାଲ୍ୟାମେଣ୍ଟରେ ପାସ ହେବା ପରେ , ରାଷ୍ଟ୍ରପତିଙ୍କ ଦ୍ଵାରା ୨୯ ଡିସେମ୍ବର , ୨୦୦୬ ରେ ଅନୁମୋଦନ ଲାଭ କରିଛି ।

ଏହି ଆଇନ ଅନୁଯାୟୀ ପୁରୁଷାନୁକ୍ରମେ ଜଙ୍ଗଲରେ ରହି ବସବାସ କରି ଆସୁଥିବା ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କର ଅଧିକାରକୁ ସ୍ଵିକୃତି ଦିଆଯାଇ ପାରିନାହିଁ । ସେହି ମାନଙ୍କର ଜଙ୍ଗଲ ଉପରେ ଥିବା ପାରମ୍ପରିକ ଅଧିକାର ଗୁଡିକୁ ଆଇନଗତ ସ୍ଵିକୃତି ପ୍ରଦାନ କରିବା, ସେଥିପାଇଁ ଆବଶ୍ୟକ ବିଧି ବ୍ୟବସ୍ଥାର ନିର୍ଦ୍ଧାରଣ କରିବା ତଥା ଜଙ୍ଗଲ ଅଧିକାର ଗୁଡିକୁ ଲିପିବଦ୍ଧ କରିବ ବନବାସୀଙ୍କର ଜଙ୍ଗଲ ଅଧିକାର ସାବ୍ୟସ୍ତ ନିମନ୍ତେ ଅବଶ୍ୟକୀୟ ପ୍ରମାଣ ସହ ସାବ୍ୟସ୍ତ କରିବା ଦିଗରେ ଏହି ଆଇନ ପ୍ରସ୍ତୁବିତ ହେଉଛି । ଯାହା ଫଳରେ ଜଙ୍ଗଲରେ ବାସ କରୁଥିବା ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କର ସ୍ଵିକୃତି ପ୍ରାପ୍ତ ଅଧିକାର ଜୈବ ବିବିଧାତାର ଚିରନ୍ତନ ବ୍ୟବହାର , ସଂରକ୍ଷଣ ଓ ପରିବେଶ ସନ୍ତୁଳନର ପରିଚାଳନା ଏବଂ ତଦ୍ୱାରା ଜଙ୍ଗଲ ଅଞ୍ଚଳର ସଂରକ୍ଷଣକୁ ସୁଦୃଢ କରିବା ନିମନ୍ତେ ଦାୟିତ୍ଵ ଏବଂ ଅଧିକାର ଅନ୍ତର୍ଭୁକ୍ତ ହେବ, ଏହାଛଡା ଖାଦ୍ୟ ନିରାପତ୍ତା ଓ ଜୀବିକାର ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦିଆଯିବ ।

ଭାରତ ବର୍ଷର ସ୍ଵାଧୀନତାର ପୂର୍ବ ଏବଂ ସ୍ଵାଧୀନତା ପରେ ଯେତେବେଳେ ରାଜ୍ୟମାନଙ୍କ ମଧ୍ୟରେ ଥିବା ଜଙ୍ଗଲଗୁଡିକର ମିଶ୍ରଣ ହେଲା । ସେତେବେଳେ ଜଙ୍ଗଲର ସ୍ଥାୟିତ୍ଵ ଓ ପରିବେଶଗତ ସନ୍ତୁଳନର ପ୍ରମୁଖ ଅଂଶୀଦାର ଭାବେ ଭୂମିକା ନିର୍ବାହ କରିଆସୁଥିବା ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ଜନବାସୀମାନଙ୍କର ଜଙ୍ଗଲ ଜମି ଉପରେ ଥିବା ପୈତୃକ ଭୁସମ୍ପତ୍ତି  ଓ ବାସସ୍ଥଳୀ ଉପରେ ଅଧିକରକୁ ସଠିକ ଭାବେ ସ୍ଵିକୃତି ପ୍ରଦାନ କରାନଯାଇ ସେମାନଙ୍କର ପ୍ରତି ଏକ ଐତିହାସିକ ଅନ୍ୟାୟ କରାଯାଇଥିଲା ।

ଏହାଛଡା ଜଙ୍ଗଲରେ ବସବାସ କରୁଥିବା ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ତଥା ଦେଶର ବିକାଶ ମୂଳକ କାର୍ଯ୍ୟକ୍ରମ ଦ୍ଵାରା ବାସଚ୍ୟୁତ ହୋଇ ଜଙ୍ଗଲ ଜମି ଉପରେ ବାସବାସ କରିବାକୁ ବାଧ୍ୟ ହୋଇଥିବା ଲୋକଙ୍କ ପ୍ରତି ଦୀର୍ଘଦିନ ଧରି ହୋଇଥିବା ଅବିଚାର ଓ ଅସୁରକ୍ଷିତ ଅଧିକାରକୁ ନ୍ୟାୟସଙ୍ଗତ କରିବା ।

ଏହି ପରିପ୍ରେକ୍ଷୀରେ ଭାରତବର୍ଷରେ ୫୭ତମ ସାଧାରଣତନ୍ତ୍ର ବର୍ଷରେ ସଂସଦରେ ଗୃହିତ ହୋଇଥିବା ଏହି ଆଇନ ନିମ୍ନରେ ପ୍ରଦାନ କରାଯାଇଛି ।

ସଂକ୍ଷିପ୍ତ ସାରାଂଶ

ପୁରୁଷାନୁ କ୍ରମେ ଜଙ୍ଗଲରେ ରହି ଆସୁଥିବା ଯେଉଁ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କର ଅଧିକାରକୁ ନଥି ଭୁକ୍ତ କରାଯାଇପାରିନାହିଁ, ସେହି ମାନଙ୍କୁ ସେମାନଙ୍କର ଅଧିକୃତ ଜମି ଏବଂ ଜଙ୍ଗଲ ଅଧିକାରର ସ୍ବୀକୃତି ଦିଆଯିବା ଓ ଜଙ୍ଗଲ ଅଧିକାର ନଥିଭୁକ୍ତ କରିବା ନିମନ୍ତେ ଏକ ଲୋକାଭିମୁଖୀ ଆଇନ ପ୍ରଣୟନ କରାଯାଇଛି। ଏହି ଆଇନରେ ଜଙ୍ଗଲ ଜମିର ସ୍ବୀକୃତି ପ୍ରଦାନ ଏବଂ ବନବାସୀମାନଙ୍କର ଅଧିକାର ସାବ୍ୟସ୍ତ ନିମନ୍ତେ ଆବଶ୍ୟକୀୟ ପ୍ରମାଣ ସହ ଜଙ୍ଗଲ ସେମାନଙ୍କର ବୃତ୍ତିଗତ ବ୍ୟବସ୍ଥାକୁ ମଧ୍ୟ ସ୍ଵୀକୃତି ପ୍ରଦାନ ନିମନ୍ତେ ସ୍ଵତନ୍ତ୍ର ଧାରାର ବ୍ୟବସ୍ଥା କରାଯାଇଛି ।

ଏହା ଫଳରେ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପାରିକ ବନବାସୀଙ୍କର ସ୍ବୀକୃତି ପ୍ରାପ୍ତ ଅଧିକାର ମଧ୍ୟରେ ଜୈବ ବିବିଧତା ଚିରନ୍ତନ ବ୍ୟବହାର, ସରକ୍ଷଣ ଓ ପରିବେଶ ସନ୍ତୁଳନ ରକ୍ଷା କରିବା ଏବଂ ତଦ୍ଵାରା ଜଙ୍ଗଲ ଅଞ୍ଚଳର ସଂରକ୍ଷଣର ବ୍ୟବସ୍ଥାକୁ ସୁଦୃଢ କରିବା ସହ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କର ଜୀବିକା ଓ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ନିମନ୍ତେ ଦାୟିତ୍ଵ ଓ କ୍ଷମତା ଅନ୍ତର୍ଭୁକ୍ତ ହେବ ।

ସ୍ଵାଧିନତାର ପୂର୍ବ ଏବଂ ସ୍ଵାଧୀନୋତ୍ତର ଭାରତବର୍ଷରେ ଯେତେବେଳେ ରାଜ୍ୟ ଜଙ୍ଗଲ  ଗୁଡିକର ମିଶ୍ରଣ ହେଲା, ସେତେବେଳେ ଜଙ୍ଗଲର ସ୍ଥାୟିତ୍ଵ ଏବଂ ପାରିବେଶିକ ସନ୍ତୁଳନର ପ୍ରମୁଖ ଅଂଶୀଦାର ଭାବରେ ଜଣାଥିବା ଜଙ୍ଗଲରେ ରହୁଥିବା ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନ ଙ୍କର ପୈତୃକ ଜମି ଓ ବାସସ୍ଥଳୀ ଉପରେ ଅଧିକାରକୁ ସଠିକ ଭାବେ ସ୍ୱୀକୃତି ପ୍ରଦାନ କରା ନ ଯାଇ ସେମାନଙ୍କର ପ୍ରତି ଏକ ଐତିହାସିକ ଅନ୍ୟାୟ କରାଯାଇଥିଲା ।

ଜଙ୍ଗଲରେ ବାସ କରୁଥିବା ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପାରିକ ବନବାସୀ ଏବଂ ଦେଶର ବିକାଶ ମୂଳକ କାର୍ଯ୍ୟକ୍ରମ ନିମନ୍ତେ ନିଜର ବାସସ୍ଥାଙ୍କୁ ଅନ୍ୟତ୍ର ଉଠାଯାଇଥିବା ଜନସାଧାରଣ ମାନଙ୍କର ଦୀର୍ଘଦିନ ଧରି ବିପନ୍ନ ହୋଇଥିବା ସତ୍ବେ ଓ ପ୍ରବେଶ ଅଧିକାରକୁ ସାବ୍ୟସ୍ତ କରିବା ଆବଶ୍ୟକ ହୋଇପଡିଛି । ଏହି ପରିପ୍ରେକ୍ଷରେ ଭାରତବର୍ଷର ୫୭ ତମ ସାଧାରଣତନ୍ତ୍ର ବର୍ଷରେ ସଂସଦରେ ଗୃହିତ ଏହି ଆଇନର ସାରାଂଶ ନିମ୍ନରେ ପ୍ରଦାନ କରାଯାଇଛି । ଉକ୍ତ ଆଇନ ଧାରା ୩  ଅନ୍ତର୍ଗତ ନିମ୍ନ ଲିଖିତ ଅନୁସାରେ ଜଙ୍ଗଲ ଓ ଜଙ୍ଗଲ ଜମି ଉପରେ ବିଭିନ୍ନ ପାରମ୍ପରିକ ଅଧିକାର ସ୍ୱୀକୃତି ମିଳିବା ପାଇଁ ବ୍ୟବସ୍ଥା କରାଯାଇଛି । ସେଗୁଡିକ ହେଲା :-

    ଅନୁସୂଚୀତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ମଧ୍ୟରୁ କୌଣସି ସଦସ୍ୟ ବା ସଦସ୍ୟା ମାନଙ୍କ ଦ୍ଵାରା ଜଙ୍ଗଲରେ ବସବାସ କିମ୍ବା ଜୀବିକା ଉପାର୍ଜନ ନିମନ୍ତେ କୃଷି କାର୍ଯ୍ୟ ନିମନ୍ତେ ଜଙ୍ଗଲ ଜମିରେ ଚାଷ କରିବା ଏବଂ ବସବାସ ନିମନ୍ତେ ବ୍ୟକ୍ତିଗତ ଏବଂ ଗୋଷ୍ଠୀଗତ ଅଧିକାର ;
    • ପୂର୍ବରୁ ଥିବା ରାଜାରାଜୁଡା ଶାସନ କାଳରେ ଜମିଦାରୀ କିମ୍ବା ସେହି ପ୍ରକାର ଆନ୍ତରୀଣ ଶାସନ ସମୟରେ ନିସ୍ତାର କିମ୍ବା ସେହିଭଳି ଅନ୍ୟାନ୍ୟ ଯେକୌଣସି ପ୍ରଚଳିତ ଗୋଷ୍ଠୀଭିତ୍ତିକ ଅଧିକାର ;
    • ପାରମ୍ପରିକ ଭାବେ ନିଜ ଗ୍ରାମ ମଧ୍ୟରେ କିମ୍ବା ଗ୍ରାମ ବାହାର ସୀମାରୁ ସଂଗ୍ରହ ହୋଇ ଆସୁଥିବା ଲଘୁ ବନଜାତ ଦ୍ରବ୍ୟର ଲଘୁ ବନଜାତ ଦ୍ରବ୍ୟର ମାଲିକାନା , ସଂଗ୍ରହ, ବ୍ୟବାହାର ଏବଂ ବିକ୍ରୟ ନିମନ୍ତେ ଅଧିକାର ;
    • ଯାଯାପର କିମ୍ବା ପଶୁପାଳକ ଗୋଷ୍ଠୀମାନଙ୍କର ମାଛ ଏବଂ ଅନ୍ୟାନ୍ୟ ଜଳଜାତ ଦ୍ରବ୍ୟ, ଚାରଣ ଏବଂ ପାରମ୍ପରିକ ଋତୁଭିତ୍ତିକ ସମ୍ବଳ ଉପରେ ବ୍ୟବହାର ଏବଂ ମାଲିକାନା ଜନିତ ଗୋଷ୍ଠୀ ଅଧିକାର ;
    • ଆଦିମ ଜନଜାତି ଏବଂ ପ୍ରାକ କୃଷିଜୀବି ସାମ୍ପ୍ରଦାୟମାନଙ୍କର ବାସ ଏବଂ ବସତି ଉପରେ ଗୋଷ୍ଠୀଗତ ଅଧିକାର ;
    • ଦୀର୍ଘସ୍ଥାୟୀ ଉପଯୋଗ ନିମନ୍ତେ ପାରମ୍ପରିକ ଭାବେ ସୁରକ୍ଷା ଏବଂ ସଂରକ୍ଷଣ କରିଆସୁଥିବା କୌଣସି ଜଙ୍ଗଲ ସମ୍ବଳର ସୁରକ୍ଷା, ପୁନଃଜନଜ କିମ୍ବା ସଂରକ୍ଷଣ କିମ୍ବା ପରିଚାଳନାର ଅଧିକାର ;
    • ଜୈବି ବିବିଧତା ଏବଂ ଭୌତିକ ସମ୍ପତ୍ତିର ଗୋଷ୍ଠୀଗତ ଅଧିକାର ଏବଂ ଜୈବିବିବିଧତା ଓ ସାଂସ୍କୃତିକ ବିବିଧତା ସମ୍ପର୍କିତ ପାରମ୍ପରିକ ଜ୍ଞାନକୌଶଳର ଉପଯୋଗ ନିମନ୍ତେ ଅଧିକାର ;
    • ଅନୁସୂଚୀତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କଦ୍ଵାରା ପାରମ୍ପରିକ ଭାବେ ପ୍ରଥାନୁମୋଦିତ ଅଧିକାର ଯାହା (କ) ରୁ (ଞ) ଉପଧାରା ରୁ ବର୍ଣ୍ଣିତ ହୋଇନାହିଁ । କିନ୍ତୁ କୌଣସି ପ୍ରଜାତିର ବନ୍ୟପ୍ରାଣୀଙ୍କୁ ଶିକାର କରିବା, ଫାଶ ବସାଇବା କିମ୍ବା ସେମାନଙ୍କର ଶରୀରର କୌଣସି ଅଂଶକୁ କାଢି ନେବା ନିମନ୍ତେ ଅଧିକାର ଉପରୋକ୍ତ ଅଧିକାର ମଧ୍ୟରେ ଅନ୍ତର୍ଭୁକ୍ତ ନୁହେଁ ।

    ପ୍ରଥମ ଅଧ୍ୟାୟ

    ପ୍ରାଥମିକ

     

    ୧) ସଂକ୍ଷିପ୍ତ ଶିରୋନାମା ଏବଂ ପ୍ରାରମ୍ଭ

    ୧) ଏହି ଆଇନ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ (ଜଙ୍ଗଲ ଅଧିକାର ସ୍ଵିକୃତି ) ଆଇନ , ୨୦୦୬ ଭାବେ ନାମିତ ହେବ ।

    ୨) ଏହା ଜାମ୍ମୁ ଓ କାଶ୍ମୀର ରାଜ୍ୟ ବ୍ୟତୀତ ସମଗ୍ର ଭାରତରେ ଲାଗୁ ହେବ ।

    ୩) କେନ୍ଦ୍ର ସରକାରଙ୍କର ଦ୍ଵାରା ସରକାରୀ ଗେଜେଟରେ ବିଜ୍ଞପ୍ତି ପ୍ରକାଶ ହେବା ଦିନଠାରୁ ଏହା ବଳବତ୍ତର ରହିବ ।

    ୨) ସଂଜ୍ଞା

    କ)”ଗୋଷ୍ଠୀ ଜଙ୍ଗଲ ସମ୍ପଦ “ ଅର୍ଥାତ ଏହି ଆଇନରେ ଗ୍ରାମର ପାରମ୍ପରିକ ଏବଂ ପ୍ରଥାନୁଯାୟୀ ନିର୍ଦ୍ଧାରିତ ଗ୍ରାମ୍ୟ ସୀମା ମଧ୍ୟରେ ଥିବା ସର୍ବସାଧାରଣ ଜଙ୍ଗଲ ଜମି କିମ୍ବା ଗ୍ରାମ ଗୋଷ୍ଠୀ ଏବଂ ମେଶପାଳକ ଗୋଷ୍ଠୀ ଦ୍ଵାରା ବ୍ୟବହୃତ ହେଉଥିବା ଋତୁକାଳୀନ ଚରଣଭୂମି, ଯେପରିକି ସୁରକ୍ଷିତ ଜଙ୍ଗଲ, ସଂରକ୍ଷିତ ଜଙ୍ଗଲ ଏବଂ ସୁରକ୍ଷିତ ଅଞ୍ଚଳ ଯେପରିକି ଅଭୟାରଣ୍ୟ ଏବଂ ଜାତୀୟ ଉଦ୍ୟାନ, ଯେଉଁଥିରେ ଲୋକମାନଙ୍କର ପାରମ୍ପରିକ ବ୍ୟବହାର କରିବାର ଅଧିକାର ରହିଛି ।

    ଖ)”ସଂକଟାପନ୍ନ ବନ୍ୟପ୍ରାଣୀ ଆବାସସ୍ଥଳୀ” ଅର୍ଥାତ ଜାତୀୟ ଉଦ୍ୟାନ ଏବଂ ଅଭୟାରଣ୍ୟ ଅଞ୍ଚଳ , ଯେଉଁ ଅଞ୍ଚଳକୁ ବୈଜ୍ଞାନିକ ପଦ୍ଧତି ଏବଂ ବିଧିବଦ୍ଧ ପର୍ଜ୍ୟବେକ୍ଷର ଦ୍ଵାରା ବନ୍ୟପ୍ରାଣୀ ସଂରକ୍ଷଣ ଉଦ୍ଦେଶ୍ୟରେ ସୁରକ୍ଷିତ ରଖିବା ଆବଶ୍ୟକ ବୋଲି ଓ ସ୍ପଷ୍ଟ ଭାବେ ପ୍ରମାଣିତ ହୋଇଥିବା, ପରେ କେନ୍ଦ୍ର ସରକାରଙ୍କର ପରିବେଶ ଏବଂ ଜଙ୍ଗଲ ମନ୍ତ୍ରଣାଳୟ ଦ୍ଵାରା ନିର୍ଦ୍ଧାରଣ ଏବଂ ନିଷ୍ପତି ନିଆଯାଇଥିବ । ଉକ୍ତ ଆଇନରେ ଥିବା ଧାରା-୪ ଅନ୍ତର୍ଗତ ଉପାଧାର (୧) ୦ଓ (୨) ରେ ଥିବା ବ୍ୟବସ୍ଥାକୁ ଭିତ୍ତିକରି “ସଙ୍କଟାପନ୍ନ ବନ୍ୟପ୍ରାଣୀ ଆବାସସ୍ଥଳୀ ‘ ନିରୂପଣ କରିବା ସମୟରେ ଏକ ବିଶେଷଜ୍ଞ କମିଟରେ ସରକାରଙ୍କ ଦ୍ଵାରା ନିଯୁକ୍ତ ଆଞ୍ଚଳିକ ସ୍ଥାନ ପାଇବେ ଏବଂ ଏଥିରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଜଣେ ପ୍ରତିନିଧି ରହିବେ ।

    ଗ) “ବନବାସୀ ଅନୁସୂଚୀତ ଜନଜାତି “ ଅର୍ଥାତ ଅନୁସୂଚୀତ ଜନଜାତିଙ୍କର କୌଣସି ସଭ୍ୟ କିମ୍ବା ସମ୍ପ୍ରଦାୟ ଯେଉଁମାନେ ମୁଖ୍ୟତଃ ଜଙ୍ଗଲରେ ବସବାସ କରନ୍ତି ଏବଂ ପ୍ରକୃତ ଜୀବନଜୀବିକାର ସାଧନ ନିମନ୍ତେ ଜଙ୍ଗଲ କିମ୍ବା ଉପରେ ନିର୍ଭର କରନ୍ତି , ଅନୁସୂଚୀତ ଜନଜାତିର ଅନ୍ତର୍ଭୁକ୍ତ ମେଷ ପାଳନ ସମ୍ପ୍ରଦାୟ ମଧ୍ୟ ଏହାର ଅନ୍ତର୍ଗତ ।

    ଘ) “ଜଙ୍ଗଲ ଜମି” କହିଲେ ଜଙ୍ଗଲ ଅଞ୍ଚଳରେ ଆସୁଥିବା ଯେକୌଣସି ଜମି, ଶ୍ରେଣୀଭୂକ୍ତ ହୋଇନଥିବା ଜଙ୍ଗଲ, ସୀମା ଚିହ୍ନଟ କରାଯାଇନଥିବା ଜଙ୍ଗଲ, ପରିଦୃଷ୍ଟ ବା ବିବେଚିତ ଜଙ୍ଗଲ, ସୁରକ୍ଷିତ ଜଙ୍ଗଲ, ସଂରକ୍ଷିତ ଜଙ୍ଗଲ, ଅଭୟାରଣ୍ୟ ଏବଂ ଜାତୀୟ ଉଦ୍ୟାନର ଅନ୍ତର୍ଗତ ହୋଇଥିବା ଜମିକୁ ବୁଝାଏ ।

    ଙ) “ଜଙ୍ଗଲ ଅଧିକାର “ ଅର୍ଥାତ ଆଇନର ଧାରା -୩ରେ ଦର୍ଶଯାଇଥିବା ଜଙ୍ଗଲ ଅଧିକାର ।

    ଚ)”ଜଙ୍ଗଲ ଗ୍ରାମ” ଅର୍ଥାତ କୌଣସି ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଦ୍ଵାରା ଜଙ୍ଗଲର କାର୍ଯ୍ୟକ୍ରମ ନିମନ୍ତେ ଜଙ୍ଗଲ ମଧ୍ୟରେ ସ୍ଥାପନ କରାଯାଇଥିବା ବସତି କିମ୍ବା ଜଙ୍ଗଲ ସଂରକ୍ଷଣ ପ୍ରକ୍ରିୟାରେ ପରିବର୍ତ୍ତିତ ଜଙ୍ଗଲ ମଧ୍ୟରେ ସ୍ଥାପନ କରାଯାଇଥିବା ବସତି କିମ୍ବା ଜଙ୍ଗଲ ସଂରକ୍ଷଣ ପ୍ରକ୍ରିୟାରେ ପରିବର୍ତ୍ତିତ ଜଙ୍ଗଲ ଗ୍ରାମ ଯାହା ଜଙ୍ଗଲ ବନ୍ଦୋବସ୍ତ ହୋଇଥିବା, ଗ୍ରାମସମୂହ, ନିଧାର୍ଯ୍ୟ ଦାବି ଥିବା ଜମି, ସମସ୍ତ ପ୍ରକାରର ଟୁଙ୍ଗିଅ ବସତି ଯେକୌଣସି ନାମର ଗ୍ରାମଖଣ୍ଡ ସହିତ କୃଷି ପାଇଁ ବ୍ୟବହୃତ ଜମି ଏବଂ ଅନ୍ୟାନ୍ୟ ବ୍ୟବହାର ପାଇଁ ସରକାରୀ ଅନୁମୋଦନ ପ୍ରାପ୍ତ ଜମି ଗୁଡିକ ଏହାର ଅନ୍ତର୍ଭୁକ୍ତ ହେବ ।

    ଛ)”ଗ୍ରାମସଭା” ଅର୍ଥାତ ଗୋଟିଏ ଗ୍ରାମର ଲୋକମାନଙ୍କର ସାଧାରଣ ସଭା ଯେଉଁଥିରେ ଗ୍ରାମର ସମସ୍ତ ସାବାଳକ ସଦସ୍ୟ ଯୋଗ ଦେଉଥିବେ ଏବଂ ଯେଉଁ ରାଜ୍ୟରେ ପଞ୍ଚାୟତ ବ୍ୟବସ୍ଥା ନାହିଁ ସେଠାରେ ପଡା, ଟୋଲା ଏବଂ ଅନ୍ୟାନ୍ୟ ପାରମ୍ପରିକ ଗ୍ରାମ୍ୟ ଅନୁଷ୍ଠାନ ଏବଂ ନିର୍ବାଚିତ ଗ୍ରାମ୍ୟ କମିଟିକୁ ବିଚାରକୁ ନିଆଯିବ , ଯେଉଁଥିରେ ମହିଳାମାନେ ସମ୍ପୂର୍ଣ ତଥା ଅବାଧ ଭାବରେ ଯୋଗଦାନ କରିପାରୁଥିବେ ।

    ଜ)”ବସତି” ଅର୍ଥାତ ଆଦିମ ଜନଜାତି ଏବଂ ପ୍ରାକ କୃଷିଜୀବୀ ସମ୍ପ୍ରଦାୟ ଏବଂ ଅନ୍ୟାନ୍ୟ ବନବାସୀ ଜନଜାତିଙ୍କର ସଂରକ୍ଷିତ ଜଙ୍ଗଲ ଓ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ପାରମ୍ପରିକ ବାସସ୍ଥଳୀ କିମ୍ବା ସେହି ପ୍ରକାରର ବସତି ଅନ୍ତର୍ଗତ ।

    ଝ) “ଲଘୁ ବନଜାତ ଦ୍ରବ୍ୟ” ଅର୍ଥାତ ବୃକ୍ଷଜାତ ସମସ୍ତ ଅଣକୋଷ୍ଠ ସମସ୍ତ ଅଣକୋଷ୍ଠ ବନଜାତ ଦ୍ରବ୍ୟ ଯେଉଁଥିରେ ବାଉଁଶ , ଝାଟି, ଛୋଟ ଗଛର ଡାଳ, ବେତ, ଟସର, କୋଷା, ମହୁ, ମହମ, ଲାଖ, କେନ୍ଦୁ ଓ କେନ୍ଦୁପତ୍ର, ଔଷଧୀୟ ବୃକ୍ଷଲତା , ମୂଳ, ଚେରମୂଳି, କନ୍ଦା ଆଦି ଅନ୍ତର୍ଭୁକ୍ତ ।

    ଞ) “ନୋଡାଲ ସଂସ୍ଥା “ ଅର୍ଥାତ ଧାରା-୧୧ରେ ଦର୍ଶଯାଇଥିବା ନୋଡାଲ ସଂସ୍ଥା

    ଟ)”ବିଜ୍ଞପ୍ତି” ଅର୍ଥାତ ବିଜ୍ଞପ୍ତି ଯାହା ସରକାରୀ ଘୋଷଣାପତ୍ର ବା ଗେଜେଟରେ ପ୍ରକାଶିତ ।

    ଠ) “ନିର୍ଦ୍ଧାରଣ କରାଯାଇଥିବା “ ଅର୍ଥାତ ଏହି ଆଇନ ଅଧୀନରେ ଦର୍ଶଯାଇଥିବା ନିୟମ/ଧାରା ।

    ଡ) “ଅନୁସୂଚୀତ ଅଞ୍ଚଳ” ଅର୍ଥାତ ସମ୍ବିଧାନର ୨୪୪ଧାରର ଉପବିଧି (୧)ରେ ଦର୍ଶଯାଇଥିବା ଅନୁସୂଚୀତ ଅଞ୍ଚଳ ।

    ଢ)”ଚିରନ୍ତନ ବ୍ୟବହାର” କହିଲେ ଜୈବବିଭିଧାତା ଆଇନ-୨୦୦୨ ର ଧାରା(୨) ର ଉପବିଧି (ଣ) ରେ ନିରୂପିତ ହେଉଥିବା ଅର୍ଥକୁ ବୁଝାଇବା ।

    ଣ)”ଅନ୍ୟାନ୍ୟ ପାରମ୍ପରିକ ବନବାସୀ”ଅର୍ଥାତ କୌଣସି ସଦସ୍ୟ କିମ୍ବା ସମ୍ପ୍ରଦାୟ ଯିଏ ୧୩ ଡିସେମ୍ବର ୨୦୦୫ ପୂର୍ବରୁ ତିନି ପିଢୀ ଧରି ପ୍ରାଥମିକ ଭାବରେ ଜଙ୍ଗଲରେ ରହି ଆସିଛନ୍ତି ଏବଂ ଯେଉଁମାନେ ମୁଖ୍ୟତଃ ଜଙ୍ଗଲ ଜମି ଉପରେ ପ୍ରକୃତ ଭାବରେ ଜୀବନଜୀବିକା ପାଇଁ ନିର୍ଭରଶୀଳ ଅଟନ୍ତି ।

    ବାଖ୍ୟା : ଏହି ଉପଧାରାରେ ‘ପିଢୀ’  କହିଲେ ୨୫ବର୍ଷ ଅବଧିକୁ ବୁଝାଏ ।

    ତ)”ଗ୍ରାମ” ଅର୍ଥାତ

    ୧) ପଞ୍ଚାୟତିରାଜ (ଅନୁସୂଚୀତ ଅଞ୍ଚଳକୁ ସମ୍ପ୍ରସାରଣ) ଆଇନ ୧୯୯୬ର ଧାରା- ୪-ର ଉପବିଧି (ଖ)ରେ ସୂଚୀତ ଗ୍ରାମ;କିମ୍ବା

    ୨)ଅନୁସୂଚୀତ ଅଞ୍ଚଳକୁ ବାଦ ଦେଇ ପଞ୍ଚାୟତ ସମ୍ପର୍କିତ ରାଜ୍ୟ ଆଇନରେ ଗ୍ରାମ ରୂପେ ସୂଚୀତ କୌଣସି ଅଞ୍ଚଳ;କିମ୍ବା

    ୩) ଜଙ୍ଗଲ ଗ୍ରାମ, ପୁରାତନ ବସତି କିମ୍ବା ବନ୍ଦୋବସ୍ତ ଏବଂ ସର୍ବେକ୍ଷଣ ହୋଇନଥିବା ଗ୍ରାମ ଯାହା ଗ୍ରାମଭାବେ ବିଜ୍ଞପ୍ତି ହୋଇଛି ବା ହୋଇନାହିଁ ; କିମ୍ବା

    ୪) ପଞ୍ଚାୟତ ନଥିବା ରାଜ୍ୟଗୁଡିକ କ୍ଷେତ୍ରରେ ପାରମ୍ପରିକ ଗ୍ରାମ ଯେକୌଣସି ନାମର ହୋଇଥିଲେ ମଧ୍ୟ ଗ୍ରାମ ରୂପେ ବିବେଚିତ ହେବ ।

    ଥ)”ବନ୍ୟପ୍ରାଣୀ” ଅର୍ଥାତ ଜଙ୍ଗଲରେ ଦେଖାଯାଇଥିବା କୌଣସି ପ୍ରାଣୀ ପ୍ରଜାତି ଯାହା ବନ୍ୟଜନ୍ତୁ (ସୁରକ୍ଷା) ଆଇନ, ୧୯୭୨ ମସିହାର ଧାରା ୧ ରୁ ୪ ମଧ୍ୟରେ ସୂଚୀତ ।

    ଦ୍ଵିତୀୟ ଅଧ୍ୟାୟ

    ଜଙ୍ଗଲ ଅଧିକାର

    ୩.୧ ଏହି ଆଇନର ଉଦ୍ଦେଶ୍ୟ ପାଇଁ ନିମ୍ନୋକ୍ତ ଅଧିକାରଗୁଡିକ ଯାହା ବ୍ୟକ୍ତିଗତ କିମ୍ବା ଗୋଷ୍ଠୀଗତ କିମ୍ବା ଉଭୟଙ୍କ (୩.୧) ପାଇଁ ସାବ୍ୟସ୍ତ ତାହା ବନବାସୀ ଅନୁସୂଚୀତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କର ଜଙ୍ଗଲ ଅଧିକାର ଭାବେ ବିବେଚିତ ହେବ । ସେଗୁଡିକ ହେଲା :-

    କ(A)ଜଙ୍ଗଲବାସୀ ଅନୁସୂଚୀତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ  ମଧ୍ୟରୁ ବ୍ୟକ୍ତିଗତ ବା ସାର୍ବଜନୀନ ଗୋଷ୍ଠୀଭିତ୍ତିକ ଜଙ୍ଗଲରେ ବସବାସ କରିବା କିମ୍ବା ଜୀବିକା ଉପାର୍ଜନ ନିମନ୍ତେ ଚାଷ କରିବାର ବ୍ୟକ୍ତିଗତ ଏବଂ ଗୋଷ୍ଠୀଗତ ଅଧିକାର ;

    ଖ(B) ପୂର୍ବରୁ ଥିବା ରାଜରାଜୁଡା ଶାସନ କାଳରେ ଜମିଦାରୀ କିମ୍ବା ସେହି ପ୍ରକାରର ଅନ୍ତରୀଣ ଶାସନ କାଳରେ ନିସ୍ତାର କିମ୍ବା ସେହିଭଳି ଯେକୌଣସି ନାମରେ ଗୋଷ୍ଠୀଭିତ୍ତିକ ଅଧିକାର ;

    ଗ(c)ପାରମ୍ପରିକ ଭାବେ ନିଜ ଗ୍ରାମ ମଧ୍ୟରେ ଗ୍ରାମ ବାହାର ସୀମାରୁ ସଂଗ୍ରହ ହୋଇଆସୁଥିବା ଲଘୁ ବନଜାତ ଦ୍ରବ୍ୟ ଉପରେ ମାଲିକାନା ଅଧିକାର ଏହାଛଡା ସଂଗ୍ରହ, ବ୍ୟବହାର ଏବଂ ବିକ୍ରୟ ନିମନ୍ତେ ଅଧିକାର;

    ଘ(D) ଜଙ୍ଗଲ ମଧ୍ୟରେ ଥିବା  ଝରଣା, ହ୍ରଦ ଭଳି ଜଳ ଉତ୍ସରୁ ମାଛ ମାରିବା ଓ ଜଳରୁ ଉତ୍ପନ୍ନ ଅନ୍ୟାନ୍ୟ ଦ୍ରବ୍ୟ ସଂଗ୍ରହ, ପଶୁଙ୍କ ପାଇଁ ଭୂମିର ବ୍ୟବହାର (ଉଭୟ ସ୍ଥାୟୀ କିମ୍ବା ଭ୍ରାମ୍ରମାଣ ) ଓ ତା’ଉପରେ ମାଲିକାନା ଅଧିକାର । ଏହି ଅଧିକାର ଉଭୟ ଯାଯାବର ଓ ପଶୁପାଳଙ୍କ ଗୋଷ୍ଠୀ ପାଇଁ ପାରମ୍ପରିକ ଋତୁକାଳୀନ ପ୍ରବେଶ ଅଧିକାର;

    ଙ(E)ଆଦିମ ଜନଜାତି ଏବଂ ପ୍ରାକ କୃଷିଜୀବୀ ସମ୍ପ୍ରଦାୟମାନଙ୍କର ବାସ ଏବଂ ବସତି ଉପରେ ଗୋଷ୍ଠୀଗତ ଅଧିକାର ;

    ଚ(F) କୌଣସି ରାଜ୍ୟରେ ଯେକୌଣସି ସତ୍ତ୍ଵରେ ଥିବା ବିବାଦମାନ ଜମି କିମ୍ବା କୌଣସି ଦାବିଥିବା ବିବାଦମାନ ଜମି ଉପରେ ଅଧିକାର;

    ଛ(G) ଯେକୌଣସି ରାଜ୍ୟ ସରକାର ବା ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ ଜଙ୍ଗଲ ଜମି ଉପରେ ପ୍ରଦତ୍ତ ପଟ୍ଟା ପାଉତି ବା ମଞ୍ଜରୀ ବା ଲିକ ଆଦେଶନାମା ପରିବର୍ତ୍ତନ କରିବାର ଅଧିକାର ;

    ଜ(H) ସମସ୍ତ ଜଙ୍ଗଲ ଗ୍ରାମ, ପୁରାତ୍ତନ ବସତି, ସର୍ବେକ୍ଷଣ ହୋଇନଥିବା ଗ୍ରାମ ଏବଂ ଜଙ୍ଗଲ ଭିତରେ ଥିବା ଅନ୍ୟ ସମସ୍ତ ଗ୍ରାମ, ନଥିଭୁକ୍ତ, ଘୋଷିତ ହୋଇଥାଉ ବା ନହୋଇଥାଉ, ସେ ସବୁକୁ ରାଜସ୍ୱ ଗ୍ରାମ ରୂପେ  ବନ୍ଦୋବସ୍ତ ଓ ପରିବର୍ତ୍ତନ କରିବାର ଅଧିକାର;

    ଝ(I) ଯେକୌଣସି ଗୋଷ୍ଠୀ ଜଙ୍ଗଲ ସମ୍ପଦ ଯାହା ସେମାନେ ଚିରସ୍ଥାୟୀ ଉପଯୋଗ ନିମନ୍ତେ ବ୍ୟବହାର ପାଇଁ ପାରମ୍ପରିକ ଭାବରେ ସୁରକ୍ଷା ବା ସଂରକ୍ଷଣ କରୁଛନ୍ତି ତା’ର ସୁରକ୍ଷା, ପୁନର୍ଜନନ , ବା ସଂରକ୍ଷଣ ବା ପାରିଚାଳନାର ଅଧିକାର ;

    ଞ(j) କୌଣସି ରାଜ୍ୟର ଆଇନ ବା ସ୍ଵୟଂ ଚାଳିତ ଜିଲ୍ଲା ପରିଷଦର ଆଇନ କିମ୍ବା ସ୍ଵୟଂ ଚାଳିତ ଆଞ୍ଚଳିକ ପରିଷଦ ଦ୍ଵାରା ସ୍ଵିକୃତ ଅଧିକାର ମାନ କିମ୍ବା ଯାହା କୌଣସି ରାଜ୍ୟର ସମ୍ପୃକ୍ତ ଜନଜାତିର ପାରମ୍ପରିକ ବା ଲୋକ ଚଳଣିର ବିଧି- ବିଧାନରେ ଗୃହିତ ଆଦିବାସୀର ଅଧିକାର ;

    ଟ(K) ଜୈବ ବିବିଧତା ଏବଂ ବୌଦ୍ଧିକ ସମ୍ପତ୍ତିର ଗୋଷ୍ଠୀଗତ ଅଧିକାର , ବଂ ଜୈବ ବିବିଧତା ଓ ସଂସ୍କୃତିକ ବିବିଧତା ସମ୍ପର୍କିତ ପାରମ୍ପରିକ ଜ୍ଞାନ କୌଶଳକୁ ଉପଯୋଗ ନିମନ୍ତେ ଅଧିକାର;

    ଠ(L) କୌଣସି ବନ୍ୟଜନ୍ତୁର ଶିକାର , ଫାସ ବସାଇ ଧରିବା କିମ୍ବା ଦେହର କୌଣସି ଅଂଶ ଛେଦନ କରି ଆଣିବା ଭଳି ପାରମ୍ପରିକ ଅଭ୍ୟାସକୁ ବାଦ ଦେଇ ପୁରୁଷାନୁକ୍ରମେ ଭୋଗ କରି ଆସୁଥିବା ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ଅନ୍ୟ ସମସ୍ତ ପାରମ୍ପରିକ ଅଧିକାର ଯାହା ଉପଧାରା (କ) ରୁ (ଟ) ମଧ୍ୟରେ ସୂଚୀତ ହୋଇନାହିଁ ସେ ସମସ୍ତ ଅଧିକାର ;

    ଡ(M) ୧୩ ଡିସେମ୍ବର, ୨୦୦୫ ପୂର୍ବରୁ ଯେଉଁଠାରେ ଆଦିବାସୀ ଓ ପାରମ୍ପରିକ ବନବାସୀମାନେ ଯେକୌଣସି ପ୍ରକାର ଜଙ୍ଗଲ ଜମିକୁ ଅନୈତିକ ଭାବେ ଉଚ୍ଛେଦ କିମ୍ବା ସ୍ଥାନାନ୍ତରିତ ଏବଂ ବାସଚ୍ୟୁତ ହୋଇଛନ୍ତି ଏବଂ ସେଥିପାଇଁ କୌଣସି ଆଇନଗତ କ୍ଷତି ଭରଣା କିମ୍ବା ପୁନର୍ବାସ ପାଇ ନାହାନ୍ତି ସେପରି ସ୍ଥଳେ ସେମାନେ ବିକଳ୍ପ ଜମି ପାଇବା ସହିତ ଜଙ୍ଗଲ ଜମିରେ ପୁନଃ ଥଇଥାନ କରିବାର ଅଧିକାର ;

    ପ୍ରଚଳିତ ଜଙ୍ଗଲ (ସଂରକ୍ଷଣ) ଆଇନ ୧୯୮୦ ରେ ଥିବା ପ୍ରାବଧାନରୁ ବିଚ୍ୟୁତ ନହୋଇ ନିମ୍ନ କେତେକ କ୍ଷେତ୍ରରେ ସରକାରୀଙ୍କ ଦ୍ଵାରା ପରିଚାଳିତ ସୁବିଧା ସୁଯୋଗ ନିମନ୍ତେ କେନ୍ଦ୍ର ସରକାର ଜଙ୍ଗଲ ଜମିକୁ ପରିବର୍ତ୍ତନ କରିପାରିବେ , ସେଥିପାଇଁ ଯଦିକିଛି ଗଛ କଟା ଗଲେ ତାହା ହେକ୍ଟର ପିଛା ୭୫ଟି ଗଛରୁ ଅଧିକ ଗଛ କଟାଯିବ ନାହିଁ ଯଥା –

    କ)ବିଦ୍ୟାଳୟ

    ଖ)ଡାକ୍ତରଖାନା ବା ହାସପାତାଲ ;

    ଗ) ଅଙ୍ଗନବାଡି ;

    ଘ) ସୁଲଭ ମୂଲ୍ୟ ଦୋକାନ ;

    ଙ) ବିଦ୍ୟୁତ ଏବଂ ଦୂର ସଞ୍ଚାର ବ୍ୟବସ୍ଥା ;

    ଚ) ଜଳଭଣ୍ଡାର ଏବଂ କ୍ଷୁଦ୍ର ଜଳାଶୟ ;

    ଛ) ପାନୀୟ ଜଳଯୋଗାଣ ଏବଂ ପାଣିପାଇପ ଯୋଗାଣ ;

    ଜ) ଜଳ କିମ୍ବା ବର୍ଷାଜଳ ଅମଳ ପ୍ରକଳ୍ପ ;

    ଝ)କ୍ଷୁଦ୍ର ଜଳସେଚନ କେନାଲ ;

    ଞ) ଅଣପାରମ୍ପରିକ ଶକ୍ତି ଉତ୍ସ ;

    ଟ) କର୍ମକୁଶଳତାର ବୃଦ୍ଧି କିମ୍ବା ଧନ୍ଦାମୂଳକ ତାଲିକା କେନ୍ଦ୍ର ;

    ଠ) ରାସ୍ତା , ଏବଂ

    ଡ) ଗୋଷ୍ଠୀ କେନ୍ଦ୍ର ;

    କିନ୍ତୁ ଜଙ୍ଗଲ ଜମିର ଏହି ପରିବର୍ତ୍ତନ ଅନୁମୋଦନ ହୋଇପାରିବ ଯଦି ,

    ୧) ଉପଧାରାରେ ଦର୍ଶାଯାଇଥିବା କାର୍ଯ୍ୟ ନିମନ୍ତେ ପରିବର୍ତ୍ତିତ ହେଉଥିବା ଜଙ୍ଗଲ ଜମି ପ୍ରତ୍ୟେକ କ୍ଷେତ୍ରରେ ଏକ ହେକ୍ଟରରୁ କମ ହୋଇଥିବ, ଏବଂ

    ୨) ଏହି ବିକାଶମୂଳକ ଯୋଜନା ପାଇଁ ଅନୁମତି ମିଳିବ ଯଦି ତାହା ସମ୍ପୃକ୍ତ ଗ୍ରାମସଭା ଦ୍ଵାରା ସୁପାରିଶ କରାଯିବ ।

    ତୃତୀୟ ଅଧ୍ୟାୟ

    ଜଙ୍ଗଲ ଅଧିକାର ଏବଂ ତତ ସମ୍ପର୍କିତ ବିଷୟଗୁଡ଼ିକର ସ୍ଵିକୃତି , ପୁନଃ ସ୍ଥାପନ ଏବଂ କ୍ଷମତା ପ୍ରଦାନ


    ୪(୧) ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ଅନ୍ୟ କୌଣସି ଆଇନର ପ୍ରାବଧାନ ଗୁଡିକୁ ପ୍ରତିରୋଧ ନକରି ଏବଂ ଏହି ଆଇନର ବ୍ୟବସ୍ଥା ଭିତ୍ତିରେ , କେନ୍ଦ୍ର ସରକାର ଜଙ୍ଗଲ ଅଧିକାର ଗୁଡିକର ସ୍ଵିକୃତି ଓ କ୍ଷମତା ପ୍ରଦାନ କରିଛନ୍ତି :-

    କ) ରାଜ୍ୟମାନଙ୍କରେ କିମ୍ବା ରାଜ୍ୟର କୌଣସି ଅଞ୍ଚଳରେ ଜଙ୍ଗଲ ନିବାସୀ ଆଦିବାସୀ ଯାହାକୁ ଆଇନର ୩ୟ ଧାରାରେ ଲିପିବଦ୍ଧ ଜଙ୍ଗଲ ଅଧିକାର ସୂତ୍ରରେ ଆଦିବାସୀ ବା ତଫସିଲଭୁକ୍ତ ଉପଜାତି ଭାବେ ଘୋଷଣା କରାଯାଇଛି ।

    ଖ) ଏହି ତୃତୀୟ ଧାରା ଅନୁଯାୟୀ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କୁ ଏହାର ଅନ୍ତର୍ଭୁକ୍ତ କରାଯାଇଛି ।

    ୨. ଏହି ଆଇନରେ ଜାତୀୟ ଉଦ୍ୟାନ ଏବଂ ଅଭୟାରଣ୍ୟ ଗୁଡିକରେ ସଙ୍କଟାପନ୍ନ ବନ୍ୟପ୍ରାଣୀ ଆବାସ ସ୍ଥଳୀରେ ସ୍ବୀକୃତ ହୋଇଥିବା ଜଙ୍ଗଲ ଅଧିକାର ଗୁଡିକର ପରବର୍ତ୍ତୀ ସମୟରେ ପରିବର୍ତ୍ତନ କିମ୍ବା ପୁନଃ ନିରୂପଣ କରାଯାଇପାରେ , କିନ୍ତୁ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଅଲଙ୍ଘନୀୟ ଅଞ୍ଚଳ ସୃଷ୍ଟି କରିବା ପାଇଁ ସରକାର ନିଷ୍ପତ୍ତି ନିଅନ୍ତି; ତା’ ପୂର୍ବରୁ ନିମ୍ନୋକ୍ତ ସର୍ତ୍ତାବଳୀ ପୂରଣ ହେବ ନିଶ୍ଚିନ୍ତ ଦରକାର । ଯଥା-

    କ) ଏହି ଆଇନର ଧାରା -୩ ଅନୁଯାୟୀ ସମସ୍ତ ବିଚାରଧିନ ଅଞ୍ଚଳରେ ଜଙ୍ଗଲ ଅଧିକାରର ସ୍ଵିକୃତି ଏବଂ କ୍ଷମତା ପ୍ରଦାନ ପ୍ରକ୍ରିୟା ସମାପ୍ତ ହୋଇଥିବ ।

    ଖ) ବନ୍ୟଜନ୍ତୁ ଆଇନ ୧୯୭୨ ଅନୁଯାୟୀ ପ୍ରାପ୍ତ କ୍ଷମତା ଭିତ୍ତିରେ ରାଜ୍ୟ ସରକାରଙ୍କ ସଂପୃକ୍ତ କର୍ତ୍ତୁପକ୍ଷ ପ୍ରମାଣିତ କରିବେ ଯେ ଜଙ୍ଗଲ ଭିତରେ ସେହି ନିର୍ଦ୍ଧିଷ୍ଟ ବନ୍ୟପ୍ରାଣୀଙ୍କ ବିଶେଷ ବିଚରଣ ଇଲାକାରେ  ଯଦି ମଣିଷ ବସବାସ କରିବେ ତେବେ ତାହା ସମ୍ପୃକ୍ତ ବନ୍ୟପ୍ରାଣୀଙ୍କ ସ୍ଥିତିରେ ଅପୂରଣୀୟ କ୍ଷତି ସାଧନ କରିବ ଏବଂ ସେମାନଙ୍କ ସ୍ଥିତି ନିମନ୍ତେ ବିପଦର କାରଣ ହେବ :-

    ଗ) ରାଜ୍ୟ ସରକାର ସହବସ୍ଥାନ ଭଳି ଯୁକ୍ତିଯୁକ୍ତ ସମ୍ଭାବନା ନାହିଁ ବୋଲି ନିର୍ଣ୍ଣୟ କରିଥିବେ ;

    ଘ) କେନ୍ଦ୍ର ସରକାରଙ୍କ ପ୍ରାସଙ୍ଗିକ ଆଇନ ଓ ନୀତିଗୁଡିକ ଅନୁସାରେ ପ୍ରଭାବିତ ହେଉଥିବା ବ୍ୟକ୍ତି ବା ସମ୍ପ୍ରଦାୟମାନଙ୍କ ପାଇଁ ଏକ ସୁରକ୍ଷିତ ଜୀବିକା ଉପାର୍ଜନ ନିମନ୍ତେ ଏକ ପୁନର୍ବାସ ଏବଂ ବିକଳ୍ପ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି ଏବଂ ପ୍ରଭାବିତ ବ୍ୟକ୍ତି ଏବଂ ଗୋଷ୍ଠୀମାନଙ୍କୁ ସୂଚିତ କରାଯାଇଛି ।

    ଙ) ପ୍ରସ୍ତାବିତ ପୁନର୍ବାସ ଓ ଯୋଗାଇ ଦିଆଯାଇଥିବା ବିକଳ୍ପ ବ୍ୟବସ୍ଥା ଉପରେ ପ୍ରଭାବିତ ଗ୍ରାମସଭାରେ ଅବାଧମତ ଲିଖିତ ଭାବରେ ଗ୍ରହଣ କରାଯାଇଛି ।

    ଚ) ବିକଳ୍ପ ବ୍ୟବସ୍ଥାରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ପୁନର୍ବାସ ଅଞ୍ଚଳରେ ସୁବିଧା ସୁଯୋଗ ଏବଂ ଜମି ଯୋଗାଇ ନଦିଆଯିବା ପର୍ଯ୍ୟନ୍ତ କୌଣସି ଅନୁଷ୍ଠିତ ହେବ ନାହିଁ । ଏହାଛଡା ବନ୍ୟଜନ୍ତୁ ସଂରକ୍ଷଣ ଉଦ୍ଦେଶ୍ୟରେ ହୋଇଥିବା ସଂକଟାପନ୍ନ ବନ୍ୟପ୍ରାଣୀ ଆବାସସ୍ଥଳୀ ରୁ ଉଚ୍ଛେଦ ହୋଇଥିବା ଅଧିକାର ପ୍ରାପ୍ତ ଜନଜାତି ମାନଙ୍କ ଏହି ବସତିକୁ ପରବର୍ତ୍ତୀ ସମୟରେ କୌଣସି କେନ୍ଦ୍ର ସରକାର କିମ୍ବା କୌଣସି ରାଜ୍ୟ ସରକାର ବା ଅନ୍ୟ କୌଣସି କ୍ଷମତା ପ୍ରାପ୍ତ ଅଧିକାର ଅନ୍ୟ କୌଣସି ବ୍ୟବହାର ପାଇଁ ଅନ୍ୟତ୍ର ଦେଇପାରିବେ ନାହିଁ ।

    3 ଏହି ଆଇନ ଅଧୀନରେ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳରେ ଅନୁସୂଚିତ ବନବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କୁ ସେମାନଙ୍କର ଜଙ୍ଗଲ ଜମି ଓ ବାସସ୍ଥଳୀର ଅଧିକାରର ସ୍ଵିକୃତି ଏହି ସର୍ତ୍ତରେ ଦିଆଯାଇପାରିବ , ଯଦି ଉକ୍ତ ଅନୁସୂଚିତ ଜନଜାତି କିମ୍ବା ଆଦିବାସୀ ସମ୍ପ୍ରଦାୟଗୁଡିକ ୧୩ ଡିସେମ୍ବର ୨୦୦୫ ପୂର୍ବରୁ ଜଙ୍ଗଲ ଜମି ଉପରେ ଦଖଲ କରୁଥିବେ ।

    ୪ ଏହି ଆଇନର ଧାରା ୪ ର ଉପଧାରା (୧) ଅନୁଯାୟୀ ଯେଉଁ ଅଧିକାର ରହିଛି , ତାହା ପୁରୁଷାନୁକ୍ରମିକ ହେବ, କିନ୍ତୁ ଏହା ହସ୍ତାନ୍ତରିତ କିମ୍ବା ସ୍ଥାନାନ୍ତରିତ ହୋଇପାରିବ ନାହିଁ । ବିବାହିତ ବ୍ୟକ୍ତିଙ୍କ କ୍ଷେତ୍ରରେ ଯୁଗ୍ମ ଭାବେ ଉଭୟ ସ୍ଵାମୀ ଏବଂ ସ୍ତ୍ରୀ ନାମରେ ରହିବ । କୌଣସି ବ୍ୟକ୍ତିର ଉତ୍ତରାଧିକାରୀ ନଥିଲେ ପରବର୍ତୀ ସମ୍ପର୍କୀୟଙ୍କୁ ସେ ଅଧିକାର ପ୍ରଦାନ କରାଯିବ ।

    ୫ ଜଙ୍ଗଲ ଅଧିକାର ସ୍ଵିକୃତି ଓ ଯାଞ୍ଚ ପ୍ରକ୍ରିୟା ଶେଷ ନହେବା ଯାଏ ଆଦିବାସୀ ବା ଅନ୍ୟାନ୍ୟ ପାରମ୍ପରିକ ବନବାସୀ ସେମାନେ ଭୋଗ ଦଖଲ କରୁଥିବା ଜଙ୍ଗଲ ଜମିରୁ ଉଚ୍ଛେଦ କିମ୍ବା ବିତାଡିତ ହେବେ ନାହିଁ ।

    ୬ ଏହି ଆଇନର ଧାରା (୩) ର ଉପଧାରା (୧) ର ଉପବିଧି (କ) ଅନୁଯାୟୀ ଯେଉଁଠାରେ ଜଙ୍ଗଲ ଅଧିକାର ମାନ ସ୍ଵିକୃତ ଓ ପ୍ରଦାନ କରାଯାଇଛି । ସେଠାରେ ଆଇନ କାର୍ଯ୍ୟକାରୀ ହେବା ତାରିଖ ପର୍ଯ୍ୟନ୍ତ ଉକ୍ତ ଜମିର ମାଲିକାନା ବ୍ୟକ୍ତି କିମ୍ବା ପରିବାର କିମ୍ବା ସମ୍ପ୍ରଦାୟ ଅଧୀନରେ ରହିବା ଏବଂ ପ୍ରକୃତ ପରିମାଣର ଜମି ସୀମିତ ରହିବ ଏବଂ କୌଣସି କ୍ଷେତ୍ରରେ ଏହା ୪ହେକ୍ଟରରୁ ଅଧିକ ହେବ ନାହିଁ ।

    ୭ ଏହି ଆଇନରେ ଥିବା ପ୍ରାବଧାନକୁ ବାଦ ଦେଇ ଜଙ୍ଗଲ ଅଧିକାର ସମସ୍ତ ବାଧା ଓ ଜଙ୍ଗଲ ସଂରକ୍ଷଣ ଆଇନ ୧୯୮୦ ରେ ଥିବା ଆବଶ୍ୟକ ଅନୁଯାୟୀ ଜମିର ବିକଳ୍ପ ପାଇଁ ତାହାର ଚଳିତ ମୂଲ୍ୟ ଏବଂ କ୍ଷତିପୂରଣ ଜନିତ ବୃକ୍ଷରୋପଣ ଭଳି କାର୍ଜ୍ୟପଦ୍ଧତିରୁ ମୁକ୍ତ ରହିବ ।

    ୮ ଯେଉଁ ବନବାସୀ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ସରକାରଙ୍କର କୌଣସି ବିକାଶ ମୂଳକ କାର୍ଜ୍ୟକ୍ରମ ଦ୍ଵାରା ନିଜର ବାସସ୍ଥଳୀ ଏବଂ କୃଷି ଜମିରୁ କୌଣସି ଜମି କ୍ଷତିପୂରଣ ବିନା ବିସ୍ଥାପିତ ହୋଇଛନ୍ତି ଏବଂ ସେହି ଜମି ଅଧିଗ୍ରହଣ ହେବାର ପାଞ୍ଚବର୍ଷ ମଧ୍ୟରେ ସେହି ଉଦ୍ଦେଶ୍ୟ ପାଇଁ ବ୍ୟବହୃତ ହୋଇପାରେ ନାହିଁ ବୋଲି ପ୍ରମାଣ ହୋଇପାରିବ, ତେବେ ଏହି ଆଇନ ଅନୁସାରେ ଉକ୍ତ ଜମି ଉପରେ ସେହି ଲୋକ ବା ଗୋସ୍ଥିମାନଙ୍କର ଅଧିକାର ଅକ୍ଷୁର୍ଣ୍ଣ ରହିବ ବା ସେହି ଜମି ଉପରେ ପୁଣି ଥରେ ଅଧିକାର ପାଇ ପାରିବେ ।

    ୫ (୧) ଯେ କୌଣସି ଅଧିକାରର ଧାରକ, ଗ୍ରାମସଭା ଏବଂ ଅଞ୍ଚଳର ଗ୍ରାମସ୍ତରୀୟ ଅନୁଷ୍ଠାନ ଯେଉଁଠି ଏହି ଆଇନ ଅଧିନରେ କୌଣସି ଅଧିକାରର ଧାରକ ଅଛନ୍ତି , ସେମାନଙ୍କର ନିମ୍ନ ସୂଚିତ କ୍ଷମତା ରହିବ ।

    କ) ବନ୍ୟଜନ୍ତୁ , ଜଙ୍ଗଲ ଇ ଜୈବ ବିବିଧତାର ସୁରକ୍ଷା ।

    ଖ) ସଂଯୁକ୍ତ ଅଞ୍ଚଳର ଜଳ ବିଭାଜିକା, ଜଳ ଉତ୍ସ ଏବଂ ଅନ୍ୟାନ୍ୟ ପରିବେଶଗତ ଗୁରୁତ୍ଵପୂର୍ଣ୍ଣ ଅଞ୍ଚଳ ଗୁଡିକ ପର୍ଯ୍ୟାପ୍ତ ଭାବେ ସୁରକ୍ଷିତ କି ନୁହେଁ ତାହା ନିଶ୍ଚିତ କରିବା ।

    ଗ) ଆଦିବାସୀ ଓ ବନବାସୀମାନଙ୍କ ପାରମ୍ପରିକ ବସତି ଅଞ୍ଚଳ ଯେପରି କୌଣସି ପ୍ରକାର ଧ୍ଵଂସକାରୀ ଉଦ୍ୟୋଗ ଦ୍ଵାରା ନଷ୍ଟଭ୍ରଷ୍ଟ ନହୁଏ , ତାହା ନିଧାର୍ଯ୍ୟ ଭାବେ ଦେଖିବାକୁ ପଡିବ । ଯାହାଦ୍ୱାରା ସେମାନଙ୍କ ସଂସ୍କୃତିକ ଓ ପ୍ରାକୃତିକ ଐତିହ ଅକ୍ଷୁର୍ଣ୍ଣ ରହୁଥିବ ।

    ଘ) ଗ୍ରାମଗୋଷ୍ଠୀ ଜଙ୍ଗଲ ସମ୍ପଦର ବ୍ୟବହାରକୁ ନିୟନ୍ତ୍ରଣ କରିବାକୁ ଗ୍ରାମସଭାରେ ଗୃହିତ ନିଷ୍ପତ୍ତି ଦ୍ଵାରା ସୁନିଶ୍ଚିତ କରାଯିବ ଏବଂ ଏହା ସହିତ ଦେଖିବାକୁ ହେବ ଯେ ଜଙ୍ଗଲ , ବନ୍ୟପ୍ରାଣୀ ଓ ଜୈବ ବିବିଧତାକୁ ବିପିନନା କରୁଥିବା ଯେ କୌଣସି କାର୍ଜ୍ୟକ୍ରମ ଗୁଡିକୁ ବନ୍ଦ କରିବା ।

    ଚତୁର୍ଥ ଅଧ୍ୟାୟ

    ଜଙ୍ଗଲ ଅଧିକାର ନ୍ୟସ୍ତ କରିବା ପାଇଁ କର୍ତ୍ତୁପକ୍ଷବୃନ୍ଦ ଓ କାର୍ଜ୍ୟବିଧି

    ୬ (୧) ଜଙ୍ଗଲରେ ରହୁଥିବା ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ବ୍ୟକ୍ତିଗତ ଓ ସାମୁହିକ ଜଙ୍ଗଲ ଅଧିକାର ନିର୍ଣ୍ଣୟ ନିର୍ଦ୍ଧାରଣ କରିବାର କ୍ଷମତା କେବଳ ସେହିସ୍ଥାନୀୟ ଓ ପାରମ୍ପରିକ ସୀମା ରୂପେ ବିବେଚିତ ଗ୍ରାମସଭାର ରହିଛି । ଏହି ଆଇନ ଅଧୀନରେ ଗ୍ରାମସଭା ଦାବିଗୁଡିକୁ ଗ୍ରହଣ କରିବ, ଏକତ୍ର କରିବ ଏବଂ ସେଗୁଡିକୁ ଯାଞ୍ଚ କରିବ ଏବଂ ତାହା ପରେ ଉକ୍ତ ଅଧିକାର ଗୁଡିକୁ ନିର୍ଦ୍ଧାରିତ ମତେ ସାବ୍ୟସ୍ତ କରିବା ନିମନ୍ତେ ପ୍ରତ୍ୟେକ ଅନୁମୋଦିତ ଦାବିକୁ ନେଇ ସେ ଅଞ୍ଚଳର ଏକ ନକ୍ସା ପ୍ରସ୍ତୁତ କରିବ ଏବଂ ଏହି ମର୍ମରେ ଏକ ପ୍ରସ୍ତାବ ଗୃହିତ କରି ଏହାର ଏକକିତା ନକଲ ଉପଖଣ୍ଡ ସ୍ତରୀୟ କମିଟିକୁ ପଠାଇବ ।

    ୨)ଯଦି କୌଣସି ବ୍ୟକ୍ତି ଗ୍ରାମସଭାର ପ୍ରସ୍ତାବରେ ଅସନ୍ତୁଷ୍ଟ ହେଉଥାନ୍ତି , ତେବେ ଉପଧାରା (୩) ଅଧୀନରେ ଗଠିତ ଉପଖଣ୍ଡ ସ୍ତରୀୟ କମିଟି ନିକଟରେ ଏକ  ଆବେଦନ ଦାଖଲ କରିବେ ଏବଂ ଉପଖଣ୍ଡ ସ୍ତରୀୟ କମିଟି ଏହାକୁ ବିଚାର କରିବ ;

    ମାତ୍ର ଏଭଳି ଆବେଦନ ଗ୍ରାମସଭା ଦ୍ଵାରା ଗୃହିତ ପ୍ରସ୍ତାବର ୬୦ଦିନ ମଧ୍ୟରେ ପ୍ରଦାନ କରାଯିବା ଜରୁରୀ । ଅସନ୍ତୁଷ୍ଟ ବ୍ୟକ୍ତିଙ୍କ ବିରୁଦ୍ଧରେ ଆବେଦନର ବିଚାର ହେବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ତାଙ୍କ ମାମଲାକୁ ଉପସ୍ଥାପନ କରିବା ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ଦିଆଯିବ ।

    ୩) ରାଜ୍ୟସରକାର ଏକ ଉପଖଣ୍ଡ ସ୍ତରୀୟ କମିଟି ଗଠନ କରିବେ ଯିଏ ଗ୍ରାମସଭା ଦ୍ଵାରା ଗୃହିତ ପ୍ରସ୍ତାବକୁ ନିରୀକ୍ଷଣ କରିବ ଏବଂ ଜଙ୍ଗଲ ଅଧିକାର ଗୁଡିକର ନଥି ପ୍ରସ୍ତୁତ କରି ଉପଖଣ୍ଡ ଅଧିକାରୀଙ୍କ ମାଧ୍ୟମରେ ଜିଲ୍ଲା ସ୍ତରୀୟ କମିଟିକୁ ଶେଷ ନିଷ୍ପତ୍ତି ନେବାକୁ ପଠାଇବ ।

    ୪) କୌଣସି ବ୍ୟକ୍ତି ଉପଖଣ୍ଡ ସ୍ତରୀୟ କମିଟିର ନିଷ୍ପତ୍ତିରେ ଅସନ୍ତୁଷ୍ଟ ହେଲେ ଉପଖଣ୍ଡ ସ୍ତରୀୟ କମିଟିର ନିଷ୍ପତ୍ତି ନେବାର ୬୦ ଦିନ ମଧ୍ୟରେ ଜିଲ୍ଲା ସ୍ତରୀୟ ଆବେଦନ କରିପାରିବେ ଏବଂ ଜିଲ୍ଲାସ୍ତରୀୟ କମିଟି ଏହାକୁ ବିଚାର କରିବେ ;

    କିନ୍ତୁ କୌଣସି ଆବେଦନ ଉପଖଣ୍ଡ ସ୍ତରୀୟ କମିଟି ଦ୍ଵାରା ବିଚାର ନହୋଇ ସିଧାସଳଖ ଗ୍ରାମସଭାର ଗୃହିତ ପ୍ରସ୍ତାବ ଉପରେ ଜିଲ୍ଲା ସ୍ତରୀୟ କମିଟିକୁ ବିଚାର ପାଇଁ ପଠାଯାଇ ପାରିବ ନାହିଁ ।

    କିନ୍ତୁ ଅସନ୍ତୁଷ୍ଟ ବ୍ୟକ୍ତିଙ୍କ ଆବେଦନ ଉପରେ ବିଚାର କରିବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ତାଙ୍କ ମାମଲାକୁ ଉପସ୍ଥାପନା କରିବା ନିମନ୍ତେ ସୁଯୋଗ ଦିଆଯିବ ।

    ୫) ଉପଖଣ୍ଡ ସ୍ତରୀୟ କମିଟି ଦ୍ଵାରା ପ୍ରସ୍ତୁତ ଜଙ୍ଗଲ ଅଧିକାର ସମ୍ପର୍କିତ ନଥିପତ୍ରର ଶେଷ ଅନୁମୋଦନ ନିମନ୍ତେ ରାଜ୍ୟ ସରକାର ଏକ ଜିଲ୍ଲାସ୍ତରୀୟ କମିଟି ଗଠନ କରିବେ ।

    ୬) ଜଙ୍ଗଲ ଅଧିକାରର ନଥିରେ ଜିଲ୍ଲା ସ୍ତରୀୟ କମିଟିର ନିଷ୍ପତ୍ତି ଚୁଡାନ୍ତ ଓ ଅପରିବର୍ତ୍ତିତ ରହିବ ।

    ୭) ଜଙ୍ଗଲ ଅଧିକାରଗୁଡିକର ସ୍ଵିକୃତି ଓ ପ୍ରତ୍ୟାର୍ପଣ ଧାରାର ପର୍ଜ୍ୟାଲୋଚନା ଏବଂ ଏଭଳି ନଥି ଓ ବିବରଣୀ ଗୁଡିକ ନୋଡାଲ ଏଜେନ୍ସି ର ଆବଶ୍ୟକତା ମୁତାବକ ଦାଖଲ ପାଇଁ ରାଜ୍ୟ ସରକାର ଏକ ରାଜ୍ୟ ସ୍ତରୀୟ ପର୍ଜ୍ୟାଲୋଚନା କମିଟି ଗଠନ କରିବେ ।

    ୮) ସବ-ଡିଭିଜନ ସ୍ତରୀୟ, ଜିଲ୍ଲା ସ୍ତରୀୟ ଓ ରାଜ୍ୟ ସ୍ତରୀୟ ପର୍ଜ୍ୟାଲୋଚନା କମିଯି ରାଜ୍ୟ ସରକାରଙ୍କର ରାଜସ୍ୱ ବିଭାଗ, ଜଙ୍ଗଲ ଓ ଆଦିବାସୀ ବ୍ୟାପାର ବିଭାଗର ଅଧିକାରୀ ବୃନ୍ଦ ତଥା ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକ ଦ୍ଵାରା ନିଯୁକ୍ତ ଉକ୍ତ ଅନୁଷ୍ଠାନ ଗୁଡିକରୁ ସମୁଚିତ ସ୍ତରରୁ ୩ଜଣ ପ୍ରତିନିଧି, ତନ୍ମଧ୍ୟରୁ ଦୁଇଜଣ ଅନୁସୂଚିତ ଜନଜାତି ଓ ଜଣେ ମହିଳାଙ୍କୁ ନେଇ ଗଠନ କରିବେ ।

    ୯) ଉପଖଣ୍ଡ ସ୍ତରୀୟ କମିଟି, ଜିଲ୍ଲା ସ୍ତରୀୟ କମିଟି ଓ ରାଜ୍ୟ ସ୍ତରୀୟ ତଦାରଖ କମିଟିର ଗଠନ ଓ କାର୍ଜ୍ୟାବଳିକୁ କାର୍ଯ୍ୟକାରୀ କରିବାର ବିଧି ବା ପ୍ରକ୍ରିୟା ନିର୍ଦ୍ଧାରଣ ମତେ ହେବ ।

    ପଞ୍ଚମ ଅଧ୍ୟାୟ

    ଦୋଷ ଏବଂ ଦଣ୍ଡ ବିଧାନ

    ୭) ଯେତେବେଳେ କୌଣସି କର୍ତ୍ତୁପକ୍ଷ ବା କମିଟି ଅଥବା କର୍ତ୍ତୁପକ୍ଷ କିମ୍ବା କମିଟିର ଅଧିକାରୀ ବା ସଦସ୍ୟ ଏହି ଆଇନର କୌଣସି ପ୍ରାବଧାନ ବା ଏହା ଅଧୀନରେ ପ୍ରସ୍ତୁତ ଜଙ୍ଗଲ ଅଧିକାର ସ୍ଵିକୃତି ସମ୍ପର୍କିତ କୌଣସି ନିୟମକୁ ଉଲଂଘନ କରିବେ , ତା’ହେଲେ ଏହି ଆଇନ ଅଧୀନରେ ଦୋଷୀ ସାବ୍ୟସ୍ତ ହେବେ ଏବଂ ତାଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଜୋରିମାନା ସହ ଦଣ୍ଡ ବିଧାନ କରାଯିବ ଯାହା ଏକ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇପାରେ ।

    ମାତ୍ର ଯଦି ସମ୍ପୃକ୍ତ ସଦସ୍ୟ ବା ଅଧିକାରୀ ପ୍ରମାଣ କରିପାରିବେ ଯେ ଏହି ଅପରାଧ ତାଙ୍କ ଅଜାଣତରେ ହୋଇଛି ବା ଏପରି ତ୍ରୁଟି ନହେବା ପାଇଁ ସେ ସମସ୍ତ ଆବଶ୍ୟକ ଉଦ୍ୟମ କରିଥିଲେ ତା’ ହେଲେ ଏହି ଉପଧାରା ଅଧୀନରେ ସେ ଦୋଷମୁକ୍ତ ହୋଇପାରିବେ ।

    ୮) ଯଦି କୌଣସି ଜଙ୍ଗଲରେ ରହୁଥିବା ଅନୁସୂଚିତ ଜନଜାତି ବ୍ୟକ୍ତି ଗ୍ରାମସଭାର ପ୍ରସ୍ତାବ ସମ୍ପର୍କିତ ବିବାଦ କିମ୍ବା ଗ୍ରାମସଭା କୌଣସି ଉପରିସ୍ଥ କର୍ମକର୍ତ୍ତାଙ୍କ ବିରୁଦ୍ଧରେ ରାଜ୍ୟ ସ୍ତରୀୟ ତଦାରଖ କମିଟିକୁ ୬୦ ଦିନର ଏକ ନୋଟିସ ଦାଖଲ କରିଥାଏ ଏବଂ ରାଜ୍ୟ ସ୍ତରୀୟ ତଦାରଖ କମିଟି ସମ୍ପୃକ୍ତ କର୍ତ୍ତୁପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥାଏ , ତେବେ ଧାରା-୭ରେ ଥିବା ପ୍ରାବଧାନ ଅନୁଯାୟୀ କୌଣସି ନ୍ୟାୟାଳୟରେ ଏହା ଧର୍ତ୍ତବ୍ୟ ଅପରାଧଭାବେ ଗ୍ରହଣୀୟ ହେବନାହିଁ ।

     

    ଷଷ୍ଠ ଅଧ୍ୟାୟ

    ବିବିଧ

    ୯)ଏହି ଆଇନର ଚତୁର୍ଥ ପରିଚ୍ଛେଦରେ ସୂଚିତ କର୍ତ୍ତୁପକ୍ଷଙ୍କର ପ୍ରତ୍ୟେକ ସଭ୍ୟ ଅନ୍ୟ ଯେକୌଣସି ପଦାଧିକାରୀ ଏହି ନିୟମ ଅଧୀନରେ କିମ୍ବା ନିଯମରେ ଦିଆଯାଇଥିବା କ୍ଷମତା ଅନୁଯାୟୀ ଉପଭୋଗ କରୁଥିବେ, ସେମାନେ ଭାରତୀୟ ପିଙ୍ଗଳ କୋର୍ଟର (ଆଇ॰ପି॰ସି) ଧାରା ୨୧ ଅନୁଯାୟୀ ଲୋକମାନଙ୍କର ସେବକ ଭାବରେ ବିବେଚିତ ହେବେ ।

    ୧୦ (୧) କେନ୍ଦ୍ର ସରକାର କିମ୍ବା ରାଜ୍ୟସରକାରଙ୍କର କୌଣସି ଅଧିକାରୀ କିମ୍ବା ଅନ୍ୟାନ୍ୟ କର୍ମଚାରୀ ଯଦି ଏହି ଆଇନ ଅଧୀନରେ କୌଣସି ଭଲ ଉଦ୍ଦେଶ୍ୟ ରଖି ପଦକ୍ଷେପ ନେଇଥାନ୍ତି କିମ୍ବା ନେବାକୁ ଇଚ୍ଛା କରିଥାନ୍ତି ତେବେ ସେମାନଙ୍କର ବିରୁଦ୍ଧରେ କୌଣସି ମକଦ୍ଦମା ବା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ।

    ୨) କେନ୍ଦ୍ର ସରକାର ବା ରାଜ୍ୟ ସରକାରଙ୍କର କୌଣସି ଅଧିକାରୀ କିମ୍ବା ଅନ୍ୟାନ୍ୟ କର୍ମଚାରୀ ଯଦି ଏହି ଆଇନ ଅଧୀନରେ କିମ୍ବା କୌଣସି ଭଲ ଉଦ୍ଦେଶ୍ୟ ରଖି ନେଇଥିବା ପଦକ୍ଷେପ କିମ୍ବା ପଦକ୍ଷେପ ନେବାକୁ ଇଚ୍ଛା କରିଥିବା ଯୋଗୁ ଯଦି କୌଣସି ଖ୍ଯାତି ହୁଏ କିମ୍ବା ଖ୍ଯାତି ହେବାର ସମ୍ଭାବନା ଥାଏ ତେବେ ସେମାନଙ୍କ ବିରୁଦ୍ଧରେ କୌଣସି ମକଦ୍ଦମା ବା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ ।

    ୩) ଚତୁର୍ଥ ଅଧ୍ୟାୟ ଅନୁସାରେ ପ୍ରାଧିକରଣର ଅଧ୍ୟକ୍ଷ ସଦସ୍ୟ, ସଦସ୍ୟ ସମ୍ପାଦକ ଅଧିକାରୀ ଓ ଅନ୍ୟ କର୍ମଚାରୀ ଉତ୍ତମ ଉଦ୍ଦେଶ୍ୟ ନେଇ ଯଦି କିଛି ପଦକ୍ଷେପ ନେଇଥାନ୍ତି ତେବେ ତାଙ୍କ ବିରୁଦ୍ଧରେ କୌଣସି ପ୍ରକାର ମକଦ୍ଦମା ବା ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ।

    ୧୧) କେନ୍ଦ୍ର ସରକାରଙ୍କର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ କିମ୍ବା କେନ୍ଦ୍ର ସରକାରଙ୍କ ସ୍ଵିକୃତିପ୍ରାପ୍ତ କୌଣସି ଅଧିକାରୀ ଅଥବା କୌଣସି କର୍ମକର୍ତ୍ତା ଏହି ଆଇନର ସର୍ତ୍ତଗୁଡିକୁ ଲାଗୁ କରିବା ନିମନ୍ତେ ନୋଡାଲ ଏଜେନ୍ସି ଭାବେ ପରିଗଣିତ ହେବେ ।

    ୧୨) ଏହି ଆଇନ ଅଧୀନରେ ଥିବା କ୍ଷମତା ତଥା ଦାୟିତ୍ଵକୁ ତୁଲାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କର୍ତ୍ତୁପକ୍ଷଙ୍କୁ (୪ର୍ଥ ଅଧ୍ୟାୟ ଅନୁସାରେ ) ସମୟ ସମୟରେ ଲିଖିତ ନିର୍ଦେଶ ଦିଆଯିବ ।

    ୧୩) ଏହି ଆଇନ ଏବଂ ପଞ୍ଚାୟତରାଜ ଅଧିନିୟମ , ୧୯୯୬ରେ ଦିଆଯାଇଥିବା ବ୍ୟବସ୍ଥା ଗୁଡିକୁ ବର୍ତ୍ତମାନ ଲାଗୁ ହେଉଥିବା ଅନ୍ୟ କୌଣସି ଆଇନର ବିରୁଦ୍ଧାଚରଣ କରିବ ନାହିଁ, ବରଂ ଏହି ଆଇନ ସହ ଯୁକ୍ତ ହେବେ ।

    ୧୪)(୧) କେନ୍ଦ୍ର ସରକାର ବିଜ୍ଞପ୍ତି ବା ପୂର୍ବ ପ୍ରକାଶିତ ସର୍ତ୍ତ ଅନୁସାରେ ଏହି ଆଇନର ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରିବାର ନିୟମ ପ୍ରସ୍ତୁତ କରିବେ ।

    (୨) ପୂର୍ବବର୍ତ୍ତୀ କ୍ଷମତାଗୁଡିକର ବ୍ୟାପକତା ପାଇଁ ପକ୍ଷପାତ ନକରି , ଏଭଳି ନିୟମଗୁଡିକ ନିମ୍ନଲିଖିତ ସମସ୍ତ ଯେକୌଣସି ବିଷୟ ପାଇଁ ପ୍ରଯୁଜ୍ୟ ହେବ ।

    (କ) ଧାରା ୬ରେ ଉଦ୍ଧିଷ୍ଟ ହୋଇଥିବା ପ୍ରକ୍ରିୟାର ପ୍ରୟୋଗ ପାଇଁ ବିସ୍ତ୍ରୁତ କାର୍ଜ୍ୟପଦ୍ଧତି ;

    (ଖ) ଦାବୀ ଗ୍ରହଣ, ଏକତ୍ରିକରଣ ଓ ଯାଞ୍ଚ ଏବଂ ଧାରା ୬ର ଉପଧାରା (୧) ଅଧୀନରେ ଜଙ୍ଗଲ ଅଧିକାରର ପ୍ରୟୋଗ ପାଇଁ ସୁପାରିସ ହୋଇଥିବା ପ୍ରତ୍ୟେକ ଦାବୀ ଚିହ୍ନିତ ଅଞ୍ଚଳର ମାନଚିତ୍ର ପ୍ରସ୍ତୁତି ପ୍ରକ୍ରିୟା ଏବଂ ଏହି ଧାରାର ଉପଧାରା (୨) ଅଧୀନରେ ଉପଖଣ୍ଡ ସ୍ତରୀୟ କମିଟି ନିକଟରେ ଆବେଦନ ପତ୍ର ଆଗତ କରିବାର ପ୍ରକ୍ରିୟା ;

    (ଗ) ଧାରା ୬ର ଉପଧାରା ୮ ଅଧୀନରେ ରାଜ୍ୟ ସରକାରଙ୍କ ରାଜସ୍ୱ, ଜଙ୍ଗଲ ତଥା ଆଦିବାସୀ ବ୍ୟାପାର ବିଭାଗର ବିଭିନ୍ନ ସ୍ତରର ଅଧିକାରୀମାନେ ଉପଖଣ୍ଡ ସ୍ତରୀୟ କମିଟି , ଜିଲ୍ଲା ସ୍ତରୀୟ କମିଟି ଓ ରାଜ୍ୟ ସ୍ତରୀୟ ତଦାରଖ କମିଟିରେ ସଦସ୍ୟ ରୂପେ ନିଯୁକ୍ତି ହେବେ ।

    (ଘ) ଉପଖଣ୍ଡ ସ୍ତରୀୟ କମିଟି , ଜିଲ୍ଲା ସ୍ତରୀୟ କମିଟି ଏବଂ ରାଜ୍ୟସ୍ତରୀୟ ତଦାରଖ କମିଟିର ଗଠନ ଓ କାର୍ଯ୍ୟ ଏବଂ ସେମାନଙ୍କର କାର୍ଯ୍ୟ କରିବା ନିମନ୍ତେ ଦିଆଯାଇଥିବା ପ୍ରଣାଳୀ ଧାରା ୬ର ଉପଧାରା ୯ଅନୁଯାୟୀ ହେବ ।

    (ଙ) ଅନ୍ୟାନ୍ୟ ବିଷୟ ଯାହା ଆବଶ୍ୟକ ଏବଂ ପ୍ରସ୍ତାବିତ ହୋଇପାରେ ।

    ୩) ଏହି ଆଇନ ଅଧୀନରେ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରସ୍ତୁତ ପ୍ରତ୍ୟେକ ନିୟମ ଯଥାଶୀଘ୍ର ସମ୍ଭବ ସଂସଦର ଅଧିବେଶନ ଚାଲିଥିବା ବେଳେ ପ୍ରତ୍ୟେକ ଗୃହରେ ଉପସ୍ଥାପନ କରାଯିବ ଯାହା ଗୋଟିଏ ବା ଦୁଇଟି ବା ଅଧିକ ଅଧିବେଶନର ପୁରା ୩୦ଦିନ ମଧ୍ୟରେ କରାଯିବ । ଯଦି ସଂସଦର ଉଭୟ ଗୃହ ଏହି ନିୟମ ଗୁଡିକରେ କୌଣସି ପରିବର୍ତ୍ତନ ପାଇଁ ରାଜି ହୁଅନ୍ତି ତେବେ ଉଭୟ ଗୃହର ନିଷ୍ପତ୍ତି ଅନୁଯାୟୀ ସେହି ନିୟମ ପରିବର୍ତ୍ତିତ ହୋଇ ଲାଗୁ ହେବ ବା ଲାଗୁ ହେବନାହିଁ । ସେ ଯାହା ହେଉ ଏଭଳି କୌଣସି ପରିବର୍ତ୍ତନ ବା ବାତିଲ ସେହି ନିୟମ ଅଧୀନରେ ପୂର୍ବରୁ ହୋଇଥିବା ବିଧି-ମାନ୍ୟତାର ପ୍ରତିକୂଳ ପ୍ରଭାବ ପକାଇବ ନାହିଁ ।

    ଅନୁସୂଚୀତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କର (ଜଙ୍ଗଲ ଅଧିକାର ସ୍ଵିକୃତି)ଆଇନ, ୨୦୦୭ ଭାରତର ଗେଜେଟରେ ପ୍ରକାଶ ନିମନ୍ତେ ଅସାଧାରଣ, ଅଂଶ-୨, ବିଗା-୩, ଉପବିଭାଗ (କ) ୧ ଜାନୁଆରୀ ୨୦୦୮ (ଭାରତ ସରକାର ) ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ

    ଏତଦ୍ୱାରା ଜନସାଧାରଣଙ୍କ ଅବଗତି ନିମନ୍ତେ ଗେଜେଟରେ ନକଲରେ ବିଜ୍ଞାପ୍ତି ମାଧ୍ୟମରେ ଜଣାଇ ଦିଆଯାଇଛି ଯେ ତା’ ୧୯ ଜୁନ ୨୦୦୭ ରିଖରେ ଭାରତର ଗେଜେଟରେ ଭାରତ ସରକାରଙ୍କର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟରେ ଡି॰ଏସଆର ୪୭୩ (ଇ) ବିଜ୍ଞପ୍ତି ଅଧୀନରେ ଅନୁସୂଚୀତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଆଇନ ୨୦୦୬ ର ଚିଠା ପ୍ରକାଶିତ ହେଲା ଓ ତତସହିତ ପ୍ରକାଶିତ ତାରିଖଠାରୁ ୪୫ ଦିନ ମଧ୍ୟରେ ଏହି ଆଇନ ଯୋଗେ ପ୍ରଭାବିତ ହେଉଥିବା ବ୍ୟକ୍ତି ବିଶେଷମାନଙ୍କଠାରୁ ମତାମତ ଓ ଆପତ୍ତିଗୁଡିକୁ ଆହ୍ଵାନ କରାଯାଇଛି ।

    ଏବଂ ଉପରୋକ୍ତ ଗେଜେଟରେ ନକଲଗୁଡିକ ୨୫.୦୬.୨୦୦୭ ରେ ଜନ ସାଧାରଣଙ୍କ ନିମନ୍ତେ ଉପଲବ୍ଧ ହେଲା ଏବଂ ଜନସାଧାରଣଙ୍କଠାରୁ ଉପରୋକ୍ତ ଚିଠା ନିୟମ ସମ୍ବନ୍ଧରେ ମିଳିଥିବା ଆପତ୍ତି – ଅଭିଯୋଗ ଓ ମତାମତଗୁଡ଼ିକୁ ଉପଯୁକ୍ତ ଭାବେ କେନ୍ଦ୍ର ସରକାରଙ୍କ ଦ୍ଵାରା ବିଚାରକୁ ନିଆଯାଇଛି ।

    ତେଣୁ ବର୍ତ୍ତମାନ ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଆଇନ ୨୦୦୬ ର ଧାରା ୧୪ଉପଧାରା ୧ଓ୨ ଅନୁଯାୟୀ ଏଥିସହିତ କେନ୍ଦ୍ର ସରକାର ଏହିସବୁ ଜଙ୍ଗଲରେ ବସବାସ କରି ଆସୁଥିବା ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ବନବାସୀଙ୍କର ମାନ୍ୟତା ନିମନ୍ତେ ଏବଂ ଜଙ୍ଗଲ ଜମିରେ ଜୀବିକା ନିର୍ବାହ ସକାଶେ ଜଙ୍ଗଲ ଅଧିକାର ପ୍ରଦାନ ପାଇଁ ନିମ୍ନଲିଖିତ ନିୟମ ପ୍ରଣୟନ କରିଛନ୍ତି ; ଯଥା –

    ୧. ସଂକ୍ଷିପ୍ତ ଶିରୋନାମା , ବିସ୍ତାର ଓ ପ୍ରାରମ୍ଭ:-

    ୧) ଉକ୍ତ ନିଯମାବଳୀ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ନିଯମାବଳୀ, ୨୦୦୭ ନାମରେ ଅଭିହିତ ହେବ ।

    ୨) ଜାମ୍ମୁ ଏବଂ କାଶ୍ମୀର ରାଜ୍ୟ ବ୍ୟତୀତ ଏହା ସମଗ୍ର ଭାରତରେ ଲାଗୁ ହେବ ।

    ୩) ସରକାରୀ ଗେଜେଟରେ ପ୍ରକାଶିତ ହେବା ଦିନଠାରୁ ଏହା କାର୍ଯ୍ୟକାରୀ କରାଯିବ ।

    ୨. ସଂଜ୍ଞା :

    ୧) ଏହି ନିୟମ ଅଧୀନରେ ଥିବା ବିଷୟବସ୍ତୁକୁ ନିମ୍ନଲିଖିତ ରୂପେ ବୁଝାଯିବ ।

    କ) “ଆଇନ” ଅର୍ଥାତ ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ଆଇନ ୨୦୦୬ ।

    ଖ) “ପ୍ରକୃତି ଜୀବିକାଜନିତ ଆବଶ୍ୟକତା” କହିଲେ ଆଇନର ୩ ଧାରର ଉପଧାରା (୧) ର ବାକ୍ୟାଂଶ (କ), (ଗ), ଏବଂ (ଘ) ପ୍ରଦତ୍ତ ଥିବା ସମସ୍ତ ଜଙ୍ଗଲ ଜମିରେ ନିଜସ୍ଵ କୃଷି ଉତ୍ତପାଦନର ବିକ୍ରି ଏବଂ ଉତ୍ତପାଦନ ଜରିଆରେ ନିଜସ୍ଵ ଏବଂ ପରିବାରର ଜୀବନ ଧାରଣର ଆବଶ୍ୟକତା ପୂରଣ ।

    ଗ) ‘ଦାବିଦାର’ ଅର୍ଥାତ ଜେନ ବ୍ୟକ୍ତି , ସମୂହ ପରିବାର କିମ୍ବା ଗୋଷ୍ଠୀ ଯିଏ ଆଇନରେ ସୂଚୀବଦ୍ଧ ଅଧିକାର ଗୁଡିକର କୌଣସି ଅଧିକାରର ସ୍ଵିକୃତି ଓ ପ୍ରତ୍ୟାର୍ପଣ ପାଇଁ ଆବେଦନ କରିଥିବେ ।

    ଘ) ଆଇନର ଧାରା- ୩ର ଉପଧାରା (୧) (ଗ) ର ଲଘୁ ବନଜାତ ଦ୍ରବ୍ୟର ନିକାସ ଅର୍ଥାତ ପ୍ରାଥମିକ ସଂଗ୍ରହକାରୀ ବା ଗୋଷ୍ଠୀ ଦ୍ଵାରା ଲଘୁ ବନଜାତ ଦ୍ରବ୍ୟର ସ୍ଥାନୀୟ ସ୍ତରରେ ପ୍ରକ୍ରିୟାକରଣ, ମୂଲ୍ୟ ସଂଯୋଗୀକରଣ ଜଙ୍ଗଲ ଅଞ୍ଚଳରେ ମୁଣ୍ଡ-ବୋଝ , ସାଇକେଲ ଏବଂ ହାତଟଣା ଶଗଡ ମାଧ୍ୟମରେ ପରିବହନ ଭଳି ବ୍ୟବହାର ।

    ଙ) “ଜଙ୍ଗଲ ଅଧିକାର କମିଟି” ଅର୍ଥାତ ନିୟମ ୩ ଅଧୀନରେ ଗ୍ରାମସଭାଦ୍ବାରା ଗଠିତ ଏକ କମିଟି ।

    ଚ) “ଧାରା” ଅର୍ଥାତ ଏହି ଆଇନର ଧାରା ।

    2॰ ଏହି ନିୟମାବଳିରେ ବ୍ୟବହୃତ ଶବ୍ଦ ଓ କାବ୍ୟ ଯାହାର ସଂଜ୍ଞା ଦିଆଯାଇନାହିଁ କିନ୍ତୁ ତାହା ଆଇନରେ ନିରୂପିତ ହୋଇଅଛି , ସେଗୁଡିକର ଅର୍ଥ ଆଇନରେ ଦିଆଯାଇଥିବା ଅର୍ଥ ହିସାବରେ ରହିବ ।

    ୩। ଗ୍ରାମସଭା :

    ୧) ଗ୍ରାମ ପଞ୍ଚାୟତମାନଙ୍କ ଦ୍ଵାରା ଗ୍ରାମସଭାଗୁଡିକ ଡକାଯିବ ଏବଂ ଏହାର ପ୍ରଥମ ବୈଠକରେ ଜଙ୍ଗଲ ଅଧିକାର କମିଟି ଗଠନ କରାଯିବ । ଏହି କମିଟି ସେହି ଗ୍ରାମସଭାର ସଦସ୍ୟମାନଙ୍କୁ ନେଇ ଗଠିତ ହେବ । ଯେଉଁଥିରେ ଅତି କମରେ ୧୦ଜଣ ଏବଂ ଅତି ବେଶୀରେ ୧୫ଜଣଙ୍କୁ ନିର୍ବାଚିତ କରାଯିବ । ଏହି କମିଟିରେ ଅତି କମରେ ଏକ ତୃତୀୟାଂସ ସଭ୍ୟ ଅନୁସୂଚିତ ଜନଜାତି ଓ ଏକ ତୃତୀୟାଂସ ମହିଳା ସଭ୍ୟ ଥିବେ ।

    ୨) ଜଙ୍ଗଲ ଅଧିକାର କମିଟି ଜଣେ ସଭା ମୁଖ୍ୟ ଓ ଜଣେ ସଚିବଙ୍କୁ ସ୍ଥିର କରିବ ଏବଂ ଏ ସମ୍ବନ୍ଧରେ ଉପଖଣ୍ଡ ସ୍ତରୀୟ କମିଟିକୁ ଜଣାଇବ ।

    ୩) ଯେତେବେଳେ ଜଙ୍ଗଲ ଅଧିକାର କମିଟିର ଜଣେ ସଭ୍ୟ ଜଙ୍ଗଲ ଅଧିକାରର ବ୍ୟକ୍ତିଗତ ଦାବିଦାର ହୋଇଥିବେ, ତା’ ହେଲେ ସେ କମିଟିକୁ ସୂଚନା ଦେବେ । ଏବଂ ତାଙ୍କ ଦାବୀର ବିଚାର ବେଳେ ହେଉଥିବା ଯାଞ୍ଚ କାର୍ଯ୍ୟରେ ସେ ଅଂଶ ଗ୍ରହଣ କରିବେ ନାହିଁ ।

    ୪. ଗ୍ରାମ ସଭାର କାର୍ଯ୍ୟ :-

    (୧) ଗ୍ରାମ ସଭା :-

    (କ) ଜଙ୍ଗଲ ଅଧିକାରୀ ଗୁଡିକର ସ୍ୱରୂପ ଓ ପ୍ରକାର ଭେଦ ନିର୍ଦ୍ଧାରଣର ପ୍ରକ୍ରିୟା ଆରମ୍ଭ କରିବ, ତତ ସହ ସମ୍ପର୍କିତ ଦାବିଗୁଡିକ ଗ୍ରହଣ କରିବ ଓ ଶୁଣିବ ;

    ଖ) ଜଙ୍ଗଲ ଅଧିକାରର ଦାବିଦାର ମାନଙ୍କର ଏକ ସୂଚୀ ପ୍ରସ୍ତୁତ କରିବା ଏବଂ ଏହି ଦାବିଦାର ତଥା ଦାବିଗୁଡିକର ବିବରଣୀ ସମ୍ପର୍କିତ ଏକ ରେଜିଷ୍ଟର ପ୍ରସ୍ତୁତ କରିବ ଯାହା କେନ୍ଦ୍ର ସରକାର ନିଜର ଆଦେଶ ଦ୍ଵାରା ନିର୍ଦ୍ଧାରିତ ହୋଇଥିବ ;

    (ଗ) ଆଗ୍ରହୀ ବ୍ୟକ୍ତି ଓ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ସୁଯୋଗ ଦେଲାପରେ ଜଙ୍ଗଲ ଅଧିକାର ସମ୍ପର୍କିତ ଦାବି ଉପରେ ଗ୍ରାମସଭା ଏକ ରିଜୋଲ୍ୟୁସନ ପାସ କରି ଉପଖଣ୍ଡ ସ୍ତରୀୟ କମିଟିକୁ ପ୍ରେରଣ କରିବ;

    (ଘ) ଅଧିନିୟମର ଧାରା -୪ ଉପଧାରା (୨) ର ବାକ୍ୟାଂଶ (ଙ) ଅଧୀନରେ ଥିବା ଥଇଥାନ ପ୍ୟାକେଜ ଉପରେ ବିଚାର କରି ଯଥୋଚିତ ରିଜୋଲ୍ୟୁସନ ପାସ କରିବ; ଏବଂ

    (ଙ) ଆଇନର ଧାରା -୫ର ବ୍ୟବସ୍ଥାଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଗ୍ରାମସଭା ବନ୍ୟଜନ୍ତୁ ସୁରକ୍ଷା, ଜଙ୍ଗଲ ଓ ଜୈବବିବିଧତାର  ସୁରକ୍ଷା ପାଇଁ ନିଜ ସଦସ୍ୟମାନଙ୍କୁ ନେଇ ବିଭିନ୍ନ କମିଟି ଗଠନ କରିବ ।

    ୨. ଗ୍ରାମସଭା ବୈଠକର କୋରମ ପାଇଁ ଗ୍ରାମସଭାର ସମସ୍ତ ସଭ୍ୟମାନଙ୍କର ଦୁଇ ତୃତୀୟାଂସ ଠାରୁ ଅଧିକ ସଭ୍ୟ / ସଭ୍ୟା ଆବଶ୍ୟକ । ପ୍ରକାଶ ଥାଉକି , ଯେଉଁ ଗ୍ରାମର ଅନୁସୂଚିତ ଜନଜାତି ଓ ଅଣ- ଅନୁସୂଚିତ ଜନଜାତିଙ୍କୁ ନେଇ ଏକ ବିବିଧତାପୂର୍ଣ୍ଣ ଜନବସତି ଥିବ, ସେହି କ୍ଷେତ୍ରରେ ଗ୍ରାମସଭା ବୈଠକରେ ଅନୁସୂଚିତ ଜନଜାତି , ଆଦିମ ଆଦିବାସୀ ସମୁଦାୟ ଏବଂ ପ୍ରାକ କୃଷିଜୀବୀ ଗୋଷ୍ଠୀମାନେ ବହୁଳ ଭାବେ ପ୍ରତିନିଧିତ୍ଵ କରିବେ ।

    ୩. ରାଜ୍ୟର କ୍ଷମତାପ୍ରାପ୍ତ କର୍ତ୍ତୁପକ୍ଷମାନଙ୍କ ଦ୍ଵାରା ଆବଶ୍ୟକୀୟ ସହଯୋଗ ଗ୍ରାମସଭାମାନଙ୍କୁ ଯୋଗାଇ ଦିଆଯିବ ।

    ୫. ଉପଖଣ୍ଡ ସ୍ତରୀୟ କମିଟି :-

    ରାଜ୍ୟ ସରକାର ନିମ୍ନ ଲିଖିତ ସଦସ୍ୟମାନଙ୍କୁ ନେଇ ଉପଖଣ୍ଡ କମିଟି ଗଠନ କରିବେ , ଯଥା-

    (କ) ଉପଖଣ୍ଡ ଅଧିକାରୀ ବା ତତୁଲ୍ୟଅଧିକାରୀ – ଅଧ୍ୟକ୍ଷ ;

    (ଖ) ଉପଖଣ୍ଡ ଦାଇତ୍ଵରେ ଥିବା ଜଣେ ବନ ଅଧିକାରୀ ବା ତତୁଲ୍ୟ – ସଦସ୍ୟ;

    (ଗ) ଜିଲ୍ଲା ପଞ୍ଚାୟତ ଦ୍ଵାରା ମନୋନୀତ ବ୍ଲକ/ତହସିଲ ପଞ୍ଚାୟତ ସମିତି ର ତିନିଜଣ ସଦସ୍ୟ , ତନ୍ମଧ୍ୟରୁ ୨ଜଣ ଅନୁସୂଚିତ ଜନଜାତିର ସଦସ୍ୟ , ଅଗ୍ରାଧିକାରୀ ଭିତ୍ତିରେ ଜଙ୍ଗଲ ନିବାସୀ ବା ଆଦିମ ଜନଜାତି ସମୂହରୁ ରହିବେ ଏବଂ ଯେଉଁଠି ଅନୁସୂଚିତ ଜନଜାତିର କୌଣସି ସଦସ୍ୟ ନାହାନ୍ତି , ସେଠି ଅଗ୍ରାଧିକାର ଭିତ୍ତିରେ ୨ଜଣ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ତଥା ଏମାନଙ୍କ ମଧ୍ୟରେ ଅତି କମରେ ଜଣେ ମହିଳା ସଦୃଶ ରହିବେ ଅଥବା ସମ୍ବିଧାନର ଷଷ୍ଠ ଅନୁସୂଚି ଅନ୍ତର୍ଗତ ଅଞ୍ଚଳ ଗୁଡିକରେ ସ୍ଵୟଂଶାସିତ ଜିଲ୍ଲା ପରିଷଦ ଆଞ୍ଚଳିକ ପରିଷଦ ବା ଅନ୍ୟ ସମୁଚିତ ଆଞ୍ଚଳିକ ସ୍ତର ଦ୍ଵାରା ମନୋନୀତ ୩ଜଣ ସଦସ୍ୟ ରହିବେ , ଏମାନଙ୍କ ମଧ୍ୟରୁ ଅତି କମରେ ଜଣେ ମହିଳା ହେବା ଆବଶ୍ୟକ ଏବଂ

    (ଘ) ଆଦିବାସୀ କଲ୍ୟାଣ ବିଭାଗରୁ ଉପଖଣ୍ଡ ଦାୟିତ୍ଵରେ ଥିବା ଜଣେ ଅଧିକାରୀ ସଭ୍ୟ ହେବେ ।

    ୬. ଉପଖଣ୍ଡ ସ୍ତରୀୟ କମିଟିର କାର୍ଯ୍ୟ :- ଉପଖଣ୍ଡ ସ୍ତରୀୟ କମିଟି (ଏସ॰ଡି॰ଏଲ॰ସି) :-

    (କ) ବନ୍ୟଜୀବ , ଜଙ୍ଗଲ ଓ ଜୈବ ବିବିଧତାର  ସଂରକ୍ଷଣ ଓ ସୁରକ୍ଷା ଆବଶ୍ୟକ କରୁଥିବା ସଙ୍କଟାମୟ ଉଦ୍ଭିଦ ସମୂହ ଏବଂ ପ୍ରାଣୀ ସମୂହର ସୁରକ୍ଷା ଦିଗରେ ଗ୍ରାମ ସଭାର, ଜଙ୍ଗଲ ଅଧିକାର ପ୍ରଧାରକମାନଙ୍କର ତଥା ଅନ୍ୟାନ୍ୟ ମାନଙ୍କର କର୍ତ୍ତବ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବ ;

    (ଖ) ଗ୍ରାମସଭା ବା ଜଙ୍ଗଲ ଅଧିକାର କମିଟିକୁ ଜଙ୍ଗଲ ଓ ରାଜସ୍ୱ ମାନଚିତ୍ର ତଥା ଭୋଟର ତାଲିକା ଉପଲବ୍ଧ କରାଇବ ;

    (ଗ) ସମ୍ପୃକ୍ତ ଗ୍ରାମସଭାଗୁଡିକର ପ୍ରସ୍ତାବନା ଗୁଡିକ ମିଳାଇ ଦେଖିବ ।

    (ଘ) ଗ୍ରାମସଭା ଦ୍ଵାରା ପ୍ରଦାନ କରାଯାଇଥିବା ଏକତ୍ରିକରଣ ମାନଚିତ୍ର ଏବଂ ତହିଁର ବିବରଣୀକୁ ଦେଖିବ ।

    ଅନୁସୂଚୀତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସିନ୍ଦାମାନଙ୍କ (ଜଙ୍ଗଲ ଅଧିକାର ସମୂହକୁ ସ୍ଵିକୃତି –ପ୍ରଦାନ ) ସଂଶୋଧନ ନିୟମାବଳୀ , ୨୦୧୨ ଭାରତ ଗେଜେଟ, ଅସାଧାରଣ, ଭାଗ-୨, ଖଣ୍ଡ-୩ (ଆଇ) , ଜନଜାତି ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାର, ନୂଆଦିଲ୍ଲୀ

    ବିଜ୍ଞପ୍ତି ତା’ ୬ ସେପ୍ଟେମ୍ବର ୨୦୧୨

    ଜି॰ଏସ॰ଆର ୬୬୯ (ଇ)- ଯେହେତୁ ଅନୁସୂଚୀତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସିନ୍ଦାମାନଙ୍କ ଆଇନ , ୨୦୦୬(୨୦୦୭ ର ଆଇନ ସଂଖ୍ୟା-୨) ଧାରା ୧୪ ଅଧିନସ୍ଥ ଉପଧାରା (୧) ର ପ୍ରୟୋଜନାର୍ଥେ ଅନୁସୂଚୀତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ବାସିନ୍ଦାମାନଙ୍କ (ଜଙ୍ଗଲ ଅଧିକାର ସମୂହକୁ ସ୍ଵିକୃତି –ପ୍ରଦାନ) ଚିଠା ସଂଶୋଧନ ନିଯମାବଳୀ , ୨୦୧୨ କୁ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟଙ୍କ ବିଜ୍ଞପ୍ତି ସଂଖ୍ୟା ଜି॰ଏସ॰ଆର ୫୭୮(ଇ) ତା’୧୯ଜୁଲାଇ ୨୦୧୨ ଅନୁଯାୟୀ ସେହି ତାରିଖରେ ଭାରତର ଗେଜେଟ , ଭାଗ-୨, ଖଣ୍ଡ-୩, ଉପଖଣ୍ଡ (ଆଇ)ରେ ପ୍ରକାଶ ପାଇଥିଲେ ଏବଂ ତଦ୍ୱାରା ସମ୍ଭବତଃ ପ୍ରଭାବିତ ହେବାକୁ ଥିବା ଜନସାଧାରଣଙ୍କ ଠାରୁ ବିଜ୍ଞପ୍ତି ବହନ କରିଥିବା ଗେଜେଟ ସର୍ବସାଧାରଣଙ୍କ ନିକଟରେ ଉପଲବ୍ଧ ହେବା ତାରିଖରୁ ୩୦ଦିନ ପୂରିବା ଭିତରେ ଆପତ୍ତି ଏବଂ ପରାମର୍ଶ ଆହ୍ଵାନ କରଯାଇଥିଲା ।

    ସୁତରାଂ ବର୍ତ୍ତମାନ ଅନୁସୂଚୀତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଳବାସିନ୍ଦାମାନଙ୍କ (ଜଙ୍ଗଲ ଅଧିକରସମୂହକୁ ସ୍ଵିକୃତି ପ୍ରଦାନ)ଆଇନ ୨୦୦୬ (୨୦୦୭ ର ଆଇନ ସଂଖ୍ୟା –ଧାରା-୨)ଧାରା ୧୪ ଅଧିନସ୍ଥ ଉପଧାରା (୧) ଏବଂ (୨)ର ବଳରେ ନ୍ୟସ୍ତ କ୍ଷମତାର ପ୍ରୟୋଗ କରି କେନ୍ଦ୍ର ସରକାର ଏତଦ୍ୱାରା ଅନୁସୂଚୀତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଳବାସିନ୍ଦାମାନଙ୍କ (ଜଙ୍ଗଲ ଅଧିକରସମୂହକୁ ସ୍ଵିକୃତି- ପ୍ରଦାନ)ନିୟମାବଳୀ ୨୦୦୮ କୁ ସଂଶୋଧନ କରିବା ଉଦେଶ୍ୟରେ ନିମ୍ନୋକ୍ତ ନିୟମାବଳୀ ପ୍ରଣୟନ କରୁଛନ୍ତି , ଯଥା:-

    ୧. (୧) ଏହି ନିୟମାବଳୀକୁ ଅନୁସୂଚୀତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସିନ୍ଦାଙ୍କର (ଜଙ୍ଗଲ ଅଧିକାର ସମୂହକୁ ସ୍ଵିକୃତି –ପ୍ରଦାନ) ସଂଶୋଧନ ନିୟମାବଳୀ, ୨୦୧୨ କୁହାଯାଇପାରେ ।

    (୨) ସରକାରୀ ଗେଜେଟରେ ପ୍ରକାଶିତ ହେବା ତାରିଖ ଠାରୁ ଏହା ବଳବତ୍ତର ହେବ ।

    ୨॰ ଅନୁସୂଚୀତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସିନ୍ଦାଙ୍କର (ଜଙ୍ଗଲ ଅଧିକାରସମୂହକୁ ସ୍ଵିକୃତି –ପ୍ରଦାନ) ନିଯମାବଳୀ , ୨୦୦୮ (ଏଥିରୁ ଏହାକୁ ଉକ୍ତ ନିୟମାବଳୀ ନାମରେ ସୂଚୀତ କରାଯିବ) ରେ ନିୟମ-୨ ଅଧିନସ୍ଥ ଉପନିୟମ (୧) ରେ ନିମ୍ନମତେ ସ୍ଥାନିତ କରାଯିବ –

    (୧) ଅଣ- ଉପନିୟମ (ବି) ବଦଳରେ ନିମ୍ନ ଅଣ- ଉପନୀୟମଟି ପ୍ରତିସ୍ଥାନିତ ହେବ, ଯଥା – (ବି) ଆଇନର ଧାରା ୩ ଅଧିନସ୍ଥ ଉପଧାରା (୧) ରେ ବିନିର୍ଦ୍ଧିଷ୍ଟ ହୋଇଥିବା ଅଧିକାରସମୂହ ଭିତରୁ ଯେକୌଣସି ଅଧିକାରକୁ ହାସଲ କରିବା ଜରିଆରେ ନିଜର ଏବଂ ପରିବାରର ଜୀବିକାର୍ଚ୍ଚନର ପ୍ରୟୋଜନସମୂହକୁ ପୂରଣ କରାଇବା ଏବଂ ଏହାର ପରିସରଭୁକ୍ତ ହେବ ଏହିସବୁ ଅଧିକାର ସମୂହର ପ୍ରୟୋଗ କରିବା ଫଳରେ ହାସଲ କରୁଥିବା ଉଦବୃତ୍ତ ଉତ୍ପାଦକ ବିକ୍ରି କରିବା ।

    (୨) ଅଣ ଉପନିୟମ (ସି) ପରେ ନିମ୍ନ ଅଣ ଉପନିୟମଗୁଡିକ ଭର୍ତ୍ତିହେବ ଯଥା

    (ସିଏ) ଗୋଷ୍ଠୀ ଅଧିକାର ସମୂହ ର ଅର୍ଥ ଧାରା ୩ର ଉପଧାରା (୧) ଅଧିନସ୍ଥ ଅଣ ଉପଧାରା (ବି) ,(ସି),(ଡି), (ଇ), (ଏଚ) (ଆଇ), (ଜେ), (କେ) ଏବଂ (ଏଲ) ରେ ତାଲିକାଭୁକ୍ତ ହୋଇଥିବା ଅଧିକାରସମୂହ ,

    (୩) ଅଣ-ଉପନିୟମ (ଡି) ସ୍ଥାନରେ ନିମ୍ନ ଅଣ ଉପନିୟମ ପ୍ରତିସ୍ଥାନିତ ହେବ, ଯଥା-

    (ଡି) ଧାରା -୩ର ଉପଧାରା (୧) ଅଧିନସ୍ଥ ଅଣ –ଉପଧାରା (ସି) ରେ ସୂଚୀତ ହୋଇଥିବା ‘ଲଘୁ ଜଙ୍ଗଲ ଉପକାର କାରବାର ‘ର ପରିସରଭୁକ୍ତ ହେବ ଏହି ସାମଗ୍ରୀକୁ ବ୍ୟକ୍ତିଗତ ବା ଗୋଷ୍ଠୀଗତ ଭାବେ ବିକ୍ରୀ ତଥା ପ୍ରକ୍ରିୟାକରଣ , ସାଇତା , ମୂଲ୍ୟବର୍ଦ୍ଧନ ତଥା ଜଙ୍ଗଲ ଇଲାକା ଭିତରେ ଅବା ବାହାରେ ସଂଗ୍ରାହକଗଣ କିମ୍ବା ସେମାନଙ୍କର ସମବାୟ ସମିତି ବା ସଂଘ ଦ୍ଵାରା ନିଜର ଜୀବିକା ଉଦେଶ୍ୟରେ ବ୍ୟବହାର ବା ବିକ୍ରୀ ପାଇଁ ଯଥୋଚିତ ପରିବହନ ମାଧ୍ୟମରେ ପରିବହନ କରିବାର ଅଧିକାର ,

    ସ୍ପଷ୍ଟୀକରଣ –

    (୧) ଲଘୁ ଜଙ୍ଗଲ ଉପଜର ପରିବହନ ପରିପ୍ରେକ୍ଷୀରେ ପ୍ରଚଳିତ ଥିବା ଟ୍ରାନଜିଟ ପରିମିଟ ବ୍ୟବସ୍ଥାର ସଂଶୋଧନ କରାଯିବ ଏବଂ ଏହି ପରମିଟ ମଞ୍ଜୁର କରିବେ ନିୟମ ୪ର ଉପନିୟମ (୧) ଅଧିନସ୍ଥ ଅଣ- ଉପନିୟମ (ଇ) ଅନୁଯାୟୀ ଗଠିତ ହୋଇଥିବା କମିଟି ଅଥବା ଗ୍ରାମସଭା ଦ୍ଵାରା କର୍ତ୍ତୁତ୍ଵପ୍ରାପ୍ତ ହୋଇଥିବା ଜେନ ବ୍ୟକ୍ତି ।

    (୨) ଟ୍ରାନଜିଟ ପରିମିଟର ଏହି ବିଧିସମ୍ମତ ଆବଶ୍ୟକତା କୌଣସି ମତେ ଲଘୁ ଜଙ୍ଗଲ ଉପଜର କାରବାର ପାଇଁ ଅଧିକାରକୁ ସଙ୍କୁଚିତ ବା କ୍ଷ୍ୟୁର୍ଣ କରିବ ନାହିଁ ।

    (୩) ଲଘୁ ଜଙ୍ଗଲ ଉପଜର ସଂଗ୍ରହ କାର୍ଯ୍ୟ ଜେ କୌଣସି ପ୍ରକାର ରୟାଲଟି , ଫିସ ବା ଅନ୍ୟ କୌଣସି ଧରଣର ଦେୟ ଠାରୁ ମୁକ୍ତ ରହିବ ।

    ୩. ଉକ୍ତ ନିୟମାବଳୀରେ ନିୟମ ୨ପରେ ନିମ୍ନୋକ୍ତ ନିୟମ ଭର୍ତ୍ତି ହେବ, ଯଥା –

    “୨ଏ ଉପବସତି (ହାମଲେଟ) ବା ବସତି (ସେଟଲମେଣ୍ଟ)ଗୁଡିକର ଚିହ୍ନଟିକରଣ ଏବଂ ସେଗୁଡିକର ସଂହତିକରଣ – ରାଜ୍ୟ ସରକାର ଏହା ନିଶ୍ଚିତ କରିବେ ଜେ –

    (ଏ) ଉପବସତି ବା ଜନବସତିସମୂହ , ଅନରେକର୍ଡଭୁକ୍ତ ବା ଅଣସର୍ବେକ୍ଷିତ ବସତସମୁହି ଅଥବା ଜଙ୍ଗଲଗ୍ରାମ ବା ତୋଙ୍ଗୟା ଗ୍ରାମସମୂହ – ସେଗୁଡିକ ଆନୁଷ୍ଠାନିକ ଭାବେ ରାଜସ୍ୱ ବା ଜଙ୍ଗଲ ଗ୍ରାମ ରେକର୍ଡର ଅଂଶ ବିଶେଷ ହୋଇ ଥାଆନ୍ତୁ ବା ନାହିଁ , ସେଗୁଡିକ ଯେଉଁ ପଞ୍ଚାୟତର ପରିସୀମା ଭିତରେ ଅବସ୍ଥିତ ଥିବେ , ସେହି ପଞ୍ଚାୟତ ସେଗୁଡିକର ତାଲିକା ପ୍ରସ୍ତୁତ କରିବେ ଏବଂ ଆଇନ ଦୃଷ୍ଟିରେ ସେଗୁଡିକୁ ଗ୍ରାମର ମାନ୍ୟତା ପ୍ରଦାନ ପାଇଁ ସମ୍ପୃକ୍ତ ବସତି, ଉପବସତି ବା ବସତିସମୂହର ଗ୍ରାମସଭା ଡକାଇ ସେଥିରେ ଉକ୍ତ ତାଲିକାକୁ ଅନୁମୋଦିତ କରାଇବେ ଏବଂ ପଞ୍ଚାୟତ ସ୍ତରରେ ଏକ ପ୍ରସ୍ତାବ ପାସ କରାଇବେ ତଥା ଉକ୍ତ ତାଲିକାକୁ ସବଢିଭିଜନାଲ ସ୍ତରୀୟ କମିଟି ନିକଟରେ ଦାଖଲ କରିବେ ।

    (ବି) ସବଡିଭିଜିନାଲ ସ୍ତରୀୟ କମିଟିର ସବଡିଭିଜିନାଲ ଅଫସରଗଣ ସେହିସବୁ ଉପବସତି ଏବଂ ଜନବସତି ଗୁଡିକର ତାଲିକାସମୂହକୁ ଏକତ୍ରିକରଣ କରିବେ । ଯେଉଁଗୁଡିକ ବର୍ତ୍ତମାନ କୌଣସି ଗ୍ରାମର ଅଂଶବିଶେଷ ନୁହଁନ୍ତି , କିନ୍ତୁ ପଞ୍ଚାୟତର ଏକ ପ୍ରସ୍ତାବ ମାଧ୍ୟମରେ ପଞ୍ଚାୟତର ଗ୍ରାମ ରୂପେ ପରିସରଭୁକ୍ତ ହୋଇପାରିଛନ୍ତି ଏବଂ ପ୍ରାସଙ୍ଗିକ ରାଜ୍ୟ ଆଇନ ଗୁଡିକରେ ସ୍ଥାନିତ ହୋଇଥିବା ପଦ୍ଧତି ଅନୁସରଣ କରି ସେଗୁଡିକର ବର୍ତ୍ତମାନର ଗ୍ରାମଗୁଡିକ ସହିତ ଯୋଡି ଅଥବା ଅନ୍ୟ ପ୍ରକାରେ ଆନୁଷ୍ଠାନିକ ଭାବେ ଗ୍ରାମର ମାନ୍ୟତା ପ୍ରଦାନ କରିବେ ଏବଂ ତାହା ପରେ ସମ୍ପୃକ୍ତ ଜିଲ୍ଲାସ୍ତରୀୟ କମିଟି ମାନେ ଆବଶ୍ୟକ ସ୍ଥଳେ ସର୍ବସାଧାରଣ ମତାମତ ଲୋଡିବା ପରେ ଉକ୍ତ ଗ୍ରାମଗୁଡିକର ତାଲିକାକୁ ବିଧିବଦ୍ଧ ଭାବେ ଚୁଡାନ୍ତ ରୂପ ପ୍ରଦାନ କରିବେ ।

    (ସି) ଉପବସତି ଏବଂ ବସତିଗୁଡିକର ତାଲିକାସମୂହର ଚୁଡାନ୍ତିକରଣ ସମ୍ପୂର୍ଣ ହେବାପରେ ଏହିସବୁ ଉପବସତି ଏବଂ ବସତିଗୁଡିକରେ ପୂର୍ବରୁ ଯଦି କୌଣସି ଅଧିକାର ସ୍ଵିକୃତ ହୋଇଥାଏ , ତେବେ ସେଗୁଡିକୁ ବ୍ୟାହାତ ନକରି ଅଧିକାରସମୂହର ସ୍ଵିକୃତି ଏବଂ ନ୍ୟାସ୍ତିକରଣ ସମ୍ପାଦିତ ହେବ ।

    ୪. ଉକ୍ତ ନିୟମ-୩ରେ :

    (ଏ) ଉପନିୟମ (୧) ରେ ବର୍ତ୍ତମାନ ଥିବା ଶବ୍ଦାବଳୀ , ଯଥା “ଅନ୍ୟୁନ ଏକତୃତୀୟାନ୍ସ ସଭ୍ୟ ଅନୁସୂଚୀତ ଜନଜାତି ହୋଇଥିବେ “ ବଦଳରେ ନୂତନ ଶବ୍ଦାବଳୀ “ଅନ୍ୟୁନ ଦୁଇ ତୃତୀୟାଂସ ସଭ୍ୟ ଅନୁସୂଚୀତ ଜନଜାତି ହୋଇଥିବେ ପ୍ରତିସ୍ଥାନିତ ହେବ ।

    (ବି) ଉପନିୟମ (୩) ପରେ ନିମ୍ନ ଉପନିୟମ ଭର୍ତ୍ତି ହେବ ଯଥା –

    (୪)ଯେଉଁ ତାରିଖରୁ ଅନୁସୂଚୀତ ଜନଜାତି ଏବଂ ଅନ୍ୟାନ୍ୟ  ପାରମ୍ପରିକ ଜଙ୍ଗଲବାସିନ୍ଦାଙ୍କର ସଂଶୋଧନ ନିୟମାବଳୀ , ୨୦୧୨ ବଳବତ୍ତର ହେଲା , ତାହା ପୂର୍ବରୁ ସ୍ଵିକୃତି ଲାଭ କରିଥିବା ଜଙ୍ଗଲ ଅଧିକାର ସମୂହ ଅଥବା ଆରମ୍ଭ କରାଯାଇଥିବା ଦାବୀସମୂହର ଯାଞ୍ଚ ପ୍ରକ୍ରିୟାକୁ ଜଙ୍ଗଲ ଅଧିକାର ସମୂହ ଅଥବା ଆରମ୍ଭ କରାଯାଇଥିବା ଦାବୀସମୂହର ଯାଞ୍ଚ ପ୍ରକ୍ରିୟାକୁ ଜଙ୍ଗଲ ଅଧିକାର କମିଟି ପୁଣି ଆଉ ଥରେ ସମୀକ୍ଷା କରିବ ନାହିଁ ।

    ୫. ଉକ୍ତ ନିୟମାବଳୀରେ , ନିୟମ -୪ରେ ;

    (୧) ଅଣ ଉପନିୟମ (ଇ) ପରେ ନିମ୍ନୋକ୍ତ ଉପନିୟମ ଭର୍ତ୍ତି ହେବ ଯଥା –

    (ଏଫ) ଅଣ ଉପନିୟମ (ଇ) ଅଧୀନରେ ଗଠିତ ହୋଇଥିବା ସେହି କମିଟିକୁ ତଦାରଖ ଓ ନିୟନ୍ତ୍ରଣ କରିବେ, ଯେଉଁ କମିଟି ଜଙ୍ଗଲ ବାସିନ୍ଦା ଅନୁସୂଚୀତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ବାସିନ୍ଦିଙ୍କର ହିତସାଧନ ପାଇଁ ସମ୍ପୃକ୍ତ ଗୋଷ୍ଠୀ ଜଙ୍ଗଲ ସମ୍ପଦସମୂହକୁ ସୁସ୍ଥାୟୀ ତଥା ସମତାପୂର୍ଣ ରୀତିରେ ପରିଚାଳନା କରିବା ଉଦ୍ଦେଶ୍ୟରେ ଗୋଷ୍ଠୀ ଜଙ୍ଗଲ ସମ୍ପଦ ସମୂହକୁ ସୁସ୍ଥୟୀ ତଥା ସମତାପୂର୍ଣ ରୀତିରେ ପରିଚାଳନା କରିବା ଉଦ୍ଦେଶ୍ୟରେ ଗୋଷ୍ଠୀ ଜଙ୍ଗଲ ସମ୍ପଦସମୂହର ସଂରକ୍ଷଣ ଓ ପରିଚାଳନାର ଯୋଜନା ପ୍ରସ୍ତୁତ କରିବେ ତଥା ଏହିସବୁ ସଂରକ୍ଷଣ ଏବଂ ପରିଚାଳନା ଯୋଜନାକୁ ଜଙ୍ଗଲ ବିଭାଗର ଅନୁଯୋଜନା ବା କର୍ମଯୋଜନା ବା ପରିଚାଳନା ଯୋଜନା ଗୁଡିକ ସହ ସେହିସବୁ ସଂଶୋଧନ ସମୂହ ସହିତ ସମନ୍ଵିତ କରିବେ , ଯାହାକି କମିଟି ମତରେ ଆବଶ୍ୟକ ବୋଲି ବିବେଚିତ ହୋଇପାରେ ।

    କେଏନଚତୁର୍ବେଦୀ ସଚିବ, ଭାରତ ସରକାର

    ଆଧାର:

    ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ (ସି.ଏସ.ଡି. ଓଡିଶା )

3.14285714286
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ହରିଶ୍ଚନ୍ଦ୍ର ହାଇବୃ Aug 22, 2017 02:15 PM

ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ (ଜଙ୍ଗଲ ଅଧିକାର ସ୍ଵୀକୃତି) ଆଇନ, ୨୦୦୭ ଟି ଅପଲୋଡ କଲେଆପଣଙ୍କର ନିକଟରେ ଚିରରୁଣୀ ହୋଇ ରହିବି ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top