ସେଆର କରନ୍ତୁ

ରଥଯାତ୍ରା

ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ରଥଯାତ୍ରା ଜଗନ୍ନାଥଙ୍କର ଏକ ପ୍ରମୁଖ ବାର୍ଷିକ ଉତ୍ସବ ଯାହାକି ପୁରୀଠାରେ ଜଗନ୍ନାଥ ମନ୍ଦିରରେ ତଥା ବିଶ୍ଵର ବାକି ଅନେକ ସ୍ଥାନରେ ପାଳନ କରାଯାଏ ।

ରଥଯାତ୍ରା ଜଗନ୍ନାଥ

ରଥଯାତ୍ରା ଜଗନ୍ନାଥଙ୍କର ଏକ ପ୍ରମୁଖ ବାର୍ଷିକ ଉତ୍ସବ ଯାହାକି ପୁରୀଠାରେ ଜଗନ୍ନାଥ ମନ୍ଦିରରେ ତଥା ବିଶ୍ଵର ବାକି ଅନେକ ସ୍ଥାନରେ ପାଳନ କରାଯାଏ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ଵାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ ।

ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ତିନିଗୋଟି ରଥରେ ପୁଷ୍ୟାନକ୍ଷତ୍ରଯୁକ୍ତ ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ବିଜେ କରି ଗୁଣ୍ଡିଚା ମନ୍ଦିରକୁ ଯାଇ ସେଠାରେ ସପ୍ତାହକାଳ ଅବସ୍ଥାନ କରି ଦଶମୀ ଦିନ ସେଠାରୁ ବଡ଼ଦେଉଳକୁ ଫେରିଆସିଥାନ୍ତି । ଗୁଣ୍ଡିଚା ମନ୍ଦିରକୁ ମାଉସୀ ମା ମନ୍ଦିର ନାମରେ ମଧ୍ୟ ଗଣାଯାଏ । ଗୁଣ୍ଡିଚା ମନ୍ଦିରକୁ ଯିବା ଦିନକୁ “ରଥଯାତ୍ରା” ବା “ଗୁଣ୍ଡିଚା ଯାତ” ଓ ଫେରିବା ଦିନକୁ “ବାହୁଡ଼ା ଯାତ୍ରା ବା ବାହୁଡ଼ା ଯାତ” ବୋଲି କୁହାଯାଏ । ପରମ୍ପରା ଅନୁସାରେ ଘୋଷଯାତ୍ରାର ଆଗେ ଆଗେ ବଡ଼ଭାଇ ବଳଭଦ୍ରଙ୍କ ରଥ ‘ତାଳଧ୍ଵଜ’, ତାଙ୍କ ପଛେ ପଛେ ଦେବୀ ସୁଭଦ୍ରାଙ୍କ ‘ଦର୍ପଦଳନ’ ଓ ସର୍ବଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରନ୍ତି ।

  • ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ ।
    1. ସ୍ନାନ ଉତ୍ସବ
    2. ଅନବସର
    3. ନେତ୍ରୋତ୍ସବ
    4. ଶ୍ରୀଗୁଣ୍ଡିଚା
    5. ହେରାପଞ୍ଚମୀ
    6. ଆଡ଼ପ ପର୍ବ
    7. ବାହୁଡ଼ାଯାତ୍ରା
    8. ନୀଳାଦ୍ରିବିଜେ

ପରମ୍ପରା ଅନୁସାରେ ପୁରୀରେ ପ୍ରତିବର୍ଷ ସମ୍ପୁର୍ଣ୍ଣ ଭାବେ ନୂଆ କାଠରେ ରଥ ତିଆରି ହୋଇଥାଏ । କିନ୍ତୁ ସାରଥି, ଘୋଡ଼ା, ପାର୍ଶ୍ଵ ଦେବଦେବୀ, ସଖୀ ଆଦିମୂର୍ତ୍ତି ଗୁଡ଼ିକ ପ୍ରତ୍ୟେକ ନବକଳେବର ବର୍ଷ ନୂତନ ଭାବରେ ନିର୍ମାଣ କରାଯାଇଥାଏ । ନିମ୍ବ କାଠରେ ମୋଟ ୨୭ ଗୋଟି ପାର୍ଶ୍ଵ ଦେବଦେବୀଙ୍କର ବିଗ୍ରହ ନିର୍ମାଣ କରାଯାଏ । ପ୍ରତିବର୍ଷ ରଥଯାତ୍ରାର ଅଳ୍ପ ଦିନ ପୂର୍ବରୁ ଚିତ୍ରକାର ସେବକମାନେ ଏହି ମୂର୍ତ୍ତିଗୁଡିକୁ ରଙ୍ଗ କରିଥାନ୍ତି । ଆବଶ୍ୟକ ପଡିଲେ ରୂପକାର ସେବକମାନଙ୍କ ଦ୍ଵାରା ଏହାର ମରାମତି କାର୍ଯ୍ୟ ହୋଇଥାଏ । ରଥଯାତ୍ରାର ଦୁଇ ଦିନ ପୂର୍ବରୁ ପ୍ରତି ରଥରେ ନଅ ମୂର୍ତ୍ତି ଲେଖାଏଁ ପାର୍ଶ୍ଵଦେବତାଙ୍କୁ ଅଧିଷ୍ଠିତ କରାଯାଇଥାଏ। । ପ୍ରତିବର୍ଷ ରଥଯାତ୍ରା ପରେ ରଥଗୁଡ଼ିକୁ ଭାଙ୍ଗି ଦିଆଯାଏ । ପ୍ରତିବର୍ଷ ପୁରୀ ବଡ଼ଦାଣ୍ଡରେ ଥିବା ଶ୍ରୀନଅର ସମ୍ମୁଖସ୍ତ ରଥଖଳାଠାରେ ଶ୍ରୀଜଗନ୍ନାଥଙ୍କର ଏହି ବିଶ୍ୱବିଦିତ ରଥଯାତ୍ରା ନିମନ୍ତେ ତିନିରଥର ନିର୍ମାଣ କାର୍ଯ୍ୟ ସଂପନ୍ନ ହୋଇଥାଏ । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ପାରମ୍ପରିକ ବିଧି ଓ ରଥନିର୍ମାଣର ଶାସ୍ତ୍ରସମ୍ମତ ଧାରାକୁ ଲକ୍ଷ୍ୟ କଲେ ବ୍ୟାପାରଟି କେତେ ଜଟିଳ ଅଥଚ କେତେ ସୁସମନ୍ୱିତ ତାହା ହୃଦ୍‌ବୋଧ ହୁଏ । ବହୁ ପୁରାତନ କାଳରୁ ଏ ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ପାଇଁ ସମୟ ନିର୍ଦ୍ଧାରିତ ହୋଇଛି, ତଦନୁସାରେ ସମସ୍ତ କାର୍ଯ୍ୟ ସୁସଂପନ୍ନ ହୋଇଥାଏ । ରଥକାଠ ପହଞ୍ଚିବା ଠାରୁ ଆରମ୍ଭ କରି ରଥଟଣା ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଏକ ନିର୍ଦ୍ଦିଷ୍ଟ ତିଥିରେ ହୋଇଥାଏ।

  • ରଥକାଠ ପୁରୀରେ ପହଞ୍ଚିବା (ରଥଖଳରେ ଅନୁକୂଳ ପୂଜା) – ଶ୍ରୀପଞ୍ଚମୀ
  • କାଠଚିରା – ଶ୍ରୀରାମ ନବମୀ
  • ରଥନିର୍ମାଣ ଅନୁକୂଳ – ଅକ୍ଷୟ ତୃତୀୟା
  • ଗୁଜ ଅନୁକୂଳ – ନୃସିଂହ ଚତୁର୍ଦ୍ଦଶୀ
  • ଚକ ତିଆରି ହୋଇ ଦିଅଁଙ୍କ ଆଜ୍ଞାମାଳ ଲାଗି (ଅନ୍ତତଃ ୬ଟି ଚକ) – ଭଉଁରୀ ଦିନ
  • ଚାରି ନାହକ ଡେରା ଅନୁକୂଳ – ଦେବସ୍ନାନ ପୂର୍ଣ୍ଣିମା
  • ରଥଖଳାରୁ ସିଂହଦ୍ଵାର ଯାଏଁ ରଥଟଣା – ନେତ୍ରୋତ୍ସବ (ଶ୍ରୀଗୁଣ୍ଡିଚା ପୂର୍ବଦିନ)

ରଥ ନିର୍ମାଣର ପରମ୍ପରା ବଡ଼ ନିଆରା, ପ୍ରଥମେ ବଡ଼ଠାକୁରଙ୍କ ରଥ କାମ ଆରମ୍ଭ କରାଯାଉଥିବା ବେଳେ ପ୍ରଥମେ ଦେବୀ ରଥର ଚକ ନିର୍ମାଣ ହୁଏ । ଏହା ପଛରେ ପାରମ୍ପରିକ ମତାମତ ନଥିଲେ ମଧ୍ୟ ବୈଷୟିକ ମତ ରହିଛି । ରଥର ଚକ ଫାସୀ କାଠରେ ନିର୍ମାଣ ହୋଇଥାଏ । ପରମ୍ପରା ଦୃଷ୍ଟିରୁ ଦେବୀରଥର ଚକ ସବୁଠାରୁ ବଡ଼ (୧୨ ଟି ଚକ ମଧ୍ୟରୁ ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୮ ଇଞ୍ଚ) ।

ରଥମାନଙ୍କର ନିର୍ମାଣରେ ଥିବା କିଛି ବିଶେଷ‌ତା

  1. ନନ୍ଦିଘୋଷ:
  2. ‘ନନ୍ଦିଘୋଷ’ ବା ‘ଗରୁଡ଼ଧ୍ଵଜ’ ବା ‘କପିଳଧ୍ଵଜ’ ରଥରେ ଜଗନ୍ନାଥଙ୍କ ସହ ମଦନମୋହନ ବିଜେ କରନ୍ତି ।

    ମୋଟ ୭୪୨ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୫ଫୁଟ ୬ ଇଞ୍ଚ ଅଟେ ।ଏହି ରଥରେ ୧୬ ଟି ଚକ (ବିଷ୍ଣୁସିଦ୍ଧ, ବିଭୂତି, ଅଣିମା, ପ୍ରଜ୍ଞା, ଧୀ, ଜ୍ଞାନ, ପ୍ରେମ, ଆଶକ୍ତ, ରତି, କେଳି, ସତ୍ୟ, ସୁଷ୍ଵସ୍ତି, ଜାଗୃତି, ତୁରୀୟ, ଆମ, ନିର୍ବାଣ) ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ।
    • ସାରଥି : ମାତଳୀ
    • ରଥର ଦଉଡ଼ି : ଶଙ୍ଖଚୂଡ଼

    ପରମ୍ପରା ମୁତାବକ ଧଳାରଙ୍ଗର ଚାରୋଟି ଘୋଡ଼ା (ଶଙ୍ଖ, ବଳାହକ, ଶ୍ଵେତ ଓ ହରିଦ୍ଵାଶ) ସ୍ଥାପନ କରାଯାଏ ।ଏହାର ପତାକା ଗରୁଡ଼ ଚିହ୍ନାଙ୍କିତ ।

    • ଧ୍ଵଜପମୂର୍ତ୍ତି: ପଞ୍ଚମୁଖୀ ହନୁମାନ ।

    ନାଲି ଓ ହଳଦିଆ ରଙ୍ଗର କପଡ଼ା ରେ ରଥାବରଣ କରାଯାଏ । ନନ୍ଦିଘୋଷରେ ହରିହର, ପଣ୍ଡୁ ନୃସିଂହ, ଗିରିଧର, ଷଡ଼ଭୁଜ ଚିନ୍ତାମଣି କୃଷ୍ଣ, ଚତୁର୍ଭୁଜ ନାରାୟଣ, ସପ୍ତଫେଣ ସର୍ପରେ ଆସୀନ ମଧୁସୂଦନ ବା ବିଷ୍ଣୁ, ଲକ୍ଷ୍ମଣ, ପଞ୍ଚମୁଖୀ ମହାବୀର ପାର୍ଶ୍ଵଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।

  3. ତାଳଧ୍ଵଜ:
  4. ‘ତାଳଧ୍ଵଜ’ ବା ‘ଲଙ୍ଗଳ ଧ୍ଵଜ’ ରଥରେ ବଳଭଦ୍ରଙ୍କ ସହ ରାମକୃଷ୍ଣ ବିଜେ କରନ୍ତି। ମୋଟ ୭୩୧ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୫ଫୁଟ ଅଟେ । ଏହି ରଥରେ ୧୪ ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୬ ଇଞ୍ଚ।

    • ଦଧିନଉତି : ହିରଣ୍ମୟୀ ।
    • ସାରଥି :   ଦାରୁକ ।
    • ରଥର ଦଉଡ଼ି :   ବାସୁକୀ ।

    ପରମ୍ପରା ମୁତାବକ କଳା ରଙ୍ଗର ଚାରୋଟି ଘୋଡ଼ା ଘୋଡ଼ା (ଶଙ୍ଖ, ସୁଚିତ୍ର, ଅଙ୍ଗଦ, ମେଘନାଦ) ସ୍ଥାପନ କରାଯାଏ ।

    • ଧ୍ଵଜପମୂର୍ତ୍ତି : ଲକ୍ଷ୍ମୀନୃସିଂହ ।

    ନାଲି ଓ ସବୁଜ ରଙ୍ଗର କପଡ଼ା ରେ ରଥାବରଣ କରାଯାଏ । ତାଳଧ୍ୱଜ ରଥରେ ମହାଦେବ, ବାଇଶିଭୁଜ ନୃସିଂହ, ବଳରାମ, ନୃତ୍ୟ ଗଣପତି, ଲକ୍ଷ୍ମଣଙ୍କୁ ବହନ କରିଥିବା ଅଙ୍ଗଦ, ନାଟାମ୍ବର (ବୃଷଭ ଉପରେ ନୃତ୍ୟରତ ଶିବ), କାର୍ତ୍ତିକେଶ୍ଵର, ମଧୁକୈଟବଙ୍କ ସହ ବିଷ୍ଣୁଙ୍କ ଯୁଦ୍ଧ, ଅନନ୍ତବାସୁଦେବ ପାର୍ଶ୍ଵବଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।

  5. ଦର୍ପଦଳନ:
  6. ‘ଦର୍ପଦଳନ’ ବା ‘ପଦ୍ମଧ୍ଵଜ’ ବା ‘ଦେବଦଳନ’ ରଥରେ ସୁଭଦ୍ରାଙ୍କ ସହ ଶ୍ରୀସୁଦର୍ଶନ ବିଜେ କରନ୍ତି । ମୋଟ ୭୧୧ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୪ଫୁଟ ୬ ଇଞ୍ଚ ଅଟେ ।ଏହି ରଥରେ ୧୨ ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୮ ଇଞ୍ଚ ।

    • ସାରଥି : ଅର୍ଜୁନ ।
    • ରଥର ଦଉଡ଼ି :  ସ୍ଵର୍ଣ୍ଣଚୂଡ଼ ।
    • ଧ୍ଵଜପମୂର୍ତ୍ତି :  ଜୟଦୁର୍ଗା ।

    ପରମ୍ପରା ମୁତାବକ ନାଲି ଚାରୋଟି ଘୋଡ଼ା (ରୋଚିକା, ମୋଚିକା, ଜିତା, ଅପରାଜିତା) ସ୍ଥାପନ କରାଯାଏ । ନାଲି ଓ କଳା ରଙ୍ଗର କପଡ଼ା ରେ ରଥାବରଣ କରାଯାଏ । ଦର୍ପଦଳନରେ ବିମଳା, ମଙ୍ଗଳା, ବାରାହୀ, ଭଦ୍ରକାଳୀ(ଶବରୂଢ଼ା ଚତୁର୍ଭୁଜା), ବନଦୁର୍ଗା ବା କଣ୍ଟକାଢ଼ି, କାତ୍ୟାୟନୀ (ଅଷ୍ଟଭୁଜା ଦୁର୍ଗା), ହରଚଣ୍ଡୀ, ରାମଚଣ୍ଡୀ (ଅଷ୍ଟଭୁଜା ଓ ବାମହାତ କାଣି ଆଙ୍ଗୁଠିକୁ ପାଟିରେ ଚୁଚୁମିଛନ୍ତି), ଅଘୋରା ପାର୍ଶ୍ଵଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।

ରଥ ନିର୍ମାଣରେ ନିୟୋଜିତ ସେବକବୃନ୍ଦ

  1. ବଢେଇ ମହାରଣା:
  2. ବଢେଇ ମହାରଣା ସେବକମାନଙ୍କ ମଧ୍ୟରେ ସୁତାର, ତଳି ମହାରଣା, ମହାରଣା, ରଥ ଅମିନ ରଥ ନିର୍ମାଣରେ ସଂମ୍ପୃକ୍ତ ରହି କାର୍ଯ୍ୟ କରିଥାନ୍ତି । ରଥ ନିର୍ମାଣ ଅନୁକୂଳ ଠାରୁ ବାହୁଡା ଯାତ୍ରା ଶେଷ ଯାଏଁ ମହାରଣା ସେବକମାନେ ରଥ ନିର୍ମାଣ, ରଥଟଣା ଇତ୍ୟାଦି କାର୍ଯ୍ୟରେ ନିଯୋଜିତ ରହିଥାନ୍ତି । ୩୪ଗୋଟି ଅଙ୍ଗ ବିଶିଷ୍ଟ ତିନୋଟି ରଥର ନିର୍ମାଣ ନିମନ୍ତେ ପ୍ରତ୍ୟେକ ରଥରେ ଜଣେ ଲେଖାଏଁ ମୁଖ୍ୟ ମହାରଣାଙ୍କ ତତ୍ତ୍ଵାବଧାନରେ ଜଣେ ଲେଖାଏଁ ସୁତାର ମହାରଣା, ତଳି ମହାରଣା ନିୟୋଜିତ ହୋଇ କାର୍ଯ୍ୟ କରିଥାନ୍ତି । ଏତଦବ୍ୟତୀତ ରଥ କାଠର ମାପଚୁପ ଦେଖିବା ପାଇଁ ଜଣେ ରଥ ଅମୀନ ମଧ୍ୟ ରହନ୍ତି ।

  3. ଓଝା ମହାରଣା:
  4. ପ୍ରତି ବର୍ଷ ରଥ ନିର୍ମାଣ ସମୟରେ ତିନି ରଥରେ ବ୍ୟବହୃତ ହେଉଥିବା ସମସ୍ତ ଲୁହାକଣ୍ଟା, ବଳା,ପନ୍ଦାରି ଯୋଗାଇବା ବ୍ୟତୀତ ରଥଯାତ୍ରା ପୂର୍ବ ଦିନ ରଥ ଖଳାରୁ ସିଂହଦ୍ଵାରକୁ ରଥ ବିଜେ କରିବା ସମୟରେ ରଥ ଉପରେ ଏହି ସେବକ ଚାନ୍ଦୁଆ ବାନ୍ଧିଥାନ୍ତି । ଅକ୍ଷୟ ତୃତୀୟା ଠାରୁ ପରମ୍ପରା ଅନୁଯାୟୀ ଓଝା ମହାରଣା ସେବକମାନେ ଶାଢୀ଼ ବନ୍ଧାଇ ଏବଂ ପ୍ରଶାସନ ପକ୍ଷରୁ ପ୍ରଦତ୍ତ ମହାପ୍ରସାଦ ଓ ନଡ଼ିଆ ଗ୍ରହଣ କରି ଦୋଳବେଦୀଠାରେ ଶାଳ ଅନୁକୂଳ କରିଥାନ୍ତି । ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣର ଅନୁକୂଳ ସମୟରେ ଏହି ସେବକ ତିନୋଟି ଟାଙ୍ଗିଆ ମଧ୍ୟ ଯୋଗାଇଥାନ୍ତି । ଏହାର ଦୁଇ ତିନିଦିନ ପରେ ଦୋଳବେଦୀଠାରେ କାର୍ଯ୍ୟ ଆରମ୍ଭ ହୋଇ ଭଉଁରୀ ଦିନ ପନ୍ଦାରି, ଜୋକିଆ, ହୁକର ମଧ୍ୟ ଅନୁକୂଳ କରାଯାଇଥାଏ । ଏହି ସବୁ କାର୍ଯ୍ୟ ଦୋଳବେଦୀ କୁଞ୍ଜ ଭିତରେ ହୋଇଥାଏ । ପ୍ରତି ଦିନ ମୋଟ ୧୮ ଜଣ ଓଝା ମହାରଣା ଓ ତାଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରୁଥିବା ଶ୍ରମିକ ନିୟୋଜିତ ହୋଇଥାଏ । ନିଜ ନିଜ ରଥର ବାଡ଼ଗ୍ରାହୀ ଓଝା ମହାରଣାମାନଙ୍କ ତତ୍ତ୍ଵାବଧାନରେ ପ୍ରତି ଚକ ପାଇଁ ଅରକଣ୍ଟା ୩୨ଟା, ପନ୍ଦାରି ୨ଟା ଓ ୨ଟି ଲେଖାଏଁ ବଳା ନିର୍ମାଣ କରାଯାଇ ରଥଖଳାକୁ ଯୋଗାଯାଇଥାଏ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଲୁହା ରଡ଼୍ ଓ ପ୍ଲେଟରେ ଓଝା ମହାରଣା ସେବକମାନେ ପ୍ରତିରଥର ଅଖ ଓ ଦଣ୍ଡାରେ କଣ୍ଡା ଲଗାଯିବା ଉଦ୍ଦେଶ୍ୟରେ ଯଥାକ୍ରମେ ନନ୍ଦିଘୋଷ ରଥ ପାଇଁ ୧୦ ଗଣ୍ଡା, ତାଳଧ୍ଵଜ ରଥ ପାଇଁ ୯ ଗଣ୍ଡା ୨ଟା ଓ ଦେବଦଳ୍ନ ରଥ ପାଇଁ ୭ ଗଣ୍ଡା ୨ଟା ବିଡିଆ କଣ୍ଟା ଶାଳ ପ୍ରସ୍ତୁତ କରିଥାନ୍ତି । ଏତଦବ୍ୟତୀତ ପାରାଭାଡ଼ି ନିର୍ମାଣ ସମୟରେ ପୋଟଳ ଉପରେ ବାଗିଆ ବାଡେଇଥାନ୍ତି । ଅନ୍ୟାନ୍ୟ ଲୁହାରେ ନିର୍ମିତ କଣ୍ଟା ମଧ୍ୟରେ ତାଗକଣ୍ଟା, ତାର ପରିଚ୍ଛା କଣ୍ଟା, ଦୁଆର ବେଢା଼ କଣ୍ଟା, ବେଢା଼ କଣ୍ଟା, ଜଙ୍ଘା ଓ ନାରାଜ କଣ୍ଟା, ଗୋଡି଼ଛାଲ ଇତ୍ୟାଦି ବିଭିନ୍ନ କିସମର କଣ୍ଟା ଏକ ସ୍ଵତନ୍ତ୍ର ଶୈଳୀରେ ଓଝା ମହାରଣାଙ୍କ ଦ୍ଵାରା ନିର୍ମିତ ହୋଇଥାଏ । ପ୍ରତି ବର୍ଷ ପ୍ରଶାସନ ପକ୍ଷରୁ ଓଝା ମହାରଣାଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ପାରିଶ୍ରମିକ ରୂପେ ପ୍ରଦାନ କରାଯାଇଥାଏ । ରଥଯାତ୍ରା ସମୟରେ ଯଦି ଚକ କିମ୍ବା ଅନ୍ୟାନ୍ୟ ମରାମତି କାର୍ଯ୍ୟ ଆବଶ୍ୟକ ପଡେ, ଓଝା ମହାରଣା ମନେ ଆବଶ୍ୟକୀୟ ଲୁହା କଣ୍ଟା ଓ କ୍ଲାମ୍ପ ଇତ୍ୟାଦି ଜରୁରୀକାଳୀନ ଭାବେ ନିର୍ମିତ କରି ଯୋଗାଇଥାନ୍ତି । ଏତଦବ୍ୟତୀତ ଅଣସର ସମୟରେ ଅଣସର ଗୃହକୁ ଯିବା ନିମନ୍ତେ ସହସ୍ର (ଲୁହାରେ ନିର୍ମିତ ଏକ ଅସ୍ତ୍ର) ନିର୍ମିତ କରି ପତନି ଶାଢୀ଼ରେ ବାନ୍ଧି ଦଇତାପତିଙ୍କ ଜିମାରେ ଦେଇଥାନ୍ତି । ଏହି କାର୍ଯ୍ୟ ହେଲା ବେଳେ ଓଝା ମହରଣାମାନେ ହବିଷାନ୍ନ କରି ଅତ୍ୟନ୍ତ ନିୟମ ନିଷ୍ଠାର ସହିତ ରହିଥାନ୍ତି ।

    • ଅନ୍ୟାନ୍ୟ ସେବକ ମାନେ ହେଲେ:
    1. ଭୋଇ ସେବକ
    2. ଦରଜୀ ସେବକ
    3. ତାମରା ବିଶୋଇ
    4. କରତିଆ
    5. ରୂପକାର
    6. ଚିତ୍ରକାର

ପ‌ହଣ୍ଡି

ଶ୍ରୀଜୀଉମାନଙ୍କୁ ରଥାରୂଢ଼ କରିବାପାଇଁ ଦଇତାପତି ସେବକମାନେ ଦଳବଦ୍ଧ ଭାବରେ ନିଜ ଭିତରେ ସମନ୍ଵୟ ରଖି ବିଗ୍ରହ ମାନଙ୍କୁ ନଚେଇ ନଚେଇ, ଝୁଲେଇ ଝୁଲେଇ ନେଇଥାନ୍ତି, ଯାହାକୁ ମନ୍ଦିର ଭାଷାରେ ପ‌ହଣ୍ଡି କୁହାଯାଏ ।

  • ଏହି ପ‌ହଣ୍ଡି ଦୁଇପ୍ରକାର ଯଥା:
  1. ଧାଡ଼ି ପହଣ୍ଡି:
  2. ଧାଡି଼ ପହଣ୍ଡିରେ ଠାକୁରମାନେ ଜଣକ ପରେ ଜଣେ ଏକକାଳୀନ ବିଜେ କରି ରଥାରୂଢ଼ ହୁଅନ୍ତି ।ରତ୍ନ‌ବେଦୀରୁ ଶ୍ରୀଜୀଉମାନେ ଗଲାବେଳେ ଧାଡ଼ି ପ‌ହଣ୍ଡିରେ ବିଜେ କରିଥାନ୍ତି ।

  3. ଗୋଟି ପହଣ୍ଡି:
  4. ଗୋଟି ପହଣ୍ଡିରେ ଏକ ବିଗ୍ରହ ବିଜେ ହୋଇ ଉଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପରେ ଅନ୍ୟ ବିଗ୍ରହଙ୍କ ପହଣ୍ଡି ଆରମ୍ଭ ହୋଇଥାଏ ।ରତ୍ନ‌ବେଦୀକୁ ବାହୁଡ଼ିବା ବେଳେ ଶ୍ରୀଜୀଉମାନେ ଗୋଟି ପ‌ହଣ୍ଡିରେ ବିଜେ କରିଥାନ୍ତି ।

ସୁଦର୍ଶନ ଓ ସୁଭଦ୍ରା ଦଇତାପତିମାନଙ୍କ ହସ୍ତ ଓ ସ୍କନ୍ଧାବଲମ୍ବନ ପୂର୍ବକ ପହଣ୍ଡି ବିଜେ ହୋଇ ରଥାରୋହଣ କରିଥିବା ବେଳେ ଜଗନ୍ନାଥ ଓ ବଳଭଦ୍ରଙ୍କୁ ଦଇତାପତି ଓ ଅନ୍ୟାନ୍ୟ ସେବକମାନେ ପାଟ ଡୋରିରେ ବା ରଜ୍ଜୁ ଦ୍ଵାରା ଆକର୍ଷଣ କରି ଧିରେ ଧିରେ ପହଣ୍ଡି ବିଜେ କରାଇଥାନ୍ତି । ଶ୍ରୀବିଗ୍ରହମାନଙ୍କ ପବିତ୍ର ପହଣ୍ଡି ବିଜେ ସମୟରେ ପ୍ରଥମେ ବିଜେ କାହାଳି ବାଜିବା ପରେ ଘଣ୍ଟୁଆ , କାହାଳିଆ, ବଜନ୍ତରୀ, ଓଲାର, ଛତାର ପ୍ରମୁଖ ସେବକମାନଙ୍କ ଉପସ୍ଥିତିରେ ଘଣ୍ଟ ଓ ବାଦ୍ୟ ଆଦି ତାଳ ସହକାରେ ବଜେ । ଭକ୍ତ ତଥା ଦର୍ଶନାର୍ଥୀମାନେ ଏହି ସମୟରେ ପୁଷ୍ପବର୍ଷଣ କରିବା ସଙ୍ଗେ ସଙ୍ଗେ ହରିବୋଲ ଓ ହୁଳହୁଳିର ପବିତ୍ର ଧ୍ଵନିରେ ସମଗ୍ର ପରିବେଶକୁ ଆନନ୍ଦିତ ମୁଖରିତ କରିଥାନ୍ତି । ପହଣ୍ଡି ସମୟରେ ପଣ୍ଡା, ପୁଷ୍ପାଳକ ଓ ଅନ୍ୟନ୍ୟ ସେବକମାନେ ଡୋରି ଧରିଥାନ୍ତି । ଛାମୁ ଖୁଣ୍ଟିଆ, ବେହେରା ଖୁଣ୍ଟିଆ, ସେବକ ପହଣ୍ଡି ତଥା ଠାକୁରମାନଙ୍କ ଆଗରେ ବେତ ଧରି ମଣିମା, ଶ୍ରୀଅଙ୍ଗକୁ ସାବଧାନ ବୋଲି ଉଚ୍ଚାରଣ କରି ଠାକୁରମାନଙ୍କ ଆଗେ ଆଗେ ଯୋଡି଼ ବେତ ବାଡେଇ ବାଡେଇ ଚାଲିଥାନ୍ତି ।

ଶ୍ରୀଗୁଣ୍ଡିଚା ଯାତ୍ରା ଓ ବାହୁଡା଼ ଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜାଙ୍କ ତିନି ରଥ ଉପରେ ଛେରାପହଁରା ସେବା । ଏହି ଛେରାପହଁରା ନୀତିକୁ ଦେଖିବା ଲାଗି ଉଭୟ ସିଂହଦ୍ଵାର ଓ ଗୁଣ୍ଡିଚା ମନ୍ଦିରଠାରେ ଲକ୍ଷାଧିକ ଭକ୍ତ ତଥା ଜନସାଧାରଣଙ୍କ ସମାଗମ ହୋଇଥାଏ ।  କେତେକ ଐତିହାସିକ, ପ୍ରାବନ୍ଧିକ ଏବଂ ଗବେଷକମାନଙ୍କ ମତରେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମୟରେ ଏହି ଛେରା ପହଁରା ନୀତି ଆରମ୍ଭ ହୋଇଥିଲା । ରଥଯାତ୍ରା ଦିନ ଗଜପତି ମହାରଜ ମନ୍ଦିର ଆଗରେ ଥିବା ପାହାଚକୁ ସୁନାର ପହଁରାରେ ଓଳାନ୍ତି । ଗଜପତି ଦିବ୍ୟସିଂହ ଦେବଙ୍କ ପର୍ଯ୍ୟନ୍ତ ଠାକୁରମାନଙ୍କ ପହଣ୍ଡି ବେଳେ ଶ୍ରୀମନ୍ଦିର ଆଗରେ ପାହଚ ଓ ରାସ୍ତକୁ ସୁନା ଖଡି଼କାରେ ଓଳାଇବା ବିଧି ବଳବତ୍ତର ଥିଲା । ମାତ୍ର ତାଙ୍କ ରୁଗ୍ଣ ପୁତ୍ର ରାଜା ମୁକୁନ୍ଦ ଦେବଙ୍କ ସମୟରେ ରଥ ଉପରର ଚତୁଃପାର୍ଶ୍ଵ ଛେରା ପହଁରାର ନୂତନ ବିଧି ବିଧାନ ହୋଇଥିଲା ଏବଂ ଏହି ପ୍ରଥା ଅଦ୍ୟାବଧି ଅନୁସୃତ ହୋଇ ଆସୁଅଛି ।

ଛେରା ଓ ପହଁରା ଦୁଇଟି ଶବ୍ଦର ସମ୍ମିଶ୍ରଣରେ ଛେରା ପହଁରାର ସୃଷ୍ଟି । ଛେରା ଶବ୍ଦର ଅର୍ଥ ତରତଳା, ଯାହାକି ବହଳିଆ ଘୋରା ଚନ୍ଦନ ଓ ପହଁରା ଶବ୍ଦର ଅର୍ଥ ଓଳାଇବା । ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ମଧ୍ୟରେ ମୁଖ୍ୟତଃ ଦର୍ଶନ,ରାଜନୀତି, ବନ୍ଦାପନା, କର୍ପୂର ବର୍ତ୍ତକ, ଚାମର, ଆଲଟ ସେବା, ପୟମାଳା ଗ୍ରହଣ ଆଦି ଅନ୍ତର୍ଭୁକ୍ତ । ସର୍ବପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା କରାଯାଏ, ପରେ ଦେବୀ ସୁଭଦ୍ରାଙ୍କ ରଥରେ ଓ ସର୍ବଶେଷରେ ଜଗନ୍ନାଥଙ୍କ ରଥରେ ଛେରା ପ‌ହଁରା କରାଯାଏ । ଛେରା ପ‌ହଁରା କରିବା ଅବସରରେ ଭଣ୍ଡାର ମେକପ ରଥର ଚାରି ପାଖରେ ବୁଲି ଶୁକ୍ଳ ଫୁଲ ଆଗରେ ପକାଉଥାନ୍ତି ଓ ଗଜପତି ମହାରାଜା ସୁନା ଖଡିକା ଧରି ରଥ ଚାରି ପାଖେ ପହଁରା କାର୍ଯ୍ୟ କରିଥାନ୍ତି । ଏହା ପରେ ଘଟୁଆରୀ ପ୍ରଦତ୍ତ ରୂପା ପିଙ୍ଗଣରେ ଥିବା ଚନ୍ଦନ ପାଣିକୁ ରାଜଗୁରୁ ସଂସ୍କାର କରିବାପରେ ଭଣ୍ଡାର ମେକପ ଗଜପତିଙ୍କ ହସ୍ତକୁ ବଢାଇଥାନ୍ତି । ତତ୍ପରେ ଗଜପତି ଚନ୍ଦନପାଣି ରଥ ଚାରିପଟରେ ଛିଞ୍ଚିଥାନ୍ତି । ଶ୍ରୀମନ୍ଦିର ସ୍ୱତ୍ତ୍ଵଲିପି ତଥା ପରମ୍ପରା ଅନୁଯାୟୀ ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ଛେରା ପ‌ହଁରା ସେବା ମୁଦିରଥ ସେବକ କରିଥାନ୍ତି । ଏପରିକି ଅତୀତରେ ବହୁବର୍ଷ ଧରି ମୁଦିରଥ ସେବକ ଛେରା ପହଁରା ସେବା କରିଥିବାର ପ୍ରମାଣ ରହିଛି । ଏହି ଛେରା ପ‌ହଁରା ବାହୁଡ଼ାଯାତ୍ରା ବ୍ୟତୀତ ଦୋଳଦେବୀରେ, ସ୍ନାନବେଦୀରେ ଓ ଚାପ ଉପରେ କରାଯାଇଥାଏ ।

ରଥଟଣା

ପରମ୍ପରା ଅନୁଯାୟୀ ତିନି ରଥ ଉପରେ ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ସରିବା ପରେ ରଥରୁ ଚାରମାର(ତାଳ ଓ ନଡିଆ ଗଛ କାଠରେ ଚାରମାର ପ୍ରସ୍ତୁତ ହୋଇଥାଏ) ଭୋଇ ସେବକମାନଙ୍କ ସହାୟତାରେ ଖୋଲା ଯାଇଥାଏ । ତତ୍ପରେ ସାରଥୀ ଓ ଅଶ୍ଵଙ୍କୁ ଆରୋହଣ ପୂର୍ବକୁ ରୂପକାର ସେବକମାନେ ଅଶ୍ଵମାନଙ୍କୁ ରଥ ଦଉଡି଼ ଦ୍ଵାରା ବାନ୍ଧିଥାନ୍ତି । ଏହା ପରେ ସ୍ଵତନ୍ତ୍ର ଶୈଳୀରେ ନିର୍ମିତ ରଥ ଦଉଡ଼ିକୁ ରଥରେ ଲଗାଯାଇଥାଏ । ପ୍ରତି ରଥରେ ୪ଟି ଲେଖାଏଁ ଦଉଡି଼ ବନ୍ଧା ଯାଇଥାଏ ।

ସର୍ବପ୍ରଥମେ ବଳଭଦ୍ର ମହାପ୍ରଭୁଙ୍କ ତାଳଧ୍ଵଜ ରଥ ଟଣାଯାଏ । ସମତାଳରେ ଉଭୟ ଭଟିମୁଣ୍ଡା ଓ ପୁରୀ ଘଣ୍ଟୁଆମାନେ ଏହି ସମୟରେ ଘଣ୍ଟ ବଜାଇଥାନ୍ତି । ଡାହୁକ ରଥ ଉପରେ ଠିଆ ହୋଇ ଯୋଡ଼ି ଲମ୍ବା ବେତ ଧରି ରଥ ବୋଲି ଗୀତ ଗାଇ ଭକ୍ତଜନଙ୍କୁ ଆମୋଦିତ କରିଥାନ୍ତି । ସର୍ବ ଧର୍ମ ନିର୍ବିଶେଷରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତ ରଥ ଦଉଡ଼ି ଧାରଣ ପୂର୍ବକ ଆନନ୍ଦ ମନରେ ରଥକୁ ଟାଣିଥାନ୍ତି । ଭକ୍ତମାନଙ୍କ ହରିବୋଲ, ହୁଳହୁଳି, ସଂକୀର୍ତ୍ତନ ଇତ୍ୟାଦିରେ ସମଗ୍ର ବଡ଼ଦାଣ୍ଡ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ। ତାଳଧ୍ଵଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇଥାଏ । ପରମ୍ପରା ଅନୁଯାୟୀ ବଡ଼ଦାଣ୍ଡରେ ଅବସ୍ଥିତ ମାଉସୀ ମା’ ମନ୍ଦିରଠାରେ ଠାକୁରମାନେ ପୋଡ଼ ପିଠା ଭୋଗ ଲାଗିଥାଏ ।

ରଥଯାତ୍ରା ସମୟରେ ପୁରୀରେ ଅବସ୍ଥିତ ଥିବା ଅନେକ ମଠର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ । ସେହି ମଠଗୁଡ଼ିକ ହେଲା:

  • ରାଘବ ଦାସ ମଠ
  • ଗୋବର୍ଦ୍ଧନ ମଠ
  • ଶଙ୍କରାନନ୍ଦ ମଠ
  • ଜଗନ୍ନାଥବଲ୍ଲଭ ମଠ
  • ଜଟିଆ ବାବାଜୀ ମଠ
  • ବଡ଼ ଓଡ଼ିଆ ମଠ
  • ଛାଉଣୀ ମଠ
  • ମହୀପ୍ରକାଶ ମଠ
  • ଶ୍ରୀରାମ ଦାସ ମଠ
  • ଏମାର ମଠ
  • ନେବଳ ଦାସ ମଠ
  • ଗଙ୍ଗାମାତା ମଠ

ମାଉସୀ ଘରେ ସାତ ଦିନ ରହିବା ପରେ ପୁଣି ଥରେ ଶ୍ରୀଜୀଉମାନେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି, ଏହାକୁ ବାହୁଡ଼ା ଯାତ୍ରା କୁହାଯାଏ ।

ଆଧାର -"https://ssgapu22.wordpress.com/%E0%AC%B6%E0%AD%8D%E0%AC%B0%E0%AD%80-%E0%AC%9C%E0%AC%97%E0%AC%A8%E0%AD%8D%E0%AC%A8%E0%AC%BE%E0%AC%A5/%E0%AC%B0%E0%AC%A5%E0%AC%AF%E0%AC%BE%E0%AC%A4%E0%AD%8D%E0%AC%B0%E0%AC%BE/"

3.1724137931
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top