ହୋମ / ସମାଜ କଲ୍ୟାଣ / ଜିଲ୍ଲା ଡାଇରି / ନବରଙ୍ଗପୁର ଜିଲ୍ଲା
ସେଆର କରନ୍ତୁ

ନବରଙ୍ଗପୁର ଜିଲ୍ଲା

ନବରଙ୍ଗପୁର ଜିଲ୍ଲା ସମ୍ବନ୍ଧରେ ସୂଚନା ।

ଇତିହାସ ପୃଷ୍ଠରେ ନବରଙ୍ଗପୁର

ବର୍ତ୍ତମାନର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଓ ଏଲଆଇସି କଲୋନୀ, ସଂଲଗ୍ନ ଅଞ୍ଚଳ ସେତେବେଳର ରାଜବାଟୀ ରହିଥିଲା । ଶିତୁ ଦାଉରୁ ରକ୍ଷା ପାଇଁ ବିରାଟ ପାଚେରି କରାଯାଇଥିଲା । ଏବେ ଏସବୁ କାଳକ୍ରମେ ମାଟିରେ ମିଶି ଯାଇଛି । ନବରଙ୍ଗପୁର ସହରକୁ ପ୍ରବେଶ କରିବା ପାଇଁ ସେତେବେଳର ଯେଉଁ କଣ୍ଟା ବଣ ଓ ଜଡିନାଳ ଦେଇ ଆସିବାକୁ ପଡୁଥିଲା ଏବେ ତାହା ବାଦାମ ସାହିରେ ପରିଣତ ହୋଇଛି ।

ଓଡିଶାର ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ରାଜ୍ୟର ୧୩ ଜିଲାକୁ ୩୦ ଜିଲାରେ ପରିଣତ କରାଯାଇଥିଲା । ୧୯୯୨ ମସିହା ପବିତ୍ର ଗାନ୍ଧୀ ଜୟନ୍ତୀରେ ନବରଙ୍ଗପୁର ଜିଲାର ଜନ୍ମ ଏଥ୍ୟ ପୂର୍ବରୁ ଅବିଭକ୍ତ କୋରାପୁଟ ଜିଲାର ଏହା ଏକ ସବଡିଭିଜନ ଥିଲା । ଯଦିଓ ୨୫ ବର୍ଷ ତଳେ ଏହା ଜିଲା ରୂପେ ଆମ୍ ପ୍ରକାଶ କଲା ତଥାପି ଏ ଅଞ୍ଚଳର ଇତିହାସ ମହାନ୍ । ଉମରକୋଟ ନିକଟସ୍ଥ ପୋଡାଗଡରୁ ଅନୁମାନ କରାଯାଏ ଯେ, ପଞ୍ଚମ ଶତାବ୍ଦୀରେ ଏ ଅଞ୍ଚଳରେ ନଳବଂଶୀୟ ରାଜାମାନେ ଶାସନ କରୁଥିଲେ । ଇଂରେଜମାନେ ଭାରତ ଅଧିକାର  ପରେ ନବରଙ୍ଗପୁର ଅଞ୍ଚଳ ମଧ୍ୟ ଏଥିରୁ ବାଦ ପଡି ନ ଥିଲା । କିନ୍ତୁ ନବରଙ୍ଗପୁର ଆଦିବାସୀ ବହୁଳ ଅଞ୍ଚଳ ହୋଇଥିଲେ ମଧ୍ୟ ଆଇନ ଅମାନ୍ୟ ଆନ୍ଦୋଳନ ଓ ଭାରତ ଛାଡ ଆନ୍ଦୋଳନରେ ବହୁ ବ୍ୟକ୍ତି ଯୋଗ ଦେଇଥିଲେ ।

ଭାରତ ଛାଡ  ଆନ୍ଦୋଳନ ବେଳେ ୧୯୪୨ ଅଗଷ୍ଟ ୨୪ ତାରିଖରେ ପାପଡାହାଣ୍ଡିସ୍ଥିତ ଟୁରୀ ନଦୀ କୂଳରେ ଇଂରେଜଙ୍କ ଗୁଳିମାଡରେ ୧୯ ସଂଗ୍ରାମୀ ଶହୀଦ ହୋଇଥିଲେ । ଡ. ସଦାଶିବ ତ୍ରିପାଠୀ(ପୂର୍ବତନ ମୁଖ୍ୟମନ୍ତ୍ରୀ) ମହମ୍ମଦ ବାଜୀ, ଜଗନ୍ନାଥ ତ୍ରିପାଠୀ, ଆନ୍ନାଜୀ ରାଓ, ଲକ୍ଷ୍ମୀ ଚନ୍ଦ୍ର ଦାଶ, ସନୁ ମାଝା, ବଗା ପୂଜାରୀ, ରବିସିଂ ମାଝାଙ୍କ ସହ ଅନେକ ସଂଗ୍ରାମୀ ସ୍ଵାଧୀନତା ଆନ୍ଦୋଳନରେ ନିଜକୁ ଝାସ ଦେଇଥିଲେ । ଭାରତ ସ୍ଵାଧୀନତା ପରେ ଡ. ସଦାଶିବ ତ୍ରିପାଠୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ମଣ୍ଡନ କରିଥିଲେ। ଠିକ ସେହିପରି ଖଗପତି ପ୍ରଧାନୀ କ୍ରମାଗତ ଭାବେ ୯ଥର ଲୋକ ସଭାକୁ ପ୍ରତିନିଧିତ୍ଵ କରି ଏକ ରେକର୍ଡ ସୃଷ୍ଟି କରିଛନ୍ତି ।

ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ମଧ୍ୟ ନବରଙ୍ଗପୁର ଜିଲ୍ଲାର ଅବଦାନ କମ ନୁହେଁ । ନବରଙ୍ଗପୁରର ଶ୍ରୀରାମ ପଣ୍ଡା, ମୁନ୍ନାଖାଁ ଓଡିଆ ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ଵ ପ୍ରତିଭାବାନ ବ୍ୟକ୍ତି ଭାବେ ସ୍ଵର୍ଗତ ରାଧାକୃଷ୍ଣ ପାତ୍ର ସିକିମ୍ ହାଇକୋର୍ଟ ଏବଂ ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ ତୁଲାଇଛନ୍ତି । ସେହିଭଳି ସୁଶିଲ କୁମାର ପାଳ ମଧ୍ୟପ୍ରଦେଶ ହାଇକୋର୍ଟରେ ଜଷ୍ଟିସ ରହିଛନ୍ତି । ଜିଲାରୁ ଅରୁଣ କୁମାର ମିଶ୍ର ଆଇଏଏସ ହୋଇଛନ୍ତି । ମଞ୍ଜୁ ଘୋଷ ତ୍ରିପାଠୀ କାଳୀଦାସଙ୍କ କାବ୍ୟ, ତ୍ରିପୁରାରୀ ତ୍ରିପାଠୀ କାଳିଦାସଙ୍କ ମେଘଦୂତର କାବ୍ୟାନୁବାଦ କରିଥିଲେ । ନବରଙ୍ଗପୁର ସାହିତ୍ୟିକ ଭାଗୀରଥ ପାତ୍ର ୩୧୮ ଖଣ୍ଡ କବିତା, ୨୭୭ ପ୍ରବନ୍ଧ, ୪୫ ଗଳ୍ପ ଓ ଏକାଙ୍କିକା, ଭ୍ରମଣ କାହାଣୀ, ୪ଟି ଉପନ୍ୟାସ (ଦୁଇଟି ପ୍ରକାଶିତ) ରଚନା କରି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି । ନବରଙ୍ଗପୁର ଜିଲାରେ ୧୨ ପ୍ରକାର ଆଦିବାସୀ ଯଥା ଭତରା, ପରଜା, ଗଣ୍ଡ, ଗାଦବା, କନ୍ଧ ବସବାସ କରନ୍ତି । ଏହି ଅଞ୍ଚଳର ଆଦିବାସୀ ନୃତ୍ୟ ମନମୁଗ୍ଧକର । କୁଟୀର ଶିଳ୍ପ କ୍ଷେତ୍ରରେ ନବରଙ୍ଗପୁର ଲାଖ ଶିଳ୍ପ ରାଜ୍ୟ ତଥା ରାଜ୍ୟ ବାହାରେ ସୁପରିଚିତ । ଏହା ବ୍ୟତୀତ ମାଟିପାତ୍ର, ଟେରାକୋଟା , ଧାନରୁ ତିଆରି ମୂର୍ତ୍ତି କାରୁ କାର୍ଯ୍ୟ ପାଇଁ ଜିଲା ପ୍ରସିଦ୍ଧ ।

ପାନୀୟ ଜଳ

ପାନୀୟ ଜଳ ନବରଙ୍ଗପୁର ପୌରାଞ୍ଚଳରେ ୫ଟି ପାଣି ଟାଙ୍କି ରହିଛି । ୩ଟି ଅଣ୍ଡରଗ୍ରାଉଣ୍ଡ ରିଜର୍ଭୟର (ୟୁଜିଆର) ରହିଛି । ସେଥିମଧ୍ୟରୁ ୨ଟିରେ ୫୦ ହଜାର ଲିଟର ଓ ଗୋଟିଏରେ ଏକ ଲକ୍ଷ ୮ ହଜାର ଲିଟର ଜଳ ଧାରଣ କ୍ଷମତା ରହିଛି । ଓଭର ହେଡ ଟାଙ୍କି ୨ଟି ରହିଛି । ଏହି ଦୁଇଟି ଟାଙ୍କିରେ ୨ ଲକ୍ଷ ୨୭ ହଜାର ଲିଟର ଲେଖାଏଁ ପାଣି ରହୁଛି । ଯାହାକି ସହରବାସୀଙ୍କୁ ପାଣି ଯୋଗାଇବା ଆବଶ୍ୟକତା ପୂରଣ କରୁଛି । ଆସନ୍ତା ୨୦୫୦ ବର୍ଷକୁ ଦୃଷ୍ଟିରେ ରଖି ନୂତନ ପ୍ରକଳ୍ପ ଆରମ୍ଭ ହେବ । ଏନେଇ ୧୩ କୋଟି ବ୍ୟୟରେ ୱାଟର ଟ୍ରିଟମେଣ୍ଟ ପ୍ରାଣ୍ଟ ଓ ନୂତନ ପାଇପ ବିଛାଯିବ । ଟେଣ୍ଡର ହୋଇସାରିଛି । ୨୧୯ଟି ନଳକୂପ ରହିଛି ।

ସିନେମା ହଲ

ନବରଙ୍ଗପୁର ପୌରାଞ୍ଚଳର କେଉଟ ସାହି ନିକଟରେ ଲକ୍ଷ୍ମୀ ସିନେମା ହଲ ରହିଛି । ତାହା ମଧ୍ୟ ଅତି ପୁରୁଣା । ଜରାଜୀର୍ଣ୍ଣ ହୋଇ ପଡ଼ିଲାଣି । ଆଧୁନିକ ସ୍ପର୍ଶରେ ଘରେ ଘରେ ଟିଭି, ମୋବାଇଲ ଯୋଗୁ ସିନେମା ବ୍ୟବସାୟକୁ କମାଇବାରେ ଲାଗିଛି । ବହୁ କମ ବ୍ୟବସାୟ ହେଉଛି ।

କଲ୍ୟାଣ ମଣ୍ଡପ ଓ ପାର୍କ

ନବରଙ୍ଗପୁର ପୌରାଞ୍ଚଳରେ ଆଶୀର୍ବାଦ ଓ ପୁଷ୍ପାଞ୍ଜଳୀ କଲ୍ୟାଣ ମଣ୍ଡପ ରହିଛି । ଘରୋଇ କଲ୍ୟାଣ ମଣ୍ଡପ ଭାବେ ସୌରାସାହି କଲ୍ୟାଣ ମଣ୍ଡପ, ସାଇ କଲ୍ୟାଣ ମଣ୍ଡପ, ବୈଭବ କଲ୍ୟାଣ ମଣ୍ଡପ ରହିଛି । ଏହା ବ୍ୟତୀତ ୧୫ ନମ୍ବର ୱାର୍ଡରେ ପୌର ସଂସ୍ଥା ପକ୍ଷରୁ ଏକ ନୂତନ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଚାଲିଛି ।

ପାର୍କ

ନବରଙ୍ଗପୁର ବସଷ୍ଟାଣ୍ଡ ନିକଟରେ ଅତି ପୁରୁଣା ପାର୍କ ରହିଛି । ଆମୋଦ ପ୍ରମୋଦ ପାଇଁ ନବରଙ୍ଗପୁର ଉପଖଣ୍ଡ ତଥା ଜାତୀୟ ରାଜପଥର ଦୁଇ କଡରେ ଲାଗି ରହିଛି ୩୦ ଏକର ବିଶିଷ୍ଟ ଶ୍ରୀ ବନ ଓ ୨୩ ଏକର ବିଶିଷ୍ଟ ପଞ୍ଚବଟୀ ବନ । ବିଭିନ୍ନ ଔଷଧୀୟ ବୃକ୍ଷ ଲତା ସହ ପିଲାଙ୍କ ପାଇଁ ଖେଳିବା ବ୍ୟବସ୍ଥା ମଧ୍ୟ ରହିଛି । ଶ୍ରୀବନରୁ ୪୮ ହଜାର ୫୫୦ ଟଙ୍କା ରାଜସ୍ବ ମିଳିଥିବା ବେଳେ ପଞ୍ଚବଟୀ ବନରୁ ୨ ଲକ୍ଷ ୬୬ ହଜାର ୮୭୦ ଟଙ୍କା ରାଜସ୍ଵ ଆଦାୟ ହୋଇଛି । ୩୧ ହଜାର ୫୩୭ ଜଣ ପାର୍କକୁ ଆସିଥିବା ଜଣାପଡିଛି।

ଜଳାଶୟ

ପୌରାଞ୍ଚଳ ଅଧୀନରେ ପ୍ରତାପ ସାଗର, ଗୋରାମୁଣ୍ଡା, ନୂଆବନ୍ଧ ପୋଖରୀ ରହିଛି । ଏହି ତିନୋଟି ପୋଖରୀ ସମ୍ପୂର୍ଣ୍ଣ ଭାବେ ଦଳମୁକ୍ତ କରାଯାଇ ଆବର୍ଜନା ସଫେଇ କରାଯାଇଛି । ଏହା ଲୋକଙ୍କ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରେ ସହାୟକ ହୋଇଛି ।

ଯୁବକ ସଂଘ

ନବରଙ୍ଗପୁର ପୌରାଞ୍ଚଳରେ ୧୧ଟି ଯୁବକ ସଂଘ ରହିଛି । ସଂଘ ଗୁଡିକ ପକ୍ଷରୁ ରକ୍ତ ଦାନ, ବୃକ୍ଷ ରୋପଣ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଛି ।

ଜାତୀୟ ରାଜପଥ ଓ ସହରାଞ୍ଚଳ ରାସ୍ତାଘାଟ

କୋରାପୁଟ ଜିଲା ବୋରିଗୁମ୍ମାରୁ ୨୬ ନମ୍ବର ଜାତୀୟ ପଥ ବାହାରି ବରଗଡ଼କୁ ସଂଯୋଗ କରିଛି । ନବରଙ୍ଗପୁର ସହର ମଧ୍ୟ ଭାଗ ଦେଇ ୨୬ ନମ୍ବର ଜାତୀୟ ରାଜପଥ ରହିଛି । ସହରର ରାସ୍ତାକଡରେ ୫୪ଟି ସାହି ଗଳି ଜାତୀୟ ରାଜପଥକୁ ସଂଯୋଗ କରୁଛି । ଟ୍ରାଫିକ ସମସ୍ୟାକୁ ରୋକିବା ପାଇଁ ବାଇପାସ ରାସ୍ତାର ବ୍ୟବସ୍ଥା ଗ୍ରହଣ କରାଯାଉଛି ।

ସହରାଞ୍ଚଳ ରାସ୍ତାଘାଟ

ପୌରାଞ୍ଚଳରେ ପିଚୁ ରାସ୍ତା ୧୧୭୦ ମିଟର ରହିଛି । ସିମେଣ୍ଟ କଂକ୍ରିଟ ରାସ୍ତା ୩୭,୮୫୫ ମିଟର, ମେଟାଲ ରାସ୍ତା ୧୧,୭୪୦ ମିଟର, ମୋରମ ରାସ୍ତା ୫୭,୦୯୦ ମିଟର ରହିଛି । ମୋଟ ୧,୧୭,୩୮୫ ମିଟର ରାସ୍ତା ରହିଛି ।

ଜନସଂଖ୍ୟା

ନବରଙ୍ଗପୁର ପୌରାଞ୍ଚଳ ୧୭ଟି ୱାର୍ଡକୁ ନେଇ ଗଠିତ । ୨୦୧୧ ଜନଗଣନା ଅନୁଯାୟୀ ପୌରାଞ୍ଚଳରେ ଜନସଂଖ୍ୟା ୩୦ ହଜାର ୪୧ ରହିଛି । ସେଥିମଧ୍ୟରୁ ମହିଳା ୧୫ ହଜାର ୪୯, ପୁରୁଷ ୧୪ ହଜାର ୯୮୮ ଓ ଅନ୍ୟାନ୍ୟ ୪ ଜଣ ରହିଛନ୍ତି । ୭ ହଜାର ୧୨୫ଟି ଘର ରହିଛି । ୧୨୬ଟି ହସ୍ତଶିଳ୍ପ ରହିଛି ।

୨୧୬ ବର୍ଷ ଏକାକି ରହିଲେ  ଜଗନ୍ନାଥ

ଜନଶ୍ରୁତି, କିମ୍ବଦନ୍ତୀ ଓ ଇତିହାସ ଅନୁଯାୟୀ ନବରଙ୍ଗପୁର ଜଗନ୍ନାଥ ସଂସ୍କୃତି ବେଶ୍ ବୈଚିତ୍ରୀମୟ । ରାଜା ବିଶୟର ଦେଓଙ୍କ ରାଜତ୍ଵ କାଳରେ ଏକ ଟାଇଲ ଛପର ଘରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇଥିଲା । ପୂର୍ବରୁ ପୂଜା ପାଉଥିବା ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରାଙ୍କୁ ମନ୍ଦିରରେ ସ୍ଥାପନ କରାଯାଇଥିଲା । ୧୭୦୦ ବେଳକୁ ଜୟପୁର ରାଜା ଓ ବସ୍ତର ରାଜାଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । କଥିତ ଅଛି ଯେ, ବସ୍ତର ସୈନ୍ୟ ଜଗନ୍ନାଥ ମନ୍ଦିରରୁ ତିନି ଠାକୁରକୁ ହାତୀ ପିଠିରେ ଲଦି ନେଇ ଯାଉଥିଲେ । ବାଟରେ ହାତୀର ଅଣ୍ଟା ଭାଙ୍ଗିଗଲା । ସୈନ୍ୟମାନେ ବଳଭଦ୍ର ଓ ସୁଭଦ୍ରାଙ୍କୁ ଜଗଦଲପୁର ନେଇଯାଇଥିଲେ । ମାତ୍ର ଜଗନ୍ନାଥଙ୍କୁ ନେଇ ନ ପାରି ଏକ କଣ୍ଟାବୁଦା ମୂଳରେ ଲୁଚାଇ ରଖିଥିଲେ ।

ଜୟପୁର ରାଜାଙ୍କ ଘରକୁ  ଦହି ଛେନା ଦେବାକୁ ଆସୁଥିବା ଜଣେ ବ୍ୟକ୍ତି ଏହା ଦେଖି ଜିଲାର ରାଜାଙ୍କୁ ଜଣାଇଥିଲେ। ଏହା ପରେ ରାଜା ମୂର୍ତ୍ତିକୁ ଆଣି ପ୍ରତିଷ୍ଠା କରିଥିଲେ ୧୯୨୦ରେ ଜୟପୁର ମହାରାଜା । ବିକ୍ରମଦେବ – ୨ୟ ଉକ୍ତ ମନ୍ଦିରର ଟାଇଲ ଉଠାଇ ଟିଣ ଛପର କରିଥିଲେ । ମଞ୍ଜୁଷାର ମହାରଣାମାନେ ମନ୍ଦିରରେ କାଷ୍ଠ କାରୁକାର୍ଯ୍ୟ ନିର୍ମାଣ କରିଥିଲେ। ମନ୍ଦିରରୁ ମୂର୍ତ୍ତି ଚୋରି ହେବା ପରେ ୨୧୬ ବର୍ଷ ପର୍ଯ୍ୟନ୍ତ ପ୍ରଭୁ ଜଗନ୍ନାଥ ଏକାକି ପୂଜା ପାଇଆସୁଥିଲେ। ୧୯୮୭ରେ ତିନି ଦାରୁ ବିଗ୍ରହ ନିର୍ମାଣ କରି ମନ୍ଦିରରେ ସ୍ଥାପନ କରାଯାଇଥିଲା । ପରବର୍ତ୍ତୀ ସମୟରେ ଟିଣ ଛପର ମନ୍ଦିର ଭାଙ୍ଗି ପକ୍କା ମନ୍ଦିର ନିର୍ମାଣ କରାଯାଇଛି। ପୂର୍ବରୁ ୮ଚକ ବିଶିଷ୍ଟ ରଥ ନିର୍ମାଣ ହୋଇ ଘୋଷ ଯାତ୍ରା ହେଉଥିଲା । ଏବେ ୧୨ଚକ ଥାଇ ରଥ ନିର୍ମାଣ ହେଉଛି ।

ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାରଘରଣୀ

ପ୍ରଥମ ତାଲୁକ ଜଗନ୍ନାଥପୁରଠାରେ ନବରଙ୍ଗପୁର ମହାରାଜା ରହୁଥିଲେ । ଜନଶ୍ରୁତି ଅନୁଯାୟୀ ଏହି ସମୟରେ ମା’ ବନଦୁର୍ଗା ରାଜାଙ୍କ ଭଣ୍ଡାର ଘରେ ଆସି ରହିଥିଲେ। ରାଜା ଏହା ଜାଣିବା ପରେ ମା’ଙ୍କୁ ପୂଜାର୍ଚ୍ଚନା କରିଥିଲେ। ରାଜାଙ୍କ ଭଣ୍ଡାର ଘରେ ମା’ ବନଦୁର୍ଗା ଥିବାରୁ ପରବର୍ତ୍ତୀ ସମୟରେ ଅଧ୍ୟଷ୍ଠାତ୍ରୀ ଦେବୀ ମା’ ଭଣ୍ଡାରଘରଣୀ ଭାବେ ପରିଚିତ ହୋଇ ପୂଜା ପାଇଥିଲେ । ରାଜା ଚୈତନ୍ୟଦେବ ନବରଙ୍ଗପୁର ଆସି ଏଠାରେ ନିଜର ରାଜବାଟୀ କରି ଅବସ୍ଥାପିତ ହୋଇଥିଲେ । ଭଣ୍ଡାର ଘରେ ପୂଜା ପାଉଥିବା ଭଣ୍ଡାର ଘରଣୀଙ୍କୁ ଏକ ଟିଣ ଛପର ମନ୍ଦିର ନିର୍ମାଣ କରି ସାର୍ବଜନୀନ କରିଥିଲେ ।

କେଉଟ ସମ୍ପ୍ରଦାୟ ପାରମ୍ପରିକ ଭାବେ ମା'ଙ୍କ ପୂଜାର୍ଚ୍ଚନା କରି ଆସୁଛନ୍ତି । ଚୈତ୍ର ଓ ଆଶ୍ୱିନ ମାସ ନବରାତ୍ରୀରେ ବ୍ରାହ୍ମଣମାନେ ପୂଜା କରିଥାନ୍ତି । ସେହି ସମୟରୁ ହିଁ ରାଜା ଏହି ବ୍ରାହ୍ମଣ ପୂଜା ନୀତି ଖଞ୍ଜିଛନ୍ତି । ରାଜପୁରୋହିତ ନରସିଂହ ତ୍ରିପାଠୀ ନବରାତ୍ରୀରେ ଦେବୀତନ୍ତ୍ର ପୂଜା କରି ଆସୁଛନ୍ତି ।

ନବରାତ୍ର ପୂଜା ପୂର୍ବଦିନ ରାଜାଙ୍କ ଘରୁ ଖଣ୍ଡା ଓ ଆଜ୍ଞାମାଳ ଅଣାଯାଇ ଥାଏ । ଭଣ୍ଡାରଘରଣୀ ମନ୍ଦିର ଠିକ ସମ୍ମୁଖରେ ବର୍ତ୍ତମାନର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସେହି ସମୟରେ ରାଜାଙ୍କ କଚେରି ରହିଥିଲା । ସେ ଯାହାବି ନିଷ୍ପତ୍ତି ନେଉଥିଲେ ତା’ ପୂର୍ବରୁ ମା’ ଭଣ୍ଡାର ଘରଣୀଙ୍କୁ ସ୍ମରଣ କରି ନେଉଥିବା ଜନଶ୍ରୁତି କହେ ।

କେଳିଆ ଶୈବପୀଠ

ନବରଙ୍ଗପୁର ସଦର ମହକୁମାରୁ ୩୦ କିମି ଦୂରରେ ଡାବୁଗାଁ । ସେଠାରୁ ୧୩ କିମି ଦୂରରେ ରହିଛି କେଳିଆ ଶୈବପୀଠ। ପାହାଡ ଓ ଔଷୟ ବୃକ୍ଷ ମଧ୍ୟରେ ଏହା ରହିଛି । ନିକଟରେ ଥିବା ୱାଚ ଟାୱାର ପର୍ଯ୍ୟଟକଙ୍କୁ ଆକର୍ଷିତ କରାଇଥାଏ । ମନ୍ଦିର ପାହାଡର ଡାହାଣ କଡ ନିମ୍ନ ଭାଗରେ ପାର୍ବତୀଙ୍କ ଗୁମ୍ଫା ରହିଛି । ଏହି ଗୁମ୍ପାରେ ରହିଛି ଶିବ ଲିଙ୍ଗ । ଅନବରତ ପାଣି ଝରି ଲିଙ୍ଗ କଡଦେଇ ପ୍ରବାହିତ ହେଉଛି।

ଇନ୍ଦ୍ରାବତୀ ନଦୀ

ନବରଙ୍ଗପୁର ପୌରାଞ୍ଚଳର ଉପଖଣ୍ଡକୁ ଲାଗି ରହିଛି ଚିରସ୍ରୋତା ଇନ୍ଦ୍ରାବତୀ ନଦୀ । ଏହା ଦିନେ ନବରଙ୍ଗପୁର ଜିଲାର ନଦୀ କୂଳିଆ ଅଞ୍ଚଳବାସୀ ଆଶାଜନକ ଅର୍ଥକରୀ ଫସଲ ପାଇଁ ସହାୟକ ହେଉଥିଲା । ଇନ୍ଦ୍ରାବତୀ ନଦୀ ବନ୍ଧ ଯୋଜନା ପରେ ଜଳ ସ୍ତର କମିବା ଓ ବର୍ଷା ଦିନ ପରେ ଶୁଖା ପଡ଼ିବା ପରେ ଅନେକ ଫସଲ ଏବେ ଆଉ ଦେଖିବାକୁ ମିଳୁନାହିଁ । ଇନ୍ଦ୍ରାବତୀ ନଦୀ କୋରାପୁଟ ଓ ନବରଙ୍ଗପୁର ଜିଲାର ସୀମା ଭାବେ କାର୍ଯ୍ୟ କରି ଆସୁଛି । ଏହି ନଦୀ ଉପରେ ରହିଥିବା  ପୋଲ ପଶ୍ଚିମ ଓଡ଼ିଶା ଓ ଛତିଶଗଡକୁ ସଂଯୋଗର ଏକ ମାଧ୍ୟମ । ଏବେ ଏହି ପୋଲର ସୁରକ୍ଷା ଆବଶ୍ୟକ ରହିଛି ।

ବିଦ୍ୟାଳୟ

ନବରଙ୍ଗପୁର ପୌରାଞ୍ଚଳରେ ହାଇସ୍କୁଲ ରହିଛି । ରାଜା ଚୈତନ୍ୟଦେବ ଉଚ୍ଚ ବାଳକ ବିଦ୍ୟାଳୟ, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ, ମ୍ୟୁନିସିପାଲିଟି ହାଇସ୍କୁଲ, ଜେଇଏଲସି ହାଇସ୍କୁଲ । ଏହା ବ୍ୟତୀତ ୨୪ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି । କେନ୍ଦ୍ରୀୟ ବିଦ୍ୟାଳୟ ସମେତ ୧୬ଟି ଇଂଲିଶ ମିଡିୟମ ବିଦ୍ୟାଳୟ, ଶିଶୁ ମନ୍ଦିର, ସରସ୍ୱତୀ ଜ୍ଞାନ ମନ୍ଦିର, ସ୍ଵାମୀ ବିବେକାନନ୍ଦ ସ୍କୁଲ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ଗୋଟିଏ କସ୍ତୁରବା ଗାନ୍ଧୀ ବିଦ୍ୟାଳୟ, ମାନସିକ ଦିବ୍ୟାଙ୍ଗଙ୍କୁ ଶିକ୍ଷା ବ୍ୟବସ୍ଥା ନେଇ ରେଡକ୍ରସ ପକ୍ଷରୁ ଆଶା କିରଣ ଅନୁଷ୍ଠାନ ରହିଛି ।

ମହାବିଦ୍ୟାଳୟ

ନବରଙ୍ଗପୁର ମହାବିଦ୍ୟାଳୟ ୧୯୪୧ରେ ସ୍ଥାପିତ । ତେବେ ଏହା ପୌରାଞ୍ଚଳକୁ ଲାଗି ନନ୍ଦାହାଣ୍ଡି ବ୍ଲକ ପରିସରରେ ରହିଛି । ଜିଲ୍ଲାରେ ଗୋଟିଏ ମଧ୍ୟ ମହାବିଦ୍ୟାଳୟ ସରକାରୀ ମାନ୍ୟତା ପାଇ ନାହିଁ । ମଡେଲ ଡିଗ୍ରୀ କଲେଜ ଓ ପଲିଟେକନିକ କଲେଜ ରହିଛି । ତେବେ ଏହା ସହର ଠାରୁ ୭ କି.ମି ଦୂରରେ ଅବସ୍ଥିତ । ଏହା ବ୍ୟତୀତ ନବରଙ୍ଗପୁର ମହିଳା ମହାବିଦ୍ୟାଳୟ ରହିଛି । ସହରରେ ୬ଟି ଯୁକ୍ତ ଦୁଇ ଘରୋଇ ମହାବିଦ୍ୟାଳୟ ରହିଛି ।

ନବରଙ୍ଗପୁର ମହାବିଦ୍ୟାଳୟ

ମୋଟ ଛାତ୍ରୀଛାତ୍ରଙ୍କ ସଂଖ୍ୟା

ଯୁକ୍ତ ୨ କଳା, ବାଣିଜ୍ୟ ଓ ବିଜ୍ଞାନ

୧୫୧୬

ଯୁକ୍ତ ୩ କଳା, ବାଣିଜ୍ୟ ଓ ବିଜ୍ଞାନ

୧୭୦୧

ନବରଙ୍ଗପୁର ମହିଳା ମହାବିଦ୍ୟାଳୟ

ମୋଟି ଛାତ୍ରୀଙ୍କ ସଂଖ୍ୟା

ଯୁକ୍ତ ୨ କଳା

୬୨୦

ଯୁକ୍ତ ୩ କଳା

୬୫୫

 

ଫୋନ ନମ୍ବର

ଜିଲାପାଳଙ୍କ ସିୟୁଜି ମୋବାଇଲ ନମ୍ବର

୯୫୫୬୫୬୮୪୩୫

ଏସପିଙ୍କ ସିୟଜି ମୋବାଇଲ ନମ୍ବର

୮୭୬୩୩୪୮୧୦୦

 

ଡାକ୍ତରଖାନା

ପୌରାଞ୍ଚଳ ମଧ୍ୟରେ ଘରୋଇ ଖ୍ରୀଷ୍ଟିଆନ ହସ୍ପିଟାଲ ୧୯୯୩ ମସିହାରୁ ରୋଗୀ ସେବା ଯୋଗାଇ ଆସୁଛି । ସହରର ୩ କିମି ଦୂରରେ ଜିଲ୍ଲା ସଦର ମହକୁମା ଡାକ୍ତରଖାନା ନନ୍ଦାହାଣ୍ଡି ବ୍ଲକ ଅଞ୍ଚଳ ମଧ୍ୟରେ ୨୦୦୪ରୁ କାର୍ଯ୍ୟକାରୀ ହୋଇ ଆସୁଛି ।

ଟେଲି ମେଡ଼ିସିନ

ଟେଲି ମେଡ଼ିସିନ ମାଧ୍ୟମରେ ରୋଗୀ ଓ ଡାକ୍ତର ମେଡିକାଲ କଲେଜର ବିଶେଷଜ୍ଞଙ୍କ ସହ ସିଧାସଳଖ କଥାବାର୍ତ୍ତା ହୋଇ ଚିକିତ୍ସା ବ୍ୟବସ୍ଥା କରିଥାନ୍ତି ।

କର୍କଟ ରୋଗୀଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା

କର୍କଟ ରୋଗ ନିରାକରଣ ପାଇଁ ଏସିଆନ ଇନଷ୍ଟିଚ୍ୟୁଟ ଅଫ କ୍ୟାନସର(ବମ୍ବେ)ର ସିନିୟର ପ୍ରଫେସର ଦିନେଶ ପେନ୍ଧାରକର ଆସି ଏଠାରେ ରୋଗୀଙ୍କୁ ଦେଖିବା ସହ ପରାମର୍ଶ ଦେଇଥାନ୍ତି । ତାଲିମପ୍ରାପ୍ତ ଦୁଇ ଜଣ ଡାକ୍ତର କେମୋଥେରାପି ଦାୟିତ୍ଵରେ ରହିଛନ୍ତି ।

ଥାନା

ନବରଙ୍ଗପୁର ସହରରେ ଗୋଟିଏ ରହିଛି । ଥାନା ଅଧିକାରୀଙ୍କ ବଦଳି ପରେ ପାପଡ଼ାହାଣ୍ଡି ଥାନା ଅଧିକାରୀ ରଶ୍ମି ରଞ୍ଜନ ପ୍ରଧାନ ଭାରପ୍ରାପ୍ତ ଦାୟିତ୍ଵରେ ରହିଛନ୍ତି । ଥାନା ଟେଲିଫୋନ ନମ୍ବର ୦୬୮୫୮-୨୨୨୨୪୪ / ଥାନା ଅଧିକାରୀଙ୍କ ସିୟୁଜ ନମ୍ବର ୮୪୫୮୦୦୦୩୧୧।

ଶ୍ମଶାନ

ନବରଙ୍ଗପୁର ସହର ମଧ୍ୟରେ ୫ ଶ୍ମଶାନ ଥାନା ରହିଛି । ହିନ୍ଦୁ, ମୁସଲିମ ଓ ଖ୍ରୀଷ୍ଟୀୟାନ ସମ୍ପ୍ରଦାୟର ଭିନ୍ନ ଭିନ୍ନ ଶ୍ମଶାନ ରହିଛି । ଛତ୍ରବଟ ଶ୍ମଶାନ ଅତି ପୁରୁଣା ଶ୍ମଶାନ । ଏହା ବ୍ୟତୀତ  ଇନ୍ଦ୍ରାବତୀ ନଦୀ ତଟରେ ଏକ ଶ୍ମଶାନ ରହିଛି। ନରସିଂହ ତ୍ରିପାଠୀଙ୍କ ଉଦ୍ୟମ କ୍ରମେ ବିଭିନ୍ନ ବୃକ୍ଷଲତା ଓ ଫୁଲଗଛ ମଧ୍ୟ ଉକ୍ତ ଶ୍ମଶାନରେ ଦେଖିବାକୁ ମିଳେ ।

ସଂଗୃହିତ -

  • ସଦାଶିବ ପ୍ରହରାଜ
  • ଡକ୍ଟର ବିଜୟ କୁମାର ମିଶ୍ର, ପ୍ରାଧାପକ (ରାଜନୀତି ବିଜ୍ଞାନ), ନବରଙ୍ଗପୁର ମହାବିଦ୍ୟାଳୟ
2.91666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top