ହୋମ / ସମାଜ କଲ୍ୟାଣ / ଜିଲ୍ଲା ଡାଇରି / ପ୍ରାକୃତିକ ସୌନ୍ଦର୍ଯ୍ୟରେ ପୂର୍ଣ୍ଣ ବାଲେଶ୍ଵର
ସେଆର କରନ୍ତୁ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ପୂର୍ଣ୍ଣ ବାଲେଶ୍ଵର

ପ୍ରାକୃତିକ ସୌନ୍ଦର୍ଯ୍ୟରେ ପୂର୍ଣ୍ଣ ବାଲେଶ୍ଵର ସମ୍ବନ୍ଧରେ ସୂଚନା ।

ପ୍ରାକୃତିକ ସୌନ୍ଦର୍ଯ୍ୟର ଏକ ନୈସର୍ଗିକ ଉପଲବ୍ଧ ବାଲେଶ୍ଵର । ପର୍ଯ୍ୟଟକଙ୍କ ପାଇଁ ପ୍ରକୃତି ଏଠି ସଜାଇ ରଖିଛି ଅନେକ କିଛି । ବିସ୍ତୀର୍ଣ୍ଣ ଝାଉଁବଣର ପାଦ ଛୁଇଁ ସମୁଦ୍ର ଡାକୁଛି ହାତଠାରି । ରଙ୍ଗର ଅବିରରେ ବେଳାଭୂମିକୁ ସଜେଇ ପ୍ରକୃତିପ୍ରେମୀଙ୍କୁ ଅପେକ୍ଷା କରିଛନ୍ତି କୁନି କୁନି ନାଲି କଙ୍କଡା଼ । କୁଲଡ଼ିହା ଅଭୟାରଣ୍ୟରୁ ଭାସି ଆସୁଥିବା ପକ୍ଷୀଙ୍କ କଳରବ ସ୍ଵାଗତ କରୁଛି ପର୍ଯ୍ୟଟକଙ୍କୁ  । ଚନ୍ଦନେଶ୍ଵର, ପଞ୍ଚଲିଙ୍ଗେଶ୍ଵର ପରି ଆଧ୍ୟାତ୍ମିକ ପୀଠର ମନ୍ତ୍ରଧ୍ଵନି ପାବନ କରୁଛି ଏହାର ପରିବେଶକୁ ।

ଇମାମୀ ଜଗନ୍ନାଥ ମନ୍ଦିର

ବାଲେଶ୍ଵର ଠାରୁ ମାତ୍ର ୭ କିମି ଦୂର ଇମମୀ ନଗର ଠାରେ ନୂତନ ଭାବେ ନିର୍ମିତ ହୋଇଛି ଶ୍ରୀ ଜଗନ୍ନାଥ ମନ୍ଦିର ଯାହା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

୨୦୧୫ରେ ଇମାମୀ କାଗଜକଳ ପକ୍ଷରୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟମନ୍ଦିର  ଢାଞ୍ଚରେ ନାଲି ପଥରରେ ନିର୍ମାଣ କରାଯାଇଛି ମନ୍ଦିର । ମନ୍ଦିର ପାର୍ଶ୍ଵରେ ବିଭିନ୍ନ ଦେବଦେବୀଙ୍କ ମନ୍ଦିର ରହିଛି । ଏଠାରେ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ସମସ୍ତ ରୀତିନୀତି ପାଳନ କରାଯାଏ । ପ୍ରତିଦିନ ଏଠାକୁ ବହୁ ପର୍ଯ୍ୟଟକ ଆସୁଥିବା ବେଳେ ରଥଯାତ୍ରା ଓ ମନ୍ଦିରର ବାର୍ଷିକ ପ୍ରତିଷ୍ଠା ଦିବସରେ ପ୍ରବଳ ଜନସାମାଗମ ହୋଇଥାଏ ।

କ୍ଷୀରଚୋରା ଓ ପଞ୍ଚତୀର୍ଥ

ପ୍ରସିଦ୍ଧ ବୈଷ୍ଣବ ପୀଠ ତଥା ରେମୁଣାର ଗୁପ୍ତ ବୃନ୍ଦାବନ ଭାବେ ପରିଚିତ ଶ୍ରୀ ଶ୍ରୀ କ୍ଷୀରଚୋରା ଗୋପୀନାଥ ଏବଂ ନିକଟସ୍ଥ ଅନ୍ୟ ପ୍ରସିଦ୍ଧ ୪ଟି ସ୍ଥାନ ପଞ୍ଚତୀର୍ଥ ଭାବେ ପରିଚିତ । ଏ ସମସ୍ତ ସ୍ଥାନକୁ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ଜନଶ୍ରୁତି ରହିଛି। କ୍ଷୀରଚୋରା ମନ୍ଦିର ବାଲେଶ୍ୱର ରେଳ ଷ୍ଟେସନଠାରୁ ୮ ଏବଂ ବସଷ୍ଟାଣ୍ଡଠାରୁ ପ୍ରାୟ ୭କିମି ଦୂର । ମନ୍ଦିରର ଆଖପାଖରେ ରହିଛି ଭକ୍ତ ଶ୍ରେଷ୍ଠ ମାଧବେନ୍ଦ୍ର ପୁରୀଙ୍କ ସମାଧି ପୀଠ, ବନବାସ ସମୟରେ ପ୍ରଭୁ ରାମଚନ୍ଦ୍ର ଅବସ୍ଥାନ କରିଥିବା ଚଣ୍ଡିହାଟ, ରାମଚନ୍ଦ୍ରଙ୍କ ଦ୍ଵାରା ୭ଟି ଶରରେ ସୃଷ୍ଟି କରାଯାଇଥିବା ଜଳ ସ୍ରୋତ, ଯାହା “ସପ୍ତଶରା’ ନଦୀ ନାମରେ ପରିଚିତ । ସେଠାରୁ ମାତ୍ର ଶହେ ମିଟର ଦୂରତାରେ ରହିଛି ଗାର୍ଗୀ ମୁନିଙ୍କ ଦ୍ଵାରା ପ୍ରତିଷ୍ଠିତ ଗାଙ୍ଗେଶ୍ଵର ଶିବ ପୀଠ । ପ୍ରୟ ଦେଢ଼ କିମି ଦୂରରେ ରହିଛି ମା’ ଅଷ୍ଟାଦଶଭୁଜା କନକ ଦୁର୍ଗାଙ୍କ ମନ୍ଦିର । ୧୮ ହାତ ବିଶିଷ୍ଟ ମା’ ଦୁର୍ଗାଙ୍କ ମୂର୍ତ୍ତି ବିରଳ ବେଲି କଥିତ ଅଛି ।

ନୀଳଗିରି

ରାଜ୍ୟ ତଥା ରାଜ୍ୟ ବାହାରୁ ବର୍ଷ ସାରା ପର୍ଯ୍ୟଟକମାନଙ୍କ ସୁଅ ଛୁଟିଥାଏ ନୀଳଗିରିକୁ । ଏଠାରେ ଥିବା ଜଗନ୍ନାଥ ମନ୍ଦିର, ରାଜବାଟୀ, ଭୂଧାର ଚଣ୍ଡୀ ମନ୍ଦିର, ପଞ୍ଚଲିଙ୍ଗେଶ୍ଵର ଶୈବପୀଠ ଓ କୁଲଡ଼ିହା ଅଭୟାରଣ୍ୟ ଆଦି ବୁଲିବାର ମଜା ନିଆରା ।

  • ତୃତୀୟ ଶ୍ରୀକ୍ଷେତ୍ର:
  • ନୀଳଗିରିରେ ଡିସେମ୍ବର ମାସ ଠାରୁ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ଲାଗି ରହିଥାଏ ଗହଳି । ରାଜ୍ୟ ନୁହେଁ, ରାଜ୍ୟ ବାହାରୁ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ଜଗନ୍ନାଥ ମନ୍ଦିରକୁ ପର୍ଯ୍ୟଟକ ବୁଲି ଆସିଥାନ୍ତି । ବାଲେଶ୍ୱର ରେଳ ଷ୍ଟେସନଠାରୁ ୨୦ କିମି ଦୂର ନୀଳଗିରି ସହର ମଧ୍ୟରେ ଅବସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର । ୧୮୦୦ରୁ ୧୮୧୦ ମଧ୍ୟରେ ରାଜା ରାମଚନ୍ଦ୍ର ମର୍ଦରାଜ ହରିଚନ୍ଦନଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିଲା ଏହି ମନ୍ଦିର । ମନ୍ଦିର ବେଢ଼ା ମଧ୍ୟରେ ସିଂହଦ୍ଵାରର ଦକ୍ଷିଣପଟେ କୁଶଳେଶ୍ଵର ମହାଦେବ ଏବଂ ପଶ୍ଚିମ ପଟକୁ ବିମଳା ଦେବୀ ମନ୍ଦିର ରହିଛି । ମନ୍ଦିର ପାଖକୁ ନୀଳଗିରି ରାଜବାଟୀ ଓ ଘଡ଼ିଘର ଥିବା ବେଳେ ଏହା ଭିତରେ ମା’ କନକ ଦୂର୍ଗା ଏବଂ ରାଧାକିଶୋର ମନ୍ଦିର ଅବସ୍ଥିତ ।

  • ପଞ୍ଚଲିଙ୍ଗେଶ୍ୱର ପୀଠ:
  • ଦେବଗିରି ପାହାଡ଼ରେ ରହିଛି ପଞ୍ଚଲିଙ୍ଗେଶ୍ଵର ପୀଠ । ଭୁଜଙ୍ଗ ରାଜବଂଶର ଜୟ ଭୁଜଙ୍ଗ ଦିବ୍ୟସିଂହ ମାନଧାତାଙ୍କ ସମୟରେ ୧୮୮୦ ମସିହାରେ ଏହି ପୀଠ ପ୍ରତିଷ୍ଠା ହୋଇଥିଲା । ଦେବଗିରି ପାହାଡ଼ର ଉଚ୍ଚତା ପ୍ରାୟ ୧୦୦୦ ଫୁଟ ହୋଇଥିବାବେଳେ ବାଲେଶ୍ଵରଠାରୁ ୩୦ କିମି ଏବଂ ନୀଳଗିରିଠାରୁ ବଉଳଗଡ଼ିଆ ରାସ୍ତାରେ ଗଲେ ୧୦ କିମି ଦୂରରେ ପଡ଼େ ଏହି ପୀଠ। ଶୈବପୀଠର ପାଦଦେଶରେ ଝରଣା । ଏହି ଝରଣାର ଜଳସ୍ରୋତ ଭିତରେ ପ ଲିଙ୍ଗ ଥିବାରୁ ଏହି ପୀଠ ପଞ୍ଚଲିଙ୍ଗେଶ୍ୱର ନାମରେ ନାମିତ । ଦେବଗିରି ପର୍ବତ ଶିଖରରେ ଦେବୀ ମଙ୍ଗଳେଶ୍ୱର ଅଛନ୍ତି । ବିଶ୍ଵାସ ରହିଛି, ବର୍ଷା ନହଲେ ଏହି ଦେବୀଙ୍କୁ ପୂଜା କଲେ ବର୍ଷା ହୁଏ। ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଏହି ପର୍ବତମାଳା ପର୍ଯ୍ୟଟକମାନଙ୍କୁ ବର୍ଷସାରା ଆକୃଷ୍ଟ କରିଥାଏ।

  • କୁଲଡ଼ିହା ଅଭୟାରଣ୍ୟ:
  • ନୀଳଗିରି ସଜାନଗଡ଼ ରାସ୍ତାରେ ତେଣ୍ଡା ଗ୍ରାମରୁ ୪ କିମି ଦୂର ଗଲେ ପଡ଼ିବ କୁଲଡ଼ିହା ଅଭୟାରଣ୍ୟ । ୨୭୨.୭୫ ବର୍ଗ କିମି ପରିମିତ ଏହି ଅଞ୍ଚଳ ୧୯୮୪ ଜାନୁଆରୀ ୪ରେ ଅଭୟାରଣ୍ୟ ଘୋଷିତ ହୋଇଥିଲା । ଏଠାରେ ବାଘ, ଭାଲୁ, କୁଟୁରା, ହରିଣ, ଆଦି ବନ୍ୟଜନ୍ତୁ ସହ ମୟୁର, କୋଚିଳାଖାଇ ଇତ୍ୟାଦି ବିଭିନ୍ନ ପକ୍ଷୀ ରହିଛନ୍ତି । ପର୍ଯ୍ୟଟକଙ୍କ ରାତ୍ର ରହଣି ପାଇଁ ଗୋହିଳାବଳ ଅଞ୍ଚଳରେ କୋଟିଏ ଟଙ୍କା ବ୍ୟୟରେ ନେଚର୍ସ କ୍ୟାମ୍ପ ନିର୍ମାଣ କରାଯାଇଛି । ଏଠାରେ ଥିବା ରିଷିଆ ଡାମରେ ବୋଟିଂର ସୁବିଧା ରହିଛି ।

ସ୍ଵର୍ଣ୍ଣ ବେଳାଭୂମି ଚାନ୍ଦିପୁର

ବାଲେଶ୍ୱର ରେଳ ଷ୍ଟେସନଠାରୁ ୧୬ କିମି । ଦୂରରେ ଚାନ୍ଦିପୁରର ବଙ୍ଗୋପସାଗର ସ୍ଵର୍ଣ୍ଣ  ବେଳାଭୂମି । ଏହା ବିଶ୍ଵର ଏକ ବିରଳ ବେଳାଭୂମି। ଯେଉଁଠାରେ ଦିନକୁ ଦୁଇଥର ଭଟ୍ଟା ଆସିଥାଏ । ଭଟ୍ଟା ସମୟରେ ସମୁଦ୍ର  ୫ କିମି ପଛକୁ ଚାଲି ଯାଇଥାଏ । ଫଳରେ ପର୍ଯ୍ୟଟକମାନେ ସମୁଦ୍ର ଭିତରକୁ ଚାଲି ଚାଲି ଯଇପାରିଥାନ୍ତି । ବେଳାଭୂମିର ବିସ୍ତୀର୍ଣ୍ଣ ଝାଉଁ ବଣ ଏହାର ଆଉ ଏକ ଆକର୍ଷଣ ପ୍ରତିବର୍ଷ । ଏଠାରେ ବିଶ୍ଵସ୍ତରୀୟ ସ୍ଵର୍ଣ୍ଣ ବେଳାଭୂମି ମହୋତ୍ସବ  ଅନୁଷ୍ଠିତ ହୋଇଥାଏ । ବେଳାଭୂମି ଠାରୁ ୩ କିମି ଦୂରରେ ରହିଛି ନଉପଳ ଗଡ଼ିର ରାଧାକୃଷ୍ଣ ମନ୍ଦିର । ଏଠାରେ ଆକର୍ଷଣୀୟ ରଧାକୃଷ୍ଣଙ୍କ ମୂର୍ତ୍ତି ମୁକ୍ତି ସାଙ୍ଗକୁ ବୋଟିଂ, ପାର୍କ, ରଙ୍ଗୀନ ମଛି ଏବଂ ଶତଧିକ ଠେକୁଆ ପର୍ଯ୍ୟଟକଙ୍କୁ ମୋହିତ କରିଥାନ୍ତି ।

ସେଠାରୁ ମାତ୍ର ୨ କିମି ଦୂରରେ ରହିଛି ବଳରାମଗଡ଼ି ମୁହାଁଣ । ଏହି ସ୍ଥାନରେ ବୁଢ଼ାବଳଙ୍ଗ ନଦୀ ସମୁଦ୍ରରେ ମିଶିଛି । ଏଠାରୁ ଶହ ଶହ ଟ୍ରଲର ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯାଆନ୍ତି । ଏଥି ସହ ଚାନ୍ଦିପୁରରେ ରହିଛି ପ୍ରତିରକ୍ଷା ବିଭାଗର କ୍ଷେପଣସ୍ତ ଓ ଗୋଳାବାରୁଦ ପରୀକ୍ଷା କେନ୍ଦ୍ର । ବାଲେଶ୍ଵରରୁ ଚନ୍ଦିପୁରକୁ ଯିବା ପାଇଁ ବସ୍ ସେବା ରହିଛି । ଏଥି ସହ ବାଲେଶ୍ୱର ଷ୍ଟେସନ ଛକରୁ ଟ୍ୟାକ୍ସି ନେଇ ମଧ୍ୟ ଯାଇ ହେବ। ପର୍ଯ୍ୟଟକଙ୍କ ରହିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ । ପାନ୍ଥନିବାସ ଥିବା ବେଳେ ଅନେକ ହୋଟେଲ ଓ ରିସୋର୍ଟ ମଧ୍ୟ ରହିଛି ।

ସୌନ୍ଦର୍ଯ୍ୟର ଗନ୍ତାଘର-ଡଗରା

ବେଶ ଆକର୍ଷଣୀୟ ଡଗରାର ପ୍ରାକୃତିକ ପରିବେଶ । ସେଥିପଇଁ ପର୍ଯ୍ୟଟକଙ୍କ ସୁଅ ଛୁଟେ ଏଠାକୁ । ରଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଥିବା ବାଲେଶ୍ଵର । ଜିଲ୍ଲା ବାଲିଆପାଳ ବ୍ଳକର ଡଗରା ବେଳାଭୂମି ବଲିଆପାଳ ବ୍ଳକ ଠାର ମାତ୍ର ୧୫ କିମି ଦୂର । ଏହାର ମୁଖ୍ୟ ଆକର୍ଷଣ ହେଉଛି ବିସ୍ତୀର୍ଣ୍ଣ ଝାଉଁ ବଣ। ଏଥିସହିତ ବେଳାଭୂମିରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଦୃଶ୍ୟ ମଧ୍ୟ ଅତ୍ୟନ୍ତ ମନଲୋଭା ।

ବେଳାଭୂମିରେ ଲାଲ କଙ୍କଡ଼ାଙ୍କ ଲୁଚକାଳି  ଖେଳ ସହିତ ସୁବର୍ଣ୍ଣରେଖା ମୁହାଣରେ ବିଦେଶାଗତ ଚଢ଼େଇଙ୍କ କିଚିରିମିଚିରି ସ୍ଵରରେ ହଜିଯାଆନ୍ତି ପର୍ଯ୍ୟଟକ । ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏଠାରେ ରହିଛି ଦୁଇଟି କୋଠରୀ ବିଶିଷ୍ଟ ଡାକବଙ୍ଗଳା। ଗୋଟିଏ କୋଠରୀ ପାଇଁ ଦିନକୁ ଭଡ଼ା ମାତ୍ର ୩୦୦ଟଙ୍କା । ପ୍ରତିବର୍ଷ ଜାନୁୟାରୀ ୧୪ ତାରିଖରୁ ବାଲିଆପାଳ ପ୍ରେସ୍ କ୍ଲବ ପକ୍ଷରୁ ୫ ଦିନ ବ୍ୟାପି ବେଳାଭୂମି ମହୋତ୍ସବ ହୁଏ ।

ଭୋଗରାଇର ନୈସର୍ଗିକ ଭଣ୍ଡାର

ଓଡ଼ିଶାର ସୀମାନ୍ତ ଅଞ୍ଚଳରେ ଭୋଗରାଇ ବ୍ଲକ । ପର୍ଯ୍ୟଟକଙ୍କ ପାଇଁ ଏଠି ରହିଛି ଅନେକ ସମ୍ଭାର । ଏଠାରେ ରହିଛି ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ଵର, ଅପରୂପା ତାଳସାରୀ, ଉଦୟପୁର ବେଳାଭୂମି, ବିଚିତ୍ରପୁର ଇକୋ ଟୁରିଜିମ୍ ତଥା ଏସିଆର ସର୍ବବୃହତ ଶିବଲିଙ୍ଗ ବାବା ଭୁଷଣ୍ଡେଶ୍ଵର ।

  • ତାଳସାରୀ: ତାଳସାରୀର ବିସ୍ତୀର୍ଣ୍ଣ ବାଲୁକା ରଶି, ଝାଉଁ ଜଙ୍ଗଲର ମହୁଲିଆ ପବନ, ନାଲି କଙ୍କଡ଼ାଙ୍କ ବିଚରଣ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ସବୁଠାରୁ ବଡ଼ କଥା ହେଉଛି ଶୀତଦିନେ ଏଠାକାର ତାପମାତ୍ରା ସର୍ବାଧିକ ୨୭ଡିଗ୍ରୀ  ଓ ସର୍ବନିମ୍ନ ୧୬ଡିଗ୍ରୀ ରହୁଥିଲା ବଳେ ଖରଦିନେ ସର୍ବାଧିକ ୩୫ ଓ ସର୍ବନିମ୍ନ ୨୩ ଡିଗ୍ରୀ ରହିଥାଏ।
  • ଭୁଷଣ୍ଡେଶ୍ଵରଙ୍କ ପୀଠ: ଭେଗରାଇ  କୁମ୍ଭିରଗଡି ପଞ୍ଚାୟତ ସୁବର୍ଣ୍ଣରେଖା ମୁହାଣର ଦକ୍ଷିଣକୁ ଗଲେ ପଡ଼ିବ ବାବା ଭୁଷଣ୍ଡେଶ୍ଵରଙ୍କ ପୀଠ । ଏହି ପ୍ରସିଦ୍ଧ ଶିବଲିଙ୍ଗର ଉଚ୍ଚତା ୧୨ଫୁଟ, ଗୋଲେଇ ହାରାହାରି ୧୭ ଫୁଟ,ଲିଙ୍ଗର ଉପରିଭାଗର ଗୋଲେଇ ୧୨ଫୁଟ ୭ ଇଞ୍ଚ, ନିମ୍ନଞ୍ଚଳ ବେଦିର  ଗୋଲେଇ ପ୍ରାୟ ୩୮ଫୁଟ । ଏହା ଏକ ବୃହଦାକାର କଳା ମୁଗୁନି ପଥରରେ  ଗଢା । ଓଜନ ପ୍ରାୟ ୧୬ଶହ କ୍ଵିଣ୍ଟାଲ ହେବ । ଏହି ସର୍ବୋଚ୍ଚ ଓ ପୃଥୁଳ ପ୍ରସ୍ତର ଲିଙ୍ଗଟି ସଳଖ ନହୋଇ ଭୂମି ସହିତ ୮୦ଡିଗ୍ରୀ କୋଣ କରି ତୀର୍ଯ୍ୟକ ଭାବେ ଅବସ୍ଥିତ ।
  • ଉଦୟପୁର ବେଳାଭୂମି: ଉଦୟପୁର ବେଳାଭୂମିର ସୁବିସ୍ତୀର୍ଣ୍ଣ  ବେଳାଭୂମି, ସୁନୀଳ ଢ଼େଉ ପର୍ଯ୍ୟଟକଙ୍କୁ ଟାଣି ଆଣେ ତାର କୋଳକୁ । ଏହି ବେଳାଭୂମିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ପଡ଼ୋଶୀ ପଶ୍ଚିମବଙ୍ଗ ସରକାର ଏହା ଉପରେ ଦୀର୍ଘ ବର୍ଷରୁ ଲୋଲୁପ ଦୃଷ୍ଟି ପକାଇ ଆସୁଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧକୁ ସାମନା କରି ପାରିନାହାନ୍ତି । ଏଠାରେ ସାମୁଦ୍ରିକ ଥାନା, ଶୌଚାଳୟ, ସ୍ନାନାଗାର,ଗଡିପାର୍କିଂ ନିର୍ମାଣ ଶେଷ ହେବା ସହିତ ଏକ ପାର୍କି, ପଞ୍ଚ ତାରକା ହୋଟେଲ ନିର୍ମାଣ ପାଇଁ ଯୋଜନା ଆରମ୍ଭ ହେଲଣି ।
  • ଚନ୍ଦନେଶ୍ଵର ଜିଉ: ନିକଟରେ ରହିଛନ୍ତି ଜଳଯନ୍ତ୍ର ମଧ୍ୟରେ ଲୁକ୍ସୟିତ ପ୍ରସିଦ୍ଧ ଚନ୍ଦନେଶ୍ଵର ଜିଉ । କେହି କେବେ ବିଗ୍ରହ ଲିଙ୍ଗ ଦର୍ଶନ କରି ନାହାନ୍ତି । ଏହାହିଁ ଏଠାକାର ଅଲୌକିକତା । ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମା,ମହାଶିବରାତ୍ରି ଓ ଚଡ଼କ ମେଳାର ୧୩ଦିନ ଏଠାକାର ପରିବେଶ ହୋଇ ଉଠେ ଶିବମୟ । ଲକ୍ଷାଧିକ ଲୋକଙ୍କ ସମାଗମ ହୁଏ ଏହି ପୀଠରେ।
  • ବିଚିତ୍ରପୁର ଇକୋ ଟୁରିଜିମ: ଭୋଗରାଇର ଆଉ ଏକ ସମ୍ଭାର ବିଚିତ୍ରପୁର  ଇକୋ ଟୁରିଜିମ। ପ୍ରକୃତିର ବୈଚିତ୍ରୀ । ସମୁଦ୍ରର ସାତ ସୁରରେ ଉଛୁଳି ପଡ଼େ ଏଠାକାର ପରିବେଶ । ଘଞ୍ଚ ଝାଉଁ ଜଙ୍ଗଲ, ବନୀ ଗଛ, ବାଲିଟାପୁ, ନାଲି କଙ୍କଡ଼ାରେ ସଜେଇ ହୋଇଛି ବିଚିତ୍ରପୁର ଇକୋ ଟୁରିଜିମ । ଏବେ ସରକାରଙ୍କ ସୁଦୃଷ୍ଟି ଏହି ପର୍ଯ୍ୟଟନସ୍ଥଳି ଉପରେ ପଡ଼ିବାରୁ ଏହାର ଭାଗ୍ୟ ବଦଳିବାରେ ଲାଗିଛି । ଏଠି ପର୍ଯ୍ୟଟକଙ୍କ ରହିବା ପାଇଁ ହୋଇଛି ୪ଟି ଶୀତତାପ ନିୟନ୍ତ୍ରିତ କୁଟୀର  ପାନୀୟ । ଜଳ ବ୍ୟବସ୍ଥା, ଶୌଚାଳୟ, ଅଲୋକ ବ୍ୟବସ୍ଥା ମଧ୍ୟ ରହିଛି । ଫଳରେ ପର୍ଯ୍ୟଟକମାନଙ୍କ ଗହଳି ବଢୁଛି ।

ସଂଗୃହିତ -

  • ତାରିଣୀ ପାଢ଼ୀ
  • ରାଧାକାନ୍ତ ପ୍ରଧାନ
  • ଲକ୍ଷ୍ମୀଧର ଗାଁଣ,
  • ରାଧାକୃଷ୍ଣ ସାହୁ  ଓ ବ୍ରଜକିଶୋର ପାଣି ।
3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top