ହୋମ / ସମାଜ କଲ୍ୟାଣ / ସଫଳ କାହାଣୀ / ଇଟା, ବାଲି ଓ ସିମେଣ୍ଟ ବୋହୁଥିବା ମୁଲିଆ ଆଜି ୨୦ଟି କମ୍ପାନୀର ମାଲିକ
ସେଆର କରନ୍ତୁ

ଇଟା, ବାଲି ଓ ସିମେଣ୍ଟ ବୋହୁଥିବା ମୁଲିଆ ଆଜି ୨୦ଟି କମ୍ପାନୀର ମାଲିକ

କଠିନ ପରିଶ୍ରମ ବଳରେ ମଧୁସୂଦନ ରାଓ ଲେଖିଛନ୍ତି ସଫଳତାର ଚମତ୍କାର କାହାଣୀ ଇଟା, ବାଲି ଓ ସିମେଣ୍ଟ ବୋହୁଥିବା ମୁଲିଆ ଆଜି ୨୦ଟି କମ୍ପାନୀର ମାଲିକ ।

ସଫଳ ଉଦ୍ୟୋଗୀ

କେବଳ କଠିନ ପରିଶ୍ରମ ବଳରେ ମଧୁସୂଦନ ରାଓ ଲେଖିଛନ୍ତି ସଫଳତାର ଚମତ୍କାର କାହାଣୀ ପିତା ଥିଲେ ଗୋତି ଶ୍ରମିକ ଓ ମା ତମ୍ବାଖୁ ଫାକ୍ଟରୀରେ କାମ କରୁଥିଲେ  ଭୋକରେ ଜଳୁଥିବା ପେଟ ତାଙ୍କୁ ଆଜି ମଧ୍ୟ ମନେ ଅଛି ମ୍ୟାନ, ମ୍ୟାଟେରିଆଲ ଓ ମନିର ସଠିକ ଉପଯୋଗ କରି ହେଲେ ସଫଳ ଉଦ୍ୟୋଗୀ...ନିଜ କମ୍ପାନୀ ଜରିଆରେ ହଜାର ହଜାର ଲୋକଙ୍କୁ ଦେଇଛନ୍ତି ନିଯୁକ୍ତି...

ମଧୁସୂଦନଙ୍କ ଯାତ୍ରା

ଗାଁ ରୁ ଗରିବୀ ହଟେଇବାର ଲକ୍ଷ୍ୟ, ଯେପରିକି ତାଙ୍କ ଭଳି ଅନ୍ୟ କେହି ଦାରିଦ୍ର୍ୟର କଷାଘାତରୁ ମୁକ୍ତ ରହୁ ।ଛୋଟବେଳୁ ପିଲାଟି ଅନେକ ଦୁଃଖ କଷ୍ଟରେ ରହିଛି। ବାପା ମା' ନିତି ୧୮ ଘଣ୍ଟା ଖଟନ୍ତି। ଦିନ ରାତି ମୂଲ ଲାଗିଲେ ମଧ୍ୟ ବାପା ମା' ପିଲାଙ୍କୁ ପେଟ ଭର୍ତି ଖାଦ୍ୟ ଯୋଗାଇ ପାରନ୍ତି ନାହିଁ। କେଉଁ ଦିନ କୌଣସି କାରଣରୁ କାମକୁ ନଯାଇ ପାରିଲେ ସେଦିନ ଭୋକଓପାସରେ ଦିନ କଟିବ। ଘରେ କୁଟୁମ୍ବ ୧୦ ଜଣ। ବାପା ମା' ଓ ଆଠଟି ପିଲାପିଲି। ଆଠ ଭାଇଭଉଣୀଙ୍କ ମଧ୍ୟରେ ଏ ପିଲାଟି ପାଞ୍ଚ ନମ୍ବର। ଏମାନେ ସ୍ଵପ୍ନ ତ ଦେଖନ୍ତି, ମାତ୍ର ପୁରାପେଟ ଭୋଜନ ଓ ହଳେ ଚପଲ।

ତାଙ୍କ ପରିବାର ଗାଁ ଭିତରେ ଏକ ଛୋଟ ଚାଳଘରେ ରହୁଥାନ୍ତି। ଏଇ ପିଲାଟି ବୁଝିପାରେନି ଯେ ଗାଁରେ ଅନେକ ପକ୍କା ଘର ଥାଇ ଆମେ କାହିଁକି ଏମିତି ଏକ ଝୁମ୍ପୁଡି ଘରେ ରହୁଛୁ। ଧୀରେ ଧୀରେ ବଡ ହେଲାରୁ ପିଲାଟି ବୁଝେ ଯେ ଧନୀ ଓ ଗରିବ ମଧ୍ୟରେ ତଫାତ କଣ ଓ ସେମାନେ ଏକ ନିହାତି ଗରିବ ପରିବାର ଅଟନ୍ତି ବୋଲି ଜାଣେ। ବାପା ଜଣେ ଜମିଦାରଙ୍କ ପାଖରେ ଗୋତି ଖଟନ୍ତି ଓ ମା ତମ୍ବାଖୁ ଫାକ୍ଟରୀରେ କାମ କରନ୍ତି। ବଡ ଭଉଣୀ ମଧ୍ୟ କ୍ରମେ ମା ଙ୍କ ସଙ୍ଗେ ସେହି ତମ୍ବାଖୁ ଫାକ୍ଟରୀରେ କାମ କରିବାକୁ ଲାଗିଥିଲେ। ଘରେ ବାକି ସମସ୍ତେ ଅଶିକ୍ଷିତ। ବଡ କଷ୍ଟରେ ବାପା ମା ଆଠ ଜଣଙ୍କ ମଧ୍ୟରୁ ଦୁଇ ଭାଇଙ୍କୁ ସ୍କୁଲ ପଠାଇପାରିଥିଲେ।

ଏଇ ପିଲାଟିକୁ ବୁଝା ପଡେନି ଯେ ଗାଁର ବାସିନ୍ଦା ମାନେ ତାଙ୍କୁ ତଳେ କାହିଁକି ବସିବାକୁ କୁହନ୍ତି, ଛୁଅନ୍ତି ନାହିଁ। ଦୁଇ ହାତ ମେଲେଇଲେ ଯାଇ ପାଣି ପିଇବାକୁ ଦିଅନ୍ତି। ଗାଁ ଲୋକଙ୍କ ନିୟମ ଅନୁଯାୟୀ ତାଙ୍କ ପରିବାରର କେହି ବି ଆଣ୍ଠୁ ତଳକୁ ଧୋତି ପିନ୍ଧିପାରିବେ ନାହିଁ। ଏଇ ପିଲା ଓ ତାର ପରିବାର ଲୋକଙ୍କର ଛାଇ ବି ପଡିଲେ ଗାଁ ଲୋକେ ତାକୁ ଅଶୁଭ ବୋଲି ମାନୁଥିଲେ।

ଏପରି ପରିସ୍ଥିତିରେ ଏଇ ପିଲାଟି ଯେତେବେଳେ ସ୍କୁଲ ଯାଇ ପାଠ ପଢିଲା, ସେବେ ବୁଝିପାରିଲା ଯେ ତାକୁ ନିଜ ପରିବାରକୁ ଏକ ଭଲ ଜୀବନ ଦେବା ପାଇଁ ଆହୁରି ପରିଶ୍ରମ କରି ପଢିବାକୁ ହେବ। ଏବଂ ଭଲ ଚାକିରୀ ଏଇ ଗାଁରୁ ଦୂରକୁ ବହୁ ଦୂରକୁ ଯିବାକୁ ହେବ।

ସେ ଅନେକ ପରିଶ୍ରମ କଲା। ଦଶମ, ତାପରେ ଦ୍ଵାଦଶ ଓ ପରେ ଏନଟ୍ରାନ୍ସ ପରୀକ୍ଷା ଦେଇ ପଲିଟେକ୍ନିକ କଲେଜରେ ଆଡମିସନ ନେଲା। ଡିପ୍ଲୋମା କୋର୍ସ ପୁରା କରି ଚାକିରି ଖୋଜିଲା। ପରିବାରର ଅନେକ ଆଶା ଥିଲା ତା ଉପରେ। ଦୁର୍ଭାଗ୍ୟକୁ କୌଣସି ଚାକିରି ନ ମିଳିବାରୁ ସେ ବାପା ମା ଙ୍କ ଭଳି ମୂଲ ଲାଗିଲା। ପରେ ସହରରେ ୱାଚମ୍ୟାନ ଚାକିରି ଖଣ୍ଡେ ମଧ୍ୟ କଲା। ଦିନେ ଗୋଟେ ବଡ ନିଶ୍ଚୟ କଲା। ନିଜର ଉଦ୍ୟୋଗ କରିବ। ବ୍ୟବସାୟ କରିବ। ସେଥିପାଇଁ ସେ କଠିନ ପରିଶ୍ରମ କଲା। ଅନେକ ଲୋକଙ୍କ ଦ୍ଵାରସ୍ଥ ହେଲା, ଅନେକ ବାଧାବିଘ୍ନ ସତ୍ତ୍ୱେ ବି ହାର ମାନିଲା ନାହିଁ।

ସଫଳ ବ୍ୟବସାୟୀ

ଅନେକ ବର୍ଷର କଠିନ ପରିଶ୍ରମ ପରେ ଆଜି ଦଳିତ ପରିବାରରେ ଜନ୍ମ ସେ ଯୁବକ ଏକ ସଫଳ ବ୍ୟବସାୟୀ। ନିଜର ବ୍ୟବସାୟ ବଢେଇ ଆଜି ସେ ୨୦ଟି କମ୍ପାନୀର ମାଲିକ। ହଜାର ହଜାର ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି ସେ। ଦେଶର ସଫଳ ଉଦ୍ୟୋଗୀଙ୍କ ଭିତରେ ତାଙ୍କ ନାମ ନିଆଯାଏ। ଯେଉଁ ବ୍ୟକ୍ତିଙ୍କ ସମ୍ପର୍କରେ ଆମେ ସେତେବେଳୁ କଥା ହେଉଛେ, ସେ ହେଉଛନ୍ତି ମଧୁସୂଦନ ରାଓ।

ମଧୁସୂଦନ ରାଓ ଏମଏମଆର ଗୃପ ଅଫ କମ୍ପାନୀଜର ସଂସ୍ଥାପକ ଓ ନିର୍ଦ୍ଦେଶକ। ସେ ଆଇଟି, ଟେଲିକମ। ଇଲେକ୍ଟ୍ରିକାଲ, ମେକାନିକାଲ, ଫୁଡ ପ୍ରୋସେସିଂ ଆଦି ଅନେକ କ୍ଷେତ୍ରରେ ନିଜର କମ୍ପାନୀ ଖୋଲିଛନ୍ତି ଓ ବେଶ ଫାଇଦା ମଧ୍ୟ କରୁଛନ୍ତି।

୭ ମଇ, ୨୦୧୬ରେ ଏକ ଅନ୍ତରଙ୍ଗ ଆଳାପରେ ମଧୁସୂଦନ ରାଓ ନିଜ ଜୀବନର କିଛି ମହତ୍ଵପୂର୍ଣ୍ଣ ଘଟଣା ସମ୍ପର୍କରେ ଲେଖକଙ୍କୁ ଜଣାଇଲେ। ଅପମାନ ଓ ସଂଘର୍ଷ ପରେ ପାଇଥିବା ସଫଳତାର ଅନେକ କାହାଣୀ ଶୁଣାଇଲେ।

ତାଙ୍କ ଜନ୍ମ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ। କୁନ୍ଦୁକୁରୁ ତହସିଲ ଅନ୍ତର୍ଗତ ପଲକୁରୁ ଗାଁ। ଅନେକ ଦୁଃଖ କଷ୍ଟରେ ଭରା ନିଜ ପିଲାବେଳ କଥା ମାନେ ପକାଇ ମଧୁସୂଦନ କୁହନ୍ତି,ମୁଁ ଛୋଟ ଥିଲାବେଳେ ନିଜ ବାପା ମା’ ଙ୍କୁ ଦେଖି ପାରୁନଥିଲି। ଦୁହେଁ ନିତି ବଡିଭୋରୁ କାମକୁ ଚାଲିଯାଆନ୍ତି ଓ ରାତି ଡେରିରେ ଫେରନ୍ତି। ସେଦିନେ ବାପା ମା’ଙ୍କ ସ୍ନେହ କଣ ମୁଁ ଜାଣିପାରୁନଥିଲି।

ମଧୁସୂଦନ ପୁଣି କହନ୍ତି,ମୋ ବାପା ଗୋତି ଶ୍ରମିକ ଥିଲେ। ଅନେକ ବର୍ଷ ଧରି ଏକ ଜମିଦାର ପାଖରେ ଖଟୁଥିଲେ। ବାପା କୁହନ୍ତି ମୋର ଜେଜେବାପା ଓ ତାଙ୍କ ବାପା ମଧ୍ୟ ଜମିଦାର ଘରେ ଗୋତି ଖଟୁଥିଲେ। ସେଠାରେ ବାପାଙ୍କୁ ୧୮ଘଣ୍ଟା କାମ କରିବାକୁ ପଡୁଥିଲା। କ୍ଷେତ, ଗାଈଗୋରୁ , ଘରର ଯାବତୀୟ କାମ ସବୁ କରୁଥିଲେ। କାମକୁ ଗଲେ ମଜୁରି ମିଳେ, ନଗଲେ କିଛି ନାହିଁ। ଆମେ ଆଠ ଭାଇଭଉଣୀ ଥିବାରୁ ମାଙ୍କୁ ମଧ୍ୟ ମୂଲ ଲାଗିବାକୁ ପଡୁଥିଲା। ମା ଓ ବଡ ଭଉଣୀ ଦୁହେଁ ୧୨ କିମି ଦୂରରେ ଥିବା ଏକ ତମ୍ବାଖୁ ଫାକ୍ଟରୀରେ କାମ କରୁଥିଲେ। ଏତେ ପରିଶ୍ରମ ପରେ ବି ବେଳେ ବେଳେ ଭୋକପେଟରେ ଶୋଇବାକୁ ପଡୁଥିଲା। ଭୋକ ପେଟର ଜ୍ଵାଳା ଆଜି ବି ମୋର ମନେ ଅଛି।

ମଧୁସୂଦନଙ୍କ ଜୀବନରେ ପରିବର୍ତ୍ତନ ସେତେବେଳେ ଆସିଲା ଯେବେ ସେ ସ୍କୁଲ ଯିବା ଆରମ୍ଭ କଲେ। ତାଙ୍କ ପୂର୍ବରୁ ତାଙ୍କ ବଡ ଭାଇ ମାଧବ ସ୍କୁଲ ଯାଇଥିଲେ। ଦୁଇ ଭାଇ ସରକାରୀ ସ୍କୁଲରେ ପାଠ ପଢୁଥିଲେ। ଦୁହେଁ ଖୁବ ମନ ଲଗାଇ ପଢିଲେ ଓ ଭଲ ନମ୍ବର ରଖୁଥିଲେ। ଧୀରେ ଧୀରେ ସମୟ ବଦଳିଲା।

ମଧୁସୂଦନ କହନ୍ତି ସେତେବେଳେ ଗାଁ ପାଖ ଏକ ସରକାରୀ ସୋସିଆଲ ୱେଲଫେୟର ହଷ୍ଟେଲର ୱାର୍ଡେନ ଲକ୍ଷ୍ମୀ ନରସିୟା ତାଙ୍କ ବାପାଙ୍କୁ ବୁଝାଇ ତାଙ୍କର ଆଡମିସନ ସେ ହଷ୍ଟେଲରେ କରାଇଦେଲେ। ସେଠାରୁ ମାଗଣା ଖାଇବା, ରହିବା ଓ ପଢିବା ସୁବିଧା ଥିଲା। ତେଣୁ ତାଙ୍କ ବାପା ରାଜି ହେଇଗଲେ। ତାଙ୍କ ଭାଇ ମାଧବ ଓ ସେ ଦୁହେଁ ହଷ୍ଟେଲରେ ରହି ପାଠ ପଢିବାକୁ ଲାଗିଲେ।ସ୍କୁଲ ପଢାପରେ ବଡ ଭାଇ ବିଟେକ କରିବାକୁ ନିଷ୍ପତ୍ତି ନେଲେ। ମଧୁସୂଦନ ମଧ୍ୟ ବିଟେକ କରିବାକୁ ଚାହୁଁଥିଲେ। କିନ୍ତୁ ଭାଇ ଓ ଅନ୍ୟକିଛି ଲୋକ ତାଙ୍କୁ ପଲିଟେକନିକ କୋର୍ସ କରିବାକୁ ଉପଦେଶ ଦେଲେ। ସେତେବେଳେ ଏକ ଧାରଣା ଥିଲା ଯେ ଡିପ୍ଲୋମା ପରେ ଚାକିରି ଖଣ୍ଡେ ନିହାତି ମିଳିଯିବ। ତେଣୁ ମଧୁସୂଦନ ପରୀକ୍ଷା ଦେଇ ତିରୁପତିର ଶ୍ରୀ ଭେଙ୍କଟେଶ୍ଵର ବିଶ୍ଵବିଦ୍ୟାଳୟ ରେ ଭର୍ତି ହେଲେ। ସେଠାରେ ୩ ବର୍ଷର କୋର୍ସ କରି ଡିପ୍ଲୋମା ହାସଲ କଲେ। ଡିପ୍ଲୋମା ମିଳିବା ସହ ଘର ଲୋକଙ୍କ ଆଶା ବଢିଲା ଯେ ମଧୁସୂଦନ ଚାକିରି କରି ପରିବାରର ଭାଗ୍ୟ ବଦଳାଇଦେବେ। ସେ ଚାକିରି ପାଇଁ ଅନେକ ଜାଗାରେ ଆବେଦନ କଲେ। ବହୁତ ଖୋଜିଲେ। କିନ୍ତୁ ଚାକିରି ମିଳିଲା ନାହିଁ। ଅନେକ ଚେଷ୍ଟା ପରେ ବି ଚାକିରି ନମିଳିବାରୁ ସେ ନିଜେ ଉଦାସ ହେବା ସହ ତାଙ୍କ ପରିବାରର ଆଶା ମଧ୍ୟ ମଉଳିବାକୁ ଲାଗିଲା।

ଚାକିରି ନମିଳିବାର କାରଣ ପଚାରିବାରୁ ମଧୁସୂଦନ କୁହନ୍ତି,ଯୁଆଡେ ଗଲେ ବି ଲୋକ ରେଫରେନ୍ସ ପଚାରନ୍ତି। ମୋ ପାଖରେ କିଛି ରେଫରେନ୍ସ ନଥିଲା। ନିପଟ ମଫସଲରୁ ଆସିଥିବା କାରଣରୁ ମଧ୍ୟ ମୋତେ ଅନେକ ଥର ରିଜେକ୍ଟ କରାଯାଇଥିଲା। କେତେଥର ମୋ ପରିବାରର ଅଧିକାଂଶ ଲୋକେ ଅଶିକ୍ଷିତ ବୋଲି ମଧ୍ୟ ମୋତେ ଚାକିରି ମିଳିନଥିଲା। କିନ୍ତୁ ମୁଁ ଚୁପ ବସିପାରିନଥିଲି। ମୋର ପାଠପଢା ପାଇଁ ମୋ ପରିବାର ଲୋକେ ଅନେକ କଷ୍ଟ କରିଥିଲେ। ମୋ ଉପରେ ଅନେକ ଆଶା ବାନ୍ଧି ବସିଥିଲେ। ମୁଁ ସେମାନଙ୍କୁ ନିରାଶ ଦେଖିପାରୁନଥିଲି। ଏପରି ଅବସ୍ଥାରେ ମୁଁ କିଛି ବି କରିକି ଟଙ୍କା ରୋଜଗାର କରିବି ବୋଲି ନିଷ୍ପତ୍ତି ନେଲି।

ମଧୁସୂଦନଙ୍କର ଜଣେ ଭାଇ ହାଇଦ୍ରାବାଦ ରେ ମିସ୍ତ୍ରୀ କାମ କରୁଥିଲେ। ସେ ମଧ୍ୟ ସେଠାରେ ଯାଇ ନିଜ ଭାଇ ସଙ୍ଗେ ମିସ୍ତ୍ରୀ କାମ ଆରମ୍ଭ କରିଦେଲେ। ମାଟି ପଥର ବୋହିବାକୁ ଲାଗିଲେ। ମୂଲ କାମ ସବୁବେଳେ ନଥାଏ ସେଥିପାଇଁ ସେ ତା’ ଛଡା ଅନ୍ୟ କାମ ମଧ୍ୟ ଖୋଜିବାକୁ ଲାଗିଲେ। ମଧୁସୂଦନ କହନ୍ତି,“ଗୋଟେ ଦିନରେ ମୂଲ ଲାଗିଲେ ମୋତେ ପଚାଶ ଟଙ୍କା ମିଳୁଥିଲା। ଯେବେ ମୋତେ ଜଣା ପଡିଲା ଯେ ରାତିରେ କାମ କରିବାକୁ ୧୨୦ଟଙ୍କା ମିଳୁଛି, ମୁଁ ରାତିରେ ବି କାମ କରିବା ଚାଲୁ କଲି। ଦିନରେ ମୂଲ ଲାଗେ। ରାତିରେ ୱାଚମ୍ୟାନ କାମ କରେ।“

ତାଙ୍କ ଜୀବନର ଆଉ ଏକ ଅକୁହା ଓ ମହତ୍ଵପୂର୍ଣ୍ଣ ଘଟଣା ବିଷୟରେ କୁହନ୍ତି ମଧୁସୂଦନ। ଏମିତି ଦିନେ ମୁଁ ଟେଲିଫୋନ ଖୁଣ୍ଟି ପୋତିବା ପାଇଁ ହେଉଥିବା ଗାତ ଖୋଳୁଥାଏ। ଜଣେ ଇଞ୍ଜିନିୟର ମୋ ପାଖକୁ ଆସି ପଚାରିଲେ ତୁମେ ପାଠ ପଢିଛ କି। ମୁଁ ଉତ୍ତର ଦେଲି ଯେ ହଁ ମୁଁ ପଲିଟେକନିକ ଡିପ୍ଲୋମା କରିଛି। ତା’ପରେ ସେ ଇଞ୍ଜିନିୟର ଜଣକ କହିଲେ ତୁମର କାମ କରିବା ଶୈଳୀ ଦେଖି ମୁଁ ଜାଣିପାରିଲି ଯେ ତୁମେ ଶିକ୍ଷିତ। ଅନ୍ୟ ମୁଲିଆ ହେଇଥିଲେ ତା’ ନିଜ ହିସାବରେ ମାପ ନେଇ ଖୋଳିଥାନ୍ତା। କିନ୍ତୁ ତୁମେ ଉଚିତ ପ୍ରକାରେ ମାପ ନେଲ ଏବଂ ତାପରେ ଯାଇ ଖୋଳିବା ଆରମ୍ଭ କଲ।

ପ୍ରଶଂସା କରିବା ପରେ ସେ ପଚାରିଲେ, ତୁମେ ଚାକିରି କରିବ? ଏ ପ୍ରଶ୍ନ ଶୁଣି ମଧୁସୂଦନଙ୍କ ଖୁସିର ସୀମା ନଥିଲା। ଏତେ ଦିନର ପରିଶ୍ରମର ଫଳ ଆଜି ତାଙ୍କୁ ମିଳୁଥିଲା। ସେ ଇଞ୍ଜିନିୟର ଜଣକ ତାଙ୍କୁ ନିଜ ଅଫିସ ନେଇଗଲେ। ତାଙ୍କର ଇଣ୍ଟରଭିଉ ଆରମ୍ଭ ହେଲା। ଏପଟେ ଇଣ୍ଟରଭିଉ ଚାଲିଥିବା ସମୟରେ ଜଣେ ବଡ ଠିକାଦାରଙ୍କ ସହ ଛୋଟ ଠିକାଦାରଙ୍କର ଏକ କାମକୁ ନେଇ ଯୁକ୍ତି ତର୍କ ଚାଲିଥାଏ। ଛୋଟ ଠିକାଦାରଟି ବେଶି ପଇସା ମାଗୁଥାଏ। ଏହା ଦେଖି ମଧୁସୂଦନ ବଡ ଠିକାଦାରକୁ ତାଙ୍କୁ ସେ କାମଟି ଦେବା ପାଇଁ ଅନୁରୋଧ କଲେ। ସେ ଠିକାଦାରକୁ ବିଶ୍ଵାସ ଦେଲେ ଯେ ସେ ଏ କାମ ଖୁବ ଭଲଭାବେ କରିପାରିବେ।

ତାଙ୍କୁ ସେ କାମଟି ମିଳିଗଲା। କିନ୍ତୁ ଶ୍ରମିକ ମାନଙ୍କୁ ଆଡଭାନ୍ସ ଦେଇ କାମ ଆରମ୍ଭ କରିବା ପାଇଁ ଯେଉଁ ପାଞ୍ଚ ହଜାର ଟଙ୍କା ଦରକାର ଥିଲା ସେତକ ଟଙ୍କା ପାଖରେ ନଥିଲା। ସେ ନିଜ ଭାଇଭଉଣୀଙ୍କୁ ସାହାଯ୍ୟ ମାଗିଲେ। ଜଣେ ଭଉଣୀ ତାଙ୍କୁ ୯୦୦ଟଙ୍କା ଦେଲେ। ସେଇ ଟଙ୍କାକୁ ନେଇ ସେ କାମ ଆରମ୍ଭ କଲେ। କାମର ପ୍ରଥମ ଦିନ ହିଁ ତାଙ୍କର ୨୦,୦୦୦ ଟଙ୍କା ଆମଦାନୀ ହେଲା। ତାଙ୍କର ଭାଗ୍ୟ ବଦଳିଗଲା।

ତା’ପରେ ମଧୁସୂଦନ ଆଉ ବୁଲି ପଛକୁ ଦେଖିନାହାନ୍ତି। ତାଙ୍କ କାମରେ ଖୁସି ହେଇ ଠିକାଦାର ତାଙ୍କୁ ଏକ ଲକ୍ଷ ଟଙ୍କା ଆଡଭାନ୍ସ ମଧ୍ୟ ଦେଲା। ତାଙ୍କୁ ଅନ୍ୟ କାମ ବି ମିଳିଲା। ଯେତେବେଳେ ତାଙ୍କ ପାଖରେ ଏକ ଲକ୍ଷ ଟଙ୍କା ହେଇଗଲା ସେ ଗାଁକୁ ମୁହାଁଇଲେ। ଏଯାଏ ଚାକିରି ନଥିବାରୁ ଓ ପଇସା ନଥିବାରୁ ସେ ଦୁଇ ବର୍ଷ ଧରି ଗାଁ କୁ ଯାଇନଥିଲେ। କଉ ମୁହଁ ନେଇ ଗାଁ କୁ ଯାଇଥାନ୍ତେ। କିନ୍ତୁ ଯେବେ ଗାଁ କୁ ଯାଇ ସେ ନିଜ ବାପା ମା’ ଙ୍କୁ ଲକ୍ଷେ ଟଙ୍କା ଦେଲେ, ସେତେବେଳେ ସେମାନେ ଅବାକ ରହିଗଲେ। ଗାଁ ରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହେଇଯାଇଥିଲେ।

ଧୀରେ ଧୀରେ ତାଙ୍କର ଭାଗ୍ୟବଳରେ ସେ ଗୋଟେ ପରେ ଗୋଟେ କାମ ପାଇବାକୁ ଲାଗିଲେ ଓ ପ୍ରଚୁର ଧନ ଅର୍ଜନ କଲେ। କିନ୍ତୁ ମଝିରେ ଏକ ଏପରି ଘଟଣା ହେଲା ଯଦ୍ୱାରା ସେ ପୁଣି ତାଙ୍କର ସମସ୍ତ ଧନ ହରେଇବସିଲେ। କିଛି ସାଙ୍ଗଙ୍କ କଥାରେ ସେ ଏକ କମ୍ପାନୀ ଆରମ୍ଭ କରିଥିଲେ କିନ୍ତୁ ବିଶ୍ଵାସଘାତକତାର ଶିକାର ହେଇ ସବୁ ହରେଇବସିଲେ।

ମଧୁସୂଦନ କୁହନ୍ତି, “ଭଲ ହେଲା ଯେ ଏପରି ଏକ ଘଟଣା ହେଲା। ଏହା ହେବା ଦ୍ଵାରା ମୁଁ ଚାଲାକ ହେଲି ଓ ଭବିଷ୍ୟତ ପାଇଁ ସାବଧାନ ହେଇ ସବୁ କାମ କଲି।“କିନ୍ତୁ ଏହି ଘଟଣା ପରେ ମଧୁସୂଦନ ହଠାତ ଆଉ ଉଦ୍ୟୋଗ ପ୍ରତି ସହଜରେ ପାଦ ବଢେଇ ପାରୁନଥିଲେ। ସେ ନିଷ୍ପତ୍ତି ନେଲେ ଯେ ସେ ଚାକିରି କରିବେ। ଏକ ଇଞ୍ଜିନିୟରିଙ୍ଗ ସଂସ୍ଥାରେ ଚାକିରି କଲେ ଓ ସେସମୟରେ ବିବାହ କଲେ। ତାଙ୍କର ସ୍ତ୍ରୀ ଓ ଭଉଣୀ ମାନେ ତାଙ୍କୁ ରାଣନିୟମ ପକାଇଥିଲେ ଯେ ସେ ଯେମିତି ଚାକିରି କରନ୍ତି ଓ କୌଣସି କମ୍ପାନୀ ଆରମ୍ଭ କରିବା ଦିଗରେ ମନ ନ ବଳାନ୍ତି। କିନ୍ତୁ ତାଙ୍କ ମନ ବ୍ୟବସାୟ ପ୍ରତି ଟାଣି ହେଇଗଲା ଓ ସେ କାହାକୁ କିଛି ନ କହି ଏକ କମ୍ପାନୀ ଆରମ୍ଭ କଲେ। ତାଙ୍କ ସ୍ତ୍ରୀ ଜାଣିବାରୁ ଅନେକ ଖପା ମଧ୍ୟ ହେଲେ। କିନ୍ତୁ ମଧୁସୂଦନ ତାଙ୍କୁ ବୁଝାଇସୁଝାଇ ବ୍ୟବସାୟ ଚାଲୁ ରଖିଲେ ।ଏହାପରେ ମଧୁସୂଦନ ଆଉ ଅଟକିଲେ ନାହିଁ। ଗୋଟେ ପରେ ଗୋଟେ କରି ସେ ୨୦ଟି କମ୍ପାନୀର ସ୍ଥାପନା କଲେ। ଆଜି ମଧୁସୂଦନ ତାଙ୍କ ସଫଳତା ପାଇଁ କେବଳ ଭାରତ ନୁହେଁ ବରଂ ବିଶ୍ଵପ୍ରସିଦ୍ଧ। ସେ ବର୍ତ୍ତମାନ ଦଳିତ ଚାମ୍ବର ଅଫ କମର୍ସ, ଆନ୍ଧ୍ରପ୍ରଦେଶର ଅଧ୍ୟକ୍ଷ ଅଛନ୍ତି।

ଏହି ୨୦ଟି କମ୍ପାନୀ ସେ ଓ ତାଙ୍କ ପୁରା ପରିବାର ମିଶି ସମ୍ଭାଳନ୍ତି। ସେ କହନ୍ତି,ମୋର ବାପା ମା’ ହେଲେ ମୋର ପ୍ରେରଣା। ମୁଁ ତାଙ୍କୁ ଦିନକୁ ୧୮ ଘଣ୍ଟା ପରିଶ୍ରମ କରିବାର ଦେଖିଛି। ମୁଁ ମଧ୍ୟ ତାଙ୍କ ଭଳି ଦିନକୁ ୧୮ ଘଣ୍ଟା କାମ କରେ। ଲକ୍ଷ୍ୟ ପୂରଣ ନହେବା ଯାଏଁ ଆରାମ କରେ ନାହିଁ। ମୁଁ ଯେବେ ବି କୌଣସି ସମସ୍ୟାର ସମ୍ମୁଖୀନ ହୁଏ ସେତେବେଳେ ବାପା ମା’ଙ୍କ କଥା ମନେ ପକାଏ। କୌଣସି ସମସ୍ୟା ସେମାନେ ଦେଖିଥିବା ସମସ୍ୟା ଠାରୁ ବଡ ହେଇପାରେ ନାହିଁ। ସେମାନେ ଯେତେ କଷ୍ଟ କରିଛନ୍ତି ତା ଆଗରେ ମୋର ସମସ୍ୟା କିଛି ନୁହେଁ।

ଏତେ ସବୁ ସଫଳତା ପରେ ଯେତେବେଳେ ଆମେ ମଧୁସୂଦନଙ୍କୁ ପଚାରିଲୁ ଯେ ଆଗକୁ କଣ ଲକ୍ଷ୍ୟ ରଖିଛନ୍ତି, ସେ ଉତ୍ତର ଦେଲେ,ଆଗାମୀ ପାଞ୍ଚ ଛ’ ବର୍ଷ ମଧ୍ୟରେ ମୁଁ ଗ୍ରାମୀଣ ଅଞ୍ଚଳରେ ଯୁବପିଢି ପାଇଁ ତାଲିମ କେନ୍ଦ୍ର ଖୋଲିବାକୁ ଚାହୁଁଛି ଯାହା ଫଳରେ ସେମାନେ ଚାକିରି ପାଇବାକୁ ଓ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଗ୍ୟ ହେବେ। ଗ୍ରାମୀଣ ଅଞ୍ଚଳରେ ଯୁବକ ଓ ବିଦ୍ୟାର୍ଥୀ ମାନେ ଯୋଗାଯୋଗକୁ ନେଇ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ମୁଁ ମନରେ ଠାଣି ନେଇଛି ଯେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ କିଛି ନହେଲେ ମୁଁ ୫୦୦୦ ଯୁବକଙ୍କୁ ସଫଳ ଉଦ୍ୟୋଗୀ ହେବାରେ ସାହାଯ୍ୟ କରିବି।

ଆଧାର - Dr Arvind Yadav writter

2.81481481481
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top