অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶିଶୁ ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ ୧୯୮୬ : ଏକ ସରଳାର୍ଥ ସଂରଚନା

ଶିଶୁ ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ ୧୯୮୬ : ଏକ ସରଳାର୍ଥ ସଂରଚନା

ଶିଶୁ ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ  ୧୯୮୬

ଶିଶୁ ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ  ୧୯୮୬ ପାର୍ଲିଆମେଣ୍ଟ ଦ୍ଵାରା ଗୃହିତ ହୋଇ ତା  ୨୩,୧୨,୧୯୮୬ ରେ ଗେଜେଟରେ ବିଜ୍ଞପ୍ତି ଲାଭ କରିଥିଲା   ।  ଏହି ଆଇନର ଏକ ପ୍ରସ୍ତାବନ ସହିତ  ୨୬ଟି ଧାରା ଓ ଗୋଟିଏ ଅନୁସୂଚି ରହିଛି  । ପ୍ରସ୍ତାବନାରେ ଆଇନର ମୂଳ ଉଦ୍ଦେଶ୍ୟ ସ୍ପଷ୍ଟ କରାହୋଇଛି – କେତେକ ଶ୍ରମନିଯୁକ୍ତିରେ ଶିଶୁମାନଙ୍କ ନିୟୋଜନକୁ ନିଷିଦ୍ଧ କରାଯାଇଛି  , ଏବଂ ଆଉ କେତେକ ଶ୍ରମନିଯୁକ୍ତିରେ ଶିଶୁମାନଙ୍କ ନିୟୋଜନକୁ ନିୟନ୍ତ୍ରଣ କରାଯାଇଛି   ।  ଏଥିପାଇଁ ଭାରତୀୟ ପ୍ରଜାତନ୍ତ୍ରର ୩୭ ତମ ବର୍ଷରେ ଏହି ଆଇନ ପ୍ରଣୟଣ କରାଯାଉଛି   । ଧାରାଗୁଡିକ ୪ ଭାଗରେ ବିଭକ୍ତ , ଯଥା  ଭାଗ-୧ (ଧାରା -୧ ଓ ୨: ପ୍ରାରମ୍ଭିକ): ଭାଗ- ୨ (ଧାରା ୩,୪ ଓ ୫ : ନିର୍ଦ୍ଧିଷ୍ଟ ଶ୍ରମକ୍ଷେତ୍ର ଓ ପ୍ରକ୍ରିୟାସମୂହରେ ବାଳୁତ ନିଯୁକ୍ତି ଉପରେ ନିଷେଧାଜ୍ଞା ; ଭାଗ -୩ (ଧାରା ୬ ରୁ ୧୩ – ଯେଉଁ ପରିସ୍ଥିତିରେ ବାଳୁତମାନେ ଶ୍ରମ କରନ୍ତି, ତହିଁର ନିୟନ୍ତ୍ରଣ) ; ଓ ଭାଗ -୪(ଭାଗ -୧୪ ରୁ  ୨୬ ;ବିବିଧ) ।  ପୁଣି ଅଣସୂଚୀରେ ୨ ଟି ଭାଗ ରହିଛି   ;ଭାଗ -୧ ରେ ବିପଜ୍ଜନାକ ଶ୍ରମ ସମୂହ ଏବଂ ଭାଗ- ୨ରେ ବିପଜ୍ଜନାକ ଶ୍ରମପ୍ରକ୍ରିୟାର ତାଲିକା ସ୍ଥାନିତ ହୋଇଛି  ।   ଏଠାରେ ଉଲ୍ଲେଖନୀୟ,  ଆଇନର ଧାରା  ୧(୩) ଅନୁଯାୟୀ ଆଇନର ଭାଗ- ୩ (ଧାରା ୬ ରୁ  ୧୩: ଯେଉଁ ସ୍ଥିତିରେ ବାଳୁତମାନେ ଶ୍ରମ କରନ୍ତି  , ତହିଁର ନିୟନ୍ତ୍ରଣ) କୁ ଛାଡି ବାକି ଅଂଶ କେନ୍ଦ୍ର ସରକାରଙ୍କ ଦ୍ଵାରା ତା ୨୩.୧୨.୧୯୮୬ ରେ ବଳବତ୍ତର ହୋଇଥିବା ସ୍ଥଳେ ତା  ୨୬.୫.୧୯୯୩ ରେ ଭାଗ- ୩ ବଳବତ୍ତର ହୋଇଥିଲା    ।  ଏହା ପରେ ବିଭିନ୍ନ ରାଜ୍ୟ ସରକାର ନିୟମାବଳି ପ୍ରଣୟନ କରି ଏହାକୁ କାର୍ଯ୍ୟକାରୀ କରିଥିଲେ   ।

ଉଦ୍ଦେଶ୍ୟ ଓ ଯଥାର୍ଥତା ବୟାନ

ଆଇନ ପ୍ରଣୟନ ଉଦ୍ଦେଶ୍ୟରେ ଆଗତ ହୋଇଥିବା ବିଲରେ ଆଇନର ଉଦ୍ଦେଶ୍ୟ ଓ ଯଥାର୍ଥତା ବୟାନ ସ୍ଥାନିତ ହୋଇଥିଲା   । ଏଥିରେ କୁହାଯାଇଥିଲା – “ କେତେକ ଆଇନ ଅଛି , ଯେଉଁଥିରେ ୧୪ ଓ  ୧୫ ବର୍ଷରୁ କମ ପିଲାମାନଙ୍କୁ କେତେକ ବିନିର୍ଦ୍ଧିଷ୍ଟ ଶ୍ରମକ୍ଷେତ୍ରରେ ନିୟୋଜନକୁ ନିଷିଦ୍ଧ କରାଯାଇଛି  । କିନ୍ତୁ ଏହା ସତ୍ତ୍ୱେ କେଉଁ, ପେଷା ବା ପ୍ରକ୍ରିୟାରେ ଶିଶୁମାନଙ୍କୁ ନିୟୋଜନ କରିବା ନିଷିଦ୍ଧ ହେବା ଉଚିତ , ତାହା ନିର୍ଦ୍ଧାରିତ କରିବାର ପଦ୍ଧତି କୌଣସି ଆଇନରେ ସୂଚୀତ ହୋଇନାହିଁ  । ପୁଣି ଯେଉଁସବୁ ନିଯୁକ୍ତିରେ ଶିଶୁଶ୍ରମକୁ ନିଷିଦ୍ଧ କରାଯାଇନି ଅଥଚ ସେମାନେ ଶୋଷଣମୂଳକ ସ୍ଥିତିରେ ଶ୍ରମ କରିଚାଲିଛନ୍ତି, ସେଥିଭିତରୁ ପ୍ରାୟ ସମସ୍ତ କ୍ଷେତ୍ରରେ ଶ୍ରମର ସର୍ତ୍ତାବଳୀକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ଆଇନ ମଧ୍ୟ ନାହିଁ  । ତେଣୁ ବିଲର ଉଦ୍ଦେଶ୍ୟ ହେଉଛି –

  • ଯେଉଁ ଶିଶୁମାନେ ୧୪ ବର୍ଷ ଟପି ନାହାନ୍ତି ସେମାନଙ୍କୁ କେତେକ ବିନିର୍ଦ୍ଧିଷ୍ଟ ପେସା ଏବଂ ପ୍ରକ୍ରିୟାସମୂହରେ ନିୟୋଜନକୁ ନିଷିଦ୍ଧ କରିବା   ।
  • ନିଷିଦ୍ଧ ପେସା ଏବଂ ପ୍ରକ୍ରିୟାସମୂହର ଅନୁସୂଚିରେ ଅଦଳବଦଳ ପାଇଁ ନିଷ୍ପତ୍ତି ନେବାର ପ୍ରକ୍ରିୟାକୁ ଧାର୍ଯ୍ୟ କରିବା  ।
  • ଯେଉଁସବୁ ଶ୍ରମନିଯୁକ୍ତିରେ ଶିଶୁମାନଙ୍କୁ ନିୟୋଜନକୁ ବାରଣ କରୁଥିବା ଏହି ଆଇନ ତଥା ଅନ୍ୟସବୁ ଆଇନର ବ୍ୟବସ୍ଥାବଳୀକୁ ଉଲ୍ଲଂଘନ କରି ଶିଶୁମାନଙ୍କୁ ଶ୍ରମରେ ନିୟୋଜନ କରିବା ବିରୁଦ୍ଧରେ ବର୍ଦ୍ଧିତ ଦଣ୍ଡବିଧାନ ବ୍ୟବସ୍ଥା କରିବା  ।
  • ଶିଶୁମାନଙ୍କୁ ଶ୍ରମରେ ନିୟୋଜନକୁ ବାରଣ କରୁଥିବା ଏହି ଆଇନ ତଥା ଅନ୍ୟସବୁ ଆଇନର ବ୍ୟବସ୍ଥା ଉଲ୍ଲଂଘନ କରି ଶିଶୁମାନଙ୍କୁ ଶ୍ରମରେ ନିୟୋଜନ କରିବା ବିରୁଦ୍ଧରେ ବର୍ଦ୍ଧିତ ଦଣ୍ଡବିଧାନର ବ୍ୟବସ୍ଥା କରିବା   ।
  • ସମ୍ପର୍କିତ ସମସ୍ତ ବିଧିବିଧାନରେ  “ ଶିଶୁ” ର ସଂଜ୍ଞାରେ ସମରୂପତା ଆଣିବା  । “

ଧାରାୱ୍ୟାରି  ବ୍ୟବସ୍ଥାବଳୀ :-

  • ଧାରା- ୧( ସଂକ୍ଷିପ୍ତ ଶିରୋନାମା, ବ୍ୟାପ୍ତି ଓ ପ୍ରାରମ୍ଭ) : ଏଥିରେ ଆଇନର ନାମକାରଣ ହୋଇଛି ନାମକାରଣ ହୋଇଛି “ ଶିଶୁ  ଶ୍ରମ(ନିଷେଧ ଓ ନିୟନ୍ତ୍ରଣ) ଆଇନ ୧୯୮୬ : ଏହା ସାରା ଦେଶ ପାଇଁ ପ୍ରଯୁଜ୍ୟ  । ଏହାର ଭାଗ- ୩ କୁ ଛାଡି କୁ  ବାକି ଅଂଶ ଅଂଶ ସଙ୍ଗେ ବଳବତ୍ତର ହେବ ଏବଂ ଭାଗ – ୩ କେନ୍ଦ୍ର ସରକାରଙ୍କ ଦ୍ଵାରା ଗେଜେଟରେ ବିଜ୍ଞପ୍ତି ହୋଇଥିବା ତାରିଖରୁ ବଳବତ୍ତର ହେବ  । ରାଜ୍ୟ ସରକାରମାନେ ସେମାନଙ୍କ ପରିସରରେ ଥିବା ଭିନ୍ନ ଭିନ୍ନ ଶ୍ରମସଂସ୍ଥାପାଇଁ ଭିନ୍ନ ତାରିଖ ନିର୍ଧାରଣ କରି ଭାଗ – ୩ରେ ବ୍ୟବସ୍ଥାବଳୀକୁ ବଳବତ୍ତର କରିପାରନ୍ତି   ।
  • ଧାରା-୨(ସଂଜ୍ଞାମାନ) :- ଏଥିରେ ବିଭିନ୍ନ ଶବ୍ଦ ଓ ଅଭିବ୍ୟକ୍ତିର ସଂଜ୍ଞା ଦିଆଯାଇଛି,ଯଥା ସମୁଚିତ ସରକାର , ଶିଶୁ , ଦିବସ , ଶ୍ରମସଂସ୍ଥା,ପରିବାର , ମାଲିକ ବନ୍ଦର , କର୍ତ୍ତୃପକ୍ଷ, ବିହିତ , ସପ୍ତାହ ଓ କାର୍ଯ୍ୟସ୍ଥଳ  ।
  • ଧାରା- ୩ (ନିର୍ଦ୍ଧିଷ୍ଟ ପେଷା ଓ ଶ୍ରମପ୍ରକ୍ରିୟାରେ ଶିଶୁମାନଙ୍କ ନିଯୁକ୍ତିକୁ ନିଷେଧ) । ଏହି ଧାରା ଅନୁଯାଯାଇ କୌଣସି ଶିଶୁ (୧୪ ବର୍ଷ  ସମାପ୍ତ କରି ନଥିବା ଜଣେ ବାଳୁତ) କୁ ଆଇନ ସହ ସଂଲଗ୍ନ ଅନୁସୂଚିର ଭାଗ- ଏ ରେ ସ୍ଥାନିତ କୌଣସି ପେଷାରେ ବା ଭାଗ - ବି ରେ ସ୍ଥାନିତ ଶ୍ରମପ୍ରକ୍ରିୟାରେ ନିଯୁକ୍ତ କରାଯିବ ନାହିଁ   ।  ଏଠାରେ ଉଲ୍ଲେଖନୀୟ ଭାଗ- ଏ ଏବଂ ଭାଗ  - ୨ ରେ ଯଥାକ୍ରମେ ବିପଦସଙ୍କୁଳ ପେଷା ଓ ଶ୍ରମପ୍ରକ୍ରିୟାର ତାଲିକା ସ୍ଥାନିତ ହୋଇଛି   । କିନ୍ତୁ ଏହି ଧାରାର ଏକ ପରନ୍ତୁକ ରହିଛି , ଯେଉଁଥିରେ କୁହାଯାଇଛି – ଯେଉଁ ସ୍ଥଳେ ଗୋଟିଏ ଶ୍ରମପ୍ରକ୍ରିୟା ପାରିବାର ଲୋକଙ୍କ ଦ୍ଵାରା ପରିଚାଳିତ ହେଉଥାଏ ବା ସରକାରଙ୍କ ଦ୍ଵାରା ପରିଚାଳିତ , ସ୍ବୀକୃତି ପ୍ରାପ୍ତ ବା ସହାୟତା ପ୍ରାପ୍ତ ସ୍କୁଲରେ ପରିଚାଳିତ ହେଉଥାଏ   , ସେପରି ସ୍ଥଳେ ଏହି ଆଇନ ପ୍ରଯୁଜ୍ୟ ହେବ ନାହିଁ   ।
  • ଧାରା – ୪(ଅନୁସୂଚୀର ସଂଶୋଧନ ପାଇଁ କ୍ଷମତା); ଅନୁସୂଚୀରେ ସୂଚୀତ ହୋଇଥିବା ପେଷା  ଏବଂ ଶ୍ରମପ୍ରକ୍ରିୟାର ତାଲିକାରେ ନୂଆ ପେଷା  ବା ଶ୍ରମପ୍ରକ୍ରିୟା ଯୋଡିବା ପାଇଁ କେବଳ କେନ୍ଦ୍ର ସରକାରଙ୍କ କ୍ଷମତା ରହିଛି   ।  ଏଥିପାଇଁ କେନ୍ଦ୍ର ସରକାର ଗେଜେଟରେ ବିଜ୍ଞପ୍ତି କରି ଏକ ନୋଟିସ ଜାରି କରିବେ ଏବଂ ନୋଟିସ ତାରିଖରୁ ତିନିମାସ ଭିତରେ ସର୍ବସାଧାରଣ ମତାମତ ଲୋଡିବେ   ।  ଏହି ମାତାମତକୁ ଆଧାର କରି କେନ୍ଦ୍ର ସରକାର ଅନୁସୂଚୀର ସଂଶୋଧନ ଘଟାଇପାରିବେ   ।
  • ଧାରା- ୫(ଶିଶୁଶ୍ରମ ବୈଷୟିକ ଉପଦେଷ୍ଟା କମିଟି) ଆଇନର ଧାରା – ୩ ଅନୁଯାୟୀ ଅନୁସୂଚୀରେ ସ୍ଥାନିତ ହୋଇଥିଲା ଭାଗ –ଏ ଓ ଭାଗ – ବି ରେ ଯଥାକ୍ରମେ ସୂଚୀତ ହୋଇଥିବା ୭ ଟି ପେଷା ଓ  ୧୮ ଟି ଶ୍ରମପ୍ରକ୍ରିୟାରେ ଶିଶୁ ଶ୍ରମକୁ ନିଷିଦ୍ଧ କରାଯାଇଥିଲା  । କେଉଁ କେଉଁ ନୂତନ କ୍ଷେତ୍ର ବା ପ୍ରକ୍ରିୟାଗୁଡିକରେ ବାଳୁତ ଶ୍ରମ ନିଷିଦ୍ଧ କରାଯାଇପାରେ  , ସେଥିପାଇଁ ପରାମର୍ଶ ଦେବାପାଇଁ କେନ୍ଦ୍ର ସରକାର ଗୋଟିଏ ଶିଶୁଶ୍ରମ ବୈଷୟିକ ଉପଦେଷ୍ଟା କମିଟି ଗଠନ କରିବେ   ।  ଏହି କମିଟିରେ ଜଣେ ଅଧ୍ୟକ୍ଷଙ୍କ ସହିତ ସର୍ବାଧିକ ଦଶଜଣ ସଦସ୍ୟ ରହିବେ   ।  ଏହି କମିଟି ବିଭିନ୍ନ ପ୍ରାସଙ୍ଗିକ ବିଷୟ ଉପରେ ଭିନ୍ନ ଭିନ୍ନ ସବକମିଟି ଗଠନ  କରିପାରନ୍ତି ଏବଂ କମିଟି ବାହାରୁ ମଧ୍ୟ ବ୍ୟକ୍ତିଙ୍କୁ ଏଭଳି ସବକମିଟିଗୁଡିକରେ ସଭ୍ୟ ରୂପେ ନେଇପାରନ୍ତି   । କମିଟିର ଅଧ୍ୟକ୍ଷ ଓ ସଦସ୍ୟଗଣଙ୍କ କାର୍ଯ୍ୟକାଳ,  ପ୍ରାପ୍ୟ ଭତ୍ତାସମୂହ ଏବଂ ବାହାର ବ୍ୟକ୍ତିଙ୍କୁ ସବକମିଟିରେ ସାମିଲ କରିବାର ସର୍ତ୍ତାବଳୀକୁ କେନ୍ଦ୍ର ସରକାର ବିହିତ କରିବେ   । ଏଠାରେ ଉଲ୍ଲେଖନୀୟ , କାଳକ୍ରମେ ଅନୁସୂଚୀରେ ନିଷିଦ୍ଧ ହୋଇଥିବା  -ପେଷା ଓ ଶ୍ରମପ୍ରକ୍ରିୟାର ସଂଖ୍ୟା ଯଥାକ୍ରମେ  ୧୮ (ଭାଗ- ଏ) ଓ ୬୫(ଭାଗ- ବି) ରେ ପହଞ୍ଚିଛି  ।
  • ଧାରା- ୬ (ଭାଗ – ୩ ର ପ୍ରଯୁଜ୍ୟତା) :- ଏହି ଧାରାରେ କୁହାଯାଇଛି ଯେ ଭାଗ- ୩ (ଶିଶୁଶ୍ରମିକଙ୍କ ସ୍ଥିତିର ନିୟନ୍ତ୍ରଣ) ର ବ୍ୟବସ୍ଥାବଳୀ (ଯାହାକି ଭାଗ- ୩ ଅନ୍ତର୍ଗତ ଧାରା – ୬ ରୁ ଧାରା -୧୩ ଭିତରେ ସ୍ଥାନିତ) କେବଳ ସେହିସବୁ କାର୍ଯ୍ୟସ୍ଥଳ ପ୍ରତି ଲାଗୁହେବ, ଯେଉଁଠି ଧାରା- ୩ ରେ ନିଷିଦ୍ଧ ହୋଇଥିବା ପେଷା ଓ ଶ୍ରମପ୍ରକ୍ରିୟା ଚାଲୁ ନଥିବ   ।
  • ଧାରା-୭ (ଶ୍ରମର ନିର୍ଘଣ୍ଟ ଓ ଅବଧି) : ଏଥିରେ ପ୍ରଥମେ କୁହାଯାଇଛି, ଶିଶୁମାନଙ୍କୁ ଗୋଟିଏ ଶ୍ରମସଂସ୍ଥାରେ ବା ତାଦୃଶ ଶ୍ରମସଂସ୍ଥାସମୂହରେ କେତେଘଣ୍ଟା , ଖଟାଇ ହେବ , ତାହା ସମ୍ପୃକ୍ତ ଶ୍ରମ ସଂସ୍ଥା ପାଇଁ ବିହିତ କରାଯାଇଆପାରେ   । ଏହାପାରେ କୁହଯାଇଛି , ଯେଉଁସବୁ ଶ୍ରମକ୍ଷେତ୍ରରେ ଜଣେ ଶିଶୁକୁ ଆଇନତଃ ନିୟୋଜନ କରିହେବ  । କୋଣସିଠାରେ ଏକାଦି କ୍ରମେ ତିନି ଘଣ୍ଟାରୁ ଅଧିକ ସମୟ ତାକୁ ଖଟାଇ ହେବନି ଏବଂ ତିନିଘଣ୍ଟାରୁ ଅଧିକ ଖଟାଇବା ପୂର୍ବରୁ ତାକୁ ଗୋଟିଏ ଘଣ୍ଟାର ବିଶ୍ରାମ ଦେବାକୁ ପଡିବ । ପୁଣି କୁହାଯାଇଛି , ବିଶ୍ରାମ ସମୟ ଓ କାର୍ଯ୍ୟରେ ଯୋଗଦାନ ପୂର୍ବରୁ ପ୍ରତୀକ୍ଷା ସମେତ ଗୋଟିଏ ଦିନରେ ମୋଟ  ୬ ଘଣ୍ଟାରୁ ଅଧିକ ସମୟ ଜଣେ ଶିଶୁକୁ ଖଟାଇ ହେବନି   । ସନ୍ଧ୍ୟା ୭ ଟାରୁ ସକାଳ ୮ ତା ଭିତରେ କୌଣସି ଶିଶୁକୁ ଶ୍ରମରେ ନିୟୋଜନ କରାଯିବ ନାହିଁ  । କୌଣସି ଶିଶୁକୁ ଓଭରଟାଇମ କରିବାକୁ ଅନୁମତି ଦିଆଯିବ ନାହିଁ  । ଗୋଟିଏ ଦିନ ଭିତରେ ଜଣେ ଶିଶୁକୁ ଏକାଧିକ ସଂସ୍ଥାରେ ସମାନ ଧରଣର ଶ୍ରମ କରିବାକୁ ଅନୁମତି ଦିଆଯିବ ନାହିଁ  ।
  • ଧାରା- ୮ (ସାପ୍ତାହିକ ଛୁଟିଦିନ) ପ୍ରତି ଶ୍ରମସଂସ୍ଥା ସପ୍ତାହରେ ପ୍ରତି ଶିଶୁଶ୍ରମିକକୁ ଗୋଟିଏ ପୁରା ଦିନ ଛୁଟି ଦେବାକୁ ପଡିବ   ।  ଏହି ନିର୍ଦ୍ଧିଷ୍ଟ ଦିନ ବିଷୟରେ ସଂସ୍ଥାର ମାଲିକ ଏକ ସଦୃଶ ସ୍ଥାନରେ ବିଜ୍ଞାପିତ କରିଥିବେ ତଥା ତିନିମାସରୁ କମ ସମୟ ଅବଧି ଭିତରେ ଏହି ଧାର୍ଯ୍ୟ ଦିନକୁ ବଦଳା ଯାଇପାରିବ ନାହିଁ  ।
  • ଧାରା – ୯ (ଇନିସପେକଟରଙ୍କୁ ଅବଗତି) : ପ୍ରତି ଶ୍ରମସଂସ୍ଥା ଯେଉଁଠି ଏହି ଆଇନ ଲାଗୁ ହେବାର ଅବ୍ୟବହିତ ପୂର୍ବରୁ ଶିଶୁଶ୍ରମିକ ନିଯୁକ୍ତ ହୋଇଥିବେ ସେହି ସଂସ୍ଥାର ମାଲିକ ଏହି ଆଇନ ଲାଗୁ ହେବର ତିରିଶ ଦିନ ଭିତରେ ତାଙ୍କ ଇଲାକାପାଇଁ ଅବସ୍ଥାପିତ ହୋଇଥିବା ସମ୍ପୃକ୍ତ ଇନିସପେକ୍ଟରଙ୍କୁ ଏକ ଲିଖିତ ଆଗବତୀ ଦାଖଲ କରିବେ , ଯେଉଁଥିରେ ସୂଚୀତ ହୋଇଥିବ ସଂସ୍ଥାର ନାମ ଓ ଅବସ୍ଥିତି , ସଂସ୍ଥାର ପରିଚାଳନା ଭାର ପ୍ରକୃତ ପକ୍ଷେ ନ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ନାମ , ସଂସ୍ଥାଙ୍କ ସହ ଯୋଗାଯୋଗପାଇଁ ଠିକଣା ତଥା ସଂସ୍ଥାରେ ପରିଚାଳିତ ହେଉଥିବା ପେଷା ବା ଶ୍ରମ ପ୍ରକ୍ରିୟାର ପ୍ରକୃତି   ।  ଏହି ଆଇନ ଲାଗୁ ହେବା ପାରେ ଯଦି ଗୋଟିଏ ଶ୍ରମସଂସ୍ଥା  ଶିଶୁଶ୍ରମିକକୁ ନିଯୁକ୍ତ କରନ୍ତି, ତେବେ ଏଭଳି ନିଯୁକ୍ତି ଦେବାର ତିରିଶ ଦିନ ଭିତରେ ଉକ୍ତ ଶ୍ରମସଂସ୍ଥାର ମାଲିକ ସମ୍ପୃକ୍ତ ଇନିସପେକ୍ଟରଙ୍କୁ ଉପରୋକ୍ତ ତଥ୍ୟାବଳୀ ଲିଖିତ ଭାବେ ଅବଗତ କରାଇବେ   ।  କିନ୍ତୁ ଏହି ଧାରାରେ ପୁଣି କୁହାଯାଇଛି ଯେ , ଯେଉଁସ୍ଥଳେ ଜଣେ ସଂସ୍ଥାମାଲିକ ଶିଶୁଶ୍ରମିକର ପରିବାରକୁ ଜଡିତ କରି କୌଣସି ଶ୍ରମପ୍ରକ୍ରିୟା ଚାଲୁ ରଖିଥିବେ , ଅଥବା ଯେଉଁସ୍ଥଳେ ସରକାରଙ୍କ ଦ୍ଵାରା ସ୍ଥାପିତ ଅଥବା ସହାୟତା ବା ସ୍ବୀକୃତି ପ୍ରାପ୍ତ ଏକ ସ୍କୁଲ ଦ୍ଵାରା କୌଣସି ଶ୍ରମପ୍ରକ୍ରିୟା ଚାଲୁଥିବ, ସେପରି ସ୍ଥଳେ ଧାରା – ୭ (ଶ୍ରମର ନିର୍ଘଣ୍ଟ ଓ ଅବଧି) ବା ଧାରା – ୯ (ଇନିସପେକ୍ଟରଙ୍କୁ ଅବଗତି) ର ବ୍ୟବସ୍ଥାବଳୀ ସେମାନଙ୍କ ପ୍ରତି ଲାଗୁ ହେବ ନାହିଁ  ।
  • ଧାରା -୧୦ (ବୟସକୁ ନେଇ ବିବାଦ) :- ଯଦି ଶିଶୁଶ୍ରମିକଙ୍କୁ ନିଯୁକ୍ତ କରିଥିବା ଏକ ସଂସ୍ଥାର ମାଲିକ ଏବଂ ଇନିସପେକ୍ଟର ଭିତରେ ଜଣେ ଶିଶୁଶ୍ରମିକର ବୟସକୁ ନେଇ ବିବାଦ ଉପୁଜିବ,ଏବଂ ସେହି ପିଲାର ବୟସ ସଂବନ୍ଧରେ ବିହିତ କର୍ତ୍ତୃପକ୍ଷଙ୍କ ଠାରୁ ମଞ୍ଜୁର ହୋଇଥିବା ସାର୍ଟିଫିକେଟ ଉପଲବ୍ଧ ନଥିବ , ତେବେ ସମ୍ପୃକ୍ତ ଇନିସପେକ୍ଟର ଏହି ବିବଦମାନ ବିଷୟକୁ ବିହିତ ହୋଇଥିବା ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟକୁ ତାଙ୍କର ଫଇସଲା ପାଇଁ ସୂଚୀତ କରିବେ   ।
  • ଧାରା – ୧୧ (ରେଜିଷ୍ଟର ରକ୍ଷଣାବେକ୍ଷଣା) :- ଶିଶୁଶ୍ରମିକଙ୍କୁ ନିଯୋଜିତ କରୁଥିବା ପ୍ରତି ସଂସ୍ଥା ଏକ ରେଜିଷ୍ଟର ରଖିବେ , ଯେଉଁଥିରେ ପ୍ରତି ଶିଶୁଶ୍ରମିକଙ୍କ ନାମ ଓ ଜନ୍ମତାରିଖ ସେ ଯେତିକି ଘଣ୍ଟା ପାଇଁ ଶ୍ରମ କରିବ ଏବଂ ଶ୍ରମ ଭିତରେ ଯେଉଁ ସମୟ ଅବଧିପାଇଁ ବିଶ୍ରାମ ନେବ, ଏବଂ କେଉଁ ଧରଣର ଶ୍ରମରେ ସେ ନିଯୁକ୍ତ ସେ ସବୁ ସଂବନ୍ଧରେ ସୂଚନା ତଥା ବିହିତ ହେବାମତେ ଅନ୍ୟ ଯେକୌଣସି ବିଷୟ ଉପରେ ସବିଶେଷ ସୂଚନା ଲିପିବଦ୍ଧ ହୋଇ ରହିବ   । ସଂସ୍ଥାରେ କାର୍ଯ୍ୟ ଚାଲୁଥିବାବେଳେ ଏହି ରେଜିଷ୍ଟର ଇନିସପେକ୍ଟରଙ୍କ ଦ୍ଵାରା ନିରୀକ୍ଷଣ ପାଇଁ ମୁକ୍ତ ରହିବ   ।
  • ଧାରା – ୧୨ (ଧାରା ୩ ଧାରା  ୧୪ ର ସାରାଂଶ ଉପରେ ନୋଟିସ ପ୍ରଦର୍ଶନ) :

ରେଳବାଇ , ବନ୍ଦର ବା ଅନ୍ୟ ଯେକୌଣସି ନିଯୁକ୍ତିକାରୀ ସଂସ୍ଥା ଧାରା – ୩ (ଶିଶୁଶ୍ରମକୁ ନିଷେଧ) ଏବଂ ଧାରା – ୧୪      (ଦଣ୍ଡବିଧାନ) ର ସାରାଂଶକୁ ଉଭୟ ସ୍ଥାନୀୟ ଓ ଇଂରାଜୀ ଭାଷାରେ ଲିପିବଦ୍ଧ କରି ସଦୃଶ୍ୟ ସ୍ଥାନମାନଙ୍କରେ ପ୍ରଦର୍ଶନ କରିବେ ।

  • ଧାରା – ୧୩ (ସ୍ୱାସ୍ଥ୍ୟ ଓ ନିରାପତ୍ତା) – କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତ ଶିଶୁଶ୍ରମିକମାନଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତା ସ୍ଵାର୍ଥରେ ଏହି ଆଇନ ଅଧୀନରେ ନିୟମାବଳୀ ପ୍ରଣୟନ କରିପାରନ୍ତି   । ଏହି ନିୟମାବଳୀରେ ନିମ୍ନୋକ୍ତ ସମସ୍ତ ବା କେତେକ ବିଷୟ ଉପରେ ପ୍ରଣିତ ହୋଇପାରେ  ,ଯଥା-
  1. କାର୍ଯ୍ୟସ୍ଥଳୀରେ ପରିଚ୍ଚନ୍ନତା ଏବଂ ଆବର୍ଜନାମୁକ୍ତ କାର୍ଯ୍ୟସ୍ଥଳୀ
  2. ଅଳିଆ ଏବଂ ବର୍ଜ୍ୟବସ୍ତୁର ନିଷ୍କାସନ
  3. ବାୟୁ ସଂଚାଳନ ଏବଂ ତାପମାନ
  4. ଧୁଳି ଓ ଧୂଆଁ
  5. ପରିବେଶରେ କୃତ୍ରିମ ଗୁଳୁଗୁଳି ବୃଦ୍ଧି
  6. ଆଲୋକ ବ୍ୟବସ୍ଥା
  7. ପାନୀୟ ଜଳ
  8. ପାଇଖାନା ଓ ମୂତ୍ରାଶୟ
  9. ଥୁକସ୍ଥଳ,
  10. ବାଡବୁଜା ବ୍ୟବସ୍ଥା
  11. ସକ୍ରିୟ ଅବସ୍ଥାରେ ଥିବା ଜନ୍ତ୍ର ସହିତ ବା ଯନ୍ତ୍ର ନିକଟରେ କାମ କରିବା
  12. ବିପଜ୍ଜନକ ଯନ୍ତ୍ରାଦିର ଚାଳନାରେ ଶିଶୁମାନଙ୍କୁ ନିୟୋଜନ   ।
  13. ବିପଜ୍ଜନାକ ଯନ୍ତ୍ରାଦିର ଚାଲାଣରେ ଶିଶୁମାନଙ୍କୁ ନିୟୋଜିତ   କରିବା ବିଷୟ ରେ ନିର୍ଦ୍ଦେଶାବଳୀ , ତାଲିମ ଓ ତଦାରଖ
  14. ବିଜୁଳି କଟିବାର କୌଶଳ
  15. ସ୍ଵୟଂଚାଳିତ ଯନ୍ତ୍ରାଦି
  16. ନୂଆ ଯନ୍ତ୍ରାଦିର ବ୍ୟବହାରକୁ ସରଳୀକରଣ
  17. ଚଟାଣ,ସିଡି ଏବଂ ପ୍ରବେଶ ପଥ
  18. ଚଟାଣରେ ଖାଲ ଓ ଢିପ ଏବଂ ମୁକୁଳା ସ୍ଥାନ ବିଶେଷ
  19. ଅତିରିକ୍ତ ଓଜନ
  20. ଆଖିର ସୁରକ୍ଷା
  21. ବିସ୍ପୋରକ ବା ଦହ୍ୟ ଗୁଣ୍ଡ , ଗ୍ୟାସ ଇତ୍ୟାଦି
  22. ଅଗ୍ନିକାଣ୍ଡ ସଂବନ୍ଧରେ ସତର୍କତା

W.  ବିଲଡିଙ୍ଗଗୁଡିକର ରକ୍ଷଣାବେକ୍ଷଣ

  1. ବିଲଡିଙ୍ଗସମୂହ ଏବଂ ଯନ୍ତ୍ରପାତିର ନିରାପତ୍ତା
  • ଧାରା -୧୪ (ଦଣ୍ଡସମୂହ) : ଏହି ଆଇନର ଧାରା  -୩ କୁ ଉଲ୍ଲଂଘନ କରି ବାଳୁତ ଶ୍ରମିକଙ୍କୁ ନିୟୋଜିତ କରୁଥିବା ସଂସ୍ଥା ବା ବ୍ୟକ୍ତିଙ୍କ ବିରୋଧରେ ସର୍ବନିମ୍ନ ୩ ମାସରୁ ସର୍ବାଧିକ ୧ ବର୍ଷ ଜେଲ ବା ସର୍ବନିମ୍ନ ୧୦ ହଜାରରୁ ସର୍ବାଧିକ  ୨୦ ହଜାର ଟଙ୍କାର ଜୋରିମାନା ଅଥଚ ଉଭୟ ଦଣ୍ଡ ଲାଗୁ ହୋଇପାରିବ   ।  ଧାରା- ୩ ର ପୁନର୍ବାର ଉଲ୍ଲଂଘନ ଘଟାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସର୍ବନିମ୍ନ ୬ ମାସରୁ ସର୍ବାଧିକ ୨ ବର୍ଷ ଜେଲଦଣ୍ଡ ମିଳିବ । ଅନ୍ୟାନ୍ୟ ବ୍ୟବସ୍ଥାର ଉଲ୍ଲଂଘନ ଘଟାଇଲେ , ଅର୍ଥାତ ଧାରା – ୯ ଅଧୀନରେ ଆବଶ୍ୟକୀୟ ନୋଟିସ ବା ଅବଗତି ନକଲେ , ଧାରା – ୧୧ ଅଧୀନରେ ଆବଶ୍ୟକୀୟ ରେଜିଷ୍ଟର ରକ୍ଷଣାବେକ୍ଷଣ ନକଲେ ଅଥବା ଏଭଳି ରେଜିଷ୍ଟରରେ ଭୁଲ ତଥ୍ୟ ଦରଜ କରିଥିଲେ , ଧାରା- ୧୨ ଅଧୀନରେ ଆବଶ୍ୟକ ପଡୁଥିବା ଧାରା- ୩ ଓ ଧାରା – ୧୪ର ସାରାଂଶକୁ ସୁଦୃଶ୍ୟ ଭାବେ ପ୍ରଦର୍ଶନ ନକଲେ , ଏହି ଆଇନ ବା ଏହା ଅଧୀନରେ ପ୍ରଣିତ ନିୟମାବଳୀର କୌଣସି ବ୍ୟବସ୍ଥାର ଉଲ୍ଲଂଘନ କଲେ, ତାଙ୍କୁ ସର୍ବାଧିକ ଏକମାସ ପର୍ଯ୍ୟନ୍ତ ସଶ୍ରମ ଜେଲ ବା ସର୍ବାଧିକ ଦଶ ଯାହାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବା ଉଭୟ ଦଣ୍ଡ ଲାଗୁ ହୋଇପାରିବ   ।
  • ଧାରା  ୧୫(ଦଣ୍ଡବିଧାନ କ୍ଷେତ୍ରରେ ନିର୍ଦ୍ଧିଷ୍ଟ କେତେକ ଆଇନର ପତିବର୍ତ୍ତନୀୟ ପ୍ରୟୋଗ) : ଯଦି ଜଣେ ବ୍ୟକ୍ତି କାରଖାନା ଆଇନ ୧୯୪୮ ର ଧାରା  ୬୭ , ଖଣିସମୂହ ଆଇନ ୧୯୫୨ ର ଧାରା  ୪୦,  ବାଣିଜ୍ୟକ ଜାହାଜ ଚଳାଚଳ ଆଇନ ,୧୯୫୮ ଧାରା  ୧୦୯ ବା ମୋଟରଯାନ ପରିବହନ ଶ୍ରମିକ ଆଇନ  ୧୯୬୧ ର ଧାରା  ୨୧ କୁ ଉଲ୍ଲଂଘନ ଘଟାନ୍ତି , ତେବେ ତାଙ୍କ ପ୍ରତି ସେହି ସବୁ ଆଇନରେ ଥିବା ଦଣ୍ଡବ୍ୟବସ୍ଥା ଲାଗୁ ନ ହୋଇ ଏହି ଆଇନର ଧାରା – ୧୪ ଅଧିନସ୍ଥ ଦଣ୍ଡବ୍ୟବସ୍ଥା ଲାଗୁ ହେବ   ।
  • ଧାରା  ୧୬- (ଅପରାଧସମୂହ ସଂକ୍ରାନ୍ତରେ ବିଧିପ୍ରକ୍ରିୟା) – ଯେକୌଣସି ବ୍ୟକ୍ତି ପୋଲିସ ଅଫିସର ବା ଇନିସପେକ୍ଟର ଏହି ଆଇନର ଉଲ୍ଲଂଘନ ବିରୁଦ୍ଧରେ କ୍ଷମତାପ୍ରାପ୍ତ କୋର୍ଟରେ କେଶ ରଜ୍ଜୁ କରିପାରନ୍ତି   । ଜଣେ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ବା  ୧ ମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ ଠାରୁ ଅଧନସ୍ତ କୌଣସି କୋର୍ଟ ଏଭଳି କେଶ ବିଚାର କରିବେ ନାହିଁ   ।  ଏହାଛଡା ବୟସକୁ ନେଇ ଉପୁଜିଥିବା ବିବାଦ ପରିପ୍ରେକ୍ଷୀରେ ଏହି ଆଇନର ଉଦ୍ଦେଶ୍ୟ ସାଧନ ପାଇଁ ବିହିତ ମେଡିକାଲ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ବୟସ ସାର୍ଟିଫିକେଟକୁ ସମ୍ପୃକ୍ତ ଶିଶୁର ବୟସ ସଂବନ୍ଧରେ ଚୂଡାନ୍ତ ପ୍ରମାଣ ବୋଲି ବିବେଚନା କରାଯିବ   ।
  • ଧାରା – ୧୭ (ଇନିସପେକ୍ଟର ମାନଙ୍କୁ ନିଯୁକ୍ତି) : ସମୁଚିତ ସରକାର ଏହି ଆଇନର କାର୍ଯ୍ୟକାରିତା ଉଦ୍ଦେଶ୍ୟରେ ଯଥାସଂଖ୍ୟକ ଇନିସପେକ୍ଟର ନିଯୁକ୍ତ କରିପାରନ୍ତି   । ଏଭଳି ନିଯୁକ୍ତ ହୋଇଥିବା ଜଣେ ଇନିସପେକ୍ଟରଙ୍କୁ ଭାରତୀୟ ଫିଙ୍ଗଳ କୋର୍ଟ ୧୮୬୦ କୃତ ସଂଜ୍ଞାୟନ ମତେ ଜଣେ ଜନସେବକ ବୋଲି ବିବେଚନା କରାଯିବ   ।
  • ଧାରା  - ୧୮ (ନିୟମାବଳୀ ପ୍ରଣୟନ ପାଇଁ କ୍ଷମତା) – ସମୁଚିତ ସରକାର ଏହି ଆଇନର କାର୍ଯ୍ୟକାରିତା ଉଦ୍ଦେଶ୍ୟରେ ସରକାରୀ ଗେଜେଟରେ ବିଜ୍ଞପ୍ତି ବଳରେ ନିୟମାବଳୀ ଘୋଷଣା କରିପାରନ୍ତି  । ମୂଳ ଆଇନର ସାର୍ବିକତାକୁ କ୍ଷୁଣ୍ଣ ନ କରି ଏହି ନିୟମାବଳୀ ନିମ୍ନୋକ୍ତ ସମସ୍ତ ବା କେତେକ ବ୍ୟାପାରରେ ବ୍ୟବସ୍ଥାବଳୀ ପ୍ରଣୟନ କରିପାରେ – ଯଥା – ଶିଶୁଶ୍ରମ ବୈଷୟିକ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ଓ ସଦସ୍ୟ ପଦର ଖାଲିସ୍ଥାନ ଏବଂ ସେମାନଙ୍କୁ ପ୍ରାପ୍ୟ ଭତ୍ତାସମୂହ ତଥା କମିଟି ଅଧୀନ ରେ ଗଠିତ ହେବାକୁ ଥିବା – କମିଟିରେ ଜଣେ ଅଣ-ସଦସ୍ୟ ବ୍ୟକ୍ତିଙ୍କୁ ଗ୍ରହଣ କରାଯିବା କ୍ଷେତ୍ରରେ ସର୍ତ୍ତାବଳୀ ଓ କଟକଣା ମାନ ; ଧାରା – ୭ ଅଧୀନରେ କେତେ ଘଣ୍ଟାପାଇଁ ଜଣେ ଶିଶୁକୁ ଶ୍ରମ କରିବାପାଇଁ ଅନୁମତି ଦିଆଯାଇପାରେ  ;ନିଯୁକ୍ତ ଥିବା ଅଥବା ନିଯୁକ୍ତି ଚାହୁଁଥିବା ବାଳୁତମାନଙ୍କର ବୟସ ସାର୍ଟିଫିକେଟ କେଉଁ ମେଡିକାଲ କର୍ତ୍ତୃପକ୍ଷ ମଞ୍ଜୁର କରିପାରନ୍ତି ;  ଏହି ସାର୍ଟିଫିକେଟ ଫର୍ମ ; ଏଭଳି ସାର୍ଟିଫିକେଟ ପାଇଁ ପ୍ରଦେୟ ଅର୍ଥରାଶି ଏବଂ କେଉଁ ପ୍ରକ୍ରିୟାରେ ଏଭଳି ସାର୍ଟିଫିକେଟ ଇସୁ କରାଯିବ   । ପରନ୍ତୁ ଏହି ଧାରାରେ କୁହାଯାଇଛି , ଯେଉଁସ୍ଥଳେ ବୟସ ସାର୍ଟିଫିକେଟ ପାଇଁ ଦାଖଲ ହୋଇଥିବା ଦରଖାସ୍ତରେ ସଂଲଗ୍ନ ହୋଇଥିବା ବୟସ ସଂକ୍ରାନ୍ତୀୟ ପ୍ରମାଣ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ସନ୍ତୋଷଜନକ ବୋଲି ହୃଦବୋଧ ହୋଇଥିବ ,  ସେପରି ସ୍ଥଳେ କୌଣସି ଦେୟ ଦେବାକୁ ପଡିବ ନାହିଁ  । ଏହାଛଡା ଧାରା – ୧୧ ରେ ସୂଚୀତ ହୋଇଥିବା ରେଜିଷ୍ଟରରେ ଆଉ କେଉଁ ତଥ୍ୟାବଳି ପାଇଁ ସ୍ଥାନ ରଖାଯିବ ,  ସେ ବିଷୟ ମଧ୍ୟ ଏହି ନିୟମାବଳିରେ ସ୍ଥାନ ପାଇପାରେ   ।
  • ଧାରା- ୧୯ ପାର୍ଲିଆମେଣ୍ଟ ବା ରାଜ୍ୟ ଆଇନସଭାକୁ ନିୟମାବଳୀ ଓ ବିଜ୍ଞପ୍ତିସମୂହ ଉପରେ ଅବଗତି):- ଏହି ଆଇନ ଅଧୀନରେ କେନ୍ଦ୍ର ସରକାର ବା ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରସ୍ତୁତି ପ୍ରତି ନିୟମ ଉପରେ ଯଥାସ୍ଥିତି ପାର୍ଲିଆମେଣ୍ଟ ବା ରାଜ୍ୟ ଆଇନ ସଭାକୁ ଅବଗତ କରାଯିବ   ।  ପାର୍ଲିଆମେଣ୍ଟ ବା ରାଜ୍ୟ ଆଇନସଭା ଚାହିଁଲେ ସମ୍ପୃକ୍ତ ନିୟମାବଳୀରେ ସଂଶୋଧନ ଘଟାଇପାରନ୍ତି,ଏବଂ ପରିଶେଷରେ ସଂଶୋଧିତ ନିୟମାବଳୀ ହିଁ କାଏମ ରହିବ  ।
  • ଧାରା- ୨୦(କେତେକ ନିର୍ଦ୍ଧିଷ୍ଟ ବିଧିବିଧାନ ଉପରେ ପ୍ରତିବନ୍ଧକ ଆରୋପିତ ନ ହେବା) :- ଧାରା  ୧୫ରେ ଯେଉଁ କେତେକ ଆଇନର ଦଣ୍ଡବିଧାନ ବ୍ୟବସ୍ଥାର ସଂଶୋଧନ ପାଇଁ କୁହାଯାଇଛି , ତାକୁ ଛାଡିଦେଲେ ଏହି ଆଇନର ବ୍ୟବସ୍ଥାବଳୀ କାରଖାନା ଆଇନ ୧୯୪୮,ବୃକ୍ଷରୋପଣ ଶ୍ରମିକ ଆଇନ ୧୯୫୧ ଓ ଖଣି ସମୂହ ଆଇନ ୧୯୫୨ ର ବ୍ୟବସ୍ଥାବଳୀକୁ ଉପେକ୍ଷା ନ କରି ସେଗୁଡିକ ସହିତ ଅତିରିକ୍ତ ବ୍ୟବସ୍ଥାବଳୀ ରୂପେ ସହାବସ୍ଥାନ କରିବ   ।
  • ଧାରା  - ୨୧ (ଅସୁବିଧା ଦୂରୀକରଣ ପାଇଁ କ୍ଷମତା): ଯଦି ଏହି ଆଇନର ବ୍ୟବସ୍ଥାବଳୀକୁ କାର୍ଯ୍ୟରୂପେ ଦେବା କ୍ଷେତ୍ରରେ କୌଣସି ଅସୁବିଧା ଦେଖାଦିଏ , ତେବେ କେନ୍ଦ୍ର ସରକାର ତାହାକୁ ଦୂରୀକରଣ କରିବା ଉଦ୍ଦେଶ୍ୟରେ ଏହି ଆଇନର ବ୍ୟବସ୍ଥାବଳୀ ସହିତ ଅସଙ୍ଗତ ହେଉନଥିବା ବ୍ୟବସ୍ଥାବଳୀ ପ୍ରଣୟନ କରି ସରକାରୀ ଗେଜେଟରେ ବିଜ୍ଞପ୍ତି କରିବେ   ।  କିନ୍ତୁ ଏହି ଆଇନ ରାଷ୍ଟ୍ରପତିଙ୍କ ସମ୍ମତି ପାଇବାର ତିନିବର୍ଷ ପୂରିବା ପରେ କେନ୍ଦ୍ର ସରକାର ଏଭଳି ଆଦେଶ ଜାରି କରିପାରିବେ ନାହିଁ  ।  ଏଭଳି ପ୍ରତି ଆଦେଶ ସଂବନ୍ଧରେ ଯଥାଶୀଘ୍ର ପାର୍ଲିଆମେଣ୍ଟ ଉଭୟ ଗୃହକୁ ଅବଗତ କରାଯିବ  ।
  • ଧାରା- ୨୨ (ପ୍ରତ୍ୟାହାର ଏବଂ ସଂରକ୍ଷଣ) – ଶିଶୁମାନଙ୍କ ନିଯୁକ୍ତି ଆଇନ ୧୯୩୮ ଏତଦ୍ଵାରା ପ୍ରତ୍ୟାହାର କରାଯାଉଛି   । କିନ୍ତୁ ଉକ୍ତ ଆଇନ ପ୍ରତ୍ୟାହାର ହେବା ସ୍ଵତ୍ତ୍ୱେ ଯଦି ତାହା ଅଧୀନରେ ପୂର୍ବରୁ ନିଆଯାଇଥିବା କୌଣସି ପଦକ୍ଷେପ ଏହି ଆଇନ ସହିତ ଅସଂଗତ ହେଉନ ଥିବ , ତେବେ ତାହା ଏହି ଆଇନର ଯଥାରୂପ ବ୍ୟବସ୍ଥାବଳୀ ଅନୁଯାୟୀ ଗୃହିତ ହୋଇଥିବ ବୋଲି ମନେ କରାଯିବ   ।
  • ଧାରା- ୨୩ (୧୯୪୮ ଆଇନର ସଂଶୋଧନ) :- ସର୍ବନିମ୍ନ ମଜୁରି ଆଇନ ୧୯୪୮ ର ଧାରା – ୨ ରେ ନିମ୍ନୋକ୍ତ ସଂଶୋଧନମାନ ଅଣାଜୀବ  , ଯଥା – କ୍ଲଜ (ଏ) ରେ ଏହା ପ୍ରତିସ୍ଥାନିତ ହେବ  -“ (ଏ) “ କିଶୋର “ କହିଲେ ସେହି ବ୍ୟକ୍ତି ଯେ କି ୧୪ ବର୍ଷ ଅତିକ୍ରମ କରିଛି କିନ୍ତୁ  ୧୮ ବର୍ଷ ଅତିକ୍ରମ କରି ନାହିଁ । “ (ଏଏ) “ ସାବାଳକ କହିଲେ ଜଣେ ବ୍ୟକ୍ତି ଯେ କି  ୧୮ ବର୍ଷ ଅତିକ୍ରମ କରିସାରିଛି   “ ।  ପୁଣି , କ୍ଲଜ (ବି) ପରେ ନିମ୍ନ କ୍ଲଜତି ଭର୍ତ୍ତି ହେବ  -“ ଶିଶୁ କହିଲେ ଜଣେ ବ୍ୟକ୍ତି ଯେ , କି ୧୪ ବର୍ଷ ଅତିକ୍ରମ କରି ନାହିଁ  “ ।
  • ଧାରା – ୨୪ (୧୯୫୧ ଆଇନର ସଂଶୋଧନ) : ବୃକ୍ଷରୋପଣ ଶ୍ରମିକ ଆଇନ  ୧୯୫୧ ର ଧାରା  -୨ ରେ ଥିବା କ୍ଲଜ (ଏ) ଓ (ସି) ରେ “ ପନ୍ଦର “ ଶବ୍ଦ ସ୍ଥାନରେ “ ଚଉଦ “ ଶବ୍ଦ ପ୍ରତିସ୍ଥାନିତ ହେବ ; ଧାରା  -୧୪ କୁ ବିଲୋପ କରାଯିବ  ; ଧାରା  ୨୬ ରେ ଏହାର ପ୍ରାରମ୍ଭରେ ଥିବା ଅଭିବ୍ୟକ୍ତି- “ ଯେ କି ବାର ବର୍ଷ ଅତିକ୍ରମ କରିଛି “ କୁ ବିଲୋପ କରାଯିବ   ।
  • ଧାରା – ୨୫ (୧୯୫୮ ଆଇନର ସଂଶୋଧନ) : ବାଣିଜ୍ୟକ ଜାହାଜ ଚଳାଚଳ ଆଇଆନ  ୧୯୫୮ ର ଧାରା – ୧୦୯ରେ “ ପନ୍ଦର” ଶବ୍ଦ ବଦଳରେ “ ଚଉଦ “ ଶବ୍ଦ ପ୍ରତିସ୍ଥାନିତ ହେବ  ।
  • ଧାରା- ୨୬ (୧୯୬୧ ଆଇନର ସଂଶୋଧନ) :- ମୋଟରଜାଣ ପରିବହନ ଶ୍ରମିକ ଆଇନ  ୧୯୬୧ ର ଧାରା – ୨ରେ ଥିବା କ୍ଲଜ (ଏ) ଏବଂ (ସି) ରେ ବ୍ୟବହୃତ ହୋଇଥିବା  “ ପନ୍ଦର “ ଶବ୍ଦ ବଦଳରେ “ ଚଉଦ” ଶବ୍ଦ ପ୍ରତିସ୍ଥାନିତ ହେବ   ।
  • ଧାରା- ୨୩ ରୁ  ଧାରା- ୨୬ ର ବ୍ୟବସ୍ଥାବଳୀ ପ୍ରତ୍ୟାହୃତ :- ପ୍ରତ୍ୟାହାରକାରୀ ଓ ସଂଶୋଧନକାରୀ ଆଇନ  ୨୦୦୧ ର ଧାରା – ୨ ଓ ପ୍ରଥମ ଅନୁସୂଚି ବଳରେ ଶିଶୁଶ୍ରମ  (ନିଷେଧ ଓ ନିୟନ୍ତ୍ରଣ) ଆଇନ, ୧୯୮୬ ର ଧାରା – ୨୩ ରୁ ଧାରା – ୨୬ ଭିତରେ ଥିବା ବ୍ୟବସ୍ଥାବଳୀ ପ୍ରତ୍ୟାହୃତ ହୋଇଛି  । କିନ୍ତୁ ଏଭଳି ପ୍ରତ୍ୟାହାର ସତ୍ତ୍ୱେ ଯଦି ପ୍ରତ୍ୟାହୃତ ବ୍ୟବସ୍ଥାବଳୀ ଆଗରୁ କୌଣସି ସ୍ଥଳେ ପ୍ରୟୋଗ ହୋଇଥିବ , ତାହା ଏହି ପ୍ରତ୍ୟାହାର ଫଳରେ ପ୍ରଭାବିତ ହେବନି   ।

ଅନୁସୂଚୀ : ବିପଜ୍ଜନକ ଶ୍ରମ- କାର୍ଯ୍ୟସମୂହ ଓ ଶ୍ରମ – ପ୍ରକ୍ରିୟାସମୂହ :-

ପୂର୍ବରୁ ସୂଚୀତ ହୋଇଛି ଯେ , ଆଇନ  ୧୯୮୬ ର ଧାରା – ୩ରେ ଯେଉଁସବୁ ପେସା ଓ ଶ୍ରମ ପ୍ରକ୍ରିୟାରେ  ୧୪ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ନିଯୋଜନ କରିବା ନିଷିଦ୍ଧ ହୋଇଛି , ତାହା ଯଥାକ୍ରମେ ଆଇନ ସହ ସଂଲଗ୍ନ ଥିବା ଅନୁସୂଚୀରେ ସ୍ଥାନିତ ୨ ଟି ସ୍ଵତନ୍ତ୍ର ତାଲିକା  (ଭାଗ – ଏ ଓ ଭାଗ – ବି) ରେ ସୂଚୀତ ହୋଇଛି   ।  ଭାଗ-ଏ ରେ ପ୍ରଥମେ ୭ ଟି ପେଷା ଏବଂ ଭାଗ – ବି ରେ ୧୮ ଟି ଶ୍ରମପ୍ରକ୍ରିୟା ସ୍ଥାନିତ ହୋଇଥିଲା  , ଯାହାକି ଏବେ ସୁଦ୍ଧା ଲମ୍ବି ଲମ୍ବି ଯଥାକ୍ରମେ  ୧୮ ଓ ୬୫ ରେ ପହଞ୍ଚିଛି  ।  ଆଇନର ଧାରା- ୪ ଅନୁଯାୟୀ ଅନୁସୂଚୀର ସଂଶୋଧନ ପାଇଁ କେନ୍ଦ୍ର ସରକାରଙ୍କର କ୍ଷମତା ରହିଛି ,  ଏବଂ ଏଭଳି କୌଣସି ସଂଶୋଧନ ପ୍ରସ୍ତାବ ସଂବନ୍ଧରେ କେନ୍ଦ୍ର ସରକାର ଗେଜେଟରେ ବିଜ୍ଞପ୍ତି କରି ତିନି ମାସ ଭିତରେ ସର୍ବସାଧାରଣଙ୍କ ମତାମତ ନିଶ୍ଚିତ ରୂପେ ଲୋଡୁଥିବେ   ।  ଧାରା – ୫ ଅନୁଯାୟୀ ଏପ୍ରକାର ସଂଶୋଧନପାଇଁ ଶିଶୁଶ୍ରମ ବୈଷୟିକ ଉପଦେଷ୍ଟା କମିଟିଙ୍କର ପରାମର୍ଶ ଦିଆଯାଇଥିବ  ।  ଏଠାରେ ସୂଚନାଯୋଗ୍ୟ ଏ ଯାବତ କେନ୍ଦ୍ର ସରକାର ନିମ୍ନୋକ୍ତ ବିଜ୍ଞପ୍ତିଗୁଡିକ ବଳରେ ଉକ୍ତ ଅନୁସୂଚୀରେ ସ୍ଥାନିତ ଦୁଇଟି ତାଲିକାର ସଂପ୍ରସାରଣ କରିଛନ୍ତି , ଯଥା –

1)    S.O 404 (E),dated the 5 th june,1989 .

2)    S.O 263 (E) , dated the 29 th march 1994

3)    S.O 36(E) , dated the  27 th January 1999

4)    S.O 397 (E) dated the 10 th May 2001

5)    S.O 1542(E) dated the 10 th October,2006

6)    S.O 2280 (E) dated the 25 th September 2008

7)    S.O 2469 (E) dated the 8 th October 2010

ଅନୁସୂଚୀର ଭାଗ – ଏ : ବିପଜ୍ଜନକ ଶ୍ରମକାର୍ଯ୍ୟ ସମୂହର ତାଲିକା  :-  ଯେଉଁସବୁ ଶ୍ରମ ନିମ୍ନୋକ୍ତ କ୍ଷେତ୍ର ସହିତ ସମ୍ପୃକ୍ତ , ଯଥା –

  1. ରେଳୱେଦ୍ଵାରା ଯାତ୍ରୀ ,  ,ଆଲ ବା ଡାକ ପରିବହନ
  2. ରେଳୱେ ପରିସରରେ ପୋଡା କୋଇଲା ଉଠାଇବା  , ଅବର୍ଜ୍ଜନା ବା ବିଲଡିଙ୍ଗ ପରିଷ୍କାର କରିବା   ।
  3. ରେଳୱେ ଷ୍ଟେସନ ବା ଟ୍ରେନରେ ଖାଦ୍ୟପେୟ ପରଷିବା   ।
  4. ରେଳୱେ ଷ୍ଟେସନ ବା ରେଳ ଲାଇନ ନିର୍ମାଣ
  5. କୌଣସି ବନ୍ଦର ଭିତରେ କାର୍ଯ୍ୟ
  6. ସାମୟିକ ଲାଇସେନ୍ସ ପ୍ରାପ୍ତ ଦୋକାନରେ ବାନ ବା ଆତସବାଜି ବିକ୍ରି କରିବା   ।
  7. କଂସେଇଖାନା
  8. ଅଟୋମୋବାଇଲ କାରଖାନା ବା ଗ୍ୟାରେଜ
  9. ଗୋଳାବାରୁଦ କାରଖାନା

10.  ଦାହ୍ୟ ଓ ବିସ୍ପୋରକ ସାମଗ୍ରୀ ପ୍ରସ୍ତୁତ

11.  ହସ୍ତତନ୍ତ ଓ ଯନ୍ତ୍ରଚାଳିତ ବୟନ ଶିଳ୍ପ

12.  ଖଣିକାର୍ଯ୍ୟ (ଭୁଇଁ ଏବଂ ଜଳର ଅଭ୍ୟନ୍ତରରେ ) ଏବଂ କୋଇଲାଗଦା :

13.  ପ୍ଲାଷ୍ଟିକ ଓ ଫାଇବାର କାର୍ଯ୍ୟ

14.  ଘରୋଇ କର୍ମୀ ବା ଚାକରିଆ କାର୍ଯ୍ୟ

15.  ରାସ୍ତାପାର୍ଶ୍ଵ ଢାବା ,ହୋଟେଲ ,  ଚା ଦୋକାନ ,  ପର୍ଯ୍ୟଟନ ସ୍ଥଳ , ଜଳକ୍ରିଡା ବା ଅନ୍ୟାନ୍ୟ ମନୋରଞ୍ଜନ କେନ୍ଦ୍ର

16.  ଡାଇଭିଂ

17.  ସର୍କସ

18.  ହାତୀ ପାଳନ

ଅନୁସୂଚୀ ଭାଗ –ବି- ବିପଜ୍ଜନକ ଶ୍ରମପ୍ରକ୍ରିୟାସମୂହର ତାଲିକା  :-

  1. ବିଡି ତିଆରି
  2. କାର୍ପେଟ ବୁଣା
  3. ସିମେଣ୍ଟ ପ୍ରସ୍ତୁତି ଏବଂ ବ୍ୟାଗରେ ଭର୍ତ୍ତି
  4. ଲୁଗାରେ ମୁଦ୍ରଣ , ରଙ୍ଗ ପ୍ରୟୋଗ ଓ ଲୁଗାବୁଣା
  5. ଡିଆସିଲି , ବିସ୍ପୋରକ ଓ ବାଣ ତିଆରି    । ମାଇକା ଭାଙ୍ଗିବା
  6. ତରଳ ଲାଖରୁ ବାର୍ଣ୍ଣିସ ପ୍ରସ୍ତୁତି
  7. ସାବୁନ ପ୍ରସ୍ତୁତ
  8. ଚମଡା କଷିବା
  9. ଉଲ ଢୋଇବା

10.  ଗ୍ରାନାଇଟ ଭାଙ୍ଗିବା ସମେତ ବିଲଡିଙ୍ଗ ଓ ନିର୍ମାଣ ଶିଳ୍ପ  ।

11.  ସ୍ଳେଟର ଖଡି ତିଆରି ଓ ପ୍ୟାକିଂ

12.  କ୍ଵାର୍ଟଜରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି

13.  ଲିଡ , ପାରଦ , ମାଙ୍ଗାନିଜ , କ୍ରୋମିୟମ , କାଡମିୟମ , ବେଞ୍ଜିନ , କୀଟନାଶକ ଏବଂ ଆଜବେଷ୍ଟସ ଇତ୍ୟାଦି ବିଷାକ୍ତ ଧାତୁ ଓ ପଦାର୍ଥକୁ ବ୍ୟବହାର କରି ଯେଉଁସବୁ ଉତ୍ପାଦନ ପ୍ରକ୍ରିୟା ସଂପାଦାନ ହୋଇଥାଏ   ।

14.  କାରଖାନା ଆଇନ  ୧୯୪୮ ର ଧାରା  ୨(ସିବି) ରେ ସଂଜ୍ଞାୟିତ ହୋଇଥିବା “ ବିପଜ୍ଜନକ ପ୍ରକ୍ରିୟା” ଏବଂ ଧାରା  ୮୭ ଅଧିନସ୍ଥ ନିୟମାବଳିରେ ବିଜ୍ଞାପିତ ହୋଇଥିବା “ ବିପଜ୍ଜନକ କାର୍ଯ୍ୟ “

15.  କାରଖାନା  ଆଇନ ୧୯୪୮ ର ଧାରା  ୨ (କ)(୪) ରେ ସଂଜ୍ଞାୟିତ ହୋଇଥିବା ପ୍ରିଡିଂ କାର୍ଯ୍ୟ

16.  କାଜୁ ଛଡାଇବା ଏବଂ କାଜୁ ସାମଗ୍ରୀ ପ୍ରସ୍ତୁତି କରିବା

17.  ଇଲେକ୍ଟ୍ରୋନିକ ଶିଳ୍ପରେ ସୋଲଡରିଂ କାର୍ଯ୍ୟ

18.  ଅଗରବତୀ ପ୍ରସ୍ତୁତି

19.  ୱେଲଡିଙ୍ଗ, ଲେଦ କାର୍ଯ୍ୟ , ଲୁହାରେ ଫୋଡଣ ଓ ରଙ୍ଗକାର୍ଯ୍ୟ ସମେତ ଅଟୋମୋବାଇଲ ମରାମତି ଏବଂ ରକ୍ଷଣାବେକ୍ଷଣ

20.  ଇଟାଭାଟି ଓ ଟାଇଲ ତିଆରି

21.  କପା ଛଡାଇବା ଏବଂ ତୁଳା ପ୍ରସ୍ତୁତ କରିବା ଏବଂ ମୋଜା – ଗଞ୍ଜି ଇତ୍ୟାଦି ପ୍ରସ୍ତୁତ କରିବା

22.  ବିଶୋଧକ ପ୍ରସ୍ତୁତି

23.  ଲୌହ ଏବଂ ଅଣଲୌହ ଧାତୁରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି

24.  ମୂଲ୍ୟବାନ ଧାତୁକୁ ସାଇଜ ଓ ପଲିସ କରିବା

25.  କ୍ରୋମାଇଟ ଓ ମାଙ୍ଗାନିଜ ଖଣିଜ ଦ୍ରବ୍ୟକୁ ଜଡିତ କରି ହାତକାର୍ଯ୍ୟ

26.  ଝୋଟବୁଣା ସାମଗ୍ରୀ ଏବଂ ନଡିଆ କତାରୁ ସାମଗ୍ରୀ ପ୍ରସ୍ତୁତି

27.  ଚୂନ ଭାଟିରେ କାର୍ଯ୍ୟ ଏବଂ ଚୂନ ସାମଗ୍ରୀ ପ୍ରସ୍ତୁତି

28.  ତାଲା ତିଆରି

29.  ଗ୍ରାଫାଇଟ ଲିଡରେ କାର୍ଯ୍ୟ ଏବଂ ଚୂନ ସାମଗ୍ରୀ ପ୍ରସ୍ତୁତି

30.  ତାଲା ତିଆରି କରିବା

31.  ଗ୍ରାଫାଇଟ ଲିଡକୁ ଜଡିତ କରି ଉତ୍ପାଦନ ପ୍ରକ୍ରିୟାମାନ

32.  ସିମେଣ୍ଟ ପାଇପ ଏବଂ ସିମେତ ସାମଗ୍ରୀ ଉତ୍ପାଦନ

33.  ଚୂଡ଼ି,  ଲାଇଟ ଟ୍ୟୁବ ଓ ବଲବ ସମେତ କାଚ ସାମଗ୍ରୀ ଉତ୍ପାଦନ   ।

34.  ରଙ୍ଗ ଏବଂ ରଙ୍ଗ ସାମଗ୍ରୀ ପ୍ରସ୍ତୁତି

35.  କୀଟନାଶକ ଏବଂ ବିଷାକ୍ତ ସାମଗ୍ରୀ ପ୍ରସ୍ତୁତି,

36.  ଦହନଯୋଗ୍ୟ କୋଇଲା ଏବଂ କୋଇଲାଗୁଣ୍ଡ ପ୍ରସ୍ତୁତି

37.  ସିନଥେଟିକ , ରାସାୟନିକ ଓ ଚମଡାକୁ ଜଡିତ କରି ବିଭିନ୍ନ କ୍ରୀଡା ସାମଗ୍ରୀ ପ୍ରସ୍ତୁତି

38.  ଫାଇବାର କାଚ ଏବଂ ପ୍ଲାଷ୍ଟିକରୁ ଗଢାଗଢି କାର୍ଯ୍ୟ

39.  ତୈଳ ପ୍ରସ୍ତୁତି ଓ ବିଶୋଧନ

40.  କାଗଜ ପ୍ରସ୍ତୁତି

41.  ହାଣ୍ଡିକୁଣ୍ଡେଇ ଓ ମାଟିରୁ ପାତ୍ର ତିଆରି

42.  ତମ୍ବା ସାମଗ୍ରୀ ପ୍ରସ୍ତୁତି

43.  ଟ୍ରାକ୍ଟର ଓ ଶସ୍ୟ ଅମଳ ଯନ୍ତ୍ର ସାହାଯ୍ୟରେ କୃଷି କାର୍ଯ୍ୟ

44.  କରତ କଳର ସମସ୍ତ କାର୍ଯ୍ୟପ୍ରକ୍ରିୟା

45.  ରେଶମ- ଚାଷ

46.  ଚମଡା ଓ ଚମଡା ସାମଗ୍ରୀ ପ୍ରସ୍ତୁତିର ପ୍ରକ୍ରିୟାମାନ

47.  ପଥରଭଙ୍ଗା ଓ ପଥର ଗୁଣ୍ଡ କରିବା

48.  ତମାଖୁ ପ୍ରସ୍ତୁତି

49.  ଟାୟାର ତିଆରି , ମରାମତି ଓ ଗ୍ରାଫାଇଟକୁ ମୂଲ୍ୟଯୁକ୍ତ କରିବା

50.  ବାସନକୁସନ ତିଆରି

51.  ସମସ୍ତ ପ୍ରକାର ଜରିକାମ

52.  ଇଲେକଟ୍ରୋପ୍ଲେଟିଙ୍ଗ

53.  ଗ୍ରାଫାଇଟ ପାଉଡର ପ୍ରସ୍ତୁତି

54.  ଧାତୁଗୁଡିକୁ ଚିକ୍କଣ କରିବା

55.  ହୀରା କାଟିବା ଏବଂ ପଲିସ କରିବା

56.  ଖଣିରୁ ସ୍ଳେଟ ଖୋଲିବା

57.  ଆବର୍ଜନାରୁ ଜିନିଷ ସଂଗ୍ରହ ଏବଂ ମେହନ୍ତର କାର୍ଯ୍ୟ

58.  ଅତିରିକ୍ତ ଉତ୍ତାପ ଓ ଥଣ୍ଡା ପରିବେଶରେ ସମ୍ପାଦିତ ହେଉଥିବା ସମସ୍ତ କାର୍ଯ୍ୟପ୍ରକ୍ରିୟା   ।

59.  ଯନ୍ତ୍ରଚାଳିତ ମତ୍ସ୍ୟ ଉତପଦନ

60.  ଖାଦ୍ୟପ୍ରସ୍ତୁତିର ପ୍ରକ୍ରିୟାମାନ

61.  ମଦ କାରଖାନା

62.  କାଠ ଉଠାଇବା ଓ କାଠ ଗଦେଇବା   ।

63.  ଯନ୍ତ୍ରପାତି ସାଇତି ରଖିବା

64.  ଗୋଦାମ କାର୍ଯ୍ୟ

65.  ଯେଉଁସବୁ କାର୍ଯ୍ୟପ୍ରକ୍ରିୟାରେ ଖୋଲା ସିଲିକା ସଂସ୍ପର୍ଶରେ ଆସିବାକୁ ପଡିଥାଏ , ଯଥା ସ୍ଳେଟ ଓ ପେନସିଲ ପ୍ରସ୍ତୁତି , ପଥର , ଚୂର୍ଣ୍ଣୀକରଣ , ସ୍ଳେଟ –ପଥର , ଖୋଦନ ପଥରଖଣିରେ କାର୍ଯ୍ୟ ଓ କ୍ଵାଟର୍ଜ କାରଖାନା   ।

ଶିଶୁଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ସଂଶୋଧନ ବିଲ ୨୦୧୨ :

ତଦାନୀନ୍ତନ କେନ୍ଦ୍ର ସରକାର ରାଜ୍ୟସଭାରେ ତା  ୪ ଡିସେମ୍ବର ୨୦୧୨ ରେ ଶିଶୁଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ସଂଶୋଧନ ବିଲ  ୨୦୧୨ ପେଶ କରିଥିଲେ କିନ୍ତୁ ଲୋକସଭାର ବାଚସ୍ପତି ରାଜ୍ୟସଭୟାର ଚେୟାରମାନଙ୍କ ସହ ପରାମର୍ଶ କରି ତା  ୧୨ ଡିସେମ୍ବର ୨୦୧୨ ରେ ଏହି ବିଲକୁ ଶ୍ରମବିଭାଗ ସମ୍ବନ୍ଧୀୟ ସଂସଦୀୟ ଷ୍ଟାଡିଙ୍ଗ କମିଟିକୁ ସବିଶେଷ ଅନୁଧ୍ୟାନ ପାଇଁ ପଠାଇ ଦେଇଥିଲେ   ।  କମିଟି ଏହା ଉପରେ ନଜର ରିପୋର୍ଟ ଦାଖଲ କରିବା ପାଇଁ ତିନିମାସର ସମୟସୀମା ଧାର୍ଯ୍ୟ ହୋଇଥିଲେ ହେଁ , ବସ୍ତୁତଃ  ଏକବର୍ଷ ପରେ ଏହି କମିଟି  ତା  ୧୨ ଡିସେମ୍ବର ୨୦୧୩ ରେ ପାର୍ଲିଆମେଣ୍ଟର ଉଭୟ ଗୃହରେ ନିଜର ରିପୋର୍ଟ ଦାଖଲ କରିଥିଲେ   ।  ତା  ୧୬ ଜୁନ  ୨୦୧୪ ରେ କେନ୍ଦ୍ରୀୟ ଶ୍ରମ ମନ୍ତ୍ରଣାଲୟର ୱେବସାଇଡରେ ସଂଶୋଧନ ବିଲର ବ୍ୟବସ୍ଥାବଳି ସହିତ ସଂସଦୀୟ ଷ୍ଟାଡିଙ୍ଗ କମିଟିର ସୁପାରିସସମୂହକୁ ପ୍ରସାରଣ କରାଯାଇ ସର୍ବସାଧାରଣଙ୍କ ଠାରୁ ୩୦ ଦିନ ଭିତରେ ମତାମତ ଲୋଡା ଯାଇଥିଲା । ପ୍ରସ୍ତାବିତ ସଂଶୋଧନ ବିଲର ଉଦ୍ଦେଶ୍ୟ ହେଉଛି , ଚଉଦ ବର୍ଷ ଅତିକ୍ରମ କରିନଥିବା ସମସ୍ତ ଶିଶୁଙ୍କୁ ସମ୍ବିଧାନର ଧାରା – ୨୧ ଏ ଅନୁଯାୟୀ ମାଗଣା ଓ ବାଧ୍ୟତାମୂଳକ ମୌଳିକ ଶିକ୍ଷା ଦେବାକୁ ହେଲେ ଶିଶୁଶ୍ରମ  (ନିଷେଧ ଓ ନିୟନ୍ତ୍ରଣ) ଆଇନ  ୧୯୮୬ କୁ ସଂଶୋଧନ କରିବାକୁ ପଡିବ ,କାରଣ ଏହି ଆଇନ ଅନୁଯାୟୀ  ଜଣେ  ୧୪ ବର୍ଷ ଅତିକ୍ରମ କରିନଥିବା ଶିଶୁକୁ ଗୋଟିଏ ଦିନରେ  ୬ ଘଣ୍ଟା ପର୍ଯ୍ୟନ୍ତ ଅଣବିପଜ୍ଜନକ ଶ୍ରମରେ ନିଯୁକ୍ତ କରି ହେବ   । ସୁତରାଂ ଯେ କୌଣସି ପ୍ରକାର ଶ୍ରମରେ ଚଉଦ ବର୍ଷ ଅତିକ୍ରମ କରି ନଥିବା ଜଣେ ଶିଶୁର ନିଯୁକ୍ତିକୁ ପୂରାପୂରି ନିଷେଧ କରିବା ତଥା ଚଉଦ ବର୍ଷ ଅତିକ୍ରମ କରିଥିବା ଅଥଚ ଅଠର ବର୍ଷ ଅତିକ୍ରମ କରି ନଥିବା ବାଳୁତଙ୍କୁ କେବଳ ଅଣବିପଜ୍ଜନକ ଶ୍ରମରେ ନିଯୁକ୍ତି ପାଇଁ ଅନୁମତି ଦେବା ତଥା ସେମାନଙ୍କର ଶ୍ରମିକ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏହି ଆଇନ ଉଦ୍ଧିଷ୍ଟ   ।  ଏଭଳି ସଂଶୋଧନ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପାଇଁ ବାଳୁତ ଅଧିକାର ଆଇଆନ  ୨୦୦୯ ସହ ସଂଗତିଶୀଳ  ହେବା ସହିତ  ଅନ୍ତର୍ଜାତିକ ଶ୍ରମ ସଂଗଠନର କନଭେନସନ ସଂଖ୍ୟା  ୧୩୮ ଏବଂ  ୧୮୨ କୁ ଭାରତ ସରକାର ଅଙ୍ଗୀକାର କରିବା ପାଇଁ ମାର୍ଗ ପ୍ରସ୍ତୁତ କରିବ ବୋଲି ବିଲର ପ୍ରଣେତାମାନେ ଯୁକ୍ତି ବଢିଥାନ୍ତି   ।

ଆଧାର-  ହିନ୍ଦ ମଜଦୂର ସଭା ,ଓଡିଶା

aadhara

Last Modified : 6/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate