ଗୃହପାଳିତ ପଶୁମାନଙ୍କର ସଂଖ୍ୟା ଏବଂ ସେମାନଙ୍କ ଗୁହାଳରୁ ଦୈନିକ ସଂଗୃହୀତ ଗୋବର ପରିମାଣ ଉପରେ ଭିତ୍ତିକରି ଖତ ଗାଡ ବା ଗଦାର ଆକାର ଓ ସଂଖ୍ୟା ସ୍ଥିର କରାଯାଏ । ଖତ ଗାଡର ଲମ୍ବ ୪ ରୁ ୬ ମିଟର , ପ୍ରସ୍ତ ୨୪ ମିଟର ଓ ଗଭୀରତା ୧୪ ମିଟର ହେବା ଉଚିତ । ଖତ ଗାଡର ୪ କାନ୍ଥ ତଳ ଆଡକୁ ସାମାନ୍ୟ ତେର୍ଚ୍ଛା ଗଡାଣିଆ କରି ଖୋଳିବା ଦରକାର । ଖତ ଗାଡ ବା ଗଦାର ଚାରିକଡରେ ୩୦ ସେ.ମି. ଉଚ୍ଚ ହୁଡା ରଖିଲେ ବାହାର ପାଣି ଭିତରକୁ ପଶିପାରେ ନାହିଁ । ଖତ ଗାଡରେ ଖରା ନପଡିବା ପାଇଁ ବାଉଁଶ ତଲେଇ ବା ପତ୍ରପଟିରେ ଛାତ କରାଯିବା ଭଲ । ସାଧାରଣତଃ ଗାଡରେ ସଢିଥିବା ଖତ ଗଦାରେ ସଢିଥିବା ଖତ ଅପେକ୍ଷା ଉନ୍ନତ । ବର୍ଷାଦିନେ ଖତ ଗାଡରେ ପାଣି ଜମିଗଲେ ଖତ ସଢିବାରେ ଅସୁବିଧା ହୁଏ । ଏଣୁ ଢିପ ଓ ଢାଲୁଆ ଜାଗାରେ ଖତ ଗଦାରେ ଖତ ପ୍ରସ୍ତୁତ କରିବା ଦରକାର ।
ଗୁହାଳରୁ ଗୋବର ସଂଗ୍ରହରେ ବିଶେଷ ଅସୁବିଧା ହୁଏ ନାହିଁ । କିନ୍ତୁ ମୂତ୍ର ସଂଗ୍ରହ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିବାକୁ ପଡେ । ଗୁହାଳରେ ପକ୍କା ଚଟାଣ ଓ ନାଳୀ କଲେ ମୂତ୍ର ସୁବିଧାରେ ସଂଗୃହୀତ ହୋଇପାରିବ । ନାଳୀର ତଳ ମୁଣ୍ଡରେ ଗୋଟିଏ କୁଣ୍ଡ ରହିବା ଦରକାର । ସବୁ ମୂତ୍ର ବହିଆସି ଏହି କୁଣ୍ଡରେ ପଡିବ । କୁଣ୍ଡର ମୂତ୍ର ସଂଗ୍ରହ କରିନେଇ ଖତଗାଡରେ ଢାଳି ଦେବା ଦରକାର । ଏହା ନକରି ପାରିଲେ ଗୋରୁ ଗାଈଙ୍କର ବଳିଥିବା ନଡା, ପାଳ, ଛଣ ଇତ୍ୟାଦି ଯାହା ବଳିଥିବ ଓ ଦାଣ୍ଡ ଅଳିଆ ସବୁ ଏକାଠି କରି ଏ କୁଣ୍ଡରେ ପକାଇ ଦେଲେ ଏଥିରେ ମୂତ ଶୋଷି ହୋଇଯିବ । ଶଯ୍ୟାପାଇଁ ଗୁହାଳରେ ଯଥେଷ୍ଟ ଶୁଖିଲା ନଡାପାଲ ବିଛାଇ ଦିଆଯାଏ । ତାହା ମୂତ୍ରକୁ ଶୋଷି ରଖେ । ପ୍ରତ୍ୟକ ସକାଳେ ମୂତ୍ରଭିଜା ନଡାପାଳ କୁ କାଢି ନିଆଯାଏ । ଏହା ସାଙ୍ଗକୁ ଚଟାଣରେ କିଛି ପାଉଁଶ ପକାଇ ଓଳାଇ ନେଲେ ଓଦା ଚଟାଣରୁ ମୂତ୍ର ଶୋଷି ହୋଇଯାଏ । ଗୋବର, ମୂତ୍ରଭିଜା ନଡାପାଳ ଓ ପାଉଁଶ ପ୍ରଭୃତିକୁ ଏକାଠି ମିଶାଇ ଖତଗାଡରେ ପକାଯାଏ । ମୂତ୍ରର ୨% ଯବକ୍ଷାର ଥାଏ । ମୂତ୍ର ଖତ ସଢିବାରେ ସାହାଯ୍ୟ କରେ । ନଡାପାଳ ଖତକୁ ଢିଲା ରଖି ସଢିବାରେ ସାହାଯ୍ୟ କରେ । ପାଉଁଶ ଖତର ଅମ୍ଳତା ହ୍ରାସ କରେ । ଘରର ଅଳିଆ ଆବର୍ଜନା ପରିବା ଚୋପା ଇତ୍ୟାଦି ମଧ୍ୟ ଖତ ଗାଡରେ ପକାଇଲେ ଖତର ପରିମାଣ ବୃଦ୍ଧିପାଏ ।
ଖତଗାଡ ବା ଗଦାକୁ ଭାଗ କରି ପୂରଣ କରାଯିବା ଆବଶ୍ୟକ । ଏହାଦ୍ଵାରା ଆଗେ ପୂରଣ ହୋଇଥିବା ମୁଣ୍ଡରୁ ଖତ କାଢି ନେବାରେ ସୁବିଧା ହୁଏ । ଏଭଳି ପୂରଣ କରିବା ପାଇଁ ଖତଗାଡର ଓସାରକୁ ଚାହିଁ ୧ ମିଟର ଉଚ୍ଚାର ବାଉଁଶ ତାଟି ଦରକାର । ତାଟି ବାଡା ଦେଇ ଖତ ଗାଡର ଢିପ ମୁଣ୍ଡରୁ ୧ ମିଟର ପ୍ରସ୍ଥର ଗୋଟିଏ ଭାଗ ପରସ୍ତ ପରସ୍ତ କରି ଗୋବର, ମୂତ୍ର , ପାଳ ଇତ୍ୟାଦି ପକାଇ ପୂରଣ କରାଯାଏ । ଏହି ଭାଗଟି ତଳୁ ୧ ମିଟର ଉଚ୍ଚା ହୋଇଗଲେ ତା’ ପରେ ତାଟି ଉଠାଇ ନେଇ ପୁଣି ୧ ମିଟର ପ୍ରସ୍ଥର ଆଉ ଗୋଟିଏ ଭାଗ ପୂରଣ କରାଯାଏ । ଏହିଭଳି ପ୍ରଣାଳୀରେ ସମୁଦାୟ ଗାଡ ବା ଗଦାଟି ପୂରଣ ହୋଇଗଲେ ଖତକୁ ସଢିବାକୁ ଛାଡି ଦିଆଯାଏ । ଖତ ସଢିବା ପାଇଁ ପ୍ରାୟ ୫/ ୬ ମାସ ଲାଗେ । ମଝିରେ ଥରେ ଖୁସାଖୁସି କରି ପାଲଟ କରିଦେଲେ ଖତ ଶୀଘ୍ର ସଢିଯାଏ ।
ଉନ୍ନତମାନର ଗୋବର ଖତ ତିଆରି କରିବା ପାଇଁ ପ୍ରତ୍ୟକ ୧୦୦ କି.ଗ୍ରା. ଗୋବର ପିଚ୍ଛା ୧ କି.ଗ୍ରା. ସିଙ୍ଗିଲ୍ ସୁପରଫସଫେଟ୍ ବା ଋକ୍ ଫସଫେଟ୍ ବା ହାଡଗୁଣ୍ଡ ମିଶାଇ ଖତ ଗାଡରେ ପକାଯିବା ଆବଶ୍ୟକ । ଗୋବର ଓ ମୂତ୍ର ସଢିବା ବେଳେ ସେଥିରେ ଥିବା ଯବକ୍ଷାର ଆମୋନିଆ ଗ୍ୟାସ୍ ଭାବରେ ବିନଷ୍ଟ ହୁଏ । ଫସଫେଟ୍ ସାର ମିଶାଇବା ଦ୍ଵାରା ଏହି ଗ୍ୟାସ୍ ବାହାରି ନ ଯାଇ ଆମେନିଅମ୍ ଫସଫେଟ୍ ଭାବରେ ସଂରକ୍ଷିତ ହୋଇ ରହେ । ତେଣୁ ଖତରେ ଉଭୟ ଯବକ୍ଷାରଜାନ ଓ ଫସଫରସ୍ ମାନ ଅଧିକ ହୁଏ । ଆହୁରି ମଧ୍ୟ ଖତ ସହିତ ଗମି ଯାଇଥିବା ଫସଫେଟ୍ ସାରର ଉଦ୍ଭିଦ ଲାଗି ଗ୍ରହଣୀୟତା ବଢିଯାଏ । ଜମିରେ ପ୍ରୟୋଗ ହେଉଥିବା ଫସଫେଟ୍ ଯୁକ୍ତ ଗୋବର ଖତ ଜମିରେ ପ୍ରୟୋଗ କଲେ ଆଉ ସ୍ଵତନ୍ତ୍ର ଭାବରେ ଫସଫେଟ୍ ସାର ପ୍ରୟୋଗ କରିବା ଆବଶ୍ୟକ ପଡେ ନାହିଁ । ଗୋବର ଖତରେ 0.5 – 1.5% ଯବକ୍ଷାରଜାନ, 0.4 – 0.8% ଫସଫେଟ୍ ଏବଂ 0.5 – 1.9 % ପୋଟାସ୍ ଥାଏ ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 7/28/2019