ଗାଁ ଗହଳିରେ ମିଳୁଥିବା ବିଭିନ୍ନ ପ୍ରକାର ଅଳିଆ, ଶୁଖିଲା ପତ୍ର, ଖଳା ବାଡିର ଭୁସା, ଅଗାଡି, ଫସଲର ଅଦରକାରୀ ଅଂଶ, କଦଳୀ ଗଛ ଗଣ୍ଡି, ପାଟୁଙ୍ଗା, ଆଖୁଛେଦା, ସବୁଜ ଡାଳପତ୍ର, ପୋଖରୀ ଦଳ ପ୍ରଭୃତି ବିଭିନ୍ନ ପ୍ରକାର ଜୈବିକ ପଦାର୍ଥକୁ ସଂଗ୍ରହ କରି କମ୍ପୋଷ୍ଟ କରାଯାଏ ।
ଉନ୍ନତ କମ୍ପୋଷ୍ଟ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ସଂଗୃହୀତ ପଦାର୍ଥକୁ ଛୋଟ ଛୋଟ କରି କାଟି , ଶୁଖାଇ ଗଦାକରି ରଖାଯାଏ । ପ୍ରତ୍ୟହ ସେହି ଶୁଖିଲା ପଦାର୍ଥରୁ କିଛି ଗୋରୁ ଗୁହାଳରେ ବିଛାଇ ଦିଆଯାଏ । ତାହା ଗୋରୁ ମୂତ୍ରକୁ ଶୋଷି ରଖେ । ଦିନେ ଦୁଇଦିନ ପରେ ଏହାକୁ ସଂଗ୍ରହ କରିନେଇ କମ୍ପୋଷ୍ଟ ଖତରେ ପକାଇ ଦିଆଯାଏ ।
ଗୋବର ଖତ ଗାଡ ଭଳି କେତୋଟି କମ୍ପୋଷ୍ଟ ଖତ ଖୋଳାଯାଏ । ଓଦା ସବୁଜ ଡାଳପତ୍ର ଓ ଶୁଖିଲା ଭୁସା ପତ୍ର ଇତ୍ୟାଦିକୁ ଏକାଠି ମିଶାଇ ଖତ ଗାଡ ଭାଗ ଭାଗ କରି ପୂରଣ କରାଯାଏ କେବଳ ଶୁଖିଲା ପତ୍ର , ଭୁସା ଇତ୍ୟାଦି ବ୍ୟବହାର କରାଯାଉଥିଲେ ଆବଶ୍ୟକ ଜଳୀୟ ଅଂଶ ଯୋଗାଇବା ପାଇଁ ପ୍ରତ୍ୟହ ଗୋମୂତ୍ର ବା ଜଳ ଛିଞ୍ଚି ଦିଆଯାଏ । କମ୍ପୋଷ୍ଟ ସଢିବା ପାଇଁ ଆବଶ୍ୟକ ଯବକ୍ଷାର ମୂତ୍ରରୁ ମିଳେ । ମୂତ୍ର ବ୍ୟବହୃତ ହେଉ ନଥିଲେ ପ୍ରତି ୧୦୦ କି.ଗ୍ରା. ଶୁଖିଲା ଭୁସା ଅଳିଆ ସଢିବା ପାଇଁ ୧ କି.ଗ୍ରା. ୟୁରିଆ ସାରକୁ ପାଣିରେ ମିଶାଇ କମ୍ପୋଷ୍ଟ ଖତରେ ଥିବା ଅଳିଆ ଉପରେ ଢାଳି ଦିଆଯାଏ ଏବଂ କୁଦାକୁଦି କରି ଚପାଇ ଦିଆଯାଏ । କମ୍ପୋଷ୍ଟରେ ଫସଫେଟ୍ ମାତ୍ରା ବୃଦ୍ଧି କରିବା ପାଇଁ ଆବଶ୍ୟକ ସ୍ଥଳେ ସୁପର ଫସଫେଟ୍ ବା ଋକ୍ ଫସଫେଟ୍ ଦିଆଯାଏ । ଅଳିଆ ଆବର୍ଜନା ଶୀଘ୍ର ସଢିବା ପାଇଁ ପ୍ରତି ପରସ୍ତ ପୂରଣ କରାଯିବା ବେଳେ କିଛି ଖତମିଶା ଗୋବର ପାଣି ଉପଯୋଗ କରାଯାଏ । ଏହା ଅଳିଆ ଆବର୍ଜନା ସଢିବା ପାଇଁ ଆବଶ୍ୟକ ଅଣୁଜୀବ ଉତ୍ସ ଭାବରେ କାର୍ଯ୍ୟ କରେ । କମ୍ପୋଷ୍ଟ ଖତ ଭଳି ହୋଇଗଲେ ଭୂମି ଉପର ଅଂଶକୁ ଗୋବର ମାଟି ସାହାଯ୍ୟରେ ଲିପି ଦିଆଯାଏ । ଏହା ସଢୁଥିବା ପଦାର୍ଥର ଜଳୀୟ ଅଂଶକୁ ସୁରକ୍ଷିତ କରି ରଖେ । କମ୍ପୋଷ୍ଟ ଖତ ସଢିବା ପାଇଁ ପ୍ରାୟ ୬ ମାସ ଲାଗେ । କମ୍ପୋଷ୍ଟରେ 0.4 – 0.8%N (ଯବକ୍ଷାରଜାନ) , 0.3 – 0.6% (ଫସଫେଟ୍ ) ଏବଂ 0.7 % O (ପୋଟାସ୍) ଅଛି ।
ସହରର ନାଳ ନର୍ଦ୍ଦମା , ରାସ୍ତାଘାଟ , ବଜାର ହାଟ ପ୍ରଭୃତିକୁ ପରିଷ୍କାର ପରିଚ୍ଛନ୍ନ ରଖିବା ମ୍ୟୁନିସ୍ ପାଲଟିର କାର୍ଯ୍ୟ । ଏହିସବୁ ସ୍ଥାନରୁ ସଂଗ୍ରହ କରାଯାଉଥିବା ଅଳିଆ , ଆବର୍ଜନା , ନର୍ଦ୍ଦମା ପଙ୍କ, କୋଇଲା ପାଉଁଶ ଇତ୍ୟାଦିକୁ ଜନବସତି ନଥିବା ଅଞ୍ଚଳରେ ଢାଳି ଦିଆଯାଏ ଏବଂ ଏହାକୁ ସଢାଇ ଖତରେ ପରିଣତ କରାଯାଏ । ପୂର୍ବେ କଚ୍ଚା ପାଇଖାନା ବ୍ୟବହୃତ ହେଉଥିବା ସହରମାନଙ୍କରେ ମନୁଷ୍ୟ ବିଷ୍ଠାକୁ ସଂଗ୍ରହ କରାଯାଇ ଉପରୋକ୍ତ ଅଳିଆ ଆବର୍ଜନା ସହିତ ଏକାଠି ମିଶାଇ କମ୍ପୋଷ୍ଟ କରାଯାଏ । ଏହିସବୁ ଆବର୍ଜନାକୁ ଭଲଭାବରେ ସଢି କମ୍ପୋଷ୍ଟ ଖତରେ ପରିଣତ ହେବା ପାଇଁ 6 ମାସରୁ 8 ମାସ ସମୟ ଲାଗେ । ସଢିଗଲା ପରେ ଖାତରୁ କମ୍ପୋଷ୍ଟକୁ ବାହାର କରି ନିଆଯାଏ । ଏହି କମ୍ପୋଷ୍ଟରେ ଭଙ୍ଗା କାଚଖଣ୍ଡ, ଲୁହାକଣ୍ଟା, ତାର, ଭଙ୍ଗାଟିଣ ଖଣ୍ଡ ପ୍ରଭୃତି କଠିନ ଓ ଧାରୁଆ ପଦାର୍ଥ ମିଶି ରହିଥାଏ । ତେଣୁ ଜମିରେ ପ୍ରୟୋଗ ପୂର୍ବରୁ ତାରଜାଲି ସାହାଯ୍ୟରେ ଏଗୁଡ଼ିକୁ ବାହାରକରି ଦିଆଯିବା ନିହାତି ଆବଶ୍ୟକ । ଏହି କମ୍ପୋଷ୍ଟରେ 1.2 – 2% N, 1.0% ଏବଂ 1.0 – 2.0% O ଥାଏ ।
ଗୋବର ଗ୍ୟାସ୍ ଟାଙ୍କିରୁ ଗୋବର ଘୋଳା ପ୍ରତ୍ୟହ ବାହାରକୁ ନିର୍ଗତ ହୁଏ । ଏହାକୁ ଜଳସେଚନ ପାଇଁ ବ୍ୟବହୃତ ପାଣି ସହିତ ମିଶାଇ ଜମିରେ ମଡାଇ ଦେଲେ ଏହା ମୃତ୍ତିକା ସହିତ ମିଶିଯାଏ ଓ ଧୀରେ ଧୀରେ ସଢିଯାଏ ।
ଏହାକୁ ଅଲଗା କରି ସଂଗ୍ରହ କରିବାକୁ ଚାହିଁଲେ ଗୋଟିଏ ପ୍ରଶସ୍ତ ଅଗଭୀର ନାଳୀ ମଧ୍ୟଦେଇ ବୁହାଇ ନେଇ ତଳପଟେ ଗୋଟିଏ ଖାତରେ ଜମା କରିଦିଆଯାଏ । ଖୋଲା ରହିବା ଫଳରେ ଏଥିରୁ ଜଳୀୟ ଅଂଶ ଶୁଖିଗଲେ ନାଳୀ ଶେଷ ମୁଣ୍ଡ ଆଡ, କୋଦାଳ ସାହାଯ୍ୟରେ ଚାଞ୍ଚି ବାହାର କରି ନିଆଯାଏ । ଏହାକୁ ଛାଇରେ ଆଳୁ ଶୁଖେଇ ଗୁଣ୍ଡ କରି ଖତ ଭାବରେ ବ୍ୟବହାର କରାଯାଏ । ଏଥିରେ 1% N (ଯବକ୍ଷାରଜାନ) , 0.4 (ଫସଫେଟ୍) ଏବଂ 0.5% O (ପୋଟାସ୍) ରହିଥାଏ ।
ଏହାକୁ ପୁରାପୁରି ନ ଶୁଖାଇ ଆର୍ଦ୍ରଥିବା ଅବସ୍ଥାରେ ଏଥିସହିତ ୧୦୦ କି.ଗ୍ରା. ଖତ ପିଚ୍ଛା ୧ କି.ଗ୍ରା. ହିସାବରେ ସିଙ୍ଗିଲ୍ ସୁପରଫସଫେଟ୍ ବା ଋକ୍ ଫସଫେଟ୍ ଫେଣ୍ଟି କିଛିଦିନ ଗଦାଇ ରଖିଲେ ଏହା ଉତ୍କୃଷ୍ଟ ସୁଷମ ଖତରେ ଖତରେ ପରିଣତ ହୁଏ ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 3/2/2020