ଆବଶ୍ୟକ ବାୟୁର ଉପସ୍ଥିତିରେ ପ୍ରାକୃତିକ ଜୈବ ପ୍ରକ୍ରିୟା ଦ୍ଵାରା କମ୍ପୋଷ୍ଟ ପ୍ରସ୍ତୁତ କରାଯାଏ । ସରଳ ଭାବରେ କହିଲେ ଜୈବବସ୍ତୁ ଅଣୁଜୀବଙ୍କ ଦ୍ଵାରା ଅପଘଟିତ ହୋଇ ହ୍ୟୁମସ ଭଳି ପଦାର୍ଥରେ ପରିଣତ ହେବା ପ୍ରଣାଳୀକୁ କମ୍ପୋଷ୍ଟକରଣ କୁହାଯାଏ । ଏହି ପ୍ରଣାଳୀରେ ବିଭିନ୍ନ ପ୍ରକାରର ଅଣୁଜୀବ ଯଥା ବୀଜାଣୁ ଏବଂ କବକମାନେ ଜଟିଳ ଜୈବବସ୍ତୁକୁ ସରଳ ପଦାର୍ଥରେ ପରିଣତ କରିଦିଅନ୍ତି । ଉତ୍ତମମାନର କମ୍ପୋଷ୍ଟ ପ୍ରସ୍ତୁତ , କମ୍ପୋଷ୍ଟ କରାଯାଉଥିବା ସ୍ଥାନର ପରିବେଶୀୟ ଅବସ୍ଥା ଉପରେ ନିର୍ଭର କରିଥାଏ । ଅମ୍ଳଜାନ , ତାପମାତ୍ରା , ଆର୍ଦ୍ରତା , ବିଶୃଙ୍ଖଳା ପଦାର୍ଥ ,ଜୈବବସ୍ତୁ ଏବଂ ଅଣୁଜୀବମାନଙ୍କ ସଂଖ୍ୟା ଓ କାର୍ଯ୍ୟକାରିତା ଉପରେ ନିର୍ଭର କରିଥାଏ ।
କମ୍ପୋଷ୍ଟ ହେବା ଏକ ଜଟିଳ କିମ୍ବା ଲୁକାୟିତ ପ୍ରଣାଳୀ ନୁହେଁ । ପ୍ରାକୃତିକ ପରିବେଶରେ ଲଗାତାର ଭାବରେ ପ୍ରାକୃତିକ ପୁନଃଚକ୍ରଣ ପ୍ରକ୍ରିୟା ଘଟିଥାଏ । ଅଣୁଜୀବ ଦ୍ଵାରା ଜୈବବସ୍ତୁ ଗୁଡିକ ପ୍ରକ୍ରିୟାକରଣ ହୋଇ ଅମେରୁଦଣ୍ଡୀ ପ୍ରାଣୀମାନେ ବ୍ୟବହାର କରନ୍ତି । ଏହାଦ୍ୱାରା ପୋଷକଗୁଡିକ ମୃତ୍ତିକା ଫେରିପାଇବାରୁ ଉଦ୍ଭିଦର ବୃଦ୍ଧିରେ ସହାୟକ ହୋଇଥାଏ । କମ୍ପୋଷ୍ଟକରଣ ପାଇଁ ତିନି ପ୍ରକାର ଅଣୁଜୀବ ଦାୟୀ -
ପରବର୍ତ୍ତୀ ଅବସ୍ଥାରେ ଅନ୍ୟ ଜୀବ ଓ କୀଟମାନେ ଯଥା : ବୀଜାଣୁ , ତେଲୁଣିପୋକ , ତେନ୍ତୁଳିଆ ବିଛା , କାଠ ପୋକ , କବକ , ଶୋଷକପୋକ , ବୁଢିଆଣୀ ଏବଂ ଜିଆ ସହାୟତା କରିଥାନ୍ତି ।
କଞ୍ଚାମାଲ ଗୁଡିକ ଏକାଠି ହୋଇ ମିଶିବା ପରେ ପରେ କମ୍ପୋଷ୍ଟକରଣ ଆରମ୍ଭ ହୋଇଯାଏ । ପ୍ରାରମ୍ଭିକ ଅବସ୍ଥାରେ ଅମ୍ଳଜାନ ଏବଂ କଞ୍ଚାମାଲ ମଧ୍ୟରୁ ସହଜରେ ଅପଘଟିତ ହୋଇ ପାରୁଥିବା ଉପାଦାନଗୁଡିକ ଅଣୁଜୀବଙ୍କ ଦ୍ଵାରା ଦ୍ରୁତବେଗରେ ବ୍ୟବହାର ହୋଇଥାଏ । ଗଦା ହୋଇଥିବା ପଦାର୍ଥର ତାପମାତ୍ରା ଅଣୁଜୀବମାନଙ୍କ କାର୍ଯ୍ୟକଳାପ ସହିତ ସିଧାସଳଖ ଜଡିତ ହୋଇଥାଏ ଏବଂ ତା ଭିତରେ କିଛି ପ୍ରକ୍ରିୟା ଘଟୁଥିବାରୁ ଶୁଭ ସଙ୍କେତ ଦେଇଥାଏ । ବ୍ୟବହୃତ ହୋଇଥିବା ପଦାର୍ଥ ଉପରେ ନିର୍ଭର କରି ଏହି ତାପମାତ୍ରା କେତେକ ସପ୍ତାହ ପର୍ଯ୍ୟନ୍ତ ରହିଥାଏ । ସକ୍ରିୟ କମ୍ପୋଷ୍ଟକରଣ ତାପମାତ୍ରାକୁ କମାଇ ଦିଏ ଏବଂ ଧୀରେ ଧୀରେ କମି ବାୟୁମଣ୍ଡଳୀୟ ତାପମାତ୍ରାରେ ପହଞ୍ଚେ । ଗୋଟିଏ କ୍ୟୁରି ପିରିୟଡ ପ୍ରକୃତରେ ସକ୍ରିୟ କମ୍ପୋଷ୍ଟକରଣର ସୂଚନା ଦେଇଥାଏ । ଏହି ଅବସ୍ଥାରେ ପଦାର୍ଥ ଗୁଡିକ ଧୀରେ ଧୀରେ ଅପଘଟନ ହେବା ପ୍ରକ୍ରିୟା ଚାଲୁ ରହିଥାଏ । ସେଥିରେ ଥିବା ଅବଶିଷ୍ଟ ଅଣୁଜୀବ ଗୁଡିକ ଯେଉଁ ଅପଘଟିତ କଞ୍ଚାମାଲକୁ ବ୍ୟବହାର କରିପାରିବେ ସେ ପର୍ଯ୍ୟନ୍ତ ଭାଙ୍ଗିବା କାର୍ଯ୍ୟ ଚାଲୁ ରହିଥାଏ । ଏହି ସ୍ତରରେ କମ୍ପୋଷ୍ଟ ସ୍ଥିର ଅବସ୍ଥାକୁ ଆସିଥାଏ ଏବଂ ବ୍ୟବହାର କରିବାକୁ ସହଜସାଧ୍ୟ ହୋଇଥାଏ । କମ୍ପୋଷ୍ଟକରଣ ସମୟରେ ଯବକ୍ଷାରଜାନ ଗ୍ୟାସୀୟ ଆମୋନିଆରେ ପରିଣତ ହୋଇଥାଏ । ଏହି ପ୍ରକ୍ରିୟାକୁ ବାଷ୍ପୀଭବନ ପ୍ରକ୍ରିୟା କୁହାଯାଏ ।
କମ୍ପୋଷ୍ଟକରଣର ଅବସ୍ଥା : କମ୍ପୋଷ୍ଟକରଣ ବହୁଅଂଶ ବିଶିଷ୍ଟ ପ୍ରକ୍ରିୟା ଯାହାକି ଅସଂଖ୍ୟ ଅଣୁଜୀବ ଏବଂ ଭୌତିକ ଅବସ୍ଥା ଯୋଗୁ ସମ୍ଭବ ହୋଇଥାଏ । ମୁଖ୍ୟତଃ ତିନୋଟି ଅବସ୍ଥାରେ ପୂର୍ଣ୍ଣାଙ୍ଗ ହୋଇଥାଏ -
ମେଜୋଫିଲିକ ଅବସ୍ଥା : ଯେତେବେଳେ ଆମେ ଜୈବ ଆବର୍ଜନାକୁ ଗଦା କରୁ ସେତେବେଳେ ସେହି ଆବର୍ଜନା ଗଦାରେ ତାପମାତ୍ରା କ୍ରମଶଃ ବଢିଯାଏ ଏବଂ କମ୍ପୋଷ୍ଟକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଏ । କମ୍ପୋଷ୍ଟକରଣର ଏହି ପ୍ରଥମ ଅବସ୍ଥାକୁ ମେସୋଫିଲିକ ଅବସ୍ଥା କୁହାଯାଏ । ଏହି ଅବସ୍ଥାରେ ତାପମାତ୍ରା ୪୫ କ୍ଟଉ ଠାରୁ କମ ଥିବାରୁ ଅଣୁଜୀବଙ୍କ ବୃଦ୍ଧି ପାଇବା ସହିତ ମିଳୁଥିବା ଶ୍ବେତସାରକୁ ସହଜରେ ଭାଙ୍ଗି ଦିଅନ୍ତି । ଅମ୍ଳ ସୃଷ୍ଟି ହେଉଥିବାରୁ (ପିଏଚ)ର ହ୍ରାସ ଆରମ୍ଭ ହୁଏ । ଗଦାଟି ସକ୍ରିୟ ହେବା ସହିତ କ୍ରମାନୁଯାୟୀ ପ୍ରତିକ୍ରିୟାଗୁଡିକ ଚାଲୁରହେ ।
ଥର୍ମୋଫିଲିକ ଅବସ୍ଥା : ମେସୋଫିଲିକ ଅବସ୍ଥା ପରେ ଏହା କମ୍ପୋଷ୍ଟକରଣର ଦ୍ବିତୀୟାବସ୍ଥା । ଏହି ଅବସ୍ଥାରେ ଗଦାର କେନ୍ଦ୍ରରେ ତାପମାତ୍ରା ପ୍ରାୟ ୫୦-୬୦ ସେଲସିୟସ ପହଞ୍ଚିଥାଏ । ଏହି ତାପମାତ୍ରାରେ ବଢି ପାରୁଥିବା ବୀଜାଣୁ କ୍ଷିପ୍ର ବେଗରେ ଜୈବବସ୍ତୁକୁ ଭାଙ୍ଗି ସରଳୀକରଣ କରିଥାନ୍ତି । ଯେତେବେଳ ପର୍ଯ୍ୟନ୍ତ ଅପଘଟନ ଯୋଗ୍ୟ ପଦାର୍ଥ ଓ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ମିଳୁଥିବା ଉପରୋକ୍ତ ତାପମାତ୍ରା ଅପରିବର୍ତ୍ତିତ ରହିଥାଏ । କେତେଗୁଡିଏ ମୁଖ୍ୟ ପ୍ରତିକ୍ରିୟା ଏହି ଅବସ୍ଥାରେ ଘଟିଥାଏ । ଜୈବବସ୍ତୁ ଭାଙ୍ଗି ସରଳୀକରଣ ହେଉଥିବାରୁ ଉପାଦାନ ମାନଙ୍କର ଆକାର କମିଯାଏ ।
କିଓରିଂ ଅବସ୍ଥା : ଏହି ଅବସ୍ଥାରେ ଅପଘଟିତ ପଦାର୍ଥ ଗୁଡିକର ସ୍ଥିରତା ଆସିଥାଏ । ଏହାକୁ ବ୍ୟବହାର ଉପଯୋଗୀ ବା କମ୍ପୋଷ୍ଟର ପରିପକ୍ଵ ଅବସ୍ଥା କହିପାରିବା । କବକ ସଦୃଶ ବୀଜାଣୁ ଏବଂ କବକ ମାନଙ୍କର ବୃଦ୍ଧି ଯୋଗୁ ହେମିସେଲୁଲୋଜ ଗୁଡ଼ିକର ପରିପାକ ତ୍ୱରାନ୍ଵିତ ହୋଇଥାଏ । ଏହା ଏକ ଜଟିଳ ଅବସ୍ଥା । ଏହି ଅବସ୍ଥାରେ କମ୍ପୋଷ୍ଟର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।
ଆଧାର : ଅକ୍ଷୟ କୁମାର ମହାନ୍ତି , ବିଜ୍ଞାନଶିକ୍ଷକ , ଉତ୍ତରେଶ୍ଵର ଉଚ୍ଚ ବିଦ୍ୟାଳୟ , ପୋଦରୁଆଁ , ବାଲିକୁଦା
Last Modified : 5/23/2020