ଗଛଟିଏ ବଢିବା ପାଇଁ ଓ ଫଳ ଦେବା ପାଇଁ କମ ଓ ବେଶି ଭାବରେ ସତରଟି ଖାଦ୍ୟ ଉପାଦାନ ଦରକାର କରିଥାଏ । ସେ ଗୁଡିକ ହେଲା ଅଙ୍ଗାରକାମ୍ଳ, ଉଦଜାନ, ଅମ୍ଳଜାନ, ଯବକ୍ଷାରଜାନ, ଫସଫରସ, ପଟାସିୟମ, କ୍ୟାଲସିମ, ମ୍ୟାଗ୍ନେସିୟମ, ଗନ୍ଧକ, ଲୌହ, ମାଙ୍ଗାନିଜ, ଦସ୍ତା, ତମ୍ବା, ବୋରନ, ମଲିବଡେନମ, କ୍ଳୋରିନ ଓ କୋବାଲ୍ଟ । ଏହି ସତରଟି ଖାଦ୍ୟ ଉପାଦାନ ମଧ୍ୟରୁ ପ୍ରଥମ ତିନୋଟି ଅଙ୍ଗାରକାମ୍ଳ, ଉଦଜାନ ଓ ଅଙ୍ଗାରକାମ୍ଳ ବାୟୁ ଓ ଜଳରୁ ମିଳିଥାଏ । ବାକି ଚଉଦଟି ଖାଦ୍ୟ ଉପାଦାନ ମାଟିରୁ ମିଳିଥାଏ । ଏହି ଚଉଦଟି ଖାଦ୍ୟ ଉପାଦାନ ମଧ୍ୟରୁ ପ୍ରଥମ ଛଅଟିକୁ ଯଥା ଯବକ୍ଷାରଜାନ, ଫସଫରସ, ପଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଓ ଗନ୍ଧକୂ ମୁଖ୍ୟ ଖାଦ୍ୟସାର କୁହାଯାଏ ଓ ଶେଷ ୮ଟି କୁ ଗୌଣ ଖାଦ୍ୟସାର କୁହାଯାଏ । ଗଛର ଦରକାର ଅନୁଯାୟୀ ଯେଉଁ ସାର ଗୁଡିକ ବେଶି ଦରକାର ହୁଏ, ତାହାକୁ ମୁଖ୍ୟ ଖାଦ୍ୟ ସାର ଓ ଯାହାର ଦରକାର କମ ପରିମାଣରେ ହୁଏ ତାହାକୁ ଗୌଣ ଖାଦ୍ୟସାର ବା ଅଣୁସାର କହନ୍ତି । ତେବେ ମୁଖ୍ୟ ସାର ଭଳି ଅଣୁସାର ମାନଙ୍କର ଭୂମିକା ମଧ୍ୟ ଫଳ ଗଛ ମାନଙ୍କରେ ଯଥେଷ୍ଟ । କେତେକ ନିର୍ଦ୍ଧିଷ୍ଟ ଫଳଗଛ ମାନଙ୍କରେ ନିର୍ଦ୍ଧିଷ୍ଟ ଅଣୁସାର ଅଭାବ ହେଲେ ଗଛରେ ଭଲ ଫଳ ଆସେନି, ଏପରିକି ଗଛ ମଧ୍ୟ ମରିଯାଏ ।
ତେବେ ଏହି ୧୪ଟି ଖାଦ୍ୟସାର ଯାହାକି ମାଟିରୁ ମିଳେ ତାହା ଗଛର କି କି କାମ ସବୁ କରେ, ସେ ବିଷୟରେ ନିମ୍ନରେ କିଛିଟା ଧାରଣା ଦିଆଯାଇଛି ।
ଯବକ୍ଷାରଜାନ
୧୪ଟି ଖାଦ୍ୟ ଉପାଦାନ ମଧ୍ୟରୁ ଯବକ୍ଷାରଜାନ ଦରକାର ସବୁଠାରୁ ବେଶି । ଏହାର ପରିମାଣ ଉପରେ ଗଛର ବଢିବା ଓ ଫଳିବା ନିର୍ଭର କରେ । ଯବକ୍ଷାରଜାନ ବ୍ୟବହାର ଯୋଗୁଁ ଗଛରେ ଅଧିକ ଡାଳ, ପତ୍ର ଓ ଫଳ ହୁଏ । ଏହାର ଅଭାବରେ ଗଛ ରୁଗୁଡିଆ ଓ ନିସ୍ତେଜ ଦେଖାଯାଏ । ପତ୍ର ଛୋଟ ହୋଇଯାଏ ଓ ହଳଦିଆ ପଡିଯାଏ ।
ଫସଫରସ
ଫସଫରସ ଗଛରେ ନୂଆ ଚେର ତିଆରି କରି ବଢାଇବାରେ ସାହାଯ୍ୟ କରେ । ତେଣୁ ଗଛକୁ ପ୍ରଥମରୁ ବଳୁଆ କରେ । ଏହା ଫୁଲ ଫଳ ଧରିବାରେ ଓ ଗଛକୁ ଫଳନ ଶକ୍ତି ଆଣିବାରେ ସାହାଯ୍ୟ କରିଥାଏ । ଚେର ଗଣ୍ଠିରେ ଥିବା ଜୀବାଣୁମାନେ, ଯେଉଁମାନେ କି ମାଟି ଏବଂ ପବନରୁ ଯବକ୍ଷାରଜାନ ସଂଗ୍ରହ କରନ୍ତି ତାଙ୍କୁ ଉତ୍ସାହିତ କରେ । ଗଛର ମରୁଡି ସହିବା ଶକ୍ତିକୁ ବଢାଏ । ଏହାର ଅଭାବରେ କାଣ୍ଡ, ଚେର ଓ ପତ୍ର ମଧ୍ୟ ଛୋଟ ହୁଏ । ପତ୍ରର ରଙ୍ଗ ଗାଢ ସବୁଜ ନହୋଇ ଧୂଷର ରଙ୍ଗର ହୋଇଥାଏ । ଗଛର ବୃଦ୍ଧି ମଧ୍ୟ ବ୍ୟାହତ ହୋଇଥାଏ ।
ପଟାସିୟମ
ଯବକ୍ଷାରଜାନ ପରି ପଟାସିୟମ ଗଛ ପାଇଁ ବହୁଳ ପରିମାଣରେ ଦରକାର ହୁଏ । ଏହା ଗଛର ରୋଗ ପ୍ରତିରୋଧକ ଶକ୍ତି ବଢାଏ । ଗଛର କାଣ୍ଡକୁ ଶକ୍ତ ଓ ଟାଣୁଆ କରେ । ଏହାର ଅଭାବ ହେଲେ ଗଛରେ ତାହା ସଙ୍ଗେ ସଙ୍ଗେ ପ୍ରତିଫଳନ ହୁଏ । ପ୍ରଥମେ ଏହାର ସୂଚନା ପତ୍ରର ଧାରରେ ଦେଖାଯାଏ । ପତ୍ରର ଧାର ନାଲି କିମ୍ବା ପୋଡିଗଲା ପରି ଦିଶେ । ବେଳେବେଳେ ଭିତରକୁ ମୋଡି ହୋଇ ଆସେ । ପ୍ରଥମେ ଲକ୍ଷଣ ସବୁ ବୁଢା ପତ୍ରରେ ଦେଖାଯାଏ ଓ କାଣ୍ଡ ଫାଟିଯାଏ । ପଟାସିୟମର ଅଭାବଜନିତ ଲକ୍ଷଣମାନ ଆମ୍ବ, କଦଳୀ, ନଡିଆ, କମଳା ଜାତୀୟ ଗଛରେ ଭଲ ଭାବରେ ଦେଖାଯାଏ ।
କ୍ୟାଲସିୟମ
ଏହି ଖାଦ୍ୟ ଉପାଦାନଟି ଗଛର ବଢୁଥିବା ଅଗ୍ରଭାଗକୁ ବିଶେଷ ସାହାଯ୍ୟ କରେ । ତେଣୁ ଏହାର ଅଭାବରେ ଗଛର ମୂଳ ଓ ଚେରର ଅଗ୍ରଭାଗ ପ୍ରଥମେ କ୍ଷ୍ୟତିଗ୍ରସ୍ତ ହୁଏ । ସାଧାରଣତଃ ଅମ୍ଳମାଟିରେ ଚୂନର ଅଭାବ କମ ଦେଖାଯାଏ । କିନ୍ତୁ ଅତିମାତ୍ର ଅମ୍ଳ ମାଟିରେ ଚୂନର ପ୍ରୟୋଗ ନିତ୍ୟାନ୍ତ ଜରୁରୀ ।
ମ୍ୟାଗ୍ନେସିୟମ
ମ୍ୟାଗ୍ନେସିୟମ ଗଛର ସବୁଜ କଣାର ଗୋଟିଏ ଉପାଦାନ । ଏହାର ଅଭାବରେ ପତ୍ରର ସବୁଜ ରଙ୍ଗ କମିଯାଏ । କଅଁଳିଆ ଡାଳରେ ଏହାର ଅଭାବ ପ୍ରଥମେ ଦେଖାଯାଏ । କଅଁଳିଆ ଡାଳର ପୁରୁଣା ପତ୍ରରେ ପ୍ରଥମେ ସରୁ ସରୁ ପଟାଳିଆ ଧଳା ଦାଗ ଦେଖାଯାଇ ପରେ ହଳଦିଆ ପଡିଆସେ ଓ ବେଶି ଅଭାବରେ ପତ୍ର ଭିତରକୁ ମୋଡି ମୋଡି ହୋଇଯାଏ । ମୂଳ ଆଡୁ ପତ୍ର ଝଡିପଡି ଅଗରେ କେବଳ କେତୋଟି ପତ୍ର ଥାଏ ।
ଗନ୍ଧକ
ଏହା ରୋଗ ଓ ପୋକ ବିରୁଦ୍ଧରେ ଗଛକୁ ଶକ୍ତ କରେ । ମାଟି ଅଧିକ ଅମ୍ଳ ହେଲେ କିମ୍ବା ଜମିରେ ଯଦି ଜୈବ ପଦାର୍ଥ କମ ରହେ ତେବେ ଗଛରେ ଗନ୍ଧକ ଅଭାବ ଜନିତ ଲକ୍ଷଣ ମାନ ଦେଖାଯାଏ । ଗନ୍ଧକ ଅଭାବରେ ଚେର ଓ କାଣ୍ଡ ଅସ୍ଵାଭାବିକ ଭାବେ ଲମ୍ବା ଓ କଠିନ ହୁଏ । ପତ୍ର ହଳଦିଆ ପଡିଯାଏ ।
ଗଛ ପ୍ରଥମ ୩ଟି ଖାଦ୍ୟ ଉପାଦାନ ଯଥା – ଯବକ୍ଷାରଜାନ, ଫସଫରସ ଓ ପଟାସିୟମ ମାଟି ଖତ ସାର ଓ ସେଚିତଜଳରୁ ପାଇଥାଏ । ସେହିପରି କ୍ୟାଲସିୟମ, ମ୍ୟାଗ୍ନେସିୟମ ଓ ଗନ୍ଧକ ସାରରୁ ଓ ରୂପାନ୍ତରିତ ପଦାର୍ଥମାନରୁ ପାଉ ।
ଏହି ୬ଟି ଉପାଦାନ ବାଆଦେ ବାକି ଯେଉଁ ୮ଟି ଉଦ୍ଭିଦର ଖାଦ୍ୟ ଉପାଦାନ ରହିଲା ତାକୁ ମଧ୍ୟ ଅଣୁସାର କୁହାଯାଏ ।ସେଗୁଡିକ ହେଲା –
ଏହା ପୃଷ୍ଟିସାର ତିଆରି କରିବା ସଙ୍ଗେ ସଙ୍ଗେ ଖାଦ୍ୟରସ ତିଆରି ଏବଂ ଉଦ୍ଭିଦ ବିଭାଜନ ଓ ପରିବର୍ତ୍ତନରେ ଏହା ମୁଖ୍ୟ ଅଂଶ ଗ୍ରହଣ କରେ । ଏହାର ଅଭାବ ପ୍ରଥମେ ଗଛର ଉପରଭାଗରେ ନୂଆ ପତ୍ରରେ ଦେଖାଯାଏ । ପତ୍ରର ଶିରା ମଧ୍ୟବର୍ତ୍ତୀ ଅଞ୍ଚଳ ସବୁ ହଳଦିଆ ପଡିଯାଏ । କ୍ଷାରୀ ମାଟିରେ ଲୌହର ଅଭାବ ବେଶି ଦେଖାଯାଏ ।
ଅଙ୍ଗଜ-ଜନନ ପାଇଁ ବ୍ୟବହୃତ ଡାଳଖଣ୍ଡ ଇତ୍ୟାଦିରୁ ସହଜରେ ଚେର ବାହାରିବା ପାଇଁ ବୋରନ ସାହାଯ୍ୟ କରେ । ଫସଲରେ ଫୁଲ, ଫଳ ଓ ମଞ୍ଜିର ସଠିକ ଗଠନ ପାଇଁ ମଧ୍ୟ ଏହା ଦରକାର । ଏହାର ଅଭାବରେ ଗଛର ଅଗ୍ର ମୂକୁଳ ମରିଯାଏ , କାଣ୍ଡ ଭଙ୍ଗୁର ହୁଏ, ଖାଦ୍ୟବାହି କୋଷ ଗୁଡିକ ନଷ୍ଟ ହୋଇଯାଏ ଏବଂ ପତ୍ରରେ ହଳଦିଆ ଦାଗମାନ ଦେଖାଯାଏ । କେତେକ କ୍ଷେତ୍ରରେ ଡାଳ ଅଗରେ ଗୋଛା ଗୋଛା ହୋଇ ଡାଳପତ୍ର ବାହାରେ ଓ ଫଳ ଭିତରେ ଏବଂ ଫଳ ଚୋପାରେ କେତେକ କୋଷ ନଷ୍ଟ ହୋଇଯିବାରୁ ସେ ଅଂଶ ବାଦାମି ରଙ୍ଗର ହୋଇଯାଏ ଏବଂ ବେଳେବେଳେ ସେଥିରେ ଅଠା ଜମିଯାଏ ।
ଗଛର ଶ୍ଵାସକ୍ରିୟା ଉପରେ ଏହାର ପ୍ରଭାବ ପକାଇଥାଏ ଏବଂ ପତ୍ରର ସବୁଜ କଣିକା ତିଆରିରେ ତଥା ଫସଲର ଫଳନଶକ୍ତି ବୃଦ୍ଧିରେ ଏହା ସାହାଯ୍ୟ କରେ । ତମ୍ବା ଅଭାବ ପଡୁଥିବା ଗଛରେ ପତ୍ରର ଅଗ ଝାଉଁଳି ମରିଯାଏ । ନୂଆ ହୋଇ ବାହାରୁଥିବା କନ୍ଦା ପତ୍ର ଖୋଲେ ନାହିଁ ।
ଶର୍କରା ଜାତୀୟ ଖାଦ୍ୟର ହଜମ ତଥା ଯବକ୍ଷାରଜାନ ଓ ଅଙ୍ଗାର ଗଠନ ପାଇଁ ଏହା ସାହାଯ୍ୟ କରେ । ଏହାର ଅଭାବ ଜନିତ ଲକ୍ଷଣ ପ୍ରଥମେ ଗଛର ଅଗରେ ଥିବା ନୂଆ ପତ୍ରରେ ଦେଖାଯାଏ । ଏହାର ଅଭାବରେ ପତ୍ର ହଳଦିଆ ହୋଇଯାଏ ଓ ଏହାର ବିଶେଷତ୍ଵ ହେଲା ଯେ ଶିରା ପ୍ରଶିରାକୁ ଛାଡି ପତ୍ରର ଅନ୍ୟ ସବୁ ଅଂଶ ହଳଦିଆ ଦେଖାଯାଏ । ସାଧାରଣତଃ ଅତିମାତ୍ରାରେ ଚୂନ ଯୁକ୍ତ ମୃତ୍ତିକାରେ ମାଙ୍ଗାନିଜର ଅଭାବ ଦେଖାଯାଏ ।
ମଞ୍ଜି ତଥା ଶସ୍ୟ ଉତ୍ପାଦରେ ଏହା ସାହାଯ୍ୟ କରେ । ପୃଷ୍ଟିସାର ତିଆରିରେ ମଧ୍ୟ ଏହା ଦରକାର ହୋଇଥାଏ । ଦସ୍ତାର ଅଭାବରେ ପତ୍ରର ଧାର ଭିତରକୁ ମୋଡି ହୋଇ ଆସେ ଏବଂ ପତ୍ର ତରଙ୍ଗାୟତି ହୋଇଥାଏ । ଶିରା ମଧ୍ୟବର୍ତ୍ତୀ ସ୍ଥାନ ମାନ ହଳଦିଆ ଦେଖାଯାଏ । କ୍ଷାରୀ ମାଟିରେ ଦସ୍ତାର ଅଭାବ ବେଶି ଦେଖାଯାଏ ।
ଯବକ୍ଷାରଜାନ ସୃଷ୍ଟିକାରୀ ଜୀବାଣୁ ମାନଙ୍କ ବୃଦ୍ଧି ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ । ବିଶେଷ କରି ଛୁଇଁଜାତୀୟ ଫସଲର ଚେରରେ ଗଣ୍ଠି ସୃଷ୍ଟି କରି ଏହି ଜୀବାଣୁମାନେ ମାଟିରେ ଯବକ୍ଷାରଜାନ ବଢାଇଥିବା ଏଭଳି ଫସଲ ପାଇଁ ମଲିବିଡେନମର ଯଥେଷ୍ଟ ଆବଶ୍ୟକ ଅଛି । ଏହାର ଅଭାବରେ ପତ୍ରର ହଳଦିଆ ପଡିଯାଏ ଓ ଛୋଟ ଛୋଟ ହୁଏ ।
ରୋଗ ବିରୁଦ୍ଧରେ ଲଢିବା ପାଇଁ ଏହା କାଣ୍ଡକୁ ଶକ୍ତ କରେ । ଗଛ ବହୁତ କମ୍ ପରିମାଣରେ କ୍ଳୋରିନ୍ ଦରକାର କରେ ।
କ୍ଳୋରିନ୍ ପରି କୋବାଲଟକୁ ମଧ୍ୟ ଗଛ ବହୁତ କମ୍ ପରିମାଣରେ ଦରକାର କରିଥାଏ । ଏହା ମଧ୍ୟ ଗଛକୁ ରୋଗ ବିରୁଦ୍ଧରେ ଲଢିବା ପାଇଁ ଶକ୍ତ ଦିଏ ।
ଗଛକୁ ଭଲ ଫଳ ପାଇବାକୁ ହେଲେ ଉପରୋକ୍ତ ଖାଦ୍ୟ ଉପାଦାନ ଗୁଡିକୁ ଫଳଗଛରେ ପ୍ରତିବର୍ଷ ଦେବା କଥା । ଏଥିପାଇଁ ଖତ, ସାର ଓ ଅଣୁସାରମାନ ବ୍ୟବହାର କରିବା କଥା । ଗୋଟିଏ ସାରରେ ଖାଦ୍ୟ ଉପାଦାନ ମଧ୍ୟରୁ ଗୋଟିଏ ବା ଦୁଇଟି ବା ଅତିକମରେ ତିନୋଟି ଉପାଦାନ ଥାଏ । ଯବକ୍ଷାରଜାନ ଆମେ କ୍ୟାଲସିମ ଆମୋନିୟମ ନାଇଟ୍ରେଟ, ଆମୋନିୟମ ସଲଫେଟ ଓ ଇଉରିଆରୁ ପାଉ । ସେହିପରି ଫସଫରସ ଆମେ ସୁପର ଫଟଫେଟରୁ ପାଇଥାଉ । ସେହିପରି ପଟାସିୟମ ମ୍ୟୁରେଟ ଅଫ ପଟାସ ଓ ପଟାସିୟମ ସଲଫେଟ ସାରରୁ ପାଇଥାଉ । କ୍ୟାଲସିୟମ ଆମେ କ୍ୟାଲସିମ ସଲଫେଟରୁ, ତମ୍ବା କପର ସଲଫେଟରୁ, ବୋରନ ବୋରାକ୍ସରୁ ଓ ମିଲିବିଡେମ ଏମୋନିୟମ ମଲିବଡେଟରୁ ମିଳିଥାଏ । କେଉଁ ଖତ, ସାର ଓ ପଦାର୍ଥରୁ ଆମେ ମୂଳ ଜିନିଷ କେତେ ପାଉ ତା’ର ଏକ ବିସ୍ତୃତ ହିସାବ ତଳେ ଦିଆଯାଇଛି ।
ସାରର ବହୁଳ ବ୍ୟବହାର ଫଳରେ ସାର ବିଷୟରେ ଅଧିକାଂଶ ଚାଷୀଭାଇ ମାନଙ୍କର କିଛିଟା ଧାରଣା ହୋଇସାରିଛି । କିନ୍ତୁ ଅଣୁସାର ବିଷୟରେ ବିଶେଷ ଧାରଣା ନଥିବା ମୁଁ ଅନୁଭବ କରିଛି । ପ୍ରତ୍ୟେକ ଅଣୁସାରର କି କାମ ତାହା ତ ଦିଆଯାଇଛି, ତେବେ ମୋଟା ମୋଟି ଭାବରେ କିପରି କାମ କରେ ତାହା ନିମ୍ନରେ ଦିଆଗଲା –
ଅଣୁସାର ପ୍ରୟୋଗ ଦୁଇଟି ପ୍ରକାରରେ କରାଯାଇପାରେ । ଗୋଟିଏ ହେଲା ମାଟିରେ ପ୍ରୟୋଗ କରିବା ଓ ଅନ୍ୟଟି ହେଲା ପତ୍ରରେ ଛିଞ୍ଚିବା ଦ୍ଵାରା । ଯଦି ପୂର୍ବ ଫସଲ ଲଗାଇବା ପୂର୍ବରୁ ଓ ଯଦି ପର ବର୍ଷ ଫଳଗଛ ମାନଙ୍କରେ ଅଭାବଜନିତ ଲକ୍ଷଣମାନ ଦେଖାଯାଏ, ତେବେ ମାଟିରେ ସେହି ଉପାଦାନ ପ୍ରୟୋଗ କରିବା ଉଚିତ୍ । ବଢୁଥିବା ଫସଲରେ ବା ଫଳନ୍ତି ଗଛରେ ଅଭାବ ଜନିତ ଲକ୍ଷଣ ମାନ ଦେଖାଗଲେ ପତ୍ରଛିଞ୍ଚା ପ୍ରଣାଳୀରେ ବ୍ୟବହାର କରିବ । କଅଁଳିଆ ପତ୍ରରେ ଅଣୁସାର ଛିଞ୍ଚିଲେ ଭଲ କାମ ଦିଏ । ତେଣୁ ଗଛର ଯେଉଁ ସମୟରେ ସାଧାରଣତଃ ନୂଆ ପତ୍ର ବାହାରେ ସେହି ସମୟରେ ଅଣୁସାର ପ୍ରୟୋଗ କଲେ ବିଶେଷ ଲାଭ ହୁଏ । ତେବେ ଗୋଟିଏ କଥା ମନେ ରଖିବେ, ଦରକାର ହେଉଥିଲେ ଅଣୁସାର ବ୍ୟବହାର କରିବେ କାରଣ ଆବଶ୍ୟକତା ଠାରୁ ଅଧିକ ବ୍ୟବହାର କଲେ ଏହା ଫସଲର କ୍ଷତି କରନ୍ତି ।
ଆଜିକାଲି ବିଭିନ୍ନ କମ୍ପାନୀ ବିଭିନ୍ନ ନାମରେ ଅଣୁସାରମାନ ତିଆରି କରି ବିକ୍ରି କଲେଣି । କେତେକ ସ୍ଥଳରେ ଗୋଟିଏ ଗୋଟିଏ ଅଣୁସାର ମିଳୁଛି । ସବୁଯାକ ଅଣୁସାର ମିଶାଇ ପ୍ୟାକେଟରେ ବା ତରଳ ଆକାରରେ ମିଳୁଛି । ଏହା ବାଦେ ସେମାନେ ପ୍ରତ୍ୟେକ ଗଛ ପାଇଁ ଦରକାର ହେଉଥିବା ଅଣୁସାରମାନ ତିଆରି କରି ବଜାରରେ ବିକୁଛନ୍ତି । ଉଦାହରଣ ସ୍ୱରୂପ – କର୍ଣ୍ଣାଟକ ଆଗ୍ରୋ କେମିକାଲ୍ସ ମଲ୍ଟିପ୍ଲେକ୍ସ ନାମରେ ଏକ ଅଣୁସାର ବିକ୍ରୟ କରୁଛନ୍ତି । ସେମାନେ ନଡିଆ, କଦଳୀ, ଫଳଗଛ, ପନିପରିବା ପାଇଁ ଦରକାର ଅନୁଯାୟୀ ଅଣୁସାର ମାନ ତିଆରି କରିଛନ୍ତି । ତା’ ଛଡା ଦସ୍ତାର ଅଣୁସାର ଜିଙ୍କହାଇ ଓ ଜିଙ୍କ ଇ.ଡି.ଟି.ଏ ବାହାର କରିଛନ୍ତି । ସେହିପରି ରାଲିସ ଇଣ୍ଡିଆ କମ୍ପାନୀ ଟ୍ରେସଲ -୨ ନାମରେ ଏକ ଅଣୁସାର ବିକ୍ରୟ କରୁଛନ୍ତି । ଏରିଶ କମ୍ପାନୀ ଆଗ୍ରୋମିନ ନାମରେ ଏକ ଅଣୁସାର ବିକ୍ରୟ କରୁଛନ୍ତି । ସେଥିରେ ଦସ୍ତା, ଲୌହ, ତମ୍ବା, ମାଙ୍ଗାନିଜ, ମ୍ୟାଗ୍ନେସିୟମ, ବୋରନ, ଓ ମଲିବିଡେମ ଅଛି । ସେମାନେ ମଧ୍ୟ ଚେଲାମିନ ନାମରେ ଏକ ଦସ୍ତାର କେବଳ ଅଣୁସାର ବିକ୍ରୟ କରୁଛନ୍ତି । ମାଇକ୍ରୋ କେମିକାଲସ ଇଣ୍ଡିଆ ପ୍ଳାଣ୍ଟଏଡ ନାମରେ ଏକ ଅଣୁସାର ବାହାରକରିଛନ୍ତି । ତାହା ମଧ୍ୟ ଭଲ କାମ ଦେଉଛି । ଏହା ଛଡା ଆମ୍ବାକେମ ଇଣ୍ଡଷ୍ଟ୍ରିଜର ଭାରତ ଅଣୁସାର ଓ ନ୍ୟୁଷ୍ପାଟିନ ଅଣୁସାର ମଧ୍ୟ ବଜାରରେ ମିଳୁଛି । ଏସବୁ ଅଣୁସାର ବ୍ୟବହାର କଲା ବେଳକୁ ଅଣୁସାର ପ୍ୟାକେଟରେ ବା ବୋତଲରେ କମ୍ପାନୀ ଯେପରି ବ୍ୟବହାର କରିବା ପାଇଁ ଲେଖିଥିବେ ସେପରି ବ୍ୟବହାର କରିବା ଉଚିତ୍ ।
ଏହାଛଡା ନାଗାର୍ଜୁନ ମାର୍କେଟିଂ ଆଣ୍ଡ ଏକ୍ସପୋର୍ଟ ଲିମିଟେଡ ଗୋଟିଏ ତରଳ ଜୈବିକ ସାର “ମଲ୍ଟିଜାଇମ” ନାମରେ ବିକୁଛନ୍ତି । ଏହାକୁ ଫସଲରେ ସ୍ପ୍ରେ କଲେ ଠିକ ପରିମାଣର ଖାଦ୍ୟ ସାର ମିଳିଥାଏ । ଶୀଘ୍ର ଅମଳ ହେଉଥିବା ଫସଲରେ ଆଶ୍ଚର୍ଯ୍ୟ ଜନକ ଭାବେ କାମ କରିପାରେ । ମଲଟିଜାଇମରେ ଏନଯାଇମ ପୋଷକ ପୃଷ୍ଟିସାର ଓ ଗଛର ବୃଦ୍ଧି ଘଟାଉଥିବା ପଦାର୍ଥମାନ ଅଛି । ହେକ୍ଟର ପିଛା ୫୦୦ ମିଲି ମଲଟିଜାଇମ ୫୦୦ ଲିଟର ପାଣିରେ ମିଶାଇ ସ୍ପ୍ରେ କରାଯାଏ । ଫସଲ ଅନୁଯାୟୀ ୨/୩ ଥର ସ୍ପ୍ରେ କଲେ ଭଲ କାମ ଦିଏ ।
ଫଳ ବଗିଚାରେ ରାସାୟନିକ ସାର ଅପେକ୍ଷା ଅଧିକ ଖତ , କମ୍ପୋଷ୍ଟ ଜୈବିକ ସାର, ପିଡିଆ, ହାତଗୁଣ୍ଡି, ବ୍ଲଡ଼ମିଲ, ଶୁକୁଆ ଗୁଣ୍ଡ, ପାଉଁଶ ଓ ସବୁଜ ସାର ବ୍ୟବହାର କଲେ ଫଳ ଅଧିକ ଫଳିବ ଓ ଫଳର ଗୁଣାତ୍ମକମାନ ମଧ୍ୟ ଅଧିକ ହେବ । ସବୁଠାରୁ ସବୁଜ ଗଛକୁ ହଳ କରି ମାଟିରେ ମିଶାଇବା ଦ୍ଵାରା ଯେଉଁ ଖତ ହୁଏ ତାହାକୁ ସବୁଜ ସାର ଓ ସବୁଜ ଖତ କୁହାଯାଏ । ଏହା କରିବା ଫଳରେ ଡାଳ, ମୂଳ ଓ ପତ୍ର ଇତ୍ୟାଦି ମାଟିରେ ସଢି ଖତରେ ପରିଣତ ହୁଏ ।
ସବୁଜ ସାର ମାଟିକୁ ଉର୍ବର କରେ, ମାଟିର ଜଳଧାରଣା ଶକ୍ତି ବଢାଏ, ମାଟିକୁ ଜୈବିକ ପଦାର୍ଥ ଯୋଗାଇ ତା’ ର ଭୌତିକ ଅବସ୍ଥା, ଦାନା ଗଠନ ଓ ଉତ୍ତାପ ଧାରଣ ଶକ୍ତିର ବିକାଶ କରେ , ମାଟିରେ ଥିବା ଅନେକ ଜୀବାଣୁକୁ କ୍ରିୟାଶୀଳ କରାଇଥାଏ ଓ ମାଟିରେ ଯବକ୍ଷାରଜାନ ପରିମାଣ ବୃଦ୍ଧି କରେ ଓ ଅନ୍ୟାନ୍ୟ ଖାଦ୍ୟ ଉପାଦାନ ମଧ୍ୟ ଯୋଗାଇଥାଏ । ଆଉ ଗୋଟିଏ ବଡ କଥା, ଯାହାକି ଅତି ବାଲିଆ, କ୍ଷାରୀ ଓ ଲୁଣିଆ ମାଟିରେ ବଗିଚାରେ ସବୁଜ ସାରର ଗଛମାନ ମାଟିରେ ମିଶାଇ ଦେଇ ଜମିକୁ ଉର୍ବର କରନ୍ତୁ ।
ବର୍ଷର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଗଛ ସବୁଜ ସାର ପାଇଁ ବ୍ୟବହାର କରାଯାଏ । ସେଗୁଡିକ ହେଲା -
ଧନିଚା
ହେକ୍ଟର ପ୍ରତି ୫୦ ରୁ ୬୦ କେଜି ମଞ୍ଜି ଦରକାର ହୁଏ ଓ ୧୭୫ ରୁ ୨୦୦ କୁଇଣ୍ଟାଲ ପର୍ଯ୍ୟନ୍ତ ସବୁଜ ପଦାର୍ଥ ମାଟିରେ ମିଶେ । ହାରାହାରି ୭୫ ରୁ ୮୦ କେଜି ଯବକ୍ଷାରଜାନ ସାର ମିଳିଥାଏ ।
ବିଲାତି ଧନିଚା
ଏହି ଧନିଚା ପରି କିନ୍ତୁ ହେକ୍ଟର ପିଛା ୬୦ ରୁ ୬୫ କେଜି ଯବକ୍ଷାରଜାନ ଦେଇଥାଏ । ଏହା କମ ପାଣିରେ ମଧ୍ୟ ମାଟିରେ ସଢିଯାଏ ।
ଛଣ
ଫଳ ବଗିଚା, ଉଚ୍ଚ ଯାଗା ପାଇଁ ଏହା ସବୁଠାରୁ ଭଲ ସବୁଜସାର ଗଛ । ମାଟିରେ ଶୀଘ୍ର ପଚିଯାଏ । ସନ୍ତସନ୍ତିଆ, ଲୁଣି ଓ କ୍ଷାରୀ ମାଟି ବ୍ୟତିତ ଅନ୍ୟ ସମସ୍ତ ମାଟିରେ ଏହାର ଚାଷ କରାଯାଇପାରିବ । ହେକ୍ଟର ପିଛା ୭୫ ରୁ ୧୦୦ କେଜି ମଞ୍ଜି ଦରକାର ହୁଏ । ଧନିଚା ପରି ୧୭୫ ରୁ ୨୦୦ କୁଇଣ୍ଟାଲ ସବୁଜ ପଦାର୍ଥ ମାଟିରେ ମିଶେ ଓ ବାଟିକୁ ୮୦ ରୁ ୯୦ କେଜି ପର୍ଯ୍ୟନ୍ତ ଯବକ୍ଷାରଜାନ ସାର ଦେଇଥାଏ ।
ବରଗୁଡି
ହେକ୍ଟର ପିଛା ୨୫ ରୁ ୩୦ କେଜି ମଞ୍ଜି ଦରକାର ହୁଏ ଓ ୫୫ ରୁ ୬୦ କେଜି ପର୍ଯ୍ୟନ୍ତ ଯବକ୍ଷାରଜାନ ଉତ୍ପନ ହୋଇଥାଏ ।
ଗୁଆଁର
୩୫ ରୁ ୫୦ କେଜି ପର୍ଯ୍ୟନ୍ତ ମଞ୍ଜି ଦରକାର ହୁଏ ଓ ୬୦ ରୁ ୬୫ ପର୍ଯ୍ୟନ୍ତ ଯବକ୍ଷାରଜାନ ମିଳିଥାଏ ।
ଯେଉଁ ଗଛ ଗୁଡିକ ସହଜରେ ମାଟିରେ ମିଶିଯାଏ ସେ ଗୁଡିକ ଶୀତଦିନେ ବୁଣାଯାଏ । ଶୀତଦିନେ ବିଲାତି ଧନିଚା, ଛଣି, ବରଗୁଡି ମୁଗ ବିରି ଓ ଖେସାରି ଇତ୍ୟାଦିକୁ ସବୁଜ ସାର ପାଇଁ ବ୍ୟବହାର କରାଯାଇପାରେ । ମୁଗ, ବିରି, ବରଗୁଡି ଓ ଖେସାରି ଇତ୍ୟାଦିରୁ ଛୁଇଁ ଅମଳ ପରେ ଏହାକୁ ମାଟିରେ ମିଶାଇ ଖତ କରାଯାଇପାରେ ।
ବରସିମ
ଲେଣ୍ଟିଲ କୁ ମଧ୍ୟ ସବୁଜ ସାର ପାଇଁ ନିଆଯାଇପାରେ ।
କେତେକ ଗଛର ପତ୍ର ଓ କଅଁଳିଆ ଡାଳକୁ ନେଇ ମାଟିରେ ମିଶାଇ ଖତ ତିଆରି କରାଯାଏ । ଏଥିପାଇଁ ସାଧାରଣତଃ ବିଲାତି ଚାକୁଣ୍ଡା, କରଞ୍ଜ, ନିମ୍ବ, ମହୁଲ, ବେଲ, ଚାକୁଣ୍ଡା, ପାଳଧୁଆ, ଜୟନ୍ତୀ, ଅରଖ, ଗ୍ଲାରିସିଡିଆ, ସୁବାବୁଲର ଡାଳ ପତ୍ରକୁ ବ୍ୟବହାର କରାଯାଏ । ଏହି ପତ୍ରରେ ଥିବା ଔଷଧୀୟ ଗୁଣ ଗଛକୁ ରୋଗ, ପୋକ, ପାଦୁର୍ଭାବରୁ ମଧ୍ୟ ରକ୍ଷା ମିଳିଥାଏ ।
ଆଧାର - ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା
Last Modified : 1/11/2020