ଫସଲ ଲଗା / ବୁଣା ହେବା ପୂର୍ବରୁ ବା ସମୟରେ ଯେଉଁ ସାର ପ୍ରୟୋଗ କରାଯାଏ ତାହାକୁ ମୂଳସାର କୁହାଯାଏ । ମୂଳସାର ପ୍ରୟୋଗ ପାଇଁ ବିଭିନ୍ନ ପ୍ରଣାଳୀ ହେଲା –
ଧାନ, ଗହମ, ମଣ୍ଡିଆ, ଝୋଟ ପ୍ରଭୃତି ଫସଲର ଗଛଗୁଡିକ ପାଖାପାଖି ରହିଥାନ୍ତି । ଫସଲ ଛଟାବୁଣା ହେଉଥିଲେ ବା ଖୁବ୍ ପାଖାପାଖି ଧାଡିରେ ବୁଣା ଯାଉଥିଲେ ଏହି ପ୍ରଣାଳୀରେ ସାର ପ୍ରୟୋଗ କରାଯାଏ । ବିହନ ବୁଣିବା ପୂର୍ବରୁ ଶେଷ ଓଡ ଚାଷ ବେଳେ ଜମିରେ ସାରକୁ ସମାନ ଭାବରେ ବିଞ୍ଚି ଦେଇ ହଳକରି ମାଟି ସହିତ ମିଶାଇ ଦିଆଯାଏ । ରକ୍ ଫସଫେଟ୍ , ହାଡଗୁଣ୍ଡ ପ୍ରଭୃତି ସାରକୁ ଏହି ପ୍ରଣାଳୀରେ ବିହନ ବୁଣିବାର ୨/୩ ସପ୍ତାହ ଆଗରୁ ପ୍ରୟୋଗ କରାଯାଏ ।
ଛାଡି ଛାଡି ସିଆର କରି , ଧାଡିକରି ବା ମନ୍ଦାକରି ଲଗାଯାଉଥିବା ଫସଲରେ ମୂଳସାର ପ୍ରଣାଳୀରେ ପ୍ରୟୋଗ କରାଯାଏ । ମକା, ଆଖୁ, ଆଳୁ, ଚିନାବାଦାମ, ଜୁଆର, ସୂର୍ଯ୍ୟମୁଖୀ ପ୍ରଭୃତି ବୁଣିବା ପୂର୍ବରୁ ପ୍ରଥମେ ପ୍ରଥମେ ସିଆର ଟାଣି ସେଥିରେ ଖତସାର ଦିଆଯାଏ ଓ ସିଆର ମଧ୍ୟରେ କାଠି ଟାଣି ନେଲେ ସାର ଅଳ୍ପ ମାଟିଦ୍ଵାରା ଘୋଡାଇ ହୋଇଯାଏ । ତା’ପରେ ସେହି ସିଆରରେ ମଞ୍ଜି ବୁଣାଯାଏ । ଅନେକ କ୍ଷେତ୍ରରେ ମଞ୍ଜି ଓ ସାରବୁଣା ଯନ୍ତ୍ର ସାହାଯ୍ୟରେ ପ୍ରଥମେ ସାର ଓ ତା ପଛେ ପଛେ ମଞ୍ଜି ଏକ ସମୟରେ ବୁଣାଯାଇ ପାରେ । କଖାରୁ , ପୋଟଳ, କୋବି, ବାଇଗଣ, ବିଲାତିବାଇଗଣ ପ୍ରଭୃତି ମନ୍ଦାରେ ଲଗାଯିବା ପୂର୍ବରୁ ମନ୍ଦା ଭିତରେ ସାର ଦେଇ ମାଟି ସହିତ ମିଶାଇ ଦେବା ପରେ ମଞ୍ଜି ବା ଚାରା ଲଗାଯାଏ । ଫଳଗଛ ଚାରା ଲଗାଇବା ବେଳେ ମଧ୍ୟ ଏହି ପ୍ରଣାଳୀରେ ମୂଳସାର ପ୍ରୟୋଗ କରାଯାଏ ।
ଲଙ୍ଗଳ ସିଆର ତଳେ ତଳେ ସାର ପ୍ରୟୋଗ କଲେ ସାର ବେଶି ନଷ୍ଟ ହୁଏ ନାହିଁ । ମାଟିରେ ଥିବା ବତର ଉପରେ ନିର୍ଭର କରି ବୁଣାଯାଉଥିବା ଫସଲରେ ଏହି ପ୍ରଣାଳୀରେ ହଲ ପଛେ ପଛେ ଲଙ୍ଗଳ ସିଆରରେ ସାର ପକାଯାଏ ଏବଂ ତାହା ପରବର୍ତ୍ତୀ ସିଆରର ମାଟିଦ୍ଵାରା ଘୋଡାଇ ହୋଇଯାଏ । ସାର ମାଟିର ପ୍ରାୟ ଗଭୀରରେ ରହେ । ତାପରେ ମଇ ଦେଇ ଜମି ସମତୁଲ କଲାପରେ ମଞ୍ଜି ବୁଣାଯାଏ ବା ତଳି ରୁଆଯାଏ ।ଲଙ୍ଗଳ କଣ୍ଟିରେ ଗୋଟିଏ ନଳାବାନ୍ଧି ଦିଆଯାଏ । ଏଥିରେ ଗୋଟିଏ ପଳା ଲାଗିଥାଏ । ପଳାରେ ସାର ପକାଇଲେ ଏହା ନଳା ଭିତରେ ଯାଇ ଲଙ୍ଗଳ ସିଆରରେ ପଡେ ଏବଂ ବେର୍ ହାରୁ ଖସୁଥିବା ମାଟି ଦ୍ଵାରା ଘୋଡାଇ ହୋଇଯାଏ । ପରେ ବିହନ ବୁଣାଯାଏ ।
ଫସଲ ବଢୁଥିବା ଅବସ୍ଥାରେ ସାଧାରଣତଃ ଯବକ୍ଷାରଜାନ ଓ ସ୍ଥଳ ବିଶେଷରେ ପଟାସ୍ ସାର ଓ ଅଣୁସାର ପ୍ରୟୋଗ କରାଯାଏ । ସେଥିପାଇଁ ବିଭିନ୍ନ ପ୍ରଣାଳୀଗୁଡିକ ହେଲା –
କିଆରୀରେ ଗଛ ଖୁବ୍ ଲଗାଲଗି ହୋଇଥିଲେ ସାରକୁ ବଞ୍ଚି ଦିଆଯାଏ ଏହାପରେ ବଛା ଖୁସା କରିଦେଲେ ସାର ମାଟି ସହିତ କିଛି ପରିମାଣରେ ମିଶିଯାଏ । ଲଗାଲଗି ହୋଇ ଧାଡିରେ ବୁଣା ହୋଇଥିବା ଫସଲରେ ଧାଡି ମଝିରେ ମଝିରେ ଚକ୍ରବିଦା ଚଳାଇ ଦିଆଯାଇପାରେ କିମ୍ବା ସାର ଧାଡିରେ ବୁଣି ଖୁସାଇ ହୁଡା ଟେକି ଦିଆଯାଏ । ଧାଡି ଛଡା ଛଡା ହୋଇଥିଲେ ଖୁସେଇ ଗଛ ମୂଳରେ ସରୁ ସିଆର ଟେକି ଦିଆଯାଏ । ଧାଡି ଛଡା ଛଡା ହୋଇଥିଲେ ଖୁସେଇ ଗଛ ମୂଳରେ ସରୁ ସିଆର କରି ସେଥିରେ ସାର ବୁଣି ଦିଆଯାଇ ଅଳ୍ପ ହୁଡା ଟେକି ଦିଆଯାଏ । ମାଟି ଶୁଖିଲା ଥିଲେ ସାର ବଞ୍ଚିବା ପରେ ପାଣି ମଡାଯାଏ କିମ୍ବା ଠିକ୍ ବର୍ଷା ପୂର୍ବରୁ ବା ବର୍ଷା ହେବାର ଅଳ୍ପ କେତେ ଘଣ୍ଟା ପରେ ସାର ବିଞ୍ଚାଯାଏ । ସାର ବିଞ୍ଚିବା ବେଳେ ପତ୍ରରେ କାକର ବା ବର୍ଷାପାଣି ଲାଗି ନ ରହିଥିବା ଦରକାର । ନଚେତ୍ ସାରଦାନା ପତ୍ରରେ ଲାଗିରହେ ଓ ପତ୍ରକୁ ପୋଡି ପକାଏ । ଧାନ, ଗହମ, ମଣ୍ଡିଆ, ସୋରିଷ, ରାଶି ପ୍ରଭୃତି ଫସଲରେ ଏହିପରି ସାର ପ୍ରୟୋଗ କରାଯାଏ ।
ଯଥେଷ୍ଟ ବ୍ୟବଧାନରେ ଧାଡିରେ ଲଗାଯାଇଥିବା ମକା, ଆଖୁ, ଆଳୁ, ସାରୁ, କପା ପ୍ରଭୃତି ଫସଲରେ ଏହି ପ୍ରଣାଳୀରେ ସାର ପ୍ରୟୋଗ କରାଯାଏ । ପ୍ରଥମେ ଧାଡି ମଝିକୁ ଖୁସାଇ ଦିଆଯାଏ । ତାପରେ ଗଛ ଧାଡିର ଦୁଇ ପାର୍ଶ୍ଵରେ ଧାଡି ମୂଳରୁ ୨/୩ ଇଞ୍ଚ ଛଡାଇ ଛୋଟ ସିଆର ଟଣାଯାଏ । ସେହି ସିଆରରେ ସାର ପ୍ରୟୋଗ କରି ହୁଡା ଟେକି ଦିଆଯାଏ । ତାପରେ ଆବଶ୍ୟକ ସ୍ଥଳେ ହୁଡା ମଝି ପହଣିରେ ପାଣି ମଡାଯାଏ ।
କଖାରୁ, କାକୁଡି, ପୋଟଳ, କଲରା ପ୍ରଭୃତି ଫସଲ ମନ୍ଦାରେ ଲଗାଯାଏ । ମନ୍ଦା ଚାରିପଟ ମାଟିକୁ ଖୁସାଇ ମଲାଠାରୁ ୪/୬ ଇଞ୍ଚ ଦୂରତାରେ ବୃତ୍ତାକାର ସିଆର କରି ତହିଁରେ ସାର ଦିଆଯାଏ ଓ ଚାରିପଟର ମନ୍ଦାମୂଳକୁ ମାଟି ଟେକି ଦିଆଯାଏ । କଦଳୀ, ଅମୃତଭଣ୍ଡା, ପିଜୁଳି , ଲେମ୍ବୁ ପ୍ରଭୃତି ଫଳଗଛରେ ମଧ୍ୟ ଏହି ପ୍ରଣାଳୀରେ ସାର ଦିଆଯାଏ । କିନ୍ତୁ ଗଛ ମୂଳଠାରୁ ଅଧିକ ଦୂରରେ ୧୫ – ୨୦ ସେ.ମି. ଗଭୀର ନାଳି କରି ସାର ଦିଆଯାଏ ।
ଖାଲୁଆ ଧାନ କିଆରୀରେ ଅଧିକ ପାଣିଥିବା ବେଳେ ଏହି ପ୍ରଣାଳୀରେ ସାର ଦିଆଯାଏ । ଏଥିପାଇଁ ବଡଗୁଳା ୟୁରିଆ ସାର ସଂଗ୍ରହ କରାଯାଏ କିମ୍ବା ସାକ୍ଷାରଣ ୟୁରିଆ ତା’ର ୫ ଗୁଣ ପରିମାଣ ମାଟି ମିଶାଇ ଚକଟି ୫-୧୦ ଗ୍ରାମ୍ ଓଜନର ଗୁଳାକରି ଛାଇରେ କିଛି ସମୟ ଶୁଖାଇ ଦିଆଯାଏ । ଧାନ ରୋଇବାର ୭-୧୦ ଦିନ ମଧ୍ୟରେ ବୁଦାଫାଙ୍କ ସ୍ଥାନ ମଝିରେ ଗୋଟିଏ ଗୋଟିଏ ସାର ଗୁଳା ପ୍ରାୟ ୩୦-୪୦ ସେ.ମି. ବ୍ୟବଧାନରେ ନରମ କାଦୁଆ ମଧ୍ୟକୁ ପୋତି ଦିଆଯାଏ । ଏଥିରୁ ଯବକ୍ଷାରଜାନ ଧୀରେ ଧୀରେ ନିର୍ଗତ ହୋଇ ଧାନ ଫସଲକୁ ଶେଷ ପର୍ଯ୍ୟନ୍ତ ମିଳୁଥାଏ ।
ଫସଲରୁ ଖାଦ୍ୟସାର ଅଭାବ ଖୁବ୍ କମ୍ ସମୟରେ ଦୂର କରିବା ପାଇଁ ପତ୍ର ସିଞ୍ଚନ କରାଯାଏ । ଆଉ ମଧ୍ୟ ମାଟିରେ ସାର ପ୍ରୟୋଗ କରିବା ଦ୍ଵାରା ଫସଲ ଖାଦ୍ୟସାର ଗ୍ରହଣ କରିବାରେ ଅସୁବିଧା ଥିଲେ ମଧ୍ୟ ପତ୍ର ସିଞ୍ଚନ କରାଯାଏ । କମ୍ ପରିମାଣରେ ପ୍ରୟୋଗ କରାଯାଉଥିବା ଅଣୁସାରଗୁଡିକ ଏହି ପ୍ରଣାଳୀରେ ପ୍ରୟୋଗ କରାଯାଏ । ପତ୍ର ସିଞ୍ଚନ ପାଇଁ ଫସଲର ପତ୍ର ବିସ୍ତୃତି ଖୁବ୍ ବେଶି ହେବା ଆବଶ୍ୟକ । ଫସଲ ବଢି ପତ୍ରଦ୍ଵାରା ମାଟି ପୂରା ଘୋଡେଇ ହୋଇଯିବା ଦରକାର । ପତ୍ର ଗହଳ ନଥିଲେ ସିଞ୍ଚନ ହେଉଥିବା ଦ୍ରବଣର ଅଧିକ ଭାଗ ପତ୍ରରେ ନପଡି ଫାଙ୍କ ସ୍ଥାନ ମାଟିରେ ପଡେ । ଦ୍ରବଣ ସମାନ ଭାବରେ ପତ୍ରରେ ଛିଞ୍ଚିବା ପାଇଁ ଉତ୍ତମ ସ୍ପ୍ରେ ଯନ୍ତ୍ର ଆବଶ୍ୟକ । ତୃତୀୟତଃ , ସାଧାରଣ ହସ୍ତଚାଳିତ ସ୍ପ୍ରେୟର ବ୍ୟବହାର କରାଯାଉଥିଲେ 2 – 4 % ୟୁରିଆ ଦ୍ରବଣ ସ୍ପ୍ରେ କରାଯାଏ । ୟୁରିଆ ସାରରେ ବାଇ ୟୂରେଟ ବା ଲୌହ ସଲଫେଟ୍ ଅଣୁସାର ସିଞ୍ଚନ 0.5% ପାଇଁ ଦ୍ରବଣ ପ୍ରସ୍ତୁତ କରାଯାଏ । ଦ୍ରବଣ ପ୍ରସ୍ତୁତ କଲାବେଳେ ତାହାକୁ ନିରପେକ୍ଷ କରିବା ପାଇଁ ଲବଣର ଅଧାପରିମାଣ ଚୂନ ମିଶିଯାଏ । ଟାଙ୍ଗଣା ବା ବୋରିକ୍ ଅମ୍ଳ ଏବଂ ସୋଡିଅମ୍ ମଲିବେଡେଟ୍ ପତ୍ର ସିଞ୍ଚନ ପାଇଁ ଯଥାକ୍ରମେ 0.25% ଏବଂ 0.05% ଦ୍ରବଣ ବ୍ୟବହାର କରାଯାଏ । ଯନ୍ତ୍ରଚାଳିତ ସ୍ପ୍ରେୟର ବ୍ୟବହାର କରାଯାଉଥିଲେ ହେକ୍ଟର ପିଛା କମ୍ ପରିମାଣ ଦ୍ରବଣ ଆବଶ୍ୟକ ହୁଏ । ତେଣୁ ସେହି ଅନୁସାରେ ଦ୍ରବଣର ସାନ୍ଧ୍ରତା ବଢାଇବା ଆବଶ୍ୟକ ହୁଏ । ସାଧାରଣତଃ ପାଗ ଥଣ୍ଡା ଥିବା ସମୟରେ ଉପରବେଳା ପତ୍ରରେ ସାର ସିଞ୍ଚନ କରିବା ନିରାପଦ । ଟାଣ ଖରା ପଡୁଥିବା ବେଳେ ପତ୍ର ସିଞ୍ଚନ କଲେ ପତ୍ର ପୋଡିଯାଏ । ଦୁଇଥର ପତ୍ର ସିଞ୍ଚନ ମଧ୍ୟରେ ଅତି କମ୍ ରେ ୧୦ ଦିନ ବ୍ୟବଧାନ ରହିବା ଆବଶ୍ୟକ ।
ତରଳ ସାର ଯଥା – ତରଳ ଯବକ୍ଷାରଜାନ ସାର , ତରଳ ଆମୋନିଅମ୍ ପଲିଫସଫେଟ୍ ସାର ଇତ୍ୟାଦିକୁ ଜଳସେଚନ ପାଇଁ ନାଳୀରେ ନିଆଯାଉଥିବା ପାଣି ସହିତ ମିଶାଇ ପ୍ରୟୋଗ କରାଯାଇପାରେ । ତଳି ଘରାରେ ଅଳ୍ପ ପରିମାଣ ସାର ପ୍ରୟୋଗ କରିବା ପାଇଁ ସାରକୁ ପାଣିରେ ଗୋଳାଇ ଦେଇ ଛିଞ୍ଚି ଦିଆଯାଏ ଓ ତାପରେ କେବଳ ପାଣି ଛିଞ୍ଚି ଦିଆଯାଏ । ଏହା ଫଳରେ ସାର ପାଣି ସହିତ ମାଟିକୁ ଭେଦିଯାଏ ଓ ସହଜରେ ଫସଲ ଚେର ଦ୍ଵାରା ଗୃହୀତ ହୋଇପାରେ ।
ଚେର ସାର ଶୋଷିବା ପାଇଁ ମୃତ୍ତିକାରେ ଯଥେଷ୍ଟ ଆର୍ଦ୍ରତା ଥିବା ଆବଶ୍ୟକ । ତେଣୁ ପାଣି ମଡାଇବା ଦରକାର ପଡେ । କିନ୍ତୁ ସାର ପ୍ରୟୋଗ ପରେ ଜମିରୁ ଉଦ୍ ବୃତ୍ତ ଜଳ ବାହାରିଗଲେ କିମ୍ବା ବାଲିଆ ମାଟିରେ ତଳକୁ ରହିଗଲେ ଜଳ ସହିତ ଦ୍ରବୀଭୂତ ଖାଦ୍ୟସାର ମଧ୍ୟ ବାହାରିଯାଏ । ତେଣୁ ସାରର କାର୍ଯ୍ୟକାରିତା ବୃଦ୍ଧିପାଇଁ ଉତ୍ତମ ଜଳ ବିନିଯୋଗ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ।
ସାଧାରଣତଃ ଅଧିକ ଫଳନ କ୍ଷମ କିସମଗୁଡିକ ଦେଶୀୟ କିସମ ଅପେକ୍ଷା ସାରକୁ କାର୍ଯ୍ୟକାରୀ କରିବାରେ ଅଧିକ ସମର୍ଥ ।
ଫସଲ କିଆରୀରେ ଥିବା ଅନାବନା ଘାସ ସାରର କିଛି ଅଂଶ ଭାଗ ବାଣ୍ଟି ନିଅନ୍ତୁ । ତେଣୁ ଫସଲ ସାରରୁ ଆଶାଜନକ ଉପକାର ପାଇପାରେ ନାହିଁ ।
ସାରର ସମୁଚିତ ଭାବରେ କାର୍ଯ୍ୟକାରୀ ହେବା ପାଇଁ ଫସଲ କିଆରୀରେ ଆବଶ୍ୟକ ବ୍ୟବଧାନରେ ଯଥେଷ୍ଟ ସଂଖ୍ୟକ ଗଛ ରହିଥିବା ଆବଶ୍ୟକ । ଉପଯୁକ୍ତ ପରିମାଣରେ ଗଛ ନଥିଲେ ସାର ମାଟିରେ ଭେଦି ତଳକୁ ବହି ନଷ୍ଟ ହୁଏ ।
ମାଟିର ଦୈହିକ ଗଠନ, ଛିଦ୍ରତା, ବାୟୁ ସଞ୍ଚାଳନ ଠିକ୍ ନଥିଲେ ଚେର ଭଲ ବଢିପାରେ ନାହିଁ । ସେହିପରି ମାଟି ଅତିଶୟ ଅମ୍ଳୀୟ, କ୍ଷାରୀ ବା ଲବଣାକ୍ତ ଥିଲେ ଚେର ଭଲ ବଢେ ନାହିଁ । ଲୌହ, ଆଲୁମିନିୟମ , ମାଙ୍ଗାନିଜ ଅତ୍ୟଧିକ ଦ୍ରବୀଭୂତ ହୋଇଥିଲେ ସେମାନଙ୍କର ବିଷାକ୍ତ ପ୍ରଭାବ ଦେଖାଯାଏ । ଉପରୋକ୍ତ କାରଣରୁ ସାରର କାର୍ଯ୍ୟକାରିତା କମିଯାଏ । ତେଣୁ ପ୍ରଥମେ ମାଟିର ଶୋଧନ ବା ଉନ୍ନତି କରଣ ଆବଶ୍ୟକ ।
ସାର ଦିଆଯାଇଥିବା ଫସଲ ଅଧିକ ନରମା ବା କଅଁଳ ରହେ । ତେଣୁ ଅଧିକ ରୋଗ ପୋକ ଦ୍ଵାରା ଆକ୍ରାନ୍ତ ହୁଅନ୍ତି । ତେଣୁ ଆବଶ୍ୟକ ଫସଲ ସଂରକ୍ଷଣ ବ୍ୟବସ୍ଥା କରାଯିବା ଆବଶ୍ୟକ ।
ଖରାପ ପାଗ ଯୋଗୁଁ ଫସଲ ବୃଦ୍ଧିରେ ବ୍ୟାଘାତ ସୃଷ୍ଟି ହୁଏ । ତେଣୁ ଅଧିକ ସାର ବିଶେଷତଃ ଯବକ୍ଷାରଜାନ ପ୍ରୟୋଗ ହୋଇଥିଲେ ଗଛ ଭାଙ୍ଗି ପଡେ, ସାରର କାର୍ଯ୍ୟକାରିତା ହ୍ରାସପାଏ ।
ଉଦାହରଣ – ୧
ଧାନ ଫସଲ ପାଇଁ NPK ଅନୁମୋଦନ
ହେକ୍ଟର ପ୍ରତି 80-40-40
ଏକର ପ୍ରତି 32-16-16
ପ୍ରୟୋଗ ସମୟ
ଯବକ୍ଷାର ୩ ଥରରେ ଦିଆଯିବ ।
ମୂଳସାର – 8+ ପିଲସାର 16+ଗର୍ଭସାର – 8 = 32 କି.ଗ୍ରା. / ଏକର ପିଚ୍ଛା
ଫସଫରସ୍ = ସମୁଦାୟ 16 କି.ଗ୍ରା. / ଏକର ମୂଳସାର
ପଟାସ୍ ୨ ଥରରେ = ମୂଳସାର 8+ ଗର୍ଭସାର 8 = 16 କି.ଗ୍ରା. / ଏକର ।
ନିର୍ମାଚିତ ସାର – ୟୁରିଆ 46% N
ସିଙ୍ଗଲ ସୁପର ଫସଫେଟ୍ = 16%
ଏବଂ ମିଉରିଏଟ୍ ଅଫ୍ ପଟାସ୍ = 60%O
ସାର ପରିମାଣ ହିସାବ
ମୂଳସାର = 8କି.ଗ୍ରା. N, 16 କି.ଗ୍ରା. ଓ 8 କି.ଗ୍ରା. O
8 କି.ଗ୍ରା. N = = 17.4 କି.ଗ୍ରା. ୟୁରିଆ
16 କି.ଗ୍ରା. = = 100 କି.ଗ୍ରା. ଏସ୍ .ଏସ୍ . ପି.
8 କି.ଗ୍ରା. O = = 13.3 କି.ଗ୍ରା. ମିଉରିଏଟ୍ ଅଫ୍ ପଟାସ୍ ।
ପିଲସାର (ଧାନରୁଆର 15 ଦିନ ପରେ)
16 କି.ଗ୍ରା. N = = 34.8 କି.ଗ୍ରା. ୟୁରିଆ
ଗର୍ଭସାର (ଧାନକୁ ଲିଙ୍ଗ ଧରିବା ଅବସ୍ଥାରେ)
8 କି.ଗ୍ରା. = 17.4 କି.ଗ୍ରା. ୟୁରିଆ
8 କି.ଗ୍ରା. = 13.3 କି.ଗ୍ରା. ମିଉରିଏଟ୍ ଅଫ୍ ପଟାସ୍
ଉଦାହରଣ - ୨
ଚନ୍ଦ୍ରମୁଖୀ ଆଳୁପାଇଁ NPK ଅନୁମୋଦନ = ୧୦୦ – ୬୦ – ୧୦୦ କି.ଗ୍ରା./ ହେକ୍ଟର କିମ୍ବା ୪୦-୨୪-୪୦ କି.ଗ୍ରା. / ଏକର
ପ୍ରୟୋଗ ସମୟ |
ମୂଳସାର |
ହୁଡାଟେକା ସାର |
ମୋଟ |
ଯବକ୍ଷାର (N) |
10 |
30 |
40 |
ଫସଫରସ୍ |
24 |
0 |
24 |
ପଟାସ୍ (O) |
20 |
20 |
40 |
ନିର୍ବାଚିତ ସାର
ମୂଳସାର DAP 18 – 46 ଏବଂ ମିଉରିଏଟ୍ ଅଫ୍ ପଟାସ୍ 60% O ହୁଡାସାର = ଆମୋନିଅମ୍ ସଲଫେଟ୍ = 20.6 N ଏବଂ ମିଉରିଏଟ୍ ଅଫ୍ ପଟାସ୍ = 60% O
ସାର ପରିମାଣ ହିସାବ
ମୂଳସାର
24 କି.ଗ୍ରା. = = 52 କି.ଗ୍ରା. DAP
52 କି.ଗ୍ରା. DAPରେ ଥିବା N = = 9.35 କି.ଗ୍ରା. ।
ତେଣୁ ଅବଶିଷ୍ଟ (10-9.35) = 0.65 କି.ଗ୍ରା. N ମୂଳସାରରେ ନଦେଇ ହୁଡାଟେକା ସାର ସହିତ ମିଶାଇ ପ୍ରୟୋଗ କରାଯାଇପାରେ ।
20 କି.ଗ୍ରା. O = = 33.3 କି.ଗ୍ରା. ମିଉରିଏଟ୍ ଅଫ୍ ପଟାସ୍ ।
ମୋଟ ମୂଳସାର = 52 କି.ଗ୍ରା. DAP ଏବଂ 33.3 କି.ଗ୍ରା. MOP ।
ହୁଡାଟେକା ସାର
30.65 କି.ଗ୍ରା. N = X 100 = 149 ବା 150 କି.ଗ୍ରା.
ଆମୋନିଅମ୍ ସଲଫେଟ୍
20 କି.ଗ୍ରା. = 33.3 କି.ଗ୍ରା.
ସୂଚନା
ମୂଳସାର ଭାବରେ ମିଶ୍ରିତ ସାର ବ୍ୟବହାର କରାଯାଉଥିଲେ ଯେହେତୁ ସବୁତକ ଫସଫରସ୍ ଖାଦ୍ୟସାର କେବଳ ମୂଳସାର ଭାବରେ ପ୍ରୟୋଗ କରାଯାଏ ତେଣୁ ଆବଶ୍ୟକ ପରିମାଣ ଫସଫରସ୍ ପାଇଁ କେତେକ ପରିମାଣ ମିଶ୍ରିତ ସାର ଆବଶ୍ୟକ ତାହା ପ୍ରଥମେ ହିସାବ କରାଯାଏ । ସେହି ପରିମାଣର ମିଶ୍ରିତ ସାରରେ କେତେକ N ଓ O ରହୁଛି ତାହା ବାଦ୍ କରି ଅବଶିଷ୍ଟ N ଓ O ଅନ୍ୟ ନିର୍ବାଚିତ ସାର ଭାବରେ ହିସାବ କରାଯାଏ ।
ଏକ ହେକ୍ଟର = 2.47 ଏକର ବୋଲି ଧରାଯାଏ । ତେଣୁ ଏକର ପିଚ୍ଛା ସାର ପରିମାଣ ହିସାବ କରାଯାଇଥିଲେ ହେକ୍ଟର ପିଚ୍ଛା ହିସାବ କରିବାକୁ 2.47 ରେ ଗୁଣନ କରାଯାଏ ।
ଫସଲ ବୃଦ୍ଧିରେ ପ୍ରତିବନ୍ଧକ ହେଉଥିବା ଏବଂ କୁପ୍ରଭାବ ପକାଉଥିବା ମୃତ୍ତିକାର ଅସ୍ଵାଭାବିକ ରାସାୟନିକ ଗୁଣ ଓ ଦୈହିକ ଅବସ୍ଥାକୁ ସୁଧାରିବା ପାଇଁ ଯେଉଁ ସବୁ ପଦାର୍ଥ ଜମିରେ ପ୍ରୟୋଗ କରାଯାଏ ସେଗୁଡିକୁ ମୃତ୍ତିକା ଶୋଧନ କୁହାଯାଏ ।
ବିଶେଷ କରି ଅତ୍ୟଧିକ ଅମ୍ଳୀ ଏବଂ କ୍ଷାରୀ ମାଟିର ଶୋଧନ ନିହାତି ଆବଶ୍ୟକ ଅଧିକାଂଶ ମାଟିର ଅମ୍ଳ ପରିମାପକ (PH) 4.0 ରୁ 10.0 ମଧ୍ୟରେ ରହିଥିବାର ଦେଖାଯାଏ । ବିଭିନ୍ନ ମାଟିର ଅମ୍ଳତା ଓ କ୍ଷାରୀତାର ପରିମାଣ ଅନୁସାରେ ସେଗୁଡିକୁ ନିମ୍ନ ପ୍ରକାରେ ଶ୍ରେଣୀଭୂକ୍ତ କରାଯାଏ ।
ଅମ୍ଳୀୟ ମୃତ୍ତିକା
ଅମ୍ଳତା ଶ୍ରେଣୀ |
ଅମ୍ଳ ପରିମାପକ |
ସାମାନ୍ୟ ଅମ୍ଳୀ |
6.0 -6.5 |
ମଧ୍ୟମ ଅମ୍ଳୀ |
5.0-6.0 |
ଅଧିକ ଅମ୍ଳୀ |
4.5-5.0 |
ତୀବ୍ର ଅମ୍ଳୀ |
4.0-4.5 |
ଅତିବ୍ର ଅମ୍ଳ |
4.0 ରୁ କମ୍ |
କ୍ଷାରୀୟ ଶ୍ରେଣୀ
କ୍ଷାରୀୟ ଶ୍ରେଣୀ |
ଅମ୍ଳ ପରିମାପକ |
ସାମାନ୍ୟ ଅମ୍ଳୀ |
7.4-8.0 |
ମଧ୍ୟମ ଅମ୍ଳୀ |
8.0-9.0 |
ଅଧିକ ଅମ୍ଳୀ |
9.0-9.5 |
ତୀବ୍ର ଅମ୍ଳୀ |
9.5-10.0 |
ଅତିବ୍ର ଅମ୍ଳ |
10.0 ରୁ ଅଧିକ 6.5-7.5 |
ନିରପେକ୍ଷ ମୃତ୍ତିକା |
6.5-7.5 |
ସାଧାରଣତଃ ମୃତ୍ତିକାର ରୁ କମ୍ କିମ୍ବା ଅଧିକ ରହିଲେ ମୃତ୍ତିକା ଶୋଧନ କରାଯିବ ନିହାତି ଆବଶ୍ୟକ ।
ଅମ୍ଳୀୟ ମୃତ୍ତିକାରେ ବିଭିନ୍ନ ପ୍ରକାର ଉପକାରୀ ଶାକାଣୁ ବଂଶ ବୃଦ୍ଧି ଓ କାର୍ଯ୍ୟଦକ୍ଷତା କମିଯାଏ ।
ମୃତ୍ତିକାର ବିନିମୟଶୀଳ ସୋଡିୟମ ପରିପୃକ୍ତତା 15% ରୁ ଅଧିକ ଓ ଅମ୍ଳ ପରିମାପକ 8.5 ରୁ ଅଧିକ ଥିଲେ ତାହାକୁ କ୍ଷାଋ ମୃତ୍ତିକା କୁହାଯାଏ । ଏହି ପ୍ରକାର ମୃତ୍ତିକାରେ କର୍ଦ୍ଦମ ଅଣୁ ଏବଂ ହ୍ୟୁମସ ଅଣୁ ପରସ୍ପରଠାରୁ ଅଲଗା ହୋଇ ରହିଥାନ୍ତି । ତେଣୁ ମୃତ୍ତିକାରେ ଦାନା ଗଠନ ହୋଇପାରେ ନାହିଁ ଓ ଶୁଷ୍କ ଅବସ୍ଥାରେ ଏହା ପଥର ଭଳି କଠିନ ଓ ଆର୍ଦ୍ର ଅବସ୍ଥାରେ ଛିଦ୍ର ବିହୀନ ଚିକିଟା କାଦୁଅ ଭଳି ରହିଥାଏ । ମୃତ୍ତିକାରୁ ଜଳ ସହଜେ ତଳକୁ ନିଗିଡି ପାରେ ନାହିଁ । ଏହି ପ୍ରକାର ଖରାପ ଦୈହିକ ଅବସ୍ଥା ଯୋଗୁଁ ଛେରା ବୃଦ୍ଧି ବାଧାହୁଏ । ଅନେକ ସ୍ଥଳରେ ଅତ୍ୟଧିକ କ୍ଷାରୀ ଯୋଗୁଁ ଛେରା ମରିଯାଏ ।
ଅମ୍ଳ ପରିମାପକ 8.5 ରୁ କମ୍ ଥିବା କ୍ଷାରୀୟ ମାଟିରେ ବୋରନ୍ ତଥା ଫସଫରସ୍ କ୍ୟାଲେସିୟମ ସହିତ ବାନ୍ଧି ହୋଇ ରହିବା ଫଳରେ ଗ୍ରହଣୀୟତା କମିଯାଏ ।
ଲୌହ, ମାଙ୍ଗାନିଜ ଦସ୍ତା ଓ ତମ୍ବାର ଦ୍ରବଣୀୟତା ହ୍ରାସ ପାଇବା ଯୋଗୁଁ ଫସଲରେ ଏହି ଲଘୁ ଉପାଦାନଗୁଡିକର ଅଭାବ ପରିଲକ୍ଷିତ ହୁଏ ।
କ୍ଷାରୀୟ ମୃତ୍ତିକାରେ ସଲଫର୍ ଖାଦ୍ୟସାର କମ୍ ଥିବାର ଦେଖାଯାଏ ଏବଂ ଯବକ୍ଷାର ଆମୋନିଆ ଗ୍ୟାସ୍ ଭାରେ ବିନଷ୍ଟ ହୁଏ ।
କ୍ଷାରୀୟ ମୃତ୍ତିକାରେ ଆଳୁ ଫସଲରେ ଯାଦୁରା ରୋଗ ପ୍ରାର୍ଦୁଭାବ ଦେଖାଯାଏ ।
ଏହି ସବୁ ଦୃଷ୍ଟିରୁ ମାଟିର ଅମ୍ଳ ପରିମାପକ 6ରୁ 7 ମଧ୍ୟରେ ରହିବା ଭଲ । ତେଣୁ ଅଧିକ ଅମ୍ଳୀ ବା କ୍ଷାରୀ ମୃତ୍ତିକାରେ ଶୋଧକ ପ୍ରୟୋଗ କରି ମାଟିର ଅମ୍ଳତା ବା କ୍ଷାରୀତା କମାଇବା ଆବଶ୍ୟକ ।
ଅମ୍ଳମାଟି ଶୋଧନ
ମାଟିରେ ଚୂନ ଜାତୀୟ ପଦାର୍ଥ ପ୍ରୟୋଗ କଲେ ମାଟିରେ ଅମ୍ଳତା ହ୍ରାସ ପାଏ । ଚୂନ ଜାତୀୟ ପଦାର୍ଥ ଭାବରେ କ୍ୟାଲେସିୟମ ଓ ମ୍ୟାଗ୍ନେସିଅମ, କାର୍ବୋନେଟ, ବାଇକାର୍ବୋନେଟ, ଅକସାଇଡ ଓ ସିଲିକେଟ ଆଦି ବ୍ୟବହୃତ ହୁଏ । ଚୂନ ପଥର ଗୁଣ୍ଡ, ଡୋଲମାଇଟ, ଗୁଣ୍ଡ, ଚୂନ, ଇସ୍ପାତ କାରଖାନା ମଳ, ଇତ୍ୟାଦି ଚୂନ ଜାତୀୟ ପଦାର୍ଥ ଭାବରେ ଉପଯୋଗ କରାଯାଏ । ଚୂନ ଜାତୀୟ ପଦାର୍ଥ ପ୍ରୟୋଗ କଲେ । ମୃତ୍ତିକାର ଅମ୍ଳତା କମେ , କ୍ୟାଲେସିୟମ, ଫସଫରସ, ମଲିବଡେନମ୍ ର ସୁଲଭତା ବୃଦ୍ଧିପାଏ, ଆଲୁମିନିୟମ , ମାଙ୍ଗାନିଜର ବିଷାକ୍ତ ପ୍ରଭାବ ଦୂରହୁଏ । ଶାକାଣୁମାନଙ୍କର କାର୍ଯ୍ୟକାରିତା ବୃଦ୍ଧିପାଏ, ମୃତ୍ତିକାର ଦାନାଗଠନ ଓ ଦୈହିକ ଅବସ୍ଥାର ଉନ୍ନତି ହୁଏ, ଶିମ୍ବ ଜାତୀୟ ଫସଲରେ ଅଧିକ ଶାକାଣୁ ଭାତୁଡି ସୃଷ୍ଟି ହୁଏ । ମୃତ୍ତିକାର ଉତ୍ପାଦିକା ଶକ୍ତି ବୃଦ୍ଧିପାଏ ।
ଅମ୍ଳୀ ମୃତ୍ତିକାରେ ଗୁଣ୍ଡ ଚୂନ ବା ଗୁଣ୍ଡ ଚୂନ ପଥର ପ୍ରୟୋଗ କଲେ ତାହା ମୃତ୍ତିକାସ୍ଥ ଅମ୍ଳ ସହିତ ରାସାୟନିକ ପ୍ରତିକ୍ରିୟା ଯୋଗୁଁ ବାଇକାର୍ବୋନେଟରେ ପରିଣତ ହୁଏ ଓ ଦ୍ରବୀଭୂତ ହେବାକୁ ଲାଗେ । ସେଥିରୁ ଆୟନ ସୃଷ୍ଟିହୁଏ । ଏହି କ୍ୟାଲେସିୟମ ଆୟନ ମୃତ୍ତିକାରେ ବହୁଳ ଭାବରେ ରହିଥିବା ବିନିମୟଶୀଳ ଆୟନକୁ ଅପସାରିତ କରେ । ମୃତ୍ତିକାର କ୍ୟାଲେସିୟମ ପରିପୃକ୍ତତା ବୃଦ୍ଧିପାଏ ଏବଂ ଅମ୍ଳତା ହ୍ରାସ ପାଏ ।
ଉପରୋକ୍ତ ସମୀକରଣରୁ ଜଣାଗଲା ଯେ ଚୂନଜାତୀୟ ପଦାର୍ଥ ପ୍ରୟୋଗ ଦ୍ଵାରା ମୃତ୍ତିକା କଲଏଡ୍ ସଂଯୁକ୍ତ ବିନିମୟଶୀଳ ହ୍ରାସ ପାଇ ତା ସ୍ଥାନରେ Ca ପରିପୃକ୍ତତା ବୃଦ୍ଧି ହେଲା । ଏହାଦ୍ୱାରା ଅମ୍ଳତା ହ୍ରାସ ପାଇଲା ।
ଅମ୍ଳ ମୃତ୍ତିକାର ଚୂନ ଆବଶ୍ୟକତା
ଚୂନ ଆବଶ୍ୟକତା ମୃତ୍ତିକାର ବିନିମୟଶୀଳ ଗଚ୍ଛିତ ଅମ୍ଳ ବା ପରିମାଣ ଉପରେ ନିର୍ଭର କରେ । ଗୋଟିଏ ବାଲିଆ ଓ ଗୋଟିଏ ମଟାଳିଆ ମାଟିର ଅମ୍ଳ ପରିମାପକ ସମାନ ଥିଲେ ମଧ୍ୟ ମଟାଳିଆ ମାଟିରେ ଅଧିକ ପରିମାଣର ଗଚ୍ଛିତ ମଳ ଥିବାରୁ ତାହାର ଶୋଧନ ପାଇଁ ଅଧିକ ପରିମାଣର ଚୂନ ଜାତୀୟ ପଦାର୍ଥ ଆବଶ୍ୟକ ହେବ । ତେଣୁ ମୃତ୍ତିକା ପରୀକ୍ଷା ଚୂନ ଆବଶ୍ୟକତା ନିରୂପଣ କରାଯାଏ ।
ଅମ୍ଳ ମାଟିର ଅମ୍ଳତା ହ୍ରାସ କରି ଏହାକୁ ନିରପେକ୍ଷ କରିବା ପାଇଁ ଯେଉଁ ପରିମାଣର ବିଶୁଦ୍ଧ ଚୂନ ପଥର ଗୁଣ୍ଡ ପ୍ରୟୋଗ କରିବା ଆବଶ୍ୟକ ହୁଏ, ତାହାକୁ ଅମ୍ଳମାଟିର ଚୂନ ଆବଶ୍ୟକତା କୁହାଯାଏ । (ମୃତ୍ତିକା ପରୀକ୍ଷାଗାରରେ ଉଡରଫ୍ ବଫର ବ୍ୟବହାର କରି ଚୂନ ଆବଶ୍ୟକତା ନିରୂପଣ କରାଯାଉଛି ) ।
ଉଷ୍ମ ମଣ୍ଡଳୀୟ ଅଞ୍ଚଳର ଅମ୍ଳ ମୃତ୍ତିକାକୁ ଚୂନ ପ୍ରୟୋଗ କରି ସମ୍ପୂର୍ଣ୍ଣ ନିରପେକ୍ଷ କରିବା ଆବଶ୍ୟକ ନୁହେଁ । ଶୋଧନକରି PH 6.0+ 0.2 ମଧ୍ୟରେ ରଖାଗଲେ ଅଧିକାଂଶ ଫସଲରୁ ଭଲ ଉତ୍ପାଦନ ହେଉଥିବାର କ୍ଷେତ୍ର ପରୀକ୍ଷା ଦ୍ଵାରା ଜଣାଯାଇଛି । ଆହୁରି ମଧ୍ୟ ପରୀକ୍ଷା କରି ଦେଖାଯାଇଛି ଯେ ଉଡରଫ୍ ପ୍ରଣାଳୀରେ ଚୂନ ଆବଶ୍ୟକତା ନିରୂପଣ କରି ତାର ଅଧା ପରିମାଣ ପ୍ରୟୋଗ କଲେ ମୃତ୍ତିକାର PH 6.0 ପାଖାପାଖି ରହୁଛି ଏବଂ ଚୂନ ପ୍ରୟୋଗର ଉଦ୍ଦେଶ୍ୟ ସାଧିତ ହେଉଛି ।
ମାଟିର PH ଓ ବୟନ ଶ୍ରେଣୀକୁ ବିଚାରକୁ ନେଲେ ଆନୁମାନିକ ଚୂନ ଆବଶ୍ୟକତା ନିରୂପଣ କରାଯାଇପାରେ । ଏଥିପାଇଁ ନିମ୍ନ ସାରଣୀରେ ହିସାବ କରାଯାଏ ।
ଆନୁମାନିକ ଚୂନ ଆବଶ୍ୟକତା
ବିଶୁଦ୍ଧ ଚୂନପଥର ଗୁଣ୍ଡ ହେକ୍ଟର ପ୍ରତି କି.ଗ୍ରା.
ମୃତ୍ତିକା ବୟନ ଶ୍ରେଣୀ |
PH 4.5 ରୁ 5.5 କୁ ବଢାଇବା ପାଇଁ ପରିମାଣ |
PH 5.5 ରୁ 6.5 ବଢାଇବା ପାଇଁ ପରିମାଣ |
ବାଲିଆ |
750 |
1000 |
ବାଲି ଦୋରସା |
1250 |
1750 |
ଦୋରସା |
2000 |
2500 |
ପଟୁ ଦୋରସା |
3000 |
3500 |
ମଟାଳ ଦୋରସା ଓ ମଟାଳ |
1750 |
5000 |
ଚୂନ ପରିମାଣ ହିସାବ
ଉଦାହରଣ - ଅମ୍ଳ ମୃତ୍ତିକାର PH 5.1 ବୟନ ଶ୍ରେଣୀ ଦୋରସା । ଏହାକୁ ଶୋଧନ କରି PH 6.0 ପର୍ଯ୍ୟନ୍ତ କେତେ ଚୂନ ପଥର ଗୁଣ୍ଡ ଆବଶ୍ୟକ ହେବ ?
ପ୍ରଥମେ PH 5.1 ରୁ 5.5 ପର୍ଯ୍ୟନ୍ତ ବଢାଇବା ପାଇଁ ପରିମାଣ ଓ ତାପରେ PH 5.5 ରୁ 6.0 ପର୍ଯ୍ୟନ୍ତ ବଢାଇବା ପାଇଁ ପରିମାଣ ହିସାବ କରି ଉଭୟ ପରିମାଣକୁ ମିଶାଇ ମୋଟ ପରିମାଣ ନିଆଯିବ । 4.5 ରୁ 5.5 ବା 1.0 ଏକକ ବଢାଇବା ପାଇଁ ଦୋରସା ମାଟିର 2000 କି.ଗ୍ରା. ଆବଶ୍ୟକ । ତେଣୁ 5.1 ରୁ 5.5 ବା 0.4 ଏକକ ବଢାଇବା ପାଇଁ = 800 କି.ଗ୍ରା. ଆବଶ୍ୟକ । ସେହିପରି 5.5 ରୁ 6.5 ବଢାଇବା ପାଇଁ = 1200 କି.ଗ୍ରା. ଆବଶ୍ୟକ । ମୋଟ 8000 + 250= 2050 କି.ଗ୍ରା. ଆବଶ୍ୟକ । ହେକ୍ଟ ପିଛା 2050 କି.ଗ୍ରା. ଚୂନ ପଥର ଗୁଣ୍ଡ ପ୍ରୟୋଗ କଲେ PH 5.1 କୁ 6.0 ପର୍ଯ୍ୟନ୍ତ ବୃଦ୍ଧି ପାଇବ ।
ଚୂନଜାତୀୟ ପଦାର୍ଥଗୁଡିକର ଶୋଧନ ଶକ୍ତି
ବିଶୁଦ୍ଧ ଚୂନପଥର ଗୁଣ୍ଡର ଶୋଧନ ଶକ୍ତିକୁ 100 ବୋଲି ଧରାଯାଏ । ଅନ୍ୟାନ୍ୟ ଚୂନଜାତୀୟ ପଦାର୍ଥରେ କ୍ୟାଲେସିୟମ ଓ ମ୍ୟାଗ୍ନେସିୟମର ଶତକଡା ଭାଗକୁ ହିସାବକୁ ନେଇ ସେଗୁଡିକର ଶୋଧନ ଶକ୍ତି ନିର୍ଦ୍ଧାରଣ କରାଯାଏ । କେତେକ ଚୂନଜାତୀୟ ପଦାର୍ଥ ଶୋଧନ ଶକ୍ତି ତଳେ ଦିଆଗଲା ।
ଚୂନଜାତୀୟ ପଦାର୍ଥ |
ଶୋଧନ ଶକ୍ତି |
ବିଶୁଦ୍ଧ ଚୂନପଥର ଗୁଣ୍ଡ |
100 |
ବିଶୁଦ୍ଧ ଡୋଲମାଇଟ ଚୂନପଥର ଗୁଣ୍ଡ |
109 |
ବିଶୁଦ୍ଧ ଗୁଣ୍ଡଚୂନ |
179 |
ଇସ୍ପାତ କାରଖାନା ମଳ |
60 |
କାଗଜ ଜଳ ମଧ୍ୟ |
75 |
ଫେରୋକ୍ରମ କାରଖାନା ମଳ |
105 |
ଯଦି ମୃତ୍ତିକାର ଚୂନ ଆବଶ୍ୟକତା ହେକ୍ଟର ପିଛା 2050 କି.ଗ୍ରା. ହୋଇଥାଏ ତେବେ ବିଶୁଦ୍ଧ ଚୂନପଥର ଗୁଣ୍ଡ ବଦଳରେ କେତେ କାଗଜକଳ ମଳ ଆବଶ୍ୟକ ହେବ ?
କାଗଜକଳ ମଳର ପରିମାଣ = 2733 କି.ଗ୍ରା./ ହେକ୍ଟର ।
ଏହିପରି ଅନ୍ୟ ଯେ କୌଣସି ଚୂନଜାତୀୟ ପଦାର୍ଥର ପରିମାଣ ହିସାବ କରାଯାଏ ।
ଚୂନଜାତୀୟ ପଦାର୍ଥ ପ୍ରୟୋଗ ପାଇଁ ଶୋଧନ ଶକ୍ତି ବ୍ୟତୀତ ପଦାର୍ଥର ସୂକ୍ଷ୍ମତା ଓ ଦ୍ରବଣୀୟତାକୁ ମଧ୍ୟ ବିଚାରକୁ ନିଆଯାଏ । ଚୂନପଥର ଗୁଣ୍ଡ ଓ ଲୁହା କାରଖାନା ମାଲା ଜଳରେ ଦ୍ରବଣୀୟ ନୁହେଁ । ଅମ୍ଳମାଟିରେ ପ୍ରୟୋଗ ହେବା ପରେ ଏହା ଧୀରେ ଧୀରେ ଦ୍ରବୀଭୂତ ହୁଏ ଏବଂ ସୂକ୍ଷ୍ମତା ଅଧିକ ଥିଲେ ମାଟିରେ ମିଳାଇବା ପାଇଁ କମ୍ ଦିନ ଲାଗେ । ଯଦି ଭଲ ଭାବରେ ଗୁଣ୍ଡ ହୋଇ ନଥାଏ ତେବେ ମାଟିରେ ସମ୍ପୂର୍ଣ୍ଣ ମିଳାଇବାକୁ ବହୁତଦିନ ଲାଗେ । କିନ୍ତୁ ବିଶୁଦ୍ଧ ଚୂନ ଏବଂ କାଗଜ କଳ ମଳ ପ୍ରୟୋଗ ହେବା ସଙ୍ଗେ ସଙ୍ଗେ ମିଳାଇଯାଏ ଓ ମାଟି ସହିତ ମିଶିଯାଏ ।
ଉପରୋକ୍ତ ବିଷୟ ବିଚାରକୁ ନେଇ ଅଦ୍ରବଣୀୟ ପଦାର୍ଥଗୁଡିକ ଅନ୍ତତଃ ଫସଲ ଲଗାଯିବାର ଏକମାସ ପୂର୍ବରୁ ଏବଂ ଦ୍ରବଣୀୟ ଚୂନ ପଦାର୍ଥ 8/10 ଦିନ ପୂର୍ବରୁ ପ୍ରୟୋଗ କରାଯାଏ । ଚୂନ ପଦାର୍ଥକୁ ଜମିର ସବୁଆଡେ ସମାନ ଭାବରେ ବିଞ୍ଚିଦେଇ ମାଟିକୁ ଚାଷକରି ମିଶାଇ ଦିଆଯାଏ । ଚୂନ ମାଟିରେ ମିଳାଇବା ପାଇଁ ମାଟି ଆର୍ଦ୍ର ରହିବା ଆବଶ୍ୟକ । ତେଣୁ ବର୍ଷା ନହେଲେ ପାଣି ମଡାଯାଏ । ପାଗ ହେଲେ ଫସଲ ଲଗାଯାଏ । ଚୂନ ପ୍ରୟୋଗ ସଙ୍ଗେ ସଙ୍ଗେ ମଞ୍ଜିବୁଣିରେ ବା ଚାରାଗଛ ପୋତିଲେ ମାଟିରେ ମିଳାଇ ନଥିବା ଚୂନ ସଂସ୍ପର୍ଶରେ ଆସି ସେଗୁଡିକ ସଢିଯାଏ ।
କ୍ଷାରୀ ମାଟିରେ ବିନିମୟଶୀଳ ସୋଡିୟମ ପରିପୃକ୍ତତା ଅଧିକ । ଏହି ସୋଡିୟମକୁ କ୍ୟାଲେସିୟମ ଦ୍ଵାରା ଅପସାରିତ କଲେ କ୍ଷାରୀତା କମିଯାଏ । ମୃତ୍ତିକା ପରୀକ୍ଷା ଦ୍ଵାରା କ୍ଷାରୀତାର ତୀବ୍ରତା ନିରୂପଣ କରାଯାଏ । ସାଧାରଣତଃ ଜିପସମ୍ ଗୁଣ୍ଡ କ୍ଷାରୀ ମାଟିର ଶୋଧନ ଭାବରେ ବ୍ୟବହାର କରାଯାଏ । ଜିପସମ୍ ଆବଶ୍ୟକତା ନିରୂପଣ କରାଯାଇ ଆବଶ୍ୟକ ପରିମାଣ ଜିପସମ୍ ପ୍ରୟୋଗ କରି ଚାଷ ଦ୍ଵାରା ମାଟି ସହିତ ମିଶାଇ ଦିଆଯାଏ ଏବଂ ଜମିରେ ପାଣି ମଡାଇ ଦିଆଯାଏ । ଏହା ଫଳରେ ବିନିମୟଶୀଳ ସୋଡିୟମ ଅପସାରିତ ହୋଇ ଜଳ ସହିତ ନିକ୍ଷାଳିତ ହୋଇ ବାହାରିଯାଏ ଓ କ୍ଷାରୀତା ହ୍ରାସ ପାଏ । ଏହି ରାସାୟନିକ କ୍ରିୟାର ସମୀକରଣ ନିମ୍ନରେ ଦିଆଗଲା ।
PH ଅତ୍ୟଧିକ ଥିବା କ୍ଷାରୀୟ ମାଟିରେ ଗନ୍ଧକ ଗୁଣ୍ଡ ପ୍ରୟୋଗ କରାଯାଏ । ଗନ୍ଧକ ଗୁଣ୍ଡ ପ୍ରୟୋଗ କରାଯାଏ । ଗନ୍ଧକ ଗୁଣ୍ଡ ପ୍ରୟୋଗ ହେବା ପରେ ମୃତ୍ତିକାରେ ଗନ୍ଧକାମ୍ଳ ସୃଷ୍ଟିହୁଏ । ଏଥିରୁ ଉଦଜାନ ଆୟନ ନିର୍ଗତ ହୋଇ ବିନିମୟଶୀଳ ସୋଡିୟମ ଆୟନକୁ ଅପସାରଣ କରେ । ଏଥି ସଙ୍ଗେ ସଙ୍ଗେ ଅତ୍ୟଧିକ କ୍ଷାରୀୟ ମୃତ୍ତିକାରେ ଥିବା ମଧ୍ୟ ଅମ୍ଳ ସହିତ ରାସାୟନିକ କ୍ରିୟା ଦ୍ଵାରା ନଷ୍ଟ ହୋଇଯାଏ ।
ମୃତ୍ତିକା ଶୋଧକ ବ୍ୟବହାର କରିବା ସଙ୍ଗେ ମୃତ୍ତିକାରେ ଯଥେଷ୍ଟ ଜୈବ ପଦାର୍ଥ ପ୍ରୟୋଗ କରାଯିବା ଆବଶ୍ୟକ । ସୁବିଧା ଥିଲେ ସବୁଜ ଖତ ଫସଲ ଚାଷକରି ମାଟି ସହିତ ମିଶାଇ ଦିଆଯିବା ଆବଶ୍ୟକ । ଏହାଦ୍ଵାରା କ୍ଷାରୀ ମୃତ୍ତିକାର ଦୈହିକ ଗଠନରେ ଉନ୍ନତି ହୁଏ ।
ଉନ୍ନତି ମୃତ୍ତିକାରେ ଅଧିକ ଦ୍ରବୀଭୂତ ଲବଣ ଥାଏ । ମଧୁର କରି ଜଳସେଚନ ଓ ଭୂମିନିମ୍ନ ଜଳ ନିଷ୍କାସନ ସୁବିଧା କଲେ ମାଟିରୁ ଲବଣଗୁଡିକ ମିକ୍ଷାଳିତ ହୋଇଯାଏ । ଲବଣ ନିକ୍ଷାଳିତ ହେବା ପରେ ଅନେକ କ୍ଷେତ୍ରରେ ମୃତ୍ତିକା କ୍ଷାରୀ ହୋଇଯିବାର ଦେଖାଯାଏ । ତେଣୁ ମୃତ୍ତିକାରେ ଦ୍ରବଣୀୟ କ୍ୟାଲେସିୟମ ଥିବା ପଦାର୍ଥ ଯଥା – କାଗଜକଳ ମଳ , ଫସପୋଜିପସମ୍ ଗୁଣ୍ଡ ପ୍ରୟୋଗ କରାଗଲେ ମୃତ୍ତିକା କ୍ଷାରୀ ହୋଇଯିବାର ଆଶଙ୍କା ନଥାଏ । ଲବଣାକ୍ତ ମୃତ୍ତିକାର ଉନ୍ନତିକରଣ ପାଇଁ ଅଧିକ ପରିମାଣ ଜୈବ ପଦାର୍ଥ , ସବୁଜ ଖତ ପ୍ରଭୃତି ପ୍ରୟୋଗ କରାଯିବା ନିହାତି ଆବଶ୍ୟକ । ଜୈବ ପଦାର୍ଥ ବିପଚନ ହେବା ଫଳରେ ଜୈବ ଅମ୍ଳ ସୃଷ୍ଟିହୁଏ ଏବଂ ଲବଣ ଗୁଡିକର ଖରାପ ପ୍ରଭାବକୁ ପ୍ରଶମିତ କରେ । ଏହାଦ୍ଵାରା ମୃତ୍ତିକାର ଉତ୍ପାଦିକା ଶକ୍ତି ବୃଦ୍ଧିପାଏ ।
ଲବଣାକ୍ତ ମୃତ୍ତିକାର ସୁପରିଚାଳନା
ଉପରୋକ୍ତ ଉନ୍ନତିକରଣ ବ୍ୟତୀତ ନିମ୍ନଲିଖିତ ସୁପରିଚାଳନା ମାଧ୍ୟମରେ ଲବଣାକ୍ତ ମୃତ୍ତିକାରେ ଫସଲ ଉତ୍ପାଦନ ବୃଦ୍ଧି କରାଯାଇପାରିବ ।
ଲୁଣିସହଣୀ ଫସଲ
ମାଣ୍ଡିଆ, କପା, ସୋରିଷ, ବିଲାତି ବାଇଗଣ , କୁସୁମୀ, ପୋଇ
ଲୁଣିସହଣୀ ଧାନ
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 4/24/2020