ପ୍ରକ୍ରିୟାକରଣ କେନ୍ଦ୍ର ଉତ୍ପାଦନ ଅଞ୍ଚଳରେ ବିଶେଷତଃ ଉଦ୍ୟାନକୃଷି ଦ୍ରବ୍ୟଗୁଡ଼ିକର ନଷ୍ଟକୁ ହ୍ରାସ କରିବା, ଦ୍ରବ୍ୟଗୁଡ଼ିକୁ ଅଧିକ ମୂଲ୍ୟଯୁକ୍ତ କରିବା ଓ ଗ୍ରାମାଞ୍ଚଳରେ କୃଷିକ୍ଷେତ୍ର ବାହାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଅଧିକ ପ୍ରୋତ୍ସାହନ ଦିଆଯିବ । କୃଷି ପ୍ରକ୍ରିୟାକରଣ ଶିଳ୍ପ ଏଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ପାଦନ ସମବାୟ ଓ ନିଗମ ମଧ୍ୟରେ ସହଯୋଗ ଉତ୍ସାହିତ କରାଯିବ ।
ଖାଦ୍ୟ ଓ କୃଷି ପ୍ରକ୍ରିୟାକରଣ ଶିଳ୍ପର ଦ୍ରୁତ ବିକାଶ ନିମନ୍ତେ ବୈଷୟିକ ଜ୍ଞାନ ଅର୍ଥନୀତି ପରିବେଶ ଓ ସମାଜ ମଧ୍ୟରେ ସମନ୍ୱୟ ରଖାଯିବା ନିରାପଦ ଓ ଗୁଣାତ୍ମକ ଖାଦ୍ୟ ଉପରେ ଗୁରୁତ୍ୱ ପ୍ରଦାନ ପୂର୍ବକ ଘରୋଇ ଓ ରପ୍ତାନୀ ବଜାର ପାଇଁ ମୂଲ୍ୟଯୁକ୍ତ କୃଷିଜାତ ଦ୍ରବ୍ୟ ଉତ୍ପାଦନ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭିତ୍ତି ସ୍ଥାପନ କରାଯିବ।
ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୧୩ କୃଷି ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନକୁ ତ୍ୱରାନ୍ୱିତ କରିବ । ଦୁଇଟି ନୀତିକୁ ମିଶ୍ରିତ କରି ରାଜ୍ୟରେ ବ୍ୟାପକ ଭାବେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନକୁ ପ୍ରୋତ୍ସାହିତ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ।
କେବଳ ଉତ୍ପାଦକତା ବୃଦ୍ଧି କରିବା କୃଷି ପ୍ରଗତିର ଲକ୍ଷ୍ୟ ନୁହେଁ । ଉତ୍ପାଦିତ ଦ୍ରବ୍ୟ ପାଇଁ ସର୍ବାଧିକ ମୂଲ୍ୟ ପାଇବା ଆବଶ୍ୟକ । ଅମଳ ପରବର୍ତ୍ତୀ ସମୟରେ ଉପଯୁକ୍ତ ପ୍ରକ୍ରିୟାକରଣ, ବର୍ଗୀକରଣ, ପ୍ୟାକିଙ୍ଗ୍, ପରିବହନ ଓ ସାଇତା ମାଧ୍ୟମରେ ଉତ୍ପାଦିତ କୃଷି ଦ୍ରବ୍ୟର ମୂଲ୍ୟବୃଦ୍ଧି କରାଯାଇ ପାରିବ । କୃଷି ଦ୍ରବ୍ୟ ଉପଯୁକ୍ତ ପରିଚାଳନା ଅଭାବରୁ ଶତକଡ଼ା ୩୦ ଭାଗ ପର୍ଯ୍ୟନ୍ତ ନଷ୍ଟ ହେବାର ଆଶଙ୍କା ଥାଏ । ଏହାଦ୍ୱାରା ଚାଷୀ କମ୍ ମୂଲ୍ୟ ପାଇଥାଏ । ରାଜ୍ୟରେ କୃଷକଙ୍କ ଆୟ ସୀମା ବୃଦ୍ଧି କରିବାରେ ଅମଳ ପରବର୍ତ୍ତୀ ଯତ୍ନ, ପ୍ରକ୍ରିୟାକରଣ ଓ ସାଇତା କାର୍ଯ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଅଟେ ।
ଆଧାର - କୃଷି ବିଭାଗ , ଓଡିଶା ସରକାର
Last Modified : 6/21/2020