ଓଟ୍ ଗୋଟିଏ ମୁଖ୍ୟ ରବି ଚରା ଫସଲ । ଶୀତପ୍ରଧାନ ଦେଶଗୁଡିକରେ ଗହମ ପରି ଯଅ ମଧ୍ୟ ଗୋଟିଏ ଶସ୍ୟପ୍ରଦ ଫସଲ । ଓଟ୍ ମିଲ ମନୁଷ୍ୟ ଖାଦ୍ୟ ଭାବେ ବ୍ୟବହାର କରାଯାଏ । ଏହା ଘୋଡାର ବିଶିଷ୍ଟ ଦାନା । କୁକୁଡା, ଦୁଧିଆଳୀ ଗାଈ, ମେଣ୍ଢା ଓ ଘୁଷୁରୀକୁ ମଧ୍ୟ ଦାନାରୂପେ ଦିଆଯାଏ । ଓଟ୍ ନଡା ଗାଈଗୋରୁ ଓ ଘୋଡାଙ୍କର ଉତ୍କୃଷ୍ଟ ଚରା । ଓଟ୍ ସବୁଜ ଗୋଖାଦ୍ୟ ରୂପେ ବ୍ୟବହୃତ ହୁଏ । ଏହାର ପାଳ ବା ନଡା ଗୋଖାଦ୍ୟରୂପେ ବ୍ୟବହାର ହୁଏ । ଓଟ୍ ରୁ ସାଇଲେଜ ତିଆରି ହୁଏ । ସବୁଜ ଗୋଖାଦ୍ୟରେ ଶତକଡା ୧୦-୧୨ ଭାଗ ପୁଷ୍ଟିସାର ଥାଏ । ଓଟ୍ ଗୋଖାଦ୍ୟରେ ସବୁଜ ବରସିମ୍ ବା ଲୁସର୍ଣ୍ଣ ମିଶାଇ ଗୋଖାଦ୍ୟ ରୂପେ ବ୍ୟବହାର କରାଯାଇଥାଏ । ଓଟ୍ କୁ ଯଅ ମଧ୍ୟ କୁହାଯାଏ ।
ଏସିଆ ମାଇନର ଅଞ୍ଚଳରେ ଓଟ୍ ର ଉଦ୍ଭବ କେନ୍ଦ୍ର ।
ପୃଥିବୀରେ ୨୬.୮ ନିୟୁତ ହେକ୍ଟର ଜମିରେ ଓଟ୍ ଚାଷ ହୁଏ । ଓଟ୍ ଉତ୍ପାଦନକାରୀ ଦେଶଗୁଡିକ ହେଉଛି – ସୋଭିଏତ ରୁଷ, ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ପୋଲାଣ୍ଡ, ଚୀନ, ଫ୍ରାନ୍ସ ଏବଂ ଅଷ୍ଟ୍ରେଲିଆ । ଭାରତରେ ମଧ୍ୟ ଓଟ୍ ଚାଷ କରାଯାଏ । ଓଟ୍ ଓଡିଶା, ବିହାର, ପଶ୍ଚିମବଙ୍ଗ, ପଞ୍ଜାବ, ହରିଆନା, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ହିମାଞ୍ଚଳ ପ୍ରଦେଶରେ ଚାଷ ହୁଏ । ଏହା ସାଧାରଣତଃ ଗୋଖାଦ୍ୟ ରୂପେ ବ୍ୟବହାର କରାଯାଏ ।
ଓଟ୍ ପୋଏସି – ବଂଶଜ । ପ୍ରଜାତି – ଆଭିନ ଜାତି ସାଟାଇଭା । ଯୁଆ ଗୋଟିଏ ବିଷକିଆ ଘାସ ଗଛ । ଗୋଖାଦ୍ୟ ପାଇଁ ଉଦ୍ଦିଷ୍ଟ କିସମଗୁଡିକ ସ୍ତମ୍ବଜ, ନତ ବା ପ୍ରସାରିତ ଶ୍ରେଣୀର ହୋଇପାରେ । ଗଛଗୁଡିକ ୧ରୁ ୧.୫ ମିଟର ଉଚ୍ଚ ହୁଏ । ପ୍ରତ୍ୟକ ଗଛରୁ ୫-୮ଟି ପିଲ ବାହାରେ ପତ୍ରଗୁଡିକ ୨୫ ସେ.ମି.ଲମ୍ବା ଓ ୧.୫ ସେ.ମି. ଓସାର । ଯଅ ଦାନାଗୁଡିକ ଲମ୍ବା ଓ ସେଗୁଡିକର ଶୀର୍ଷଭାଗ ଚିକ୍କଣ କିମ୍ବା ଲୋମଶ ହୋଇଥାଏ । ଗଛର ଛେରା ତନ୍ତୁମୟ ଓ ଏହା ୧.୫ ମିଟର ଗଭୀରକୁ ଯାଇପାରେ । ଓଟ୍ ର ପୁଷ୍ପ ସ୍ତବକ, ବହୁଳ ଭାବେ ଶାଖାୟିତ । କେଣ୍ଡାର ଶାଖାଗୁଡ଼ିକ ବିଛୁରିତ । ଶୂକିକାଗୁଡିକ ସବୃନ୍ତ । ଶୂକିକା ଗୁଡିକର ସାଧାରଣତଃ ୧-୪ ଟି ପୁଷ୍ପକ ଥାଏ । ଶୂକିକାର ନିମ୍ନଭାଗରେ ଥିବା ପୁଷ୍ପକ ଦ୍ୱୟ ବ୍ୟତୀତ ଅନ୍ୟଗୁଡିକ ବନ୍ଧ୍ୟା । ଶୂକିକାରେ ପୁଷ୍ପଗୁଡିକ ଦୁଇଟି ବଡ ପତଳା, ଅସମାନ, ଫମ୍ପା ଓ ଶିରାମୟ ତୁଷ ଦ୍ଵାରା ଆବୃତ । ଏହି ତୁଷ ଦ୍ୱୟ ଶୂକିକାଠାରୁ ମଧ୍ୟ ଦୀର୍ଘତମ । ପୁଷ୍ପଗୁଡିକ ଗୋଟିଏ କ୍ଷୁଦ୍ର ଓ ପତଳା ପ୍ରାକ୍ଷକ ସହ ଗୋଟିଗୋଟି ହୋଇ ସଂଯୁକ୍ତ ଥାଏ । ପୁଷ୍ପକ ଗୋଟିଏ ବାହ୍ୟତୁଷ ଗୋଟିଏ ଅବପତ୍ର, ତିନୋଟି ପୁଂକେଶର, ଗୋଟିଏ ଫଳିକା ଓ ଦୁଇଟି ପରିପୁଷ୍ପକ କୁ ନେଇ ଗଠିତ । ପରିପୁଷ୍ପକ ଦ୍ୱୟ କ୍ଷୁଦ୍ର ଓ ଶଳକ ବତ୍ ଡିମ୍ବାଶୟ ଲୋମଶ ଓ ଫଳିକା ଶୀର୍ଷଦ୍ୱୟ ପକ୍ଷ ସଦୃଶ । ପୁଷ୍ପସ୍ତବକର ଶୀର୍ଷରେ ଥିବା ଶୂକିକାଗୁଡିକ ପ୍ରଥମ ବିକଶିତ ହୁଏ । ତାପରେ ପୁଷ୍ପନ ପ୍ରକ୍ରିୟା ନିମ୍ନାଭିମୁଖୀ ହୁଏ । ସମସ୍ତ ଶୂକିକାଗୁଡିକ ବିକଶିତ ହେବ ପାଇଁ ୫-୭ ଦିନ ସମୟ ଲାଗେ । ପ୍ରତ୍ୟକ ଶୂକିକାରେ ଥିବା ପୁଷ୍ପଗୁଡିକରେ ପୁଷ୍ପନ ପ୍ରକ୍ରିୟା ତଳୁ ଆରମ୍ଭ ହୋଇ ଉପରକୁ ଗତି କରେ । ପୁଷ୍ପଗୁଡିକ ସମ୍ପୂର୍ଣ୍ଣ ପରିଣତ ଅବସ୍ଥାକୁ ଆସିଗଲେ ଫଳିକାଶୀର୍ଷ, ବାହ୍ୟତୁଷ ଓ ଅବପତ୍ର ମଧ୍ୟରୁ ବାହାରିଯାଏ । ସେହି ସମୟରେ ପୁଂକେଶରଗୁଡିକ ସ୍ପୋଟନ ଘଟେ । ପୁଂକେଶରଗୁଡିକ ବାହାରକୁ ଆସିବା ପୂର୍ବରୁ ମଧ୍ୟ ସ୍ଵପରାଗଣ ସହଜରେ ଘଟେ । ଏଣୁ ଯଅ ଗୋଟିଏ ସ୍ଵପରାଗଣ ଶ୍ରେଣୀର ଫସଲ । କିଛି ଅଂଶ ପରପରାଗଣ ମଧ୍ୟ ଘଟେ ।
ଦାନା ଧାନ୍ୟାକୃତ୍ୟ ।
ଏହାର ଦୁଇଟି ଅଂଶ ରହିଛି ।
ବୃହତ ଅଂଶଟି ହେଉଛି ଭୃଣ ପୋଷକ ।
ଭୃଣ ପୋଷକରେ କୋଷ ଥାଏ ।
ଭୃଣଟି ଦାନାର ତଳଭାଗ ଅଗରେ ଥାଏ ।
ଶୀତଳ ଓ ଆର୍ଦ୍ର ଜଳବାୟୁ ଯଅପାଇଁ ଅନୁକୂଳ । ଗଜା ହେବା, ପିଲେଇବା, ଥୋଡଧରିବା ଏବଂ କେଣ୍ଡା ବାହାରିବା ସମୟରେ ଯଦି ଥଣ୍ଡା ପାଗ ଦରକାର କରେ । ଫୁଲ ଉଡାଇବା ସମୟରେ ଉତ୍ତାପ ଅଧିକ ହୋଇଗଲେ ଶୂକିକା ଗୁଡିକ ଫମ୍ପା ହୋଇଯାଏ ଏବଂ ଅମଳ କମିଯାଏ । ଯଅ - ସେଲସିୟସ ଉତ୍ତାପ ଦରକାର କରେ । ସର୍ବଦା ଆର୍ଦ୍ର ଜଳବାୟୁ ଦରକାର କରେ । କାରଣ ଏହାଦ୍ଵାରା ଯଅ ଅଧିକ ଶୁଷ୍କ ପଦାର୍ଥ ଉତ୍ପାଦନ କରିବାରେ ସମର୍ଥ ହୁଏ । ବାର୍ଷିକ ୩୮-୧୧୪ ସେ.ମି. ବର୍ଷା ଦରକାର କରେ ।
ପାଣି ଜମୁଥିବା ଏବଂ କ୍ଷାରୀ ଜମିକୁ ଛାଡିଦେଲେ ଆଉ ସବୁ ଜମିରେ ଯଅ ଚାଷ କରାଯାଇ ପାରିବ । ପଟୁମାଟି ବା ଦୋରସା ମାଟିରେ ଯଅ ଚାଷ ଭଲ ହୁଏ । ମଟାଳ ମାଟି ହେଉ ବା ବାଲିଆ ମାଟି ହେଉ ଆର୍ଦ୍ରତା ଥିଲେ ଭଲ ଅମଳ ହୁଏ ।
UPO – ୯୪ – ୪୦୦ କୁଇଣ୍ଟାଲ ହେକ୍ଟର ପିଛା ସବୁଜ ଗୋଖାଦ୍ୟ ଅମଳ ହୁଏ । ଏହା ଛଡା ଫୁଲଘୂମ – ୧୫ ଫ୍ଲମିଙ୍ଗ ଗୋଲଡ ଆଇ.ଜି.ଏଫ୍.ଆର.ଆଇ – ୨୬୮୮ (IGFRI- 2688), ଆଇ.ଜି.ଏଫ୍.ଆର.ଆଇ – ୩୦୨ କିସମ ମଧ୍ୟ ଭଲ ଅମଳ ଦିଏ ।
ଦେଶୀ ଲଙ୍ଗଳରେ ୩-୪ ଓଡ ଚାଷ କରାଯାଏ । ଟ୍ରାକ୍ଟର ଥିଲେ ଥାଳି ବିଦା ସାହାଯ୍ୟରେ ଦୁଇଥର ଓ ଗୋଟିଏ ଥର କଲଟିଭେଟର ଚଳାଇ ଜମିରୁ ଅନାବନା ଘାସ ବାହାର କରି ଜମିକୁ ସମତୁଲ କରାଯାଏ । ତାପରେ ଜମିକୁ ପଟାଳି ପଟାଳି କରାଯାଏ । ଜମି ଚାଷ କରିବା ପୂର୍ବରୁ ସର୍ବଦା ଜମିରେ ବତର ରଖିବାକୁ ହେବ । ମଝିରେ ମଝିରେ ପାଣି ମଡାଇବା ପାଇଁ ନାଳ ଓ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବାକୁ ହେବ ।
ଗୋଖାଦ୍ୟ ପାଇଁ କରାଯିବା ଫସଲ ଛଟା ବୁଣାଯାଏ । ତାପରେ ଦେଶୀ ଲଙ୍ଗଳରେ ବା କଲଟିଭେଟର ଚାଷ କରି ମାଟିରେ ମିଶାଇ ଦିଆଯାଏ । କିନ୍ତୁ ଏହି ପ୍ରଣାଳୀ ଭଲ ନୁହେଁ । ସବୁଜ ଗୋଖାଦ୍ୟ ପାଇଁ ୨୦-୨୩ ସେ.ମି. ଧାଡିକୁ ଧାଡି ବ୍ୟବଧାନ ରାଖୀ ହେକ୍ଟର ପିଛା ୧୦୦ କେଜି ବିହନ, ବିହନ ବୁଣା ଯନ୍ତ୍ରରେ ପକାଇବା ସବୁଠାରୁ ଭଲ । କେଉଁ ସମୟରେ ସବୁଜ ଗୋଖାଦ୍ୟ ବ୍ୟବହାର କରାଯିବ ସେହି ସମୟକୁ ଆଖି ଆଗରେ ରାଖୀ ବିହନ ବୁଣାଯାଏ । ବିହନ ବୁଣିବାଯନ୍ତ୍ର ନ ମିଳିଲେ ଲଙ୍ଗଳ ସିଆର ପଛରେ ବୁଣିବା ଭଲ । ଅକ୍ଟୋବରରୁ ନଭେମ୍ବର ମାସ ଓଟ୍ ବୁଣିବା ପାଇଁ ଉପଯୁକ୍ତ ସମୟ ।
ଶେଷ ଓଡ ଚାଷ ବେଳେ ଓଟ୍ ଫସଲ ପାଇଁ ହେକ୍ଟର ପିଛା ୫ ଟନ ଖତ ପ୍ରୟୋଗ କରାଯାଏ । ବୁଣିବା ବେଳେ ସିଆରରେ ହେକ୍ଟର ପିଛା ୭୦ କି.ଗ୍ରା ସୁପର ୨୦ କି.ଗ୍ରା. ପଟାସ ପ୍ରୟୋଗ କରି ମାଟି ସହିତ ଭଲଭାବେ ମିଶାଇ ବିହନ ବୁଣାଯାଏ । ବୁଣିବାର ୨୫-୩୦ ଦିନ ପରେ ହେକ୍ଟର ପିଛା ୧୦ କି.ଗ୍ରା. ଯବକ୍ଷାରଜାନ ଏବଂ ପ୍ରଥମ କାଟ ପରେ (ବୁଣିବାର ୫୦-୬୦ ଦିନ ପରେ) ଆଉ ୧୦ କି.ଗ୍ରା. ଯବକ୍ଷାରଜାନ ପ୍ରୟୋଗ କରାଯାଏ ।
୩-୪ ଟି ଜଳସେଚନ ଦରକାର । ପ୍ରଥମ ଜଳସେଚନ ଦରକାର । ପ୍ରଥମ ବିହନ ବୁଣିବା ସମୟ ପୂର୍ବରୁ କରାଯାଏ । ପରବର୍ତ୍ତୀ ଜଳସେଚନ ଏକ ଏକ ମାସ ଅନ୍ତରରେ ଦିଆଯାଏ । ଜଳସେଚନ କଲେ ପିଲସଂଖ୍ୟା ବୃଦ୍ଧି ପାଏ ଜଳାଭାବ ହେଲେ ପିଲ କମିଯାଏ ।
ବିହନ ବୁଣିବାର ୨-୩ ସପ୍ତାହ ପରେ ଥରେ କୋଡାଖୁସା କରି ଘାସ ବାଛିବା ଦରକାର ।
ବୁଣା ଫସଲରୁ ଭଲ ବିହନ ଅମଳ ପାଇଁ ପ୍ରଥମ ଥର ଗୋ ଖାଦ୍ୟ ପାଇଁ ଫସଲ କଟାଯିବା ଆଉ କାଟିବା ଉଚିତ ନୁହେଁ । ପ୍ରଥମ କଟା ଫସଲ ୫୦-୫୫ ଦିନ ମଧ୍ୟରେ କରାଯାଏ ପ୍ରଥମ କଟା ୮-୧୦ ସେ.ମି. ମୂଳ ଛାଡିଦେଲେ ଫସଲର ପୁନର୍ବାର ବୃଦ୍ଧି ଭଲଭାବେ ହୁଏ ।
ଯଅ ପ୍ରାୟ ୧୪୦ ଦିନରେ ପାଚିଯାଏ । ଗଛରେ ନଡା ସବୁଜ ଥିଲେ ହେଁ ଦାନାଗୁଡିକ ପାଚିଲେ ଫସଲ କାଟି ଦିଆଯାଏ । ଡେରିକଲେ ଦାନାଗୁଡିକ ଝଡିପଡେ ଏହାସମୟରେ ବର୍ଷା ହେଲେ ଦାନାର ଗୁଣାତ୍ମକ ମାନ କମିଯାଏ । ଫସଲକୁ ଦାଆରେ କାଟି ଅମଳ କରାଯାଏ । ବିହନରୁ ଭଲଭାବେ ଶୁଖାଇ ଜଳୀୟ ଅଂଶ ୧୦% ରହିବା ସମୟରେ ସାଇତି ରଖାଯାଏ । ପ୍ରଥମ କଟାପରେ ବିହନ ଉତ୍ପାଦନ ପାଇଁ ଫସଲକୁ ଛଡା ଗଲେ ହେକ୍ଟର ପିଛା ୨୫୦ କୁଇଣ୍ଟାଲ ସବୁଜ ଗୋଖାଦ୍ୟ ୩୦-୩୫ କୁଇଣ୍ଟାଲ ବିହନ ଓ ୩୫-୪୦ କୁଇଣ୍ଟାଲ ନଡା ମିଳିଥାଏ ।
ଆଧାର- ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 4/29/2020