ଗିନି ଘାସ ଭଲ ବଢେ ଏହା ଗୋଖାଦ୍ୟ ରୂପେ ଅଧିକ ପୃଷ୍ଟି କର ଓ ସ୍ଵାଦିଷ୍ଟ । ଏହି ଘାସ ପତ୍ର ବହୁଳ ଓ ଗୋରୁ ଗାଈ ମାନଙ୍କ ପାଇଁ ଆବଶ୍ୟକ କ୍ୟାଲସିୟମ ଯଥେଷ୍ଟ ମାତ୍ରାରେ ଯୋଗାଇ ଥାଏ । ଏହି ଘାସର କୋମଳତା ଅଧିକ ଦିନ ପାଇଁ ରହିଥାଏ । ସ୍ଵାଦ ଦୃଷ୍ଟିରୁ ଏହା ମକା ଜୁଆର ସହ ତୁଳନୀୟ । ଚାଇରେ ଗିନି ଘାସ ଭଲ ବଢେ । ଏଣୁ ଫଳବଗିଚା ଓ ଜଙ୍ଗଲ ମଧ୍ୟରେ ଚାଷ କରାଯାଇ ପାରିବ । ଜଳସେଚନ ପାଇଁ ପ୍ରସ୍ତୁତ ନାଳି ବନ୍ଧକୁ ମୃତ୍ତିକା କ୍ଷୟରୁ ରକ୍ଷାକରିବା ପାଇଁ ଏହି ଘାସକୁ ବନ୍ଧରେ ଲଗାଯାଏ । ବଳକା ଗିନି ଘାସକୁ ଶୁଖାଇ ସାଇଲେଜ କରି ସାଇତି ରଖାଯାଏ । ଗିନି ଘାସ ଥରେ ଲଗାଇଲେ ଏହା ୭ ବର୍ଷ ପର୍ଯ୍ୟନ୍ତ ଜମିରେ ରହେ ।
ଗିନି ଘାସ ପୋଏସି ବଂଶଜ । ପ୍ରଜାତି ପାନିକମ୍ ଓ ଜାତି ମାକ୍ସିମମ୍ । ଗିନି ଘାସ ଗୋଟିଏ ବହୁ ବାର୍ଷିକ ଘାସ । ଗଛର ଉଚ୍ଚତା ସାଧାରଣତଃ ୨.୭୫ ମିଟର ହୋଇଥାଏ । ଗଛ ଗୁଡିକ ଦେଖିବାକୁ ଘଞ୍ଚ ଓ ଗୋଛାଳିଆ । କ୍ଷୁଦ୍ର ଓ ଟାଣ କନ୍ଦ କାଣ୍ଡରୁ ଶାଖା ଗୁଡିକ ବାହାରି ଥାଏ । ଛେରା ଗୁଡିକ ବହୁତ ଗଭୀରକୁ ଯାଇଥାଏ । ଘାସର କାଣ୍ଡ ସଳଖ ଓ ଚିକ୍କଣ । କିନ୍ତୁ ଗଣ୍ଠି ଓ ପଦାଛଦ ଲୋମଶ । ପତ୍ର ୬୦ ସେ.ମି. ଲମ୍ବ ଓ ୨.୫-୩.୮ ସେ.ମି. ଚଉଡା ହୋଇଥାଏ । ପତ୍ରଗୁଡିକର ରଙ୍ଗ ସାମାନ୍ୟ ସବୁଜ । ସ୍ତବକ ୨୫-୩୦ ସେ.ମି. ଲମ୍ବ ଓ ୧୦-୨୪ ସେ.ମି. ଓସାର ଏକ ଉନ୍ମୁକ୍ତ କେଣ୍ଡା । ଶୁକୀକା ଗୁଡିକ କ୍ଷୁଦ୍ର । ଅଧିକାଂଶ କିସମରେ ଅନେକ ଶୁକୀକାଫମ୍ପା, କିନ୍ତୁ ବୀଜ ଉତ୍ପାଦନ ଶକ୍ତି ଥିବା କିସମଗୁଡିକରେ ସମ୍ପୂର୍ଣ୍ଣ ଭଲ ଶୁକୀକା ଥାଏ । ଗିନି ଘାସରେ ଅପରେପୁପ୍ କୁଟ ଯୁଗ୍ମନ ବା ଅପକୃତ ଯୁଗ୍ମନ ଓ ଐଚ୍ଛିକ ଅସଙ୍ଗ ଜନନ ପରିଲିକ୍ଷିତ ହୁଏ । ପରପରାଗଣ ଓ ସ୍ଵପରାଗଣ ମଧ୍ୟରେ ପ୍ରାୟ ଶତକଡା ୩.୬ ଭାଗ ଲିଙ୍ଗିୟ ଜନନ ସମାହିତ ହୋଇଥାଏ । ଲିଙ୍ଗୀୟାଜନନ ପଦ୍ଧତିରେ ଉତ୍ପନ୍ନ ମଞ୍ଜିର ମନଧ୍ୟାରେ ଏହି ହାର ମଧ୍ୟ ପରିଲିକ୍ଷିତ ହୁଏ ।
ଉଷ୍ଣ ଜଳବାୟୁରେ ଗିନି ଘାସ ଭଲ ବଢେ । ସମୁଦ୍ର ପତ୍ତନ ଠାରୁ ଆରମ୍ଭ କରି ପ୍ରାୟ ୧୮୦୦ ମିଟର ଉଚ୍ଚତା ବିଶିଷ୍ଟ ଅଞ୍ଚଳରେ ଏହା ବଢିପାରେ ଅତ୍ୟଧିକ ଥଣ୍ଡା ଗିନି ଘାସ ସହ୍ୟ କରିପାରେ ନାହିଁ । ସର୍ବନିମ୍ନ ତାପମାତ୍ରା ସେଲସିୟସ ରୁ କମିବା ଉଚିତ ନୁହଁ । ସେହିପରି ସେଲସିୟସରୁ ଅଧିକ ହେଲେ ଘାସ ଭଲ ବଢେ ନାହିଁ । ଖରାଦିନର ଶୁଷ୍କ ପବନ ଓ ଉତ୍ତାପ ଏହି ଘାସର ବୃଦ୍ଧିପାଇଁ ପତିକୂଳ । ଏହାର ପ୍ରଭାବରେ ଘାସ ଶୁଖିଯାଏ । ମାଟି ତଳେ ଶୁପ୍ତ ଅବସ୍ଥାରେ ରହେ । ବର୍ଷା ଆରମ୍ଭ ହେଲେ ଗହହ ଗୁଡିକର ପୁନଃ ବୃଦ୍ଧି ଘଟେ । ଅଧିକାଂଶ କିସମ ଆର୍ଦ୍ର ଜଳବାୟୁରେ ୧୨୦୦-୧୫୦୦ ମି.ମି. ରେ ଭଲ ବଢନ୍ତି । ଆଂଶିକ ମେଘୁଆ ପାଗ ଓ ହାଲୁକା ବର୍ଷା ଏହି ଘାସର ଦୃତ୍ତ ବୃଦ୍ଧି ପାଇଁ ସହାୟକ ହୋଇଥାଏ । ଏହି ଘାସ ଛାଇ ସହ୍ୟ କରିପାରୁଥିବାରୁ ଫଳ ବଗିଚାମାନଙ୍କରେ ମଧ୍ୟ ଚାଷ କରାଯାଇପାରେ ।
ଗିନି ଘାସ ବିଭିନ୍ନ ପ୍ରକାର ମୃତ୍ତିକାରେ ବଢିପାରେ । ନିଗିଡା ଦୋରସା, ହାଲୁକା, ବାଲିଆ କିମ୍ବା ଦୋରସା ମାଟି ପାଇଁ ବିଶେଷ ଅନୁକୂଳ । ମାଟି ଭଲ ହେଲେ ଘାସ ଉତ୍ପାଦନ ଭଲ ହୁଏ । ଅଧିକ ଟାଣ ବା କାଦୁଅ ମାଟି ଓ ବହୁ ସମୟ ପାଇଁ ସନ୍ତସନ୍ତିଆ ରହୁଥିବା ଜମି ଏହି ଫସଲ ପାଇଁ ଅନୁକୂଳ ନୁହେଁ ।
ଗିନି ଘାସ ଜମିରେ ୩ବର୍ଷ ରହେ । ଏଣୁ ଜମି ଭଲ କରି ପ୍ରସ୍ତୁତ କରିବା ବିଧେୟ । ଲୁହା ଲଙ୍ଗଳରେ ଏକ ଓଡ ବା ଦୁଇ ଓଡ ଚାଷ ପରେ ୩-୪ ଥାଳି ବିଦା ବା କଲଟିଭେଟର ଚଳାଇବା ଦ୍ଵାରା ଜମି ଭଲ ଭାବରେ ଚାଷ ହୁଏ । ଜଳ ନିଷ୍କାସନ ପାଇଁ ଜମିକୁ ସାମାନ୍ୟ ଗଡାଣିଆ କରିବା ଉଚିତ ।
ଜଳସେଚନର ସୁବିଧା ଥିଲେ ଗିନି ଘାସ ଓଡିଶାରେ ବର୍ଷସାରା ଲଗାଯାଇ ପାରିବ । କେବଳ ତାପମାତ୍ରା - ସେଲସିୟସ ରହିଲେ ବିହନ ବୁଣିବା ଅନୁଚିତ । ବର୍ଷାଋତୁର ଆରମ୍ଭରେ ପାଗ ଶୀତଳ ଓ ଆର୍ଦ୍ର ରହେ । ଏହି ସମୟ ଗିନି ଘାସ ଲଗାଇବା ପାଇଁ ଉପଯୁକ୍ତ ।
ତଳିଘରା ପ୍ରସ୍ତୁତି କରି ତଳିଘରାରେ ବିହନ ବୁଣାଯାଏ । ମଞ୍ଜି ୧-୨ ସେ.ମି. ଗଭୀରରେ ଧାଡିରେ ବୁଣିବା ଉଚିତ । ୨-୩ ସେ.ମି. ଛାଡି ବିହନ ବୁଣାଯାଏ । ତଳି ଘରାରେ ନଡା ବା ପାଳ ଘୋଡାଇଲେ ଗଛ ଶୀଘ୍ର ବଢେ । ତଳିଗୁଡିକ ୨୦-୨୫ ଦିନ ହୋଇଗଲେ ୭୫ X ୩୦-୪୦ ସେ.ମି. ଧାଡିକୁ ଧାଡି ଓ ଗଛକୁ ଗଛ ବ୍ୟବଧାନରେ ତଳି ପୋତାଯାଏ ।
ଲଙ୍ଗଳ ସିଆର ପଛରେ ୬୦ X ୬୦ ସେ.ମି. ବ୍ୟବଧାନରେ ବୁଣିଲେ ହେକ୍ଟର ପିଛା ୪-୬ କେଜି ମଞ୍ଜି ବିହନ ଦରକାର ହେବ । ଚାରା କରି ରୋଇଲେ ହେକ୍ଟର ପିଛା ୩ କେଜି ବିହନ ଲାଗିବ ।
ଗଛର ଉଚ୍ଚତା, ପ୍ରକୃତି କାଣ୍ଡର ବ୍ୟାସ ଓ ପିଲ ଦେବା ଶକ୍ତି ଅନୁଯାୟୀ କିସମଗୁଡିକୁ ୨ ଭାଗରେ ବିଭକ୍ତ କରାଯାଏ ।
1) ଉଚ୍ଚ ବା ମାଧ୍ୟମ ଉଚ୍ଚ କିସମ
ଏହି କିସମଗୁଡିକ ଚରା ଓ କଟା ଉଭୟ ପାଇଁ ଉପଯୁକ୍ତ ।
2) ଗେଡା କିସମ –
ଏଗୁଡିକ ଚରା ପାଇଁ ଉପଯୁକ୍ତ । ମଞ୍ଜି ଦ୍ଵାରା ଘାସ କରାଯାଏ ।
ନିମ୍ନଲିଖିତ କିସମଗୁଡିକ ଓଡିଶାରେ ଚାଷ କରାଯାଏ ।
ଗଛ ଲଗାଇବାର ୨-୩ ସପ୍ତାହ ପୂର୍ବରୁ ହେକ୍ଟର ପିଛା ୫ ଟନ ଗୋବର ଖତ ପ୍ରୟୋଗ କରିବା ଆବଶ୍ୟକ । ଲଗାଇବା ସମୟରେ ହେକ୍ଟର ପିଛା ୪୦ କି.ଗ୍ରା. ସୁପର ଓ ୪୦ କି.ଗ୍ରା. ପଟାସ ସିଆରରେ ଦେଇ ମାଟି ଘୋଡାଇ ତା’ଉପରେ ବିହନ ବୁଣନ୍ତୁ ବା ଚାରା ରୋପଣ କରି ପାଣି ମଡାଯାଏ । ପ୍ରତ୍ୟକ ବର୍ଷ ବର୍ଷା ଆରମ୍ଭ ପୂର୍ବରୁ ଏହି ପରିମାଣର ସାର ପ୍ରୟୋଗ କରିବା ଉଚିତ । ଗଛ ୬୦ରୁ ୭୫ ସେ.ମି. ବଢିଗଲେ କାଟି ଗୋ ଖାଦ୍ଯରୂପେ ବ୍ୟବହାର କରାଯାଏ । ପ୍ରତ୍ୟକ କାଟ ପରେ ଠାରେ ୪୦ କି.ଗ୍ରା. ଯବକ୍ଷାରଜାନ ପ୍ରୟୋଗ କରାଯାଏ । ସମ୍ବାଦ ଶ୍ରେଣୀର ଗୋଖାଦ୍ୟ ଫସଲ, ମଧ୍ୟବର୍ତ୍ତୀ ଫସଲ ରୂପେ ଚାଷ କରାଯାଇଥିଲେ ପ୍ରତି କାଟ ପରେ ୟୁରିଆର ପ୍ରୟୋଗ ମାତ୍ରା ୨୦ କି.ଗ୍ରା. ଦେଲେ ଚଳିବ ।
ଗଛ ଲଗାଇବା ପରେ ପ୍ରଥମେ ଦୁଇଟି ଜଳସେଚନ ୭-୧୦ ଦିନ ଅନ୍ତରରେ ଦିଆଯାଏ । ଖରାଦିନେ ୧୦-୧୫ ଦିନ ଅନ୍ତରରେ ପାଣି ଦିଆଯାଏ ଏବଂ ବର୍ଷାଦିନରେ ପାଗକୁ ଲକ୍ଷ୍ୟକରି ଆବଶ୍ୟକ ଅନୁଯାୟୀ ପାଣି ଦିଆଯାଏ । ବର୍ଷାଦିନେ ଅଧିକ ପାଣିକୁ ନିଷ୍କାସନ କରିବାର ଦରକାର । ବାଲିଆ ମାଟିରେ କମ୍ ଦିନ ବ୍ୟବଧାନରେ ପାଣି ମଡାଯାଏ ।
ଗିନି ଘାସ ମଞ୍ଜିର ଜାଝା ଧୀରେ ଧୀରେ ବାହାରେ । ସବୁ ମଞ୍ଜି ଗଜା ହେବା ପାଇଁ ବହୁତ ଦିନ ଲାଗେ । ଏଣୁ ପ୍ରଥମରୁ ହିଁ ଗଛଗୁଡିକ ତୃଣକ ପ୍ରଭାବରୁ ରକ୍ଷା କରିବା ପାଇଁ ପ୍ରଥମ ଦୁଇ ମାସରେ ଦୁଇଥର କୋଡାଖୁସା କରିବା ଉଚିତ ।
ଗିନି ଘାସ ଲଗାଇବାର ନଅ-ଦଶ ସପ୍ତାହ ବେଳେକୁ ପ୍ରଥମ କାଟ ନିଆଯାଏ । ପରବର୍ତ୍ତୀ କାଟଗୁଡିକ ୬-୮ ସପ୍ତାହ ଅନ୍ତରରେ ନିଆଯାଏ । ପ୍ରତ୍ୟକ କାଟ ପରେ ଗଛର ଦ୍ରୁତ ପୁନଃ ବୃଦ୍ଧି ପାଇ ୮-୧୦ ସେ.ମି. ମୂଳି ରଖାଯାଇ କାଟିବା ଉଚିତ୍ । ପ୍ରତି କାଟ ପରେ ହେକ୍ଟର ପିଛା ୪୦ କି.ଗ୍ରା. ଯବକ୍ଷାରଜାନ ପକାଇ ପାଣି ମଡାଇ ଦିଆଯାଏ । ଶୀତଦିନ ପରେ ଗଛର ମରିଯିବା ଅଂଶକୁ କାଟି ପୃଥକ୍ କରାଯାଏ ଏବଂ ପରେ ପୋତି ଦିଆଯାଏ । ଫଳରେ ନୂତନ ଅଙ୍ଗୀୟ ବୃଦ୍ଧି ହୁଏ । କେତେକ କ୍ଷେତ୍ରରେ ଚାଷୀମାନେ ବୁଦାର ୩/୪ ଅଂଶ କାଟି ନୂତନ ଜମିରେ ଲଗାଇବା ପାଇଁ ବ୍ୟବହାର କରନ୍ତି କିମ୍ବା ଅନ୍ୟ ଚାଷୀମାନଙ୍କୁ ବିକ୍ରି କରନ୍ତି । ମୂଳ ଜାଗାରେ ବୁଦାର ଏକ ଚତୁର୍ଥାଂଶ ରଖିବା ଉଚିତ । ଏହା ଦ୍ଵାରା ପୁଷ୍ଟିକର, ସ୍ଵାଦିଷ୍ଟ ଓ କୋମଳ ପିଲ ଗୁଡିକର ସୃଷ୍ଟି ଓ ବୃଦ୍ଧି ଘଟେ । ପ୍ରତ୍ୟକ କାଟରୁ ହାରାହାରି ହେକ୍ଟର ପିଛା ୧୫ ଟନ ସବୁଜ ଗୋଖାଦ୍ୟ ମିଳେ । ବର୍ଷକୁ ହାରାହାରି ଅମଳ ୧୫୦-୨୦୦ ଟନ ପର୍ଯ୍ୟନ୍ତ ମିଳି ପାରିବ ।
ଆଧାର- ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 9/30/2019