ଗୁଆଁର ଗୋଟିଏ ଶିମ୍ବ ଜାତୀୟ ଗୋଖାଦ୍ୟ ଫସଲ । ଏହି ଫସଲର ମରୁଡି ସହଣୀ ଶକ୍ତି ଅଛି । ଏହି ଫସଲଟି ଗୋଖାଦ୍ୟ, ପନିପରିବା ଓ ଶିଳ୍ପୋପ ଯୋଗୀ ଫସଲ ରୂପେ ଚାଷ କରାଯାଏ । ଗୁଆଁର ଗୋଖାଦ୍ୟ ଫସଲରୁ ପୁଷ୍ଟିସାର, ସ୍ନେହସାର ଏବଂ ଖଣିଜ ଲବଣ ଯଥେଷ୍ଟ ମିଳିଥାଏ ।
ବହୁ ପୁରାତନ କାଳରୁ ଭାରତରେ ଗୁଆଁର ଚାଷ କରାଯାଉଥିବାରୁ ଭାରତ ଗୁଆଁରର ଉଦ୍ଭବ କେନ୍ଦ୍ର ବୋଲି କେତେକ ବୈଜ୍ଞାନିକ ମାନନ୍ତି । କିନ୍ତୁ ବହୁ ଜଙ୍ଗଲୀ ଗୁଆଁର ଆଫ୍ରିକା ମହାଦେଶରେ ଦେଖିବାକୁ ମିଳେ । ଏଣୁ କେତେକ ଆଫ୍ରିକା ଏହାର ଉଦ୍ଭବ କେନ୍ଦ୍ର ବୋଲି ମନେ କରନ୍ତି ।
ରାଜସ୍ଥାନ, ଗୁଜୁରାଟ, ହରିୟାନା, ପଞ୍ଜାବ, ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶରେ ଗୁଆଁର ଚାଷ ହୁଏ । ରାଜସ୍ଥାନରେ ଶତକଡା ୫୩ ଭାଗ ଆଦାୟ ହୋଇଯାଏ ।
ଉପବଂଶ ପାପିଲିଡନାସି ପ୍ରଜାତି କ୍ୟାମୋପସିପ୍ । ଏହି ପ୍ରଜାତିର ୪ ଗୋଟି ଜାତି ରହିଛି । ଯଥା –
ଗୁଆଁର ଶିମ୍ବ ବଂଶୀ ଫସଲ । ଶିମ୍ବାଦି ଗୋ ଖାଦ୍ୟ ଫସଲମାନଙ୍କ ମଧ୍ୟରେ ଗୁଆଁର ଗୋଟିଏ ମୁଖ୍ୟ ଫସଲ । ଗଛ ହୃଷ୍ଟ ପୃଷ୍ଟ – ସିଧ, ଏକବର୍ଷୀ । ୯୦-୧୮୦ ସେ.ମି. ଉଚ୍ଚା । ମୂଳତନ୍ତ୍ର ଆଦିମୂଳ: କାଣ୍ଡ: ଶାଖା ପ୍ରଶାଖା ଯୁକ୍ତ । ପତ୍ର ତ୍ରିପର୍ଣ୍ଣକ – ଦନ୍ତୁରିତ । ପତ୍ରଗୁଡ଼ିକ ୪-୧୫ ସେ.ମି. ଲମ୍ବା ଓ ୨.୫ – ୮.୦ ସେ.ମି. ଓସାର ।
ଗୁଆଁର ପୁଷ୍ପ-ସ୍ତବକ ଅସୀମ ଶ୍ରେଣୀର । ଫୁଲଗୁଡିକ ଏକାର୍ଦ୍ଧସମ କହୁନଳୀ ଓ ଅଗସ୍ତିକ ବୃତ୍ତି ସଂଖ୍ୟା ୫ । ଏହା ପରସ୍ପର ସହ ସଂଯୁକ୍ତ । ପାଖୁଡାଗୁଡିକର ସଂଖ୍ୟା – ୫ ଏବଂ ସେଗୁଡିକ ଅସମାନ । ସବୁଠାରୁ ବଡପାଖୁଡାଟିକୁ ଦ୍ଵଜକ କୁହାଯାଏ । ପାର୍ଶ୍ଵ ପାଖୁଡା ଦୁଇଟି ପକ୍ଷ ନାମରେ ନାମିତ । ସବୁଠାରୁ ଭିତରେ ଥିବା ପାଖୁଡା ଦୁଇଟି ଯୋଡି ହେଲା ପରି ନୌତଳାକୃତ ଜଣାପଡେ । ଫୁଲଗୁଡିକର ରଙ୍ଗ ବାଇଗଣି ବା ଗୋଲାପି ଛୁଇଁଗୁଡିକ ଚେପଟା ଓ ପେନ୍ଥା ପେନ୍ଥା ହୋଇଥିବାରୁ କ୍ଲଷ୍ଟର ବିନ୍ ବୋଲି କୁହନ୍ତି । ଛୁଇଁଗୁଡିକ ମାଂସାଳ, ଆଗଥୋଡ ଚଞ୍ଚୁପରି ସରୁ ୨୫-୧୩ ସେ.ମି. ଲମ୍ବା ୫-୧୨ଟି ଭିତରେ ମଞ୍ଜି ଥାଏ । ସବୁଜ ଗୁଆଁର ପରିବା ଓ ଗୋଖାଦ୍ୟ ରୂପେ ଜଳବାୟୁ ବ୍ୟବହାର ହୁଏ । ମଞ୍ଜିଗୁଡିକ ଚାରିକୋଣିଆ ।
ଗୁଆଁର ଗୋଟିଏ ମରୁଡି ସହଣୀ ଗୋ ଖାଦ୍ୟ ଫସଲ । ଯେଉଁଠାରେ ୩୦-୪୦ ସେ.ମି. ବର୍ଷା ହୁଏ । ସେଠାରେ ଗୁଆଁର ଚାଷ ହୋଇପାରିବ । ଏହା ଗୋଟିଏ ବର୍ଷାଦିନିଆ ବର୍ଷାଧାର ଫସଲ । ୨୫- ସେଲସିୟସ ଉତ୍ତାପ ଗଜା ହେବା ପାଇଁ ଉପଯୁକ୍ତ । ଏହା ଜଳାଧିକ ସହ୍ୟ କରିପାରେ ନାହିଁ । ଗୁଆଁର ଆଲୋକ ସମ୍ବେଦୀ ଫସଲ । ଏଣୁ ଖରିଫ ଋତୁରେ ହିଁ ଚାଷ ହୁଏ ।
ଗୁଆଁର ମଟାଳ ଏବଂ ଜଳ ଛାଡୁ ନଥିବା ମୃତ୍ତିକାକୁ ବାଦ୍ ଦେଲେ ଆଉ ସବୁ ମାଟିରେ ଚାଷ ହୋଇପାରିବ । ଏହା ନିଗିଡା ମାଟିରେ ଭଲ ହୁଏ । ପି.ଏଚ୍ ୭.୦-୮.୫ ଫସଲ ପାଇଁ ଭଲ ।
ଦୁଇପ୍ରକାର ଗୁଆଁର ଅଛି । ଯଥା – (୧)ଗୋଖାଦ୍ୟ ପ୍ରକାର, (୨) ପନିପରିବା ପ୍ରକାର ।
ଦୁର୍ଗାପୁର ସଫେଦ
ରାଜସ୍ଥାନରେ ଥିବା ଦୁର୍ଗାପୁରରୁ ଏହାର ଉଦ୍ଭବ ହୋଇଛି । ଏହି ଗୁଆଁର ୧୦୦-୧୦୫ଦିନ ଭିତରେ ଅମଳ କରାଯାଏ । ୧୪-୧୫ କୁଇଣ୍ଟାଲ ମଞ୍ଜି ହେକ୍ଟର ପିଛା ଅମଳ ହୁଏ । ରାଜସ୍ଥାନ ପାଇଁ ଉପଯୁକ୍ତ ।
ଏଫ.ଏସ୍. – ୨୭୭ (FS - 277) ୧୩୦ ଦିନରେ ଅମଳ ହୁଏ ।
ଏହି କିସମରୁ ୩୩୦ କୁଇଣ୍ଟାଲ ସବୁଜ ଗୋଖାଦ୍ୟ ହେକ୍ଟର ପିଛା ମିଳିପାରୁଛି । ମଞ୍ଜି ଅମଳ କଲେ ୧୯ କୁଇଣ୍ଟାଲ ହେକ୍ଟର ପିଛା ମିଳିପାରେ ।
ଅଗଟା ଗୁଆଁର
ଏହା ଲୁଧିଆନା ଏବଂ ପଞ୍ଜାବ ବିଶ୍ଵବିଦ୍ୟାଳୟରୁ ଉଦ୍ଭବ ହୋଇଛି । ୯୫-୧୧୦ ଦିନ ଭିତରେ ଅମଳ ହୁଏ । ଏହି ଫସଲରୁ ୨୯ କୁଇଣ୍ଟାଲ ପର୍ଯ୍ୟନ୍ତ ଗୁଆଁର ମିଳିପାରେ । ଅନ୍ୟ ଗୁଆଁର କିସମଗୁଡିକ ହେଲା – ନଂ – ୩ IGFRI-212, D-111, D-128, G-3B 2796, G-4-29, B-17, G-4-298-25 ଇତ୍ୟାଦି ।
ଜମି ପ୍ରସ୍ତୁତ
ଦେଶୀ ଲଙ୍ଗଳରେ ୨-୩ଥର ଚାଷ କରି ତାପରେ ଆଡବାଗ ହାରୋଇଙ୍ଗ କରି ମଇ ଦେଇ ଦେଲେ ଜମି ପ୍ରସ୍ତୁତି ସରିଲା । ମଞ୍ଜି ବୁଣିବା ସମୟରେ ଜମିରେ ଆର୍ଦ୍ରତା ଉପଯୁକ୍ତ ପରିମାଣର ରହିବା ଉଚିତ ।
ଲଗାଇବା ସମୟ – ଗ୍ରୀଷ୍ମ ଋତୁ – ଜାନୁୟାରୀ, ଫେବୃୟାରୀ । ବର୍ଷାଋତୁ – ମେ ଜୁନ ।
ବିହନ ପରିମାଣ – ସବୁଜ ଗୋଖାଦ୍ୟ ପାଇଁ – ୪୦-୪୫ କି.ଗ୍ରା ଏବଂ ମଞ୍ଜି ପାଇଁ ୧୫-୨୦ କି.ଗ୍ରା. ହେକ୍ଟର ପ୍ରତି ଆବଶ୍ୟକ ।
ବ୍ୟବଧାନ – ମଞ୍ଜି ଫସଲରେ ଧାଡିକୁ ଧାଡି ୪୫ ସେ.ମି. ଏବଂ ଗଛକୁ ଗଛ ୧୫ ସେ.ମି. ରଖିବା ଉଚିତ । ସବୁଜ ଗୋଖାଦ୍ୟ ପାଇଁ ବ୍ୟବଧାନ କମ୍ କରିବାକୁ ହେବ ।
ପ୍ରତି କେ.ଜି. ବିହନ ସହିତ ୩ ଗ୍ରାମ ହିସାବରେ ଥିରାମ ବା କ୍ୟାପଟାନ୍ ଗୋଳାଇ ବିଶୋଧନ କରାଯାଏ ।
ଖତ ଓ ସାର
ଜମି ପ୍ରସ୍ତୁତି କରିବା ସମୟରେ ହେକ୍ଟର ପ୍ରତି ୫ଟନ କମ୍ପୋଷ୍ଟ ପ୍ରୟୋଗ କରି ମାଟିରେ ମିଶାଇ ଦିଆଯାଏ । ଏହାଛଡା ରାସାୟନିକ ସାର – ଯଥା, ଯବକ୍ଷାରଜାନ – ୨୫ କି.ଗ୍ରା. ଫସଫରସ୍ – ୫୦ କି.ଗ୍ରା., ପଟାସ – ୨୮ କି.ଗ୍ରା. ହେକ୍ଟର ପିଛା ପ୍ରୟୋଗ କରାଯାଏ ।
ସମସ୍ତ ସାର ମିଶାଇ ସିଆରରେ ୪-୫ ସେ.ମି. ଗଭୀରରେ ଦେଇ ମାଟି ଘୋଡାଇ ମଞ୍ଜି ବୁଣାଯାଏ ।
ଜଳସେଚନ
ଖରାଦିନେ ଫସଲରେ ୧୦ ଦିନ ବ୍ୟବଧାନରେ ପାଣି ମଡାଯାଏ ।
ଅନ୍ତଃଚାଷ
ବିହନ ଲଗା ହେବାର ୩-୪ ସପ୍ତାହ ବେଳକୁ ଖୁସାଖୁସି କରି ଘାସ ବାଛି ଦିଆଯାଏ ଏବଂ ଦ୍ଵିତୀୟ ଥର କୋଡା ଖୁଦା କରି ହିଡ ଟେକି ଦିଆଯାଏ ।
ଅମଳ
ଲଗାଇବାର ୮୦-୮୫ ଦିନ ପରେ ଅର୍ଥାତ୍ ଗଛରେ ଫୁଲ ଫଳ ଧରିବା ଆରମ୍ଭ ହେବା ମାତ୍ରେ ଗୋଖାଦ୍ୟ ପାଇଁ ଅମଳ କରାଯାଏ । ମଞ୍ଜି ଅମଳ ପାଇଁ ରଖିଲେ ମଞ୍ଜି ପାକଲା ହେବା ପରେ ଗଛ କଟାଜାଏ ତାପରେ ବେଙ୍ଗଳା ପକାଇ ମଞ୍ଜି ଅମଳ କରାଯାଏ ।
୨୫୦-୩୦୦ କୁଇଣ୍ଟାଲ ସବୁଜ ଗୋଖାଦ୍ୟ ବା ୧୦-୧୫ କୁଇଣ୍ଟାଲ ମଞ୍ଜି ଅମଳ କରାଯାଇ ପାରିବ ।
ଆଧାର- ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 6/29/2020