ଟିଓସେଣ୍ଟ ଏକ ଅଧିକ ଅମଳକ୍ଷମ ଶସ୍ୟଜାତୀୟ ଗୋଖାଦ୍ୟ ଫସଲ । ୧୮୮୧ ମସିହାରେ ଏହି ଫସଲ ଭାରତରେ ପ୍ରଥମ ଥର ଚାଷ କରାଗଲା । ମକା ଓ ଜୁଆର ପରି କୋମଳ ନ ହେଲେ ମଧ୍ୟ ଗୋରୁଗାଈଙ୍କର ଏହା ଏକ ରୁଚିକର ଖାଦ୍ୟ । ମକା ଠାରୁ ଏହା ଅଧିକ ଅମଳ ଦିଏ । ବର୍ଷାଦିନିଆ ମକାରୁ ଗୋଟିଏ କାଟ ମିଳୁଥିବା ବେଳେ ଟିଓସେଣ୍ଟରୁ ଦୁଇଟି କାଟ ମିଳିପାରିବ । ଏହାର ପିଲ ଦେବା ଶକ୍ତି ରହିଛି । ଟିଓସେଣ୍ଟକୁ କଞ୍ଚା, ଶୁଖିଲା ଓ ସାଇଲେଜ ଆକାରରେ ବ୍ୟବହାର କରାଯାଏ । ଟିଓସେଣ୍ଟ ନଡା ମଧ୍ୟ ଗୋଖାଦ୍ୟରୂପେ ବ୍ୟବହାର କରାଯାଏ । ସୀମିତ ପରିମାଣରେ ଏହାର ମଞ୍ଜିରୁ ଅଟା ତିଆରି ହୋଇ ଗୋଖାଦ୍ୟ ରୂପେ ବ୍ୟବହାର କରାଯାଏ । ସୀମିତ ପରିମାଣରେ ଏହାର ମଞ୍ଜିରୁ ଅଟା ତିଆରି ହୋଇ ଗୋଖାଦ୍ୟ ରୂପେ ବ୍ୟବହାର କରାଯାଏ । ଟିଓସେଣ୍ଟ ଏକ ଉତ୍କୃଷ୍ଟ କୁକୁଡା ଖାଦ୍ୟ । ଟିଓସେଣ୍ଟର ଶ୍ଵେତସାର ଶତକଡା ୫୮.୫ ଭାଗ, ସ୍ନେହସାର ୬.୧ ଭାଗ ଓ ତନ୍ତୁ ୮.୪ ଭାଗ ରହିଛି ।
ଦକ୍ଷିଣ ପୂର୍ବ ଏସିଆ ଓ ବିଷୁବମଣ୍ଡଳୀୟ ଆଫ୍ରିକା ଏହାର ଉଦ୍ଭବ କେନ୍ଦ୍ର ଅଟେ । ପ୍ରଥମେ ଇଣ୍ଡୋଚୀନରେ ଏହା ଚାଷ କରାଯାଉଥିଲା ।
ଟିଓସିଣ୍ଟେ ପୋଏସି ବଂଶଜ । ପ୍ରଜାତି – ଇଉକଲାଏନା, ଜାତି – ମେକ୍ସିକାନା ।
ମକା ଫସଲ ସହ ଟିଓସିଣ୍ଟେର ବହୁତ ସାମଞ୍ଜସ୍ୟ ରହିଛି । ମକା ପାଇଁ ଆବଶ୍ୟକ ପାରିପାର୍ଶ୍ଵିକ ଅବସ୍ଥା ଟିଓସିଣ୍ଟେ ପାଇଁ ମଧ୍ୟ ଅନୁକୂଳ । ଟିଓସିଣ୍ଟେ ପତ୍ର ବହୁତ କୋମଳ ଓ ଏକ ଋତ୍ଵିକ ଉଦ୍ଭିଦ ଅଟେ । ଗଛଗୁଡିକ ୧.୮-୩.୬ ମିଟର ଉଚ୍ଚତା ବିଶିଷ୍ଟ ହୋଇଥାଏ । ପ୍ରତ୍ୟକ ଗଛରେ ତିନୋଟି ବା ତା’ଠାରୁ ଅଧିକ ପୁଆ ହୁଏ । ପୁଆଗୁଡିକରୁ ୮-୨୦ ପର୍ଯ୍ୟନ୍ତ ପିଲ ବାହାରେ । ସେଗୁଡିକ ଗୋଟିଏ ଗୁଚ୍ଛରେ ବାନ୍ଧି ହୋଇ ରହିଥାଆନ୍ତି । କଞ୍ଚାବେଳେ ଫସଲକୁ କାଟିବା ପରେ ପୁଣି ନୂତନ ଗଛ ବାହାରେ । ପତ୍ରଗୁଡିକ ଚିକ୍କଣ ଓ ସଳଖ । ପତ୍ରଗୁଡିକର ଲମ୍ବ ୯୦ ସେ.ମି. ଓ ଓସାର ୫.୦ ରୁ ୭.୫ ସେ.ମି. । ମଞ୍ଜିଗୁଡିକ ୮ମି.ମି. ଲମ୍ବ ଓ କିଞ୍ଚିତ ଭାବେ କୋଣ ବିଶିଷ୍ଟ । ସେଗୁଡିକର ରଙ୍ଗ ଗାଢ ଧୂସର ବା ଦୁଧସର ରଙ୍ଗ ପରି ଧଳା ହୋଇଯାଏ ।
ଟିଓସେଣ୍ଟ ଏକ ଏକବାସ ଗଛ । ଅଣ୍ଡିରା ଓ ମାଈ ଫୁଲଗୁଡିକ ଗୋଟିଏ ଗଛରେ ଭିନ୍ନ ଭିନ୍ନ ପୁଷ୍ପ ସ୍ତବକରେ ଥାନ୍ତି । ଅଣ୍ଡିରା ଶୂକିକା ଗୁଡିକ ଗଛର ଅଗ୍ରଭାଗରେ ଏକ ଚଞ୍ଚଳର ସଜ୍ଜିତ ହୋଇଥାନ୍ତି । ମାଈ ଫୁଲଗୁଡିକ ପତ୍ରର ଅକ୍ଷରେ ଏକ ସଚ୍ଛଦ ସ୍ତବକର ଥାନ୍ତି । ପର ପରାଗଣ ପଦ୍ଧତିରେ ଟିଓସେଣ୍ଟର ପରାଗସଙ୍ଗମ ଘଟେ ।
ଉଷ୍ଣ ଓ ଆର୍ଦ୍ର ଜଳବାୟୁରେ ଟିଓସେଣ୍ଟ ଭଲବଢେ । ବାର୍ଷିକ ବୃଷ୍ଟିପାତ ୧୦୦ ସେ.ମି. ରୁ ଉର୍ଦ୍ଧ୍ଵ ହେବା ଉଚିତ । ଅଳ୍ପ ସମୟ ପାଇଁ ସନ୍ତସନ୍ତିଆ ରହୁଥିବା ଖାଲ ଜମିରେ ମଧ୍ୟ ଏହି ଫସଲ ହୋଇପାରିବ । ଜୁନ୍ ମାସରେ ଏହି ଫସଲ ବୁଣିବାକୁ ହେବ ।
ଗହୀର ଓ ଉର୍ବର ମାଟି ଟିଓସେଣ୍ଟ ପାଇଁ ଅତ୍ୟନ୍ତ ଅନୁକୂଳ । କ୍ଷାରୀ ଓ ଲୁଣୀ ମାଟି ଏହି ଫସଲ ପାଇଁ ଅନୁପଯୁକ୍ତ । ଦୋରସାରୁ ମଟାଳ ଦୋରସା ମାଟି ବିହନ ଉତ୍ପାଦନ ପାଇଁ ଉପଯୁକ୍ତ ।
ଟିଓସିଣ୍ଟେର କିସମଗୁଡିକ ମଧ୍ୟରୁ ନିମ୍ନଲିଖିତ କିସମ ଓଡିଶାର ଜଳବାୟୁ ପାଇଁ ଉପଯୁକ୍ତ ।
ଶୀର୍ଷ, ଟିଓସିଣ୍ଟେ ଲୁଧିଆନା – ୧୪, ଟିଏଲ୍-୧୪, ଟିଓସିଣ୍ଟେ ଲୁଧିଆନା -୧୬, ଟିଓସିଣ୍ଟେ ଲୁଧିଆନା-୧, ଟିଓସିଣ୍ଟେ ଲୁଧିଆନା – ୨ ।
ଏଗୁଡିକ ହାରାହାରି ୩୩-୩୬ ଟନ କଞ୍ଚା ଗୋଖାଦ୍ୟ ଅମଳ ଦେବାର କ୍ଷମତା ରହିଛି ।
ଦେଶୀ ଲଙ୍ଗଳ ଦ୍ଵାରା ୩-୪ ଓଡ ଚାଷ କିମ୍ବା ଲୁହା ଲଙ୍ଗଳରେ ୨-୩ ଓଡ ଚାଷ କରି ଜମିକୁ ମଇ ଦେଇ ସମତୁଲ କରି ବିହନ ବୁଣିବାକୁ ହେବ ।
ହେକ୍ଟର ପିଛା ୨୦ କେ.ଜି ହୃଷ୍ଟପୃଷ୍ଟ ଓ ଅଙ୍କୁରଣକ୍ଷମ ବିହନ ଆବଶ୍ୟକ । ଦୁଧସର ପରି ଧଳା ଓ ହାଲୁକା ମଞ୍ଜି ଗୁଡିକ ଦରପାଚିଲା । ଏଣୁ ସେଗୁଡିକ ପୃଥକ କରି ନେବା ଭଲ । ମଞ୍ଜିକୁ ୨% ଲୁଣପାଣିରେ ପକାଇଲେ ହାଲୁକା ମଞ୍ଜି ଗୁଡିକ ଭାସି ଉଠିବ । ସେଗୁଡିକୁ ଛାଣି ଅଲଗା କରି ଦେବା ଉଚିତ ।
ଏହା ଗୋଟିଏ ବର୍ଷାଦିନିଆ ଫସଲ ହୋଇଥିବାରୁ ମେ ଜୁନ ମାସରେ ବୁଣିବା ଭଲ ।
ବିହନ ଧାଡିବୁଣା ଯନ୍ତ୍ର ସାହାଯ୍ୟରେ ବୁଣିବା ଆବଶ୍ୟକ । ଧାଡିକୁ ଧାଡି ବ୍ୟବଧାନ ୫୦-୬୦ ସେ.ମି.ରହିବା ଉଚିତ । ଦେଶୀ ଲଙ୍ଗଳ ସିଆରରେ ମଧ୍ୟ ମଞ୍ଜି ବୁଣାଯାଇପାରେ । ଗଛକୁ ଗଛ ବ୍ୟବଧାନ ୧୫-୨୦ ସେ.ମି. ରଖାଯାଏ । ଟିଓସିଣ୍ଟେ ବର୍ଷାଋତୁ ଆରମ୍ଭରେ ମଧ୍ୟ ରୁଆଯାଇପାରେ । ଏଥିପାଇଁ ପୂର୍ବରୁ ତଳି ଘରା ପ୍ରସ୍ତୁତି କରି ତଳି ପକାଇବା ଉଚିତ ।
ଶେଷ ଓଡ ଚାଷ ବେଳେ ୫ ଟନ ଗୋବର ଖତ କିମ୍ବା କମ୍ପୋଷ୍ଟ ପ୍ରୟୋଗ କରାଯାଏ । ହେକ୍ଟର ପ୍ରତି ଯବକ୍ଷାରଜାନ, ସୁପର ଓ ପଟାସ ସାର ଯଥାକ୍ରମେ ୩୦,୩୦ ଓ ୨୫ କେଜି ମୂଳସାର ରୂପେ ଧାଡିରେ ମିଶାଇ ପ୍ରୟୋଗ କରାଯାଏ । ବୁଣିବାର ୬ ସପ୍ତାହ ପରେ ହେକ୍ଟର ପିଛା ଆଉ ୩୫ କେଜି ଯବକ୍ଷାରଜାନ ଶୀର୍ଷ ସାର ରୂପେ ବ୍ୟବହାର କରାଯାଏ ।
ଗଜା ହେବା ପରେ ୨ ମାସ ପର୍ଯ୍ୟନ୍ତ ଗଛ ଧୀରେ ଧୀରେ ବୃଦ୍ଧିପାଏ । ଏଣୁ ଅନାବନା ଗଛଦ୍ଵାରା ଦବିଯିବା ସମ୍ଭାବନା ରହିଛି । ଗଛଗୁଡିକ ୨୩-୩୦ ସେ.ମି. ଉଚ୍ଚ ହେଲେ ଜମିକୁ ଖୁସାଇ ଅନାବନା ଗଛଗୁଡିକୁ ଭଲଭାବେ ବାଛି ଦେବା ଦରକାର ।
ଟିଓସେଣ୍ଟ ବର୍ଷାଦିନିଆ ଫସଲ । ବର୍ଷା ନହେଲେ ପାଣି ମଡାଇବା ଦରକାର । ଜଳାନୁବୋଧତା ଟିଓସେଣ୍ଟ ସହି ନପାରୁଥିବାରୁ ଅଧିକ ପାଣି ନିଗିଡା ଯିବା ପାଇଁ ଜଳ ନିଷ୍କାସନର ବ୍ୟବସ୍ଥା କରିବା ଦରକାର ।
ଟିଓସେଣ୍ଟ ଅକ୍ଟୋବର – ନଭେମ୍ବର ମାସରେ ପାଚେ । ଉପର ଫଳ ଆଗ ପରିପକ୍ଵ ହୁଏ, ତାପରେ ତଳ ଫଳ ଧୀରେ ଧୀରେ ପକ୍ଵ ହୁଏ । ପ୍ରାୟ ୭୫% ମଞ୍ଜି ପରିପକ୍ଵ ହେଲେ ଫସଲ କଟାଯାଏ । ଫସଲ କଟାରେ ଡେରି କଲେ ଆଗ ପରିପକ୍ଵ ହୋଇଥିବା ମଞ୍ଜିଗୁଡିକ ଝଡି ପଡେ । କାଟିବା ପରେ ଫସଲକୁ ଏକ ସପ୍ତାହ ପର୍ଯ୍ୟନ୍ତ ଖରାରେ ଶୁଖାଯାଏ । ମଞ୍ଜିଗୁଡିକ କେଣ୍ଡାରେ ଲାଖି ରହିଥାଏ । ବାଡେଇଲା ବେଳେ ସହଜରେ ଝଡିପଡେ । ବିହନରୁ ଧଳା, କଞ୍ଚା ଓ ଦରପାଚିଲା ମଞ୍ଜି ଅଲଗା କରିବାକୁ ହେବ । କେବଳ ଧୂସରରୁ ଗାଢ ଧୂସର ରଙ୍ଗ ମଞ୍ଜିଗୁଡିକ ଅଛାରି ଖରାରେ ଶୁଖାଇ – ସଫାକରି ସଂଗ୍ରହ କରାଯାଏ । ଏକ ହେକ୍ଟର ଜମିରୁ ପ୍ରାୟ ୭-୧୩ କୁଇଣ୍ଟାଲ ମଞ୍ଜି ଆଦାୟ ହୁଏ ।
ଆଧାର- ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 1/28/2020