অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପାରାଘାସ

ଉପକ୍ରମ

ପାରାଘାସର ଅନ୍ୟନାମଗୁଡିକ ହେଉଛି, ପାଣିଘାସ, ମରିସିସ୍ ଘାସ ବା ଆଙ୍ଗୋଲା ଘାସ  ।ପାରା ଘାସ ଗୋଟିଏ ଅର୍ଦ୍ଧଜଳକ ଘାସ  । ଖାଲ ଓ ସନ୍ତସନ୍ତିଆ ଜମିରେ ଏହି ଘାସ ଭଲ ବଢେ   । ଆର୍ଦ୍ର ଓ ଉଷ୍ମ ମଣ୍ଡଳୀୟ ଜଳବାୟୁରେ ଏହା ଚାଷ କରାଯାଏ  । ଏହି ଅଞ୍ଚଳରେ ପାରା ଘାସ ହେଉଛି ଗୋଟିଏ ଉତ୍ତମ – ଅଧିକ ଅମଳକ୍ଷମ ଗୋ ଖାଦ୍ୟ  । ପାରାଘାସର ବଂଶବିସ୍ତାର ସହଜ ହୋଇଥିବାରୁ ପୃଥିବୀର ଅନେକ ଦେଶରେ ଏହା ଚାଷ କରାଯାଉଅଛି  । ଏହି ଘାସକୁ କଞ୍ଚା ଅବସ୍ଥାରେ କାଟି ଗୋରୁ ଗାଈଙ୍କୁ ଖାଇବାକୁ ଦିଆଯାଏ  । ଗଛ ୬୦-୭୫ ସେ.ମି. ଉଚ୍ଚ ହେଲେ ଘାସ କାଟି ଦେବା ଉଚିତ  । ଡେରିରେ କାଟିଲେ ଘାସ ତନ୍ତୁମୟ ହୋଇଯାଏ ଓ ଏହାର ଗୁଣାତ୍ମକମାନ ହ୍ରାସପାଏ  ।

ଉଦ୍ଭବ କେନ୍ଦ୍ର

ପଶ୍ଚିମ ଆଫ୍ରିକା  ।

ଉଦ୍ଭିଦ ବର୍ଣ୍ଣନା

ପାରାଘାସ ଏପୋଏସି ବଂଶଜ  । ପ୍ରଜାତି- ବ୍ରାଚିଆରିଆ, ଜାତି-ମ୍ୟୁଟିକା   ।

ପାରଘାସ ଗୋଟିଏ ବହୁବାର୍ଷିକ ବୁଦାଳିଆ ଘାସ  । ଧାବକ କାଣ୍ଡ ସାହାଯ୍ୟରେ ଏହା ମାଡିଯାଏ  । ଧାବକ କାଣ୍ଡର ପ୍ରତ୍ୟକ ଗଣ୍ଠିରୁ ଅନେକ ଛେରା ବାହାରେ  । ଫୁଲ ଧରିବା ଅବସ୍ଥାରେ କାଣ୍ଡଗୁଡିକର ଉଚ୍ଚତା ୧-୨ ମିଟର ହୋଇଥାଏ  । କାଣ୍ଡଗୁଡିକ ସଲଗ୍ନ ପତ୍ରବହୁଳ, କୋମଳ, ପୋଲା ଓ ଚିକ୍କଣ  । ଗଣ୍ଠିଗୁଡିକ ଲୋମଶ ପତ୍ର ଫଳକ ଗାଢ ସବୁଜ, ୨୫-୩୦ ସେ.ମି. ଲମ୍ବା ଓ ୧-୨ ସେ.ମି. ଓସାର, କେଣ୍ଡା ଗୁଡିକ ପ୍ରାୟ ୧୫ ସେ.ମି. ଲମ୍ବ  । ଫୁଲଗୁଡିକ ପ୍ରାୟ ୩ ସେ.ମି. ଲମ୍ବ ଓ ସାମାନ୍ୟ ହଳଦିଆ  । ପାରାଘାସ ଆଲୋକ ସମ୍ବେଦ  । ଏଣୁ ଛୋଟ ଦିନ ଆସିଲେ ଫୁଲ ଧରେ  । ପାରାଘାସରେ ପ୍ରଚୁର ଫୁଲ ହୁଏ  । ମଞ୍ଜି ଗୁଡିକର ଅଙ୍କୁର କ୍ଷମତା ବହୁତ କମ୍  । କେଣ୍ଡା ଗୁଡିକ ଅକ୍ଟୋବର ମାସରୁ ନଭେମ୍ବର ମାସ ଭିତରେ ପରିପକ୍ଵ ହୁଏ  ।

ଋତୁ ଓ ଜଳବାୟୁ

ଉଷ୍ଣ ଓ ଆର୍ଦ୍ର ବାୟୁ ପାରାଘାସ ପାଇଁ ଉପଯୁକ୍ତ  । ଏହି ଘାସ ପାଇଁ ବାର୍ଷିକ ବୃଷ୍ଟିପାତ  ୧୦୦୦-୧୫୦୦ ମି.ମି. ଅନୁକୂଳ  । ପାରାଘାସ ଅତି ଜଳାଶକ୍ତି ଅବସ୍ଥା ଓ ବନ୍ୟା ସହ୍ୟ କରିପାରେ   । ଶୁଷ୍କ ଜଳବାୟୁ ବା ଅର୍ଦ୍ଧଶୁଷ୍କ ଜଳବାୟୁରେ ପାରାଘାସ ଭଲ ହୁଏ  ନାହିଁ  । ଏହି ଘାସ ୧୫୦ ସେଲସିୟସ କମ୍ ଉତ୍ତାପ ସହ୍ୟ କରିପାରେ ନାହିଁ  । ଉପକ୍ରାନ୍ତିୟ ଜଳବାୟୁରେ ପାରାଘାସ ଶୀତଦିନେ ବଢିପାରେ ନାହିଁ  ।

ମୃତ୍ତିକା

ଉର୍ବର ମଟାଳ ଦୋରସା ମାଟି ପାରା ଘାସ ପାଇଁ ଉପଯୁକ୍ତ  । ପାଣି ସୁବିଧା ଥିଲେ ବାଲିଆ ମାଟିରେ ଚାଷ କରାଯାଇ ପାରିବ  । ଲୁଣି ବା କ୍ଷାରୀ ମାଟିରେ ଏହା ବଢି ପାରେ  । ଲୁଣି ବା କ୍ଷାରୀ ମାଟି ଆବାଦ ପାଇଁ ପାରାଘାସ ଚାଷ କରାଯାଏ  ।

ଜମି ପ୍ରସ୍ତୁତି

ପ୍ରଥମ ଚାଷ ଲୁହା ଲଙ୍ଗଳରେ କରି ପରେ ଥାଳିଆ ବିଦା କିମ୍ବା ଦେଶୀ ଲଙ୍ଗଳ ଦ୍ଵାରା ୩-୪ ଓଡ ଚାଷ କରି ଜମିରୁ ଅନାବନା ଘାସ ସମ୍ପୂର୍ଣ୍ଣ ଭାବରେ ବାହାର କରି ମାଟିକୁ ଗୁଣ୍ଡା କରି ସମତୁଲ କରିଦେବାକୁ ହେବ  । କାରଣ ପାରା ଘାସ ଠାରେ ଲଗାଇଲେ ଏହା ଜମିରେ ୩-୪ ବର୍ଷ ପର୍ଯ୍ୟନ୍ତ ରହେ  । ଜମିକୁ ସାମାନ୍ୟ ଗଡାଣିଆ କଲେ ଜଳ ସହଜରେ ନିଷ୍କାସିତ ହୋଇଯିବ  । ସନ୍ତସନ୍ତିଆ ଜମିରେ ମଧ୍ୟ ପାରା ଘାସ ଚାଷ କରାଯାଇ ପାରିବ  ।

ବିହନ

ପାରା ଘାସ ମଞ୍ଜିକୁ ବିହନ ରୂପେ ବ୍ୟବହାର କରାଯାଇ ପାରିବ  । କିନ୍ତୁ ମଞ୍ଜିର ଜିବ୍ୟତା ବହୁତ କମ ଥିବାରୁ କାଣ୍ଡ ଖଣ୍ଡ ବା ଛେରା ସଲଗ୍ନ ଧାବକ କାଣ୍ଡର ଗଣ୍ଠି ଗୁଡିକୁ ବିହନ ରୂପେ ବ୍ୟବହାର କରାଯାଇ ପାରିବ  । ଏହି କାଣ୍ଡ ଖଣ୍ଡ ଲଗାଇଲେ କମଖର୍ଚ୍ଚ ହୁଏ  ।

ବିହନ ଲଗାଇବା ସମୟ

‘ମେ’ ଠାରୁ ଜୁନ ମାସ ପାରା ଘାସ ଲଗାଇବା ପାଇଁ ଉପଯୁକ୍ତ ସମୟ  ।

ଲଗାଇବା ପ୍ରଣାଳୀ

୧୫-୩୦ ସେ.ମି. ଦୈଘ୍ୟ ବିଶିଷ୍ଟ କାଣ୍ଡ ଖଣ୍ଡକୁ ଲଗାଇବା ପାଇଁ ବ୍ୟବହାର କରାଯାଏ  । ଏହା ତେରେଚ୍ଛା ଭାବେ କାଟି ତେରେଚ୍ଛା ଭାବେ ଲଗାଯାଏ  । ଗଛକୁ ଗଛ ବ୍ୟବଧାନ ୫୦-୬୦ ସେ.ମି. ରଖାଯାଏ  । ପ୍ରତି ୩-୪ ବର୍ଷରେ ଥରେ ଦେଶୀ ଲଙ୍ଗଳ ବା ଥାଳିଆ ବିଦା ଦ୍ଵାରା ଚାଷ କରିବା ଦ୍ଵାରା ପୁରୁଣା ଓ ଟାଣ ଚେରୁଆ କାଣ୍ଡ ଗୁଡିକ କାଟି ହୋଇଯାଏ  । ଫଳରେ ସେହି ସ୍ଥାନର ନୂତନ ଗଛ ବଢେ  ।

ବିହନ ପରିମାଣ

ଧାଡିରୁ ଧାଡି ବ୍ୟବଧାନ ୫୦ସେ.ମି. ହେକ୍ଟର ପିଛା ଗଛ ସଂଖ୍ୟା ୪୦,୦୦୦ ରହିବା ଉଚିତ  । ଏଥିପାଇଁ ୬ କୁଇଣ୍ଟାଲ ଖଣ୍ଡ ଦରକାର  । ଧାଡିକୁ ଧାଡି ୬୦ ସେ.ମି. ରହିଲେ ଜମିରେ ଗଛ ସଂଖ୍ୟା ୨୭,୦୦୦ ରହିବ  । ଏଥିପାଇଁ ପୁଆ ଚାରି କୁଇଣ୍ଟାଲ ଲାଗିବ  ।

ଖତ ଓ ସାର

ଗୋବରଖତ, କମ୍ପୋଷ୍ଟ ବ ଗୋଶାଳାର ମୂତ୍ର ପ୍ରୟୋଗ କଲେ ପାରା ଘାସ ଭଲ ବଢେ  । ଅନେକ କ୍ଷେତ୍ରରେ କେବଳ ଜୈବିକ ଖତ ପ୍ରୟୋଗ କରି ପାରା ଘାସ ଚାଷ କରାଯାଏ  । ହେକ୍ଟର ପିଛା ୧୦ ଟନ ଗୋବର ଖତ ଲାଗିବ  । ବର୍ଷାଦିନ ଆରମ୍ଭରେ ଏହି ଖତ ଦିଆଯାଏ  । ମାଟିରେ ଫସଫରସ୍ ()( ) ଅଳ୍ପରୁ ମଧ୍ୟମ ଧରଣର ଥିଲେ 30 କେଜି ଫସଫରସ୍ ଓ 30 କେଜି ପୋଟାସ ପ୍ରୟୋଗ କରାଯାଏ  ।

ଜଳସେଚନ

ବାୟୁ ମଣ୍ଡଳର ଆର୍ଦ୍ରତା ଓ ତାପମାତ୍ରାକୁ ଲକ୍ଷ କରି ଫସଲର ସଂସ୍ଥାପନା ପାଇଁ ୨-୩ଟି ହାଲୁକା ଜଳ ପ୍ରୟୋଗ କରାଯାଏ  । ଖରାଦିନେ ୧୦-୧୫ ଦିନ ଓ ଶୀତ ଦିନେ ୧୫-୨୦ ଦିନ ପରେ ପାଣି ଦିଆଯାଏ  । ଗ୍ରୀଷ୍ମ ପରେ ଶୀତ ଦିନ ପ୍ରାରମ୍ଭରେ ଜମିକୁ କିଛି ଦିନ ପାଇଁ ଶୁଖାଇ ଦେବା ଉଚିତ  । ମୃତ୍ତିକାରେ ଭଲ ବାୟୁ ଚଳାଚଳ ଦ୍ଵାରା ଜୈବିକ ପଦାର୍ଥର ବିଘଟନ ସୂଚାରୁରୂପେ ହୋଇଥାଏ  । ପାରାଘାସ ଗୋଟିଏ ଟାଣୁଆ ଘାସ ପ୍ରଥମେ ୨ ମାସରେ କିଆରିରୁ ଅନାବନା ଘାସ ବାହାର କରିଦେବା ଉଚିତ  । ଧାଡିରେ ଲଗାଇଥିବା ପାରାଘାସକୁ ସଙ୍ଗେ ସଙ୍ଗେ ଥରେ ବା ଦୁଇ ଥର କୋଡା ଖୁସା ଓ ବଛା ବଛି କରିବା ଉଚିତ  ।

ଗୋଖାଦ୍ୟ ପାଇଁ ଫସଲ କାଟ

ପାରା ଘାସ ଲଗାଇବାର ୯୦ ଦିନ ପରେ ୬୦-୬୭ ସେଣ୍ଟିମିଟର ଉଚ୍ଚ ହୋଇଥାଏ  । ଏହି ସମୟରେ 'ଦାଆ' ରେ ପାରା ଘାସ କାଟିଦିଆଯାଏ  ।

ମୃତ୍ତିକା ଜଳବାଯୁ ଓ ଖତ ସାର ପ୍ରୟୋଗକୁ ନେଇ ପରବର୍ତ୍ତୀ କାଟ ଗୁଡିକ ୪-୬ ସପ୍ତାହ ଅନ୍ତରରେ ନିଆଯାଏ  । ଠିକ୍ ସମୟରେ ନ କାଟିଲେ ଘାସ ତନ୍ତୁ ପଚା ହୋଇଯାଏ  । ପ୍ରତି କାଟରୁ ୧୫-୨୫ ଟଜ କଞ୍ଚା ଖାଦ୍ଯ ମିଳେ  । କେଣ୍ଡା ଅକ୍ଟୋବର-ନଭେମ୍ବର ମାସରେ ଅମଳ କରାଯାଏ  । ପାରାଘାସର ବିହନ ଉତ୍ପାଦିକା ଶକ୍ତି ବହୁତ କମ୍ ଥିବାରୁ ହେକ୍ଟର ପିଛା ୧୨-୩୦ କେଜି ବିହନ ଆଦାୟ ହୁଏ  । ମଞ୍ଜି ଅମଳ ଡେରି କଲେ ମଞ୍ଜିର ଗଜା ହେବା ଶକ୍ତି କମିଯାଏ  ।

ଆଧାର- ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

Last Modified : 10/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate