ବରସିମ୍ ଗୋଟିଏ ଶୀତକାଳୀନ ଗୋଖାଦ୍ୟ ଫସଲ । ଏଥିରେ ପୋଷାକ ପଦାର୍ଥ ଭରପୁର ହୋଇ ରହିଛି । ବରସିମ୍ ରସାଳ । ଏଥିରେ ଶତକଡା ତିରିଶ ଭାଗ ଜଟିଳ ପୁଷ୍ଟିସାର ଓ ଶତକଡା ସତୁରୀ ଭାଗ ଶୁଷ୍କ ପଦାର୍ଥ ରହିଛି ଯାହା ସହଜରେ ହଜମ ହୋଇପାରିବ । ଏହି ଗୋ ଖାଦ୍ୟରେ କାଲସିୟମ ଓ ଫସଫରସ୍ ରହିଛି । ବରସିମ୍ ଚାଷ କରିବା ଦ୍ଵାରା ମୃତ୍ତିକାର ଜୈବିକ ରାସାୟନିକ ଓ ଭୋଇତିକ ଉନ୍ନତି ହୋଇଥାଏ । ମୃତ୍ତିକାର ମୁଖ୍ୟ ରାସାୟନିକ ପରିବର୍ତ୍ତନ ମଧ୍ୟରୁ ଜମିର ମୋଟ ଯବକ୍ଷାରଜାନ, ଜୈବିକ ଅଙ୍ଗାର ଓ ସୁଲଭ ଫସଫରସ୍ ପରିମାଣ ବୃଦ୍ଧି ପାଇଥାଏ । ବରସିମ୍ ଚାଷ ଦ୍ଵାରା ମୃତ୍ତିକା ହାଲୁକା ହୁଏ । ମୃତ୍ତିକାର ଅଣୁଜୀବ ସଂଖ୍ୟା ବୃଦ୍ଧି ପାଇଥାଏ । ଫଳରେ ଫସଲ ଉତ୍ପାଦନ ବୃଦ୍ଧି ପାଏ । ତୃଣକ ବୃଦ୍ଧି କମିଯାଏ । ବରସିମ୍ ଫସଲରୁ ସାଧାରଣତଃ ୬୦୦ରୁ ୧୦୦୦ କୁଇଣ୍ଟାଲ ଗୋଖାଦ୍ୟ ମିଳିଥାଏ । ବରସିମ୍ ଗୋଖାଦ୍ୟ ଦୁଧିଆଳୀ ଗାଈ ବଡ ଉପକାରୀ ।
ମିଶର ଏହାର ଉଦ୍ଭବ କେନ୍ଦ୍ର । ୧୯୦୪ ମସିହାରେ ବରସିମ୍ ଭାରତରେ ପ୍ରଥମେ କରାଯାଇଥିଲା ।
ଖୁବ୍ ଅଳ୍ପ ଦେଶରେ ବରସିମ୍ ଚାଷ ହୁଏ । ସାଧାରଣତଃ ଏହା ମିଶର, ସିରିଆ, ପରସିଆ, ପାକିସ୍ଥାନ ଓ ଭାରତରେ ଚାଷ ହୁଏ ।
ଭାରତରେ ଏହି ଫସଲ ନୂଆ । ରବି ଋତୁରେ ଏହାକୁ ଜଳସେଚିତ ଜମିରେ ଚାଷ କରାଯାଏ । ବରସିମ୍ ରବି ଫସଲ ରୂପେ ପଞ୍ଜାବ, ହରିୟାନା, ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ, ଗୁଜୁରାଟ, ବିହାର, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶର କେତେକ ସ୍ଥାନରେ ଚାଷ କରାଯାଏ ।
ବରସିମ୍ ଗୋଟିଏ ଛୋଟିଆ ବୁଦାଳିଆ ବର୍ଷିକିଆ ଗଛ । ଏହାର ଉଚ୍ଚତା ପ୍ରାୟ ୬୦ରୁ ୮୦ ସେ.ମି. । ଲୁସର୍ଣ୍ଣ ପରି ବରସିମ୍ ର ମୂଳ ସେତେ ଗଭୀରକୁ ଯାଏ ନାହିଁ । ଏହାର ଚେର ପ୍ରାୟ ୪୦ ରୁ ୫୦ ସେ.ମି. ଗଭୀରକୁ ଯାଏ । କାଣ୍ଡ ରସାଳ ଓ ପୋଲା; କିନ୍ତୁ ଫୁଲ ହେଲାପରେ ଏହା ତନ୍ତୁମୟ ହୋଇଥାଏ । ପତ୍ରଗୁଡ଼ିକ ଛୋଟ ଓ ତ୍ରିପତ୍ରୀ । ଏହାର ଉପର ପାର୍ଶ୍ଵ ଅଳ୍ପ ଲୋମଶ ହୋଇଯାଏ । ପୁଷ୍ପ ପ୍ରମୁଖ ଗୋଲିଆ ଏବଂ ସଫେଦ୍ ହଳଦିଆ ରଙ୍ଗ । ମଞ୍ଜିଗୁଡିକ ଛୋଟ ଛୋଟ । ପ୍ରାୟ ୨ ସେ.ମି. ଲମ୍ବ ବିଶିଷ୍ଟ ଅଣ୍ଡାକୃତି ଏବଂ ହରିଦ୍ର ସବୁଜ ରଙ୍ଗର ଅଟେ ।
ବରସିମ୍ ଥଣ୍ଡା ଓ ଶୁଷ୍କ ଜଳବାୟୁ ଆବଶ୍ୟକ କରେ । ଗଜା ହେବା ପାଇଁ କମ୍ ଉତ୍ତାପ ଆବଶ୍ୟକ ହୁଏ । ରୁ ସେଲସିୟସ ଉତ୍ତାପ ନହେଲେ ବରସିମ୍ ବୁଣାଯାଏ ନାହିଁ । ରୁ ସେଲସିୟସ ଉତ୍ତାପରେ ଫସଲର ଭଲ ବୃଦ୍ଧି ଘଟେ । ବରଫପାତ କିମ୍ବା ଅତ୍ୟଧିକ ଥଣ୍ଡା ସମୟରେ ଏହାର ବୃଦ୍ଧି ବାଧା ପ୍ରାପ୍ତ ହୁଏ । ଉତ୍ତାପ ରୁ ସେଲସିୟସ କୁ ବୃଦ୍ଧି ପାଇଲେ କଟା ହେବା ପରେ ପୁଣି ଅମଳ ହ୍ରାସ ହୋଇଯାଏ । ବରସିମ୍ ମରୁଡି ବା ବରଫାପାତକୁ ସହ୍ୟ କରିପାରେ ନାହିଁ । ଏହି ଫସଲଟି ଜଳ ଯମୁଥିବା ଜମି ସନ୍ତସନ୍ତିଆ ଜମି ଓ ଅତ୍ୟଧିକ ବର୍ଷା ସହ୍ୟ କରିପାରେ ନାହିଁ । ୨୫୦ ସେ.ମି. ବର୍ଷା ହେଉଥିବା ଅଞ୍ଚଳ ବରସିମ୍ ଚାଷ ପାଇଁ ଉପଯୁକ୍ତ ।
ବାଲିଆମାଟିକୁ ଛାଡିଦେଲେ ଆଉ ସମସ୍ତ ପ୍ରକାର ମାଟିରେ ବରସିମ୍ ଚାଷ କରାଯାଇ ପାରେ । ନିଗିଡା, ଦୋରସା, ଫସଫରସ୍ ଓ କ୍ୟାଲସିୟମ ପ୍ରଚୁର ପରିମାଣରେ ଥିବା ଜମିରେ ବରସିମ୍ ଭଲ ହୁଏ । ବରସିମ୍ କ୍ଷାରୀ ମୃତ୍ତିକା ଓ ଜଳଧାରଣ ଶକ୍ତିଥିବା ଜମିରେ ଭଲ ହୁଏ; କିନ୍ତୁ ଅମ୍ଳ ମୃତ୍ତିକା ଏହା ପାଇଁ ଅନୁପଯୁକ୍ତ ।
ବିହନ କିସମ
ବି.ଏଲ୍ – ୧, ମିସ୍କାଭୀ ଖଦାରଭୀ, ଚିନ୍ଦୱାରା, ଆଇ.ଜି.ଏଫ୍.ଆର.ଆଇ ୯୯-୧ ପୁଷା ଜାଏଣ୍ଟ ଏବଂ ଟି-୬୭୮ । ଚାରି ଛଅଟି କାଟରୁ ଏହି କିସମଗୁଡିକରୁ ୬୦୦ ରୁ ୧୦୦୦ କୁଇଣ୍ଟାଲ ଗୋଖାଦ୍ୟ ମିଳିଥାଏ ।
ବରସିମ୍ ପାଇଁ ଗୁଣ୍ଡଚାଷ ଦରକାର । ଏହାଦ୍ଵାରା ଗଜା ଭଲ ହୁଏ । ଲୁହା ଲଙ୍ଗଳରେ ଥରେ ଓ ଡିସ୍କ ଲଙ୍ଗଳରେ ଥରେ ଚାଷ କରିବା ପରେ ବିଦା ଚଳାଇ ମାଟିଗୁଣ୍ଡ କରି ଦିଆଯାଏ । ଜମିରୁ ଅନାବନା ଘାସ ବାଛିଦେବା ଉଚିତ । ମଇଦେଇ ମାଟିକୁ ସମତୁଲ କରିଦେବା ଉଚିତ୍ ।
ବରସିମ୍ ଦୁଇଟି ପ୍ରଣାଳୀରେ ବୁଣାଯାଏ ।
ଏହି ପ୍ରଣାଳୀରେ ବିହନ ବୁଣିଦେଲେ ୦.୫ସେ.ମି. ରୁ ୧ ସେ.ମି. ବହଳରେ ମାଟି ଘୋଡାଇ ଦିଆଯାଏ । ଏହି ସମୟରେ ମାଟିର ଉପଯୁକ୍ତ ବତରଥିବା ଉଚିତ୍ । ଯଦି ଜମିରେ ଉପଯୁକ୍ତ ବତର ରହି ଏହି ପ୍ରଣାଳୀରେ ବିହନ ବୁଣାଯାଏ, ପନ୍ଦର ଦିନ ମଧ୍ୟରେ ବିହନରୁ ଗଜା ହୋଇଯାଏ । ଶୁଷ୍କବୁଣା ପ୍ରଣାଳୀ ଅବଲମ୍ବନ କାଲେ ଜମିରେ ଠିକ ଭାବରେ ଗଜା ହୋଇସାରିବା ପରେ ପାଣି ଦେବାର ବ୍ୟବସ୍ଥା କରାଯାଏ ।
ଏହି ପ୍ରଣାଳୀରେ ଜମି ପ୍ରସ୍ତୁତି ପରେ କିଆରିରେ ଛୋଟ ଛୋଟ ପଟାଳିରେ ବିଭକ୍ତ କରାଯାଏ । ପ୍ରତ୍ୟକ ପଟାଳିରେ ୫ରୁ ୬ ସେ.ମି. ଉଚ୍ଚତାରେ ପାଣି ମଡାଇ ବିହନ ବୁଣି ଦିଆଯାଏ । ମଞ୍ଜି ବୁଣିବା ପୂର୍ବରୁ ପଟାଳିରେ ଥିବା ମାଟି ଓ ପାଣିକୁ ଗୋଳାଇ ପତାଲା କ୍ଷୀରି ପରି କରିଦିଆଯାଏ । ପାଣି ଜମିଥିବା ଅବସ୍ଥାରେ ମଇ ଦେଇଦେଲେ ମାଟି ସହ ପାଣି ଗୋଳେଇ ହୋଇଯାଏ । ବିହନକୁ ଏହି ସମୟରେ ବୁଣାଗଲେ କିଛି ମାଟି ବିହନ ଉପରେ ବସିଯିବ ଓ ଗଜା ସହଜରେ ହୋଇପାରିବ ।
ବିହନ ବିଶୋଧନ
ବିହନ ସୁସ୍ଥ, ହୃଷ୍ଟପୃଷ୍ଟ ହଳଦିଆ ଏବଂ ତୃଣକ ମଞ୍ଜି ବିହୀନ ହେବା ଉଚିତ । ୫% ଲୁଣ ପାଣିରେ ବିହନ ପକାଇ ଦେଲେ ଅପରିପକ୍ଵ ବିହନ ଓ ଅନ୍ୟାନ୍ୟ ତୃଣକ ମଞ୍ଜିଗୁଡିକ ପାଣିରେ ଭାସିଉଠିବା ନିଖୁଣ ବିହନ ପାତ୍ରରେ ତଳଅଂଶରେ ବସିଯିବ । ଭାସମାନ ବିହନକୁ ସହଜରେ ଅଲଗା କରାଯାଇଥାଏ । ନିଖୁଣ ବିହନକୁ ଲୁଣଯୁକ୍ତ କରିବା ପାଇଁ ମଧୁର ଜଳରେ ଧୋଇ ଦିଆଯାଇ ଶୁଖାଇ ଦିଆଯାଏ । ଏକ କି.ଗ୍ରା. ବିହନରେ ୨ ଗ୍ରାମ୍ ରୁ ୩ ଗ୍ରାମ୍ ଥିରାମ/କ୍ୟାପଟାନ/ଏମିସାନ – ୬ ଔଷଧ ବ୍ୟବହାର କରି ବିହନ ବିଶୋଧନ କରାଯାଏ । ଜମିରେ ପ୍ରଥମ କରି ବରସିମ୍ ଚାଷ କରିବାର ଥିଲେ ବିହନ ବିଶୋଧନ ପରେ ବିହନ ସହ ବୀଜାଣୁସାର, ରାଇଜୋବିୟମ ଟ୍ରାଇଫୋଲି ଗୋଳେଇ ବିହନ ବୁଣିବା ଉଚିତ । ବୀଜାଣୁ ସାର ଅଭାବରେ ବରସିମ୍ ଚାଷ ହେଉଥିବା ଜମିରୁ ପ୍ରାୟ ପଚାଶ କି.ଗ୍ରା. ମାଟି ଆଣି ତାହାକୁ ଗୁଣ୍ଡକରି ବିହନ ସହିତ ମିଶାଇ ଜମିରେ ବୁଣିବା ଉଚିତ ।
ବିହନ ପରିମାଣ
୨୫ କି.ଗ୍ରା ରୁ ୩୦ କି.ଗ୍ରା. ବିହନ ଏକ ହେକ୍ଟର ପାଇଁ ଆବଶ୍ୟକ । ସଅଳରେ ବା ବିଳମ୍ବରେ ବୁଣିଲେ ହେକ୍ଟରକୁ ୩୫ କି.ଗ୍ରା. ବିହନ ଦରକାର ହୋଇଥାଏ । ଫସଲର ଭଲ ବୃଦ୍ଧି ପାଇଁ ଟେଟ୍ରାଫ୍ଲୋଏଡ ଏବଂ ଡିପ୍ଲଏଡ ବିହନ ୨:୧ ଅନୁପାତରେ ମିଶାଇ ବୁଣାଯାଏ । ପ୍ରଥମ କାଟରେ ଅମଳ କରିପାରେ । ଏଣୁ ଲାହି ବା ସରସନ୍ ଗୋଖାଦ୍ୟ ବିହନ ହେକ୍ଟର ପିଛା ୧.୨ କି.ଗ୍ରା ମିଶାଇ ବୁଣିବା ଉଚିତ ।
ବୁଣିବା ସମୟ
ଅକ୍ଟୋବର ମାସର ପ୍ରଥମ ପକ୍ଷ ବରସିମ୍ ବୁଣିବାର ଉପଯୁକ୍ତ ସମୟ । ଏଥି ପୂର୍ବରୁ ବୁଣିଲେ ବର୍ଷାଦ୍ଵାରା ଏବଂ ଅତ୍ୟଧିକ ଉତ୍ତାପ ଯୋଗୁଁ କ୍ଷୟକ୍ଷତି ହୋଇପାରେ । ବିଳମ୍ବରେ ବୁଣିଲେ ଅତ୍ୟଧିକ ଥଣ୍ଡା ହେତୁ ଫସଲର କ୍ଷତି ହୋଇପାରେ ।
ଖତସାର
ବରସିମ୍ ଏକ ଡାଲିଜାତୀୟ ଗୋଖାଦ୍ୟ । ଏହି ଫସଲର ଚେରରେ ଥିବା ଗୁଟିକାରେ ଅଣୁଜୀବ ରହି ବାୟୁମଣ୍ଡଳରୁ ଯବକ୍ଷାରଜାନ ସଂଗ୍ରହ କରିଥାଏ । ଏଣୁ କେବଳ ଗଜାହେବା ପରେ ବୃଦ୍ଧି ଓ ବିକାଶ ପାଇଁ ଏହି ଫସଲ ନିମନ୍ତେ ଅଳ୍ପ ପରିମାଣ ଯବକ୍ଷାରଜାନ ସାର ପ୍ରୟୋଗ କରାଯାଏ । ଭଲ ଅମଳ ପାଇବା ପାଇଁ ହେକ୍ଟର ପିଛା ୧୫ ଟନ ଗୋବର ଖତ ସହ ୨୦ ରୁ ୨୫ କି.ଗ୍ରା. ଯବକ୍ଷାରଜାନ ଜାତୀୟ ସାର ଏବଂ ୫୦ ରୁ ୬୦ କି.ଗ୍ରା. ସୁପର ସାର ଦରକାର । ଶେଷ ଓଡଚାଷ ବେଳେ ଖତ ଓ ସାର ମିଶାଇ ମୂଳସାର ରୂପେ ପ୍ରୟୋଗ କରାଯାଏ ।
ଜଳ ନିୟନ୍ତ୍ରଣ
ବିହନ ଗଜା ହେବା ପରେ ଜଳସେଚନ କରିବା ଉଚିତ୍ । ତାପରେ ପ୍ରତି ୭ ମାସ ଅନ୍ତରରେ ଦୁଇଥର ଜଳସେଚନ ଦେବା ଦରକାର । ତାପରେ ଫେବୃୟାରୀ ମାସ ଶେଷ ପର୍ଯ୍ୟନ୍ତ ପ୍ରତି ୧୫ – ୨୦ ଦିନ ଅନ୍ତରରେ ଥରେ ଜଳସେଚନ ଦେବା ଉଚିତ । ମାର୍ଚ୍ଚ ମାସଠାରୁ ମଇ ମାସ ପର୍ଯ୍ୟନ୍ତ ପ୍ରତି ୧୦ ଦିନରେ ଥରେ ଜଳସେଚନ କରିବାକୁ ହେବ । ସାଧାରଣତଃ ପ୍ରତ୍ୟକ କାଟ ପରେ ଗୋଟିଏ ଜଳସେଚନ ଦିଆଯାଏ । ପ୍ରତ୍ୟକ ଜଳସେଚନ ପାଞ୍ଚ ସେ.ମି. ଉଚ୍ଚତାରୁ ଅଧିକ ହେବା ଉଚିତ୍ ନୁହେଁ ।
ପ୍ରଥମ କାଟ ୫୦ରୁ ୬୦ ଦିନରେ କରାଯାଏ । ତତ୍ପରେ ପ୍ରତି ୨୫ ରୁ ୩୫ ଦିନ ଅନ୍ତରରେ କଟାଯାଏ । କାଟିବା ସମୟରେ ଗଛକୁ ମାଟି ଉପରୁ ୫-୭ ସେ.ମି. ଛାଡି କାଟିବା ଉଚିତ୍ ।
ବିହନ ଉତ୍ପାଦନ
ପରସିମ୍ ରୁ ବିହନ ପାଇବା ପାଇଁ ସାଧାରଣତଃ ୩-୪ କାଟ ପରେ ବିହନ ରଖିଲେ ବିହନର ମାନ ତଥା ବିହନର ଉତ୍ପାଦନ କମିଯାଏ । ବିହନ ପାଇଁ ଉଦ୍ଦିଷ୍ଟ ଫସଲରେ ସବୁବେଳେ ହାଲୁକା ଜଳସେଚନ ବେଶି ହେଲେ ଅଙ୍ଗୀୟ ବୃଦ୍ଧି ଅଧିକ ହେବ ଓ ବିହନ ଉତ୍ପାଦନ କମିଯିବ । ଫୁଲ ଏବଂ ଛୁଇଁ ହେବା ସମୟରେ ଆବଶ୍ୟକ ମୁତାବକ ଜଳସେଚନ କରିବାକୁ ପଡେ । ବିହନ ପାଇଁ ଉଦ୍ଦିଷ୍ଟ ଫସଲ ମଇ ମାସ ଶେଷ ଆଡକୁ ପରିପକ୍ଵ ହୁଏ । ଫସଲରୁ ବେଙ୍ଗଳା ପକାଇ ଅମଳ କରାଯାଇଥାଏ ।
ଅମଳ
ଏକ ହେକ୍ଟରରୁ ୮୦୦-୧୧୦୦ କୁଇଣ୍ଟାଲ କଞ୍ଚା ଗୋଖାଦ୍ୟ ମିଳିଥାଏ । ଏଥିରୁ ପ୍ରାୟ ୧୮ ରୁ ୨୦% ଶୁଷ୍କ ପଦାର୍ଥ ମିଳିଥାଏ । ବିହନ ପାଇଁ ଉଦ୍ଦିଷ୍ଟ ଫସଲରୁ ୫୦୦ ରୁ ୬୦୦ କୁଇଣ୍ଟାଲ କଞ୍ଚା ଗୋଖାଦ୍ୟ ଏବଂ ୪ ରୁ ୬ କୁଇଣ୍ଟାଲ ବିହନ ମିଳେ ।
ଆଧାର- ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 1/28/2020