অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶଙ୍କର ହାତୀଆ ଘାସ

ଉପକ୍ରମ

ନେପିୟର ବା ଶଙ୍କର ହାତୀୟା ଘାସ ଗୋଟିଏ ବହୁ ବର୍ଷିୟ ଘାସ  । ଏହି ଘାସଟି ବର୍ଷସାରା କଞ୍ଚାଘାସ ଯୋଗାଇଥାଏ  । ଘାସଟି ସୁସ୍ଵାଦୁ ଏବଂ ସହଜରେ ହଜମ ହୋଇଥାଏ  । ହାତିଆ ଘାସରେ ଶତକଡା ୮.୨ ଭାଗ ପୃଷ୍ଟିସାର, ୩୪% ଜୀବନ୍ତ ପଦାର୍ଥ ୧୦.୫% କ୍ୟାଲସିୟମ, ଫସଫରସ ସମାନ ଭାବରେ ଥାଏ  । ଶୁଷ୍କ ଘାସ କରିବା ପାଇଁ ଏହି ଘାସଟି ବହୁ ମୋଟା ହେଉଥିବାରୁ ଶୁଷ୍କ କରି ନ ସାଇତି ଏଥିରୁ ସାଇଲେଜ ପ୍ରସ୍ତୁତ କରାଯାଏ  । ଶଙ୍କର ହାତୀଆ ଘାସ ସହ ଲୁସର୍ଣ୍ଣ ବା ବରସିମ୍ ବା ବରୁଗୁଡି ସହିତ ଚରା ମିଶାଇଲେ ଗାଈ ଗୋରୁଙ୍କ ପାଇଁ ଉତ୍ତମ ସ୍ଵାଦିଷ୍ଟ ଖାଦ୍ୟ ହୋଇଥାଏ । ନେପିୟର ଘାସ ମୃତ୍ତିକାର ଉର୍ବର ଶକ୍ତି ବଢାଇଥାଏ  ।

ଉଦ୍ଭବ କେନ୍ଦ୍ର

ଦକ୍ଷିଣ ଆଫ୍ରିକାର ରୋଡେସିଆ ଏହି ଘାସର ଉଦ୍ଭବ କେନ୍ଦ୍ର  ।

ବଣ୍ଟନ

ଆଫ୍ରିକା ମହାଦେଶରୁ କାଳକ୍ରମେ ଏହା ବିଭିନ୍ନ ଦେଶରେ ପ୍ରବେଶ କରି ଗୋଖାଦ୍ୟ ପାଇଁ ଚାଷ ହେଉଛି  । ସାଧାରଣତଃ ହାତୀଆ ଘାସ ପୃଥିବୀର ଗ୍ରୀଷ୍ମ ଓ ଉପଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁରେ ଆସୁଥିବା ମହାଦେଶ ଗୁଡିକ ଯଥା – ଏସିଆ, ଆଫ୍ରିକା, ଦକ୍ଷିଣ ୟୁରୋପ ଏବଂ ଆମେରିକାରେ ଚାଷ ହେଉଛି  ।ଭାରତରେ ସାଧାରଣତଃ ପଞ୍ଜାବ, ହରିୟାନା, ଉତ୍ତର ପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ଓଡିଶା, ଗୁଜୁରାଟ, ପଶ୍ଚିମବଙ୍ଗ ଏବଂ ଆସାମରେ ହାତିଆ ଘାସ ଚାଷ କରାଯାଏ  ।

ଉଦ୍ଭିଦ ବର୍ଣ୍ଣନା

ଶଙ୍କର ହାତୀଆ ଘାସ ୧୫୦-୨୦୦ ସେ.ମି. ଉଚ୍ଚ ହୁଏ  । ଏହି ଘାସଟିର ବୃଦ୍ଧି ଓ ବିକାଶରେ ବହୁ ସାମଞ୍ଜସ୍ୟ ରହିଛି  । ୧୦-୩୦ ଟି ପିଲ ଏକାଠି ବୁନ୍ଦା ହୋଇ  ବଢେ  । ଗଛରୁ ବହୁ ପିଲ ବାହାରେ  । ବିକାଶ ପୂର୍ଣ୍ଣହେଲେ ଗଛଟି ନଳ ପରି ଦେଖାଯାଏ  । ଗଛର ତଳ ଅଂଶ ଚିକ୍କଣ ଏବଂ ଉପରି ଅଂଶ ଲୋମଶ ପତ୍ରଗୁଡିକ ୯୦ ସେ.ମି. ଲମ୍ବା ଏବଂ ଫିକା ସବୁଜ  । ପର୍ଣ୍ଣଚ୍ଛଦ କାଣ୍ଡକୁ ଜାବୁଡି ଧରିଥାଏ  । ପର୍ଣ୍ଣଚ୍ଛଦ ସାଧାରଣତଃ ଚିକ୍କଣ; କିନ୍ତୁ ବେଳେ ବେଳେ ଲୋମଶ ଥାଏ ପର୍ଣ୍ଣଫଳକରେ ପର୍ଣ୍ଣଚ୍ଛଦ ଥିବା ଲୋମଗୁଡିକ ସମୟେ ସମୟେ କଣ୍ଟାପରି ବିନ୍ଧି ହୋଇଯାଏ  । ପତ୍ରଧାର ଦନ୍ତୁରିତ  । ଜିହ୍ଵିକା ସାର ଓ ଧାରରେ ଲୋମ ଥାଏ  । ସ୍ତବକଟି ଗୋଟିଏ ସିଧା ୧୫-୨୦ ସେ.ମି. ଲମ୍ବା ସ୍ତମ୍ବାକାର ଶୁକୀ  । ଏହା ଫିକା ହଳଦିଆ ରଙ୍ଗ । ଶୁକୀକା ଗୁଡିକ ପର୍ଣ୍ଣମୋଚୀ  । ପ୍ରତ୍ୟକ ଶୁକୀକା ଛୋଟ ବଡ ବହୁ ଶୁକୀ  । ବା ତୀକ୍ଷଣ ଲୋମ ଦ୍ଵାରା ଆବୃତ୍ତ  । ମଞ୍ଜି କେବେ ହେଲେ ପରିପକ୍ଵ ହୁଏ ନାହିଁ  ।

ଋତୁ ଜଳବାୟୁ ଓ ମୃତ୍ତିକା

ନେପିୟର ଘାସ ଉଷ୍ମ ଓ ଉପ ମଣ୍ଡଳୀୟ ଜଳବାୟୁରେ ହୁଏ  । କିନ୍ତୁ ଉଷ୍ମ ଜଳବାୟୁରେ ଏହା ବହୁତ ଭଲ ବଢେ  । ଘାସର ମରୁଡି ସହଣୀ ଶକ୍ତି ଅଛି  । କିଛି ଦିନ ବର୍ଷା ଛାଡିଗଲେ ଏହା ନମରି ବର୍ଷା ହେଲେ ପୁଣି କଅଁଳେ  ।

କିନ୍ତୁ ଏହି ଘାସଟି ତୁଷାର ପାତ ସହ୍ୟ କରିପାରେ ନାହିଁ  । ଜଳଧାରଣ ଶକ୍ତି ଜମିରେ ଭଲ ଥିଲେ ହାତୀଆ ଘାସ ଭଲ ହୁଏ  । ଜଳନୁବେଧ ଜମିରେ ଏହି ଘାସଟି ଚାଷ କରାଯାଇ ପାରିବ ନାହିଁ  । କ୍ଷାରୀ ଓ ଲୁଣୀ ସହଣୀ ଶକ୍ତି ଏହି ଫସଲର ଅଛି ସାମାନ୍ୟ  । ନିଗିଡା ଉର୍ବର ଦୋରସା ମୃତ୍ତିକା ଏହି ଘାସ ପାଇଁ ଉପଯୁକ୍ତ ଜମି  ।

ହାତୀଆ ଘାସ କିସମ

ପୁଷାଜାଏଣ୍ଟ, ଏନ୍ ବି. -୨୧ ଲଗାଇବାର ୫୦ ଦିନ ପରେ ପ୍ରଥମ ଥର କାଟିବା ପାଇଁ ହୋଇଯାଏ  । ତାପରେ ପ୍ରତି ୩୫-୫୦ ଦିନ ଅନ୍ତରରେ ଘାସ କଟାଯାଇ ଗୋ ଖାଦ୍ୟ ରୂପେ ବ୍ୟବହାର କରାଯାଇ ପାରିବ  । ଶୀତ ଦିନେ ଏହାର ବୃଦ୍ଧି ବନ୍ଦ ହୁଏ  । ଉତ୍ତାପ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ତାହା ବଢିବାକୁ ଲାଗେ  । ପ୍ରତି ବର୍ଷ ଏହି ଘାସ ଫସଲକୁ ୧୬୦୦-୨୦୦୦ କୁଇଣ୍ଟାଲ ଘାସ ଅମଳ ମିଳିଥାଏ ଏହି ୨ କିସମ ବ୍ୟତୀତ ପୁଷାନେପିୟର – ୧, ପୁଷାନେପିୟର -୨, ଇ.ବି.-୪ ବା ଗଜରାଜ, NB-5 ଘାସ କିସମ ଚାଷ କରାଯାଏ  । ପୁଷାନେପିୟର -୧ ଘାସ ଚାଷ କରିବା ଦ୍ଵାରା ମୃତ୍ତିକା ସଂରକ୍ଷଣ ହେବା ସଙ୍ଗେ ସଙ୍ଗେ ଗାଈ ଗୋରୁ ଚରିବା ପାଇଁ ମଧ୍ୟ ଭଲ ହୁଏ  ।

ଜମି ପ୍ରସ୍ତୁତି

ପ୍ରଥମେ ଲୁହା ଲଙ୍ଗଳରେ ଏକ ଓଡ ଚାଷ କରିବା ପରେ କଲ ଟିଭେଟର ବା କରିଦିଆଯାଏ  । ଚାଷ କରିବା ସମୟରେ ଜମିରେ ଉପଯୁକ୍ତ ବତର ଥିବା ଦରକାର  ।

ବିହନ ଓ ବିହନ ଲଗା

ହାତୀଆ ଘାସ ପେବୃୟାରୀ ଶେଷରୁ ମାର୍ଚ୍ଚ ମାସ ମଧ୍ୟରେ ଲଗାଯାଏ  । ଏହି ଘାସରୁ ବିହନ ଉତ୍ପାଦନ ହୋଇପାରୁ ନଥିବାରୁ ଅଙ୍ଗଜ ବିସ୍ତାର ଦ୍ଵାରା ଚାଷ କରାଯାଏ  । ଆଖୁ ପରି କାଣ୍ଡକୁ କାଟି ଏହା ଲଗାଯାଏ  । ପ୍ରତ୍ୟକ ଖଣ୍ଡରେ ୨-୩ ଟି ଗଣ୍ଠିଥିବା ଉଚିତ ଏବଂ ପ୍ରତ୍ୟକ ଗଣ୍ଠିରେ ଶକ୍ତି ସଂପର୍ଣ୍ଣ କଳିକା ଥିବା ଉଚିତ  । ଧାଡିକୁ ଧାଡି ଓ ଗଛକୁ ଗଛ ବ୍ୟବଧାନ ଯଥାକ୍ରମେ ୯୦ ଓ ୬୦ ସେ.ମି. ରହିବା ଉଚିତ  । ଲଙ୍ଗଳ ସିଆରରେ ଖଣ୍ଡ ଗୁଡିକ ଏପରି ଲଗାଇବାକୁ ହେବ ଯେପରି ଗଣ୍ଠିରେ ଗୋଟିଏ କଳିକା ମାଟିତଳେ ଏବଂ ଅନ୍ୟଦୁଇଟି କଳିକା ମାଟି ଉପରେ ରହିବ  । ମୂଳ ପୋଷାକ ବିହନ ରୂପେ ବ୍ୟବହାର କଲେ ଚେର ଗୁଡିକ ପାଖ ପାଖ କରି ପ୍ରତ୍ୟକ ଚେର ୨୫-୩୦ ସେ.ମି. ଗଭୀରରେ ୯୦ X ୬୦ ସେ.ମି. ବ୍ୟବଧାନରେ ପୋତାଯାଏ  । ଏହା ଫେବୃୟାରୀ – ମାର୍ଚ୍ଚ ମାସ ମଧ୍ୟରେ ବା ଜୁଲାଇ ମାସରେ ବର୍ଷା ଆରମ୍ଭ ହେଲେ ଲଗାଯାଇ ପାରିବ  । ଗୋଟିଏ ହେକ୍ଟର ଜମିପାଇଁ ୨୭,୮୦୦ ଚେର ବା କାଣ୍ଡ – ଖଣ୍ଡ ଦରକାର  ହୋଇଥାଏ  ।

ଖତ ଓ ସାର

ଶଙ୍କର ହାତୀଆ ଘାସ ଜଲଦି ବୃଦ୍ଧି ପାଏ  । ଏଣୁ ଖତସାର ପ୍ରୟୋଗ କଲେ ଅଧିକ ଅମଳ ଦିଏ  । ଲଗାଇବାର ଏକମାସ ପୂର୍ବରୁ ୧୫-୨୦ ଦିନ ଜମିରେ ଲଗାଇବା ଦରକାର  । ଏହାବାଦ ମୃତ୍ତିକା ପରୀକ୍ଷା କରି ସାର ପ୍ରୟୋଗ କରିବା ସର୍ବଦା ବିଧେୟ  । ମୃତ୍ତିକା ପରୀକ୍ଷା ନ ହୋଇଥିଲେ ହେକ୍ଟର ପିଛା ମୂଳ ସାର ରୂପେ ୪୦ କି.ଗ୍ରା ଫସଫରସ୍ ଓ ୪୦ କି.ଗ୍ରା ପଟାସ ଲଙ୍ଗଳ ସିଆରରେ ଦେଇ ମାଟି ଘୋଡାଇ କାଣ୍ଡ ପୋତିବାକୁ ହେବ  । ଗଛ ଲଗାଇବାର ୧୫ ଦିନ ପରେ ଥରେ ଓ ଶୀତ ଛାଡି ଆସୁଥିବା ସମୟରେ ଆଉ ଥରେ ଏପରି ଦୁଇ ଥରରେ ଶୀର୍ଷ ସାର ରୂପେ ଯବକ୍ଷାରଜାନ ହେକ୍ଟର ପିଛା ୧୦୦ କିଲୋଗ୍ରାମ ପ୍ରୟୋଗ କରି ପାଣି ମଡାଇବାକୁ ହେବ   । ୧୦୦ କିଲୋ ଗ୍ରାମ ଯବକ୍ଷାରଜାନକୁ ୩-୪ ଭାଗ କରି ପ୍ରତ୍ୟକ କଟାପରେ ଥରେ ପ୍ରୟୋଗ କଲେ ମଧ୍ୟ ହେବ  ।

ଜଳ ନିୟନ୍ତ୍ରଣ

ହାତୀଆ ଘାସ ଲଗାଇବା ପରେ ପରେ ଜମିରେ ପ୍ରଚୁର ପାଣି ମଡାଇବାକୁ ହେବ  । ତା’ପରେ ୨-୩ ସପ୍ତାହ ପର୍ଯ୍ୟନ୍ତ ପ୍ରତି ସପ୍ତାହରେ ଥରେ ଜଳସେଚନ କରିବାକୁ ହେବ  । ଫଳରେ ନୂତନ ଛେରା ଜଲଦି ବାହାରି ଫସଲ ଭଲ ବୃଦ୍ଧି ପାଇବ  । ଏହା ପରେ ୧୫ ଦିନରେ ଥରେ ଜଳସେଚନ କଲେ ଚଳିବ  । ବର୍ଷା ଓ ମାଟିର ବତରକୁ ଦେଖି ଜଳସେଚନ କରିବାକୁ ହେବ  । ବର୍ଷାଦିନେ ଯଦି ବେଶି ବର୍ଷା ହୁଏ  । ତେବେ ବର୍ଷାପାଣି ଜମିରୁ ନିଗିଡି ଯିବା ପାଇଁ ବନ୍ଦୋବସ୍ତ କରିବାକୁ ହେବ  । କାରଣ ହାତୀଆଘାସ ଜଳାଧିକ୍ୟ ଅଧିକ ଦିନ ସହ୍ୟ କରିପାରେ ନାହିଁ ।

ଅନ୍ତଃ ଚାଷ

ହାତୀଆ ଘାସ ପାଇଁ ୨-୩ ଥର ଘାସ ବଛା ଓ କୋଡା ଖୁସା ଦରକାର  । ହ୍ୟାଣ୍ଡହୋ ବା ହୁଲି ହୋ ସାହାଯ୍ୟରେ ଘାସ ବାଛିବା ଭଲ  ।

ଅମଳ

ଫେବୃୟାରୀ – ମାର୍ଚ୍ଚ ମାସରେ ଲଗାଯାଇଥିଲେ ପ୍ରଥମ କଟା ‘ମେ’ ୧୫ ବେଳକୁ ହେବ  । ଶୀତ ଦିନକୁ ବାଦ ଦେଲେ (ନଭେମ୍ବର ଠାରୁ ଜାନୁଆରୀ) ତାପର କାଟ ଗୁଡିକ ୪୫-୫୦ ଦିନ ବ୍ୟବଧାନରେ ହୁଏ  । ନଭେମ୍ବର ଠାରୁ ଜାନୁଆରୀ ମଧ୍ୟରେ ଫସଲର ଭଲ ବୃଦ୍ଧି ହୁଏ ନାହିଁ  । ୧୦-୧୫ ସେ.ମି. ମୂଳ ଛାଡି ଘାସ ଏବଂ ଗଛ ମୂଳରେ ଥିବା କଳିକା ଗୁଡିକୁ ବାଦ ଦେଇ ଘାସ କାଟିବାକୁ ହୁଏ  । ଘାସ ବାରମ୍ବାର କାଟିବା ଦରକାର  । କାରଣ ପରିପକ୍ଵ ହେବା ପର୍ଯ୍ୟନ୍ତ ରହିଲେ ଗାଈ ଗୋରୁ ଏହି ପରିପକ୍ଵ ଘାସ ଖାଇବାକୁ ଭଲ ପାଆନ୍ତି ନାହିଁ  ଏବଂ ଘାସର ଗୁଣାତ୍ମକ ମୂଲ୍ୟ ମଧ୍ୟ ହ୍ରାସ ହୋଇଯାଏ  ।

ଅମଳ ପରିମାଣ

ବର୍ଷକୁ ୧୨୦୦-୧୫୦୦ କୁଇଣ୍ଟାଲ କଞ୍ଚା ଘାସ ଅମଳ କରାଯାଇ ପାରିବ  ।

ଆଧାର- ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

Last Modified : 4/14/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate