অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବର୍ଷାଦିନେ ପ୍ରାଣୀଙ୍କ ସୁରକ୍ଷା

ବର୍ଷାଦିନେ ପ୍ରାଣୀଙ୍କ ସୁରକ୍ଷା

ପ୍ରାଣୀଙ୍କ ସୁରକ୍ଷା ପାଇଁ କେତେକ ସତର୍କତାମୂଳକ ପଦକ୍ଷେପ

ସାଧାରଣତଃ ବର୍ଷାଦିନେ ଅନୁକୂଳ ପରିବେଶ ଯୋଗୁ ମଶା, ମାଛି, ଡାଆଁଶ, ଟିଙ୍କ, ଉକୁଣି ଆଦିଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ  । ପୋଖରୀ, ଗାଡିଆ, ନଦୀନାଳରେ ବର୍ଷା ବା ବନ୍ୟା ଜଳରେ ପରିପୂର୍ଣ୍ଣ ହୋଇଥାଏ  । ପ୍ରଦୂଷିତ ଅସ୍ଵାସ୍ଥ୍ୟକର ପରିବେଶଠାରୁ ଆରମ୍ଭ କରି ମଳତ୍ୟାଗ ଅଞ୍ଚଳ ଓ ଆଲାନର୍ଦ୍ଦମାର ଦୂଷିତ ଜଳ ଜନଜୀବନକୁ ପ୍ରବାହିତ କରିଥାଏ  । ଏହି ବର୍ଷା ବା ବନ୍ୟା ପାଣିରେ ବିଭିନ୍ନ ଅଣୁଜୀବ ଯଥା ଜୀବାଣୁ, କବକ, ଏକକୋଷୀ ପ୍ରାଣୀ, କୃମି ଆଦି ବିଭିନ୍ନ ସ୍ଥାନରେ ବଂଶ ବୃଦ୍ଧି କରିବା ସହିତ ପ୍ରାଣୀଙ୍କ ଠାରେ ରୋଗ ସୃଷ୍ଟି କରାନ୍ତି  । ଓଦା ଓ ସନ୍ତସନ୍ତିଆ ଅଞ୍ଚଳରେ ଛୋଟ ଛୋଟ ଗୁଗୁଚିଆ ଗଛର ସୂକ୍ଷ୍ମ ଅଗ୍ରଭାଗ ପ୍ରାଣୀ ଚରିବୁଲିବା ସମୟରେ ଆଖିରେ ବାଜି ଆଖି ପ୍ରଦାହ ସହିତ ଆଖିଝରା ରୋଗ ସୃଷ୍ଟି କରିଥାଏ  । ବେଳେ ବେଳେ ଆଖି ଲାଲ୍ ପଡେ ବା ଆଖିରେ ଧଳା ପରଦା ମାଡିଆସେ  । ବିଲବାଡି ବା ପୋଖରୀରେ ଜଳପୂର୍ଣ୍ଣ ହେବା ଯୋଗୁ ସାପ ଗାତରେ ପାଣି ପଶିଯାଏ  । ଫଳରେ ପ୍ରାଣୀ ବା ମନୁଷ୍ୟ ବାସ କରୁଥିବା ସ୍ଥାନକୁ ମାଡିଆସି ଗର୍ତ୍ତ କରି ରହନ୍ତି  । ସାପମାନେ ବିଭିନ୍ନ ଚାପର ବଶବର୍ତ୍ତୀ ହୋଇ ପ୍ରାଣୀଙ୍କୁ କାମୁଡିବା ଫଳରେ ପ୍ରାଣୀମାନେ ମୃତ୍ୟୁମୁଖରେ ପଡିଥାନ୍ତି  । ଗୁହାଳ ଓଦା ଓ ସନ୍ତସନ୍ତିଆ ରହିବା ସହିତ ବର୍ଷା ପାଣିରେ ପ୍ରାଣୀମାନେ ଭିଜିବା ଜ୍ଵର, ଥଣ୍ଡା, କାଶ ବା ବେଙ୍ଗାଦୋଷ ସହିତ ପଦ୍ମାଫୁଲାରେ ପୀଡିତ ହେବାର ସମ୍ଭାବନା ଥାଏ  ।

ଜଳବାୟୁର ଆର୍ଦ୍ରତା ଓ ଉତ୍ତାପ ବୃଦ୍ଧି ଯୋଗୁ ସଂକ୍ରାମକ ରୋଗ

ଜଳବାୟୁର ଆର୍ଦ୍ରତା ଓ ଉତ୍ତାପ ବୃଦ୍ଧି ଯୋଗୁ ସଂକ୍ରାମକ ରୋଗ ଯଥା – ସାହାଣା, ବଜବଜିଆ, ଆନ୍ଥ୍ରାକ୍ସ, ଫାଟୁଆ ଆଦି ରୋଗ ପ୍ରାଣୀଙ୍କଠାରେ ଦେଖାଯାଇଥାଏ  । ଟିଙ୍କ, ମଶା ବା ପରଜୀବୀ ମାଧ୍ୟମରେ ଗୋରୁଙ୍କଠାରେ ଅଢେଇଆ ଜ୍ଵର ଟ୍ରିପାନୋସୋମିଆସିସ୍ ବା ସରା, ଥାଇଲେରିଓସିସ୍, ବେବେସିଓସିସ୍ ଆଦି ରୋଗରେ ପ୍ରାଣୀମାନେ ପୀଡିତ ହୁଅନ୍ତି  । ସେହିଭଳି ଛେଳି ମେଣ୍ଢାଙ୍କଠାରେ ଏଣ୍ଟରୋଟକ୍ସିମିଆ, ପପିଆର, ଛେଳି ବସନ୍ତ ଆଦି ରୋଗ ଦେଖାଯାଇଥାଏ  । ଛେଳିମେଣ୍ଢାମାନେ ଖଳିଆ ମାଟିରେ ଚଲାବୁଲା କଲେ, ସ୍ପେରୋଫୋରସ୍ ନେକ୍ରୋଫୋରସ୍ ନାମକ ଜୀବାଣୁ ଯୋଗୁ ପାଦପଚା ରୋଗରେ ପୀଡିତ ହୋଇଥାନ୍ତି  । ବର୍ଷାଦିନେ କୁକୁଡା ଘରର ଲିଟର ଓଦା ଓ ସନ୍ତସନ୍ତିଆ ରହିବା ଯୋଗୁ କୁକୁଡାମାନେ ବିଶେଷ କରି ଜୀବାଣୁ ଓ ଏକକୋଷୀ ପ୍ରାଣୀ ବା ରକ୍ତଝାଡା ସହିତ ଶ୍ଵାସକ୍ରିୟା ଜନିତ ରୋଗରେ ସଂକ୍ରମିତ ହୋଇଥାନ୍ତି  । ଦୂଷିତ ପାଣି ପିଇଲେ କୁକୁଡାମାନେ ଇଶ୍ଚେରେଚିଆ କୋଲାଇ ଜୀବାଣୁର ସଂକ୍ରମଣ ହୋଇଥାନ୍ତି  । କେତେକ ଉଦ୍ଭିଦ ଜାତୀୟ ବିଷାକ୍ତ ଗଛର ପାତ୍ର ଖାଇ ପ୍ରାଣୀଙ୍କଠାରେ ପେଟଫୁଲା ସୃଷ୍ଟି ସହିତ ଶରୀରରେ ବିଷ ପ୍ରକ୍ରିୟା ଯୋଗୁ ଜୀବନ ହାନି ଘଟିଥାଏ  । କଅଁଳିଆ ଘାସରେ ମାଗ୍ନେସିୟମ ଓ କ୍ୟାଲସିୟମର ଅଭାବ ଦେଖାଦେଇଥାଏ  । ଏଥିସହିତ ଫିମ୍ପିମରା ନଡା, କୁଟା, ଦାନା ଆଦି ଖାଇବାକୁ ଦେଲେ ଏଥିରୁ ଟକ୍ସିନ ନିର୍ଗତ ହେବା ଯୋଗୁ ପ୍ରାଣୀଙ୍କ ଜୀବନ ବିପନ୍ନ ହୋଇଥାଏ  ।

ସତର୍କତାମୂଳକ ପଦକ୍ଷେପ

ବର୍ଷାଦିନେ ନିମ୍ନଲିଖିତ କେତୋଟି ଦିଗ ପ୍ରତି ଯତ୍ନବାନ ହେଲେ ଆମେ ନିଶ୍ଚିତ ପାଳିଥିବା ଗୃହପାଳିତ ପ୍ରାଣୀମାନଙ୍କୁ ସୁରକ୍ଷା ପ୍ରଦାନ କରିପାରିବା  ।

ବର୍ଷା ବା ବନ୍ୟାର ଗୋଳିଆ ବା ଦୂଷିତ ଜଳ କୂଅ, ପୋଖରୀ, ନଦୀ, ଗଡିଆ ଆଦିରେ ପଶି ଜଳ ଦୂଷିତ କରେ  । ଏହି ଜଳରେ ବିଭିନ୍ନ ଅଣୁଜୀବ ସହିତ ଜୀବାଣୁ ଯଥା – ଇଶ୍ଚେରେଚିଆ କୋଲାଇ, ସୁଡୋମୋନାସ, କ୍ଳେବସିଏଲା, କ୍ଳଷ୍ଟ୍ରିଡିୟମ ଆଦି ରକ୍ତଝାଡା ବା ତରଳ ଝାଡା ସୃଷ୍ଟିକରିବା ସହିତ କେତେକ ସଂକ୍ରାମକ ରୋଗ ମଧ୍ୟ ସୃଷ୍ଟି କରିଥାଏ  । ତେଣୁ ପାଣିକୁ ଅଧଘଣ୍ଟା ଫୁଟାଇ ଥଣ୍ଡା ହେବାପରେ ପ୍ରାଣୀଙ୍କୁ ପିଇବାକୁ ଦେବା ଆବଶ୍ୟକ  । ୧ ଲିଟର ପାଣିରେ ଗୋଟିଏ ହାଲୋଜିନ ବଟିକା ପକାଇ ଜଳକୁ ବିଶୋଧିତ କଲାପରେ ଏହାକୁ ପାନୀଯ ଜଳ ରୂପେ ବ୍ୟବହାର କରିହେବ  । କୂଅପାଣି ଗୋଳିଆ ଥିଲେ ଫିଟିକିରି ବା ଆଲମ୍ ସହିତ ଚୂନ ଓ ବ୍ଲିଚିଂ ପାଉଡର ପକାଇ ବିଶୋଧନ କରନ୍ତୁ  । ନଳକୂପ ବା ବୋରିଂ ଜଳକୁ ପାନୀୟ ଜଳ ଭାବେ ବ୍ୟବହାର କରିବା ଉଚିତ୍  । ଜଳମଗ୍ନ ଅଞ୍ଚଳରେ ଘାସ, ଛୋଟ ଗଛର ପତ୍ରଗୁଡ଼ିକ ପଚିଶଢି ଯିବା ଯୋଗୁ ଜଳ ପଚି ଦୁର୍ଗନ୍ଧ ହେବା ସହିତ ଜଳ ଦୂଷିତ ହୋଇଥାଏ  । ତେଣୁ ପ୍ରାଣୀମାନଙ୍କୁ ବର୍ଷା ବା ବନ୍ୟାର ଗୋଳିଆପାଣି ଓ ଉକ୍ତ ଦୂଷିତ ପାଣିଠାରୁ ଦୂରେଇ ରଖନ୍ତୁ  ।

ସଂଗୃହୀତ – ଡା. ବୀର କିଶୋର ପରିଡା



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate