ପୃଥିବୀରେ ଭାରତ ଗୋଟିଏ ମୁଖ୍ୟ ଡାଲି ଫସଲ କରୁଥିବା ଦେଶ । ଏହାର ପ୍ରାୟ ସମସ୍ତ ଫସଲ ପର୍ଯ୍ୟାୟରେ ଡାଲି ଜାତୀୟ ଫସଲ ସ୍ଥାନ ପାଇଥାଏ । ଭାରତୀୟ ପାରମ୍ପରିକ ଚାଷ ପଦ୍ଧତିରେ ଡାଲି ଜାତୀୟ ଫସଲ ଦୀର୍ଘକାଳ ଧରି ଜମିର ଉର୍ବରତା ବୃଦ୍ଧି ତଥା ଫସଲ ଉତ୍ପାଦନ ପାଇଁ ଫସଲ ପର୍ଯ୍ୟାୟରେ ରହିଆସୁଛି ; ଫଳରେ ମୃତ୍ତିକାର ଉର୍ବରତା ସୁରକ୍ଷିତ ରହିପାରିଛି । ଏତଦ୍ ବ୍ୟତୀତ ନିରାମିଶ ଭୋଜନରେ ଭାତ ଓ ରୁଟି ସାଙ୍ଗକୁ ଡାଲି ବା ଡାଲମା ଅଧିକାଂଶ ଲୋକମାନଙ୍କର ପୁଷ୍ଟିସାର ଆବଶ୍ୟକତା ମେଣ୍ଟାଇଥାଏ, ମାଂସପେଶୀ ଗଠନ ଲାଗି, ‘ଲାଇସିନ’ନାମକ ଆମିନୋଅମ୍ଳ ଆବଶ୍ୟକ ହୋଇଥାଏ, ଯାହାକି ଡାଲିଜାତୀୟ ପଦାର୍ଥରେ ଅଧିକ ମିଳେ । ଅନ୍ୟାନ୍ୟ ଶସ୍ୟ ତୁଳନାରେ ଆମେ ଡାଲିରୁ ଅଧିକ ପରିମାଣର ଉଦ୍ଭିଦଜ ପୁଷ୍ଟିସାର ପାଇଥାଉଁ । ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଡାଲିର ବହୁଳ ବ୍ୟବହାର ଦେଖାଯାଏ । ଉତ୍ତର ଭାରତରେ ବୁଟ, ହରଡ ଓ ବିରି, ଦକ୍ଷିଣ ଭାରତରେ ହରଡ, ବିରି ଓ ବୁଟ, ପଶ୍ଚିମାଞ୍ଚଳରେ ବୁଟ ଓ ରାଜମା, ମଧ୍ୟମାଞ୍ଚଳରେ ବୁଟ, ମସୁର ଓ ହରଡ ଏବଂ ପୂର୍ବାଞ୍ଚଳରେ ମୁଗ, ହରଡ ଓ ବୁଟ ଇତ୍ୟାଦି ବ୍ୟବହାର ହୋଇଥାଏ ।
ଭାରତରେ ଡାଲି ଜାତୀୟ ଫସଲମାନଙ୍କ ମଧ୍ୟରୁ ବୁଟ ପ୍ରଥମ ସ୍ଥାନ ଅଧିକାର କରିଅଛି । ଏହା ଗୋଖାଦ୍ୟ ରୂପେ ବ୍ୟବହାର ହୋଇଥାଏ । ଓଡିଶାରେ ଏହି ଫସଲ ପଶ୍ଚିମାଞ୍ଚଳ ଜିଲ୍ଲା ମାନଙ୍କରେ ଅଧିକ ଚାଷ କରାଯାଏ । ପୃଥିବୀର ୭୫% ବୁଟ ଭାରତରେ ଉତ୍ପାଦିତ ହୋଇଥାଏ । ଭାରତରେ ଚାଷ କରାଯାଉଥିବା ଡାଲି ଫସଲର ୩୭ ଭାଗ ବୁଟ ଫସଲ ଏବଂ ମୋଟ ଉତ୍ପାଦନ ୫୦% ଭାଗ ହୋଇଥାଏ । ୧୦୦ ଗ୍ରାମ୍ ବୁଟ ଡାଲିରେ ୫୯.୮% ଶ୍ଵେତସାର, ୫.୬% ସ୍ନେହସାର, ୨୦.୮% ପୁଷ୍ଟିସାର, କ୍ୟାଲସିୟମ ୫୬ ମିଲିଗ୍ରାମ ବା ୦.୦୫୬% ଲୌହ ୩୨ ମାଇକ୍ରୋଗ୍ରାମ୍, ଭିଟାମିନ ଖ ୦.୪୮ ମିଲିଗ୍ରାମ, ଓ ଭିଟାମିନ ଗ ୧ ମିଲିଗ୍ରାମ ଥାଏ । ୧୦୦ ଗ୍ରାମ ଡାଲିରୁ ୩୭୨ କିଲୋ କ୍ୟାଲୋରି ଶକ୍ତି ମିଳିଥାଏ । ବୁଟଡାଲିରୁ ବେସନ ତିଆରି ହୁଏ । ବେସନରୁ ବିଭିନ୍ନ ପ୍ରକାର ଖାଦ୍ୟସାମଗ୍ରୀ ତିଆରି ହୋଇଥାଏ । ଏହି ଗଛ ଭଲ ଗୋ ଖାଦ୍ୟ ହୋଇଥାଏ । ଏହାର ଔଷଧିୟମୂଲ୍ୟ ମଧ୍ୟ ରହିଛି । ଏହା ଖାଇଲେ ରକ୍ତ ଶୁଦ୍ଧ ହୋଇଥାଏ ।
ଭାରତରେ ବହୁ ପୁରାତନ କାଳରୁ ବୁଟର ପ୍ରଚଳନ ଅଛି । ଏସିଆ ଓ ୟୁରୋପ ମହାଦେଶରେ ବହୁ ପ୍ରାଚୀନ କାଳରୁ ବୁଟ ଚାଷ ହେଉଥିବା ଦୁଷ୍ଟାନ୍ତ ରହିଛି । ଏଣୁ ଦକ୍ଷିଣ ପଶ୍ଚିମ ଏସିଆ ଅର୍ଥାତ୍ ଭାରତର ଉତ୍ତର – ପଶ୍ଚିମରେ ରହିଥିବା ଦେଶ ଯଥା ଆଫଗାନିସ୍ଥାନ ଏବଂ ପରସିଆକୁ ବୁଟର ଉଦ୍ଭବ କେନ୍ଦ୍ର ବୋଲି ଅନୁମାନ କରାଯାଉଛି । ଆଉ କେତେକଙ୍କ ମତରେ ବୁଟ ଭୂମଧ୍ୟସାଗରୀୟ ଅଞ୍ଚଳରୁ ଉଦ୍ଭବ ।
କ୍ଷେତ୍ରଫଳ ଓ ବଣ୍ଟନ :
ପୃଥିବୀର ୧୦.୪ ନିୟୁତ ହେକ୍ଟର ଜମିରେ ବୁଟ ଚାଷ ହୁଏ । ଭାରତ, ପାକିସ୍ଥାନ, ଇଥୋପିଆ, ମିଆଂମାର ଏବଂ ତୁର୍କୀରେ ବୁଟ ଚାଷ ହୁଏ । ପୃଥିବୀରେ କ୍ଷେତ୍ରଫଳ ଓ ଉତ୍ପାଦନ ଉଭୟ କ୍ଷେତ୍ରରେ ଭାରତ ପ୍ରଥମ ସ୍ଥାନ ଅଧିକାର କରିଅଛି । ତାପରେ ପାକିସ୍ଥାନ । ଭାରତରେ ୭.୮୭ ନିୟୁତ ହେକ୍ଟର ଜମିରେ ବୁଟ ଚାଷ ହୁଏ ଏବଂ ଉତ୍ପାଦନ ୫.୮୩ ନିୟୁତ ଟନ୍ ହୋଇଥାଏ । ହାରାହାରି ହେକ୍ଟର ପିଛା ଅମଳ ୭୪୧ କି.ଗ୍ରା. । ଭାରତର ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତର ପ୍ରଦେଶ, ହରିୟାନା, ମହାରାଷ୍ଟ୍ର ଏବଂ ପଞ୍ଜାବରେ ପ୍ରଚୁର ବୁଟ ଉତ୍ପାଦନ ହୋଇଥାଏ । ଓଡିଶାରେ ୪୬୦୦୦ ହେକ୍ଟର ଜମିରେ ବୁଟଚାଷ ହୁଏ ଏବଂ ସେଥିରୁ ୨୬୦୦୦ ଟନ୍ ବୁଟ ଉତ୍ପାଦନ ହୁଏ ।
ବୁଟର ଶ୍ରେଣୀ ବିଭାଗ :
ଭାରତରେ ଚାଷ କରାଯାଉଥିବା ବୁଟକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଏ ।
ଉଦ୍ଭିଦ ବର୍ଣ୍ଣନା :
ବୁଟ ଲେଗୁମିନୋସି ବଂଶଜ । ଶିମ୍ବ ବଂଶଜ ଉପବଂଶ – ପାପିଲିଓନେସି ପ୍ରଜାତି – ସାଇସେର, ଜାତି ଏରିଟିନମ୍ । ବୁଟ ଗୋଟିଏ ଛୁଇଁ ଜାତୀୟ ଏକ ଋତ୍ଵିକ ଶାକୀୟ ବହୁଶାଖାଯୁକ୍ତ ଉଦ୍ଭିଦ । ବୁଟ ସର୍ବାଧିକ ୬୦ ସେ.ମି. ପର୍ଯ୍ୟନ୍ତ ଲମ୍ବା ହୁଏ ।
ମୂଳତନ୍ତ୍ର :
ମୂଳତନ୍ତ୍ର ଉନ୍ନତ, ଆଦିମୂଳ ସଂସ୍ଥାରୁ ବହୁ ପାର୍ଶ୍ଵଚେର ମୃତ୍ତିକା ଭିତରେ ଉପରିସ୍ତରରେ ଚାରିଆଡେ ବ୍ୟାପିଥାଏ । ମୂଳରେ ପିଣ୍ଡକ ମାନ ଦେଖାଯାଏ । ଏହି ପିଣ୍ଡକରେ ରାଇଜୋବିୟମ ନାମକ ବୀଜାଣୁ ବାୟୁମଣ୍ଡଳର ଯବକ୍ଷାରଜାନକୁ ସଂଗ୍ରହ କରି ଜୈବିକ ଯୌଗିକ ପଦାର୍ଥରେ ବିବନ୍ଧନ କରେ ।
କାଣ୍ଡ :
ଏହା ଗୋଟିଏ ଶିମ୍ବ ଜାତୀୟ ଏକଋତ୍ଵିକ ଶାକୀୟ ବହୁ ଶାଖାଯୁକ୍ତ ଉଦ୍ଭିଦ । ଏହା ସର୍ବାଧିକ ୬୦ ସେ.ମି. ପର୍ଯ୍ୟନ୍ତ ବଢେ । କାଣ୍ଡର ବର୍ଣ୍ଣ ଧୂସର ଓ ଶାଖା ଦାନାଦାରର ଲୋମାଯୁକ୍ତ ଏହାର ପ୍ରଧାନ ଶାଖାରୁ ସାଧାରଣତଃ ଗୋଟିଏ ପ୍ରଶାଖା ବାହାରିଥାଏ । କିନ୍ତୁ କେତେକ କିସମରେ ପ୍ରଧାନ ଶାଖାରୁ ବହୁଶାଖା ମଧ୍ୟ ବାହାରେ ।
ପତ୍ର :
ପତ୍ର ପକ୍ଷଜ, ଯୌଗିକ ଓ ସାଧାରଣତଃ ପତ୍ରାଗ୍ରରେ ଗୋଟିଏ ପର୍ଣ୍ଣକ ଥାଏ । ବିଭିନ୍ନ କିସମ ଅନୁଯାୟୀ ପର୍ଣ୍ଣକ ସଂଖ୍ୟା ଓ ଆକାର ଭିନ୍ନ ଭିନ୍ନ ହୋଇଥାଏ । ସାଧାରଣତଃ ଗୋଟିଏ ପତ୍ରରେ ୯-୨୫ ଯୋଡା ପର୍ଣ୍ଣକ ଥାଏ । ପକ୍ଷଜ ପତ୍ରର ପର୍ଣ୍ଣକ ଗୁଡିକ ଛୋଟ ଓ ଏହାର ଧାର ପ୍ରଦନ୍ତୀ ପତ୍ରଗୁଡିକ ଗ୍ରନ୍ଥି ଲୋମ ଦ୍ଵାରା ଆଚ୍ଛାଦିତ । ପତ୍ରଗୁଡିକର ରଙ୍ଗ ଫିକା ସବୁଜରୁ ସବୁଜ ବା ଗାଢ ସବୁଜ । କେତେକ ପର୍ଣ୍ଣକର ଧାର ଲାଲ ।
ପୁଷ୍ପିୟ ଲକ୍ଷଣ :
ସ୍ତବକ ରେସିମ୍ ଧର୍ମୀ । ପତ୍ରକକ୍ଷରେ କେବଳ ଗୋଟିଏ ଫୁଲ ହୁଏ । ପ୍ରତ୍ୟକ ଫୁଲରେ ପାଞ୍ଚୋଟି ଲେଖାଏଁ ବୃତ୍ତି ଥାଏ । ପଞ୍ଚଦଳ, ଫୁଲର ରଙ୍ଗ ଧଳା, ପାଟଳ କିମ୍ବା ନୀଳ । ପଞ୍ଚଦଳରୁ ଗୋଟିଏ ଧ୍ଵଜକ, ଦୁଇଟି ପକ୍ଷ ଓ ଦୁଇଟି ନୌତଳ ଥାଏ । ଦଶଟି ପୁଂକେଶର ଦୁଇଟି ଗୋଛାରେ ଥାଏ । ଗୋଟିକରେ ୯ଟି ପୁଂ କେଶର ମିଶି ପୁଂକେଶର ଦଣ୍ଡ ସୃଷ୍ଟି କରେ ଏବଂ ଅନ୍ୟଟି ଅଲଗା ଥାଏ । ପୁଷ୍ପ ବିକଶନ ସକାଳ ୯ରୁ ୧୦ଟା ମଧ୍ୟରେ ଆରମ୍ଭ ହୋଇ ଦିନ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିପାରେ । ପୁଷ୍ପ ଦୁଇଦିନ ପର୍ଯ୍ୟନ୍ତ ଖୋଲା ରହେ । ସ୍ଵପରାଗ ସଙ୍ଗମ ହୁଏ । ପ୍ରଜାପତି ଯୋଗୁ ସ୍ଥଳବିଶେଷରେ ୫-୧୦% ପର୍ଯ୍ୟନ୍ତ ପରାଗସଙ୍ଗମ ହୋଇପାରେ । ଛୁଇଁଗୁଡିକ ୨ ସେ.ମି. ଲମ୍ବା ଏବଂ ସେଥିରେ ସାଧାରଣତଃ ୨ଟି ମଞ୍ଜି ଥାଏ । ଗୋଟିଏ ଗଛରେ ୫୦-୧୫୦ ଛୁଇଁ ହୁଏ । ଦାନା ଗୋଳାକୃତି ଲୋଳିତ ଓ ଅଣ୍ଟଯୁକ୍ତ, ମଞ୍ଜିର ବର୍ଣ୍ଣ ଧଳା, ଧୂସର, ଗାଢ ଧୂସର କିମ୍ବା ଫିକା କମଳା ରଙ୍ଗ ।
ଋତୁ ଓ ଜଳବାୟୁ :
ବୁଟ ଗୋଟିଏ ଶୀତଦିନିଆ ଫସଲ ହେଲେ ମଧ୍ୟ ଅତ୍ୟଧିକ ହଁଡା ଓ କୁହୁଡି କ୍ଷତିକାରକ । ଫୁଲ ଫୁଟିବା ସମୟରେ କୁହୁଡି ହେଲେ ଫୁଲକୁ ଛୁଇଁ ହୁଏ ନାହିଁ । ଅଥବା ଛୁଇଁ ଭିତରେ ମଞ୍ଜି ହୁଏ ନାହିଁ । ଏହାକୁ ବର୍ଷାଧାର ଜମିରେ ଚାଷ କରାଯାଏ କିନ୍ତୁ ଜଳସେଚନ ସୁବିଧା ଥିବା ଜମିରେ କଲେ ଭଲ ଅମଳ ମିଳେ । ବୁଣିବାର ପରେ ପରେ ଯଦି ଅତ୍ୟଧିକ ବର୍ଷାହୁଏ ବା ଫୁଲ ଫଳ ଧରିବା ସମୟରେ ବର୍ଷାଧିକ୍ୟ ବା କରକାପାତ ହେଲେ ଫସଲର ବହୁ କ୍ଷତି ହୋଇଥାଏ । ହାରାହାରି ୬୦-୯୦ ସେ.ମି. ବାର୍ଷିକ ବର୍ଷା ହେଉଥିବା ଅଞ୍ଚଳରେ ବୁଟ ଫସଲ ଭଲ ହୁଏ ।
ମୃତ୍ତିକା :
କୃଷ୍ଣ, ମଟାଳ ଏବଂ ଆଲୁଭିଆଲ ମୃତ୍ତିକା ବୁଟ ଚାଷ ଲାଗି ଉପଯୁକ୍ତ । ଓଡିଶାରେ ନଈବଢି ମଡା ମାଟି ଓ କଳା କନ୍ଦାଳ ମାଟିରେ ବୁଟଚାଷ ହୁଏ । ଶୁଖିଲା ହାଲୁକା ମାଟିରେ ବୁଟ ଫସଲ ଭଲ ହୁଏନି । ପିଏକ ୮.୫ରୁ ଅଧିକ ଥିବା ମୃତ୍ତିକାରେ ବୁଟ ଫସଲ ଭଲ ହୁଏ ନାହିଁ । ବୁଟ ଫସଲପାଇଁ ନିରପେକ୍ଷ ମାଟି ଦରକାର ।
ବିହନ କିସମ :
ଅଧିକ ଉତ୍ପାଦନ ପାଇଁ ଉନ୍ନତ କିସମ ବୁଟ ବିହନ ଏବଂ ଆଧୁନିକ କୃଷି ପ୍ରଣାଳୀ ପ୍ରୟୋଗ ଏକାନ୍ତ ପ୍ରୟୋଜନ । ଆମ ରାଜ୍ୟର ଚାଷୀମାନଙ୍କ ପାଇଁ କେତେଗୁଡିଏ ଉନ୍ନତ ବୁଟ ବିହନ କିସମ ବିଭିନ୍ନ ପରୀକ୍ଷା ଫଳାନୁସାରେ ଅନୁମୋଦିତ ହୋଇଛି । ତାହାର ବିବରଣୀ ନିମ୍ନରେ ଦିଆଗଲା ।
କିସମ |
ସମୟ |
ଅବଧି (ଦିନ) |
ମଞ୍ଜିର ରଙ୍ଗ |
ହେକ୍ଟର ପ୍ରତି ଅମଳ କୁଇଣ୍ଟାଲ |
ଅଞ୍ଚଳ |
ବିଶେଷ ଗୁଣ |
ଜେ.ଜି. – 62 |
ଶୀତ |
100 |
ଇଷତ ଲାଲ |
8 |
ସାରା ଓଡିଶା |
ଝାଉଂଳା ରୋଗ |
ଆନିଗିରି |
ଶୀତ |
105 |
ଫିକା ଲାଲ |
12 |
ସାରା ଓଡିଶା |
ଜଳସେଚନ କଲେ ଭଲ ଅମଳ ହୁଏ । |
କେ – 850 |
ଶୀତ |
115 |
ଫିକା ଲାଲ |
15 |
ସାରା ଓଡିଶା |
ଜଳସେଚନ କଲେ ଭଲ ଅମଳ ମିଳେ । |
ମୋତି |
ଶୀତ |
95 |
ଧଳା |
12 |
ସାରା ଓଡିଶା |
କମ୍ ଝାଉଂଳା ରୋଗ ଲାଗେ |
ଏହାଛଡା ରାଧେ 95 ଦିନ, ସି. – 235 କିସମ 105 ଦିନ ଏବଂ ଏଚ 208 – 110 ଦିନରେ ଅମଳ ହୁଏ । ଶେଷ ଦୁଇ କିସମ, ଅନ୍ତଜିଲ୍ଲାମାନଙ୍କ ପାଇଁ ଉପଯୁକ୍ତ ।
ଜମିପ୍ରସ୍ତୁତି :
ବୁଟ ଗୁଣ୍ଡଚାଷ ବଦଳରେ ଢେଲାଚାଷ ଚାହେଁ । ଏହା ଦ୍ଵାରା ବାୟୁ ଚଳାଚଳ ଭଲ ହୋଇଥାଏ । ବୁଟ ଗଛ ଚେରରେ ଗୁଟିକା ସୃଷ୍ଟି ଓ ଯବକ୍ଷାରଜାନ ସଂଗ୍ରହ ଲାଗି ପ୍ରଚୁର ବାୟୁ ଦରକାର । ଢେଲାଚାଷରେ ବାୟୁ ଗମାନଗମନ ଭଲ ହୁଏ । ଦେଶୀ ଲଙ୍ଗଳରେ ଜମି ପାଗିବା ସମୟରେ 3-4 ଓଡ ଚାଷ କରି ଜମି ପ୍ରସ୍ତୁତ କରାଯାଏ ।
ବିହନ ଓ ବୁଣିବା ପ୍ରଣାଳୀ :
ବିହନ ଠିକ୍ ସମୟରେ ବୁଣିଲେ ଅମଳ ଭଲ ହୋଇଥାଏ । ଓଡିଶାରେ ଅକ୍ଟୋବର ୧୫ ତାରିଖ ଠାରୁ ନଭେମ୍ବର ୧୫ ତାରିଖ ହେଉଛି ଉପଯୁକ୍ତ ସମୟ । ବଉଦ, ସୋନପୁର ଓ ଆଠମଲ୍ଲିକ ଅଞ୍ଚଳରେ ଦୀପାବଳି ଅମାବାସ୍ୟା ପରେ ପରେ ଲଘୁଧାନ କ୍ଷେତରେ ବୁଟ “ଅମୁହାଁ” ଛଟାଯାଏ । ଧାନ ପାଚ୍ୟ ଆସିବା ବେଳେ କ୍ଷେତରେ ୨-୩ ସେ.ମି. ପାଣି ରଖି ବୁଟ ଛାତି ବୁଣାଯାଏ । ୪ ଦିନ ପରେ ଜମିରୁ ପାଣି କାଟି ଦିଆଯାଏ । ଚାଷଜମିରେ ମଞ୍ଜି ଗଜା ହେଲା ଭଳି ବତର ଥାଇ ବୁଟ ବିହନ ବୁଣାଯାଏ । ଲଙ୍ଗଳସିଆରରେ ବା ବିହନ ବୁଣା ଯନ୍ତ୍ର ସାହାଯ୍ୟରେ ଧାଡିରୁ ଧାଡି ୩୦ ସେ.ମି. ବ୍ୟବଧାନରେ ଓ ମଞ୍ଜିକୁ ମଞ୍ଜି ୧୦ ସେ.ମି. ବ୍ୟବଧାନରେ ବୁଣନ୍ତୁ । ବିହନ ୮-୧୦ ସେ.ମି. ଗଭୀରରେ ବୁଣନ୍ତୁ ।
ବିହନ ପରିମାଣ :
ଛୋଟ ବା ଶୋଲା ବୁଟ ହେକ୍ଟର ପିଛା ୫୦ କି.ଗ୍ରା. ଓ କାବୁଲି ବୁଟ ହେକ୍ଟର ପିଛା ୭୫-୧୦୦ କି.ଗ୍ରା. ଆବଶ୍ୟକ । ପ୍ରତି କି.ଗ୍ରା. ବିହନ ସହିତ ୩ ଗ୍ରାମ ହିସାବରେ କ୍ୟାପଟାନ ବା ଥିରାମ ଗୁଣ୍ଡ ଭଲଭାବେ ଗୋଳାଇ ଦିଅନ୍ତୁ ।
ଜମିରେ ପ୍ରଥମଥର ବୁଟ ବୁଣା ଯାଉଥିଲେ ୫-୮ ପ୍ୟାକେଟ (୫୦ କି.ଗ୍ରା. ମଞ୍ଜି ପାଇଁ ୫ ପ୍ୟାକେଟ ଓ ୭୫ କି.ଗ୍ରା. ପାଇଁ ୮ ପ୍ୟାକେଟ) ଜୀବାଣୁ କଲଚର ଗୋଳାଇ ବୁଣିବାକୁ ହୋଇଥାଏ । ଗୋଟିଏ ଜୀବାଣୁ କଲଚର ପ୍ୟାକେଟରେ ୨୦୦ ଗ୍ରାମ୍ ଜୀବାଣୁ କଲଚର ଥାଏ । ତାହାକୁ ଅର୍ଥାତ୍ ଏକ ପ୍ୟାକେଟ ପ୍ରତି ଏକଲିଟର ପାଣି ହିସାବରେ ଦ୍ରବଣ ତିଆରି କରି ବିହନକୁ ଗୋଳାଇ ଛାଇରେ ଶୁଖାଇ ଦିଆଯାଏ ଏବଂ ଭୋର ବେଳା ଜମିରେ ବୁଣାଯାଏ । ଜୀବାଣୁ କଲଚର ଗୋଳାଇବା ୭ଦିନ ପୂର୍ବରୁ କ୍ୟାପଟାନ ବା ଥିରାମ ଗୁଣ୍ଡ ଗୋଳାଇ ବିହନ ବିଶୋଧନ କରିବାକୁ ହୋଇଥାଏ ।
ଖତ ଓ ସାର :
ହେକ୍ଟର ପ୍ରତି ୫-୧୦ ଟନ୍ ଗୋବର ଖତ ସହ ୨୦ କି.ଗ୍ରା. ଯବକ୍ଷାରଜାନ ଓ ୪୦ କି.ଗ୍ରା. ସୁପରଫସଫେଟ୍ ମିଶାଇ ଶେଷଓଡ ଚାଷ ଅସମୟରେ ପକାଇ ଭଲଭାବେ ମାଟିରେ ମିଶାଇ ଦେବା ଦରକାର ବା ଖତ ଓ ସାର ସିଆରରେ ପକାଇ ମାଟି ଘୋଡାଇ ଦେବା ଦରକାର । ମଞ୍ଜି ବୁଣାର ୩-୪ ଦିନରେ ବୁଟ ଗଜା ହୁଏ । ୧୫ ଦିନ ବେଳକୁ ଚେରରେ ଗୁଟିକା ବାହାରେ ଏବଂ ଯବକ୍ଷାରଜାନ ସଂଗ୍ରହ ହୁଏ । ଏଣୁ ଗଛର ଏହି ପ୍ରାଥମିକ ୧୫ଦିନ ଲାଗି ଯବକ୍ଷାରଜାନ ହେକ୍ଟର ପିଛା ୨୦ କି.ଗ୍ରା. ଦିଆଯାଏ । ବୁଟଗଛ ତାର ଆବଶ୍ୟକୀୟ ଯବକ୍ଷାରଜାନ ପ୍ରାୟ ୭୫% ଚେରରେ ଥିବା ଏହି ଗୁଟିକା ସାହାଯ୍ୟରେ ଉପଲବ୍ଧି କରିଥାଏ ।
ଘାସ ବଛା :
ବୁଟଗଛ ପ୍ରଥମେ ଧୀରେ ଧୀରେ ବଢେ । ଏଣୁ ଗଜା ହେବାର ୨-୩ ସପ୍ତାହ ପରେ ଥରେ ଖୁସାଇ ଦେଇ ଘାସ ବାଛିଦେବା ଉଚିତ୍ । ଘାସ ବାଛିବା ସଙ୍ଗେ ସଙ୍ଗେ ବୁଟ ଗଛ ଅଗଠୁ ଛିଣ୍ଡାଇ ଦେବା ଉଚିତ୍ । ଅଗ ଛିଣ୍ଡାଇ ଦେଲେ ଗଛ ଶାଖା ପ୍ରଶାଖା ମେଲି ଝଙ୍କାରେ ବଢେ ।
ତୃଣକମାରି ଦ୍ଵାରା ଘାସ ଦମନ :
ଘାସ ବଛା ସୁବିଧା ନଥିଲେ ବିହନ ବୁଣିବାର ଦିନକ ପୂର୍ବରୁ ଜମି ବତର ଥିବା ଅବସ୍ଥାରେ ବାସାଲିନ୍ ଏକ କି.ଗ୍ରା. ହେକ୍ଟର ପିଛା ୫୦୦ – ୧୦୦୦ ଲିଟର ପାଣିରେ ଗୋଳାଇ ଜମିରେ ଭଲଭାବେ ସ୍ପ୍ରେ କରି ଦିଆଯାଏ ; କିନ୍ତୁ ତୃଣକମାରି ପ୍ରୟୋଗ ଅପେକ୍ଷା କୋଡା ଖୁସା ଓ ଘାସ ବଛା ଭଲ । କାରଣ ଏହାଦ୍ଵାରା ଭଲ ବାୟୁ ଚଳାଚଳ ହୋଇଥାଏ ।
ଜଳସେଚନ :
ବୁଟ ଗୋଟିଏ ବର୍ଷାଧାର ଫସଲ । ଯେଉଁଠାରେ ଜଳସେଚନର ସୁବିଧା ଅଛି ଗୋଟି ପ୍ରାକ୍ ବୁଣା ଜଳସେଚନ କରି ବିହନ ବୁଣାଯାଇ ପାରିବ । ଏହା ଫଳରେ ଭଲ ଗଜା ହେବ, ଏବଂ ଫସଲ ବୃଦ୍ଧି ଉତ୍ତମ ହେବ । ଯଦି ଶୀତ ଋତୁରେ ବର୍ଷା ବିଲ୍ କୁଲ୍ ନହୁଏ ତେବେ ଫୁଲ ହେବା ପୂର୍ବରୁ ଥରେ ଏବଂ ଛୁଇଁ ହେବା ସମୟରେ ଜଳସେଚନ କଲେ ଅମଳ କମିଯିବ । ଏଣୁ ଫୁଲ ହେବା ସମୟରେ ଜଳସେଚନ ଅନାବଶ୍ୟକ । ସର୍ବଦା ଛିଞ୍ଚାପାଣି ଦେବା ଦରକାର । କାରଣ ଅଧିକ ଜଳସେଚନ କଲେ ବୁଟ ପାଇଁ କ୍ଷତିକାରକ । ଅଧିକ ଜଳସେଚନ କଲେ ଅଙ୍ଗୀୟ ବୃଦ୍ଧି ହୋଇଥାଏ ; କିନ୍ତୁ ଛୁଇଁ ଅମଳ କମିଯାଏ ।
ଅମଳ :
ଗଛର ପତ୍ର ପାଚି ଝଡିବା ଆରମ୍ଭ କଲେ ଫସଲକୁ ମୂଳରୁ କାଟି ଆଣି ୪-୫ ଦିନ ପର୍ଯ୍ୟନ୍ତ ଖେଳାଇ ଶୁଖାଇ ଠେଙ୍ଗାରେ ପିଟି ଅମଳ କରାଯାଏ । ତା’ପରେ ବିହନକୁ ପରିଷ୍କାର କରି ଖରାରେ ଶୁଖାଇ ସାଇତି ରଖାଯାଏ । ସାଇତି ରଖିବା ପାଇଁ ୯% ଜଳୀୟ ଅଂଶ ରହିଲେ ବିହନ ନଷ୍ଟ ହୁଏ ନାହିଁ । ଉନ୍ନତ ପ୍ରଣାଳୀରେ ଚାଷ କଲେ ହେକ୍ଟର ପିଛା ୨୦-୨୫ କୁଇଣ୍ଟାଲ ଅମଳ ମିଳେ । ଓଡିଶାରେ ୧୦-୧୫ କୁଇଣ୍ଟାଲ ହେକ୍ଟର ପିଛା ଅମଳ ମିଳିଥାଏ ।ଆଧାର – ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 9/18/2019