କଣ୍ଠୀରବ ଅଳକାପୁରର ପ୍ରଧାନ ସେନାପତି ଥିଲେ । ଥରେ ବିଜୟାଦଶମୀ ରାତ୍ରିରେ ରାଜା ଓ କେତେକ ଘନିଷ୍ଟ ଲୋକଙ୍କ ସହିତ ସେ କଥାବାର୍ତ୍ତା କରୁଥିଲେ । ଏହି ସମୟରେ ବାହାରୁ ଜଣେ ଲୋକ ଘୋଡା ଚଢି ଆସି ସେଠାରେ ପହଁଚିଲେ । ଘୋଡାରୁ ଓହ୍ଲାଇ ସେ କଣ୍ଠୀରବଙ୍କ ଆଡକୁ ଚାଲିଲେ ।
ଜଣେ ସେନାପତି ତାଙ୍କୁ ପଚାରିଲେ, “ତୁମେ କିଏ?”
ସେ ସଂକ୍ଷିପ୍ତ ଉତ୍ତର ଦେଲେ, “ମୁଁ ଜଣେ ଯୋଦ୍ଧା ।”
ରାଜା ପଚାରିଲେ, “କିନ୍ତୁ ତୁମେ ଚାହୁଁଛ କ’ଣ?”
ତହୁଁ ସେ ଆଗନ୍ତୁକ ଜଣକ କହିଲେ “ଜଣେ ଯୋଦ୍ଧା ଚାହେଁ କ’ଣ? ମୁଁ କେବଳ ବଳପରୀକ୍ଷା କରିବାକୁ ଚାହେଁ ।”
ଏକଥା ଶୁଣି ସମସ୍ତେ ତାଙ୍କୁ ଆଶ୍ଚର୍ଯ୍ୟ ହୋଇ ଚାହିଁଛନ୍ତି । ହାତରେ କୁରାଢୀ । ମୁହଁରେ ଅଳ୍ପ ଦାଢୀ, ଚିହ୍ନା ନାହିଁ କି ଜଣା ନାହିଁ, ଇଏ କି କଥା ।
ତା’ପରେ ରାଜା କହିଲେ, “ଠିକ୍ ଅଛି । ଆମ ପ୍ରଧାନ ସେନାପତି କଣ୍ଠୀରବ ତୁମ ସହିତ ଯୁଦ୍ଧ କରିବେ ।” ରାଜାଙ୍କ ସଙ୍କେତ ପାଇ ସେ ଠିଆ ହୋଇ ପଡିଲେ ।
କଣ୍ଠୀରବ ଠିଆ ହେବାର ଦେଖି ଆଗନ୍ତୁକ କହିଲେ, “ମୁଁ ଯୁଦ୍ଧ କରିବାକୁ ଏଠାକୁ ଆସିନାହିଁ । ମୁଁ କେବଳ ବଳପରୀକ୍ଷା ଚାହେଁ । ଏଠାକାର କେହି ଏହି କୁରାଢୀ ନେଇ ମୋ ଗଳା ଉପରେ ଗୋଟିଏ ମାତ୍ର ଚୋଟ ଦେବ, ଯେତେ ଜୋର୍ରେ ପାରେ । ଠିକ୍ ଆସନ୍ତା ବର୍ଷ ଆଜିର ଦିନରେ ମୁଁ ମଧ୍ୟ ସେହି ଲୋକର ଗଳାରେ କଷିକରି ଚୋଟେ ଦେବି ସେହି କୁରାଢୀରେ ।”
ଏଭଳି ଏକ ବିଚିତ୍ର କଥା ଶୁଣି ସମସ୍ତେ ଖାଲି ଠୋ ଠୋ ହୋଇ ହସିଲେ । ଏହି ଯେଉଁ ଧାରୁଆ କୁରାଢୀ ଏଥିରୁ ଫେର୍ କିଏ ବା ବଂଚିବ ଯେ ପୁଣି ପରବର୍ଷକୁ ଚୋଟ ହାଣିବ ଏଭଳି ଅବାନ୍ତର କଥାକୁ ସର୍ତ୍ତ ରଖି ରାଜି ହେବ ବା କିଏ?
ସମସ୍ତେ ଉଦ୍ଗ୍ରୀବ ହୋଇ ରହିଥା’ନ୍ତି । କିଏ ଏ ନୂଆ କିସମର କଥାର ଉତ୍ତର ଦେବ । କଣ୍ଠୀରବ ବିନା ଦ୍ୱିଧାରେ ଆଗକୁ ଯାଇ ତା’ ହାତରୁ କୁରାଢୀଟି ନେଇ ତା’ ବେକରେ ଦେଲେ କଷିକରି ଏକ ଚୋଟ । ଆଶ୍ଚର୍ଯ୍ୟର କଥା କିଛି ବି ହେଲାନାହିଁ । ରକ୍ତ ଟୋପାଏ ସୁଦ୍ଧା ବାହାରିଲା ନାହିଁ । ଚୋଟ ମାରିବାରେ ଟିକିଏ ବି କ୍ଷତ ହୋଇନାହିଁ ।
ଯୋଦ୍ଧା ଏଥର କଣ୍ଠୀରବଙ୍କୁ ଚାହିଁ କହିଲା, “ଆମ ସର୍ତ୍ତ କଥା ମନେ ରଖିବ । ଆସନ୍ତା ବର୍ଷ ଆଜିର ଦିନରେ ଗିରିଦୁର୍ଗରେ ମୁଁ ତୁମର ଅପେକ୍ଷାରେ ଥିବି । କାହିଁକିନା ମୁଁ ସେଇଠାରେ ହିଁ ରହେ ।” ଏତିକି କହି ସେ ଘୋଡା ଚଢି ହଠାତ୍ କୁଆଡେ ଅଦୃଶ୍ୟ ହୋଇଗଲା ।
ସମସ୍ତେ ଏ ଘଟଣା ଦେଖି ବିସ୍ମୟବିମୁଢ ହୋଇ ବସିଥା’ନ୍ତି ।
ବର୍ଷେ ପରେ । ରାଜାଙ୍କର ଏକଥା ପୁରା ମନେ ଥାଏ । ସେ କିନ୍ତୁ ଏ ବିଷୟରେ ନୀରବ ରହିଲେ । କଣ୍ଠୀରବଙ୍କର ଦାୟିତ୍ୱ ତେଣୁ ସେ ଯାହା କରିବେ । କଣ୍ଠୀରବ ସର୍ତ୍ତ ମାନିଥିଲେ; ଯଦି ନିଜେ ନିଜ କଥା ନ ରଖନ୍ତି ତେବେ ଅଳକାପୁରୀ ରାଜ୍ୟର ବଦନାମ ହେବ । ତେଣୁ ଶେଷକୁ ରାଜା ବାଧ୍ୟ ହୋଇ କଣ୍ଠୀରବଙ୍କୁ ଏ ବିଷୟରେ ସଚେତନ କରିଦେଲେ । ଅବଶ୍ୟ ସେ ମଧ୍ୟ ଯିବାପାଇଁ ଆଗରୁ ପ୍ରସ୍ତୁତ ହୋଇଥିଲେ ।
ରାଜା ତାଙ୍କର ଯିବାପାଇଁ ସବୁ ବନ୍ଦୋବସ୍ତ କଲେ; କିନ୍ତୁ ସେ ଜାଣିଥିଲେ କଣ୍ଠୀରବ ଆଉ ଫେରି ଆସିବ ନାହିଁ । କଣ୍ଠୀରବଙ୍କ ପରି ଯୋଦ୍ଧାଙ୍କୁ ଏପରି ହରାଇବା କିଛି ସାଧାରଣ କଥା ନୁହେଁ । ରାଜା ତାଙ୍କୁ ବଡ ଦୁଃଖରେ ବିଦାୟ ଦେଲେ ।
କଣ୍ଠୀରବ କିନ୍ତୁ ମହା ଆନନ୍ଦରେ ସେ ଗିରିଦୁର୍ଗକୁ ଯାତ୍ରା କଲେ । ସେ ଘୋଡାରେ ଚଢି ଏକଲା ଗଲେ । ବେଶ୍ ଦୀର୍ଘ ରାସ୍ତା ଥିଲା ଓ ଜଙ୍ଗଲି ଅଂଚଳ ଥିଲା । ଯାଉ ଯାଉ ବହୁତ କ୍ଳାନ୍ତ ହୋଇ ଗୋଟିଏ ଗଛତଳେ ସେ ବିଶ୍ରାମ କରୁଥା’ନ୍ତି । ହଠାତ୍ କେଉଁଠୁ ଚିତ୍କାର ଶବ୍ଦ ଶୁଣି ସେ ସେହି ଆଡକୁ ଦୌଡିଗଲେ । ଦେଖିଲେ ଜଣେ ଯୁବତୀକୁ ଘେରି ଡାକୁମାନେ ଠିଆ ହୋଇଛନ୍ତି । ସେ ତତ୍କ୍ଷଣାତ୍ ତାଙ୍କର ତଲବାର୍ କାଢି ସେମାନଙ୍କୁ ଆକ୍ରମଣ କଲେ । କଣ୍ଠୀରବଙ୍କ ବୀରତ୍ୱ ଓ ବଳ ଦେଖି ସେମାନେ ସେଠାରୁ ଭୟରେ ପଳାଇଲେ ।
କଣ୍ଠୀରବ ଦେଖିଲେ ସେହି ଯୁବତୀଙ୍କୁ ବନ୍ଧନ କରାଯାଇଛି । ସେ ବନ୍ଧନ ଖୋଲି ପଚାରି ବୁଝିଲେ ସେ ଜଣେ ରାଜକୁମାରୀ । ତା’ପରେ ରାଜକୁମାରୀ କୃତଜ୍ଞତା ଦେଖାଇବାକୁ ଯାଇ ତାଙ୍କୁ ଏକ ମୁଦ୍ରିକା ଦେଇ କହିଲେ, “ଆପଣ ମୋର ଜୀବନ ରକ୍ଷା କଲେ । ମୋର କୃତଜ୍ଞତା ସ୍ୱରୂପ ଏ ମୁଦ୍ରିକାଟି ଆପଣଙ୍କୁ ଦେଉଛି ଗ୍ରହଣ କରନ୍ତୁ । ଏହି ମୁଦ୍ରିକାଟି ଗୋଟିଏ ଯାଦୁ ମୁଦ୍ରିକା । ଏଇଟି ହାତରେ ଥିଲେ କୌଣସି ଅସ୍ତ୍ର ଆପଣଙ୍କର କିଛି ବି କ୍ଷତି କରିପାରିବ ନାହିଁ ।”
ଏକଥା ଶୁଣି କଣ୍ଠୀରବ କହିଲେ, “ନା ଏ ଉପହାର ମୁଁ କଦାପି ମଧ୍ୟ ଗ୍ରହଣ କରିପାରିବି ନାହିଁ । କାହିଁକିନା ମୁଁ ଜଣେ ଯୋଦ୍ଧାଙ୍କ ସହିତ ବଚନବଦ୍ଧ । ସେ ମୋ ଗଳା ଉପରେ ଏକ ଧାରୁଆ କୁରାଢୀ ଦେଇ ଚୋଟ ମାରିବେ । କାରଣ ଗତବର୍ଷ ବିଜୟାଦଶମୀ ଦିନ ମୁଁ ତାଙ୍କ ଗଳାରେ କୁରାଢୀରେ ଚୋଟ ମାରିଥିଲି । ମୁଁ ଏହି ମୁଦି ପିନ୍ଧିଲେ ତାଙ୍କ କଥା ପ୍ରତି ବିଶ୍ୱାସଘାତକତା ହେବ । ବୀରୋଚିତ କାମ ହେବନାହିଁ । ପୁଣି ମୁଁ ଧର୍ମ ବିରୁଦ୍ଧରେ ଯିବି ।” ଏତିକି କହି ସେ ଗଛ ଆଡକୁ ଚାଲିଲେ ।
କିଛି ସମୟ ପରେ ସ୍ନାନ କରିବାକୁ ସେ ନଦୀକୁ ଗଲେ । ଏଣେ ସେ ରାଜକୁମାରୀ ମଧ୍ୟ ଚାଲି ଚାଲି ସେହି ଗଛ ପାଖରେ ଯାଇ ପହଁଚିଲେ । କଣ୍ଠୀରବ ସ୍ନାନ କରି ଆସି ଦେଖିଲେ ରାଜକୁମାରୀ ସେଠାରେ ଆଉ ନାହାଁନ୍ତି ।
ଅବଶେଷରେ କଣ୍ଠୀରବ ଯାଇ ଗିରିଦୁର୍ଗରେ ପହଁଚିଲେ । ସେଠାରେ ପୂର୍ବୋକ୍ତ ଯୋଦ୍ଧା କୁରାଢୀ ଧରି ଅପେକ୍ଷା କରିଥିଲେ । କଣ୍ଠୀରବଙ୍କୁ ଦେଖି ସେ ବହୁତ ଖୁସି ହେଲେ ଓ କଥାରକ୍ଷା କରିଥିବାରୁ ତାଙ୍କୁ ଖୁବ୍ ପ୍ରଶଂସା ବି କଲେ । କଣ୍ଠୀରବ ନିଜ ବେକ ତାଙ୍କୁ ଦେଖାଇ କହିଲେ, “ଏବେ ଆଉ ଡେରି କାହିଁକି? କିନ୍ତୁ ଥରେ ମାତ୍ର ଚୋଟ ପକାଇବ ।”
କଣ୍ଠୀରବଙ୍କ ଏଭଳି ଚେତାବନୀ ଶୁଣି ସେ ଯୋଦ୍ଧା ହସିଲା ଓ କହିଲା, “ହଁ ଥରେ ମାତ୍ର ଚୋଟ ପକାଇବି । କିନ୍ତୁ ତା’ପରେ କ’ଣ ତମେ ବଂଚିବ ବୋଲି ଆଶା କରୁଛ?” ତା’ପରେ ସେ କଷିକରି ଏକ ଚୋଟ ତାଙ୍କ ବେକରେ ଦେଲା ।
କିନ୍ତୁ ଏ କ’ଣ? କୁରାଢୀ ଚୋଟରେ ତାଙ୍କର କିଛି ବି ହୋଇନାହିଁ । ବେକରୁ ତାଙ୍କର ରକ୍ତ ଟୋପାଏ ମଧ୍ୟ ବାହାରିଲା ନାହିଁ । କଣ୍ଠୀରବ ସେମିତି ଠିଆ ହୋଇ ରହିଥା’ନ୍ତି । ଯୋଦ୍ଧା ଓ କଣ୍ଠୀରବ ଉଭୟେ ବିସ୍ମୟରେ ଅଭିଭୂତ ହେଲେ । କଣ୍ଠୀରବ ହାତମାରି ଦେଖିଲେ ବେକରେ ଚୋଟ ଦାଗଟିଏ ମଧ୍ୟ ହୋଇନାହିଁ ।
ଯୋଦ୍ଧା ରାଗିଯାଇ ଚିତ୍କାର କଲା, “ଇଏ ଠକାମୀ, ପୁରା ଠକାମୀ” । ତା’ପରେ ପୁଣି ଥରେ ସେ ଚୋଟ ହାଣିବାକୁ ପ୍ରସ୍ତୁତ ହେଲା । କଣ୍ଠୀରବ ମଧ୍ୟ ରାଗରେ ତଲବାର ଧରି ପ୍ରସ୍ତୁତ ରହିଲେ । ଠିକ୍ ସେତିକିବେଳେ ଗିରିଦୁର୍ଗର ରାଜା ଓ ରାଜକୁମାରୀ ସେଠାରେ ଆସି ପହଁଚିଲେ ଓ ସେମାନଙ୍କୁ ଦ୍ୱନ୍ଦ୍ୱଯୁଦ୍ଧରୁ କ୍ଷାନ୍ତ ହେବାକୁ କହିଲେ । ତା’ପରେ ରାଜକୁମାରୀ ତାଙ୍କ ପିତାଙ୍କୁ କହିଲେ, କିପରି କଣ୍ଠୀରବ ତାଙ୍କ ଜୀବନ ରକ୍ଷା କଲେ ଓ ମୁଦ୍ରିକା ନେବାକୁ ସ୍ୱୀକାର କଲେ ନାହିଁ ଏବଂ ସେ ସ୍ନାନ କରିବାକୁ ଯିବା ସମୟରେ ସେ ତାଙ୍କ ପୋଷାକରେ ସେ ଯାଦୁ ମୁଦ୍ରିକାଟିକୁ ରଖିଦେଇ ଆସିଥିଲେ ।
ସତ୍ୟରକ୍ଷା କରିଥିବା କଣ୍ଠୀରବଙ୍କୁ ଯୋଦ୍ଧା ଓ ରାଜା ସମସ୍ତେ ପ୍ରଶଂସା କଲେ । ଯୋଦ୍ଧା କହିଲେ, “ଆମେ ଦୁହେଁ ନିଜ ନିଜ ଧର୍ମ ରକ୍ଷା କରିଛୁ । ମୋର ସାଧୁବାଦ ଗ୍ରହଣ କର । କଣ୍ଠୀରବଙ୍କର ଧର୍ମ ପ୍ରତି ନିଷ୍ଠା ଓ ସାହସ ଦେଖି ରାଜା ମଧ୍ୟ ବହୁତ ଖୁସି ହେଲେ ଓ ରାଜକୁମାରୀଙ୍କର ବିବାହ ତାଙ୍କ ସହିତ କରିଦେଲେ । ରାଜକୁମାରୀ ଏକମାତ୍ର ସନ୍ତାନ ହୋଇଥିବାରୁ କଣ୍ଠୀରବହିଁ ପରେ ସେ ରାଜ୍ୟର ରାଜା ହେଲେ ।”
ଆଧାର: ଓଡ଼ିଆ ଗପ
Last Modified : 1/28/2020