অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବହ୍ନି ଦ୍ୱୀପ

ବହ୍ନି ଦ୍ୱୀପ

ଉପକ୍ରମ

ଚିତ୍ରସେନ ରାଜା ହେବା ପରେ ସେ ତାଙ୍କର ରାଜ୍ୟରେ ଅଶାନ୍ତି ସୃଷ୍ଟି କରୁଥିବା ଡାକୁମାନଙ୍କୁ କୌଶଳକ୍ରମେ ସାଧାରଣ ନାଗରିକ ଭାବରେ ବନାଇ ରଖିଲେ । ରାଣୀ କାନ୍ତିମତି ଗୋଟିଏ ପୁତ୍ର ସନ୍ତାନ ଜନ୍ମ ଦେଲେ । ଯେଉଁଦିନ ତାକୁ ପାଞ୍ଚବର୍ଷ ପୁରିଲା, ସେହିଦିନ ସର୍ତ୍ତ ଅନୁସାରେ ରାକ୍ଷସ ଉଗ୍ରାକ୍ଷ ଆସି ତାକୁ ନେଇ ଯିବାପାଇଁ ପହଁଚିଗଲା । ତାକୁ ଗୋଟାଏ ଶିଶୁ ହସ୍ତାନ୍ତର କରାଗଲା, କିନ୍ତୁ ସେ ଶିଶୁ ଯେ ରାଜପୁତ୍ର ନୁହେଁ, ଏହା ସେ ଅଚିରେ ବୁଝିପାରି ଫେରି ଆସିଲା । ତା’ପରେ…

ବର୍ଣ୍ଣନା

ଉଗ୍ରାକ୍ଷ ରାଜପୁତ୍ର ବୋଲି କୁହାଯାଇ ତାକୁ ଦିଆଯାଇଥିବା ଶିଶୁଟିକୁ ଧରି ସେ କପିଳପୁର ଦୁର୍ଗ ଆଡେ କ୍ଷୀପ୍ର ଗତିରେ ଫେରିବାକୁ ଲାଗିଲା । ସେ କ୍ରୋଧରେ ଅନ୍ଧପ୍ରାୟ ହୋଇଥାଏ, କିନ୍ତୁ ରାଜା ଚିତ୍ରସେନଙ୍କୁ ସେ ଯେତେହେଲେ ରାଜା ଓ ମିତ୍ର ବୋଲି ମାନିଥାଏ । ତେଣୁ ସେ ନିଜ କ୍ରୋଧ ଚାପି ରଖିଥାଏ । ଅନ୍ତତଃ ସେ କୌଣସି ଭଙ୍ଗାରୁଜା କାମ ଆରମ୍ଭ କରି ନଥାଏ ।

ଉଗ୍ରାକ୍ଷ ଦୁର୍ଗ ଭିତରକୁ ପଶି ଆସୁଥିବାର ଦେଖି ସେନାପତି ଅମରପାଳ ଦୌଡି ଦୌଡି ଯାଇ ରାଜା ଚିତ୍ରସେନଙ୍କୁ କହିଲେ, “ମହାରାଜ, ଉଗ୍ରାକ୍ଷ ଚପା କଣ୍ଠରେ ହୁଙ୍କାର ଛାଡି ମାଡି ଆସୁଛି । ତା’ର କାନ୍ଧରେ ବସିଛି ସେ ପିଲା ।”

ଏହା ଶୁଣି ଚିତ୍ରସେନ ଗମ୍ଭୀର ହୋଇ କିଛି ସମୟ ଚୁପ୍ ରହି କହିଲେ, “ଏହାର ଅର୍ଥ, ସେ ପିଲା ଯେ ରାଜକୁମାର ନୁହେଁ, ଏକଥା ସେ ଧରିପକାଇଛି! ”

ଅମରପାଳ କହିଲା, “ମହାରାଜ, ଆମ୍ଭେ ଉଗ୍ରାକ୍ଷକୁ ଏ ଦିଗରେ ଆଦୌ ଠକି ପାରିବା ନାହିଁ । ସେ ଦିଗରେ ଚେଷ୍ଟା କରିବା ମଧ୍ୟ ଉଚିତ୍ ନୁହେଁ । ଏକ ଦିଗରେ ସେ ରାକ୍ଷସ, ଅନ୍ୟ ଦିଗରେ ସେ ମହାବଳଶାଳୀ । ଅତି ସାବଧାନରେ ଆମକୁ ତା’ ସହ କାରବାର କରିବାକୁ ହେବ । ତେଣେ କରବୀର ଓ ନାଗବର୍ମାଠୁଁ ବିପଦର ଆଶଙ୍କା ମଧ୍ୟ ଦୂର ହୋଇ ନାହିଁ ।”

“ତୁମେ ଠିକ୍ କହୁଛ, ଅମରପାଳ!” ଏହା କହି ଚିତ୍ରସେନ କାନ୍ତିମତିଙ୍କ ଆଡେ ଅନାଇ କହିଲେ, “ବର୍ତ୍ତମାନ ଚିନ୍ତା କରି ଆଉ କିଛି ବି ଲାଭ ନାହିଁ । ଯେତେବେଳେ ମୁଁ ତାକୁ କଥା ଦେଇଥିଲି, ସେତେବେଳେ ମୋ ନିଜ ବୟସ ଖୁବ୍ କମ୍ ଥିଲା । ଦିନେ ମୁଁ ନିଜେ ଦେଇଥିବା କଥା ମୋ ଉପରେ ଏଭଳି ଦୁଃଖଦାୟକ ବୋଝ ହେବ, ଏହା ସେତେବେଳେ ମୁଁ କଳ୍ପନା ମଧ୍ୟ କରିପାରି ନଥିଲି ।”

କଣ୍ଠସ୍ୱର ନିମ୍ନ କରି ଅମରପାଳ ପ୍ରଶ୍ନ କଲା, “ମହାରାଜ, ଗୋଟାଏ କଥା କହିବି? ଉଗ୍ରାକ୍ଷକୁ ମାରି ପକାଇଲେ ତ କଥା ଛିଡିଯା’ନ୍ତା!”

ତମେ ସେକଥା ଯେତେ ସହଜ ବୋଲି ଭାବୁଛ, କାମଟା ସେତେ ସହଜ ନୁହେଁ । ତା’ଛଡା ସେ ମୋର ସହାୟତା କରିଛି ଓ ମୁଁ ତା’ ହାତରେ ମୋ ପୁଅକୁ ସମର୍ପି ଦେବି ବୋଲି ପ୍ରତିଶୃତି ମଧ୍ୟ ଦେଇଛି । ବର୍ତ୍ତମାନ ଲୋକେ ମୋତେ କ’ଣ କହିବେ?”

ଏଣେ ହଠାତ୍ କାନ୍ତିମତି ଆସନ ଛାଡି ଉଠି ଠିଆ ହେଲେ ଓ କହିଲେ, “ମହାରାଜ, ଉଗ୍ରାକ୍ଷ ଓ ରାଜକୁମାର ବ୍ୟାପାର ମୋ ଉପରେ ଛାଡି ଦିଅନ୍ତୁ ।” ଏହା କହି ସେ ତାଙ୍କ କକ୍ଷରେ ପ୍ରବେଶ କଲେ ।

ପ୍ରାସାଦ ତଳେ ପହଁଚି ଯାଇ ଉଗ୍ରାକ୍ଷ ବଜ୍ରନାଦରେ ଡାକିଲା, “ମହାରାଜ! ମହାରାଜ!”

ଚିତ୍ରସେନ ସଙ୍ଗେ ସଙ୍ଗେ ତଳକୁ ଓହ୍ଲାଇଗଲେ । ତା’ପରେ ସେ କହିଲେ, “ଉଗ୍ରାକ୍ଷ, କଥା କ’ଣ? ବର୍ତ୍ତମାନ ତ ଆମେ ତମରି କଥା ଆଲୋଚନା କରୁଥିଲୁଁ । ତମେ ବହୁତ ଦିନ ବଂଚିବ!”

ଏପରି କଥା ଶୁଣି ଉଗ୍ରାକ୍ଷ କହିଲା, “ମହାରାଜ! ମୋତେ ଦଗା ଦେଲେ? ମୋ ସହ ବିଶ୍ୱାସଘାତକତା କଲେ? ମୋ ପ୍ରତି ଆପଣ ଯେ ଏପରି ବ୍ୟବହାର କରିବେ, ଏକଥା ମୁଁ କେବେବି ମଧ୍ୟ କଳ୍ପନା କରି ନଥିଲି । ଆପଣ ପରା କ୍ଷତ୍ରୀୟ? ମୁଁ ଆପଣଙ୍କର ମିତ୍ରଟି? ଆପଣଙ୍କ ସହ କାନ୍ଧକୁ କାନ୍ଧ ଲଗାଇ ମୁଁ ଲଢିଛିଟି? ଆପଣ କ’ଣ ସେସବୁ ଭୁଲିଗଲେ?” ଏତିକି କହି ଉଗ୍ରାକ୍ଷ ତାଙ୍କ କାନ୍ଧରୁ ପିଲାଟିକୁ ବାହାରକରି ଦେଲା ।

ତହୁଁ ଅମରପାଳ କହିଲା, “ରାକ୍ଷସରାଜ! ଆମ ଦାସୀମାନଙ୍କ ଭୁଲରୁ ଏପରି ହେଲା । ତରବରରେ ରାଜପୁତ୍ର ବଦଳରେ ସେମାନେ ମନ୍ତ୍ରୀ-ପୁତ୍ରକୁ ତୁମ ହାତକୁ ଟେକିଦେଲେ ।”

ଉଗ୍ରାକ୍ଷ ଅଟ୍ଟହାସ୍ୟ କରି ପିଲାଟିକୁ ତୋଳି ଧରିଲା ଓ କହିଲା, “ଇଏ ମନ୍ତ୍ରୀ-ପୁତ୍ର! ରାଜାଙ୍କ ପୁଝାରି କ’ଣ ତାଙ୍କ ମନ୍ତ୍ରୀ ହେଲାଣି? ଦେଖ ଅମରପାଳ, ଇଏ ମନ୍ତ୍ରୀ-ପୁତ୍ର ହେଲେ ବି ମୋ ଆବଶ୍ୟକତା ସେଥିରେ ମେଂଟିବ ନାହିଁ । ମୋର ରାଜପୁତ୍ର ଲୋଡା! ରାଜା ଚିତ୍ରସେନ! ଏବେ ଆପଣ ନିଜ ସର୍ତ୍ତ ରକ୍ଷା କରନ୍ତୁ । ରାଜପୁତ୍ର ବଦଳରେ ଯଦି ମୋତେ ସାରା ରାଜ୍ୟ ବି ଦେବେ, ତଥାପି ମଧ୍ୟ ମୁଁ ମାନିବି ନାହିଁ ।”

ସବୁ ଶୁଣି ଚିତ୍ରସେନ ଧୀର କଣ୍ଠରେ କହିଲେ, “ଉଗ୍ରାକ୍ଷ, ଆଦୌ ଉତ୍ତେଜିତ ହୁଅ ନାହିଁ । ଦାସୀମାନଙ୍କର ଭୁଲ୍ ହୋଇଯାଇଛି । ବର୍ତ୍ତମାନ ସେମାନେ ଅସଲ ରାଜପୁତ୍ରକୁ ବେଶ କରି ଆଣୁଛନ୍ତି ।”

ସୁତରାଂ ଉଗ୍ରାକ୍ଷ ଅପେକ୍ଷା କଲା । କିଛି ସମୟ ପରେ ଦାସୀମାନେ ଗୋଟିଏ ପିଲାକୁ ଆଣି ତା’ ଆଗରେ ଠିଆ କରାଇ ଦେଲେ । ଉଗ୍ରାକ୍ଷ ତାକୁ ଭଲ ଭାବରେ ଲକ୍ଷ୍ୟ କରି ତା’ପରେ ସେ ଦାସୀମାନଙ୍କୁ ପଚାରିଲା, “ଏଥର ତମମାନଙ୍କର ଆଉ କିଛି ଭୁଲ୍ ହୋଇ ନାହିଁ ତ? ଯଦି ମୋ ସହ ଖେଳ ଖେଳୁଥିବ, ତେବେ ତା’ର ପରିଣତି କିଛି ବି ଭଲ ହେବ ନାହିଁ, ଏହା ଭଲ ଭାବରେ ଜାଣି ରଖ ।”

ଏପରି କଥା ଶୁଣି ଜଣେ ଦାସୀ କହିଲା, “ତମର ସନ୍ଦେହ ହେଉଥିଲେ ଏ ବାଳକକୁ ପଚାରୁନାହଁ କାହିଁକି?”

ସେତେବେଳେ ତ ରାଜା ଚିତ୍ରସେନ ସେଠାରେ ନଥିଲେ । ଉଗ୍ରାକ୍ଷ ସେ ବାଳକ ପାଖକୁ ଯାଇ ତାକୁ ପଚାରିଲା, “ତୋ’ନାମ କ’ଣ?”

ତହୁଁ ସେ ବାଳକଟି ଉତ୍ତର ଦେଲା, “ମୋ ନାମ ଯୁବରାଜ!”

ଏସବୁ ଶୁଣି ଦାସୀମାନେ ହସିଲେ । ତା’ପରେ ସେମାନେ କହିଲେ, “ରାକ୍ଷସରାଜ, ତମେ ଯେତେହେଲେ ବି ଜଣେ ରାକ୍ଷସ! ମଣିଷ ସମାଜର କଥାବାର୍ତ୍ତାର ଢଙ୍ଗ ତମକୁ ଆଉ କେତେଦୂର ଜଣାଥା’ନ୍ତା? ତମେ ସିନା ସେ ପିଲାକୁ ସିଏ କାହାର ପୁଅ ସେକଥା ପଚାରିଥାନ୍ତ?”

ଉଗ୍ରାକ୍ଷ ଦାସୀମାନଙ୍କ ଆଡକୁ କୌତୁକପୂର୍ଣ୍ଣ ଦୃଷ୍ଟିରେ ଅନାଇ କହିଲା, “ତମେମାନେ ନିଜ ନିଜକୁ ଭାରି ବୁଦ୍ଧିମାନ ଠଉରାଇଛ, ନୁହେଁ? ପିଲା ମୋ ପ୍ରଶ୍ନର ଉତ୍ତର କ’ଣ ଦେବ, ସେକଥା କ’ଣ ତମେମାନେ ତାକୁ ଶିଖାଇ ଦେଇ ନଥିବ? ଠିକ୍ ଅଛି । ଇଏ ରାଜପୁତ୍ର କି ନୁହେଁ, ମୁଁ ବଣ ଭିତରେ ପହଁଚି ଭିନ୍ନ ପ୍ରକାର ପରୀକ୍ଷା ଦ୍ୱାରା ସେକଥା ଧରିନେବି । ଯଦି ତମେମାନେ ପୁଣି ମୋତେ ଦଗା ଦେଇଛ ବୋଲି ମୁଁ ଜାଣିବି, ତେବେ ତମମାନଙ୍କୁ ଧରି ନେଇଯିବି ଓ ମୋ ରାକ୍ଷସ ଅନୁଚରମାନଙ୍କ ସହ ବିଭା କରାଇଦେବି!”

ସେ ରାକ୍ଷସର ଏପ୍ରକାର ଧମକ ଶୁଣି କେହି କେହି ଦାସୀ ହସିଲେ ତ ଆଉ କେହି କେହି ଡରିଗଲେ । ଉଗ୍ରାକ୍ଷ ସେ ସୁକୁମାର ବାଳକଟିକୁ କାନ୍ଧରେ ବସାଇ ଲମ୍ବ ଲମ୍ବ ପାଦ ପକାଇ ଜଙ୍ଗଲ ଆଡେ ଅଗ୍ରସର ହେଲା ।

ଜଙ୍ଗଲ ଭିତରେ କିଛି ଦୂର ଯିବା ପରେ ପୂର୍ବ ପିଲାଟି ଯେଉଁଠାରେ ତାକୁ ଶୁଖିଲା ଡାଙ୍ଗ ଖଣ୍ଡିଏ ମାଗିଥିଲା, ସେ ସେଇଠାରେ ପହଁଚି ଏ ପିଲାର ପରୀକ୍ଷା ନେବାକୁ ମନ କଲା । ସେ ତାକୁ ଡାଙ୍ଗ ଖଣ୍ଡିକ ଦେଖାଇ ପଚାରିଲା, “ଆଚ୍ଛା, ତୋତେ ଯଦି ଏ ଡାଙ୍ଗ ଖଣ୍ଡିକ ଦେବି, ତେବେ ତୁ ତାକୁ ନେଇ କ’ଣ କରିବୁ?”

ତହୁଁ ସେ ପିଲା କହିଲା, “ମୁଁ କିଛି କରିବି ନାହିଁ । ବାପାକୁ ଦେଇଦେବି ।”

ଏବେ ସେ ରାକ୍ଷସ ପୁଣି ପଚାରିଲା, “ବାପା ତାକୁ ନେଇ କରିବ କ’ଣ?”

ତା’ପରେ ସେ ପିଲାଟି ଉତ୍ତର ଦେଲା, “କାହିଁକି? ମୋଠାରୁ କୌଣସି ଗୋରୁ ବାହାରି ପଳାଇଲେ ତା’ ଆଡେ ଲକ୍ଷ୍ୟ କରି ଏହା ଫୋପାଡିବ ନହେଲେ ତାକୁ ଏଥିରେ ବାଡେଇ ପୁଣି ଗୋଠ ଭିତରକୁ ନେଇ ଆସିବ!”

ସବୁ ଶୁଣି ସେ ରାକ୍ଷସ ଉଗ୍ରାକ୍ଷ ସ୍ତବ୍ଧ ହୋଇ ପିଲାକୁ ଲକ୍ଷ୍ୟ କରି କହିଲା, “ବୁଝିଲି । ତୁ ତେବେ ରଜାର ଗୋଠ ଜଗୁଆଳିର ପୁଅ! ତୋ’ ନାମ ଯୁବରାଜ ରଖି ମୋତେ ଧରାଇ ଦେଲେ! ସେମାନେ କେଡେ ଦଗାବାଜ୍! ଏଥର ମୁଁ ସେମାନଙ୍କୁ ଭଲକି ପାନେ ଦେବି । ସେମାନେ କାହା ସହିତ ଖେଳ ଖେଳୁଛନ୍ତି ଜାଣି ନାହାଁନ୍ତି ବୋଧେ? ବୋଧେ ଭୁଲିଯାଇଛନ୍ତି ମୁଁ କିଏ!”

ରାକ୍ଷସ ଉଗ୍ରାକ୍ଷ ସେ ପିଲାକୁ କାନ୍ଧରେ ବସାଇ ପୁଣି ପ୍ରାସାଦ ଆଡେ ଫେରି ଚାଲିଲା । ଦୁର୍ଗ ସାମ୍ନାରେ ଥିବା ମଇଦାନ୍ ଭିତରେ କେତେଜଣ ଘୋଡାସବାର୍ ଠିଆ ହୋଇଥିବାର ସେ ଦେଖିଲା । କିନ୍ତୁ ଆଉ ଟିକିଏ ଅଗ୍ରସର ହୋଇ ସେ ଦେଖିଲା, ସେ ଘୋଡାସବାରମାନଙ୍କ ଭିତରେ ସେନାପତି ଅମରପାଳ ବି ଅଛି । ଖାଲି ସେତିକି ନୁହେଁ, ଅମରପାଳ ସହ ଗୋଟିଏ ଚକ୍ମକ୍ ପୋଷାକ ପିନ୍ଧିଥିବା ବାଳକ ବି ଅଛି । ଚିତ୍ରସେନ ତା’ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ କି ବୋଲି ତା’ ମନରେ ଯେଉଁ ପ୍ରଶ୍ନ ଉଠିଥିଲା, ସେ ପ୍ରଶ୍ନ ଦୂର ହୋଇଗଲା । ତା’ପରେ ସେ ଭାବିଲା ଏ ବାଳକଟି ନିଶ୍ଚୟ ରାଜକୁମାର ହୋଇଥିବ!

ଅମରପାଳ କହିଲା, “ରାକ୍ଷସରାଜ! ପୁଣି ଥରେ ଆମ ଦାସୀମାନେ ତମକୁ ଠକି ଦେବାକୁ ଚେଷ୍ଟା କରୁଥିଲେ । କିଛି ମନେ କରିବ ନାହିଁ । ବର୍ତ୍ତମାନ ଏ ଅସଲ ରାଜକୁମାରକୁ ନେଇ ଯାଇପାର ।”

“ସବୁ ଦୋଷ ଦାସୀମାନଙ୍କର?” ଉଗ୍ରାକ୍ଷ କ୍ରୋଧ ଦମନ କରି ହସି ଦେଲା । କହିଲା ଏଥର ତମେ ଯେ ପୁଣି ମୋତେ ଭୁଲାଇବାର ଚେଷ୍ଟା କରୁନାହଁ, ସେକଥା କିଏ କହିବ?”

“ନା, ଉଗ୍ରାକ୍ଷ, ଏ ବାଳକ ରାଜା ଚିତ୍ରସେନଙ୍କ ପ୍ରଥମ ପୁତ୍ର ରାଜକୁମାର ଅମିତସେନ ।” ଅମରପାଳ ଏକଥା କହିଲା, କିନ୍ତୁ ତା’ କଣ୍ଠସ୍ୱରରେ ଥିଲା ବିରକ୍ତି ଓ ଅସନ୍ତୋଷ ।

ଉଗ୍ରାକ୍ଷ ସେ ପିଲାକୁ ଭଲ କରି ଲକ୍ଷ୍ୟ କଲା । ଏଥର ତା’ର ମନେ ହେଲା, ଇଏ ସତ ରାଜକୁମାର । ସେ କହିଲା, “ଦୁଇ ଦୁଇଥର ମୋତେ ଖଟାଇଲ, ନିଜେ ବି ନିଜର ବଦ୍ନାମ କଲ । ମୋର ମିତ୍ର ହେବା ସତ୍ତ୍ୱେ ରାଜା ଚିତ୍ରସେନ ଯେ କାହିଁକି ଏପରି କଲେ, ସେକଥା ମୁଁ ମୋଟେ ବୁଝିପାରୁ ନାହିଁ ।”

ତାଙ୍କ କଥା ଶୁଣି ଅମରପାଳ କହିଲା “ରାକ୍ଷସ! ତମେ ମଣିଷ ବାପମା’ଙ୍କ ବେଦନା କଥା କ’ଣ ବା ବୁଝିବ? ବର୍ତ୍ତମାନ ରାଣୀ କାନ୍ତିମତି ଚେତା ହରାଇ ଅନ୍ତଃପୁରରେ ପଡିଛନ୍ତି । ରାଜା ଶୋକରେ ମୃହ୍ୟମାନ ହୋଇ ନିଜ କକ୍ଷରୁ ବାହାରୁ ନାହାଁନ୍ତି । ରାଜା ଦିନେ ନଭାବି ନଚିନ୍ତି ତମକୁ କଥା ଦେଇ ପକାଇଥିଲେ । ଆଜି ତାଙ୍କୁ ତା’ର ପରିଣାମ ଭୋଗିବାକୁ ପଡୁଛି । ତମର ଭାବ ଅଛି ନା ଆବେଗ ଅଛି ଯେ ତମେ ସେସବୁ ବୁଝିବ? ହେଉ, ଏଥର ଯାଅ ।”

ଉଗ୍ରାକ୍ଷ କହିଲା, “ଅବଶ୍ୟ ଅବଶ୍ୟ । ମୋ କାମ ହୋଇ ଯାଇଛି ।” ତା’ପରେ ରାଜକୁମାରକୁ କାନ୍ଧରେ ବସାଇ ସେ କହିଲା, “ମୁଁ ଆଉ ଦିନେ ଆସି ରାଜାଙ୍କ ସହ ସାକ୍ଷାତ କରିବି ।”

“ଦେଖ ରାକ୍ଷସ, ରାଜକୁମାରଙ୍କୁ ଯେପରି କୌଣସି କଷ୍ଟ ନ ହୁଏ । ଅତି ସାବଧାନରେ ତାଙ୍କୁ ପାଳିପୋଷି ବଡ କରିବ । ବୁଝିଲ? ଅମରପାଳ ଏହା କଠୋର କଣ୍ଠରେ କହିଲା ।

ଅମରପାଳ ଖୁବ୍ ଉତ୍ତେଜିତ ବୋଲି ବୁଝିପାରି ଉଗ୍ରାକ୍ଷ କହିଲା, “ଆଜିଠାରୁ ଇଏ ଆଉ ରାଜା ଚିତ୍ରସେନଙ୍କ ପୁତ୍ର ଅମିତସେନ ନୁହେଁ; ମୋ ପୁଅ ଉଗ୍ରଦତ । କଣ ବୁଝିଲ ତ?”

ଉଗ୍ରାକ୍ଷର ଉତ୍ସାହର ସୀମା ନଥାଏ । ସେ ବେଗରେ ଅଗ୍ରସର ହେଲା ଓ କାନ୍ଧରେ ବସିଥିବା ରାଜକୁମାରକୁ କହିଲା, “ପୁଅ, ତୁ ଆଜିଠାରୁ ମୋ ପୁଅ । ତୋ ସେବାରେ ଶହେ ରାକ୍ଷସ ନିଯୁକ୍ତ ରହିବେ । ତୁ ଯାହା କହିବୁ, ତାହା ହିଁ ହେବ ।”

ଉଗ୍ରାକ୍ଷର ଦୁର୍ଗ ଆଗରେ କେତେ ରାକ୍ଷସ ରାକ୍ଷସୀ ଠିଆ ହୋଇଥିଲେ । ଉଗ୍ରାକ୍ଷ ରାଜକୁମାରକୁ ଧରି ଫେରିବାର ଦେଖି ସେମାନେ ଜୟଧ୍ୱନି କଲେ । ଉଗ୍ରାକ୍ଷ ସେମାନଙ୍କୁ କହି ରଖିଥିଲା କି ଦିନେ ସେ ସେମାନଙ୍କ ଭାବି ରାଜାଙ୍କୁ ଆଣି ସେମାନଙ୍କୁ ଦେଖାଇବ ।

“ଶୁଣ ସମସ୍ତେ । ଏ ବାଳକକୁ ମୋ ପୁତ୍ର ଜ୍ଞାନ କରିବ । ଏହାର ନାମ ହେଲା ଉଗ୍ରଦତ । ଇଏ ହେଲା ତୁମର ଭାବି ନେତା ଓ ରାଜା ।”

ଏହା ଘୋଷଣା କରି ଉଗ୍ରାକ୍ଷ ବାଳକକୁ ନେଇ ନିଜ ପ୍ରାସାଦର ସବୁଠାରୁ ସୁନ୍ଦର ସଜ୍ଜିତ ଘର ଭିତରେ ରଖିଲା । ତା’ର ସବୁ ପ୍ରକାର ସ୍ୱାଚ୍ଛନ୍ଦ୍ୟର ବ୍ୟବସ୍ଥା କରିଦେଲା ।

ତା’ପରେ ସେ ତା’ର ଦୁଇଜଣ ବିଶ୍ୱସ୍ତ ଅନୁଚରଙ୍କୁ ଡାକି କହିଲେ, “ଉଗ୍ରଦତର ସମବୟସ୍କ ଯୋଡିଏ ମଣିଷ ପିଲା ସଂଗ୍ରହ କର । ଅତି ସାବଧାନରେ ଏ କାମ କରିବାକୁ ହେବ । ରାଜା ଚିତ୍ରସେନ ଯେପରି ନ ଜାଣନ୍ତି ଯେ ଆମେ ରାକ୍ଷସମାନେ ମଣିଷ ପିଲା ଚୋରି କରୁଛୁ । ଯେଉଁଠାରୁ ପିଲାଟିଏ ଆଣିବ, ସେଠାରେ ସ୍ୱର୍ଣ୍ଣମୁଦ୍ରା ଭର୍ତ୍ତି ଏ ଥଳିଟିଏ ଥୋଇଦେବ ।” ଏହା କହି ଉଗ୍ରାକ୍ଷ ଅନୁଚର ଦୁଇଜଣଙ୍କ ଆଡେ ଦୁଇଟି ଥଳି ଫୋପାଡି ଦେଲା ।

ଦିନକ ପରେ ସକାଳେ ଉଗ୍ରାକ୍ଷ ରାଜକୁମାରଙ୍କୁ ଖେଳାଉଛି, ଠିକ୍ ସେହି ସମୟରେ ସେ ଦୁଇ ଅନୁଚର ଦୁଇ ବାଳକଙ୍କୁ ଧରି ଆସି ପହଁଚିଲେ । ସେତେବେଳେ ସେ ବାଳକ ଦୁଇଟି କାନ୍ଦୁଥିଲେ ।

ଆଧାର ଓଡ଼ିଆ ଗପ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate