ତୁମେ ପଢିଛ ଯେ, ଭାରତ ଗୋଟିଏ ସଙ୍ଘୀୟ ରାଷ୍ଟ୍ର ଯାହାର ଦୁଇ ସ୍ତରୀୟ ସରକାର ରହିଛି ଯଥା ରାଜ୍ୟସ୍ତରରେ ଓ କେନ୍ଦ୍ର ସ୍ତରରେ । ପ୍ରତ୍ୟକ ନାଗରିକର ଉଭୟ ସ୍ତରରେ କାର୍ଯ୍ୟକରୁଥିବା ସରକାର ସହିତ ସମ୍ପର୍କ ଅଛି ଓ ସେ ତାହାଦ୍ଵାରା ମଧ୍ୟ ପ୍ରଭାବିତ ହୁଅନ୍ତି । ଆମେ ସମସ୍ତେ ରାଜ୍ୟ ଓ କେନ୍ଦ୍ର ଆଇନ ପ୍ରଣୟନକାରୀ ସଂସ୍ଥା ଦ୍ଵାରା ପ୍ରସ୍ତୁତ ଆଇନ ଦ୍ଵାରା ନିୟନ୍ତ୍ରିତ ହେଉ, ଉଭୟ ସରକାର ଦ୍ଵାରା ଶାସିତ ହେଉ ଓ ଉଭୟ ସ୍ତରର ନ୍ୟାୟାଳୟରୁ ନ୍ୟାୟ ପାଉ । ସରକାରର ସମସ୍ତ ତିନୋଟି ବିଭାଗ କାର୍ଯ୍ୟନିଏବାହୀ, ଆଇନପ୍ରଣୟନକାରୀ ଓ ନ୍ୟାୟପାଳିକା ଉଭୟ ସ୍ତରରେ ରହିଛି ଓ କାର୍ଯ୍ୟ କରୁଛି । ପ୍ରଶାସନିକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଜାଣିବା ପାଇଁ ଏହି ଅଧ୍ୟାୟରେ ରାଜ୍ୟ ସରକାରର ବିଭିନ୍ନ ସଂସ୍ଥା ଓ ତାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇଛି ।
“ସାମ୍ବିଧାନିକ ବୈଶିଷ୍ଟ୍ୟ ଓ ଭାରତୀୟ ରାଜନୈତିକ ବ୍ୟବସ୍ଥା” ଅଧ୍ୟାୟରେ ତୁମେ ପଢିଛଯେ, ଭାରତରେ ଗୋଟିଏ ସଂସଦୀୟ ଗଣତାନ୍ତ୍ରିକ ସରକାର ରହିଛି । ଅନ୍ୟ କୌଣସି ସ୍ଥାନର ସଂସଦୀୟ ପଦ୍ଧତି ଭଳି ଏଠାରେ ମଧ୍ୟ ଉଭୟ ରାଜ୍ୟ ଓ କେନ୍ଦ୍ର ସ୍ତରରେ ଅନୁଷ୍ଠାନ ଓ ବ୍ୟବସ୍ଥା ମାନ ରହିଛି । ରାଜ୍ୟ ସ୍ତରରେ ଜେନ ରାଜ୍ୟପାଳ ଅଛନ୍ତି ଯାହାଙ୍କ ହାତରେ ସମସ୍ତ କାର୍ଯ୍ୟନିର୍ବାହୀ କ୍ଷମତା ସମ୍ବିଧାନ ଦ୍ଵାରା ପ୍ରଦତ୍ତ ହୋଇଛି । କିନ୍ତୁ ପ୍ରକୃତରେ ରାଜ୍ୟପାଳ ଜଣେ ନାମମାତ୍ର ମୁଖ୍ୟଭଳି କାର୍ଯ୍ୟ କରନ୍ତି ଏହା ପ୍ରକୃତ ପ୍ରଶାସନିକ କ୍ଷମତା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵାଧୀନ ମନ୍ତ୍ରୀ ପରିଷଦ ହାତରେ ନ୍ୟସ୍ତ ।
ନିଯୁକ୍ତି
ରାଜ୍ୟର ରାଜ୍ୟପାଳ ଭାରତର ରାଷ୍ଟ୍ରପତିଙ୍କ ଦ୍ଵାରା ନିଯୁକ୍ତି ପାଆନ୍ତି । ରାଜ୍ୟପାଳ ହେବା ପାଇଁ ଜଣେ ବ୍ୟକ୍ତିର ନିମ୍ନଲିଖିତ ଯୋଗ୍ୟତା ରହିବା ଆବଶ୍ୟକ ।
ଯଦି ଜଣେ ବ୍ୟକ୍ତି ସଂସଦର ଉଭୟ ଗୃହ କିମ୍ବା ରାଜ୍ୟ ବ୍ୟବସ୍ଥାପକ ସଭାର ସଦସ୍ୟ କିମ୍ବା କେନ୍ଦ୍ର ବା ରାଜ୍ୟ ସ୍ତରରେ ମନ୍ତ୍ରୀ ପରିଷଦର ଜଣେ ସଦସ୍ୟ ହୋଇଥିବେ, ରାଜ୍ୟପାଳ ପଦରେ ନିଯୁକ୍ତି ପାଇଲାପରେ ସେହି ପଦରୁ ଇସ୍ତଫାଦେବାକୁ ପଡିବ । ରାଜ୍ୟପାଳ ୫ ବର୍ଷ ପାଇଁ ନିଯୁକ୍ତି ପାଆନ୍ତି କିନ୍ତୁ ସାଧାରଣତଃ ରାଷ୍ଟ୍ରପତିଙ୍କ ବିଶ୍ଵାସ ଭାଜନ ହେଲା ପର୍ଯ୍ୟନ୍ତ ଏହି ପଦରେ ରହନ୍ତି । ଏହାର ଅର୍ଥ ରାଜ୍ୟପାଳ ତାଙ୍କର କାର୍ଯ୍ୟକାଳ ସମାପ୍ତି ପୂର୍ବରୁ ପଦଚ୍ୟୁତ ହୋଇ ପାରନ୍ତି । ସେ ମଧ୍ୟ କାର୍ଯ୍ୟକାଳ ପୂରିବା ପୂର୍ବରୁ ଇସ୍ତଫା ଦେଇ ପାରନ୍ତି । ପ୍ରକୃତପକ୍ଷେ ଯେତେବେଳେ ରାଜ୍ୟପାଳଙ୍କୁ ନିଯୁକ୍ତି ବା ପଦଚ୍ୟୁତ କରାଯାଏ, ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କର ପରାମର୍ଶ ଅନୁସାରେ ଏହା କରନ୍ତି ।
ରାଜ୍ୟପାଳଙ୍କ କ୍ଷମତା
ପ୍ରତ୍ୟକ ପଦବୀ ସହିତ କିଛି କ୍ଷମତା ସଂଯୋଜିତ ହୋଇଛି । ରାଜ୍ୟର ମୁଖ୍ୟ ଭାବରେ ନିଜର କାର୍ଯ୍ୟ ଦକ୍ଷତାର ସହ ସମ୍ପାଦନ କରିବାପାଇଁ ରାଜ୍ୟପାଳଙ୍କୁ ସମ୍ବିଧାନ ଦ୍ଵାରା କେତେକ ପ୍ରଦାନ କରାଯାଇଛି ।
ରାଜ୍ୟପାଳଙ୍କ କ୍ଷମତାକୁ ନିମ୍ନଶୀର୍ଷକ ଅନୁଯାୟୀ ଆଲୋଚନା କରି ପାରିବା ।
କାର୍ଯ୍ୟନିର୍ବାହୀ କ୍ଷମତା
ଭାରତୀୟ ସମ୍ବିଧାନରେ ରାଜ୍ୟର ସମସ୍ତ କାର୍ଯ୍ୟନିର୍ବାହୀ କ୍ଷମତା ରାଜ୍ୟପାଳଙ୍କ ଉପରେ ନ୍ୟସ୍ତ ହୋଇଛି । ସେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵରେ ପରିଚାଳିତ ମନ୍ତ୍ରୀପରିଷଦର ସାହାଯ୍ୟ ଓ ପରାମର୍ଶରେ ଏହି କାର୍ଯ୍ୟ ସମ୍ପାଦନ କରିଥାନ୍ତି । ସେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତି କରିଥାନ୍ତି । ସେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ନିଯୁକ୍ତି ଦିଅନ୍ତି । ଯଥା – ରାଜ୍ୟ ଲୋକସେବା ଆୟୋଗର ସଭାପତି ଓ ସଦସ୍ୟ, ରାଜ୍ୟ ନିର୍ବାଚନ ଆୟୋଗର ସଭାପତି ଓ ସଦସ୍ୟ, ରାଜ୍ୟ ବିତ୍ତୀୟ ଆୟୋଗର ସଭାପତି ଓ ସଦସ୍ୟ, ରାଜ୍ୟ ମହାଧିବକ୍ତା ଉଚ୍ଚନ୍ୟାୟାଳୟ ବ୍ୟତୀତ ରାଜ୍ୟର ଅନ୍ୟ ନ୍ୟାୟାଳୟର ବିଚାରପତି । ରାଜ୍ୟର ଉଚ୍ଚନ୍ୟାୟାଳୟର ବିଚାର ପତି ନିଯୁକ୍ତି ସମୟରେ ରାଷ୍ଟ୍ରପତି ରାଜ୍ୟପାଳଙ୍କ ସହ ପରାମର୍ଶ କରନ୍ତି , କିତନୁ ପ୍ରକୃତ କ୍ଷେତ୍ରରେ ରାଜ୍ୟପାଳଙ୍କ କ୍ଷମତା କେବଳ ନିୟମାନୁଗତ । ରାଜ୍ୟ ବିଧାନସଭାରେ ସଂଖ୍ୟା ଗରିଷ୍ଠ ଦଳର ନେତାଙ୍କୁ ସେ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଅନ୍ତି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ମନ୍ତ୍ରୀ ପରିଷଦର ଅନ୍ୟ ସଦସ୍ୟ ମାନଙ୍କୁ ନିଯୁକ୍ତି ଦିଅନ୍ତି । ଅନ୍ୟ ସମସ୍ତ ନିଯୁକ୍ତି ଓ କାର୍ଯ୍ୟ ନିର୍ବାହୀ କ୍ଷମତା ଗୁଡିକ ସେ ମନ୍ତ୍ରୀ ପରିଷଦ ପରାମର୍ଶରେ ସମ୍ପାଦନ କରିଥାନ୍ତି ।
ଆଇନ ପ୍ରଣୟନ କ୍ଷମତା
ରାଜ୍ୟପାଳ ହେଉଛନ୍ତି ରାଜ୍ୟ ବ୍ୟବସ୍ଥାପକ ସଭାର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ସେଥିପାଇଁ ତାଙ୍କର ଅନେକ ଗୁଡିଏ ଆଇନ ପ୍ରଣୟନକାରୀ କ୍ଷମତା ରହିଛି । ସେ ରାଜ୍ୟ ବିଧାନସଭା ଅଧିବେଶନ ଗୁଡିକ ଡକାନ୍ତି ଓ ମୁଲତବୀ କରନ୍ତି ଏବଂ ରାଜ୍ୟ ବିଧାନ ସଭାକୁ ଭଙ୍ଗ କରି ପାରନ୍ତି । ସେ ରାଜ୍ୟ ବିଧାନସଭାକୁ କିମ୍ବା ରାଜ୍ୟ ବ୍ୟବସ୍ଥାପକ ସଭାର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରନ୍ତି । ସେ ଭାରତୀୟ ଇଂରେଜ ଅଧିବାସୀ ସମ୍ପ୍ରଦାୟ ର ଗୋଟିଏ ବ୍ୟକ୍ତିକୁ ବିଧାନସଭାର ସଦସ୍ୟ ରୂପେ ମନୋନୀତ କରିପାରନ୍ତି । ଯଦି ସେହି ସମ୍ପ୍ରଦାୟର କେହି ନିର୍ବାଚିତ ହୋଇନଥାନ୍ତି । ସେ ବିଧାନ ପରିଷଦକୁ ଏକ ଷଷ୍ଠାଂଶ ସଦସ୍ୟଙ୍କୁ ମନୋନୀତ କରନ୍ତି ଯଦି ରାଜ୍ୟରେ ବ୍ୟବସ୍ଥାପକ ସଭା ଦୁଇଟି ଗୃହ ବିଶିଷ୍ଟ ହୋଇଥାଏ । ପ୍ରକୃତ କ୍ଷେତ୍ରରେ ରାଜ୍ୟପାଳ ଏ ସମସ୍ତ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵାଧୀନ ରାଜ୍ୟ ମନ୍ତ୍ରୀ ପରିଷଦର ସୁପାରିଶ ଅନୁସାରେ କରିଥାନ୍ତି । ବିଧାନ ସଭାରେ ପାରିତ ହୋଇଥିବା ଗୋଟିଏ ବିଲ୍/ଚିଠା ପ୍ରସ୍ତାବକୁ ରାଜ୍ୟପାଳ ମଞ୍ଜୁରୀ ଦେଲେ, ଏହା ଆଇନରେ ପରିଣତ ହୋଇଥାଏ ।
ଆର୍ଥିକ କ୍ଷମତା
ତୁମେ ସମ୍ବାଦ ପତ୍ରରେ ପଢିଥିବା ଯେ, ପ୍ରତିବର୍ଷ ସରକାରଙ୍କ ଦ୍ଵାରା ବାର୍ଷିକ ବିତ୍ତୀୟ ବିବୃତ୍ତି ବିଧାନ ସଭାରେ ମଞ୍ଜୁର ପାଇଁ ଉପସ୍ଥାପିତ କରାଯାଏ । ପ୍ରକୃତ ପକ୍ଷେ ରାଜ୍ୟର ବାର୍ଷିକ ବିତ୍ତୀୟ ବିବୃତ୍ତି ରାଜ୍ୟ ପାଳଙ୍କ ତରଫରୁ ରାଜ୍ୟର ଅର୍ଥମନ୍ତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ହୋଇ ବିଧାନସଭାରେ ଉପସ୍ଥାପିତ ହୁଏ । ରାଜ୍ୟପାଳଙ୍କ ସ୍ଵୀକୃତି ବିନା କୌଣସି ଅର୍ଥବିଲ ରାଜ୍ୟ ବିଧାନସଭାରେ ଆଗତ କରାଯାଇ ପାରିବ ନାହିଁ । ରାଜ୍ୟର ସାମ୍ଭାବ୍ୟ ପାଣ୍ଠି ଉପରେ ମଧ୍ୟ ରାଜ୍ୟପାଳଙ୍କର ନିୟନ୍ତ୍ରଣ ଥାଏ ।
ଇଚ୍ଛାଧିନ କ୍ଷମତା
ଆମେ ଆଗରୁ ଦେଖିଛୁ ଯେ, ରାଜ୍ୟ ମନ୍ତ୍ରୀ ପରିଷଦର ଉପଦେଶ ନୌଯାୟୀ ରାଜ୍ୟପାଳ କାର୍ଯ୍ୟ କରନ୍ତି । ଏହାର ଅର୍ଥ ହେଉଛି, ପ୍ରକୃତ ପକ୍ଷେ ରାଜ୍ୟପାଳଙ୍କର କ୍ଷମତା ସୀମିତ । କିନ୍ତୁ ସମ୍ବିଧାନ ଅନୁସାରେ କୌଣସି ସ୍ଵତନ୍ତ୍ର ପରିସ୍ଥିତିରେ ସେ ମଧ୍ୟ ମନ୍ତ୍ରୀପରିଷଦର ବିନା ଉପଦେଶରେ କାର୍ଯ୍ୟ କରିଥାନ୍ତି । ଏହି ପରି ନିଜ ଇଚ୍ଛା ଅନୁସାରେ ବ୍ୟବହାର କରୁଥିବା କ୍ଷମତାକୁ ରାଜ୍ୟପାଳଙ୍କର ଇଚ୍ଛାଧିନ କ୍ଷମତା କୁହାଯାଏ । ପ୍ରଥମତଃ ଯଦି କୌଣସି ଗୋଟିଏ ରାଜନୈତିକ ଡାକ କିମ୍ବା ମିଳିତ ଦଳ ଗୁଡିକ ବିଧାନସଭାରେ ସଂପୂର୍ଣ୍ଣ ସଂଖ୍ୟା ଗରିଷ୍ଠ ନହୁଅନ୍ତି, ସେ ନିଜର ଇଚ୍ଛାଧିନ କ୍ଷମତା ବ୍ୟବହାର କରି ଜଣକୁ ମୁଖ୍ୟମନ୍ତ୍ରୀ ହେବାପାଇଁ ଆମନ୍ତ୍ରଣ କରନ୍ତି ଦ୍ଵିତୀୟତଃ ରାଜ୍ୟପାଳ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ଵୟ ରକ୍ଷା କରନ୍ତି । ରାଜ୍ୟ ବ୍ୟବସ୍ଥାପକ ସଭାରେ ପାରିତ ହୋଇଥିବା ଯେକୌଣସି ବିଲ୍ କୁ ରାଷ୍ଟ୍ରପତିଙ୍କର ଅନୁ ମୋଦନ ପାଇଁ ସ୍ଥଗିତ ରଖିପାରନ୍ତି । ତୃତୀୟତଃ ଯଦି ସେ ଭାବନ୍ତି ଯେ, ରାଜ୍ୟ ସରକାର ସମ୍ବିଧାନ ଅନୁସାରେ କାର୍ଯ୍ୟ କରୁନାହାଁନ୍ତି, ସେ ରାଷ୍ଟ୍ରପତିଙ୍କୁ ସେହି ମର୍ମରେ ନିଜର ମତାମତ ପଠାନ୍ତି । ଏହି କ୍ଷେତ୍ରରେ ଧାରା ଅନୁସାରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଯାଏ । ରାଜ୍ୟ ମନ୍ତ୍ରୀ ପରିଷଦକୁ ପଦଚ୍ୟୁତ କରାଯାଏ ଏବଂ ରାଜ୍ୟ ବିଧାନସଭାକୁ ଭାଙ୍ଗି ଦିଆଯାଏ, କିମ୍ବା ନିଲମ୍ବିତ କରାଯାଏ । ଏହି ଜରୁରୀକାଳୀନ ଅବସ୍ଥା ସମୟରେ ରାଜ୍ୟପାଳ ରାଷ୍ଟ୍ରପତିଙ୍କ ତରଫରୁ ରାଜ୍ୟ ଶାସନ କରନ୍ତି ।
ରାଜ୍ୟପାଳ ଓ ମନ୍ତ୍ରୀପରିଷଦ ମଧ୍ୟରେ ସମ୍ପର୍କ
ଆମେ ପୂର୍ବରୁ ଦେଖିଛୁଯେ, ରାଜ୍ୟ କାର୍ଯ୍ୟନିର୍ବାହୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦକୁ ନେଇ ଗଠିତ । ସାଧାରଣତଃ ରାଜ୍ୟପାଳ ତାଙ୍କର ସମସ୍ତ କ୍ଷମତା ମନ୍ତ୍ରୀପରିଷଦର ପରାମର୍ଶରେ କାର୍ଯ୍ୟକାରୀ କରନ୍ତି । ଆମେ ଜାଣିଛୁ ଯେ, ସେତେବେଳେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରନ୍ତି, ରାଜ୍ୟପାଳ ନିୟମାନୁଗତ ଭାବରେ ତାଙ୍କର ଦାୟିତ୍ଵ ସମାପନ କରିଥାନ୍ତି । ସେ ବିଧାନସଭାର ସଂଖ୍ୟା ଗରିଷ୍ଠ ଦଳର ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଆମନ୍ତ୍ରଣ କରିଥାନ୍ତି । ମନ୍ତ୍ରୀପରିଷଦର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ ଅନୁସାରେ ରାଜ୍ୟପାଳଙ୍କ ଦ୍ଵାରା ନିଯୁକ୍ତି ପାଆନ୍ତି । ବିଧାନସଭାର ସଂଖ୍ୟାଗରିଷ୍ଠ କହିଲେ ଗୋଟିଏ ଦଳ କିମ୍ବା ଅନେକ ଗୁଡିଏ ଦଳ କିମ୍ବା ନିର୍ଦ୍ଦଳୀୟ ସଭ୍ୟଙ୍କୁ ନେଇ ଗଠିତ ହୋଇପାରେ । ଯେତେବେଳେ ବିଧାନସଭାରେ ନେତା ବାଛିବା ପାଇଁ ସମ୍ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ମିଳେନାହିଁ, ସେତେବେଳୀ ରାଜ୍ୟପାଳ ତାଙ୍କର ଇଚ୍ଛାଧୀନ କ୍ଷମତା ବ୍ୟବହାର କରନ୍ତି । ସେହିପରି ଯଦିଓ ସାଧାରଣ ନିୟମ ଅନୁସାରେ ମନ୍ତ୍ରୀ ମାନଙ୍କ କାର୍ଯ୍ୟରେ ରାଜ୍ୟପାଳ ସନ୍ତୁଷ୍ଟ ଥିବା ପର୍ଯ୍ୟନ୍ତ ସେମାନେ ପଦବୀରେ ରହନ୍ତି, କିନ୍ତୁ ପ୍ରକୃତ କାର୍ଯ୍ୟ କ୍ଷେତ୍ରରେ ମୁଖ୍ୟ ମନ୍ତ୍ରୀ ଓ ତାଙ୍କର ମନ୍ତ୍ରୀପରିଷଦ ଯେ ପର୍ଯ୍ୟନ୍ତ ବିଧାନସଭାରେ ସଂଖ୍ୟା ଗରିଷ୍ଠ ସଦସ୍ୟଙ୍କ ସମର୍ଥନ ଲାଭ କରୁଥିବେ, ସେ ପର୍ଯ୍ୟନ୍ତ ନିଜ ପଦରେ ରହନ୍ତି । ଯେତେବେଳେ ରାଷ୍ଟ୍ରପତି ଶାସନ ଜାରି କରାଯାଏ, ସେତେବେଳେ ରାଜ୍ୟପାଳ ସେମାନଙ୍କୁ ବହିସ୍କାର କରିପାରିବେ ।
ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ପରିଷଦର ସମସ୍ତ ସିଦ୍ଧାନ୍ତ ରାଜ୍ୟପାଳଙ୍କୁ ଜଣାଇଥାନ୍ତି । ସେ ମଧ୍ୟ ରାଜ୍ୟଶାସନ ସମ୍ପର୍କୀୟ ସୂଚନା ମାଗିପାରନ୍ତି । ଯଦି ଜଣେ ମନ୍ତ୍ରୀ ଏକାକୀ କୌଣସି ସିଦ୍ଧାନ୍ତ ନେଇଥାନ୍ତି, ତେବେ ସେହି ବିଷୟକୁ ମନ୍ତ୍ରୀପରିଷଦର ବିଚାର ପାଇଁ ଉପସ୍ଥାପିତ କରିବାକୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇପାରନ୍ତି । ଏହା ସତ୍ୟଯେ, ରାଜ୍ୟପାଳ ଜଣେ ନାମ ମାତ୍ର ମୁଖ୍ୟ ଏବଂ ପ୍ରକୃତ କ୍ଷମତା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵାଧୀନ ମନ୍ତ୍ରୀପରିଷଦ ଦ୍ଵାରା କାର୍ଯ୍ୟକାରୀ ହୋଇଥାଏ । ଏହା କୁହାଯାଇ ପାରିବ ନାହିଁ ଯେ, ରାଜ୍ୟପାଳ କେବଳ ସାମ୍ବିଧାନିକ କିମ୍ବା ଅଳଙ୍କାରିକ ମୁଖ୍ୟ । କାରଣ ସେ ତାଙ୍କର କ୍ଷମତା ଦକ୍ଷତାର ସହିତ କେତେକ ନିର୍ଦ୍ଧିଷ୍ଟ ପରିସ୍ଥିତିରେ କାର୍ଯ୍ୟକାରୀ କରିପାରିବେ । ଯେତେବେଳେ ରାଜ୍ୟରେ ରାଜନୈତିକ ଅସ୍ଥିରତା ଦେଖାଯାଏ, କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସଂଯୋଗ ରକ୍ଷା କରୁଥିବାରୁ ସେ ବିଶେଷ ପ୍ରଭାବଶାଳୀ ହୋଇଥାନ୍ତି ଯଦି କେନ୍ଦ୍ରସରକାର ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥାନ୍ତି । ନିଜର ଇଚ୍ଛାଧିନ କ୍ଷମତା ବଳରେ ରାଜ୍ୟପାଳ କେତେକ ପରିସ୍ଥିତିରେ ପ୍ରକୃତ କାର୍ଯ୍ୟନିର୍ବାହୀ। ପ୍ରଶାସକ ଭଳି କାର୍ଯ୍ୟ କରନ୍ତି ।
ନିଯୁକ୍ତି
ଆମେ ପୂର୍ବରୁ ଜାନୁଛୁଯେ, ମୁଖ୍ୟମନ୍ତ୍ରୀ ଓ ତାଙ୍କ ନେତୃତ୍ଵାଧିନ ମନ୍ତ୍ରୀ ପରିଷଦ ରାଜ୍ୟର ପ୍ରକୃତ କାର୍ଯ୍ୟ ନିର୍ବାହକ । ତୁମେ ମଧ୍ୟ ଜାଣିଛ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦର ଅନ୍ୟାନ୍ୟ ମନ୍ତ୍ରୀମାନେ କିପରି ରାଜ୍ୟପାଳଙ୍କ ଦ୍ଵାରା ନିଯୁକ୍ତି ପାଆନ୍ତି । ତାଙ୍କର କାର୍ଯ୍ୟକାଳ ୫ବର୍ଷ । କିନ୍ତୁ ଯେତେଦିନ ପର୍ଯ୍ୟନ୍ତ ସେମାନେ ବିଧାନସଭାର ସଂଖ୍ୟାଗରିଷ୍ଠ ସମର୍ଥନ ଲାଭ କରନ୍ତି, ସେ ପର୍ଯ୍ୟନ୍ତ ପଦବୀରେ ରହନ୍ତି । ଯଦି ଜଣେ ବ୍ୟକ୍ତି ଯେକି ମୁଖ୍ୟମତ୍ରୀ କିମ୍ବା ଜଣେ ମନ୍ତ୍ରୀ ଭାବରେ ନିଯୁକ୍ତି ପାଇଥାନ୍ତି ଏବଂ ସେ ବିଧାନସଭାର ସଦସ୍ୟ ନୁହଁନ୍ତି, ତାଙ୍କୁ ନିଯୁକ୍ତି ପାଇବାର ୬ମାସ ମଧ୍ୟରେ ବ୍ୟବସ୍ଥାପକ ସଭାର ଯେକୌଣସି ଗୋଟିଏ ସଦନର ସଭ୍ୟ ହେବାକୁ ପଡିବ । ମୁଖ୍ୟମନ୍ତ୍ରୀଙ୍କର ପରାମର୍ଶରେ ରାଜ୍ୟପାଳ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଥାନ୍ତି ।
ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦର କାର୍ଯ୍ୟ
ତୁମେ ମଧ୍ୟ ଜାଣିଥିବଯେ, ଯେତେବେଳେ ରାଜ୍ୟରେ କିଛି ଘଟନା ଘଟେ, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରାଯାଏ । ଯଦି ଭଲ କଥା ଘଟେ, ତାଙ୍କୁ ପ୍ରଶଂସା କରାଯାଏ ଓ ଯଦି ଖରାପ କଥା ଘଟେ, ତେବେ ସେ ସମାଲୋଚିତ ହୁଅନ୍ତି । ଏପରି କାହିଁକି ହୁଏ ? ପ୍ରକୃତରେ ମୁଖ୍ୟମନ୍ତ୍ରୀ ରାଜ୍ୟସରକାରର ମୁଖ୍ୟ ଅଟନ୍ତି । ତେଣୁ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ସେ –
ମୁଖ୍ୟମନ୍ତ୍ରୀଙ୍କର ସ୍ଥିତି
ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରକୃତ କାର୍ଯ୍ୟନିର୍ବାହୀ ମୁଖ୍ୟ । ସେ ରାଜ୍ୟର ନୀତିନିର୍ଦ୍ଧାରଣ କରନ୍ତି ଓ ରାଜ୍ୟ ମନ୍ତ୍ରୀ ପରିଷଦର ସଦସ୍ୟ ମାନଙ୍କୁ ତାହା କାର୍ଯ୍ୟକାରୀ କରିବା ପାଇଁ ମାର୍ଗ ପ୍ରଦର୍ଶନ କରନ୍ତି । ମୁଖ୍ୟତଃ ଯେତେବେଳେ ଗୋଟିଏ ରାଜନୈତିକ ଦଳର ବିଧାନସଭାରେ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ରହିଥାଏ, ସେତେବେଳେ ସେ ସବୁଠାରୁ କ୍ଷମତାଶାଳୀ ଅଟନ୍ତି । ଯେତେବେଳେ ସେ ଗୋଟିଏ ମିଳିତ ମନ୍ତ୍ରୀମଣ୍ଡଳର ମୁଖ୍ୟ ହୋଇଥାନ୍ତି, ତାଙ୍କର କ୍ଷମତା ମିଳିତ ସହଯୋଗୀ ଦଳର ପ୍ରଭାବଦ୍ଵାରା ସଙ୍କୁଚିତ ହୋଇଯାଏ । ଯଦି ବିଧାନସଭାରେ ତାଙ୍କର ସଂଖ୍ୟାଗରିଷ୍ଠତା ନ୍ୟୁନ ଥାଏ, ତେବ ସେ ଅଳ୍ପ କେତେକ ନିର୍ଦ୍ଦଳୀୟ (ସ୍ଵାଧୀନ) ସଦସ୍ୟଙ୍କ ଦ୍ଵାରା ଚାପଗ୍ରସ୍ତ ହୋଇଥାନ୍ତି ।
ରାଜ୍ୟ ବିଧାନ ସଭା
ପ୍ରତ୍ୟକ ରାଜ୍ୟରେ ଗୋଟିଏ ବ୍ୟବସ୍ଥାପକ ସଭା ରହିଛି । ତୁମେ ନିମ୍ନରେ କର୍ଣ୍ଣାଟକର ବ୍ୟବସ୍ଥାପକ ସଭା ଦେଖୁଛ ,
ବର୍ତ୍ତମାନ ଦେଖିବା କିପରି ରାଜ୍ୟ ବ୍ୟବସ୍ଥାପକ ସଭା ଗଠିତ ହୋଇଛି । କେତେକ ରାଜ୍ୟରେ ଏହି ବ୍ୟବସ୍ତାହାପକସଭା ଦୁଇଗୃହ ବିଶିଷ୍ଟ । ଅଧିକାଂଶ ରାଜ୍ୟରେ ର୍କା ଗୃହ ବିଶିଷ୍ଟ । ରାଜ୍ୟପାଳ ରାଜ୍ୟ ବ୍ୟବସ୍ଥାପକ ସଭାର ଅବିଛେଦ୍ୟ ଅଙ୍ଗ । ଏକ ଗୃହ ବିଶିଷ୍ଟ ବ୍ୟବସ୍ଥାପକ ସଭା ରାଜ୍ୟରେ ବିଧାନସଭା ଓ ଦୁଇ ଗୃହଥିବା ରାଜ୍ୟରେ ବିଧାନସଭା ଯାହାକି ନିମ୍ନଗୃହ ଓ ବିଧାନ ପରିଷଦ ଉଚ୍ଚତର ଗୃହ ରହିଛି । ବର୍ତ୍ତମାନ କେବଳ ବିହାର, ଜାମ୍ମୁକାଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରେ ଦ୍ଵିଗୃହ ବିଶିଷ୍ଟ ବ୍ୟବସ୍ଥାପକ ସଭା ରହିଛି ଏବଂ ଅବଶିଷ୍ଟ ୨୩ଟି ରାଜ୍ୟରେ ଏକ ଗୃହ ବିଶିଷ୍ଟ ବ୍ୟବସ୍ଥାପକ ସଭା ରହିଛି ।
ବିଧାନସଭାର ଗଠନ
ବିଧାନସଭା ହେଉଛି ପ୍ରକୃତ ବ୍ୟବସ୍ଥାପକ ସଭା । ଏପରିକି ଦୁଇ ଗୃହ ବିଶିଷ୍ଟ ବ୍ୟବସ୍ଥାପକ ସଭା ଥିବା ରାଜ୍ୟରେ ମଧ୍ୟ ବିଧାନସଭା ପ୍ରକୃତ ବ୍ୟବସ୍ଥାପକ ସଭା । ଭାରତର ସମ୍ବିଧାନ ଅନୁସାରେ ରାଜ୍ୟବିଧାନସଭାରେ ସଭ୍ୟସଂଖ୍ୟା ୫୦୦ରୁ ଅଧିକ ହେବନାହିଁ କି ୬୦ରୁ କମ୍ ହେବନାହିଁ । ଯାହାହେଉ ଅତି ଛୋଟରାଜ୍ୟ ଗୋଆ, ସିକିମ୍ ଓ ମିଜୋରାମର ବିଧାନସଭା ଗୁଡିକରେ ୬୦ରୁ କମ୍ ସଦସ୍ୟ ରହିବା ପାଇଁ ଅନୁମତି ଦିଆଯାଇଛି । ବିଧାନସଭାରେ କେତେକ ସ୍ଥାନ ଅନୁସୂଚୀତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ଯଦି ରାଜ୍ୟପାଳ ଅନୁଭବ କରନ୍ତି ଯେ, ଭାରତୀୟ ଇଂରେଜ ଅଧିବାସୀ ସମ୍ପାଦାୟକୁ ଉପଯୁକ୍ତ ପ୍ରତିନିଧିତ୍ଵ ମିଳିନାହିଁ, ତେବେ ସେ ସେହି ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ରାଜ୍ୟ ବିଧାନ ସଭାକୁ ମନୋନୀତ କରିପାରନ୍ତି । ରାଜ୍ୟ ବିଧାନସଭା ଗୋଟିଏ ନିର୍ବାଚିତ ସଂସ୍ଥା । ଏହାର ସଭ୍ୟମାନେ (MLA) ଲୋକମାନଙ୍କ ଦ୍ଵାରା ସାର୍ବଜନୀନ ସାବାଳକ ମତାଧିକାର ଉପରେ ଆଧାରିତ ନିୟମ ଦ୍ଵାରା ନିର୍ବାଚିତ ହୁଅନ୍ତି । ବିଧାନସଭାର ସଦସ୍ୟ (MLA) ଭାବରେ ନିର୍ବାଚିତ ହେବାପାଇଁ ସମ୍ବିଧାନରେ କେତେକ ନିୟମ ଉଲ୍ଲିଖିତ ହୋଇଛି । ବିଧାନସଭାର ସଦସ୍ୟ ହେବାପାଇଁ ଜଣେ ବ୍ୟକ୍ତି :
ବିଧାନସଭାର କାର୍ଯ୍ୟକାଳ ୫ ବର୍ଷ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ରାଜ୍ୟପାଳ ବିଧାନସଭାକୁ ଆଗରୁ ଭାଙ୍ଗିଦେଇ ପାରନ୍ତି । ସେହିପରି ରାଷ୍ଟ୍ରପତି ଶାସନ ଜାରୀ କରାଗଲେ, ରାଜ୍ୟପାଳଙ୍କ ଦ୍ଵାରା ବିଧାନସଭାକୁ ନିଲମ୍ବିତ କରାଯାଇପାରେ ବା ଭାଙ୍ଗିଦିଆଯାଇପାରେ । ଜାତୀୟ ଜରୁରୀକାଳୀନ ଅବସ୍ଥା ସମୟରେ ସଂସଦ ରାଜ୍ୟବିଧାନସଭାର କାର୍ଯ୍ୟକାଳକୁ ବୃଦ୍ଧିକରି ପାରନ୍ତି କିନ୍ତୁ ତାହା ଏକାଦିକ୍ରମେ ଏକବର୍ଷରୁ ଅଧିକ ହେବନାହିଁ ।
ବିଧାନ ପରିଷଦର ଗଠନ
ରାଜ୍ୟ ବ୍ୟବସ୍ଥାପକ ସଭାର ଉଚ୍ଚତର ଗୃହ ବିଧାନ ପରିଷଦରେ ରାଜ୍ୟ ବିଧାନସଭାର ମୋଟ ସଭ୍ୟ ସଂଖ୍ୟାର ଏକ ତୃତୀୟାଂଶରୁ ଅଧିକ ସଦସ୍ୟ ରହିପାରିବେ ନାହିଁ କିନ୍ତୁ କୌଣସି ସ୍ଥଳେ ଏହି ସଂଖ୍ୟା ୪୦ରୁ କମ୍ ହେବନାହିଁ । ଜାମ୍ମୁକାଶ୍ମୀର ବିଧାନପରିଷଦରେ ୩୬ଜଣ ସଦସ୍ୟ ଅହହନ୍ତି, ଏହା ଏକ ବ୍ୟତିକ୍ରମ । ବିଧାନପରିଷଦର କେତେକ ସଦସ୍ୟ ପରୋକ୍ଷ ପଦ୍ଧତିରେ ନିର୍ବାଚିତ ହୁଅନ୍ତି ଓ କେତେକ ମନୋନୀତ ହୁଅନ୍ତି ।
ବିଧାନ ପରିଷଦ ନିମ୍ନ ପ୍ରକାରରେ ଗଠିତ
ରାଜ୍ୟ ବ୍ୟବସ୍ଥାପକ ସଭାର ଅଧିବେଶନ ବର୍ଷକୁ ଅତି କମ୍ ରେ ଦୁଇଥର ବସେ ଓ ଦୁଇଟି ଅଧିବେଶନ ମଧ୍ୟରେ ପାର୍ଥକ୍ୟ ୬ମାସରୁ ଅଧିକ ହେବନାହିଁ । ବିଧାନସଭା ଓ ବିଧାନ ପରିଷଦ ନିଜ ନିଜର ପୀଠାସୀନ ଅଧିକାରୀ (ବାଚସ୍ପତି ଓ ଉପବାଚସ୍ପତି, ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ) ଅଛନ୍ତି । ଉଭୟ ଗୃହର କାର୍ଯ୍ୟ ନିଜ ନିଜର ପୀଠାସୀନ ଅଧିକାରୀଙ୍କ ଦ୍ଵାରା ପରିଚାଳିତ ହୁଏ । ସେ ମଧ୍ୟ ଗୃହର ଶୃଙ୍ଖଳା ରକ୍ଷାକରନ୍ତି ।
ରାଜ୍ୟ ବ୍ୟବସ୍ଥାପକ ସଭାର କାର୍ଯ୍ୟ
ରାଜ୍ୟ ବ୍ୟବସ୍ଥାପକ ସଭା ନିମ୍ନୋକ୍ତ ଶ୍ରେଣୀର କାର୍ଯ୍ୟ ସମ୍ପାଦନ କରନ୍ତି –
ନାଗରିକ ଓ ସେମାନଙ୍କର ନିତିଦିନିଆ ଜୀବନରେ ରାଜ୍ୟ ସରକାରର ପ୍ରଭାବ
ରାଜ୍ୟସରକାରଙ୍କ ନୀତି ଓ କାର୍ଯ୍ୟକ୍ରମ ଯାହାକି ରାଜ୍ୟ ବ୍ୟବସ୍ଥାପକ ସଭାରେ ବାରମ୍ବାର ଆଲୋଚିତ ହୁଏ । ତାହା ଆମର ନିତିଦିନିଆ ଜୀବନକୁ କିପରି ପ୍ରଭାବିତ କରେ ? ସବୁରାଜ୍ୟ ଅନେକଗୁଡିଏ ପଦ୍ଧତି ଓ ଯୋଜନା କାର୍ଯ୍ୟକାରୀ କରନ୍ତି, ଯାହାକି ଆମକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ପ୍ରଭାବିତ କରିଥାଏ । ବିଭିନ୍ନ ରାଜ୍ୟ ସରକାର ଅନେକ ଜନମଙ୍ଗଳକାରୀ ଯୋଜନା କାର୍ଯ୍ୟକାରୀ କରିଥାନ୍ତି । ବିଭିନ୍ନ ସମୟରେ ରାଜ୍ୟଗୁଡିକ କେନ୍ଦ୍ର ସରକାରଙ୍କର ଜନମଙ୍ଗଳର ଯୋଜନା ମାନ ଗ୍ରହଣ କରି ତାକୁ କାର୍ଯ୍ୟକାରୀ କରନ୍ତି ।
ଉଦାହରଣ ସ୍ୱରୂପ ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନର ସ୍କୁଲ ଶିକ୍ଷା ବାହାରେ ଥିବା ପିଲାମାନଙ୍କୁ ଆବାସିକ ଶିକ୍ଷା ମାଧ୍ୟମରେ ଶିକ୍ଷାଦେବା ପାଇଁ ଏକ ନୂତନ ଉଦ୍ୟମ କରାଯାଇଛି । ଏଥିରେ ମାନସିକ ଦୁର୍ବଳ ଶ୍ରବଣ ଓ ଦୃଷ୍ଟିଶକ୍ତି ହରାଇଥିବା ଓ ଶାରୀରିକ ଅକ୍ଷମ ପିଲାମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଚେଷ୍ଟା ପିଲାମାନଙ୍କୁ ବିଦ୍ୟାଳୟ ଶିକ୍ଷାର ମୁଖ୍ୟ ସ୍ରୋତରେ ଯୋଗ ଦେବାପାଇଁ ସକ୍ଷମ କରିପାରିଛି । ଗ୍ରହଣ କରାଯାଇଥିବା ଏହି ଶିକ୍ଷା ବ୍ୟବସ୍ଥାରେ ଖେଳ ମାଧ୍ୟମରେ ଶିକ୍ଷା, କମ୍ପ୍ୟୁଟର ବ୍ୟବହାର ମାଧ୍ୟମରେ ଶିକ୍ଷା ପଦ୍ଧତିକୁ ଅନ୍ତର୍ଭୁକ୍ତ କରାଯାଇଛି । କେନ୍ଦ୍ରର ମଧ୍ୟାହ୍ନ ଭୋଜନର ଅଂଶଭାବରେ ଉତ୍ତର ପ୍ରଦେଶରେ ଗରମ ରନ୍ଧା ଖାଦ୍ୟ ୯୫,୦୦୦ରୁ ଅଧିକ ପ୍ରାଥମିକ ବିଦ୍ୟାଳୟ ପିଲାମାନଙ୍କୁ ଯୋଗାଇ ଦିଆଯାଉଛି । ନିର୍ବାଚିତ ଗ୍ରାମ ମୁଖିଆ ଏହି ଯୋଜନା ବିଦ୍ୟାଳୟରେ କାର୍ଯ୍ୟକାରୀ କରିବା ଦାୟିତ୍ଵରେ ଅଛନ୍ତି । ରାଜ୍ୟ ବିଭିନ୍ନ ପ୍ରକାରର ଖାଦ୍ୟ ଯଥା ଗହମ, ଚାଉଳ, ପାରିବା, ସୋୟା, ଡାଲି ଆଦି ଯୋଗାଇ ଦେବାକୁ ଉଦ୍ୟମ କରୁଛି । ମହାରାଷ୍ଟ୍ର ଗୋଟିଏ ବିଦ୍ୟାଳୟ ପରିଚ୍ଛନ୍ନତାଓ ସ୍ୱାସ୍ଥ୍ୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରଚାଳନ କରୁଅଛି, ଯାହା ମାଧ୍ୟମରେ ପିଲାମାନେ ପରିବର୍ତ୍ତନର ନେତୃତ୍ଵ ନେଉଛନ୍ତି । ପିଲାମାନେ ଯେଉଁମାନଙ୍କ “ସ୍ଵେଚ୍ଛତାଦୂତ” କୁହାଯାଉଛି, ସେମାନେ ବିଦ୍ୟାଳୟ, ପରିବାର, ସମ୍ପ୍ରଦାୟ ରେ ପରିଚ୍ଛନ୍ନତା ଓ ସ୍ୱାସ୍ଥ୍ୟର ରକ୍ଷା ସଚେତନତା ଆଣୁଛନ୍ତୁ । ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ କେନ୍ଦ୍ର ସରକାରର ସମ୍ପୂର୍ଣ୍ଣ ପରିମଳ ଅଭିଯାନ ର ଅଂଶବିଶେଷ ଭାବେ କାର୍ଯ୍ୟକାରୀ କରାଯାଉଛି ।
ନାଗାଲାଣ୍ଡ ସରକାର ଲୋକମାନଙ୍କ ସହ ସରକାରୀ ପ୍ରତିଷ୍ଠାନ (ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ ଆଦି) ଗୁଡିକର ପରିଚାଳନା ଓ ନିୟନ୍ତ୍ରଣରେ ଅଂଶଗ୍ରହଣ କରୁଛନ୍ତି ।
ଉଚ୍ଚନ୍ୟାୟାଳୟ ଓ ଅଧସ୍ତନ ନ୍ୟାୟାଳୟ
ତୁମେ ନିଶ୍ଚିତ ଭାବରେ ତୁମରାଜ୍ୟର ଉଚ୍ଚନ୍ୟାୟାଳୟ ବିଷୟ ଶୁଣିଥିବ । ସମ୍ବିଧାନ ଅନୁସାରେ ପ୍ରତ୍ୟକ ରାଜ୍ୟରେ ଗୋଟିଏ ଉଚ୍ଚ ନ୍ୟାୟଳୟ ରହିଛି । ଗୋଟିଏ ଉଚ୍ଚନ୍ୟାୟାଳୟର କ୍ଷେତ୍ରାଧିକାର ମଧ୍ୟରେ ଏକାଧିକ ରାଜ୍ୟ ଥାଇପାରେ । ଉଦାହରଣ ସ୍ୱରୂପ ଗୌହାଟୀ ଉଚ୍ଚନ୍ୟାୟାଳୟ ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମିଜୋରାମ, ମଣିପୁର ଓ ତ୍ରିପୁରା ଆଦି ରାଜ୍ୟମାନଙ୍କ ପାଇଁ ସାଧାରଣ ଉଚ୍ଚନ୍ୟାୟାଳୟ ରୂପେ କାର୍ଯ୍ୟ କରିଥାଏ । କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକ ପ୍ରାୟତଃ ପଡୋଶୀ ରାଜ୍ୟର ଉଚ୍ଚ ନ୍ୟାୟାଳୟର କ୍ଷେତ୍ରାଧିକାର ମଧ୍ୟରେ ଆସିଥାଏ ।
ଉଚ୍ଚନ୍ୟାୟାଳୟର ଗଠନ
ପ୍ରତ୍ୟକ ଉଚ୍ଚନ୍ୟାୟାଳୟରେ ଜଣେ ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତି ରୁହନ୍ତି । ପ୍ରତ୍ୟକ ଉଚ୍ଚନ୍ୟାୟାଳୟର ବିଚାରପତି ସଂଖ୍ୟା ରାଷ୍ଟ୍ରପତିଙ୍କ ଦ୍ଵାରା ସମୟକୁ ସମୟ ନିର୍ଦ୍ଧାରିତ ହୋଇଥାଏ । ସବୁ ଉଚ୍ଚନ୍ୟାୟାଳୟର ବିଚାରପତି ସଂଖ୍ୟା ସମାନ ନୁହେଁ । ଉଚ୍ଚନ୍ୟାୟାଳୟର ପ୍ରଧାନ ବିଚାରପତି ଓ ବିଚାର ପତିମାନେ ରାଷ୍ଟ୍ରପତିଙ୍କ ଦ୍ଵାରା ନିଯୁକ୍ତ ହୁଅନ୍ତି । ଉଚ୍ଚନ୍ୟାୟାଳୟର ମୁଖ୍ୟବିଚାରପତି ନିଯୁକ୍ତି କଲାବେଳେ ରାଷ୍ଟ୍ରପତି ଉଚ୍ଚତମ ନ୍ୟାୟାଳୟ ମୁଖ୍ୟ ବିଚାରପତିଙ୍କର ପରାମର୍ଶ ନିଅନ୍ତି । ଅନ୍ୟାନ୍ୟ ବିଚାରପତି ନିଯୁକ୍ତି ସମୟରେ ରାଷ୍ଟ୍ରପତି ସଂପୃକ୍ତ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କର ପରାମର୍ଶ ନିଅନ୍ତି । ଉଚ୍ଚନ୍ୟାୟାଳୟ ବିଚାରପତି ନିଯୁକ୍ତି ସମୟରେ ସଂପୃକ୍ତ ରାଜ୍ୟର ରାଜ୍ୟପାଳଙ୍କ ପରାମର୍ଶ ନିଆଯାଏ । ଭାରତର ମୁଖ୍ୟ ବିଚାରପତିଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ଗୋଟିଏ ଉଚ୍ଚନ୍ୟାୟାଳୟର ବିଚାର ପତିଙ୍କୁ ଅନ୍ୟ ଉଚ୍ଚନ୍ୟାୟାଳୟକୁ ସ୍ଥାନାନ୍ତର କରିପାରନ୍ତି । ଉଚ୍ଚନ୍ୟାୟାଳୟର ବିଚାରପତି ଭାବରେ ନିଯୁକ୍ତି ପାଇବା ପାଇଁ ଜଣେ ବ୍ୟକ୍ତିର ନିମ୍ନଲିଖିତ ଯୋଗ୍ୟତା ରହିବା ଆବଶ୍ୟକ ।
ଉଚ୍ଚନ୍ୟାୟାଳୟର ବିଚାରପତି ୬୫ ବର୍ଷ ବୟସ ପର୍ଯ୍ୟନ୍ତ ନିଜ ପଦରେ ରହନ୍ତି । ଜଣେ ମୁଖ୍ୟ ବିଚାରପତି ବା ଅନ୍ୟ ବିଚାରପତି ଚାହିଁଲେ ଏହା ପୂର୍ବରୁ ପଦତ୍ୟାଗ କରିପାରନ୍ତି । ଅସଦାଚରଣ ବା ଅସାମର୍ଥ୍ୟ ପ୍ରମାଣିତ ହେଲେ ଜଣେ ବିଚାର ପରି ସଂସଦର ବହିଷ୍କାର ପଦ୍ଧତି ଦ୍ଵାରା ନିଜ ପଦବୀରୁ ବହିଷ୍କୃତ ହୋଇଥାନ୍ତି । ମୁଖ୍ୟ ବିଚାରପତିମାନେ ସଂସଦ ଦ୍ଵାରା ସ୍ଥିରୀକୃତ ହେଉଥିବା ଦରମା, ଭତ୍ତା ଓ ଅନ୍ୟାନ୍ୟ ସୁବିଧା ପାଆନ୍ତି । ଅବସର ପରେ ସେମାନେ ଓକିଲ ଭାବରେ ଉଚ୍ଚତ୍ତମ ନ୍ୟାୟାଳୟ କିମ୍ବା ଅନ୍ୟ କୌଣସି ଉଚ୍ଚନ୍ୟାୟାଳୟରେ କାର୍ଯ୍ୟ କରି ପାରିବେ । କିନ୍ତୁ ଯେଉଁ ଉଚ୍ଚନ୍ୟାୟାଳୟରେ ସେମାନେ ବିଚାର ପତିବରେ କାର୍ଯ୍ୟ କରିଥିବେ, ସେଠାରେ ଓକିଲାତି କରିପାରିବ ନାହିଁ ।
ଉଚ୍ଚନ୍ୟାୟାଳୟରେ କ୍ଷେତ୍ରାଧିକାର
ଉଚ୍ଚନ୍ୟାୟାଳୟର କ୍ଷେତ୍ରାଧିକାର ସଂପୃକ୍ତ ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳର ସୀମା ପର୍ଯ୍ୟନ୍ତ ବିସ୍ତୃତ । ଗୋଟିଏ ଉଚ୍ଚନ୍ୟାୟାଳୟର ମୌଳିକ ଓ ଅପିଲ ଗ୍ରହଣ କାରୀ ଅଧିକାର ରହିଛି । ମୌଳିକ ଅଧିକାର ଅଧିନରେ କେତେକ ପ୍ରକାରର ମାମଲା ଉଚ୍ଚନ୍ୟାୟଳୟକୁ ସିଧାସଳଖ ଭାବରେ ଅଣାଯାଇ ପାରେ ।
ଗୋଟିଏ ଉଚ୍ଚନ୍ୟାୟାଳୟ ତାର ମୌଳିକ କ୍ଷେତ୍ରାଧିକାରକୁ ମୌଳିକ ଅଧିକାର ଏବଂ ଅନ୍ୟାନ୍ୟ ନ୍ୟାୟିକ ଅଧିକାରର ପ୍ରବର୍ତ୍ତନ ପାଇଁ ପ୍ରୟୋଗ କରିପାରିବ । ଏହି ପ୍ରସଙ୍ଗରେ ଲିଖିତ ନିର୍ଦ୍ଦେଶନାମା ଜାରୀ କରିବାର କ୍ଷମତା ଉଚ୍ଚନ୍ୟାୟଳୟର ରହିଛି । ଯଦି କୌଣସି ବ୍ୟକ୍ତିର ଅଧିକାର ବ୍ୟବସ୍ଥାପକ, କାର୍ଯ୍ୟନିର୍ବାହୀ ବା ଅନ୍ୟକୌଣସି ଅଧିକାରୀଙ୍କ ଦ୍ଵାରା ଅପହରଣ କରାଯାଉଥାଏ, ତେବେ ଏହି ଲିଖିତ ନିର୍ଦ୍ଦେଶନାମା ଦ୍ଵାରା ସେହି ଅଧିକାରର ସୁରକ୍ଷା ପ୍ରଦାନ କରାଯାଇ ପାରିବ । ଗୋଟିଏ ଉଚ୍ଚନ୍ୟାୟାଳୟ ମଧ୍ୟ ନିଜର ମୌଳିକ କ୍ଷେତ୍ରାଧିକାର ଅଧୀନରେ ଜଣେ ବିଧାନସଭା ସଦସ୍ୟଙ୍କ ନିର୍ବାଚନକୁ ଆହ୍ଵାନ କରୁଥିବା ନିର୍ବାଚନ ଆବେଦନ ପତ୍ରକୁ ଶୁଣାଣି କରିପାରେ ।
ଅପିଲ୍ କ୍ଷେତ୍ରାଧିକାର ଅଧିନରେ ଉଚ୍ଚନ୍ୟାୟାଳୟ ଜିଲ୍ଲାସ୍ତରରେ ଥିବା ଅଧସ୍ତନ ନ୍ୟାୟାଳୟର ରାୟ ବିରୁଦ୍ଧରେ ଅପିଲ ଶୁଣାଣି କରିପାରେ । ଦେବାନୀ ମାମଲାଗୁଡିକରେ ଜିଲ୍ଲାବିଚାରପତିଙ୍କ ରାୟ ବିରୁଦ୍ଧରେ ଉଚ୍ଚନ୍ୟାୟାଳୟରେ ଅପିଲ କରାଯାଇପାରେ । ଫୌଜଦାରୀ ମାମଲାରେ ଦୌରାଜଜ୍ ନ୍ୟାୟାଳୟ ରାୟ ବିରୁଦ୍ଧରେ (ଯେଉଁଠାରେ ଜେଲଦଣ୍ଡ ୭ବର୍ଷରୁ ଅଧିକ ହୋଇଥାଏ) ଉଚ୍ଚନ୍ୟାୟାଳୟରେ ଅପିଲ କରାଯାଏ । ଅଧସ୍ତନ ବିଚରାଳୟ ଦ୍ଵାରା ପ୍ରଦତ୍ତ ପ୍ରତ୍ୟକ ମୃତ୍ୟୁଦଣ୍ଡ ଉଚ୍ଚନ୍ୟାୟାଳୟ ଦ୍ଵାରା ଅନୁମୋଦନ ହେବା ଆବଶ୍ୟକ । ଗୋଟିଏ ଉଚ୍ଚନ୍ୟାୟାଳୟ ତା’ର କ୍ଷେତ୍ରାଧିକାରରେ ଆସୁଥିବା ନ୍ୟାୟାଳୟ ଉପରେ ନିୟନ୍ତ୍ରଣ ଓ ତତ୍ତ୍ଵାବଧାନ କ୍ଷମତା ପ୍ରୟୋଗ କରେ । ଉଚ୍ଚନ୍ୟାୟାଳୟ ମଧ୍ୟ ନଥିପତ୍ର ଏକ ଦରବାର । ତେଣୁ ସମସ୍ତ ଅଧସ୍ତନ ବିଚରାଳୟ ଉଚ୍ଚନ୍ୟାୟାଳୟର ରାୟକୁ ଅନୁସରଣ କରନ୍ତି । ଉଚ୍ଚନ୍ୟାୟାଳୟ ମଧ୍ୟ ଅବମାନନା ଓ ଅସମ୍ମାନ ପାଇଁ ଦଣ୍ଡିତ ହୋଇପାରେ ।
ଅଧସ୍ତନ ନ୍ୟାୟାଳୟ
ଜିଲ୍ଲା ଓ ସବଡିଭିଜନ ଅଧସ୍ତନ ନ୍ୟାୟାଳୟ ମାନରହିଛି । ପ୍ରତ୍ୟକ ଜିଲ୍ଲାରେ ଜିଲାଜଜ୍ ଓ ଦୌରାଜଜ୍ ଅଛନ୍ତି । ତାଙ୍କ ଅଧୀନରେ ସ୍ତରସ୍ତର ହୋଇ ବିଚାର ବିଭାଗୀୟ ପଦାଧିକାରୀମାନେ ଅଛନ୍ତି । ଭାରତରେ ଅଧସ୍ତନ ନ୍ୟାୟାଳୟ ଗୁଡିକର ଗଠନ ଓ କାର୍ଯ୍ୟ ପ୍ରକ୍ରିୟା ଊଣା ଅଧିକେ ଦେଶସାରା ପ୍ରାୟ ଏକ ପ୍ରକାରର
ଅଧସ୍ତନ ନ୍ୟାୟାଳୟ ୩ ପ୍ରକାର
ଉପରବର୍ଣ୍ଣନାରୁ ଯାହା ଜଣାଯାଏ, ଏହି ଅଧସ୍ତନ ନ୍ୟାୟାଳୟଗୁଡିକ ଦେୱାନୀ, ଫୌଜଦାରୀ ଓ ରାଜସ୍ୱ ମକଦ୍ଦମାର ବିଚାର କରନ୍ତି ।
ଦେୱାନୀ ମକଦ୍ଦମା – ଦେୱାନୀ ନ୍ୟାୟାଳୟରେ ବିଚାର ପାଇଁ ଆଗତ ମକଦ୍ଦମା (ଅଭିଯୋଗ) ଗୁଡିକ ଦୁଇ ବା ତତୋଧିକ ବ୍ୟକ୍ତିଙ୍କ ମଧ୍ୟରେ ସମ୍ପତ୍ତି ଅଧିକାର, ଚୁକ୍ତି ଖିଲାପ, ବିବାହ ଓ ବିଚ୍ଛେଦ, ଜମିମାଲିକ ଓ ଭାଗ ଚାଷୀଙ୍କ ମଧ୍ୟରେ ବିବାଦ ଅନ୍ତର୍ଭୁକ୍ତ । ଏହି ସମସ୍ତ ମକଦ୍ଦମା ଦେୱାନୀ ନ୍ୟାୟାଳୟ ଦ୍ଵାରା ସମାଧାନ କରାଯାଏ । ଏହି ସବୁଦେୱାନୀ ମକଦ୍ଦମାରେ ନ୍ୟାୟାଳୟ କୌଣସି ପ୍ରକାର ପ୍ରକାର ଦଣ୍ଡ ପ୍ରଦାନ କରେ ନାହିଁ କାରଣ ଏହା ସହିତ କୌଣସି ଆଇନଭଙ୍ଗ ସଂପୃକ୍ତ ନୁହେଁ ।
ଫୌଜଦାରୀ ମକଦ୍ଦମା – ଏହି ମକଦ୍ଦମା ଗୁଡିକ ଚୋରି, ଡକାୟତି, ଶାରୀରିକ ଉତ୍ପୀଡନ, ପକେଟମାରୁ, ହତ୍ୟା ପ୍ରଭୃତି ଏହି ମକଦ୍ଦମା ଗୁଡିକର ଅଭିଯୋଗ ଫୌଜଦାରୀ ନ୍ୟାୟାଳୟରେ ରାଜ୍ୟତରଫରୁ ପୋଲିସ ଦ୍ଵାରା ଦୋଷୀ ବିରୁଦ୍ଧରେ ଆଗତ କରାଯାଏ । ଏସବୁ ମକଦ୍ଦମାରେ ନ୍ୟାୟାଳୟ ଯଦି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରେ, ତାକୁ ଦଣ୍ଡ ବିଧାନ କରାଯାଏ ।
ରାଜସ୍ୱ ଅଦାଲତ – ବୋର୍ଡ ଅଫ ରେଭିନ୍ୟୁ ରାଜ୍ୟସ୍ତରରେ ଅବସ୍ଥିତ । ତାଙ୍କ ଅଧିନରେ ସଚିବ, ଜିଲ୍ଲାପାଳ, ତହସିଲଦାର, ଆସିଷ୍ଟାଣ୍ଟ ତହସିଲଦାର ବିଚରାଳୟ ରହିଛି । ରେଭିନ୍ୟୁ ବୋର୍ଡ ତା’ର ଅଧିନରେ ଥିବା ସମସ୍ତ ରାଜସ୍ୱ ବିଚରାଳୟ ବିରୁଦ୍ଧରେ ଅଭିଯୋଗର ସର୍ବଶେଷ ଅପିଲର ଶୁଣାଣି କରେ । ସବୁ ରାଜ୍ୟରେ ରେଭିନ୍ୟୁ ବୋର୍ଡନାହିଁ । ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ରରେ ରାଜସ୍ୱ ଟ୍ରିବୁନାଲ ଅଛ । ହରିଆନା, ପଞ୍ଜାବ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀରରେ ବୋର୍ଡ ପରିବର୍ତ୍ତେ ଆର୍ଥିକ କମିଶନର ଅଛନ୍ତି ।
ଆଧାର : ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ
Last Modified : 1/16/2020