ଓଡ଼ିଆ ଭାଷାରେ ସାହିତ୍ୟ ରଚନା କରିଥିବା ସ୍ରଷ୍ଟାମାନଙ୍କ ମଧ୍ୟରେ ଶୂଦ୍ରମୁଂନି ସାରଳା ଦାସ ଆଦିକବି ରୂପେ ପରିଚିତ । ସଂସ୍କୃତ ଭାଷାରେ ବ୍ୟାସଦେବ ମହାଭାରତ ଲେଖିବାଭଳି ଓଡ଼ିଆ ଭାଷାରେ ସାରଳା ଦାସ ମହାଭାରତ ଲେଖୁଥିବାରୁ ତାଙ୍କୁ କେହି କେହି ଉତ୍କଳ-ବ୍ୟାସ ରୂପେ ସମ୍ବୋଧନ କରିଥାନ୍ତି । ଅଧିକନ୍ତୁ ତାଙ୍କ ଲେଖାରେ ଓଡ଼ିଶାର ମାଟି ପାଣି, ପବନ, ପ୍ରକୃତି ଓ ମଣିଷ ଜୀବନର ବାସ୍ତବ ଗାଥା କଳାତ୍ମକ ଭାବେ ପରିବେଷିତ ହୋଇଥିବାରୁ ତାଙ୍କୁ 'ମାଟିର ମହାକବି’ ମଧ୍ୟ କୁହାଯାଏ । ସେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ରଦେବଙ୍କ ସମକାଳ ଅର୍ଥାତ୍ ପଞ୍ଚଦଶ ଶତାବ୍ଦୀରେ ଜଗତସିଂହପୁର ଜିଲ୍ଲାର ଝଙ୍କଡ଼ ଠାରେ ଜନ୍ମଗ୍ରହଣ କରିଥିଲେ । ସାରଳା ଠାକୁରାଣୀଙ୍କୁ ସେବା କରି ସେ କାବ୍ୟ ରଚନା ପାଇଁ ଶକ୍ତି ପାଇଥିବାରୁ ନିଜକୁ ସାରଳା ଦାସ ରୂପେ ପରିଚୟ କରାଇଅଛନ୍ତି । ବାସ୍ତବରେ ତାଙ୍କ ନାମ ସିଦ୍ଧେଶ୍ଵର ପରିଡ଼ା ଥିବା କୁହାଯାଏ । ସେ ମହାଭାରତ, ଚଣ୍ଡୀପୁରାଣ, ବିଚିତ୍ର ରାମାୟଣ ଭଳି ପୁରାଣ ରଚନା କରି ଯାଇଛନ୍ତି । ବିରୋଧୀ ପାଣ୍ଡବଙ୍କ ପାଞ୍ଚ ଶିଶୁପୁତ୍ରଙ୍କ ନିଧନରେ ମହାମାନୀ ଦୁର୍ଯ୍ୟୋଧନଙ୍କ ମନର ବ୍ୟାକୁଳତା, ପିତୃସୁଲଭ ହୃଦୟର ପରିଚୟ ଓ ବିଳାପ, ବଂଶରକ୍ଷା ନିମନ୍ତେ ଆକୁଳତା, ନିଷ୍ପାପ ଶିଶୁମାନଙ୍କ ମୃତ୍ୟୁ ପାଇଁ ଗୁରୁପୁତ୍ର ଅଶ୍ଵତ୍ଥାମାଙ୍କୁ ତିରସ୍କାର ପ୍ରଭୃତି ଦୁର୍ଯ୍ୟୋଧନଙ୍କ ଚାରିତ୍ରିକ ମହାନତା ପ୍ରତିପାଦିତ । ଏହି ପଠ୍ୟାଂଶଟି ‘କାଇଁଶିକା ପର୍ବ' ରୁ ଗୃହୀତ ।
ଦୃଦକ୍ଷ ବୋଇଲା ସ୍ଵାମୀ ଶୁଣିମା ଦଣ୍ଡଧାରୀ ଅଶସ୍ତମା ପାଣ୍ଡବଂକ ମୁଣ୍ଡଛେଦି ଆଣଇ ଭାର କରି । ନୟନ ଫେଡ଼ି ରାଜା ଚାହି°ଲା ମାନଗୋବିନ୍ଦ ପାଣ୍ଡବନ୍ତ ପ୍ରାୟେ ବୁଝି ମନେଣ ସାନନ୍ଦ । ସାଧୁ ସାଧୁ ଅଶସ୍ତମା ବୋଲି ମାନଗୋବିନ୍ଦ ପ୍ରଶଂସି ତୋତେ ସେନାପତି ନ କରି ଅଗାଦ ସମୋଦ୍ରେ ଗଲି ଭାସି । ହରାଇ କରି ପଛେ ଶିଖିଲି ମୁଂ ବୁଦ୍ଧି ପାଦେଣା ଟାଳିଲି ମୁଂ ଯେଡ଼େକ ସଂପ୍ରଧି । ବାଳୁତ କାଳହୁଂ ଯାହାକୁ ପାଇଲଇଂ ସାଖି ଚିହ୍ନି ନୁଆରିଲି ମୁଂ ତାକୁ ହୋଇଲି ନିରିମାଖି । ଅନେକ ଉତସଲ୍ୟ ଦେଖିଣ ଧୃତିରାଷ୍ଟି ଛାମୁରେ ନେଇ ପକାଇଲା ପାଞ୍ଚ°କରି ମୁଣ୍ଡଗୋଟି। ବୋଲଇ ଅଶସ୍ତମା ଶୁଣା ହୋ ଦ୍ରିଯୋଧନ ପିତାର ଶତ୍ରୁ ୟେଟି ଧୃଷ୍ଟ ଯେ ଦ୍ୟୁମନ । ଦେଖିଣ ସାନନ୍ଦ ହୋଇଲେ ଦ୍ରିଯୋଧନ ରାୟେ ବୋଲଇ ବେଗେ ଦଣ୍ଡଛତ୍ର ଧର ତୁ ରାଜାୟେ । ଦେଖିଣ ବୋଇଲା ଚିହ୍ନି ଯେ କୁମାର ଦୃଦକ୍ଷ ପାଣ୍ଡବେ ନୋହନ୍ତି ଯେ ଦ୍ରୋପତୀ ପାଞ୍ଚବତ୍ସ । ରଜନୀ ପ୍ରଭାତରେ ଦେଖିଲା ଧୃତିରାଷ୍ଟି ପାଞ୍ଚାଳୀ କୁମର°କର ଶିର ପାଞ୍ଚଗୋଟି । ମୃଚ୍ଛାଗତ ହୋଇଲା ଦେଖି ମାନଗୋବିନ୍ଦ ହା ହା ଦଇବ ବୋଲି କପୋଳେ କରଧିନ୍ଦ । ଆହୋ ଅଶସ୍ତମା ଆଦିହୁଂ ଅଟୁ ନଷ୍ଟ ତୋହୋର ପ୍ରକୃତି ଜାଣି ମୁଂ ନ ବାନ୍ଧିଲି ମୁକୁଟ । ସମର ଶେଷକାଳେ ମୋତେ ଯେ କଲୁ ଯେହା ବାଳୁତ ବଧ ଦୋଷେ କଲୁ ରେ ପାମର ଦୋରେହା । ଅଭିମନ୍ୟୁ ମଲା ଘଟଉତ୍କଚ ନାଶଗଲା ଲକ୍ଷ୍ମଣକୁମାରହି° ପଡ଼ିଲା ବଂଶହିଂ ସରିଲା । ଯେହାନ୍ତ ରଖିଲି ମୁଂ ବଂଶରକ୍ଷାର ନିମନ୍ତେ ଗତ ଆଗତ ବୁଡ଼ିଲା ଯେ ତୋନୋହାର କୃତ୍ୟେ । ଭୋ ଦଇବ ସନ୍ତାନ କଳପତରୁ ଯେ ବୋଲ ବୋଲି ଅଶସ୍ତମା ପ୍ରସନ୍ତେ ଗତ ଆଗତ ଦୁଇ କୁଳ ବୁଡ଼ାଇଲି । ତୋହୋର ମୁଖ ପୁଣ ମୁଂ ନ ଚାହିଂରେ ଦୋରେହା ବଂଶ ନିଅଂଶ କଲୁରେ ମୋହୋର ମୁଖ ତୁ ନ ଚାହାଁ। ପଞ୍ଚୁଭୂତ ଆମ୍ବା କିମେଖ ଅଛି। ହୋ ନିର୍ଲଜ ଯେ ପଞ୍ଚୁ ପୁଅଂକ ଅବସ୍ଥା ଦେଖି କିମ୍ପେ ନୁହଇ ଦହିଜ । ପାଞ୍ଚ°କରି ମୁଣ୍ଡ ଦିଆ ମୋହେରି କୋଳାଗ୍ରତେ କୋଳ କରି ଧରି ମୁଂ ହୋଇ ବି କିନା ମୁକତେ । ଦ୍ରିଯୋଧନ ବାକ୍ୟ ଶୁଣି ଦୃଦକ୍ଷ ସତ୍ଵର ରାଜା କୋଳେ ଦିଲା ନେଇ ପଞ୍ଚବଚ୍ଛ ଶିର । ପାଞ୍ଚ°କରି ମୁଣ୍ଡ କୋଳେ ଦେଖିଣ ଧୃତିରାଷ୍ଟି ପ୍ରାଣ ବିସର୍ଜ୍ଜିଲା ମୃଧୁନା ଗଲା ଫାଟି ।
|
ସୂଚନା -
ଦୃଦକ୍ଷ – ଗାନ୍ଧାରୀ ଶହେ ପୁଅ ଜନ୍ମ କଲାପରେ ଏକଦା ଯମୁନା ନଦୀ କୂଳରେ ଦୁର୍ବାସାଙ୍କୁ ଭେଟିଲେ । ଗାନ୍ଧାର ବଂଶକୁ କାରଣ ହେବାପାଇଁ ଗୋଟିଏ ପୁଅ ଓ ଝିଅ ପ୍ରାର୍ଥନା କଲେ ଋଷିଙ୍କୁ । ଫଳତଃ 'ଦୃଦକ୍ଷ ଦୃଶିଲା' ଉତପତ୍ତି ହୋଇଲେକ ବେନି' । ଯେମନ୍ତ ଧୃତିରାଷ୍ଟର ୟେକ ଉତ୍ତର ଶତେପୁତ୍ର ।' (ଆଦିପର୍ବ – ପୃ– ୨୪୬, ସଂପାଦନା-ଆର୍ଭବଲ୍ଲଭ ମହାନ୍ତି) ସାରଳା ଦାସଙ୍କ ମହାଭାରତରେ ଧୃତିରାଷ୍ଟ୍ରଙ୍କର ଏକଶହ ଏକ ପୁତ୍ର ଓ ଗୋଟିଏ କନ୍ୟା । ଏ ସମସ୍ତଙ୍କ ନାଁ ‘ଦୁ' ବର୍ଣ୍ଣ ଆରମ୍ଭ ନିୟମରେ କରାଯାଇଛି।
ଶବ୍ଦ |
ଅର୍ଥ |
ମାନଗୋବିନ୍ଦ |
ଦୁର୍ଯ୍ୟୋଧନ |
ଦଣ୍ଡଧାରୀ |
ରାଜା (ଦୁର୍ଯ୍ୟୋଧନ) |
ଅଶସ୍ତମା |
ଗୁରୁଦ୍ରୋଣଙ୍କ ପୁତ୍ର (ଅଶ୍ଵତଥାମା) |
ପାଣ୍ଡବନ୍ତ |
ପାଣ୍ଡବ ମାନଙ୍କ |
ସାନନ୍ଦ |
ଆନ୍ଦର ସହିତ |
ଭାରକରି |
ବହନକରି |
ଫେଡି |
ଖୋଲି |
ପ୍ରଶଂସି |
ପ୍ରଶଂସାକରି |
ସମୋଦ୍ରେ |
ସମୁଦ୍ରରେ |
ଅଗାଦ |
ଅଗାଧ |
ୟେଡେକ |
ଏତେବଡ |
ସଂପ୍ରଧି |
ସମୃଦ୍ଧି, ସମ୍ପତ୍ତି |
ଚିହ୍ନି ନୁଆରିଲି |
ଚିହ୍ନି ନ ପାରିଲି |
ନିରିମାଖି |
ଅସହାୟ |
ଉତସଲ୍ୟ |
ଉଲ୍ଲାସ |
ଧୃତିରାଷ୍ଟି |
ଧୃତରାଷ୍ଟ୍ରଙ୍କ ପୁତ୍ର( ଦୁର୍ଯ୍ୟୋଧନ) |
ଛାମୁରେ |
ସମ୍ମୁଖରେ |
ଦ୍ରିଯୋଧନ |
ଦୁର୍ଯ୍ୟୋଧନ |
ୟେଟି |
ଏହି |
ଧୃଷ୍ଟ ଯେ ଦ୍ୟୁଧନ |
ଧୃଷ୍ଟଦ୍ୟୁମ୍ନ (ଦ୍ରୁପଦଙ୍କ ପୁତ୍ର) |
ରାୟେ |
ରାଜା |
ଦଣ୍ଡ ଛତ୍ର |
ଶାସନ ଭାର |
ଦ୍ରୋପତୀ |
ଦ୍ରୌପଦୀ |
ପାଞ୍ଚ ବତ୍ସ |
ପାଞ୍ଚପୁତ୍ର |
ପାଞ୍ଚାଳୀ |
ପାଞ୍ଚାଳ ରାଜକନ୍ୟା (ଦ୍ରୌପଦୀ) |
କରଧିନ୍ଦି |
କରଦ୍ଵୟ |
ଆଦିହୁଂ |
ପ୍ରଥମରୁ |
ପାମର |
ପାପୀ |
ଦୋରେହା |
ଦ୍ରୋହୀ |
ଅଭିମନ୍ୟୁ |
ଅର୍ଜ୍ଜୁନଙ୍କ ପୁତ୍ର |
ଘଟଉତ୍କଚ |
ଘଟୋତ୍କଚ(ଭୀମଙ୍କ ପୁତ୍ର) |
ଲକ୍ଷ୍ମଣକୁମାର |
ଦୁର୍ଯ୍ୟୋଧନଙ୍କ ପୁତ୍ର |
ୟେହାନ୍ତ |
ଏମାନଙ୍କୁ |
କଳପତରୁ |
କଳ୍ପବୃକ୍ଷ |
ନିଅଂଶ |
ଉତ୍ତାଧିକାରୀ ଶୂନ୍ୟ |
ପଞ୍ଚଭୂତ |
ପୃଥିବୀ, ଆକାଶ, ବାୟୁ, ଜଳ, ଅଗ୍ନି |
ଦହିଜ |
ପୋଡିଯିବା |
ମୃଧୁନା |
ମୂର୍ଦ୍ଧନା (ମୁଣ୍ଡ) |
ଆଧାର - ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା
Last Modified : 7/22/2020