অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭିଟାମିନ୍ 'ବି' , ‘ଡି’ ଓ ‘ସି’ ଅଭାବଜନିତ ରୋଗ

ଭିଟାମିନ୍ 'ବି' ଅଭାବଜନିତ ରୋଗ

କାଉପାଟିଆ ରୋଗ ବା ପାଟିର କଡ଼ ଘା'

ଉଭୟ ଉପର ଏବଂ ତଳ ଓଠର କଡରେ ଧଳା/ଗୋରା ଦେଖାଦେଇ ଘା'ହୁଏ । ପାଟି  ମେଲାକଲେ କଷ୍ଟ ଲାଗେ । ଏହା ସାଧାରଣତଃ ପିଲାମାନଙ୍କ ଠାରେ ଅଧିକ ଦେଖାଦେଇଥାଏ । ରୋଗର ପ୍ରଭାବରେ ରୋଗୀର ବିଶେଷ  କ୍ଷତି ହେଉନଥିବାରୁ ଲୋକେ ଏଥିପାଇଁ ଯତ୍ନବାନ୍ ହୋଇନଥାନ୍ତି ।

  • ଜିଭ ଧରିବା : ଏଥିରେ ଜିଭ ଓ ପାଟି ଲାଲ ପଡେ, ଖାଇଲେ ପୋଡାଜଳା ହୁଏ । ଜିଭର ଅଗ୍ରଭାଗରୁ ଆରମ୍ଭ ହୋଇ ତଣ୍ଟି ଆଡକୁ ମଧ୍ୟ ସଂକ୍ରମଣ ବ୍ୟାପିଥାଏ । ସାଧାରଣତଃ ଗର୍ଭବତୀ ମାନେ ଏହାକୁ ଅଧିକ ଭୋଗିଥାନ୍ତି ।
  • ଓଠ ଫାଟିବା : ଓଠ ଫାଟିବା ସହିତ ଏହା ଲାଲ ପଡିଥାଏ । ଏପରିକି ଓଠ ଫାଟିଥିବା ବ୍ୟକ୍ତିର ବେଳେ ବେଳେ କ୍ଷୁଧାହାନୀ  ଦେଖାଦେଇଥାଏ ।

ମନେରଖନ୍ତୁ :

  • ଉପରୋକ୍ତ ଅସୁସ୍ଥତା ଗୁଡିକ ରିବୋଫ୍ଲାବିନ୍ ର ଅଭାବ ହେତୁ ହୋଇଥାଏ ।
  • ଭିଟାମିନ୍ ‘ବି’ ର ଏକ ଉପାଦାନ ହେଉଛି ରିବୋଫ୍ଲାବିନ୍ ।

ଉପଚାର

  • ଭିଟାମିନ୍ ‘ବି’ ଥିବା ଖାଦ୍ୟ ପ୍ରଚୁର ପରିମାଣରେ ଖାଆନ୍ତୁ ।
  • ଉପରୋକ୍ତ ଅସୁସ୍ଥତା ଭୋଗୁଥିବା ରୋଗୀ ବି-କମ୍ପ୍ଳେକ୍ସ  ବଟିକା ଖାଆନ୍ତୁ । (ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ )
  • କ୍ଷୀରରେ  ଅଧିକ ପରିମାଣର ରିବୋଫ୍ଲାବିନ୍ ଥାଏ ।

ମନେରଖନ୍ତୁ :

ଔଷଧ  ପ୍ରୟୋଗ କରିବା ପୂର୍ବରୁ ଅଭିଜ୍ଞ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ । ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଗୋଷ୍ଠୀରେ ଶିକ୍ଷାଦାନ, ବିଭିନ୍ନ ଡାଲିଜାତୀୟ  ଖାଦ୍ୟ  ଖାଇବା ପାଇଁ ପରାମର୍ଶ ଦେବା ଉଚିତ । ପୂର୍ବ ବର୍ଣ୍ଣନା ଅନୁଯାୟୀ ଯଥେଷ୍ଟ ପରିମାଣ ଭିଟାମିନ୍ – ବି ଥିବା ଖାଦ୍ୟ ଖାଆନ୍ତୁ ।

ବେରିବେରି ରୋଗ (ଭିଟାମିନ ଅଭାବ)

ଭିଟାମିନ୍  ‘ବି’ରେ ଥିବା ଏକ ଉପାଦାନ ଭିଟାମିନ ର ଅଭାବରେ ଏହି ରୋଗ ହୋଇଥାଏ ।

ଚିହ୍ନ ଓ ଲକ୍ଷଣ

  • ଖୁବ୍ ଧୀରେ ଧୀରେ ରୋଗର ଲକ୍ଷଣ ପ୍ରକାଶ ପାଇଥାଏ ।
  • କ୍ଷୁଧାହାନି, ଦୁର୍ବଳତା, ନିମ୍ନାଙ୍ଗ ( ବିଶେଷ କରି ଗୋଡ )  ଭାରି ଲାଗିବା, ଅଳ୍ପ କାମରେ ହାଲିଆ ଲାଗିବା ଇତ୍ୟାଦି ଲକ୍ଷଣ ରୋଗର ପ୍ରାରମ୍ଭରେ ପ୍ରକାଶ ପାଇଥାଏ ।
  • ଘୋଳାବିନ୍ଧା, ଫୋଡି ହେଲାଭଳି ଏବଂ ଗୋଡତଳ ବଧିରା ଲାଗେ । ଗୋଡକୁ ସ୍ପର୍ଶକଲେ କିଛି ଜାଣିହୁଏ ନାହିଁ ।
  • ଏହି ରୋଗ ଅନେକ ପ୍ରକାରର ହୋଇଥିଲେ ହେଁ ମୁଖ୍ୟତଃ ତିନୋଟି ପ୍ରକାରରେ ଏହାକୁ ଭାଗ କରାଯାଇଥାଏ । ଯଥା : ଓୟେଟ୍ ବେରିବେରି, ଡ୍ରାଏ ବେରିବେରି ଏବଂ ଇନଷ୍ଟାଣ୍ଟ ବେରିବେରି।

  • ଓୟେଟ୍ ବେରିବେରିରେ ଶରୀରରେ ଶରୀରରେ ଜଳୀୟ ଅଂଶ ଅଧିକ ହେବା ସାଙ୍ଗକୁ ହୃଦକ୍ରିୟାଜନିତ ଅନେକ ଅସୁବିଧା ଦେଖାଦିଏ । ଏପରିକି ହୃଦକ୍ରିୟା ବନ୍ଦ ହୋଇଯିବାର ସମ୍ଭାବନା ଥାଏ ।
  • ଡ୍ରାଏ ବେରିବେରିରେ ସ୍ନାୟୁବିକ ଦୁର୍ବଳତା ଦେଖାଯାଏ । ଏଥିରେ ରୋଗୀକୁ ଦୁର୍ବଳ ଲାଗେ ଏବଂ ଶେଷକୁ ଶଯ୍ୟାଶାୟୀ ହୋଇଥାଏ ।
  • ଇନଷ୍ଟାଣ୍ଟ ବେରିବେରିରେ ମଧ୍ୟ ଶିଶୁ ଦୁର୍ବଳ ହୋଇଯାଏ । ୨ ରୁ ୪ ମାସ ବୟସର ଶିଶୁଙ୍କ ଠାରେ ଏହା ଦେଖାଯିବାର ସମ୍ଭାବନା ଥାଏ । ଯେଉଁ ମା’ର କ୍ଷୀରରେ ଭିଟାମିନ ର ବିଶେଷ ଅଭାବ ଥାଏ ସେହି ମା’ର  ଶିଶୁକୁ ଏହିରୋଗ ହେବାର ସମ୍ଭାବନା ଥାଏ ।

କାରଣ

  • ଭିଟାମିନ ନଥିବା ଖାଦ୍ୟ ଖାଇବା ଦ୍ଵାରା ।
  • ଯେଉଁ ଲୋକମାନେ ଚାଉଳକୁ ଅଧିକ ଚିକ୍କଣ କରି ଖାଆନ୍ତି, ସେମାନେ ଭିଟାମିନ ପାଇନଥାନ୍ତି । କାରଣ ଚାଉଳର ଉପର ଚୋପାରେ ଭିଟାମିନ ଥାଏ । ଚୋପା ଛଡାଇ ଚାଉଳକୁ ଚିକ୍କଣ କରିବା ଦ୍ଵାରା ଏହି ଚାଲିଯାଇଥାଏ । ତେଣୁ ଉଷୁନା ଚାଉଳ ଖାଇବା ଉଚିତ । ଯେଉଁ ପଦ୍ଧତି ଦେଇ ଉଷୁନା ଚାଉଳ ପ୍ରସ୍ତୁତ ହୁଏ ତଦ୍ଵାରା ଚାଉଳକୁ ଭିଟାମିନ ଯାଇନଥାଏ ଏବଂ ଉଷୁନା ଚାଉଳ ଖାଉଥିବା ଲୋକେ ସାଧାରଣତଃ ଭିଟାମିନ ଅଭାବ ଜନିତ ରୋଗରେ ପଡିନଥାନ୍ତି ।

ଚିକିତ୍ସା ଏବଂ ପ୍ରତିଷେଧକ ବ୍ୟବସ୍ଥା

ଆବଶ୍ୟକ ସ୍ଥଳେ ରୋଗୀକୁ ଇଞ୍ଜେକ୍ସନ୍ ଦିଆଯାଇଥାଏ । ଏହା ସାଙ୍ଗକୁ ଅନ୍ୟାନ୍ୟ ଔଷଧ ମଧ୍ୟ ଦିଆଯାଇଥାଏ । ପ୍ରତିଷେଧକ ସ୍ୱରୂପ ଉଷୁନା ଚାଉଳର ଭାତ ଖାଇବା, ଚାଉଳକୁ ଅଧିକ ଚିକ୍କଣ ନକରିବା, ଅଧିକ ପରିମାଣରେ ଡାଲିଜାତୀୟ ଖାଦ୍ୟ ଖାଇବା ଏବଂ ଭିଟାମିନ୍ ‘ବି’ଯୁକ୍ତ ସମସ୍ତ ଖାଦ୍ୟ ଖାଇବା ।

ଭିଟାମିନ୍ ‘ଡି’ ଅଭାବଜନିତ ରୋଗ

ଏହି ପ୍ରକାର ଭିଟାମିନ୍ ର ଅଭାବରେ ସାଧାରଣତଃ ‘ରିକେଟ୍’ ଏବଂ ‘ଅଷ୍ଟିଓମାଲାସିଆ ରୋଗ ଦେଖାଦେଇଥାଏ ।

ରିକେଟ୍

ସାଧାରଣତଃ ପିଲାମାନଙ୍କୁ ଏହିରୋଗ ହୋଇଥାଏ । ଅନେକ ଗୁଡିଏ ଲକ୍ଷଣ ସହିତ ରୋଗ ପ୍ରକାଶ ପାଇଥାଏ ।

ବିବିଧ ଲକ୍ଷଣ

  • ପିଲାଙ୍କୁ ଅବଶ ଲାଗେ ।
  • ମାଂସପେଶୀ ଗୁଡିକ ଆବଶ୍ୟକତା ଅନୁଯାୟୀ ଟାଣ ନହୋଇ ଅତି କୋମଳ ବା ଲତ୍ଲତ୍ ଲାଗେ ।
  • ପେଟ ପାଖ ମାଂସପେଶୀ ଗୁଡିକ ଓହଳି ପଡେ ।
  • ରିକେଟ୍ ରୋଗରେ ପ୍ରଭାବିତ ପିଲାର ଅଭିବୃଦ୍ଧିରେ ବିଳମ୍ବ ଘଟିଥାଏ । ଯଥା ଡେରିରେ ଦାନ୍ତ ଉଠିବା, ଗୁରୁଣ୍ଡିବା ଇତ୍ୟାଦି।
  • ବଡକଥା ହେଲା ରୋଗର ମୁଖ୍ୟ ପରିବର୍ତ୍ତନ ଗୁଡିକ ହାଡ ସମ୍ଭନ୍ଧୀୟ ।
  • ପଞ୍ଜରାର ତଳଆଡେ ଫୁଲିଥାଏ ଏବଂ ଅପ୍ରାକୃତିକ ଦେଖାଯାଏ ।
  • ପିଲାଙ୍କ ତାଳୁ ଶୀଘ୍ର ପୁରିନଥାଏ ଏବଂ ଖପୁରୀର ଅସ୍ଥିଗୁଡିକ ଯୋଡି ହେବାରେ ବିଳମ୍ବ ହୁଏ ।
  • ଦୁଇ ବର୍ଷରୁ ଅଧିକ ବୟସ ହେଲା ପର୍ଯ୍ୟନ୍ତ ଯଦି ପିଲାକୁ ଏହି ରୋଗ ଲାଗିରହେ ତେବେ ମେରୁହାଡରେ ବିକୃତି ଦେଖାଯାଇପାରେ ।

ଚିକିତ୍ସା ଏବଂ ପ୍ରତିଷେଧକ ବ୍ୟବସ୍ଥା

  • ଆବଶ୍ୟକ ପରିମାଣର କ୍ୟାଲସିୟମ୍ ଖାଇବା ।
  • ଭିଟାମିନ୍ ‘ଡି’ ମିଳୁଥିବା ଖାଦ୍ୟ ଯାହାକି ଭିଟାମିନ୍ ‘ଏ’ ମଧ୍ୟ ଯୋଗାଇଥାଏ, ସେହି ଖାଦ୍ୟ ଖାଇବା ।
  • କଲିଜା, ମାଛତେଲ, ଅଣ୍ଡା କେଶର ଏବଂ ଦୁଗ୍ଧ ଖାଇବା ।

ଭିଟାମିନ୍ ‘ସି’ ଅଭାବଜନିତ ରୋଗ (ସ୍କର୍ଭି )

ଆବଶ୍ୟକ ମାତ୍ରାରେ ଭିଟାମିନ୍ ‘ସି’ ଶରୀରକୁ କୌଣସି କାରଣରୁ ନଯାଇପାରିଲେ ସ୍କର୍ଭି ରୋଗ ହୋଇଥାଏ । ଅଧିକ ଦିନ ପର୍ଯ୍ୟନ୍ତ ସଦ୍ୟ ଓ ତଟକା ଫଳ ନଖାଇଲେ ଏହି ରୋଗ ଦେଖାଦିଏ ।

ବିବିଧ ଲକ୍ଷଣ

ଦାନ୍ତ ମାଢି ଫୁଲି ଦଲଦଲିଆ ହୋଇ ସେଥିରୁ ରକ୍ତ ବାହାରେ । ବିଶେଷ ଭାବେ ଦାନ୍ତ ସନ୍ଧିରେ ମାଢି ଫୁଲିଥାଏ । ଏପରିକି ଅଳ୍ପ ଚାପରେ ମଧ୍ୟ ସେଥିରୁ ରକ୍ତ ବାହାରିଥାଏ । ମାଢିରେ ମଧ୍ୟ ସଂକ୍ରମଣ ଥାଇପାରେ । ଆଣ୍ଠୁ ଉପରକୁ ଜଙ୍ଘ ଆଡକୁ ଛୋଟ ଛୋଟ ଦାଗ ଦେଖାଯାଏ । ଏହି ଦାଗ ରକ୍ତକ୍ଷରଣ ଯୋଗୁଁ ହୋଇଥାଏ । ରକ୍ତହୀନତା ମଧ୍ୟ ଦେଖାଦେଇପାରେ । ଏପରିକି ଚିକିତ୍ସା ଅଭାବକୁ ମଧ୍ୟ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇ ରୋଗୀର ମୃତ୍ୟୁ ହୋଇପାରେ ।

କାରଣ

ଅଧିକ ଦିନ ଧରି  ସଦ୍ୟ ତଟକା ପାରିବ ଏବଂ ଫଳ ନ ଖାଇବା ହେତୁ ଶରୀରକୁ ଭିଟାମିନ୍ ‘ସି’ ଯାଇପାରେ ନାହିଁ । ଆଉ ଏକ କାରଣ ହେଲା ରନ୍ଧା ହେବାଦ୍ଵାରା  ଉତ୍ତାପରେ ଖାଦ୍ୟ ଦ୍ରବ୍ୟରେ ଥିବା ଭିଟାମିନ୍ ‘ସି’ ନଷ୍ଟ ହୋଇଯାଇଥାଏ । ଏଥିପାଇଁ ଆବଶ୍ୟକୀୟ ଭିଟାମିନ୍ ‘ସି’ର ଉପାଦାନ ଶରୀର ପାଇନଥାଏ । ଫଳରେ ସ୍କର୍ଭି ଦେଖାଦେଇଥାଏ ।

ଚିକିତ୍ସା ଏବଂ ପ୍ରତିଷେଧକ ବ୍ୟବସ୍ଥା

ଭିଟାମିନ୍ ‘ସି’ ବଟିକା ଏବଂ ଇଞ୍ଜେକ୍ସନ୍ ଦେଇ ଚିକିତ୍ସା କରାଯାଇଥାଏ । ଭିଟାମିନ୍ ‘ସି’ଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା ରୋଗ ଦୂର ହୋଇଥାଏ/ ଆକ୍ରମଣ କରିନଥାଏ। ପୂର୍ବରୁ ଭିଟାମିନ୍ ‘ସି’ ଖାଦ୍ୟର ତାଲିକା ଦିଆଯାଇଛି।

ଆଧାର - "ଓଡ଼ିଶା ଭଲ୍ୟୁଣ୍ଟାରୀ ହେଲ୍ଥ  ଆମୋସିଏସନ୍"

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate