অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜଣ୍ଡିସ ର ହୋମିଓପ୍ୟାଥି ଚିକିତ୍ସା

ଜଣ୍ଡିସ ର ହୋମିଓପ୍ୟାଥି ଚିକିତ୍ସା

ଜଣ୍ଡିସ

ଏହା ଏକ  ଯକୃତଜନିତ  ରୋଗ  ଯାହାଦ୍ଵାରାକି  ଏହାଠାରୁ  ନିସୃତ  ପିତ୍ତ  ରଙ୍ଗ ଓ  ଲବଣ  ଶରୀରର  ସମସ୍ତ  ଅଙ୍ଗରେ  ବିଛାଡି  ହୋଇ  ହଳଦିଆ  ବର୍ଣ୍ଣ  କରିଦିଏ  । ପ୍ରଥମେ  ଏହା  ପରିସ୍ରା,  ଆଖି, ଜିଭ  ଇତ୍ୟାଦିରେ  ଦେଖାଦିଏ  ଓ  ଜଣ୍ଡିସ  ସମ୍ବନ୍ଧରେ  ସନ୍ଦେହ  ସୃଷ୍ଟି  କରିଥାଏ   । ପିତ୍ତନାଳୀର  ଅବରୋଧ, ଲାଲ୍  ରକ୍ତକଣିକା   ନାଶ  ଓ  ସଂକ୍ରମଣଜନିତ   ଯକୃତର  ପ୍ରଦାହ  ଭଳି  ବିଭିନ୍ନ   କାରଣ  ମଧ୍ୟରୁ   ଶେଷାକ୍ତ  କାରଣର   ଜଣ୍ଡିସ   ବିଶେଷଭାବରେ   ଦେଖାଯାଇଥାଏ   । ଭେଜାଲ  ଖାଦ୍ୟଦ୍ରବ୍ୟ,  ସାଧାରଣ  ସ୍ୱାସ୍ଥ୍ୟ  କାର୍ଯ୍ୟରେ  ତଦାରଖର  ଅବହେଳାରୁ   ପାନାହାରରେ   ଯେ  ପ୍ରଦୂଷଣ,  ଏହି  ପ୍ରକାର  ଜଣ୍ଡିସ   ଦେଖାଦେବାରେ   ଯଥେଷ୍ଟ   ସହାୟକ   ହୋଇଥାଏ   । ତେଣୁ  ସହରାଞ୍ଚଳ,  ସହରତଳି  ଅଞ୍ଚଳ  ଓ  ନୂଆକରି  ଫସଲରେ  ଗଢି  ଉଠୁଥିବା   ବଜାର  ପାଖ  ଗାଁ  ମାନଙ୍କରେ   ଏ  ରୋଗ  ବିଶେଷ  ଭାବରେ  ଦେଖାଯାଉଅଛି   ।

ଜଣ୍ଡିସ ର ଲକ୍ଷଣ

ଅଳ୍ପ  ଅଳ୍ପ  ଜ୍ଵର  ସହିତ, ଭୋକ  କମିଯିବା  ଓ  ପରିସ୍ରା  ହଳଦିଆ   ଦେଖାଯିବା  ଏ  ରୋଗର  ପ୍ରଥମ  ଲକ୍ଷଣ   । ତା’  ସହିତ  ଡାହାଣ  କଡ   ଉପର  ପେଟ ଛାତି  ତଳକୁ  ଦରଜ  ଲାଗିବା  ବା  ଓଜନିଆ  ଲାଗିବା   ଲକ୍ଷଣ   ଦେଖାଯାଇଥାଏ   ।

ଏ  ରୋଗ  ହେବାର  ସାମାନ୍ୟତମ  ସନ୍ଦେହ  ହେବା  ସଙ୍ଗେ  ସଙ୍ଗେ  ଖାଦ୍ୟ   ପାନୀୟର  କଟକଣା  ନ କଲେ  ରୋଗ   ଜଟିଳ  ଆକାର   ଧାରଣ  କରି  ଏକ  ସାଂଘାତିକ  ଅବସ୍ଥା  ସୃଷ୍ଟି   କରେ   । ତେଣୁ   ସମସ୍ତ ପ୍ରକାରର   ତେଲ  ଘିଅ  ଜିନିଷ   ଖାଇବା  ବନ୍ଦକରିଦେବେ  । କୌଣସି   ପ୍ରକାରର  ଚର୍ବିଜାତୀୟ   ଖାଦ୍ୟ  ଯେପରି   ବ୍ୟବହାର  ନ  ହୁଏ  ତା’  ପ୍ରତି  ଦୃଷ୍ଟି  ଦେବେ   । ଫୁଟା  ବା  ଫିଲଟର  ପାଣି  ପିଇବେ   । ଲୁଣ  ବ୍ୟବହାରକୁ  ସଂଯତ  କରିବେ  ଓ  ଯଥେଷ୍ଟ   ପରିମାଣର  ଆଖୁରସ, ପଇଡପାଣି   ଓ  ଗ୍ଲୁକୋଜ ଆଦି  ପିଇବାକୁ  ଦେବେ  ।

ହୋମିଓପାଥି   ଔଷଧ

ଲକ୍ଷଣ   ଭେଦରେ  ନିମ୍ନଲିଖିତ  ହୋମିଓପାଥି   ଔଷଧ  ବ୍ୟବହାର  କଲେ  ଆଶୁ  ଉପଶମ   ମିଳିବ   ।

  1. କିଛି  ନ  ଥିବ,  ହଠାତ୍  ଜ୍ଵର  ହୋଇ  ଗରମ  ଗାଢ   ରଙ୍ଗର   ପରିସ୍ରା   ସହିତ  ଯଦି  ମାନସିକ  ଉଦବେଗ   ବଢିଯାଇଥିବ,  ଉପର  ପେଟ  ସାଂଘାତିକ   ଦରଜ, ଅଧିକ  ଶୋଷ   ସହିତ  ସବୁ  ଜିନିଷ  ପାଟିକୁ   ପିତା   ଲାଗୁଥିବ  ଓ  ସହସା  ଆଖି  ଜିଭ  ହଳଦିଆ  ପଡିଯାଉଥିବ,  ତାହାହେଲେ  ଏକୋନାଇଟ – ୨୦୦ ପ୍ରତି ୪ ଘଣ୍ଟାରେ  ଦୁଇଦିନ   ଦେଇ,  ଲକ୍ଷଣମାନଙ୍କ  ପରିବର୍ତ୍ତନ   ଉପରେ  ନିର୍ଭର  କରି  ଅନ୍ୟ  ଔଷଧ  ବ୍ୟବହାର  କରନ୍ତୁ  ।
  2. କୌଣସି  ଉପସର୍ଗ  ନ ଥାଇ  ଖାଲି  ଭୋକ  କମି  ଆସୁଥିବା  ଓ  ପରିସ୍ରା   ଗାଢ  ରଙ୍ଗର  ହେଉଥିବାର  ଲକ୍ଷଣ  ଜାଣିବା  ମାତ୍ରକେ  ଯଦି  ଚେଲିଡୋନିୟାମ – ୬ – ୩୦ ଦିନକୁ  ୩/୪ ଥର  କରି  ପ୍ରୟୋଗ  କରାଯାଏ  ତେବେ  ଦେଖିବେ  ବାରଅଣା  ରୋଗୀର  ଜଣ୍ଡିସ   କମିଯିବ  । ଏହା  ହେବାର  ଦିନେ  ଦୁଇଦିନ  ମଧ୍ୟରେ   ଭୋକ  ଓ  ସ୍ଫୁର୍ତ୍ତି  ବଢିବ   । ତେବେ  ଜଣ୍ଡିସ  ଯଦି   ଟିକେ  ବେଶିଦିନର  ହୋଇଥିବ  ତାହାହେଲେ   କେବଳ   ନିମ୍ନଲିଖିତ   ଲକ୍ଷ୍ୟ  ଥିଲେ  ହିଁ  ଚେଲିଡୋନିୟାମ ବ୍ୟବହାର  ହୋଇପାରିବ । ଡାହାଣ  ଚଟୁଆ  ତଳକୁ  ଦରଜ  ଲାଗୁଥିବ  ବା  ବିନ୍ଧୁଥିବ, ଗରମ  ଖାଦ୍ୟପାନୀୟ  ଛଡା   ରୋଗୀକୁ  ଆଉ  କିଛି   ଭଲ  ଲାଗୁ  ନ ଥିବ   । ଜିଭରେ   ମୋଟା  ହଳଦିଆ  ଛତିଆ  ପଡିବା  ସାଙ୍ଗକୁ  ଧାରାଗୁଡିକ  ଲାଲ   ଦେଖାଯାଉଥିବ  ଓ  ସେଥିରେ  ଦାନ୍ତର  ଦାଗ  ରହୁଥିବ ; ପରିସ୍ରା  ଏପରି   ହଳଦିଆ  ରଙ୍ଗର   ଯେ  ଯଦି  କୌଣସି  ଜାଗାରେ   ପରିସ୍ରା  ରଖାଯାଏ  ତାହାହେଲେ  ସେ  ପାତ୍ରରେ   ହଳଦିଆ  ରଙ୍ଗ  ଲାଖିଯାଏ ; ଝାଡା  ପାଉଁଶିଆ  ବା  ଗାଢ ହଳଦିଆ   ରଙ୍ଗର  ଦେଖାଯାଏ ; ପାଟି  ପିତା  ପିତା  ଲାଗୁଥିବ  ଓ  ବେଳେବେଳେ  ପିତ୍ତବାନ୍ତି  ହେଉଥିବ  । ଏହି  ଔଷଧ  ଏକ  ଲିଭର   ଟନିକ  ଭଳି  କାର୍ଯ୍ୟ  କରିଥାଏ   ।
  3. ଅନେକ   ସମୟରେ  ଦେଖିବେ  ଅତ୍ୟନ୍ତ  କ୍ରୋଧାନ୍ଵିତ  ମା’ର  କ୍ଷୀର   ଖାଇବା   ପରେ  ଛୋଟ   ଛୁଆଙ୍କର  ଜଣ୍ଡିସ  ହୋଇଥାଏ   । ଖୁବ୍  ଶାନ୍ତଶିଷ୍ଟ   ଶିଶୁଟି   ହଠାତ୍  ଖୁବ୍  ଖିଟିଖିଟିଆ   ହୋଇପଡେ   । ସବୁବେଳେ  କାନ୍ଧରେ  ପଡି  ବୁଲିବାକୁ   ପସନ୍ଦ   କରେ   । ପରିସ୍ରା  ହଳଦିଆ   ଓ  ଗରମ   । ଏ  କ୍ଷେତ୍ରରେ   କ୍ୟାମୋମିଲା- ୧୨ ଶକ୍ତିକୁ   ଦିନକୁ  ଚାରିଥର  କରି  ଦେଲେ  ୨/୪ ଦିନରେ  ଶିଶୁଟି   ଆରାମ  ହୋଇଯାଏ  ।
  4. ଖାଦ୍ୟପାନୀୟ  ଅବହେଳାରୁ   ନାଳରକ୍ତ  ଝାଡା   ସହିତ  ଜଣ୍ଡିସ   ଆରମ୍ଭ  ହୋଇଛି   । ଯେତେ  ଯାହା  କଲେ  ମଧ୍ୟ  କମିବା   ପରିବର୍ତ୍ତେ  ବଢିଚାଲିଛି   ଓ  ରାତି  ହେଲେ   ଦେହ  କୁଣ୍ଡାଇ  ହେଉଛି   । ପ୍ରଚୁର  ଶୋଷ  ସହିତ   ପ୍ରବଳ  ଝାଳ  ଓ  ପାଟିରୁ  ନାଳ  ବା  ଅନବରତ   ଛେପ   ପକାଇବାକୁ  ଇଚ୍ଛା  ହେଉଥିବ   । ଝାଳ  ଓ  ଅନେକ  ସମୟରେ  ପାଟିର   ନାଳରେ   ମଧ୍ୟ  ସାମାନ୍ୟ  ଗନ୍ଧ  ଜଣା  ପଡୁଥିବ   । ଜିଭ  ଖୁବ୍  ମୋଟା   ଓ  ସେଥିରେ  ଦାନ୍ତର   ଦାଗ  ବେଶ୍  ଗଭୀର   ଭାବରେ  ପଡିଥିବ  । ଡାହାଣ   କଡା  ମାଡି, ରୋଗୀ  ଜମା  ଶୋଇ  ପାରୁନଥିବ   । ଏଭଳି  କ୍ଷେତ୍ରରେ  ମର୍କସଲ – ୬  ଦିନକୁ  ୩ ପାନ  କରି  ୨/୪ ଦିନ  ଦିଅନ୍ତୁ ଓ  ଦେଖନ୍ତୁ   କିପରି   ଫଳ  ମିଳୁଛି   ।
  5. ଯଦି  ଖାଲି  ତରଳ   ଝାଡା  ହେଉଥିବ, ସକାଳୁ  ବେଶି,  ଅତରଛିଆ,  ଏପରିକି  ବାୟୁ  ସରିଲାବେଳେ  ଓ  ପରିସ୍ରା   କଲାବେଳେ   ମଧ୍ୟ  ଝାଡା   ପଡିଯାଉଥିବ, ଉପରପେଟ   ଦରଜ  ଓ  ରୋଗୀ  ବାମ  କଡମାଡି    ଶୋଇ  ପାରୁନଥିବ,  ସବୁବେଳେ   ପାଟିଟା   ପିତା   ପିତା  ଲାଗୁଥିବ, ଜିଭରେ  ଗାଢ  ସବୁଜ  ବା  ହଳଦି  ରଙ୍ଗର  ମଇଳା   ରହିଥିବ,  ତାହାହେଲେ ନେଟ୍ରାମସଲଫ- ୬ – ୩୦ ଦିଅନ୍ତୁ  ଦିନକୁ  ୩/୪ ଥର  କରି  କେତେଦିନ,  ବେଶ୍  ସୁଫଳ  ପାଇବେ   ।
  6. କିନ୍ତୁ  ଦେଖିବେ  ଖାଇବା  ପିଇବାର  ଅପଚୟ  ଯୋଗୁ, ବିଶେଷ  କରି  ମଦ ମାଂସ   ଇତ୍ୟାଦିର  ବହୁଳ   ବ୍ୟବହାରରେ  ଯେଉଁମାନଙ୍କର  ଲିଭର  ଖରାପ  ହୋଇଯାଇଛି,  ଜୀର୍ଣ୍ଣଶକ୍ତି  ଆଦୌ  ନାହିଁ,  ବାରମ୍ବାର  ନିଷ୍ଫଳ   ମଳତ୍ୟାଗର   ବେଗ,  ସେଥିକୁ   ମେଜାଜ   ଭାରି  ତେଢା, ସବୁବେଳେ  ଶୀତଶୀତ  ଭାବ,  ଅଣ୍ଟାଦରଜ,  ପାଟି  ସବୁବେଳେ  ପିତା   ପିତା   ଭାବ, ଭୋକ   ପୂରାପୂରି  ନିଲ୍, ତେବେ  ନକ୍ସଭୋମିକା – ୨୦୦   । ଦେଖିବେ  ମନ୍ତ୍ରଭଳି   କାର୍ଯ୍ୟ   କରିବ  । କିନ୍ତୁ   ଏହି  ଔଷଧକୁ   ଖାଲି  ପେଟରେ   କେବେହେଲେ  ରୋଗୀକୁ  ଦେବେ  ନାହିଁ  ଓ  ରାତ୍ରିର  ପାନଟି  ଶୋଇବା   ପୂର୍ବରୁ   ଦେବେ   ।
  7. ଅନେକ  ସମୟରେ   ଦେଖିବେ  ଜଣ୍ଡିସରେ  କୋଷ୍ଠକାଠିନ୍ୟ  ରହିଥିବ, ଝାଡା  ଏକବାର  ଶୁଖିଲା  ବା  ଦିନ  ଦିନ  ଧରି   ହେଉ ନ ଥିବ , ପ୍ରବଳ  ଶୋଷ   ଯେ  ରୋଗୀ  ଥରକେ  ୨/୩ ଗ୍ଲାସ  ପାଣି  ପିଇ  ଯାଉଥିବ,  ପେଟ  ବିଶେଷ  କରି  ଲିଭର  ଜାଗାଟି  ଏତେ  ବ୍ୟସ୍ତ   ହୋଇପଡେ,  ମନେକରେ   ଯେପରି  ଲିଭରଟି   ଫାଟିଯିବ  । ତେଣୁ  ଚୁପଚାପ୍  ପଡି   ରହିଥାଏ   । ଏଭଳି  ଅବସ୍ଥାରେ  ବ୍ରାୟୋନିଆ – ୨୦୦ ଦିନକୁ  ୩/୪ ପାନ  ଦେଲେ  ରୋଗୀ  ସୁସ୍ଥ   ହୋଇଯାଏ  ୪/୫ ଦିନ  ମଧ୍ୟରେ   ।
  8. ଏହା  ବ୍ୟତୀତ  କୀକ  କ୍ଷେତ୍ରରେ   ଦେଖିବେ  ଦେହ  ହାତ  ହଳଦିଆ   ପଡିଯାଇଛି  ଅଥଚ   ଜିଭଟି   ସାଦା  ଓ  ତା’ର  ଧାର  ଓ  ଅଗ  ଲାଲ, ଲିଭରଟି  ବେଶ୍  ବଡ,  ଝାଡା  କାଦୁଆ  କାଦୁଅ, ସେଭଳି  କ୍ଷେତ୍ରରେ  କାର୍ଡୁସ  ମାରିନସ୍ (Q) ରୁ  ୨/୩ ଟୋପା   ଦିନକୁ  ୩ ଥର   ଦେବେ  । ବହୁତ   ଉପକାର   ମିଳିବ   ।
  9. ଲିଭର  ଖୁବ  ବଡଥାଇ   କୋଷ୍ଠକାଠିନ୍ୟ  ଥିବ,  ରୋଗୀ  ଦିନକୁ  ଦିନ  ଶୀର୍ଣ୍ଣ   ହୋଇଯାଉଥିବ,  ପରିସ୍ରା  କଳାରଙ୍ଗ, ରୋଗୀର  ମନେ  ହେଉଥିବ  ପେଟ  ଭିତରେ  ଯେପରି  କ’ଣ   ଗୋଟାଏ  ବୁଲୁଛି  । ପ୍ରାୟ   ଖରାଦିନରେ  ଜେନ  ଏଭଳି  ଭୋଗୁଥିବ  । ତାହାହେଲେ  ଚିଓନାନଥସ (Q) ୩/୫  ଟୋପା  ଦିନକୁ  ୩ ଥର  କିଛିଦିନ  ଖାଇବାକୁ   ଦେଲେ  ରୋଗୀ   ନିଶ୍ଚିତ  ଉପଶମ  ଲାଭ  କରିବ   । ଏଥିରେ  ଲିଭର  ଓ  ପ୍ଲିହା  ବୃଦ୍ଧି  ମଧ୍ୟ  ଭଲ  ହୋଇଥାଏ  ।
  10. ଆଉକେତେକ  ରୋଗୀଙ୍କ   ନିକଟରେ  ଦେଖିବେ  ତାଙ୍କର  ଜିଭରେ  ଗାଢ  ହଳଦିଆ  ବା  କଳାରଙ୍ଗର   ଶୁଖିଲା  ମଇଳା  ଏତେ  ଜମିଥିବ   ଯେ  ଜିଭ  ବୁଲାଇବା   ମଧ୍ୟ  ରୋଗୀପକ୍ଷରେ  କଷ୍ଟକର  ହେଉଥିବ, ତଣ୍ଟି  ମଧ୍ୟ  ଫାଟିଗଲା  ପରି  ମନେ  ହେଉଥିବ,  ରୋଗୀ  ନିସ୍ତେଜ   ହୋଇ  ଘୁମେଇଲା   ପରି  ପଡିଥିବେ, ଝାଡା  ଦିନକୁ  ଦିନ  ଧଳା  ହୋଇ   ହୋଇ  ଯାଉଥିବ,  ଏଭଳି   ଜଣ୍ଡିସ  କେସରେ  ମାଇରିକା (Q)  ୩/୫ ଟୋପା  ଦିନକୁ  ୩ ଥର  କିଛିଦିନ  ଦିଅନ୍ତୁ   ।

ଲକ୍ଷଣ   ଭେଦରେ  ଉପରିଲିଖିତ   ଔଷଧମାନଙ୍କୁ   ଠିକଣାଭାବରେ   ଉପଯୋଗ  କରି  ଖାଦ୍ୟପାନୀୟର  ଉପଯୁକ୍ତ   ଜଗାରଖା  କଲେ  ଖୁବ୍  କମ୍ ସମୟରେ  ଜଣ୍ଡିସ  ଯେ  ଭଲ  ହୋଇଯିବ  ଏଥିରେ  ତିଳେମାତ୍ର  ସନ୍ଦେହ  ନାହିଁ  ।ଅବଶ୍ୟ   ସାଂଘାତିକ  ଧରଣର   ଜଣ୍ଡିସରେ  ଅଭିଜ୍ଞ   ଡାକ୍ତରଙ୍କର  ପରାମର୍ଶ  ସର୍ବଦା  ଅପରିହାର୍ଯ୍ୟ  ।

ସଂଗୃହୀତ – ଡାକ୍ତର  କମଳାକାନ୍ତ  କର

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate