ପ୍ରଚଳିତ ପଦ୍ଧତିର ଅନୁସରଣକାରୀ ଚିକିତ୍ସକ ସମାଜ, ରୋଗାବସ୍ଥାରେ, ପ୍ରକୃତିର ଆତ୍ମସାହାଯ୍ୟକୁ ଅତୁଳନୀୟ ଆରୋଗ୍ୟକଳା ବୋଲି ବିଶ୍ଵାସ କରନ୍ତି ଏବଂ ଏହାର ଅବିକଳ ଅନୁକରଣ ହିଁ ଚିକିତ୍ସକର ଶ୍ରେଷ୍ଠ ଲକ୍ଷ୍ୟ ବୋଲି ଧରି ନିଅନ୍ତି । ଫଳତଃ, ଯେଉଁଠାରେ ସେହି ମହନୀୟ ପ୍ରକୃତି, ଅର୍ଥାତ୍ ଅସୀମ ବିଶ୍ଵର ମହାନ୍ ସ୍ରଷ୍ଟାଙ୍କର ଅନିର୍ବଚନୀୟ ପ୍ରଜ୍ଞାମଣ୍ଡିତ ବାଣୀ – କାଶିତ, ସେଠାରେ ଯୁକ୍ତିସଙ୍ଗତ ବାଣୀ ଦ୍ଵାରା ପରିଚାଳିତ ହେବାପାଇଁ ଆମେ ବାଧ୍ୟ । କିନ୍ତୁ ଆମେ ଯେତେ ଚିକିତ୍ସକ ଦଳ କାହିଁକି ଯେ ଔଷଧ ପ୍ରୟୋଗ ଦ୍ଵାରା କୃତ୍ରିମ ବାଧା ସୃଷ୍ଟି କରି, ରୋଗାବସ୍ଥାରେ, ପ୍ରକୃତିର ଅନୁମେଯ ଆତ୍ମ – ସାହାଯ୍ୟ – ମୂଳକ ଅତୁଳନୀୟ ଏହି ସମସ୍ତ କ୍ରିୟାକୁ ବିଶୃଙ୍ଖଳିତ ବା ଅନିଷ୍ଟକର ଭାବରେ ବୃଦ୍ଧି କରାଇଥାଉ ତାହା ଚିନ୍ତା କଲେ ହତବୁଦ୍ଧି ଭଳି ଲାଗେ । ବସ୍ତୁତ୍ଵ ଘଟଣାଟି କିନ୍ତୁ ତାହା ନୁହେଁ । ସେହି ପ୍ରକୃତି, ଯାହାର ଆତ୍ମ – ସାହାଯ୍ୟ, ପ୍ରଚଳିତ ଚିକିତ୍ସକସମ୍ପ୍ରଦାୟକର୍ତ୍ତୃକ ଅତୁଳନୀୟ ଆରୋଗ୍ୟକଳା ଏବଂ ଏକମାତ୍ର ଅନୁକରଣୀୟ ପନ୍ଥା ବୋଲି ସ୍ଵୀକୃତ, ତାହାହେଲା, କେବଳ ରକ୍ତମାଂସ ମେଧା ବିଶିଷ୍ଟ ମନୁଷ୍ୟର ବ୍ୟକ୍ତିଗତ ପ୍ରକୃତି । ତାହା ସ୍ଵତଃ ପ୍ରେରଣାମୟ, ଯୁକ୍ତି ଓ ବିଚାରବିହୀନ ଶରୀରର ଯନ୍ତ୍ରସକଳର ଦୈବିନିୟମର ଅଧୀନ ଜୀବନିଶକ୍ତି ଛଡା ଅନ୍ୟ କିଛି ନୁହେଁ । ଯେତେବେଳେ ପର୍ଯ୍ୟନ୍ତ ମନୁଷ୍ୟ ସୁସ୍ଥ ରହିଥାଏ, ତାହାର କ୍ରିୟା ଓ ଅନୁଭୂତିସମୂହକୁ ଚମତ୍କାର ଭାବରେ, ସମ୍ପୂର୍ଣ୍ଣ ଭାବରେ ରକ୍ଷା କରିବା ପାଇଁ, ପରମସ୍ରଷ୍ଟାଙ୍କ ଦ୍ଵାରା ତାହା ନିୟୋଜିତ, ଅଥଚ ରୁଗ୍ମ ବା ନଷ୍ଟସ୍ୱାସ୍ଥ୍ୟକୁ ଯଥାର୍ଥଭାବରେ ପୁନରୁଦ୍ଧାର କରିବାର ସାମର୍ଥ୍ୟ ତାହାର ନାହିଁ ବା ତାହା ଅଭିପ୍ରେତ ମଧ୍ୟ ନୁହେଁ । ତାହାର କାରଣ ହେଉଛି, ଯେତେବେଳେ କୌଣସି କ୍ଷତିକର ବାହ୍ୟ ପ୍ରଭାବ ଫଳରୁ ଶରୀରସ୍ଥ ଜୀବନୀଶକ୍ତିର ଅଖଣ୍ଡତା କ୍ଷୁର୍ଣ୍ଣ ହୁଏ, ସେତେବେଳେ ତାହା ସ୍ଵ - ପ୍ରେରଣା ଦ୍ଵାରା ବା ସ୍ଵୟଂକ୍ରିୟ ଭାବରେ ସେହି ଆକସ୍ମିକ ବିଶୃଙ୍ଖଳାର କବଳରୁ ବିପ୍ଳବାତ୍ମକ ମାର୍ଗଦ୍ଵାରା ମୁକ୍ତ ହେବାପାଇଁ ଚେଷ୍ଟା କରିଥାଏ । କିନ୍ତୁ ଏହି ପ୍ରଚେଷ୍ଟା ହିଁ ହେଉଛି ଅସଲ ବ୍ୟାଧି, ମୂଳ ବ୍ୟାଧିର ସ୍ଥାନାଭିଷକ୍ତ ଏକ ଭିନ୍ନଧରଣର ଦ୍ଵିତୀୟ ରୋଗ । ମୋ ମତରେ, ଜୀବନୀଶକ୍ତିର ଅଭିପ୍ରାୟ ହେଉଛି, ଶରୀର ଯନ୍ତ୍ରସକଳର ଗଠନତନ୍ତ୍ରାନୁସାରେ ଅନ୍ୟ ଏକ ଭିନ୍ନଧରଣର ପୀଡା ସୃଷ୍ଟି କରି ବ୍ୟାଧିକୁ ଦୂର କରିବା । ଏହା ସାଧନ କରିବାକୁ ସେ ଚେଷ୍ଟା କରେ ବ୍ୟଥା – ବେଦନା ସୃଷ୍ଟି କରି ; ରୋଗର ପ୍ରକାଶିତ ସ୍ଥାନରୁ ସ୍ଥାନାନ୍ତର କରି ; ଏବଂ ମୂଳତଃ ନିଃସରଣ ପ୍ରକ୍ରିୟାରେ ଶରୀରର କେତେକ କଠିନ ଓ ତରଳ ଉପାଦାନରୁ କିଛି ପରିତ୍ୟାଗ କରି ଫଳତଃ ସେ ସବୁ ନେଇଆସେ କଷ୍ଟକର, ଅସ୍ପଷ୍ଟ ଓ ମାରାତ୍ମକ ପ୍ରତିକ୍ରିୟା ।
ପ୍ରେରଣା ସଞ୍ଚାରକାରୀ ଅଥଚ ଯୁକ୍ତିହୀନ ଜୀବନୀଶକ୍ତିର ଅପୂର୍ଣ୍ଣତା ଏବଂ ରୋଗାବସ୍ଥାରେ ଆତ୍ମ ସାହାଯ୍ୟକଳ୍ପେ, ତା’ର ଏ ସମସ୍ତ ଅନ୍ଧ ପ୍ରଚେଷ୍ଟାର ଅପ୍ରାଚୁର୍ଯ୍ୟତା, ଯଦି ଯୁଗ ଯୁଗ ଧରି ମନୁଷ୍ୟଙ୍କ ଅଜଣା ଥା’ନ୍ତା, ତାହାହେଲେ ସେମାନେ ରୁଗ୍ମ ଓ ଠିକଣାଭାବରେ ଆପଣାକୁ ସାହାଯ୍ୟ କରିବାରେ ଅସମର୍ଥ ସେଇ ଜୀବନୀଶକ୍ତିକୁ ଦ୍ରୁତ ଓ ନିଶ୍ଚିତଭାବରେ ରୋଗ ଆରୋଗ୍ୟ ପାଇଁ ଏବଂ ଯେତେଦୂର ସମ୍ଭବ ଇସ୍ପିତ ସ୍ୱାସ୍ଥ୍ୟର ପୁନଃ ପ୍ରତିଷ୍ଠା ପାଇଁ ଔଷଧ ପ୍ରୟୋଗ କରି ସାହାଯ୍ୟ କରିବାର ଇଚ୍ଛା ଓ ଉତ୍ସାହ ପ୍ରକାଶ କରନ୍ତେ ନାହିଁ । ସଂକ୍ଷେପରେ କହିବାକୁ ଗଲେ, ସେମାନେ ଏକ ଆରୋଗ୍ୟ – କଳା ଆବିଷ୍କାର କରିବାର ପ୍ରଚେଷ୍ଟା ଚଳାଇ ନ ଥା’ନ୍ତେ ।
ରୋଗ କ୍ଷେତ୍ରରେ ଆତ୍ମରକ୍ଷା ପାଇଁ ସ୍ଵୟଂପ୍ରବୃତ୍ତ, ପ୍ରେରଣାଶୀଳ, ଯୁକ୍ତିବିହୀନ ଜୀବନୀଶକ୍ତିର ଅନୁପଯୋଗୀ, ବେକାର, ପ୍ରାୟତଃ କ୍ଷତିକର ପ୍ରଚେଷ୍ଟା ଓ କାର୍ଯ୍ୟସମୂହର ଅନୁକରଣକୁ ହିଁ ଯୁଗଯୁଗ ଧରି ଆରୋଗ୍ୟ – କଳା ନାମରେ ଅଭିହିତ କରାହୋଇଅଛି । ସୁତରାଂ ମୋ ପୂର୍ବରୁ, ପ୍ରକୃତ ଆରୋଗ୍ୟ – କଳା ଆବିଷ୍କୃତ ହୋଇ ନାହିଁ, ଏହି ସତ୍ୟ ସ୍ଵୀକାର କରିବାକୁ ହେବ ।
ଯୁଗଯୁଗ ଧରି ବୃଥାରେ ଏହାର ଅନୁସନ୍ଧାନ କରାହୋଇଥିଲେ ମଧ୍ୟ ହୋମିଓପାଥି ହିଁ ହେଉଛି ଏହି ଆରୋଗ୍ୟ – କଳା । ଏହାର ମୂଳନୀତିସମୂହ ଶିକ୍ଷାପ୍ରଦ ଏବଂ ସେ ଶିକ୍ଷାର ପ୍ରୟୋଗ ହିଁ ହେଉଛି ଏହାର ପ୍ରମାଣ ।
ହ୍ୟାନିମାନ, ଏଯାବତ ତାଙ୍କର ମୁଖବନ୍ଧରେ ହୋମିଓପାଥିର ନାମୋଲ୍ଲେଖ ଏପରି ଦୃଢ ଭାବରେ କରି ନ ନଥିଲେ । କେବଳ ଏହି ମୁଖବନ୍ଧର ଶେଷ ପଂକ୍ତିରେ ଖୁବ୍ ଦୃଢତାର ସହିତ ତାହା ଉଲ୍ଲେଖ କରି, ତାହାକୁ ଏକ ପ୍ରକୃତ ଆରୋଗ୍ୟ – କଳା ବୋଲି ଅଭିହିତ କରିଅଛନ୍ତି ।
ଚିକିତ୍ସା ବିଦ୍ୟାକୁ ଏକ ଆରୋଗ୍ୟ – କଳା ବା healing – art ବୋଲି ଏହି ମୁଖବନ୍ଧରେ ସେ ବାରମ୍ବାର ଉଲ୍ଲେଖ କରିଥିବା କାରଣରୁ ହିଁ ଏ ସମ୍ପର୍କରେ ସବିଶେଷ ଆଲୋଚନା ଆବଶ୍ୟକ ।
ମାନବ ସମାଜରେ ରୋଗର ଆବିଷ୍କାର ହେବା ଦିନଠାରୁ, ଆଧିଭୌତିକ, ଆଧିଦୈବିକ ଓ ଆଧ୍ୟାତ୍ମିକ ମାର୍ଗରେ ସେ ସବୁର ଅପନୋଦନ ପାଇଁ ନାନା ପ୍ରକାର ବ୍ୟବସ୍ଥା । ପ୍ରଚଳିତ ହୋଇ ଆସିଅଛି ଏବଂ ପ୍ରତ୍ୟକ ପନ୍ଥାରେ ଥିବା ନିର୍ଦ୍ଧିଷ୍ଟ ତତ୍ତ୍ଵ ବା ନୀତିକୁ ନିର୍ଭର କରି ଚିକିତ୍ସକ ବା ରୋଗ ଆରୋଗ୍ୟକଳ୍ପେ ଇଚ୍ଛା କରୁଥିବା ବ୍ୟକ୍ତି, କୌଣସି ନା କୌଣସି କୌଶଳ ଅବଲମ୍ବନ କରିଥା’ନ୍ତି, ଏବଂ ତାହା ହିଁ ହେଉଛି ଏକ କଳା ବା art ଯାହାର ପାରଦର୍ଶିତା ଉପରେ ନିରାମୟର କଳ୍ପନା କରାଯାଇଥାଏ । ଏହା ଏକ କାର୍ଯ୍ୟ, ପୋଥିଗତ ବିଦ୍ୟା ନୁହେଁ । ପୋଥିଗତ ବିଦ୍ୟାର ଆଧାରରେ ଯାହାସବୁ କାର୍ଯ୍ୟତଃ ସମ୍ପାଦନ କରାଯାଇଥାଏ ତାହା ହିଁ କଳା । ଏହି କଳା ବ୍ୟକ୍ତିଗତ ହୋଇପାରେ, ସାର୍ବଜନୀନ ମଧ୍ୟ ହୋଇପାରେ । ଯେପରି କି, ଚିକିତ୍ସାପାଇଁ ହୋମିଓପାଥିର ନିୟମ ମଧ୍ୟରେ ଲକ୍ଷଣସମୂହର ସକଳିକରଣ କରିବା ଏକ ସାର୍ବଜନୀନ କଳା ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କେହି କେହି ସାର୍ବଦୈହିକ ଲକ୍ଷଣ ଆଡକୁ ଗତିକରି ଏହି ଉଦ୍ଦେଶ୍ୟରେ ଉପନୀତ ହେବାକୁ ସହଜ ମଣୁଥିବାବେଳେ, କେହି ହୁଏତ ଆଙ୍ଗିକ ଲକ୍ଷଣରୁ ସାର୍ବଦୈହିକ ଲକ୍ଷଣ ଆଡକୁ ଯିବା ସହଜ ମଣୁଛନ୍ତି । କେହି ହୁଏତ ସଂକ୍ଷେପରେ କୌଣସି ପ୍ରଧାନ ବୈଶିଷ୍ଟ୍ୟସୂଚକ ଲକ୍ଷଣକୁ ଧରି ଏହାକୁ ସକଳିକରଣ କରିଥା’ନ୍ତି । ଏ ସବୁ ହେଉଛି ବ୍ୟକ୍ତିଗତ କଳା । ଏହା ସମସ୍ତ ପ୍ରଯୁକ୍ତି ବିଦ୍ୟାପାଇଁ ପ୍ରଯୁଜ୍ୟ । ହ୍ୟାନିମାନ ତେଣୁ ଏ କ୍ଷେତ୍ରରେ ଆରୋଗ୍ୟପାଇଁ ଉଦ୍ଦିଷ୍ଟ ଏକ ସାର୍ବଜନୀନ ପ୍ରୟୋଗାତ୍ମକ – କଳା କଥା ହିଁ କହୁଛନ୍ତି ଏବଂ ଏହାର ପ୍ରୟୋଗ ଉପରେ ହିଁ ବିଶେଷ ଗୁରୁତ୍ଵ ଆରୋପ କରୁଛନ୍ତି ।
କେବଳ ସେତିକି ନୁହେଁ ପ୍ରତ୍ୟକ କଳାପାଇଁ, ଅର୍ଥାତ୍ ପ୍ରୟୋଗାତ୍ମକ କାର୍ଯ୍ୟପାଇଁ, ଏକ ସୁସଂହତ ପ୍ରଣାଳୀ ସ୍ଥିରୀକୃତ ହୋଇ, ଏହାର ମୂଳ ନୀତିସବୁକୁ ଲିପିବଦ୍ଧ କରାଯାଇଥାଏ । ଏହା ହିଁ ହୁଏ ପ୍ରତ୍ୟକ କଳାର ସଂହିତା । ଏହି ସଂହିତାରେ ଥିବା ପାଠର ପ୍ରୟୋଗାତ୍ମକ ଦିଗ ହିଁ ହେଉଛି କଳା, ଯାହାର ପ୍ରୟୋଗରେ ହିଁ ସେ ଶିକ୍ଷାର ଉଦ୍ଦେଶ୍ୟ ପ୍ରମାଣିତ ହୋଇଥାଏ । ତେଣୁ ବିନା ପ୍ରମାଣରେ କୌଣସି ପ୍ରୟୋଗାତ୍ମିକ କଳାର ସ୍ଥାୟିତ୍ଵ ନ ଥାଏ । ଆରୋଗ୍ୟକଳା ବା ଚିକିତ୍ସା – କଳା ହେଉଛି ସେହିଭଳି ଏକ କଳା ଏବଂ ତାହାର ତାତ୍ତ୍ଵିକ ଅଂଶ, ଉପପାଦ୍ୟଭାବରେ ଗ୍ରଥିତ ହୋଇଥାଏ ପ୍ରମାଣପାଇଁ ପ୍ରୟୋଗ ମାଧ୍ୟମରେ । ଏହା ହିଁ ହେଉଛି ବିଜ୍ଞାନଭିତ୍ତିକ ଅନୁସନ୍ଧାନର ମୂଳମନ୍ତ୍ର । ତେଣୁ ହ୍ୟାନିମାନଙ୍କର କହିବାର କଥା, ଆରୋଗ୍ୟକଳା ବା ଚିକିତ୍ସା - କଳା କୌଣସି ଏକ କଳ୍ପନାପ୍ରସୂତ ଚିନ୍ତା ଉପରେ ପର୍ଯ୍ୟବେସିତ ହେବାର କଥା ନୁହେଁ । ଏହା ଏକ ସମ୍ପୂର୍ଣ୍ଣ ପ୍ରୟୋଗାତ୍ମକ କଳା, ତେଣୁ ନିଚ୍ଛକ ବାସ୍ତବତାର ଭିତ୍ତିଭୂମି ଉପରେ ଏହା ଦଣ୍ଡାୟମାନ ହେବା ଉଚିତ । ଏହି ଉପପାଦ୍ୟସକଳକୁ ବାରମ୍ବାର ପରୀକ୍ଷା କର ଏବଂ ଶେଷରେ ସେହି ଏକା ନିର୍ଣ୍ଣୟରେ ହିଁ ତୁମେ ପହଞ୍ଚିବ ।
ହ୍ୟାନିମାନ ଏହି ମୁଖବନ୍ଧରେ ରୋଗର କାରଣ ଓ ତାହାର ନିରାମୟ ସହିତ ମନୁଷ୍ୟର ଜୀବନୀଶକ୍ତିର ସମ୍ପର୍କ ; ଜୀବନୀଶକ୍ତିର ପରିଚିତି ଇତ୍ୟାଦି ବିଷୟରେ ଏକ ବିଶ୍ଳେଷଣାତ୍ମକ ମତାମତ ଦେଇଛନ୍ତି । ଅର୍ଗାନନ୍ ର ନବମ ଓ ଦଶମ ଉପପାଦ୍ୟରେ ଥିବା ଜୀବନୀଶକ୍ତିବିଷୟକ ଅବତାରଣାକୁ ବୁଝିବାକୁ ହେଲେ, ଏହି ମୁଖବନ୍ଧ ପାଠକରିବା ଓ ତାହାକୁ ହୃଦୟଙ୍ଗମ କରିବା ସର୍ବାଦୌ ଆବଶ୍ୟକ ।
ଏହି ମୁଖବନ୍ଧରେ ଥିବା ତାଙ୍କର ଦୃଢୋକ୍ତି ‘ମୋ ପୂର୍ବରୁ ପ୍ରକୃତ ଆରୋଗ୍ୟ – କଳା ଆବିଷ୍କୃତ ହୋଇ ନାହିଁ ; ଏହି ସତ୍ୟକୁ ସ୍ଵୀକାର କରିବାକୁ ହେବ’, ଏକ ଅତିଶୟୋକ୍ତି ବୋଲି ମନେ କରାଯିବା ସ୍ଵାଭାବିକ । ପାଶ୍ଚାତ୍ୟ ପଣ୍ଡିତଙ୍କ ପାଇଁ ଏ ଆରୋଗ୍ୟକଳା ଅଶ୍ରୁତପୂର୍ବ ହୋଇଥିଲେ ହେଁ, ଆର୍ଯ୍ୟାବର୍ତ୍ତର ଆୟୁର୍ବିଜ୍ଞାନରେ ଏ କଥା ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଯାହାକି ହ୍ୟାନିମାନଙ୍କ ଦୃଷ୍ଟିରୁ ପରିସୀମା ମଧ୍ୟକୁ ଆସିବା ହୁଏତ ସମ୍ଭବ ନ ଥିଲା ବହୁ କାରଣରୁ ।
‘ଶ୍ରୀମଦ ଭାଗବତ’ ମହାପୁରାଣର ପ୍ରଥମ ସ୍କନ୍ଦ ୩୩ ଓ ୪୪ ଶ୍ଳୋକଦ୍ୱୟ ପାଠକଲେ ଏହି ପଦ୍ଧତିର ଚିକିତ୍ସା, ଆର୍ଯ୍ୟାବର୍ତ୍ତରେ ବାହୁଯୁଗରୁ ପ୍ରଚଳିତ, ଏଥିରେ ସନ୍ଦେହ କରିବାର କିଛି ନାହିଁ । ସେଥିରେ ଉଲ୍ଲେଖ ଅଛି :
“ଆମୟୋ ଯଶ୍ଚଭୂତାନାଂ ଜାୟତେ ଯେନ ସୁବ୍ରତ ।
ତଦେବହ୍ୟମୟଂ ଦ୍ରବ୍ୟ ନ ପୁନାତି ଚିକିତ୍ସିତମ୍ । ୩୩ ।
ଏବଂ ନୃଣା କ୍ରିୟା ଯୋଗାଃ ସର୍ବେ ସଂସ୍କୃତି ହେବତଃ ।
ତ ଏବାତ୍ମବିନାଶାୟକଳ୍ପନ୍ତେ କଳ୍ପିତାଃ ପରେ । ୩୪ ।
ଶ୍ରୀଧର ସ୍ଵାମୀଙ୍କ ମତାନୁସାରେ ଏହାର ଅର୍ଥ ହେଉଛି ‘ହେ ସୁବ୍ରତ : ଯେଉଁ ଦ୍ରବ୍ୟ ଯୋଗୁ ଜୀବମାନଙ୍କର ରୋଗ ଉତ୍ପନ୍ନ ହୁଏ, ସେହି ଦ୍ରବ୍ୟକୁ ଚିକିତ୍ସା ଶାସ୍ତ୍ରମତେ ବ୍ୟବହାର କଲେ ସେ ରୋଗ ଭଲ ହୁଏ ନାହିଁ କି ? ୩୩ । ଏହି ପ୍ରକାର ସଂସାରବନ୍ଧନର କାରଣ କର୍ମ ଯଦି ଶ୍ରୀଭଗବାନଙ୍କଠାରେ ଅର୍ପଣା କରାଯାଏ, ତାହାହେଲେ, ସେହି କର୍ମ ହିଁ କର୍ମବନ୍ଧନ କ୍ଷୟ କରିବାକୁ ସମର୍ଥ ହୁଏ । ୩୪ ।
ଆୟୁର୍ବେଦୀୟ ଚିକିତ୍ସା ଗ୍ରନ୍ଥ ‘ମାଧବ ନିଦାନ’ ପ୍ରଥମ ସର୍ଗ, ଅଷ୍ଟମ ଓ ନବମ ଶ୍ଳୋକରେ ଉଲ୍ଲେଖ ରହିଛି :
“ହେତୁ ବ୍ୟାଧି ବିପର୍ଯ୍ୟସ୍ତ ବିପର୍ଯ୍ୟସ୍ତାର୍ଥ କାରିଣାମ୍ ।
ଔଷଧାନ୍ନ ବିହାରାଣାମୁପଯୋଗଂ ସୁଖାବହମ୍ । ୮ ।
ବିଦ୍ୟାଦୁପଶୟଂ ବ୍ୟାଧେଃ ସହି ସାତ୍ମ୍ୟମିତ ସ୍ମୃତଃ ।
ବିପରୀତୋଃନୁପଶୟୋ ବ୍ୟାଧ୍ୟସାତ୍ମ୍ୟାଭି ସଞ୍ଜତଃ । ୯ ।
“ଉପାଶୟ ହେଉଛି ରୋଗୀର ସୁଖପାଇଁ, ଅର୍ଥାତ୍ ତା’ର କଷ୍ଟର ଅପନୋଦନ ପାଇଁ । ଔଷଧ, ଖାଦ୍ୟ ତଥା ଶୁଶ୍ରୂଷା ହେଉଛି ଦୁଇ ପ୍ରକାରର ।
୧. ବିପରୀତ ଓ ୨. ବିପରୀତାର୍ଥକାରୀ ।
ଅବଶ୍ୟ ହୋମିଓପାଥି ଚିକିତ୍ସା ବିଜ୍ଞାନକୁ ଏକ ନିର୍ଦ୍ଧିଷ୍ଟ ରୂପରେଖ ଦେବା ; ଆଶୁ ଓ ପୁରାତନ ରୋଗର କାରଣ ନିର୍ଣ୍ଣୟ କରି, ଏହି ମତରେ ଆରୋଗ୍ୟ ସାଧନର ନୀତି ନିର୍ଦ୍ଧାରଣ କରିବା ଏବଂ ଏହି ଚିକିତ୍ସାପାଇଁ ଆବଶ୍ୟକ ଔଷଧ ସକଳର ଗୁଣାଗୁଣ ନିର୍ଣ୍ଣୟ କରିବା ଓ ତାହାର ବିଶେଷ ପ୍ରସ୍ତୁତିକ୍ରିୟା ସମ୍ପର୍କରେ ନିର୍ଦ୍ଧିଷ୍ଟ ବ୍ୟବସ୍ଥାକୁ ସସଂହତ କରିବାରେ ହ୍ୟାନିମାନ ଥିଲେ ପ୍ରଥମ ବ୍ୟକ୍ତି ଓ ଯୁଗପ୍ରବର୍ତ୍ତକ, ଏହା ଅନସ୍ଵୀକାର୍ଯ୍ୟ ।
ପୁନଶ୍ଚ, ପୋଥିଗତ ବିଦ୍ୟା ଓ ତାହାର ପ୍ରୟୋଗାତ୍ମକ ଦିଗ ପ୍ରତି ହ୍ୟାନିମାନ, ଏହି ମୁଖବନ୍ଧରେ ସ୍ପଷ୍ଟ ସୂଚନା ଦେଇ, ପ୍ରୟୋଗାତ୍ମକ ଭୂମିକା କୌଣସି ବିଜ୍ଞାନ, ବିଶେଷକରି ଚିକତିଶା ବିଜ୍ଞାନର ପରିପୂର୍ଣ୍ଣତା ପାଇଁ ଆବଶ୍ୟକ ବୋଲି ଉଲ୍ଲଖ କରି ଅଛନ୍ତି । ଏ ସଂକ୍ରାନ୍ତରେ, ଏଠାରେ ଆମ ଦେଶର ପ୍ରତିଷ୍ଠିତ ସ୍ୱାସ୍ଥ୍ୟ ଶିକ୍ଷାର ଯେ ପରମ୍ପରା ରହିଅଛି ତାହା ଉଲ୍ଲେଖ କଲେ ହିଁ ଯଥେଷ୍ଟ ହେବ ।
“ଶାସ୍ତ୍ର ଗୁରୁମୁଖୋଦ୍ ଗୀର୍ଣ୍ଣମାଦାୟୋ ପାସ୍ୟ ଚାଃସକୃତ
ଯ କର୍ମ କୁରୁତେ ବୈଦ ସ ବୈଦ୍ୟୋନ୍ୟୋତୁ ତସ୍କରାଃ” ।
ଅର୍ଥାତ୍, ଯେ ଶାସ୍ତ୍ରୀୟ ଚିକିତ୍ସାବିଦ୍ୟା ତାଙ୍କ ଗୁରୁଙ୍କ ମୁଖରୁ ଶିକ୍ଷାଲାଭ କରିଛନ୍ତି ଓ ପ୍ରକୃତ ଚିକିତ୍ସା କ୍ଷେତ୍ରକୁ ଯିବା ପୂର୍ବରୁ ତାଙ୍କର ଅନୁଦେଶାନୁସାରେ ବାରମ୍ବାର ସେ ଶିକ୍ଷାକୁ ରୋଗୀକ୍ଷେତ୍ରରେ ଉପଯୋଗ କରିଛନ୍ତି, ସେହିଁ ପ୍ରକୃତ ଚିକିତ୍ସକ, ଅନ୍ୟ ସମସ୍ତେ ତସ୍କର ।
ସଂଗୃହୀତ – ଡାକ୍ତର କମଳାକାନ୍ତ କର
Last Modified : 1/28/2020