ଚିକିତ୍ସକଗଣ ହେଉଛନ୍ତି ମୋର ଭ୍ରାତୃବର୍ଗ । ବ୍ୟକ୍ତିଗତଭାବରେ ମୋର ସେମାନଙ୍କ ବିରୁଦ୍ଧରେ କହିବାର କିଛି ନାହିଁ । ଚିକିତ୍ସା – କଳା ସମ୍ପର୍କରେ ଯାହାକିଛି ମୋର ବକ୍ତବ୍ୟ ।
ଏପର୍ଯ୍ୟନ୍ତ ଚିକିତ୍ସା ଶାସ୍ତ୍ରରେ ଯାହା କିଛି ଶିକ୍ଷା ଦିଆହୋଇ ଆସିଛି ତାହା ପୂର୍ଣ୍ଣତା ତା’ର ଅଧ୍ୟାପକମାନଙ୍କ ମୁଣ୍ଡରୁ ଆତ୍ମାପ୍ରବଞ୍ଚନାମୂଳକ ଓ ଖାମଖେୟାଲି ଭାବରେ ଉଦ୍ଭୁତ ହୋଇଛି ନା ପ୍ରକୃତିଠାରୁ ସଂଗୃହୀତ ହୋଇଛି, ମୋତେ ତାହାର ହିଁ ଅନୁସନ୍ଧାନ କରିବାକୁ ପଡିବ ।
ଯଦି ତାହା କେବଳ କଳ୍ପନାଚାତୁର୍ଯ୍ୟ, ଯଥେଚ୍ଛ ମତବାଦ, ଚିରାଚରିତ ଚିକିତ୍ସା ବିଧାନ ତଥା ବିଭ୍ରାନ୍ତିମୂଳକ ତର୍କରୁ ଉଦ୍ଭୁତ ଏକ କଳ୍ପିତ ସିଦ୍ଧାନ୍ତ ହୋଇଥାଏ, ତାହାହେଲେ, ସହସ୍ର ବର୍ଷର ପୁରାତନ ଚିକିତ୍ସା ପଦ୍ଧତି ହୋଇଥିଲେ ମଧ୍ୟ ଏବଂ ବିଶ୍ଵର ସମସ୍ତ ନରପତି ଓ ସମ୍ରାଟମାନଙ୍କ ପ୍ରଦତ୍ତ ସନନ୍ଦ ଦ୍ଵାରା ଭୂଷିତ ହୋଇଥିଲେ ହେଁ, ତାହା ଅନ୍ତଃସାରଶୂନ୍ୟ ହୋଇ ରହିଅଛି ଓ ରହିବ ।
ଯଥାର୍ଥ ଆରୋଗ୍ୟ – କଳା, ଧର୍ମତଃ ଏକ ଖାଣ୍ଟି ଭୂୟୋଦର୍ଶନ ବିଜ୍ଞାନ ଏବଂ ସୁସ୍ପଷ୍ଟ ତଥ୍ୟ ସମୂହ ଉପରେ ହିଁ ନିର୍ଭର କରିପାରେ ଓ ନିଶ୍ଚିତ ଭାବରେ କରିବ । କାରଣ, ଯେଉଁ ସମସ୍ତ ବିଷୟକୁ ନେଇ ଏହାର କାର୍ଯ୍ୟକାରିତା, ତାହା ଭୂୟୋଦର୍ଶନ ମଧ୍ୟଦେଇ ପରିଷ୍କାର ତଥା ସନ୍ତୋଷଜନକ ଭାବରେ ଇନ୍ଦ୍ରିୟଗ୍ରାହ୍ୟ ହେବାର କଥା । ରୋଗ ସମ୍ବନ୍ଧରେ ଜ୍ଞାନ, ଔଷଧ ସକଳର କ୍ରିୟା ସମ୍ପର୍କରେ ଜ୍ଞାନ ଏବଂ ଭୂୟୋଦୃଷ୍ଟ ଔଷଧଜକ୍ରିୟା କିପରି ଭାବରେ ରୋଗ ନିରାମୟ କରିବା କାର୍ଯ୍ୟରେ ବ୍ୟବହୃତ ହୋଇପାରିବ, ଏ ସମସ୍ତ କଥା କେବଳ ଅଭିଜ୍ଞତା ହିଁ ସମୁଚିତ ଶିକ୍ଷା ଦେଇଥାଏ । ଏହାର ସକଳ ବିଷୟ କେବଳ ବିଶୁଦ୍ଧ ଅଭିଜ୍ଞତା ଓ ପର୍ଯ୍ୟବେକ୍ଷେଣରୁ ହିଁ ଉଦ୍ଧୃତ ହୋଇଥାଏ ଏବଂ ଯଦି ଏହାକୁ ଆସାର ବା ପରିହାସର ପରିଣତିରୁ ବଞ୍ଚିବାକୁ ହେବ ତାହାହେଲେ ବିଶୁଦ୍ଧ ଓ ସୁପର୍ଯ୍ୟବେକ୍ଷିତ ଅଭିଜ୍ଞତା ତଥା ପରୀକ୍ଷା – ନିରୀକ୍ଷାର ପରିସୀମା ମଧ୍ୟରୁ ଏକପାଦ ମଧ୍ୟ ବିଚ୍ୟୁତ ହେବାପାଇଁ ଦୁଃସାହସ କରିବାକୁ ହେବ ନାହିଁ ।
ଅଦ୍ୟାବଧି ପ୍ରଚଳିତ ସମଗ୍ର ଚିକିତ୍ସା – କଳା, ଯଦିଓ ଅନ୍ୟ କୌଣସି ଭଲ ପନ୍ଥାର ଅଭାବରୁ ଦୀର୍ଘ ୨୫୦୦ ବର୍ଷଧରି ବହୁ ଆଗ୍ରହୀ ଓ ଉଚ୍ଚମନା ଅୟୁତ ଅୟୁତ ସଂଖ୍ୟକ ଚିକିତ୍ସକମାନଙ୍କ ଦ୍ଵାରା ବ୍ୟବହୃତ ହୋଇ ଆସୁଅଛି, ତଥାପି ପ୍ରତ୍ୟକ ବିଷୟରେ ଯେ ଏହା ନିତାନ୍ତ ବାଜେ, ଅକାମୀ ଏବଂ ପୂରାପୂରି ଆସାର, ତାହା ନିମ୍ନଲିଖିତ କେତେକ ନିର୍ଦ୍ଦ୍ଵନ୍ଦ୍ଵମୂଳକ ବିଚାରମାନଙ୍କରୁ ବୁଝାପଡେ ।
ଅସମର୍ଥିତ ବିଚାରବୁଦ୍ଧି, ସ୍ଵତଃ କୌଣସି ବିଷୟ ବୁଝିପାରେ ନାହିଁ, ବାସ୍ତବତାର ପ୍ରକୃତି, କ୍ରିୟା ଓ କାରଣ ସମ୍ପର୍କରେ କୌଣସି ଧାରଣା କରିପାରେ ନାହିଁ । ଅବଶ୍ୟ, ଯଦି ସତ୍ୟ ନିର୍ଣ୍ଣୟ କରିବାର କଥା, ତାହାହେଲେ ବାସ୍ତବତାର ପ୍ରତ୍ୟକ ସିଦ୍ଧାନ୍ତ ଇନ୍ଦ୍ରିୟାନୁଭୂତ ତଥ୍ୟ ତଥା ଅଭିଜ୍ଞତା ଉପରେ ହିଁ ପର୍ଯ୍ୟବେସିତ ହେବା ଆବଶ୍ୟକ । ଏହି ପରିଚଳନ ଭିତରେ, ଅନୁଭୂତିର ଦିଗଦର୍ଶନମଧ୍ୟରୁ, ଯଦି ଏକ ପାଦମାତ୍ର ବିଚ୍ୟୁତି ଘଟେ ତାହାହେଲେ ସାନିଷ୍ଟମାୟା ଓ ସମ୍ପୂର୍ଣ୍ଣ ନିଷ୍ପଳତା ସୃଷ୍ଟିକାରିଣୀ ଉଦ୍ଭଟତା ଓ ଯଥେଚ୍ଛ ଅନୁମାନର ଅସୀମ ରାଜ୍ୟ ମଧ୍ୟରେ ସତ୍ତା ହରାଇବାକୁ ପଡିବ ।
ପଦାର୍ଥ ବିଦ୍ୟା, ରସାୟନଶାସ୍ତ୍ର ତଥା ଭେଷଜ ବିଜ୍ଞାନ ଭଳି ସମ୍ପୂର୍ଣ୍ଣ ଅଭିଜ୍ଞତାମୂଳକ ବିଜ୍ଞାନରେ କେବଳ କଳ୍ପନାସମ୍ଭୁତ ପ୍ରଜ୍ଞାର କୌଣସି ମୂଲ୍ୟ ନାହିଁ । ଯେଉଁ ସ୍ଥାନରେ କେବଳ ଏହା ହିଁ କାମକରେ, ସେଠାରେ ଏହା ଶୁଷ୍କ କଳ୍ପନାବିଳାସ ଓ ଅବାସ୍ତବତା ସ୍ତରକୁ ଖସିଆସେ ଏବଂ ସଙ୍କଟଜନକ କାଳ୍ପିକ ସିଦ୍ଧାନ୍ତର ସୃଷ୍ଟିକରେ, ଯାହାକି ବହୁ କ୍ଷେତ୍ରରେ ସେ ସବୁର ଅନ୍ତର୍ନିହିତ ପ୍ରକୃତିରୁ ଆତ୍ମପ୍ରବଞ୍ଚନା ଓ ଅସତ୍ୟ ଭାବ ପ୍ରକାଶିତ ହୁଏ ।
ତଥାକଥିତ ତାତ୍ତ୍ଵିକ ଚିକିତ୍ସା ବିଜ୍ଞାନର ଏହା ହିଁ ହେଉଛି ଅଦ୍ଭୁତ ଭେଳିକି, ଯେଉଁଥିରୁକି ପୂର୍ବକଳ୍ପିତ ଧାରଣା ଓ ଆନୁମାନସିଦ୍ଧ ସୂକ୍ଷ୍ମବିଚାରଧାରା ସମ୍ପନ୍ନ କେତେକ ସ୍ପର୍ଦ୍ଧିତ ସମ୍ପ୍ରଦାୟର ସୃଷ୍ଟି ହୋଇଅଛି, ଯେଉଁମାନେକି ସେମାନଙ୍କ ପ୍ରତିଷ୍ଠାତାମାନେ ଯେ ସବୁ ବିଷୟରେ ସ୍ଵପ୍ନାବିଷ୍ଟ ହୋଇପଡିଥିଲେ, କେବଳ ତାହା ହିଁ ଦେଖାନ୍ତି, ଯାହା ସବୁକି କସ୍ମିନକାଳେ ଜଣାଯାଇ ନାହିଁ ଓ ରୋଗାରୋଗ୍ୟ ପାଇଁ ଏକବାର ଅକାମୀ ।
ସମସ୍ତ ଅଭିଜ୍ଞତାର ବହୁ ଉର୍ଦ୍ଧ୍ଵରେ ଥିବା ଏହି ସମସ୍ତ ତଥାକଥିତ ଉନ୍ନତ ପଦ୍ଧତିସବୁରୁ, ପ୍ରକୃତ ଚିକିତ୍ସା ପାଇଁ ଚିକିତ୍ସା କଳା କିଛି ହିଁ ଲାଭ କରି ନାହିଁ । ତେଣୁ ସେମାନେ କେବଳ ଆତ୍ମବିଶ୍ଵାସର ସହିତ ରୋଗୀଶଯ୍ୟା ନିକଟରେ, ଚିରାଚରିତ ବ୍ୟବସ୍ଥା ପତ୍ରସମ୍ବଳିତ ପୁସ୍ତକ ସାହାଯ୍ୟରେ କିପରି ଚିକିତ୍ସକମାନେ ଏଯାବତ ଚିକିତ୍ସା କରୁଥିଲେ, ତାହା କହିବା ସଙ୍ଗେ ସଙ୍ଗେ, ପ୍ରକୃତି ନିର୍ଦ୍ଧିଷ୍ଟ ଅଭିଜ୍ଞତା ପ୍ରତି, ନିଜଭଳି ଉଦାସୀନ ଥିବା ଭୂୟୋଦ୍ରଷ୍ଟା ଅଧିକାରୀମାନଙ୍କର ପଦ୍ଧତି ଅବଲମ୍ବନରେ ସହଜ ଚିକିତ୍ସାର ଚାବିକାଠି – ବ୍ୟବସ୍ଥାପତ୍ର ଲିପି – ଦ୍ଵାରା ଆତ୍ମାସନ୍ତୁଷ୍ଟ ।
ଏତାଦୃଶ ଗୋଳମାଳିଆ ବ୍ୟବସ୍ଥାର ଏକ ସୁସ୍ଥ, ଅପକ୍ଷପାତ, ବିବେକନିର୍ଦ୍ଧିଷ୍ଟ ପରୀକ୍ଷା, ସରଲା ଭାବରେ ଦର୍ଶାଏ ଯେ, ଅଦ୍ୟାବଧି ‘ଚିକିତ୍ସା - କଳା’ ନାମରେ ଚାଲିଥିବା କାର୍ଯ୍ୟ କେବଳ ଏକ ମିଥ୍ୟା – ବୈଜ୍ଞାନିକ ପ୍ରବଞ୍ଚନା, ଯାହାକି ରୂପକଥା ବର୍ଣ୍ଣିତ ‘ଗ୍ୟାଲେଟଙ୍କ ଟୋପି’ ଭଳି, ପ୍ରଚଳିତ ଚିକିତ୍ସା ରୀତି ସହିତ ଆଲା ମିଳାଇବା ପାଇଁ ଦିନକୁ ଦିନ ରୂପ ବଦଳାଇ ଚାଲିଛି । ମାତ୍ର ରୋଗ ଚିକିତ୍ସା ସମ୍ପର୍କରେ କହିବାକୁ ଗଲେ ତାହା ଠିକ୍ ସେହି ପୁରୁଣା ଅନ୍ଧ ଓ ଅନିଷ୍ଟକାରୀ ପଦ୍ଧତି ।
ପ୍ରକୃତି ତଥା ଅଭିଜ୍ଞତାସ୍ଵୀକୃତ ଏକ ଚିକିତ୍ସାକଳା କିଛି ନ ଥିଲା ଏ ଅବଧି । ଚିରାଚରିତ ଚିକିତ୍ସାର ପ୍ରତ୍ୟକଟି ବିଷୟ, କଳାକୌଶଳ ଏବଂ କଳ୍ପନାସମ୍ଭୁତ, ଯାହାରକି କୌଣସି ଅଭିଜ୍ଞତାର ଭିତ୍ତି ନାହିଁ, କେବଳ ମାତ୍ର ସମ୍ଭାବନାର ସମ୍ଭାରରେ ସୁଶୋଭିତ ।
ଆରୋଗ୍ୟର କଳ୍ପନା, ବୈକାରିକୀ ବିଜ୍ଞାନର ନିର୍ଦ୍ଦେଶାନୁସାରେ ହିଁ ସୃଷ୍ଟି କରାଯାଉଥିଲା । କେଉଁରୋଗ କେତେସଂଖ୍ୟକ ଓ କେତେ ପ୍ରକାର ଓ ଜାତିର ହେବାକଥା ତାହା ଖିଆଲଖୁସୀ ଅନୁସାରେ ସ୍ଥିର କରାଯାଉଥିଲା । ଟିକିଏ ଚିନ୍ତାକରି ଦେଖାନ୍ତୁନା, ମାନବ ସମାଜ ଭିତରେ, ଅସୀମ ପ୍ରକୃତିଦ୍ଵାରା ସୃଷ୍ଟ ଅଗଣିତ ଓ ସର୍ବଦା ଅନଭିଦ୍ରଷ୍ଟ ବ୍ୟାଧିସମୂହ କିପରି ବୈକାରିକୀ ବିଜ୍ଞାନୀ ଏତେ ନିର୍ଦ୍ଦୟ ଭାବରେ କାଣ୍ଟଛାଣ୍ଟ କରି ଶେଷରେ କେବଳ ମୁଠାଏ ଛିନ୍ନ ଓ ଶୁଷ୍କ ଅବସ୍ଥାରେ ହିଁ ରଖିଦିଅନ୍ତି ।
ଜ୍ଞାନାଭିମାନୀଗଣ ରୋଗସକଳର ସଂଜ୍ଞା, ଅଦୃଷ୍ଟପୂର୍ବ ନିରୂପଣ କରି, ସେଥିରେ ଅଭିଜ୍ଞତା ଅସମର୍ଥିତ ଗତାନୁଗତିକତା ଆରୋପ କରିଛନ୍ତି (ସରଲା ଓ କ୍ଷାନ୍ତି ଅଭିଜ୍ଞତା ଏଭଳି ଅବାସ୍ତବ ସ୍ଵପ୍ନକୁ ଅନୁମୋଦନ କିପରି କରିପାରେ ?) ନା ସେମାନେ ପ୍ରତ୍ୟକ ବସ୍ତୁର ଅନ୍ତସ୍ଥପ୍ରକୃତି ଓ ଅଦୃଶ୍ୟ ପ୍ରାଣକ୍ରିୟାକୁ ପ୍ରତ୍ଯକ୍ଷ କରିବାର ଅନ୍ତର୍ଦୃଷ୍ଟି ସେମାନଙ୍କର ଅଛି ବୋଲି ଛଳନା କରନ୍ତି, ଯାହାକି କୌଣସି ମରଣଶୀଳଠାରେ କେବେହେଲେ ଥାଇପାରେ ।
ବର୍ତ୍ତମାନ ଆରୋଗ୍ଯ ନିମନ୍ତେ ଆବଶ୍ୟକ ଅସ୍ତ୍ରମାନଙ୍କ ସମ୍ପର୍କରେ କିଛି ସୁସ୍ପଷ୍ଟ ଧାରଣା କରିବାକୁ ଯିବା । ମେଟେରିଆ ମେଡିକାସ୍ଥିତ ସମସ୍ତ ଔଷଧର କ୍ଷମତା ସମ୍ପର୍କରେ ଜ୍ଞାନ ସେ ସବୁର ବସ୍ତୁଗତ, ରାସାୟନିକ ଏବଂ ଅନ୍ୟାନ୍ୟ ଅପ୍ରାସଙ୍ଗିକ ଗୁଣ ତଥା ସେଗୁଡିକର ଗନ୍ଧ, ସ୍ଵାଦ ଏବଂ ବାହିକ ସ୍ଥିତି, ବିଶେଷତଃ ନାନାପ୍ରକାର ରୋଗ ଲକ୍ଷଣର ଗୋଳମାଳିଆ ଅବସ୍ଥା ଭିତରେ ସଠିକ ଲକ୍ଷଣ ନ ଥିବା ରୋଗ ବିବରଣୀ ଉପରେ ବ୍ୟବସ୍ଥାପିତ ନାନା ପ୍ରକାର ଔଷଧର ଏକ ମିଶ୍ରଣ ଦିଆଯାଇପାରେ ରୋଗୀଶଯ୍ୟା ପାର୍ଶ୍ଵ ଅଭିଜ୍ଞତାରୁ ହିନ ଆହରଣ କରାଯାଉଅଛି । ସାମାନ୍ୟ ଚିନ୍ତା କରନ୍ତୁ, ଭେଷଜ ଦ୍ରବ୍ୟ ମଧ୍ୟରେ ମାନବର ସ୍ୱାସ୍ଥ୍ୟ ପରିବର୍ତ୍ତନକାରୀ ଅଦୃଶ୍ୟ ଭାବରେ ଲୁକ୍କାୟିତ ସୂକ୍ଷ୍ମଶକ୍ତି, ଯାହାକି ବିଶୁଦ୍ଧ ଓ ସଠିକ ଭାବରେ ସୁସ୍ଥ ମନୁଷ୍ୟର ଶରୀର ଉପରେ ନିଜର ପ୍ରଭାବ ଦ୍ଵାରା ପରିବର୍ତ୍ତନ କରିବା ଛଡା ଅନ୍ୟ କୌଣସି ମାର୍ଗରେ କରିପାରେନା, ଏହି ଏକମାତ୍ର ବିଶୁଦ୍ଧ ପରୀକ୍ଷାର ମାର୍ଗରେ ଭେଷଜ ସକଳକୁ ପ୍ରଶ୍ନ ନକରି, ଓ ଏଭଳି ପ୍ରଶ୍ନ ଉପରେ ସେମାନଙ୍କ ଉତ୍ତରକୁ ଅପେକ୍ଷା ନ କରି, ତାହା ମନୋମୁଖୀ ଭାବରେ, ସେମାନଙ୍କର ଗୁଣଧରି ନିଆଯାଇଅଛି ।
କଳ୍ପନା ଉପରେ ସିଦ୍ଧାନ୍ତ ନେଇଥିବା ଗ୍ୟାଲେନଙ୍କ ନୀତି, “ବିପରୀତେ ବିପରୀତ ବିଧାନ” ପ୍ରକୃତିର ସିଧାସଳଖ ବିରୁଦ୍ଧାତ୍ମକ ଭାବରେ କିପରି ଭେଷଜ ପ୍ରୟୋଗ କରାଯାଇପାରେ ତାହା ଆରୋଗ୍ୟ ବିଜ୍ଞାନକୁ ଶିକ୍ଷା ଦେଲା । ଏହି ନୀତି, ଭେଷଜର ଗୁଣ, ରୋଗର କାଳ୍ପିକ ମୂଳ କାରଣ ବା ତାହାର ଏକମାତ୍ର ଲକ୍ଷଣ ଉପରେ ନିର୍ଭର କରି ବର୍ଣ୍ଣିତ, ଆରୋପିତ ତଥା କଳ୍ପିତ ହୋଇଅଛି । ଅବଶ୍ୟ ଏହି ସିଦ୍ଧାନ୍ତ ଯଥେଷ୍ଟ ପ୍ରତିଷ୍ଠିତ ବୋଲି ଧରାଯାଇଥା’ନ୍ତା , ଯଦି ଏହା ପ୍ରଖ୍ୟାତ ବ୍ୟକ୍ତିବିଶେଷଙ୍କ ଦ୍ଵାରା ସମର୍ଥିତ ବୋଲି ଅବଧାରିତ ହୋଇଥା’ନ୍ତା । ଏହି ସମସ୍ତ ଅବାସ୍ତବ ମନୁଷ୍ୟକୃତ ନୀତି, ନାନା ପ୍ରକାରର ଅଯୌକ୍ତିକ ମିଥ୍ୟା ଉପାଦାନ ଦ୍ଵାରା ଗ୍ରଥିତ ହରାହୋଇ, ଏକ ମହାନ୍ କଳାକୌଶଳ ଦ୍ଵାରା ଏପରି ପାଣ୍ଡିତ୍ୟପୂର୍ଣ୍ଣଭାବରେ ଗଠନ କରାଯାଏ, ଯାହାକି ଶେଷରେ ନିଜକୁ ଭାଗ, ବିଭାଗ ଓ ତାଲିକା ସୃଷ୍ଟି ମଧ୍ୟରେ ହିଁ ବିଲୟ କରିଦିଏ । ଦେଖନ୍ତୁ : ଏଥିରୁ ସୃଷ୍ଟ ଚିକିତ୍ସା – କଳା, ଯାହାକି ବର୍ତ୍ତମାନ ବ୍ୟବହାର ପାଇଁ ପ୍ରସ୍ତୁତ, ତାହା ଏପରି ଏକ କଥା ଯେ, ବୁଝିବାକୁ ଗଲେ, ହଜାର ହଜାର ମୁଣ୍ଡରୁ ବାହାରିଥିବା ନାନା ପ୍ରକାରର ମତାମତ ଉପରେ ଗଢିଉଠିଥିବା ପ୍ରକୃତି ଓ ଅଭିଜ୍ଞତାର ବିରୁଦ୍ଧ ଏକ ସୌଧ । ଏହି ସୌଧର ସମସ୍ତ ଅଂଶବିଶେଷ, ଯାହାକି ଚିକିତ୍ସା ଦ୍ଵାରା ମନୁଷ୍ୟ ଜୀବନକୁ ବିପନ୍ନ କରିବାପାଇଁ ସୁସଜ୍ଜିତ, ସେ ସବୁରେ ଭରି ରହିଛି କେବଳ ଶୂନ୍ୟତା ଓ ଦୁଃଖଦ ଆତ୍ମପ୍ରବଞ୍ଚନା । ସେ ସବୁ କେବଳ ସର୍ବକ୍ଷେଣ ଉଦ୍ଦେଶ୍ୟ ଲାଭକୁ ଅନ୍ଧଭାବରେ ପ୍ରତିହତ କରେ ନାହିଁ, ସବୁ ଯୁଗର ଜ୍ଞାନୀଜନମାନଙ୍କ ନିକଟରେ ଉପହାସିତ ହୁଏ : ନିଜସ୍ଵ ଗୁଣ ପ୍ରଚାରର ଅନୁକୂଳ ନ ହୋଇପାରିବା ହେତୁ ଅଭିଶାପ ଜର୍ଜରିତ ହୁଏ ଏବଂ ଯାହା କରିବାପାଇଁ ପ୍ରତିଜ୍ଞାବଦ୍ଧ ତାହା କରିପାରେନା ।
ଅନ୍ୟପକ୍ଷରେ ଶାନ୍ତ, ସଂସ୍କାରମୁକ୍ତ, ପୂର୍ବଧାରଣା ବର୍ଜିତ ଚିନ୍ତା ସହଜରେ ଆମର ବିଶ୍ଵାସ ଜନ୍ମାଏ ଯେ, ଯେଉଁ ରୋଗ ନିରାମୟ କରିବାକୁ ହେବ, ତାହା ସମ୍ପର୍କରେ ସଠିକ ଧାରଣ କରିବା ; ଔଷଧର ପ୍ରକୃତ କ୍ଷମତା ସମ୍ପର୍କରେ ଠିକଣା ପ୍ରତ୍ୟୟ ଆଣିବା ; ପ୍ରତ୍ୟକଟି ରୋଗାବସ୍ଥାକୁ ବୁଝି ସୁସଂଗଠିତ, ସୁଶୃଙ୍ଖଳ ବ୍ୟବସ୍ଥାନୁସାରେ ସେ ସବୁକୁ ଉଚିତ ମାତ୍ରାରେ ପ୍ରୟୋଗ କରିବା ଆବଶ୍ୟକ । ଗୋଟିଏ କଥାରେ କହିବାକୁ ଗଲେ, ସମ୍ପୂର୍ଣ୍ଣ ପ୍ରକୃତ ଆରୋଗ୍ୟକଳା କେବେହେଲେ ଆତ୍ମସନ୍ତୁଷ୍ଟସିଦ୍ଧାନ୍ତ ଓ ଭ୍ରାନ୍ତ ଧାରଣାର କାମ ନୁହେଁ । ତା’ର ପ୍ରୟୋଗ ନିମନ୍ତେ ଯେଉଁସବୁ ବସ୍ତୁ ଓ ନିୟମର ପ୍ରୟୋଜନ, ତାହାସବୁ ଆମ୍ଭମାନଙ୍କ ସ୍ପର୍ଶେନ୍ଦ୍ରିୟମାନଙ୍କ ଦ୍ଵାରା ସୃଷ୍ଟି – ପ୍ରକୃତି ପ୍ରତି ଯଥୋଚିତ ଧ୍ୟାନଦେଇ, ସମସ୍ତ ପ୍ରକାରର ସମ୍ଭାବ୍ୟ ବିଶୁଦ୍ଧତା ସହିତ ପରୀକ୍ଷା – ନିରୀକ୍ଷା ଏବଂ ସଯତ୍ନ ଓ ସନିଷ୍ଠ ପର୍ଯ୍ୟବେକ୍ଷଣ ଦ୍ଵାରା ଆବିଷ୍କାର କରିବାକୁ ହେୟା, ଅନ୍ୟ କୌଣସି ଉପାୟରେ ନୁହେଁ । ଏବଂ ସମସ୍ତ ପ୍ରକାରର ମିଥ୍ୟା ବିମଣ୍ଡିତ ମନୋମୁଖୀ ଅନୁଶାସନ ବାକ୍ୟର ଜଟିଳତା ବର୍ଜନ କରି ମୂଲ୍ୟବାନ ମାନବ ଜୀବନର ତୁଲ୍ୟ ମୂଲ୍ୟ, ଏହି ପଥ ମଧ୍ୟରେ ହିଁ ଅନୁସନ୍ଧାନ କରିବାକୁ ପଡିବ ।
ମୋର ସବିବେକ ପରିଶ୍ରମ ଦ୍ଵାରା ଏକ ପ୍ରକୃତ ଆରୋଗ୍ୟକଳା ମିଳିପାରିଛି କି ନାହିଁ କେବଳ ଦେଖିବାକୁ ବାକି ରହିଲା ।
ହୋମିଓପାଥି ଏକ ବିଜ୍ଞାନ କି ? ଏ ପ୍ରଶ୍ନ ବାରମ୍ବାର ସବୁ ସ୍ତରରେ ଉଠୁଛି ଓ ସେଥିରେ ସପକ୍ଷ ଓ ବିପକ୍ଷରେ ବହୁ ଯୁକ୍ତି ଉପସ୍ଥାପିତ ହେଉଅଛି । ମାତ୍ର ହ୍ୟାନିମାନଙ୍କ ଏହି ମୁଖବନ୍ଧ ପାଠକଲେ ସ୍ଵତଃ ମନମଧ୍ୟରେ ଥିବା ସମସ୍ତ ଭ୍ରମ ଧାରଣା ଦୂର ହୋଇଯାଏ ।
ବିଜ୍ଞାନ ବୋଇଲେ ସାଧାରଣତଃ ଆମେ ଯାହା ବୁଝିଥାଉ ତାହା ହେଉଛି ‘ଏକ ନିୟମବଦ୍ଧ ସୁସଂହତ ଜ୍ଞାନ’ ଏବଂ ‘କୌଣସି ତଥ୍ୟ ସର୍ବଦା କିଛି ଗୋଟାଏ ଜ୍ଞାତବ୍ୟ ବିଷୟ ସହିତ ସମ୍ପୃକ୍ତ ରହିବା ହିଁ ହେଉଛି ବିଜ୍ଞାନ’ । ପୁନଶ୍ଚ “ପ୍ରତ୍ୟକ କଳାକୌଶଳର ଭିତ୍ତି ନିହିତ ଥାଏ ବିଜ୍ଞାନରେ” ।
ହୋମିଓପାଥି ପ୍ରକୃତରେ କିନ୍ତୁ ରୋଗୀ କ୍ଷେତ୍ରରେ ଔଷଧ ପ୍ରୟୋଗ କରିବାର ଏକ ବିଶେଷ କଳା । ଯଦି ହୋମିଓପାଥି ଏକ କଳା, ତାହାହେଲେ ଏହାର ଭିତ୍ତିଭୂମି ନିଶ୍ଚିତଭାବରେ ଏକ ବିଜ୍ଞାନ ଉପରେ ପ୍ରତିଷ୍ଠିତ ସୁତରାଂ, ହୋମିଓପାଥି ଏକ ‘କଳା’ ଏବଂ ଏହାର ଏକ ‘ବିଜ୍ଞାନ’ ମଧ୍ୟ ରହିଛି, ଏଥିରେ ଦ୍ଵିମତ ହେବାର ନାହିଁ ।
ପୁନଶ୍ଚ, ରୋଗ ଓ ଭେଷଜର ଆରୋଗ୍ୟ କ୍ଷେତ୍ରର କାରଣଗତ ସମ୍ପର୍କ ଉପରେ ଏହି ଚିକିତ୍ସା ପଦ୍ଧତି ବିଶେଷଭାବରେ ପ୍ରତିଷ୍ଠିତ । ତେଣୁ ଏହା ଏକ ସାଧାରଣ ବିଜ୍ଞାନ ନୁହେଁ, ଏକ Experimental Science ବା ପ୍ରୟୋଗାତ୍ମକ ବିଜ୍ଞାନ ତଥା ବ୍ୟବହାରିକ ବିଜ୍ଞାନ ବା Practical Science ବୋଲି ଆମ୍ଭେମାନେ ଯଦି ଦାବି କରୁ , ତାହାହେଲେ ପ୍ରୟୋଗାତ୍ମକ ପରୀକ୍ଷାର ଯେ ସଜ୍ଞା, ତାହାର ପରିସୀମା ମଧ୍ୟରେ ହୋମିଓପାଥି ଆସୁଛି କି ନାହିଁ ତାହା ପ୍ରଥମେ ବିଚାର କରିବାର କଥା ।
Experiment ବା ପ୍ରୟୋଗାତ୍ମକ ପରୀକ୍ଷା ବୋଇଲେ ଆମେ ଏପରି ଏକ କାର୍ଯ୍ୟ ବା ବ୍ୟବସ୍ଥାକୁ ବୁଝୁ, ଯେଉଁଥିରେ ଦୁଇଟି ଘଟଣାବିଶେଷର କାରଣଗତ ସମ୍ପର୍କ ପ୍ରତିଷ୍ଠା କରାଯାଇଥାଏ । ରୋଗ ହେଉଛି ଶାରୀରିକ ସୁସ୍ଥତାର ଏକ ବିପର୍ଯ୍ୟୟାବସ୍ଥା ଓ ଭେଷଜ ହେଉଛି ଶରୀରର ଏହି ବିପର୍ଯ୍ୟୟାବସ୍ଥାରୁ ସୁସ୍ଥାବସ୍ଥାକୁ ପୁନରାନୟନ କରାଇବାର ଏକ ଦ୍ରବ୍ୟ । ସୁତରାଂ ରୋଗାବସ୍ଥାରୁ ସୁସ୍ଥାବସ୍ଥାକୁ ଆଣିବାରେ ସକ୍ଷମ ଭେଷଜର, ଜୀବ ଶରୀରସ୍ଥ ରୋଗ ସହିତ ନିଶ୍ଚିତ କୌଣସି କାରଣଗତ ସମ୍ପର୍କ ରହିଛି । ହୋମିଓପାଥି ଏକ ନିର୍ଦ୍ଧିଷ୍ଟ ନିୟମର ଗଣ୍ଡିଭିତରେ ଏହି କାରଣଗତ ସମ୍ପର୍କକୁ ପ୍ରତିଷ୍ଠାକରେ କେତେକ ପରୀକ୍ଷା ଓ ପର୍ଯ୍ୟବେକ୍ଷଣ ମାଧ୍ୟମରେ । ତେଣୁ ହୋମିଓପାଥି ଏକ ପ୍ରୟୋଗାତ୍ମକ ବିଦ୍ୟା ।
ଯେତେବେଳେ ଏହି ପରୀକ୍ଷାର ଫଳ ଉପରେ ନିର୍ଭର କରି ଆମ୍ଭେମାନେ କୌଣସି ଏକ ସାର୍ବଜନୀନ ନିୟମ ବା ବାଦ ସୃଷ୍ଟି କରୁ, ସେତେବେଳେ ସମସ୍ତ ଟିକିନିଖି କାର୍ଯ୍ୟ କେବଳ ପର୍ଯ୍ୟବେକ୍ଷଣ ଦ୍ଵାରା ହିଁ ହୋଇଥାଏ । ତେଣୁକରି ଏହି ପର୍ଯ୍ୟବେକ୍ଷଣ ହିଁ ହେଉଛି ପ୍ରଥମ ପାଦ, ଯାହା ଉପରେ ନିର୍ଭର କରେ ସମସ୍ତ ନିୟମ ବା ବାଦର ଦୃଢତା ଓ ବୈଜ୍ଞାନିକ ଭିତ୍ତିର ସାର୍ଥକତା । ଲର୍ଡ ବ୍ୟାକନ ସେଥିପାଇଁ ଏହି ସୋପାନକୁ ବେଶି ଗୁରୁତ୍ଵ ଦେଇଛନ୍ତି । ସେ କହନ୍ତି “ଆମ୍ଭେମାନେ ସମସ୍ତ ପ୍ରକାରର କୁସଂସ୍କାର ତଥା ପୂର୍ବ – ବଦ୍ଧଧାରଣାରୁ ବିମୁକ୍ତ ରହି ଅତ୍ୟନ୍ତ ସତର୍କତାର ସହିତ ପ୍ରକୃତିକୁ ପର୍ଯ୍ୟବେକ୍ଷଣ କରି, ଆମ୍ଭମାନଙ୍କର ନିର୍ଣ୍ଣୟ ସକଳ ସଠିକ ଭାବରେ ଲିପିବଦ୍ଧ କରିବା ଉଚିତ, ଯାହା ଫଳରେ ଆମେ ଏକ ନିର୍ଭୁଲ ସାର୍ବଜନୀନ ଉପଶମାତ୍ମକ ସିଦ୍ଧାନ୍ତରେ ଉପନୀତ ହୋଇପାରିବା” ।
ଆରୋଗ୍ୟ ବିଜ୍ଞାନ ଏକ ପ୍ରାକୃତିକ ବିଜ୍ଞାନ ଏବଂ ସମସ୍ତ ପ୍ରାକୃତିକ ବିଜ୍ଞାନ ସର୍ବଦା ‘କାରଣ ତତ୍ତ୍ଵ’ ଏବଂ ‘ପ୍ରକୃତିର ସମରୂପ ତତ୍ତ୍ଵ’ ସହିତ ସମନ୍ଵିତ । ‘କାରଣ ତତ୍ତ୍ଵ’ କହୁଛି ପ୍ରତ୍ୟକ ଘଟଣା ନିଶ୍ଚୟ ଏକ କାରଣରୁ ଉଦ୍ଭୁତ ଓ ‘ପ୍ରକୃତିର ସମରୂପ ତତ୍ତ୍ଵ’ ଦର୍ଶାଏ ଯେ ତୁଲ୍ୟାବସ୍ଥା ଭିତରେ ପ୍ରକୃତି ସର୍ବଦା ସମାନଭାବରେ ଆଚରଣ କରିଥାଏ । ସୁତରାଂ ସମାନ କାରଣ ସର୍ବଦା ସମାନ ଫଳ ଘଟାଇ ଥାଏ, ବାରମ୍ବାର ପରିବର୍ଦ୍ଧିତ ହୁଏ ନାହିଁ ।
ଏହା ଯଦି ସତ୍ୟ ନୁହେଁ, ତାହାହେଲେ କୌଣସି ଆରୋଗ୍ୟର ମଧ୍ୟ କାରଣଗତ ଭିତ୍ତି ନାହିଁ । ଯଦି ତାହାର କାରଣଗତ ଭିତ୍ତି ଅଛି, ତାହାହେଲେ ସେ ଆରୋଗ୍ୟକଳା ବିଜ୍ଞାନସମ୍ମତ । ଏଥିପାଇଁ ହ୍ୟାନିମାନ ତାଙ୍କର ଏହି ମୁଖବନ୍ଧରେ ପ୍ରକୃତି ର କଥା ବାରମ୍ବାର ଉଲ୍ଲେଖ କରିଛନ୍ତି ।
ସୁତରାଂ କୌଣସି ଆରୋଗ୍ୟକଳା ଯଦି ବିଜ୍ଞାନସମ୍ମତ ବୋଲି ଦାବି କରେ, ତାହାହେଲେ ତା’ର ସମସ୍ତ ଭୂୟୋଦର୍ଶନ ଅଭ୍ରାନ୍ତ ହେବା ଉଚିତ ଏବଂ ସେଥିପାଇଁ ପରିକ୍ଷକ ଜେନ କୁସଂସ୍କାରବିହୀନ, ଅପକ୍ଷପାତ ତଥା ପୂର୍ବ – ବଦ୍ଧଧାରଣାରହିତ ବିଚାରକ ହେବା ଉଚିତ ।
ହ୍ୟାନିମାନଙ୍କର ଏହି ମୁଖବନ୍ଧକୁ ଠିକଣା ଭାବରେ, ଅତ୍ୟନ୍ତ ଖୋଲାମନରେ ଯଦି ପାଠ କରାଯାଏ, ତାହାହେଲେ ହୋମିଓପାଥି ଏକ ଜ୍ଞାନବଦ୍ଧ ବା ବିଜ୍ଞାନସମ୍ମତ ଚିକିତ୍ସା ପଦ୍ଧତି ବୋଲି ଧରିନେବାପାଇଁ ବିଶେଷ ତର୍କର ଆବଶ୍ୟକତା ରହେ ନାହିଁ ।
କେବଳ ସେତିକି ନୁହେଁ, ଆରୋଗ୍ୟ କଳାକୁ ବିଜ୍ଞାନମୁଖ୍ୟ କରାଇବାକୁ ହେଲେ ତାଙ୍କର ଚିନ୍ତାଧାରା ଯେ ନିଶ୍ଚିତଭାବରେ ପରିଷ୍କାର ଓ ଏ ବ୍ୟାପାରରେ ସେ ଯେ ପ୍ରଥମ ମାର୍ଗଦର୍ଶକ, ଏହା କହିବା ବାହୁଲ୍ୟ ମାତ୍ର ।
ହୋମିଓପାଥିର ନିର୍ଭୁଲ ପର୍ଯ୍ୟବେକ୍ଷଣକୁ ବର୍ତ୍ତମାନ ଯୁଗୋପଯୋଗୀ ବୈଜ୍ଞାନିକ ଭିତ୍ତି ଦେବା ନିର୍ଭର କରେ ଆମ୍ଭମାବଙ୍କର ନିଷ୍ଠା, ଅଧ୍ୟବସାୟ ତଥା ଜ୍ଞାନପିପାସା ଉପରେ, ହୋମିଓପାଥିକୁ ପ୍ରତ୍ୟାଖ୍ୟାନ କରି ନୁହେଁ ।
ସଂଗୃହୀତ – ଡାକ୍ତର କମଳାକାନ୍ତ କର
Last Modified : 1/28/2020