ଏହାର ଦ୍ଵିତୀୟ ସଂସ୍କରଣ ପ୍ରକାଶିତ ହେବାର ପାଞ୍ଚବର୍ଷ ଭିତରେ ହୋମିଓପାଥି ଚିକିତ୍ସାକଳାର ସତ୍ୟ, ସୁଦୂର – ନିକଟ ବହୁ ଚିକିତ୍ସାକଙ୍କର ଏଭଳି ଅନୁମୋଦନ ଲାଭ କରିଅଛି ଯେ, କଟୁକ୍ତିପୂର୍ଣ୍ଣ କୌଣସି ଲେଖା, ଯାହାରକି ଅଭାବ ନାହିଁ, ଏହାକୁ ହେୟ ଅଥବା ବିଲୋପ କରିପାରିବ । ଏ ଅବଧି ମନୁଷ୍ୟ ସମାଜ ପ୍ରତି ଯେ କଲ୍ୟାଣ ସାଧନ ଏହା କରିଅଛି, ଏଥିରେ ମୁଁ ଖୁବ୍ ଆନନ୍ଦିତ । ଯଦିଓ ବେଶିଦିନ ମୁଁ ଏ ଲୋକରେ ରହିବି ନାହିଁ, ତଥାପି ସେହି ଅଦୁର କାଳକୁ ମୁଁ ଉଲ୍ଲସିତ ଭାବରେ ଅନାଇଁ ରହିଛି, ଯେତେବେଳେ କି ଆମରି ଭବିଷ୍ୟତ ବଂଶଧରଗଣ, ମଙ୍ଗଳମୟ ଭଗବାନଙ୍କର ଏହି ମହନୀୟ ଦାନପ୍ରତି ସୁବିଚାର କରିବେ ଏବଂ ସେମାନଙ୍କ ଶାରୀରିକ ତଥା ମାନସିକ କଷ୍ଟର ଅପନୋଦନ ପାଇଁ ତାଙ୍କରି ପ୍ରଦତ୍ତ ସେହି ସାର୍ଥକ ପନ୍ଥାର ସଦୁପଯୋଗ କରିବେ ।
ଅନେକ ତ୍ୟାଗ ସ୍ଵୀକାର କରି, ପ୍ରକୃତ ବିଶ୍ଵପ୍ରେମିକ, ମୋରବନ୍ଧୁ, ପଣ୍ଡିତପ୍ରବର ଶ୍ରୀ ବ୍ୟାରେନ ଭନ୍ ବୃନୋ, ସମ୍ପ୍ରତି, ବିଗତ ସଂସ୍କରଣର ଯେଉଁ ଫରାସୀ ଅନୁବାଦ ପ୍ରକାଶ କରିଅଛନ୍ତି, ତାହା ଏହି ଉତ୍ତମ ବିଷୟଟିର ବିଦେଶରେ ପ୍ରଚାର ଉପଲକ୍ଷେ ବିଶେଷ ଫଳଦାୟକ ହୋଇଅଛି ।
ହୋମିଓପାଥିକ ଆରୋଗ୍ୟକଳା ଓ ତାହାର ଇତିହାସ ସମ୍ପର୍କରେ ଏକ ବ୍ୟାଖ୍ୟା ସେ ଏହାର ମୁଖବନ୍ଧରେ ସଂଯୋଗ କରିଅଛନ୍ତି, ଯାହାକି ଏହି ଗ୍ରନ୍ଥକୁ ସମୃଦ୍ଧ କରିଅଛି ତଥା ଉକ୍ତ ଗ୍ରନ୍ଥର ପାଠ ତଥା ପରିଚିତ ପାଇଁ ବିଶେଷ ସହାୟକ ହୋଇଅଛି ।
ଜ୍ଞାନ ଓ ଅଭିଜ୍ଞତାର ବୃଦ୍ଧି ସହିତ ସମତାଳରେ ଏହି ତୃତୀୟ ସଂସ୍କରଣରେ ପ୍ରୟୋଜନୀୟ ପରିବର୍ତ୍ତନ ତଥା ସଂଶୋଧନ କରିବାରୁ ମୁଁ ବିରତ ହୋଇ ନାହିଁ ।
ଭଗବତ୍ ଉତ୍ସର୍ଗୀକୃତ ଯାବତୀୟ ଜିନିଷ ଯେ ଅନୁପମ ଓ କଲ୍ୟାଣମୟ, ଏକଥା ଭଗବତ୍ ବିଶ୍ଵାସୀ ମାନେ ହିଁ ବିଶ୍ଵାସ କରିଥା’ନ୍ତି । ତେଣୁ ଏ ମୁଖବନ୍ଧର ପ୍ରଥମ ପାଦ ସମ୍ପର୍କରେ ମତାମତ ଉଲ୍ଲେଖ କରିବା ହୁଏତ ସ୍ଥାନ, କାଳ ଓ ପାତ୍ର ଉପଯୋଗୀ ନ ହୋଇପାରେ । ସେ ସବୁ କେବଳ ଆତ୍ମବିଶ୍ଵାସ, ହୃଦୟର ଆବେଗ ଓ ମନର ଭାବାବେଶ ଉପରେ ନିର୍ଭର କରେ । ମାତ୍ର ଏ ଚିକିତ୍ସା ପଦ୍ଧତିକୁ ଯଦି ବିଚାର କରାଯାଏ, ଏହାର ବୈଜ୍ଞାନିକ ଭିତ୍ତିକୁ ଯଦି ଠିକଣା ଭାବରେ ବୁଝିବାକୁ ହୁଏ ; ତାହାହେଲେ କିଛି ତ୍ୟାଗର ଆବଶ୍ୟକତା ଅଛି, ଏହି କଥାକୁ କେହି ଅସ୍ଵୀକାର କରିବେ ନାହିଁ । ଯେ କୌଣସି କାର୍ଯ୍ୟରେ ପଟୁତା ଲାଭ କରିବାକୁ ହେଲେ ସେଥିଭିତରେ କାୟ, ମନ ଓ ବାକ୍ୟରେ ନିମଜ୍ଜିତ ହେବାକୁ ପଡିବ ଏବଂ ଏହି ନିମଜ୍ଜକ ପାଇଁ ପାର୍ଥିବ ବା ଆତ୍ମିକ ତ୍ୟାଗ ନିତାନ୍ତ ଆବଶ୍ୟକ । ତେଣୁ ଏହି ଆରୋଗ୍ୟକଳାର ବିକାଶ ତଥା ପ୍ରଚାର ପାଇଁ ଯେ କିଛି ତ୍ୟାଗର ଆବଶ୍ୟକତା ରହିଛି, ଏହା ହିଁ କେବଳ ଦର୍ଶାଇବା ପାଇଁ ଶ୍ରୀ ବ୍ୟାରେନ ଭନ୍ ବୃନୋଙ୍କ ନାମର ଅବତାରଣା ଏବଂ ଏହି ମୁଖବନ୍ଧ ହ୍ୟାନିମାନଙ୍କ ଆଶାବାଦୀ ଚିନ୍ତାର ଏକ ପ୍ରମାଣ ।
ନିରାଶବାଦ କୌଣସି ପ୍ରତିଭାବାନ ଲୋକ ପକ୍ଷରେ ଉଦ୍ଭାବକ ବା ଆବିଷ୍କାରକର ଗୌରବଶ୍ରୀ ଅର୍ଜନ କରାଇ ପାରେ ନାହିଁ । ବଞ୍ଚିରହିବାର ମୋହ ନ ଥିଲେ ଲୋକ କାରାଗୃହର ଅନ୍ଧକାର ମଧ୍ୟରେ ଆଲୋକର ସୂଚନା ପାଇପାରେ ନାହିଁ । ଆଶାବାଦୀର ଦୃଢ ଭିତ୍ତି ନ ଥିଲେ କୌଣସି ଲୋକ ନବବାଦର ପ୍ରଚାର, ପ୍ରସାର ତଥା ଜନମତ ସୃଷ୍ଟି କରାଇ ପାରେ ନାହିଁ । ନିଜ ଉଦ୍ଭାବନର ଲୋକପ୍ରିୟତା ଅର୍ଜନ କରାଇବାର ଆତ୍ମପ୍ରତ୍ୟୟ ଆସିପାରେ ନାହିଁ ନୈରାଶ୍ୟବାଦ ମଧ୍ୟରେ ।
ଏହି ଆଶାବାଦ ସହିତ ବୈଜ୍ଞାନିକର ଦାମ୍ଭିକତା ତା’ର କୃତୀର ସୁସ୍ଥିତି ପାଇଁ ନିତାନ୍ତ ପ୍ରୟୋଜନ । ମାତ୍ର ଏହି ଦାମ୍ଭିକତା ସହିତ ନମନୀୟତା ନ ରହିଲେ ବୈଜ୍ଞାନିକର ଉଦ୍ଭାବନ ଯୁଗୋପଯୋଗୀ ଓ ଶାଶ୍ଵତ ହୋଇପାରେ ନାହିଁ । ବିଜ୍ଞାନୀର ନମନୀୟତା ସମ୍ପର୍କରେ ହ୍ୟାନିମାନ ତାଙ୍କର ପ୍ରଥମ ସଂସ୍କରଣର ମୁଖବନ୍ଧରେ ଯଥେଷ୍ଟ ସୂଚନା ଦେଇ କହିଛନ୍ତି : ‘ମୁଁ ପାଠକଗଣଙ୍କୁ ସାବଧାନା କରାଇବା ଉଚିତ ମନେ କରୁଅଛୁ ଯେ, ଆଳସ୍ୟ, ଆରାମପ୍ରିୟତା ଓ ଅନମନୀୟତା ସତ୍ୟର ଯଜ୍ଞବେଦିକାରେ ଫଳପ୍ରଦ ସେବାପାଇଁ ବାଧା ସୃଷ୍ଟି କରିଥାଏ’ । ଏହି ନମନୀୟତାକୁ ହ୍ୟାନିମାନ କିପରି ନିଜର ଜୀବନରେ କାର୍ଯ୍ୟକାରୀ କରି ତାଙ୍କର ଆବିଷ୍କାରକୁ ଚିରାଶାଶ୍ଵତ କରିଅଛନ୍ତି ତାହାର ନିଦର୍ଶନ ଦେଇ ଏହି ତୃତୀୟ ସଂସ୍କରଣର ମୁଖବନ୍ଧର ଶେଷ ଧାଡିରେ ଲେଖିଛନ୍ତି “ଜ୍ଞାନ ଇ ଅଭିଜ୍ଞତାର ବୃଦ୍ଧି ସହିତ ସମତାଳରେ ଏହି ତୃତୀୟ ସଂସ୍କରଣରେ ପ୍ରୟୋଜନୀୟ ପରିବର୍ତ୍ତନ ତଥା ସଂଶୋଧନ କରିବାରୁ ମୁଁ ବିରାଟ ହୋଇ ନାହିଁ ।”
ଏହା କହିବା ସଙ୍ଗେ ସଙ୍ଗେ ହ୍ୟାନିମାନ ଦୁଇଟି ଶବ୍ଦର ଅବତାରଣା କରିଅଛନ୍ତି । ଗୋଟିଏ ହେଉଛି ‘ଜ୍ଞାନ’ ଓ ଦ୍ଵିତୀୟଟି ହେଉଛି ‘ଅଭିଜ୍ଞତା’ । ଯେ କୌଣସି ସୁସଂଗଠିତ କ୍ରିୟା ପାଇଁ, ଏହି ଦୁଇଟି କଥାର ଆବଶ୍ୟକତା ସମ୍ପର୍କରେ ଟିପ୍ପଣୀ କରିବା ଅନାବଶ୍ୟକ । ଅଭିଜ୍ଞତା ବିହୁନେ ଜ୍ଞାନ ଅର୍ଜନର ମୂଲ୍ୟ କିଛି ନ ଥାଏ । ଜ୍ଞାନ ଅଭିଜ୍ଞତାରୁ ହିଁ ପୁଷ୍ପବତୀ ହୋଇଥାଏ, ପରିମାର୍ଜିତ ହୋଇଥାଏ ଓ ସେଥିରେ ବହୁଳଭାବରେ ଜ୍ଞାନର ବ୍ୟବହାରିକ ଦିଗ ସୃଷ୍ଟି ହୋଇଥାଏ । ଯେ କୌଣସି ଜ୍ଞାନର ବ୍ୟବହାରିକ ଦିଗ ସୁସ୍ପଷ୍ଟ ନ ହେଲେ ତାହା ଜନ – କଲ୍ୟାଣମୂଳକ ହୋଇ ପାରିବ ନାହିଁ । ‘ସେବା’ ଶବ୍ଦ କେବଳ କଲ୍ୟାଣମୂଳକ । ଡାକ୍ତରୀସେବା ଯଦି କଲ୍ୟାଣମୂଳକ ନ ହେଲା, ତାହା ‘ସେବା’ ହୋଇ ନ ପାରେ । ଯେଉଁ ଜ୍ଞାନ ପୋଥି – ପତ୍ରରୁ ଅର୍ଜନ କରାଯାଏ, ତାହା ବ୍ୟବହାରିକ ଭାବରେ ସମ୍ପାଦିତ ହେଲେ ହିଁ ଉକ୍ତ ଜ୍ଞାନର ଉତ୍କୃଷ୍ଟତା ପ୍ରମାଣିତ ହୁଏ । ଅଭିଜ୍ଞତା ଅର୍ଜନ ହୁଏ ଜ୍ଞାନର ବ୍ୟବହାରିକ ପ୍ରକ୍ରିୟାରେ ଭୂୟୋଦର୍ଶନ ଫଳରେ ।
ସୁତରାଂ, ହ୍ୟାନିମାନଙ୍କର ଏହି ମୁଖବନ୍ଧର ଶେଷଧାଡିଟି ତାଙ୍କର ଏହି ବିମଳା କୃତୀ ‘ଅର୍ଗାନନ୍ ଅଫ୍ ମେଡ଼ିସିନ୍’ ଯେ କେବଳ ଜ୍ଞାନ ଓ ଅଭିଜ୍ଞତାରେ ଥରକୁ ଥର ପରିପୁଷ୍ଟ ହୋଇ ପରିବର୍ତ୍ତିତ ରୂପ ଗ୍ରହଣ କରୁଛି, ସେ କଥା ଏକ ସାଧାରଣ ଅର୍ଥରେ ପ୍ରକାଶ କରୁ ନାହିଁ । ତା’ର ଅର୍ଥ ନୁହେଁ ଯେ, ହ୍ୟାନିମାନ କହୁଛନ୍ତି, ଦେଶ, କାଳ, ପାତ୍ର ବିଚାରରେ ‘ଅର୍ଗାନନ୍ ଅଫ୍ ମେଡ଼ିସିନ୍’ କୁ ବାରମ୍ବାର ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ପାଠକେ ଯଦି ଉକ୍ତ ପୁସ୍ତକର ପ୍ରଥମରୁ ଶେଷ ସଂସ୍କରଣ ପର୍ଯ୍ୟନ୍ତ ଏକ ତୁଳନାତ୍ମକ ଅଧ୍ୟୟନ କରନ୍ତି, ତାହାହେଲେ ସେ ନିଶ୍ଚୟ ସ୍ଵୀକାର କରିବେ ଯେ, ହ୍ୟାନିମାନ ତାଙ୍କ ଜୀବଦ୍ଦଶାରେ ଏହି ପୁସ୍ତକର ବାଉ ପରିବର୍ତ୍ତନ କରିଥିଲେ ମଧ୍ୟ ‘ମୂଳସୂତ୍ର’ ର କୌଣସି ପରିବର୍ତ୍ତନ କରି ନାହାନ୍ତି । ସେ କେବଳ ହୋମିଓପାଥିର ସରଳ ଉପଯୋଗୀତା ପାଇଁ ନିଜ ଅଭିଜ୍ଞତାର ଶାଣିତ ପରୀକ୍ଷାଦ୍ଵାରା ତାହାର ବ୍ୟବହାରିକ ଅଙ୍ଗକୁ ପରିପୁଷ୍ଟ କରି ଅଛନ୍ତି ।
ତେଣୁ କରି, ନବ – ପରିବର୍ତ୍ତନବାଦୀ ଚିକିତ୍ସକ ବନ୍ଧୁମାନେ ଯଦି ହୋମିଓପାଥିର ତାତ୍ତ୍ଵିକ ଗ୍ରନ୍ଥ ‘ଅର୍ଗାନନ୍’ ର କୌଣସି ପରିବର୍ତ୍ତନ ଚାହୁଁନାହାନ୍ତି, ତାହା କେବଳ ବ୍ୟବହାରିକ ଦିଗ ଉପରେ ନୂତନ ବୈଜ୍ଞାନିକ ମାପକାଠିକୁ ଆଖିଆଗରେ ରଖି କରିବା ଉଚିତ ; କିନ୍ତୁ ତାହାର ଆମୂଳଚୂଳ ପରିବର୍ତ୍ତନ କରି ନୁହେଁ । ‘ମୂଳସୂତ୍ର’ ର ପରିବର୍ତ୍ତନରେ ଏହା ଆଉ ହୋମିଓପାଥି ହୋଇପାରିବ ନାହିଁ । ଏହା ହିଁ ଏହି ମୁଖବନ୍ଧରେ ହ୍ୟାନିମାନ କହିଥିବା ‘ଜ୍ଞାନ ଓ ଅଭିଜ୍ଞତାର ଭିତ୍ତିରେ ପରିବର୍ତ୍ତନ’ର ପ୍ରକୃତ ଅର୍ଥ ।
ସଂଗୃହୀତ – ଡାକ୍ତର କମଳାକାନ୍ତ କର
Last Modified : 1/28/2020