অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଋତୁସ୍ରାବ

ମହିଳାଙ୍କର ଋତୁସ୍ରାବ ପୂର୍ବରୁ ଲକ୍ଷଣ

ଋତୁସ୍ରାବ ବା ମାସିକ ଧର୍ମ ବା ମାସିକିଆ ବା ରଜଃସ୍ରାବ, ଇଂରାଜୀ ଭାଷାରେ ମେନ୍‌ସ୍ଟୃଏସନ, ପିରିଅଡ଼ ଓମନ୍ଥଲି ଯଥାକ୍ରମେ (menstruation, period, monthly) ଅର୍ଥ ମହିଳାଙ୍କର ଜରାୟୁର ଅନ୍ତଃସ୍ତରରୁ ନିର୍ଗତ ଓ ଯୋନିପଥ ଦେଇ ବାହାରୁଥିବା ମାସିକିଆ ଜରାୟୁ ଝିଲ୍ଲି ଓ ରକ୍ତସ୍ରାବକୁ ବୁଝାଏ । ପ୍ରାୟ ୮୦ % ମହିଳାଙ୍କର ଋତୁସ୍ରାବ ପୂର୍ବରୁ କିଛି ଲକ୍ଷଣ ବାହାରେ । ବ୍ରଣ ହୁଏ, ସ୍ତନ ଦରଜ ହୁଏ ଓ ଫୁଲିଯାଏ, ଥକ୍କା ଲାଗେ, ବିରକ୍ତି ଆସେ ଓ ଭାବନାତ୍ମକ ପରିବର୍ତ୍ତନ ହୁଏ । ୨୦ ରୁ ୩୦ % ମହିଳାଙ୍କର ସାଧାରଣ ଜୀବନ‌ଯାତ୍ରା ଏହା ଦ୍ୱାରା ପ୍ରଭାବିତ ହେବାରୁ ଏହାର ନାମ ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜ ରଖାଯାଇଛି । ୩ ରୁ ୮ % କ୍ଷେତ୍ରରରେ  ଏହି ସ୍ଥିତି ଗମ୍ଭୀର ହୁଏ ।

ପ୍ରଥମ ଋତୁସ୍ରାବ ୧୨ ରୁ ୧୫ ବର୍ଷ ବୟସରେ ଆରମ୍ଭ ହୁଏ ଯାହାକୁ ରଜୋଦର୍ଶନ ଇଂରାଜୀ ଭାଷାରେ ମେନାର୍କି menarche କୁହାଯାଏ ।  ଋତୁସ୍ରାବ ଆହୁରି ଆଗରୁ ୮ ବର୍ଷ ବୟସରେ ମଧ୍ୟ ବେଳେ ବେଳେ ଆରମ୍ଭ ହୁଏ ଓ ଏହାକୁ ମଧ୍ୟ "ସାଧାରଣ" କୁହାଯାଏ । ବିକଶିତ ଦେଶମାନଙ୍କରେ ଏହା ଶୀଘ୍ର ଆରମ୍ଭ ହୁଏ ଓ ବିକାଶଶୀଳ ଦେଶମାନଙ୍କରେ ବିଳମ୍ବରେ ଆରମ୍ଭ ହୁଏ । ଋତୁ ଆରମ୍ଭର ପ୍ରଥମ ଦିନଠାରୁ ପରବର୍ତ୍ତି ଋତୁର ପ୍ରଥମ ଦିନ ପର୍ଯ୍ୟନ୍ତ ଯୁବତୀମାନଙ୍କର ପ୍ରାୟ ୨୧ ରୁ ୪୫ ଦିନ ଓ ବୟଃପ୍ରାପ୍ତ ମହିଳାଙ୍କର ୨୧ ରୁ ୩୧ ଦିନ (ହାରାହାରି ୨୮ ଦିନ) ସମୟ ଲାଗେ ।  ପ୍ରାୟ ୪୫ ରୁ ୫୫ ବୟସ ମଧ୍ୟରେ ଋତୁବନ୍ଦ ହୁଏ ଯେଉଁ ସମୟଠାରୁ ଋତୁସ୍ରାବ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଏ ।  ଋତୁସ୍ରାବ ସାଧାରଣତଃ ୨ ରୁ ୭ ଦିନ ପର୍ଯ୍ୟନ୍ତ ଲାଗିରହେ । ହରମୋନମାନଙ୍କର ସ୍ତର କମ ବେଶୀ ହେବାଯୋଗୁ ଋତୁଚକ୍ର ହୁଏ । ହରମୋନ ପ୍ରଭାବ ଫଳରେ ଜରାୟୁର ଅନ୍ତଃସ୍ତର ମୋଟା ହୁଏ ଓ ଅଣ୍ଡା କ୍ଷରଣ ହୁଏ ଓ ଏହି ଅଣ୍ଡାକୁ ଗ୍ରହଣ କରି ଜରାୟୁରେ ଗର୍ଭାବସ୍ଥା ହୁଏ । ଋତୁଚକ୍ରର ପ୍ରାୟ ୧୪ତମ ଦିନରେ ଅଣ୍ଡା କ୍ଷରଣ ହୁଏ ଓ ସମ୍ଭାବ୍ୟ ଫିଟସ ଧାରଣ କରି ପୋଷକଯୋଗାଣ କରିବାକୁ ସ୍ଥୁଳ ଜରାୟୁ ତିଆରି ହୋଇଥାଏ । ଗର୍ଭାଧାନ ନ ହେଲେ ଜରାୟୁର ବୃଦ୍ଧିପ୍ରାପ୍ତ ସ୍ତର ଭାଙ୍ଗିଯାଏ ଋତୁସ୍ରାବ ହୁଏ ।

ଋତୁସ୍ରାବ ସମୟରେ ଅନେକ ସମସ୍ୟା ଜାତ ହୁଏ । ବ‌ୟସ ୧୫ ସୁଦ୍ଧା ଋତୁସ୍ରାବ ନ ହେଲେ କିମ୍ବା ୯୦ ଦିନ ପର୍ଯ୍ୟନ୍ତ ଋତୁସ୍ରାବ ନ ହେଲେ ସେହି ଅବସ୍ଥାକୁ ଆମେନୋରିଆ କୁହାଯାଏ । ଗର୍ଭାବସ୍ଥାରେ ଓ ସ୍ତନ୍ୟପାନର ପ୍ରଥମ କିଛି ମାସରେ ଋତୁସ୍ରାବ ହୁଏ ନାହିଁ ।

ସମସ୍ୟା ଓ ଋତୁ ଚକ୍ର

ଏହାର ସମସ୍ୟା: ଯନ୍ତ୍ରଣାଦାୟକ ଋତୁସ୍ରାବ ଓ ଅସାଧାରଣ ଋତୁସ୍ରାବ ଯେପରିକି ଋତୁଚକ୍ର ମଝିରେ ହୁଏ ବା ଅତ୍ୟଧିକ ଋତୁସ୍ରାବ ହୁଏ ।

ସମ୍ୟକ ଦୃଷ୍ଟିପାତ

ନିୟମିତ ଋତୁସ୍ରାବ ପ୍ରାୟ ୩ ରୁ ୫ ଦିନ ପର୍ଯ୍ୟନ୍ତ ହୁଏ କିନ୍ତୁ ୨ ରୁ ୭ ଦିନ ପର୍ଯ୍ୟନ୍ତ ସାଧାରଣ ବୋଲି ଧରାଯାଏ । ଋତୁସ୍ରାବର ପ୍ରଥମ ଦିନଠାରୁ ଆରମ୍ଭ କରି ପରବର୍ତ୍ତୀ ଋତୁସ୍ରାବ ଆରମ୍ଭ ପର୍ଯ୍ୟନ୍ତ ସମୟକୁ ଋତୁ ଚକ୍ର (Menstrual cycle) କୁହାଯାଏ । ଏହା ୨୮ ଦିନ ସମୟ ନିଏ କିନ୍ତୁ ୨୧ ରୁ ୩୫ ଦିନ ସମୟକୁ ସାଧାରଣ (Normal) ବୋଲି ଧରାଯାଏ । କୁଆଁରୀ ସମୟରେ ୨୧ ରୁ ୪୫ ଦିନ ପର୍ଯ୍ୟନ୍ତ ଋତୁ ଚକ୍ର ହୋଇ ପାରେ । ଋତୁସ୍ରାବ ପୂର୍ବରୁ ସ୍ତନ ପୀଡ଼ା ଫୁଲା ଓ ବ୍ରଣ ଇତ୍ୟଦି ଲକ୍ଷଣମାନଙ୍କୁ ଋତୁସ୍ରାବ ପୂର୍ବ ମୋଲିମିନା (Premenstrual molimina) କୁହାଯାଏ । ସାଧାରଣତଃ ଋତୁସ୍ରାବ ପରିମାଣ ୩୫ ମିଲି.ଲି (ବଡ଼ ଚା ଚାମଚରେ ୨.୪ ଚାମଚ) ହୋଇଥିଲେ ମଧ୍ୟ ୧୦ ରୁ ୮୦ ମିଲି.ଲି ପରିମାଣକୁ ନର୍ମାଲ ବା ସାଧାରଣ ବୋଲି ଧରାଯାଏ । ଏହି ସ୍ରାବକୁ ଋତୁ ତରଳ ପଦାର୍ଥ କହିବା ଅଧିକ ସମିଚୀନ ହେବ । ଏହି ପଦାର୍ଥରେ କିଛି ପରିମାଣ ରକ୍ତ, ଜରାୟୁ ମୂଖର ଝିଲ୍ଲୀ, ଜୋନୀପଥ ସ୍ରାବ, ଓ ଜରାୟୁର ଭିତର ଆସ୍ତରଣର ତନ୍ତୁ ଥାଏ । ଏହି ସ୍ରାବର ରଙ୍ଗ ବ୍ରାଉନ ଲାଲ ହୁଏ, ଶୀରା ରକ୍ତଠାରୁ ଟିକିଏ ଗାଢ଼ ।

ଶାରୀରିକ ଅନୁଭୁତି

ମହିଳାମାନଙ୍କର ଋତୁଚକ୍ର ସମୟରେ ହରମୋନ କମ ବେଶି ହେବା ଯୋଗୁ କେତେକ ଶାରୀରିକ ଲକ୍ଷଣ ଦେଖାଯାଏ । ଋତୁସ୍ରାବ ସମୟରେ ଓ ପୂର୍ବରୁ ଜରାୟୁର ମାଂସପେଶୀ ସଙ୍କୋଚନ ହେତୁ କ୍ରାମ୍ପ ହୁଏ ଓ ଯନ୍ତ୍ରଣା ହୁଏ । କେତେକ ମହିଳା ଥକ୍କା ଅନୁଭବ କରନ୍ତି, ସ୍ତନ ଦରଜ ହୁଏ, ବାନ୍ତି ଲାଗେ ଓ ଯୌନ ଇଚ୍ଛାରେ ପରିବର୍ତ୍ତନ ହୁଏ । ଜଳୀୟ ଅଂଶ ଅଧିକ ହେବାରୁ ସ୍ତନ ଫୁଲି ଯାଏ ଓ ଅଶ୍ଵସ୍ତି ଲାଗେ । ଏହି ଅନୁଭୁତି ଗୁଡ଼ିକ ବହୁତ କମ ହୁଏ ।  ଏହି ଲକ୍ଷଣ ସମୂହ ସବୁ ଋତୁସ୍ରାବ ସମୟରେ ସମାନ ଅନୁଭୁତ ହୁଏ ନାହିଁ ଓ ସବୁ ମହିଳାଙ୍କର ସମାନ ଅନୁଭୁତି ହୁଏ ନାହିଁ । ଏହା ଯୋଗୁ ଦୈନନ୍ଦିନ କାର୍ଯ୍ୟରେ ବାଧା ହେଲେ ତାହାକୁ ପ୍ରିମେନସ୍ଟ୍ରୁଆଲ ଡିସଫୋରିକ ଡିଜଅର୍ଡର (premenstrual dysphoric disorder) କହନ୍ତି ।

ଆଧାର - ସ୍ୱାସ୍ଥ୍ୟ ବିଭାଗ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate