୨୬ ଜାନୁଆରୀ ୧୯୫୦ ରେ ଘୋଷିତ ହୋଇଥିବା ଭାରତୀୟ ସମ୍ବିଧାନର ଧାରା ୨୪ (କାରଖାନା ଇତ୍ୟାଦିରେ ବାଳୁତଶ୍ରମ ନିଯୁକ୍ତି ଉପରେ ବାରଣ) ରେ କୁହାଯାଇଛି ଯେ “ ଚଉଦ ବର୍ଷରୁ କମ ବୟସର କୌଣସି ବାଳୁତକୁ କାରଖାନା ବା ଖଣିରେ ନିଯୁକ୍ତ କରାଯିବ ନାହିନ ବା ଅନ୍ୟ କୌଣସି ବିପଦସଙ୍କୁଳ ନିଯୁକ୍ତିରେ ନିୟୋଜିତ କରାଯିବ ନାହିଁ “ । ଏହା ସମ୍ବିଧାନର ଭାଗ- ୩ ରେ ଭଣିତ ମୌଳିକ ଅଧିକାରସମୂହ ଭିତରୁ ଅନ୍ୟତମ । ଲକ୍ଷ୍ୟ କରିବାର କଥା,କେବଳ ଚଉଦ ବର୍ଷରୁ କମ ପିଲାଙ୍କୁ କେବଳ ବିପଦସଙ୍କୁଳ ଶ୍ରମରେ ନିୟୋଜନକୁ ଏଠାରେ ବାରଣ କରାଯାଇଛି , ଯାହାର ଅର୍ଥ ହେଲା,୧୪ ବର୍ଷ ଅତିକ୍ରମ କରିଥିବା ଅଥଚ ୧୮ ବର୍ଷ ସମାପ୍ତ କରିନ ଥିବା ଜଣେ ବ୍ୟକ୍ତି, ଯେ କି ଭାରତୀୟ ସାବାଳକତ୍ଵ ଆଇନ ୧୮୭୫ ର ଧାରା -୩(୧) ବା କିଶୋର ନ୍ୟାୟ ( ବାଳୁତଙ୍କ ଯତ୍ନ ଓ ସୁରକ୍ଷା) ଆଇନ ୨୦୦୦ ର ଧାରା୨(ଡି) ଅନୁଯାୟୀ ନାବାଳକ ବା ବାଳୁତ ଶ୍ରେଣୀରେ ପରିସରଭୁକ୍ତ, ତାଙ୍କୁ ବିପଦସଙ୍କୁଳ ଶ୍ରମ ସମେତ ଯେ କୌଣସି ଶ୍ରମରେ ନିଯୁକ୍ତ କରିହେବ । ଏହାର ଦ୍ଵିତୀୟ ଅର୍ଥ ହେଲା, ଚଉଦବର୍ଷ ଅତିକ୍ରମ କରିନଥିବା ପିଲାଙ୍କୁ ବିପଦସଙ୍କୁଳ ହୋଇନଥିବା ଅନ୍ୟାନ୍ୟ ଶ୍ରମରେ ନିଯୁକ୍ତ କରିହେବ ।
ଭାରତୀୟ ସମ୍ବିଧାନର ଭାଗ- ୪ (ରାଷ୍ଟ୍ରନୀତି ପ୍ରଣୟନ ପାଇଁ ନିର୍ଦ୍ଦେଶାତ୍ମକ ନିୟମାବଳି) ଅଧୀନରେ ସ୍ଥାନିତ ହୋଇଥିବା “ ଧାରା ୩୯(ଇ) ରେ କୁହାଯାଇଛି ଯେ “ ବିଶେଷ ଭାବେ ରାଷ୍ଟ୍ର ନିଜର ନିୟମକୁ ଏଭଳି ଢଙ୍ଗରେ ପ୍ରଣୟନ କରିବ , ଯାହାଫଳରେ ଏକଥା ସୁନିଶ୍ଚିତ ହୋଇପାରିବ ଯେ , ଶ୍ରମିକଗଣ , ପୁରୁଷ ଓ ମହିଳାମାନଙ୍କର ସ୍ୱାସ୍ଥ୍ୟ ଓ ଶକ୍ତି ତଥା ବାଳୁତମାନଙ୍କର କୋମଳ ବୟସର ଦୁରୁ ଯୋଗ ଘଟିବ ନାହିଁ ତଥା ନାଗରିକମାନେ ଆର୍ଥିକ ତାଡନାରୁ ଏଭଳି କୌଣସି ବୃତ୍ତି ଅବଲମ୍ବନ କରିବାକୁ ବାଧ୍ୟ ହେବେ ନାହିଁ , ଯାହାକି ତାଙ୍କର ବୟସ ବା ଶକ୍ତି ଦ୍ରୁଷ୍ଟିରୁ ଅବାଞ୍ଛନୀୟ” । ପୁଣି ଧାରା ୩୯(ଏଫ) ରେ କୁହାଯାଇଛି , ସେହିସବୁ ବାଳୁତମାନଙ୍କୁ ସୁସ୍ଥଭାବେ ଏବଂ ସ୍ଵାଧୀନତା ଓ ମର୍ଯ୍ୟାଦାର ପରିବେଶରେ ବଢିବା ପାଇଁ ସୁବିଧା- ସୁଯୋଗ ଯୋଗାଇଦିଆଯିବ , ଏବଂ ଶୈଶବ ଓ ଯୁବାବସ୍ଥାକୁ ଶୋଶସନ ତଥା ନୈତିକ ଓ ଆର୍ଥିକ ହିନସ୍ଥା ଦାଉରୁ ସୁରକ୍ଷା ଦିଆଯିବ” । ଏକଥା ସତ, ଏହି ଦୁଇଟି ଉକ୍ତିରେ ସବୁ ବୟସର ବାଳୁତଙ୍କ କୋମଳ ବୟସକୁ ଦ୍ରୁଷ୍ଟିରେ ରଖି ସେମାନଙ୍କୁ କୌଣସି କଠିନିଆ ଶ୍ରମରେ ନିୟୋଜନ କରାଯିବା ବାରଣ ହୋଇଛି ଏବଂ ସେମାନଙ୍କୁ ସବୁ ଧାରଣର ଶୋଷଣ ଓ ହିନସ୍ଥାରୁ ସୁରକ୍ଷା ଦିଆଯିବ ବୋଲି କୁହାଯାଇଛି । କିନ୍ତୁ ଏହି ବ୍ୟବସ୍ଥା ଦୁଇଟି ନାଗରିକମାନଙ୍କର ମୌଳିକ ଅଧିକାର ନୁହେଁ । ଉପରେ କୁହାଯିବା ମତେ ହେଉଛି ଏହା ହେଉଛି “ ରାଷ୍ଟ୍ରନୀତି ପ୍ରଣୟନ ପାଇଁ ନିର୍ଦ୍ଦେଶାତ୍ମକ ନିୟମାବଳି”ର ପରିସରଭୁକ୍ତ । ଏଠାରେ ମନେ ରଖିବା ଦରକାର , ସମ୍ବିଧାନରେ ଭାଗ- ୩ ରେ ଭଣିତ ମୌଳିକ ଅଧିକାର ସମୂହ ସଭ ଭାଗ- ୪ରେ ଭଣିତ ରାଷ୍ଟ୍ରନୀତି ପ୍ରଣୟନ ପାଇଁ ନିର୍ଦ୍ଦେଶାତ୍ମକ ନିୟମାବଳିର ଏକ ମୌଳିକ ଫରକ ରହିଛି । ଭାଗ- ୩ର ମୌଳିକ ଅଧିକାରସମୂହର ଉଲ୍ଲଂଘନ ଘାତିଳେ ତହିଁର ପ୍ରତିକାର ପାଇଁ ଏହି ଭାଗରେ ସ୍ଥାନିତ ଧାରା – ୩୨ ଅନୁଯାୟୀ ଜଣେ ନାଗରିକ ସୁପ୍ରିମକୋର୍ଟ ଏବଂ ଭାଗ – ୬ରେ ସ୍ଥାନିତ ଧାରା- ୨୨୬ ଅନୁଯାୟୀ ଜଣେ ନାଗରିକ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇପାରିବ , କିନ୍ତୁ ଭାଗ- ୪ ରେ ଭଣିତ ଜଣେ ନାଗରିକ କୌଣସି ଅଦାଲତର ଆଶ୍ରୟ ନେଇପାରିବ ନାହିଁ । ଏକଥା ଭାଗ- ୪ ରେ ଥିବା ଧାରା – ୩୭ ରେ ଏହିମତେ ସ୍ପଷ୍ଟ କରିଦିଆଯାଇଛି - “ ଏହି ଭାଗରେ ସ୍ଥାନିତ ବ୍ୟବସ୍ଥାବଳିକୁ କୌଣସି ଅଦାଲତ ବଳବତ୍ତର କରିପାରିବ ନାହିଁ , ଯଦିଓ ଏଥିରେ ଲିପିବଦ୍ଧ ହୋଇଥିବା ନୀତିସମୂହ ଦେଶର ଶାସନଧାରାରେ ମୌଳିକ ଭୂମିକା ନେବ ତଥା ଆଇନ ତିଆରି କଳାବେଳେ ଏହି ନୀତିଗୁଡିକୁ ପ୍ରୟୋଗ କରିବା ରାଷ୍ଟ୍ରର କର୍ତ୍ତବ୍ୟ ହେବ “ ।
ଏଠାରେ ପୁଣି ଉଲ୍ଲେଖନୀୟ, ଭାଗ- ୪ ଅନ୍ତର୍ଗତ ସମ୍ବିଧାନ ଧାରା- ୪୫ (ବାଳୁତମାନଙ୍କ ପାଇଁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାର ବ୍ୟବସ୍ଥା) ରେ କୁହାଯାଇଥିଲା, ଯେ ସମ୍ବିଧାନ ଘୋଷଣା ହେବାର ଦଶବର୍ଷ , ଅର୍ଥାତ ୨୬ ଜାନୁଆରୀ ୧୯୬୦ ସୁଦ୍ଧା ୧୪ ବର୍ଷ ସମାପ୍ତ କରିବା ପର୍ଯ୍ୟନ୍ତ ସମସ୍ତ ବାଳୁତଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଯୋଗାଇଦେବା ଦିଗରେ ରାଷ୍ଟ୍ର ଉଦ୍ୟମ କରିବ । କିନ୍ତୁ ଏଠାରେ ଲକ୍ଷ୍ୟଣୀୟ, ଏକଥା ଭାଗ – ୪ ରେ ଅଛି , ଯାହାକୁ କୌଣସି ଅଦାଲତ ବଳବତ୍ତର କରିପାରିବ ନାହିଁ ଏବଂ ପୁଣି ରାଷ୍ଟ୍ର ଏହା ନିଶ୍ଚିତ କରିବା ବଦଳରେ ଉଦ୍ୟମ କରିବା କଥା କୁହାଯାଇଛି । କିନ୍ତୁ ଧାରା -୪୫ ର ଉକ୍ତ ବ୍ୟବସ୍ଥା ଉଠିଯାଇ ଏକ ନୂଆ ବ୍ୟବସ୍ଥା ୮୬ ତମ ସମ୍ବିଧାନ ସଂଶୋଧନ ଆଇନ ୨୦୦୨ ପ୍ରତିସ୍ଥାନିତ , ଯାହାର ଶୀର୍ଷକ ହେଉଛି “ ଛ” ବର୍ଷରୁ କମ ଶିଶୁମାନଙ୍କୁ ସଅଳ ଶିକ୍ଷା ଯତ୍ନ ଯୋଗାଇବାର ବ୍ୟବସ୍ଥା’ ଏବଂ ଏହି ନୂତନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଦିଗରେ ରାଷ୍ଟ୍ର ଉଦ୍ୟମ କରିବ ବୋଲି ସେଥିରେ କୁହାଯାଇଛି । ଏହି ସମ୍ବିଧାନ ସଂଶୋଧନ ବଳରେ ଭାଗ-୩ (ମୌଳିକ ଅଧିକାର ସମୂହ) ରେ ଧାରା – ୨୧ ଏ ଯୋଡାଗଲା, ଅଜହାର ଶିରକ ହେଉଛି “ ଶିକ୍ଷା ପାଇଁ ଅଧିକାର “ ଏବଂ ଏଥିରେ କୁହାଗଲା “ ରାଷ୍ଟ୍ର ଆଇନ ପ୍ରଣୟନ ବଳରେ ନିଜେ ଧାର୍ଯ୍ୟ କରିଥିବା ରୀତିରେ ଛ ରୁ ଚଉଦ ବର୍ଷର ସମସ୍ତ ବାଳୁତଙ୍କୁ ମାଗଣା ଓ ବାଧ୍ୟତାମୂଳକ ମୌଳିକ ଶିକ୍ଷା ଯୋଗାଇଦେବ “ ଏଠାରେ ଲକ୍ଷ୍ୟଣୀୟ, ଏହି ନୂତନ ବ୍ୟବସ୍ଥା ଏକ ମୌଳିକ ଅଧିକାର ହେଲେ ହେଁ ଏହାର ପରିଭାଷା ଭାଗ- ୪ ଭଳି, କାରଣ କେଉଁ ରୀତିରେ ମୌଳିକ ଶିକ୍ଷା ସମ୍ପୃକ୍ତ ବାଳୁତମାନଙ୍କୁ ଉପଲବ୍ଧ ହେବ, ତାହା ରାଷ୍ଟ୍ରର ମର୍ଜ୍ଜି ଉପରେ ଛାଡି ଦିଆଯାଇଛି ।
ସୁତରାଂ ଦେଖିବାକୁ ଗଲେ ୮୬ ତମ ସଂବିଧାନ ୨୦୦୨ ଲାଗୁ ହେବା ପରେ ଉଭୟ ଧାରା -୨୧ ଏ (ଶିକ୍ଷା ପାଇଁ ଅଧିକାର) ଏବଂ ଧାରା ୪୫ (ସଅଳ ଶିକ୍ଷା ଓ ଯତ୍ନ) ର ବ୍ୟବସ୍ଥାମାନ ଫଳବତୀ ହେବା ବସ୍ତୁତଃ ରାଷ୍ଟ୍ରର ମର୍ଜ୍ଜି ଉପରେ ନିର୍ଭର କରୁଛି ।
ଏହାଛଡା ସଂବିଧାନର ଧାରା- ୨୩ (ମାନବ ଚାଲାଣ ଓ ବାଧ୍ୟତାମୂଳକ ଖଟଣି ଉପରେ ନିଷେଧ) ରେ କୁହାଯାଇଛି “ ମାନବ ଚାଲାଣ , ବେଠିବେଗାରି ଓ ସେହି ଧରଣର ଅନ୍ୟାନ୍ୟ ବାଧ୍ୟତାମୂଳକ ଖଟଣିକୁ ନିଷିଦ୍ଧ କରାଯାଉଛି ଏବଂ ଏହାର ଉଲ୍ଲଂଘନ ଆଇନ ଦ୍ରୁଷ୍ଟିରେ ଏକ ଦଣ୍ଡନୀୟ ଅପରାଧ ହେବ “ । ଏହି ବ୍ୟବସ୍ଥା ଭିତରେ ନିଶ୍ଚିତ ରୂପେ ବେଠି ଓ ବନ୍ଧକ ଖଟୁଥିବା ବାଳୁତ ଶ୍ରମିକ ପରିସରଭୁକ୍ତ । କିନ୍ତୁ ଏହାର ଅର୍ଥ ନୁହେଁ , ସଂବିଧାନ ଘୋଷିତ ହେବା ମାତ୍ରେ ବେଠିବେଗାରି ଓ ବନ୍ଧକ ଶ୍ରମିକ ପ୍ରଥା ଅନ୍ତ ହୋଇଗଲା । ଅସଲ କଥା ହେଉଛି , ଗୋଟିଏ ପାଟରେ ସେହି ସଂବିଧାନରେ ଅନ୍ୟତ୍ର , ଯଥା ଧାରା- ୩୫ (ଏ-୨) ରେ କୁହାଗଲାକୌଣସି ରାଜ୍ୟର ଆଇନସଭା ନୁହେଁ , କେବଳ ପାର୍ଲିଆମେଣ୍ଟ ହିଁ ସଂବିଧାନର ଭାଗ- ୩ରେ ବର୍ଣ୍ଣିତ ହୋଇଥିବା ଅପରାଢଗୁଡିକ ପାଇଁ ଦଣ୍ଡବିଧାନ ସଂକ୍ରାନ୍ତରେ ଆଇନ ତିଆରି କରିବ ଏବଂ ଅନ୍ୟ ପଟରେ ଧାରା – ୩୫ (ବି) ରେ କୁହାଗଲା , ଯେ ପର୍ଯ୍ୟନ୍ତ ପାର୍ଲିଆମେଣ୍ଟ ସେଭଳି ଆଇନ ତିଆରି ନ କରିଛି ବା ରାଷ୍ଟ୍ରପତିଙ୍କ ଦ୍ଵାରା ସମ୍ପୃକ୍ତ ବିଧିବିଧାନରେ ସମୟୋଚିତ ପରିବର୍ତ୍ତନ କରା ନଯାଇଛି ସେ ପର୍ଯ୍ୟନ୍ତ ପ୍ରଚଳିତ ବିଧିବିଧାନ ହିଁ ବଳବତ୍ତର ରହିବ । ପୁଣି ଧାରା- ୩୫ ଅଧୀନରେ ସ୍ଥାନିତ ହୋଇଥିବା ସ୍ପଷ୍ଟୀକାରଣରେ “ ପ୍ରଚଳିତ ବିଧିବିଧାନ” ର ସଂଜ୍ଞା ଦିଆଯାଇଛି ଏବଂ ସେଥିରେ କୁହାଯାଇଛି , ଏହାର ଅର୍ଥ ଧାରା-୩୭୨ ର ବଖାଣ ମତେ ବୁଝିବାକୁ ପଡିବ । ଧାରା -୩୭୧ ଅଧୀନରେ “ ପ୍ରଚଳିତ ବିଧିବିଧାନ” ସଂବନ୍ଧରେ ସ୍ଥାନିତ ସ୍ପଷ୍ଟୀକରଣ – ୧ କୁ ଧରି ଆମେ ଗତି କଲେ , ଏହାର ଅର୍ଥ ହେବ ସଂବିଧାନ ଘୋଷଣା ପୂର୍ବରୁ ଦେଶ ଭିତରେ ଯାହା କିଛି ବିଧିବିଧାନ ପ୍ରଚଳିତ ଥିଲା । ସୁତରାଂ, ସଂବିଧାନର ଭାଗ- ୩ ର ଧାରା – ୨୩ ରେ ବେଠିବେଗାରି ଓ ବନ୍ଧକ –ଶ୍ରମ ଭଳି ଏକ ମଧ୍ୟଯୁଗୀୟ କୁପ୍ରଥାକୁ ନିଷେଧ କରାଯାଇଥିଲେ ହେଁ ସେହି ଭାଗରେ ସ୍ଥାନିତ ଥିବା ଉପରୋକ୍ତ ଗୋଲମାଳିଆ ଦ୍ଵିତାର୍ଥବୋଧକ ବ୍ୟବସ୍ଥାବଳୀ କାରଣରୁ ଧାରା- ୨୩ ବସ୍ତୁତଃ ଅକାମି ହୋଇରହିଲା ଏବଂ ସୁଦୂର ଅତୀତର ଉକ୍ତ କୁ ପ୍ରଥା ପୂର୍ବବତ ବହୁ ଦଶନ୍ଧିଧରି ବଜାୟ ରହିଲା ।
ଏଠାରେ ଉଲ୍ଲେଖନୀୟ , ବ୍ରିଟିଶ ପ୍ରଣିତ ବାଳୁତ (ବନ୍ଧକ ଶ୍ରମ) ଆଇନ ୧୯୩୩ ଥିଲା ସେତେବେଳେ ଏକ ପ୍ରଚଳିତ ଆଇନ , ଯାହାକି ସଂବିଧାନ ଘୋଷିତ ହେଲା ପରେ ବି ଉପରୋକ୍ତ ଧାରା - ୩୫ (ବି) ଅନୁସାରେ ପ୍ରଜାତାନ୍ତ୍ରିକ ଭରତରେ ଚାଲୁ ରହିଲା । ଏହି ଆଇନ ଯଦିଓ ଶିଶୁମାନଙ୍କ ବନ୍ଧକ ଶ୍ରମକୁ ନିଷେଧ ପାଇଁ ଲାଗୁ ହୋଇଥିଲା , କିନ୍ତୁ ବନ୍ଧକ ସୂତ୍ରରେ ଶିଶୁମାନଙ୍କୁ ନିୟୋଜନ କରୁଥିବା ମାଲିକ ବା ଅଭିଭାବକଙ୍କ ବିରୁଦ୍ଧରେ କେବଳ ମାମୁଲି ଜୋରିମାନା (ସର୍ବନିମ୍ନ ୫୦ ଟଙ୍କାଓ ସର୍ବାଧିକ ୨୦୦ ଟଙ୍କା) କୁ ଛାଡିଦେଲେ ଜେଲ କିମ୍ବା ଅନ୍ୟ କୌଣସି ଦଣ୍ଡବିଧାନର ବ୍ୟବସ୍ଥା ନ ଥିଲା । ଯଦିଓ ବନ୍ଧକ –ଶ୍ରମ ପ୍ରଥା (ଉଚ୍ଛେଦ ) ଆଇନ ୧୯୭୬ ର ଧାରା ୩ ଅନୁଯାଯାଇ ୧୯୩୩ ଭଳି ଅନ୍ୟାନ୍ୟ ଆଇନ ଉପରେ ଉକ୍ତ ୧୯୭୬ ଆଇନର ଅତିକ୍ରମଣ ପ୍ରଭାବ ଅଛି , କିନ୍ତୁ ୧୯୩୩ ଆଇନ ଏବେ ବି ବଳବତ୍ତର ଅଛି । ପୁଣି ବିଡମ୍ବନାର ବିଷୟ,୧୯୩୩ ଆଇନ ଅଧୀନରେ ଜଣେ ସୁଦ୍ଧା ବ୍ୟକ୍ତି ଏ ଯାଏ ଦୋଷୀସାବ୍ୟସ୍ତ ହୋଇନାହିଁ ।
ସମ୍ବିଧାନ ଘୋଷଣାର ଦୀର୍ଘ ୨୬ ବର୍ଷ ପରେ ଧାରା-୨୩ ର ଉକ୍ତ ବ୍ୟବସ୍ଥାକୁ କାର୍ଯ୍ୟରୂପ ଦେବାପାଇଁ ଆଇନ ତିଆରି ହେଲା, ଯାହାର ନାମ ବନ୍ଧକ- ଶ୍ରମ ପ୍ରଥା(ଉଚ୍ଛେଦ) ଆଇନ ୧୯୭୬ । ଏହି ଆଇନର ଧାରା- ୪(ବନ୍ଧକ ଶ୍ରମ ପ୍ରଥାର ଉଚ୍ଛେଦ) ରେ କୁହାଯାଇଛି,ଏହି ଆଇନ ଲାଗୁ ହେବା ଦିନ ଠାରୁ ବନ୍ଧକ- ଶ୍ରମ ପ୍ରଥା ଉଚ୍ଛେଦ ହେବ, ଏବଂ ପ୍ରତି ବନ୍ଧକ ଶ୍ରମିକ ନିଜେ ବନ୍ଧକ ଶ୍ରମିକ ଭାବେ ମୁଣ୍ଡେଇଥିବା ଦାୟିତ୍ଵରୁ ମୁକ୍ତିଲାଭ କରିବ । ଏହା ପ୍ରମାଣ କଲା ଯେ, ୨୬ ଜାନୁୟାରୀ ୧୯୫୦ ରେ ଘୋଷିତ ସମ୍ବିଧାନରେ ବେଠିବେଗାରି ଓ ବନ୍ଧକ ଶ୍ରମ ବେଆଇନ ଘୋଷିତ ହୋଇଥିଲେ ହେଁ ୨୬ ଅକ୍ଟୋବର ୧୯୭୫ ରେ ବନ୍ଧକ – ଶ୍ରମ ପ୍ରଥା (ଉଚ୍ଛେଦ) ଆଇନ ୧୯୭୬ ଲାଗୁ ହେବା ପର୍ଯ୍ୟନ୍ତ ସୁଦୀର୍ଘ ଅବଧି ଭିତରେ ଉକ୍ତ ବେଆଇନ ଓ ଜଘନ୍ୟ କୁପ୍ରଥା ଆମ ଦେଶରେ ଆଇନତଃ ବଜାୟ ରହିଥିଲା । ୧୯୭୬ ଆଇନ ଲାଗୁ ହେବା ପରେ ମଧ୍ୟ ଏହି କୁପ୍ରଥା ଏବେ ସୁଦ୍ଧା ସାରା ଦେଶରେ ବିଭିନ୍ନ ରୂପରେ ବଜାୟ ରହିଛି , ଯାହାକି ବିଭିନ୍ନ ସରକାରୀ ରିପୋର୍ଟରେ ସ୍ଵୀକୃତ ହୋଇଛି, କିନ୍ତୁ ଏ ବିଷୟରେ ସବିଶେଷ ଆଲୋଚନା ଅନ୍ୟତ୍ର କରାଯାଇପାରେ ।
ପୁଣି, ୧୯୫୦ ଜାନୁୟାରୀରେ ସମ୍ବିଧାନ ଘୋଷଣା ହେବା ପରେ ଶିଶୁଶ୍ରମକୁ ସ୍ବୀକୃତି ହେଉଥିବା ଆଉ ଏକ ଔପନୈବେଶିକ ଯୁଗର ଆଇନ ବଜାୟ ରହିଥିଲା , ଯାହାର ଶୀର୍ଷକ ହେଉହୀ ଶିଶୁ ଶ୍ରମ ନିୟୋଜନ ଆଇନ ୧୯୩୮ । ଏହି ଆଇନ ଶିଶୁଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇଆନ ୧୯୮୬ ବଳରେ ପ୍ରତ୍ୟାହୃତ ହୋଇଛି । ଉଲ୍ଲେଖନୀୟ,୧୯୩୮ ଆଇନ ଅଳ୍ପ କେତେକ କାର୍ଯ୍ୟ ଓ ପ୍ରକ୍ରିୟାକୁ ଛାଡିଦେଲେ ଅନ୍ୟ ସବୁ ବିପଜ୍ଜନକ ଏବଂ ଅଣ- ବିପଜ୍ଜନକ ଶ୍ରମ କ୍ଷେତ୍ରରେ ଉଭୟ ଚଉଦରୁ କମ ଓ ଚଉଦରୁ ବେଶି ବୟସର ବାଳୁତଙ୍କୁ ଶ୍ରମରେ ନିୟୋଜନ ପାଇଁ ଅନୁମତି ଦେଇଥିଲା ।
ଉଲ୍ଲେଖନୀୟ, ୧୯୮୬ ଆଇନ ଖୋଲାଖୋଲି ଭାବେ ଧାରା ୭(୩) ରେ ଚଉଦବର୍ଷ ଟପି ନ ଥିବା ପିଲାମାନଙ୍କୁ ଅଣ- ବିପଜ୍ଜନକ ଶ୍ରମରେ ଗୋଟିଏ ଦିନରେ ୬ ଘଣ୍ଟା ପାଇଁ ନିୟୋଜନ ପାଇଁ ଅନୁମତି ଦେଇଛି । ଏହାଛଡା , ଏହି ଆଇନ ଅଧୀନରେ ବସ୍ତୁତଃ ଚଉଦବର୍ଷ ଟପିଥିବା ଅଥଚ ଅଠରବର୍ଷ ଟପି ନଥିବା ପିଲାମାନଙ୍କୁ ବିପଜ୍ଜନକ ସମେତ ଯେ କୌଣସି ପ୍ରକାର ଶ୍ରମରେ ନିୟୋଜନପାଇଁ ରାସ୍ତା ଖୋଲା ରଖାଯାଇଛି ।
ଏହାଛଡା , ଉପରୋକ୍ତ ୧୯୮୬ ଆଇନ ବଳରେ ପ୍ରାକ – ସମ୍ବିଧାନ ଏବଂ ଉତ୍ତର ସମ୍ବିଧାନ କାଳର ଆଉ କେତେକ ଶିଶୁ-ଶ୍ରମ ସଂକ୍ରାନ୍ତ ଆଇନରେ କିଛି କିଛି ସଂଶୋଧନ ଘଟିଥିଲେ ହେଁ , ସେହି ଆଇନଗୁଡିକ ମୂଳତଃ ଶିଶୁ ଓ ବାଳୁତ ଶ୍ରମକୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ପ୍ରଶୟ ଦେଇଥାଏ । ସେଗୁଡିକ ହେଲା, କାରଖାନାସମୂହ ଆଇନ ୧୯୪୮ , ବୃକ୍ଷରୋପଣ ଶ୍ରମ ଆଇନ,୧୯୫୧ ଓ ଖଣିସମୂହ ଆଇନ ୧୯୫୨ (ଧାରା-୨୦) ଏବଂ ସର୍ବନିମ୍ନ ମଜୁରି ଆଇନ ୧୯୪୮ , ବାଣିଜ୍ୟକ ଜାହାଜ ଚଳାଚଳ ଆଇନ ୧୯୫୮ ଏବଂ ମୋଟରଯାନ ପରିବହନ ଶ୍ରମିକ ଆଇନ ୧୯୬୧ । ଶିଶୁ ଶ୍ରମ ନିୟୋଜନକୁ ବୈଧତା ଆରୋପ କରୁଥିବା ଏହି ଆଇନଗୁଡିକ ମଧ୍ୟ ସମ୍ବିଧାନ – ସମ୍ମତ , କାରଣ ଖୋଦ ସମ୍ବିଧାନ ହିଁ କେବଳ ଚଉଦବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଅଳ୍ପ କେତେକ ବିପଜ୍ଜନକ ଶ୍ରମକୁ ଛାଡି ଅନ୍ୟାନ୍ୟ ସମସ୍ତ ଶ୍ରମକ୍ଷେତ୍ରରେ ସେମାନଙ୍କୁ ନିୟୋଜନ କରିବା ତଥା ଅଠରବର୍ଷ ଟପି ନ ଥିବା ସମସ୍ତ ବାଳୁତଙ୍କୁ ବିପଜ୍ଜନକ ସମେତ ସମସ୍ତ ଶ୍ରମକ୍ଷେତ୍ରରେ ନିୟୋଜନ କରିବା ପାଇଁ ରାସ୍ତା ପରିଷ୍କାର ରହିଛି ।
ମୋଟ ଉପରେ କହିଲେ , ଚଉଦ ବର୍ଷ ଅତିକ୍ରମ କରିଥିବା ଅଥଚ ଅଠର ବର୍ଷ ଅତିକ୍ରମ କରି ନ ଥିବା ଜଣେ ବ୍ୟକ୍ତି ନାବାଳକ ବା ବାଳୁତ ହୋଇଥିଲେ ହେଁ ସମ୍ବିଧାନ ତାକୁ ଶିକ୍ଷାର ଅଧିକାର ଦେଇନାହିଁ । ପୁଣି, ସମ୍ବିଧାନ ଘୋଷିତ ହେବର ବହୁ ଦଶନ୍ଧି ପରେ ମୌଳିକ ଅଧିକାର ଧାରା- ୨୧ ଏ (ଛଅ ରୁ ଚଉଦ ବର୍ଷ ପର୍ଯ୍ୟନ୍ତ ସମସ୍ତ ବାଳୁତଙ୍କୁ ମୌଳିକ ଶିକ୍ଷା ମାଗଣା ଓ ବାଧ୍ୟତାମୂଳକ ମିଳିବାର ଅଧିକାର) । ଭର୍ତ୍ତି ହେଲା ଏବଂ ପୁଣି କିଛିବର୍ଷ ପରେ ଏହି ପିଲାମାନଙ୍କ ପାଇଁ ମାଗଣା ଓ ବାଧ୍ୟତାମୂଳକ ମୌଳିକ ଶିକ୍ଷା ଅଧିକାର ଆଇନ ୨୦୦୯ ପ୍ରଣିତ ହେଲା । କିନ୍ତୁ ଏ ବିଷୟରେ ସମ୍ବିଧାନ ଯେଉଁ ଅସୁବିଧାରେ ପଡିଛି ତାହାର ଅନ୍ତ ନାହିଁ । କାରଣ ଗୋଟିଏ ପଟରେ ଏହାର ମୌଳିକ ଅଧିକାର ଧାରା – ୨୪ ବସ୍ତୁତଃ ୧୪ ବର୍ଷରୁ କମ ସମସ୍ତ ଶିଶୁଙ୍କୁ କେବଳ ଅଳ୍ପ କେତୋଟି ବିପଦସଙ୍କୁଳ ଶ୍ରମକୁ ବାଦ ଦେଇ ଅନ୍ୟ ସବୁ ଶ୍ରମରେ ନିୟୋଜିତ ହେବା ପାଇଁ ଅନୁମତି ଦେଇଛି ଏବଂ ଅନ୍ୟ ପଟରେ ଶିଶୁଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ ୧୯୮୬ ର ଧାରା ଉକ୍ତ ବୟସର ପ୍ରତି ଶିଶୁକୁ ଗୋଟିଏ କର୍ମଦିବସରେ ୬ ଘଣ୍ଟା ପର୍ଯ୍ୟନ୍ତ ଖଟଣି କରିବାକୁ ଅନୁମତି ଦେଇଛି । ସୁତରାଂ ଯଦି ଆମେ ଚାହୁଁ ଚଉଦ ବର୍ଷ ପର୍ଯ୍ୟନ୍ତ ସମସ୍ତ ବାଳୁତଙ୍କୁ ଶ୍ରମକ୍ଷେତ୍ରକୁ ନପଠାଇ ସ୍କୁଲକୁ ପଠାଇବା , ତେବେ ସମ୍ବିଧାନର ମୌଳିକ ଅଧିକାର ଅଧ୍ୟାୟରେ ସ୍ଥାନିତ ଧାରା -୨୧ ଏ ଏବଂ ଧାରା – ୨୪ ଭିତରେ ଥିବା ବିରୋଧାଭାସକୁ ପ୍ରଥମେ ଦୂର କରିବାକୁ ପଡିବ ।
ଆଧାର- ହିନ୍ଦ ମଜଦୂର ସଭା , ଓଡିଶା
Last Modified : 6/20/2020