অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପଞ୍ଚକ

ପଞ୍ଚକ ବ୍ରତ

କାର୍ତ୍ତିକ ମାସର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ)କୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ । ଏହା ମହା ପଞ୍ଚକ, ବକପଞ୍ଚକ ବା ଭୀଷ୍ମପଞ୍ଚକ ବି ବିଷ୍ଣୁ ପଞ୍ଚକ ଭାବେ ମଧ୍ୟ ଜଣାଶୁଣା । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ୍ୟ ପାଳନ କରନ୍ତି । ଅନେକ ଅଁଳା ନବମୀ, ରାଧାପାଦ ଦର୍ଶନ ଦିବସ ଠାରୁ ସାତଦିନ ହବିଷ୍ୟ କରନ୍ତି । ଏହି ପାଞ୍ଚଦିନ ହିନ୍ଦୁମାନେ ଆମିଷ ପରିତ୍ୟାଗ କରି ଶୁଦ୍ଧ, ସାତ୍ତ୍ଵିକ ଖାଦ୍ୟ ଭୋଜନ କରନ୍ତି । ଏହିପଞ୍ଚକରେ ବକମାନେ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରୁହନ୍ତି ବୋଲି କଥିତ ଅଛି । ତେଣୁ ଏହାକୁ 'ବକ ପଞ୍ଚକ' କୁହାଯାଏ । ଶର ଶଯ୍ୟା ଉପରେ ଶାୟିତ ପିତାମହ ଭୀଷ୍ମ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ । ଏଥିରେ ପ୍ରସନ୍ନ ହୋଇ ଶ୍ରୀବାସୁଦେବ କହିଲେ ଆପଣ ଧନ୍ୟ । ଧର୍ମର ଗୂଢ଼ ରହସ୍ୟ ବର୍ଣ୍ଣନା କରିଛନ୍ତି । କାର୍ତ୍ତିକ ଏକାଦଶୀ ଦିନ ତମେ ଜଳର ଇଚ୍ଛା କରିଛ । ଅର୍ଜୁନ ବାଣଦ୍ଵାରା ଗଙ୍ଗାଜଳ ପ୍ରସ୍ତୁତ କଲେ, ଯଦ୍ଵାରା ତମର ତନ, ମନ, ପ୍ରାଣ ସନ୍ତୁଷ୍ଟ ହେଲା । ଏଣୁ ଆଜିଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଯେଉଁମାନେ ତୁମକୁ ଜଳ ଅର୍ଘଦାନ କରିବେ- ସେମାନେ ମୋତେ ତୃପ୍ତକରିବେ । ଏହା ହେଉଛି ଭୀଷ୍ମପଞ୍ଚକ- ପ୍ରତିବର୍ଷ ପାଳିତ ହେବ । ସାଧାରଣତଃ ସନ୍ତାନପ୍ରାପ୍ତି ଉଦ୍ଦେଶ୍ୟରେ ଅନେକ ଏହି ଭୀଷ୍ମପଞ୍ଚକ ବ୍ରତ ପାଳନ କରନ୍ତି ।

କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପରମ ପବିତ୍ର ଦିବସ I ଏହି ପଞ୍ଚକରେ ତେତିଶ କୋଟି ଦେବତା ମନୁଷ୍ୟମାନଙ୍କର ସନ୍ନିକଟ ହୋଇଯାନ୍ତି I ଏହି ସମୟରେ ଏକଲକ୍ଷ ତୁଳସୀପତ୍ର ଚଢାଇ ବିଷ୍ଣୁଙ୍କୁ ପୂଜାକଲେ, ସମସ୍ତ ଦେବତା ପ୍ରସନ୍ନହୋଇ ବର ପ୍ରଦାନକରନ୍ତି I “ ସର୍ବଦେବ ନମସ୍କାରଃ କେଶବଂ ପ୍ରତିଗଚ୍ଛତି I” ଭଗବାନ୍ ବିଷ୍ଣୁ ଇପ୍ସିତ ବର ପ୍ରଦାନକରନ୍ତି I ଗୋଟିଏ ଗୋଟିଏ ତୁଳସୀ ଦଳ ଗୋଟିଏ ଗୋଟିଏ ମୋତି ହୋଇଯାଏ I ପାଞ୍ଚଦିନ ଗୋବିନ୍ଦ ନାମ ସ୍ମରଣକଲେ ଅକ୍ଷୟପୁଣ୍ୟ ପ୍ରାପ୍ତିହୁଏ I “ଗୋବିନ୍ଦ ଗୋବିନ୍ଦ ହରେ ମୁରାରେ ଗୋବିନ୍ଦ ଗୋବିନ୍ଦ ମୁକୁନ୍ଦକୃଷ୍ଣ / ଗୋବିନ୍ଦ ଗୋବିନ୍ଦ ରଥାଙ୍ଗ ପାଣେ ଗୋବିନ୍ଦ ଦାମୋଦର ମାଧବେତି I” ଭାଗବତ ଏବଂ ଗୀତା ପାଠ କରିବା ବିଧେୟ I ଏହିସମୟରେ ପ୍ରତ୍ୟେହ ଗୀତାର ଗୋଟିଏ ଶ୍ଳୋକ ପାଠକରି ମଧ୍ୟ ମନୁଷ୍ୟ ଜୀବନ୍ମୁକ୍ତ ହୋଇଯିବ । ସ୍କନ୍ଦ ପୁରାଣ ମତେ:
“ କାର୍ତ୍ତିକ ମାସି ବିପ୍ରେନ୍ଦ୍ର ଯସ୍ତୁଗୀତାଂ ପଠେନ୍ନରଃ
ତସ୍ୟ ପୁଣ୍ୟଫଳଂ ବକ୍ତୁଂ ମମଶକ୍ତି ର୍ନ ବିଦୀତେ
ଗୀତାୟାସ୍ତୁ ସମଂ ଶାସ୍ତ୍ରଂ ନ ଭୂତଂ ନ ଭବିଷ୍ୟତି
ସର୍ବ ପାପହରା ନିତ୍ୟଂ ଗୀତୈକା ମୋକ୍ଷଦାୟିନୀ
ଶ୍ରୀମଦ୍ ଭଗବତସ୍ୟାପି ଶ୍ରବଣଂ ଯଃ ସମାଚରେତ୍
ସର୍ବପାପ ବିନିର୍ମୁକ୍ତଃ ପରଂ ନିର୍ବାଣ ମୃଚ୍ଛତି I”

ଏହିପାଞ୍ଚଦିନକୁ ଭୀଷ୍ମ ପଞ୍ଚକ କୁହାଯିବାର ପୌରାଣିକ ରହସ୍ୟ ହେଉଛି – ବାଣ ଶଯ୍ୟା ଉପରେ ଶାୟିତ ପିତାମହ ଭୀଷ୍ମ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ I ଏଥିରେ ପ୍ରସନ୍ନ ହୋଇ ଶ୍ରୀବାସୁଦେବ କହିଲେ ଆପଣ ଧନ୍ୟ I ଧର୍ମର ଗୂଢ଼ ରହସ୍ୟ ବର୍ଣ୍ଣନା କରିଛନ୍ତି I କାର୍ତ୍ତିକ ଏକାଦଶୀଦିନ ତମେ ଜଳର ଯାଚନା କରିଛ I ଅର୍ଜୁନ ବାଣର ବେଗରେ ଗଙ୍ଗାଜଳ ପ୍ରସ୍ତୁତ କଲେ, ଯଦ୍ୱାରା ତମର ତନ, ମନ, ପ୍ରାଣ ସନ୍ତୁଷ୍ଟ କଲା । ଏଣୁ ଆଜିଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଯେଉଁମାନେ ତୁମକୁ ଜଳ ଅର୍ଘଦାନ କରିବେ – ସେମାନେ ମୋତେ ତୃପ୍ତ କରିବେ I ଏହା ହେଉଛି ଭୀଷ୍ମପଞ୍ଚକ – ପ୍ରତିବର୍ଷ ପାଳିତ ହେବ I ବ୍ରତଧାରୀ ସବ୍ୟ ହୋଇ ମହାତ୍ମା ଭୀଷ୍ମଙ୍କ ପାଇଁ ତର୍ପଣ କରିବେ I ଏହିଭୀଷ୍ମ ତର୍ପଣ ସମସ୍ତ ବର୍ଣ୍ଣର ଲୋକେ କରିପାରିବେ I ମନ୍ତ୍ର ହେଉଛି-
“ ସତ୍ୟବ୍ରତାୟ ଶୁଚିୟେ ଗାଙ୍ଗେୟାୟ ମହାତ୍ମନେ
ଭୀଷ୍ମାୟୈତଦ୍ ଦଦାମ୍ୟର୍ଘ୍ୟ ମାଜନ୍ମ ବ୍ରହ୍ମଚାରିଣେ I”
ଆଜନ୍ମ ବ୍ରାହ୍ମଚର୍ଯ୍ୟ ପାଳନକର୍ତ୍ତା ପରମ ପବିତ୍ର ସତ୍ୟବ୍ରତ ପରାୟଣ ଗଙ୍ଗାନନ୍ଦନ ଭୀଷ୍ମଙ୍କୁ ମୁଁ ଏହି ଅର୍ଘ୍ୟ ପ୍ରଦାନ କରୁଛି । ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଅନେକ ଏହି ଭୀଷ୍ମପଞ୍ଚକ ବ୍ରତ ପାଳନ କରନ୍ତି । ସନ୍ତାନହୀନ ବ୍ୟକ୍ତିଙ୍କ ପାଇଁ ଭୀଷ୍ମପଞ୍ଚକ ପାଳନୀୟ- ଏକଥା ପଞ୍ଚକରେ ଅର୍ଘ୍ୟଦାନ ମନ୍ତ୍ରରୁ ସୁସ୍ପଷ୍ଟ ହୋଇଥାଏ I ଅର୍ଘ୍ୟଦାନ ମନ୍ତ୍ର ହେଉଛି-
“ବୈୟାଘ୍ୟପଦ ରୋତ୍ରାୟ ସାଙ୍କୃତ ପ୍ରବରାୟ ଚ
ଅପୁତ୍ରାୟ ଦଦାମ୍ୟେତ ଦୁଦକଂ ଭୀଷ୍ମ ବର୍ମଣେ
ବତ୍ସନାମବତାରାୟ ଶନ୍ତନୋ ରାତ୍ମଜାୟ ଚ
ଅର୍ଘ୍ୟଂ ଦଦାମି ଭୀଷ୍ମାୟ ଆଜନ୍ମ ବ୍ରହ୍ମଚାରିଣେ I”
ଯାହାଙ୍କର ବ୍ୟାଘ୍ରପଦ ଗୋତ୍ର ଏବଂ ସାଂକୃତ ପ୍ରବର, ସେହିପୁତ୍ର ରହିତ ଭୀଷ୍ମବର୍ମାଙ୍କୁ ମୁଁ ଏହିଜଳ ଦେଉଛି I ବସୁମାନଙ୍କ ଅବତାର, ଶାନ୍ତନୁଙ୍କ ପୁତ୍ର, ଆଜନ୍ମ ବ୍ରହ୍ମଚାରୀ ଭୀଷ୍ମଙ୍କୁ ମୁଁ ଅର୍ଘ୍ୟ ଦେଉଛି I ପଞ୍ଚଗବ୍ୟ, ସୁଗନ୍ଧଚନ୍ଦନ, କୁଙ୍କୁମ ଦ୍ୱାରା ଭକ୍ତିପୂର୍ବକ ଶ୍ରୀହରିଙ୍କ ପୂଜନ କରିବ I ଅଷ୍ଟାକ୍ଷର ମନ୍ତ୍ର “ଓଁ ନମୋ ବାସୁଦେବାୟ ” ବା ଷଡାକ୍ଷର ମନ୍ତ୍ର “ ଓଁ ରାମାୟନମଃ, ” ଶହେ ଆଠବାର ଜପ କରିବ I ବ୍ରତକାଳରେ ବ୍ରାହ୍ମଚର୍ଯ୍ୟ ପାଳନ କରିବ I କାର୍ତ୍ତିକ ପୌଷମାସୀରେ ବ୍ରାହ୍ମଣଙ୍କୁ ନ୍ୟୁନ ପକ୍ଷେ ପାଞ୍ଚ ଜଣ ବ୍ରାହ୍ମଣଙ୍କୁ ଭୋଜନ ଦେଇ ବ୍ରତ ଉଦ୍ ଯାପନ କରିବ । ଏହି ପଞ୍ଚକରେ ପାଞ୍ଚଦିନ ଯାକ ତାତ୍ପର୍ଯ୍ୟପୂର୍ଣ୍ଣ । ପଞ୍ଚକର ପ୍ରଥମଦିନ ହେଉଛି ବଡ ଏକାଦଶୀ I ଆଷାଢ ଶୁକ୍ଳପକ୍ଷ, ଏକାଦଶୀ ତିଥିରେ ଭଗବାନବିଷ୍ଣୁ ଶଙ୍ଖାସୁରକୁ ବଧ କରିଥିଲେ I ଅତଃ ସେହିଦିନ ଠାରୁ ଚାରିମାସ କାଳ ଭଗବାନ କ୍ଷୀରସାଗରରେ ବିଶ୍ରାମ କରନ୍ତି I ଚାର୍ତୁମ୍ୟାସ୍ୟା ପରେ କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଜାଗ୍ରତ ହୁଅନ୍ତି I ଏହିକାରଣରୁ ବୈଷ୍ଣବମାନେ “ଉତ୍ତିଷ୍ଠୋତ୍ତିଷ୍ଠ ଗୋବିନ୍ଦ ଉତ୍ତିଷ୍ଠ ଗରୁଡଧ୍ୱଜ
ଉତ୍ତିଷ୍ଠ କମଳାକାନ୍ତ ତୈଲୋକ୍ୟ ମଙ୍ଗଳଂ କୁରୁ”
ମନ୍ତ୍ରୋଚାରଣ କରି ବିଷ୍ଣୁ ଭଗବାନଙ୍କୁ ଜାଗ୍ରତ କରାନ୍ତି I ହେ ଗୋବିନ୍ଦ ! ଉଠନ୍ତୁ, ଉଠନ୍ତୁ, ହେ ଗରୁଡଧ୍ୱଜ ! ଉଠନ୍ତୁ I ହେ କମଳାକାନ୍ତ ! ନିଦ୍ରା ତ୍ୟାଗକରି ତିନିଲୋକର ମଙ୍ଗଳ କରନ୍ତୁ I ପିତାମହ ବ୍ରହ୍ମା ଦେବର୍ଷି ନାରଦଙ୍କୁ କକୁଛନ୍ତି- “ ଏହି ଏକାଦଶୀକୁ ପ୍ରବୋଧିନୀ ଏକାଦଶୀ କୁହାଯାଏ I ଏହି ଏକାଦଶୀରେ ଉପବାସ ରହିବା ହଜାରେ ଅଶ୍ୱମେଧ ତଥା ଶହେ ରାଜସୂୟ ଯଜ୍ଞର ଫଳ ଦିଏ I ପଞ୍ଚକର ଦ୍ୱିତୀୟଦିନ ହେଉଛି ଦ୍ୱାଦଶୀ I ଏହିଦିନ ଉତ୍ତମ, ବୁଦ୍ଧିମାନ ମନୁଷ୍ୟ ବୃଦ୍ଧ ପିତାମାତାଙ୍କୁ ବିଧିପୂର୍ବକ ଭୋଜନ କରାଇ ନିଜ ସ୍ତ୍ରୀ ସହିତ ଭଗବାନ ବିଷ୍ଣୁଙ୍କ ପ୍ରସାଦକୁ ସେବନ କରନ୍ତି I ଯେଉଁ ମନୁଷ୍ୟ ଏହି ପ୍ରକାର ବିଧିରେ ଦ୍ୱାଦଶୀ ବ୍ରତର ଭୋଜନ କରାଇ ନିଜ ସ୍ତ୍ରୀ ସହିତ ଭଗବାନ ବିଷ୍ଣୁଙ୍କ ପ୍ରସାଦକୁ ସେବନ କରନ୍ତି, ସେ ଉତ୍ତମ ସୁଖ ଉପଭୋଗ କରି ଶେଷରେ ମୋକ୍ଷପ୍ରାପ୍ତ ହୁଅନ୍ତି I

ପଞ୍ଚକର ଶେଷ ତିନିଦିନ ତ୍ରୟୋଦଶୀ, ଚତୁର୍ଦ୍ଦଶୀ, ପୂର୍ଣ୍ଣିମା- ଅତ୍ୟନ୍ତ ପୂଣ୍ୟମୟ ତିଥି । ପୂର୍ଣ୍ଣିମା ପୂର୍ବର ପାଞ୍ଚଦିନ ପଞ୍ଚକ, ମହାପଞ୍ଚକ, ବକ ପଞ୍ଚକ, ଭୀଷ୍ମ ପଞ୍ଚକ I ଏହି ପାଞ୍ଚଦିନ ପ୍ରତ୍ୟେକ ହିନ୍ଦୁ ଆମିଷ ପରିହାର କରି ଶୁଦ୍ଧ, ସାତ୍ତ୍ୱିକ ଭୋଜନ କରନ୍ତି I ଲୋକ କଥାନୁସାରେ ଏହିପଞ୍ଚକରେ ଆମିଷାଶୀ ବକ ମଧ୍ୟ ଆମିଷ ସ୍ପର୍ଶ କରେନାହିଁ I ତେଣୁ ଏହାକୁ ‘ବକ ପଞ୍ଚକ’କୁହାଯାଏ । ଏହିମାସରେ ଆମିଷ ନ ଖାଇବାର ଧର୍ମ ସମ୍ମତ କାରଣ ଅଛି I ଏହିମାସରେ ମାଛମାନଙ୍କୁ ରୋଗ ହୋଇଥାଏ । ତେଣୁ ଆମ ଧର୍ମ ଧାରଣା, ଅନ୍ଧବିଶ୍ୱାସ ନୁହେଁ- ବିଜ୍ଞାନ, ଆଧ୍ୟାତ୍ମିକତା ଆଧାରିତ I ପ୍ରାତଃସ୍ନାନ ଶରୀର ପକ୍ଷରେ ହିତକର I ମାସଯାକ ପ୍ରାଃତସ୍ନାନ କରି ଲୋକମାନେ ବିଶେଷକରି ବିଧବାମାନେ ରାଇଦାମୋଦର ବ୍ରତ ପାଳନ କରନ୍ତି । କିଛି ନ ହେଲେ ଏହି ମହାପଞ୍ଚକ ପାଞ୍ଚଦିନ ବ୍ରତ ପାଳନ କରନ୍ତି I ଏହି ବ୍ରତ ପରି ପୁଣ୍ୟବ୍ରତ ଆଉକିଛି ନାହିଁ I ତେଣୁ କୁହାଯାଇଛି, ଯିଏ ଏହି ମହାପଞ୍ଚକ ବ୍ରତ କରନ୍ତି, ସେ ଧନ୍ୟ ଏବଂ ପୂଜନୀୟ I ତାଙ୍କ ଶରୀରସ୍ଥିତ ସମସ୍ତ ପାପ ତତ୍କାଳ ନଷ୍ଟ ହୋଇଯାଏ । ଯେଉଁମାନେ ଏହି ଧର୍ମମାସରେ ତୁଳସୀବୃକ୍ଷ ମୂଳରେ, ରାଧା ଏବଂ ଶ୍ରୀକୃଷ୍ଣ, ରାଇ-ଦାମୋଦର ମୂର୍ତ୍ତି ରଖି ନିଷ୍କାମ ଭାବରେ ପୂଜାକରନ୍ତି, ସେମାନଙ୍କୁ ଜୀବନ୍ମୁକ୍ତ ହୁଅନ୍ତି । ଯେଉଁମାନେ ରାତି ଦି’ ଘଡ଼ି ଥିବ ଜଳାଶୟକୁ ତୁଳସୀମୂଳର ମୃତ୍ତିକା ଲଗାଇ, ବସ୍ତ୍ର ଏବଂ କଳସ ନେଇ ଜଳାଶୟକୁ ଯାଇ ଗଙ୍ଗାଆଦି ନଦୀ ତଥା ବିଷ୍ଣୁ ଶିବ ଆଦି ଦେବତା ସ୍ମରଣ ପୂର୍ବକ ନାଭି ପର୍ଯ୍ୟନ୍ତ ଜଳରେ ଠିଆ ହୋଇ ଏହିମନ୍ତ୍ର ଯଥା-
“ କାର୍ତ୍ତିକେଦ୍ଧହଂ କରିଷ୍ୟାମି ପ୍ରାତଃ ସ୍ନାନଂ ଜନାର୍ଦ୍ଦନ
ପ୍ରୀତ୍ୟର୍ଥଂ ତବ ଦେବେଶ ଦାମୋଦର ମୟା ସହ I”
ଜନାର୍ଦ୍ଦନ ! ଦେବେଶ୍ୱର ଦାମୋଦର ! ଲକ୍ଷ୍ମୀ ସହିତ ଆପଣଙ୍କ ପ୍ରସନ୍ନତା ପାଇଁ ମୁଁ କାର୍ତ୍ତିକ କାର୍ତ୍ତିକ ସ୍ନାନ କରୁଛି I ଅର୍ଘ୍ୟ ପ୍ରଦାନ ପୂର୍ବକ କହନ୍ତି-
“ ଗୃହାଣାର୍ଘ୍ୟଂ ମୟାଦତ୍ତଂ ରାଧୟା ସହିତ ହରେ
ନମଃ କମଳନାଭାୟ ନମସ୍ତେ ଜଳଶାୟିନେ
ନମସ୍ତେଦ୍ଧସ୍ତୁ ହୃଷିକେଶ ଗୃହାଣାର୍ଘ୍ୟଂ ନମୋଦ୍ଧସ୍ତୁତେ I”
ଭଗବାନ ! ଆପଣ ଶ୍ରୀରାଧାଙ୍କ ସହିତ ମୋର ପ୍ରଦତ୍ତ ଏହି ଅର୍ଘ୍ୟକୁ ସ୍ୱୀକାର କରନ୍ତୁ I ହରେ ! କମଳା ନାଭ ! ଆପଣଙ୍କୁ ନମସ୍କାର I ଜଳଶାୟୀ ନାରାୟଣ ! ଆପଣଙ୍କୁ ନମସ୍କାର I ହୃଷୀକେଶ ଏହି ଅର୍ଘ୍ୟ ଗ୍ରହଣ କରନ୍ତୁ I ପ୍ରେତପୁରୁଷ ଓ ପିତୃପୁରୁଷଙ୍କୁ ପଥ ପ୍ରଦର୍ଶନ ତଥା ସେମାନଙ୍କ ଅନ୍ଧକାରାଚ୍ଛନ୍ନ ଦୁର୍ଗମପଥକୁ ଉଜ୍ଜଳ କରିବା ସକାଶେ ପ୍ରତ୍ୟେକ ଗ୍ରାମରେ ଆକାଶଦୀପ ପ୍ରତିଷ୍ଠା କରାଯାଇଥାଏ I ଏହି ଧର୍ମମାସର ପ୍ରତ୍ୟେକ ଦିନ ପର୍ବର ଦିନ । ଦିନେ ଦଣ୍ଡକାରଣ୍ୟରେ ଋଷିମୁନିମାନେ ରାମରୂପ ଦର୍ଶନରେ ପ୍ରଲୁବ୍ଧ ହୋଇଥିଲେ I ଭଗବାନ ରାମ ବର ପ୍ରଦାନ କରିଥିଲେ- ଦ୍ୱାପର ଯୁଗରେ ତମେ ସବୁ ଗୋପୀ ହୋଇ ମୋତେ କୃଷ୍ଣ ରୂପରେ ପ୍ରାପ୍ତ ହେବ I
“ବଲ୍ଲଭୀ ତୁମ୍ଭେ ହୋଇବ ଦ୍ୱାପରେ
ବ୍ରଜେ ରହିବୁ ଆମ୍ଭେ କଂସ ଡରେ
ବୃନ୍ଦାବନରେ ହେବ ରାସକେଳି
ବଲ୍ଲଭୀ ଏକା ଏ ଦେହେ ମୈଥିଳୀ
ବହିବୁ ଗୋପୀନାଥର ନାମକୁ
ବେଲେ ଉପଇନ୍ଦ୍ର ବୋଧିଲେ ତାଙ୍କୁ I”
କୃଷ୍ଣପ୍ରାପ୍ତି ଆଶାରେ ଏହି ଗୋପୀମାନେ କାର୍ତ୍ତିକ ମାସ ସାରା ପ୍ରତ୍ୟୁଷରୁ ସ୍ନାନ କରି ନଦୀ, ସମୁଦ୍ର, ପୁଷ୍କରଣୀ, ଝରଣା ତଟରେ ବାଲିରେ କୃଷ୍ଣମୂର୍ତ୍ତି ସ୍ଥାପନ କରି, ପୁଷ୍ପଚନ୍ଦନ ହୁଳହୁଳି ଦାନପୂର୍ବକ, କୃଷ୍ଣ ତୁଲ୍ୟ ପତି ପ୍ରାପ୍ତ୍ୟର୍ଥେ କାର୍ତ୍ତିକ ବ୍ରତ ପାଳନ କରୁଥିଲେ I ସେ ପରମ୍ପରା ଏବେ ମଧ୍ୟ ଅନୁସୃତ I

ଶ୍ରୀମନ୍ଦିରରେ ପଞ୍ଚକ

ଏହି ଅବସରରେ ଶ୍ରୀମନ୍ଦିରରେ ଠାକୁରମାନଙ୍କୁ ଆକର୍ଷଣୀୟ ବେଶରେ ସୁସଜ୍ଜିତ କରାଯାଏ ।

  • ଏକାଦଶୀରେ : ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ
  • ଦ୍ଵାଦଶୀରେ : ବାଙ୍କଚୂଡ଼ା ବେଶ ବା ବାମନ ବେଶ
  • ତ୍ରୟୋଦଶୀରେ : ତ୍ରିବିକ୍ରମ ବେଶ ବା ଆଡ଼କିଆ ବେଶ
  • ଚତୁର୍ଦ୍ଦଶୀରେ : ଲକ୍ଷ୍ମୀନୃସିଂହ ବେଶ ବା ଡାଳିକିଆ ବେଶ
  • ପୂର୍ଣ୍ଣମୀରେ : ରାଜରାଜେଶ୍ଵର ବେଶ ବା ସୁନାବେଶ
  • ମଳତିଥିରେ : ନାଗାର୍ଜୁନ ବେଶ

ପ୍ରତ୍ୟହ ଅବକାଶ ନୀତି ଶେଷହେବା ପରେ ତିନିଠାକୁରଙ୍କୁ ଏହିସବୁ ବେଶରେ ସଜ୍ଜିତ କରାଯାଏ । ବେଶ ଥାଇ ଠାକୁରମାନଙ୍କ ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ ଓ ଭୋଗମଣ୍ଡପ ନୀତି ଆଦି ଅନୁଷ୍ଠିତ ହୋଇଥାଏ । ଭୋଗମଣ୍ଡପ ନୀତି ଶେଷହେବା ପରେ ଏହି ବେଶ ଓ ଅଳଙ୍କାର ଆଦି ମଇଲମ ହୋଇ ମଧ୍ୟାହ୍ନଧୂପ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ମହାପ୍ରଭୁଙ୍କ ପଞ୍ଚକ ପାଞ୍ଚଦିନ ଏହି ବେଶ ଦର୍ଶନ କରିବାକୁ ଶ୍ରୀମନ୍ଦିରରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । କାର୍ତ୍ତିକ ମାସରେ ପଞ୍ଚକ ଛଅ ଦିନ ପଡ଼ିଲେ ମଳତିଥି ଦିନ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ଅନୁଷ୍ଠିତ ହୁଏ । ଗତ ୧୬.୧୧.୧୯୯୪ ତାରିଖ କାର୍ତ୍ତିକ ମଳ ତ୍ରୟୋଦଶୀ ବୁଧବାର ଦିନ ଦିନ ମହାପ୍ରଭୁଙ୍କର ଏହି ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା ।

ଆଧାର – "ବୈଶ୍ମ ପଞ୍ଚମୀ"



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate