ଅପରାଧ କଣ ?
ସମାଜର ପ୍ରତ୍ୟକ ନାଗରିକ ସୁଖ ସ୍ଵାଚ୍ଛନ୍ଦ୍ୟରେ ଜୀବନଯାପନ କରିବା ପାଇଁ ସେମାନଙ୍କର ବିଭିନ୍ନ ସାମ୍ବିଧାନିକ ଓ ସାମାଜିକ ଅଧିକାରମାନ ରହିଛି । କୌଣସି ବ୍ୟକ୍ତି ବା ସଂସ୍ଥା ଦ୍ଵାରା ଉପରୋକ୍ତ ସୁଖ, ସ୍ଵାଚ୍ଛନ୍ଦ୍ୟ ଜୀବନଯାପନ କରିବା ପ୍ରଥାକୁ ଭଗ୍ନ କରିବା, ସମାଜର ବିଶୃଙ୍ଖଳା ସୃଷ୍ଟି କରିବା ଅର୍ଥାତ୍ ସାମାଜିକ ବା ଦେଶର ଆଇନ୍ କୁ ଭଗ୍ନ କରିବା, ଏବଂ ସମାଜର ନାଗରିକମାନଙ୍କର ବା ପଡୋଶୀଙ୍କର ବିହିତ କ୍ଷତି କରିବାକୁ ଅପରାଧ କୁହାଯାଏ । ଅପରାଧ ସଂଗଠିତ ହେଲେ ଆଇନ୍ ଅନୁସାରେ ଅପରାଧର ଗୁରୁତ୍ଵ ଦୃଷ୍ଟିରୁ ଭାରତୀୟ ଦଣ୍ଡବିଧି ଆଇନ୍ ଅନୁଯାୟୀ ଦଣ୍ଡ ଦେବାର ବ୍ୟବସ୍ଥା ଅଛି ।
କୌଣସି ଅପରାଧର ସାହାଯ୍ୟକାରୀ କାହାକୁ କୁହାଯାଏ ?
ଜଣେ ଅପରାଧୀର ସାହାଯ୍ୟକାରୀ ହେବ, ଯଦି ସିଏ :-
- ଅପରାଧ କରିବାକୁ କୌଣସି ଲୋକକୁ ପ୍ରବର୍ତ୍ତାଏ ।
- ଅପରାଧ କରିବା ପାଇଁ ଏକ କିମ୍ବା ଏକାଧିକ ଲୋକ କିମ୍ବା ଷଡଯନ୍ତ୍ରରେ ସଂଶ୍ଲିଷ୍ଟ ରୁହେ ।
- ଯାହା ଆଇନତଃ କାଇବା କଥା ତାହା ନକରି ଉଦ୍ଦେଶ୍ୟମୂଳକ ଭାବେ ଅପରାଧରେ ସାହାଯ୍ୟ କରିଥାଏ ।
ତଦନ୍ତ କ’ଣ ?
ତଦନ୍ତର ଅର୍ଥ ହେଉଛି କୌଣସି ଘଟଣାର ଆଦିଅନ୍ତ ବା ସତ୍ୟତାର ଉନ୍ମୋଚନ କରିବା । ଏଥିପାଇଁ ନିମ୍ନୋକ୍ତ ତଦନ୍ତ କାର୍ଯ୍ୟ କରାଯାଏ ।
- ପ୍ରକୃତରେ ଅପରାଧ ସଂଗଠିତ ହୋଇଛି କି ନାହିଁ ।
- ଯଦି ଅପରାଧ ହୋଇଛି, ଏ ଅପରାଧ କଣ, କାହିଁକି ହେଲା ଓ ଅପରାଧୀ କିଏ ।
- ଅପରାଧ କରିବାର ସମସ୍ତ ପ୍ରମାଣ ଓ ସାକ୍ଷ୍ୟ ସହ ଅପରାଧୀକୁ ବିଚାରକଙ୍କ ନିକଟରେ ଉପସ୍ଥାପନା କରିବା ।
ଆଇନ୍ ଅନୁସାରେ ଦଣ୍ଡ କ’ଣ : ଆଇନ୍ ଅନୁସାରେ ଗୁରୁତ୍ଵ ଦୃଷ୍ଟିରୁ ବିଭିନ୍ନ ପ୍ରକାର ଦଣ୍ଡ ଦିଆଯାଇଥାଏ । ସେଗୁଡିକ ହେଉଛି ମୃତ୍ୟୁଦଣ୍ଡ, ସଶ୍ରମ କାରାଦଣ୍ଡ କିମ୍ବା ଅଶ୍ରମ କାରାଦଣ୍ଡ, ସମ୍ପତ୍ତି ବ୍ୟାଜ୍ୟାପ୍ତି ଓ ଅର୍ଥ ଦଣ୍ଡ ।
ଆଇନତଃ କେଉଁମାନେ ଏବଂ କେଉଁ କ୍ଷେତ୍ରରେ ଦଣ୍ଡ ପାଇବାରୁ ବହିର୍ଭୂତ
- ଆଇନତଃ ବାଧ୍ୟ ହୋଇ କିମ୍ବା ଘଟଣାଗତ ଭ୍ରମରେ ଆଇନତଃ ବାଧ୍ୟ ବୋଲି ବିଶ୍ଵାସ ଅଋ କୌଣସି କାର୍ଯ୍ୟ କରିବା ।
- ବିଚାରପତି ଭାବେ ଜଜ୍ ଙ୍କର କାର୍ଯ୍ୟ।
- ବିଚାରାଳୟରୁ ନିର୍ଦ୍ଦେଶ କିମ୍ବା ରାୟ ଅନୁସାରେ କାର୍ଯ୍ୟ ।
- କୌଣସି କାର୍ଯ୍ୟ ଆଇନ ସମ୍ମତ କିମ୍ବା ଘଟଣାଗତ ଭ୍ରମରେ ଆଇନ ସମ୍ମତ ବୋଲି ବିଶ୍ଵାସ କରି କୌଣସି ଲୋକର କାର୍ଯ୍ୟ ।
- ଆଇନ ସମ୍ମତ କାର୍ଯ୍ୟ କରିବା ବେଳେ ଘଟୁଥିବା ଦୁର୍ଘଟଣା ।
- ଅନ୍ୟ କୌଣସି କ୍ଷତିକୁ ରୋକିବା ଉଦ୍ଦେଶ୍ୟରେ ଅପରାଧ ଉଦ୍ଦେଶ୍ୟ ନଥାଇ କ୍ଷତି ହେବାଭଳି କୌଣସି କାର୍ଯ୍ୟ ।
- ସାତ ବର୍ଷରୁ କମ୍ ପିଲାର କାର୍ଯ୍ୟ ।
- ସାତ ବର୍ଷରୁ କମ୍ ଓ ବାର ବର୍ଷରୁ କମ୍ ବୟସର ଅପରିପକ୍ଵ ପିଲାର କାର୍ଯ୍ୟ ।
- ମସ୍ତିଷ୍କ ବିକୃତ ଥିବା ଲୋକର କାର୍ଯ୍ୟ ।
- ନିଜ ଇଚ୍ଛା ବିରୁଦ୍ଧରେ ମାଦକ ଦ୍ରବ୍ୟ ସେବନ କରି ବୁଦ୍ଧି, ବିଚାର ହରାଇଥିବା ବ୍ୟକ୍ତିର କାର୍ଯ୍ୟ ।
- ମୃତ୍ୟୁ କିମ୍ବା ଗୁରୁତର ଆଘାତ କରାଇବାକୁ ଉଦ୍ଦେଶ୍ୟ ନଥିବା କିମ୍ବା ସମ୍ଭାବନା ନଥିବା କାର୍ଯ୍ୟ ସମ୍ମତି ସହ କରିବାବେଳେ ଘଟୁଥିବା କୌଣସି ଅପରାଧ ।
- କୌଣସି ଲୋକର ଉପକାର ପାଇଁ ତା’ର ସମ୍ମତି ସହ ସତ୍ ଉଦ୍ଦେଶ୍ୟରେ ଓ ମୃତ୍ୟୁ ନଘଟାଇବା ଉଦ୍ଦେଶ୍ୟରେ କୌଣସି କାର୍ଯ୍ୟ ।
- ପିତା କିମ୍ବା ପାଗଳ ଲୋକର ଉପକାର ପାଇଁ ତା’ର ଅଭିଭାବକଙ୍କ ସମ୍ମତି କ୍ରମେ ସତ୍ ଉଦ୍ଦେଶ୍ୟରେ କରୁଥିବା କୌଣସି କାର୍ଯ୍ୟ ।
- ଦୈହିକ ଓ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସୁରକ୍ଷା ପାଇଁ ମାତ୍ରାଧିକ ହୋଇ ନଥିବା ସଂଗଠିତ ଅପରାଧ।
- ଅପରାଧୀର ମୃତ୍ୟୁ ହେବାଭଳି ଅପରାଧ ଆଇନ୍ ଦ୍ଵାରା ଦଣ୍ଡନୀୟ ନୁହେଁ ଯଦି –
- ଆକ୍ରମଣ ଦ୍ଵାରା ମୃତ୍ୟୁ ହେବାର ସମ୍ଭାବନା ଥାଏ ।
- ସାଂଘାତିକ ଆହତ ହେବାର ସମ୍ଭାବନା ଥାଏ ।
- ଧର୍ଷଣ ପାଇଁ ଉଦ୍ଦେଶ୍ୟ ଥିଲେ ।
- ଅସ୍ଵାଭାବିକ କାମପିପାସା ଚରିତାର୍ଥ କରିବା ଉଦ୍ଦେଧ୍ୟ ଥିଲେ ।
- ଅପହରଣ କିମ୍ବା ବଳାତ୍କାର ହରଣଚାଳ କରିବା ଉଦ୍ଦେଶ୍ୟ ଥିଲେ ।
- ମୁକ୍ତି ପାଇଁ ସରକାରୀ ସଂସ୍ଥାକୁ ଖବର ଦେବାରେ ସୁଯୋଗ ନଥିବା ବେଆଇନ୍ ବନ୍ଧନ ଅବସ୍ଥାରେ ।
- ଅନ୍ୟର ଜୀବନ ର୍କହୟା କରିବାକୁଯାଇ।
- ସମ୍ପତ୍ତି ଓ ଆତ୍ମରକ୍ଷା ବଳରେ ଅପରାଧୀର ମୃତ୍ୟୁ ଘଟାଇବା ପର୍ଯ୍ୟନ୍ତ ଅଧିକାର ରହିବ, ଯଦି ନିମ୍ନଲିଖିତ ଅପରାଧ ସଂଗଠିତ ହୋଇଥାଏ ।
- ଡକାୟତି ହୋଇଥାଏ ।
- ରାତିରେ ଗୃହ ଭାଙ୍ଗିବା ।
- ବାସଗୃହ, ଭଣ୍ଡାର ଗୃହ, ତମ୍ବୁ କିମ୍ବା ଜଳଯାନରେ ନିଆଁ ଲଗାଇବା ।
- ଚୋରୀ, ଗୃହରେ ଅନଧିକାର ପ୍ରବେଶ କିମ୍ବା କ୍ଷତି କରିବା ।
ଜୁଭେନାଇଲ ଆଇନ
ତରୁଣା ନ୍ୟାୟ ଆଇନ୍, ୧୯୮୬ ଅନୁସାରେ ଅପରାଧ ଘଟାଉଥିବା ତରୁଣ, ତରୁଣୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି, ୧୬ ବର୍ଷରୁ କମ୍ ତରୁଣ ଓ ୧୮ ବର୍ଷରୁ କମ୍ ତରୁଣୀଙ୍କ ପାଇଁ ଏହି ଆଇନ୍ ଲାଗୁ ହେବ । ଏହାର କେତେକ ବ୍ୟବସ୍ଥା ନିମ୍ନରେ ଦିଆଗଲା –
- ଅପରାଧରେ ଜଡିତ କୌଣସି ତରୁଣ, ତରୁଣୀଙ୍କ ବିରୁଦ୍ଧରେ ଫୌଜଦାରୀ କୋର୍ଟରେ ଅଭିଯୋଗ କରାଯାଇପାରିବ ନାହିଁ ।
- ସେମାନଙ୍କୁ ଗିରଫ କରି ଥାନା ବା ଜେଲ୍ ହାଜତରେ ରଖାଯାଇପାରିବ ନାହିଁ ।
- ସେମାନଙ୍କର ବିଚାରକୁ ଅନୁସନ୍ଧାନ ଆଖ୍ୟା ଦିଆଯିବ ଓ ତାଙ୍କ ପାଇଁ ଉଦ୍ଦିଷ୍ଟ କୋର୍ଟରେ ବିଚାର କରାଯିବ ।
- ସେମାନେ କୌଣସି ଅପରାଧ କଲେ ନିକଟତମ ପର୍ଯ୍ୟବେକ୍ଷଣ ଗୃହ କିମ୍ବା କୌଣସି ସମାଜସେବି ଅନୁଷ୍ଠାନ ଦ୍ଵାରା ପରିଚାଳିତ ସଂସ୍ଥାରେ ଦାଖଲ କରାଯିବ ।
- ଅପରାଧ ପ୍ରମାଣିତ ହେଲେ ସେମାନଙ୍କୁ ଅତିବେଶୀରେ ୩ ବର୍ଷ ପର୍ଯ୍ୟନ୍ତ ସ୍ଵତନ୍ତ୍ର ସ୍ଥାନରେ ରଖାଯାଇ ଉପଯୁକ୍ତ ଶିକ୍ଷା ଓ ତାଲିମ ମାଧ୍ୟମରେ ଚରିତ୍ର ସଂଶୋଧନ କରାଯାଇ ପୁନଶ୍ଚ ସମାଜରେ ଛାଡି ଦିଆଯିବ ।
- ବିଭିନ୍ନ କାରଣରୁ ସମାଜରେ ଅବହେଳିତ ତରୁଣ, ତରୁଣୀମାନଙ୍କ ବିଷୟରେ ଅନୁସନ୍ଧାନ କରି ସେମାନଙ୍କୁ ସୁରକ୍ଷା, ଲାଳନପାଳନ, ଇନ୍ନତି ତଥା ଥଇଥାନ ପାଇଁ ଉପଯୁକ୍ତ ତାଲିମ ଦିଆଯିବ ।
ପୋଲିସର କାର୍ଯ୍ୟ କ’ଣ ?
ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପୋଲିସ ସଂସ୍ଥା ହେଉଛି ଏକ ଆଇନ୍ ପ୍ରଚଳନକାରୀ ସଂସ୍ଥା ଏବଂ ଏମାନେ ମଧ୍ୟ ଆଇନ୍ ର ହେପାଜତକାରୀ ଅଟନ୍ତି । ସମାଜରେ ଧନଜୀବନର ସୁରକ୍ଷା, ସଂହତି ଓ ଶୃଙ୍ଖଳା ରକ୍ଷା ଏବଂ ସାମାଜିକ ବିକାଶରେ ସାହାଯ୍ୟ କରିବା ହେଉଛି ପୋଲିସର ମୁଖ୍ୟ କାମ । ପୋଲିସ୍ ଆଇନ୍ ର ୫ମ ରୁଲ ଅନୁସାରେ ପୋଲିସ ତାଙ୍କର କର୍ତ୍ତବ୍ୟ ଏପରିଭାବେ କରିବେ ଯେପରି ସର୍ବସାଧାରଣଙ୍କ ଠାରୁ ଶ୍ରଦ୍ଧା, ସମ୍ମାନ ଓ ସାହାଯ୍ୟ ମିଳିପାରିବ ।
ବି.ଦ୍ର : ପୋଲିସ ଅନୁସାରେ ଦଶମ ରୁଲ ଅନୁସାରେ
- ପୋଲିସ କର୍ମଚାରୀ ସରକାର, ଦେଶ ଓ ଉପରିସ୍ଥ କର୍ମଚାରୀଙ୍କ ପ୍ରତି ବିଶ୍ଵସ୍ତ ହେବେ ।
- ପୋଲିସ କର୍ମଚାରୀ ଆଗ୍ରହ ସହକାରେ ଓ ବିନାବିଳମ୍ବରେ ଆଦେଶ ପାଳନ କରିବେ ।
- ପୋଲିସ କର୍ମଚାରୀ ସର୍ବଦା ସ୍ପଷ୍ଟବାଦୀ ଓ ସଚ୍ଚୋଟ ହେବେ ।
- ପୋଲିସ କର୍ମଚାରୀ ସର୍ବଦା ପ୍ରଫୁଲ୍ଲଚିତ୍ତ ଓ ମିତବ୍ୟୟୀ ହେବେ ।
- ପ୍ରତ୍ୟକ ପୋଲିସ କର୍ମଚାରୀ ତାଙ୍କର ଚିନ୍ତା, କଥାବାର୍ତ୍ତା ଓ ବ୍ୟବହାରରେ ମାର୍ଜିତ ହେବେ ଓ କର୍ତ୍ତବ୍ୟ ସଂପାଦନ ପାଇଁ ତାଙ୍କ ଶରୀରକୁ ଉପଯୋଗୀ ରଖିବେ ।
- ପ୍ରତ୍ୟକ ପୋଲିସ କର୍ମଚାରୀ ସମସ୍ତଙ୍କୁ ସୁରକ୍ଷା ଓ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ ସ୍ତ୍ରୀ, ଶିଶୁ, ଅକର୍ମଣ୍ୟ ଓ ବୃଦ୍ଧଙ୍କୁ ସୁରକ୍ଷା ଦେବାରେ ସାହାଯ୍ୟ କରିବେ ।
- ପ୍ରତ୍ୟକ ପୋଲିସ୍ କର୍ମଚାରୀ ସାମାଜିକ ଓ ଭଦ୍ର ହେବେ ଏବଂ ଯେ କୌଣସି ବର୍ଗ, ଧର୍ମ, ଶ୍ରେଣୀ ଓ ପଦବୀର ଲୋକଙ୍କ ପ୍ରତି ବନ୍ଧୁପରି ସାହାଯ୍ୟ କରିବେ ।
- ଜୀବଜନ୍ତୁଙ୍କ ପ୍ରତି ଦୟାଳୁ ହେବେ ।
- କର୍ତ୍ତବ୍ୟ ସଂପାଦନ କଲାବେଳେ ସର୍ବସାଧାରଣ ଯେପରି ବିରକ୍ତି ପ୍ରକାଶ ନକରନ୍ତି ସେଥିପ୍ରତି ଯତ୍ନବାନ ହେବେ ।
- ସର୍ବସାଧାରଣଙ୍କ ଠାରୁ ସମ୍ମାନ, ବନ୍ଧୁତ୍ଵ ଓ ସହଯୋଗ ପାଇଁ ଚେଷ୍ଟା କରିବେ ।
ପୋଲିସ୍ ଆଇନ୍ ର ୩୪ ଦଫା କ’ଣ ଅଟେ ?
ଏହି ଦଫା ବଳରେ ରାଜରାସ୍ତା ଅବରୋଧ କରି ଗପସପ ହେବା, ଘର ଆଗ ରାସ୍ତାରେ ଅଳିଆ ଗଦା କରିବା, ଚାହା ଦୋକାନ ଆଦି କରି ରାସ୍ତା ଉପରେ ବେଞ୍ଚ ପକାଇବା, ପାଣି ଢାଳିବା, ଗାଡି-ମଟର ଆଦି ଜନଗହଳି ସ୍ଥାନରେ ବେପରୁଆ ଭାବେ ଠିଆ କରିବା ଇତ୍ୟାଦି ବେଆଇନ କାର୍ଯ୍ୟ ପାଇଁ ପୋଲିସ୍ କେସ୍ କରିପାରିବେ । ଏଥିପାଇଁ ପଚାଶ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରିପାରିବେ । ଅନାଦେୟ ୮ ଦିନ ପର୍ଯ୍ୟନ୍ତ ସଶ୍ରମ କିମ୍ବା ଆଶ୍ରମ କାରାଦଣ୍ଡ ଭୋଗିବାକୁ ପଡିପାରେ ।
ପୋଲିସ୍ ର କାର୍ଯ୍ୟାବଳୀ କ’ଣ ?
- ଅପରାଧର ନିବାରଣ
- ଅପରାଧର ସନ୍ଧାନ
- ଯାତାୟତ ନିୟନ୍ତ୍ରଣ
- ଶୃଙ୍ଖଳା ରକ୍ଷା
- ଆଭ୍ୟନ୍ତରୀଣ ସୁରକ୍ଷା ଓ ନିରାପତ୍ତା ପ୍ରଦାନ
- ବିମାନ ରେଳ ଓ ସଡକ ଦୁର୍ଘଟଣା, ଭୂମିକମ୍ପ, ବନ୍ୟା ଆଦି ଦୈବୀ ଦୁର୍ବିପାକ ଆଦିର ସହାୟତା ପ୍ରଦାନ ଏବଂ ବୟସ୍କ, ମହିଳା ଓ ଶିଶୁମାନଙ୍କ ପ୍ରତି ସମସ୍ତ ପ୍ରକାର ସେବା ପ୍ରଦାନ ।
ଅପରାଧର କାରଣ କ’ଣ ?
ସମାଜରେ ଅଳ୍ପ କୀକ ଲୋକ ଅପରାଧ କରନ୍ତି । ଦଣ୍ଡ ପାଇବାର ଆଶଙ୍କା ଥାଇ ମଧ୍ୟ ସେମାନେ ଅପରାଧ କରିଥାଆନ୍ତି । ଏହାର କେତୋଟି କାରଣ ନିମ୍ନରେ ଦିଆଗଲା । ସାମାଜିକ କାରଣ, ରାଜନୈତିକ କାରଣ, ମାନସିକ କାରଣ, ଅର୍ଥନୈତିକ କାରଣ ଓ ଭୌଗଳିକ କାରଣ ।
ବାଳ ଅପରାଧର କାରଣ କ’ଣ ?
ଅପରିପକ୍ଵତା, ପ୍ରକୃତି, ଅଶାନ୍ତ ପରିବାର, ମାନସିକ ଅସୁସ୍ଥତା, ଅର୍ଥନୈତିକ ଅବସ୍ଥା, ଶିକ୍ଷାନୁଷ୍ଠାନର ଅନୁପଯୁକ୍ତ ଅବସ୍ଥା, ଦୁସ୍ଥ ପରିବେଶ, କୁସଙ୍ଗ, ସାମାଜିକ ପରିବର୍ତ୍ତନ, ସାମୂହିକ ଚାପ, ବ୍ୟତିକ୍ରମର ପୁନରାବୃତ୍ତି, ସାମାଜିକ ସଂଜ୍ଞା କିମ୍ବା ଆଇନ୍ ଶୃଙ୍ଖଳାକାରୀଙ୍କ ଶିଥିଳତା ହେତୁ ବାଳକ ଅପରାଧ କରେ । ଏଗୁଡିକ ପ୍ରତି ପ୍ରତ୍ୟକ ନାଗରିକ ଧ୍ୟାନ ଦେଲେ ଅପରାଧର ସଂଖ୍ୟା ନିଶ୍ଚିତ ଭାବେ କମିବ ।
- ଅପରିପକ୍ଵତା – ଅପ୍ରାପ୍ତ ବୟସରେ କୌଣସି କର୍ମ ଭଲ ବା ମନ୍ଦ ବିଚାର କରିବା ଶକ୍ତି ଆସି ନଥାଏ। ଫଳରେ ମସ୍ତିଷ୍କର ଅପରିପକ୍ଵତା ହେତୁ ବାଳ ଅପରାଧ ଘଟେ।
- ପ୍ରକୃତି – କେତେକ ପିଲା ବାଲ୍ୟାବସ୍ଥାରୁ ସାମାଜିକ ନିୟମ ଓ ଶୃଙ୍ଖଳା ବାହାରକୁ ଯିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି । ସେମାନେ ବେଳେ ବେଳେ ସାମାଜିକ ନିୟମ ଭଙ୍ଗ କରନ୍ତି ଯାହାକି ବାଳ ଅପରାଧ ଭାବେ ବିବେଚିତ ହୁଏ ।
- ଅଶାନ୍ତ ପରିବାର – ଯେଉଁ ପରିବାରରେ ଅଶାନ୍ତି ଓ କଳହ ଲାଗି ରହିଥାଏ ସେହି ପରିବାରରେ ପିଲାମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଶିକ୍ଷାର ଅଭାବ ରହେ । ଉପଯୁକ୍ତ ଶିକ୍ଷା ଅଭାବରୁ ବାଳକ ସାମାଜିକ ନିୟମ ଭଙ୍ଗ କରିବାକୁ ଆଗ୍ରହ ପ୍ରକାଶ କରେ ।
- ମାନସିକ ଅସୁସ୍ଥତା – ପିତାମାତାଙ୍କ ଠାରୁ ଉପଯୁକ୍ତ ସ୍ନେହ, ଶ୍ରଦ୍ଧା ମିଳୁ ନାହିଁ ବୋଲି ପିଲା ଅନୁଭବ କଲେ ତାର ମାନସିକ ସୁସ୍ଥତା ନଷ୍ଟ ହୁଏ । ତା’ର ମନରେ ନୈରାଶ୍ୟ ଭାବ ଜାତ ହୋଇ ସେ ସାମାଜିକ ନିୟମ ଭଙ୍ଗ କରେ।
- ଅର୍ଥନୈତିକ ଅବସ୍ଥା – ଦାରିଦ୍ର୍ୟତାର ପ୍ରଭାବରେ କେତେକ ପିଲା ଘରୁ ଚୋରୀ କରିବା ଆରମ୍ଭ କରନ୍ତି । ପରେ ବାହାର ଦୁନିଆର ଚାକଚକ୍ୟତା ପ୍ରତି ଆକୃଷ୍ଟ ହୋଇ ନାନାପ୍ରକାର ସାମାଜିକ ନିୟମ ଭଙ୍ଗ କରନ୍ତି ।
- ଶିକ୍ଷାନୁଷ୍ଠାନର ଅନୁପଯୁକ୍ତ ଅବସ୍ଥା – ଆଦର୍ଶ ଶିକ୍ଷକଙ୍କର ଅଭାବରେ ପିଲାମାନଙ୍କ ନୈତିକ ପତନ ହୁଏ । ଫଳରେ ପିଲା ଅପରାଧ କରେ ।
- ଦୁସ୍ଥ ପରିବେଶ – ପିଲା ରହୁଥିବା ବାସଗୃହ ନିକଟରେ ମଦଭାଟି, ବେଶ୍ୟାଳୟ, ଜୁଆ ଆଡ୍ଡା, ସିନେମା ଗୃହ ଆଦିଥିଲେ ପିଲା ସାମାଜିକ ଶୃଙ୍ଖଳାରୁ ଦୂରେଇ ଯାଇ ଅପରାଧ କରିଥାଏ ।
- କୁସଙ୍ଗ – କେତେକ ପିଲା କୁସଙ୍ଗରେ ପଡି ଅପରାଧ କରନ୍ତି ।
- ସାମାଜିକ ପରିବର୍ତ୍ତନ – ସମାଜର ଦୃତ ଅଭିବୃଦ୍ଧି ସହରାଞ୍ଚଳ ପ୍ରତି ଆକୃଷ୍ଟ କରେ ଯାହାକି ସାମାଜିକ ଶୃଙ୍ଖଳାକୁ ନଷ୍ଟ କରେ । ଫଳରେ ବାଳା ଅପରାଧ ସଂଗଠିତ ହୁଏ ।
- ସାମୂହିକ ଚାପ – କୌଣସି ଦଳ, ବ୍ୟକ୍ତି ବା ଗୋଷ୍ଠୀର କାର୍ଯ୍ୟକଳାପ ଦ୍ଵାରା ପ୍ରଭାବିତ ହୋଇ କିମ୍ବା ସେମାନଙ୍କ ପ୍ରେରଣା ଦ୍ଵାରା ଅପ୍ରାପ୍ତ ବୟସ୍କ ପିଲା ଅପରାଧ କରେ ।
- ବ୍ୟତିକ୍ରମର ପୁନରାବୃତ୍ତ – କୌଣସି ପିଲା କୌଣସି କାରଣରୁ ଥରେ କୌଣସି ଅପରାଧ କଲେ ସେମାନନକୁ ଅପରାଧୀ ବୋଲି ଘୃଣା କରାଯାଏ । ଫଳରେ ସେ ଅନ୍ୟ ଉପାୟ ନପାଇ ଅପରାଧର ପୁନରାବୃତ୍ତି କରେ ।
- ସାମାଜିକ ସଂଜ୍ଞା – ଏତେକ ଗୋଷ୍ଠୀ ବା ସମ୍ପ୍ରଦାୟର ଲୋକଙ୍କୁ ଅନ୍ୟମାନେ ଚୋର ବୋଲି ଧରି ନିଅନ୍ତି ସେହି ଗୋଷ୍ଠି ବା ସମ୍ପ୍ରଦାୟର ପିଲା ସମାଜରେ ଉପଯୁକ୍ତ ସ୍ଥାନ ଓ ସମ୍ମାନ ନ ପାଇ ଅପରାଧ କରେ ।
- ଆଇନ୍ ଶୃଙ୍ଖଳାକାରୀଙ୍କ ଶିଥିଳତା – କୌଣସି ପିଲା କୌଣସି ଅପରାଧ କଲେ ପୋଲିସ ବା ଲୋକ ତାକୁ ସାଧାରଣ ଅପରାଧୀ ପରି ବ୍ୟବହାର କଲେ ସେହି ପିଲା ପୁଣିଥରେ ଅପରାଧ କରିବାକୁ ବାଧ୍ୟ ହୁଏ ।
ଉପରୋକ୍ତ କାରଣଗୁଡିକ ପ୍ରତି ଦୃଷ୍ଟିଦେଲେ ସମାଜରୁ ଅପରାଧୀଙ୍କ ସଂଖ୍ୟା ନିଶ୍ଚିତ ଭାବେ ହ୍ରାସ କରାଯାଇପାରିବ ।
ଆଧାର - ଏମ୍.ଏମ୍. ପବ୍ଲିକେଶନ୍