অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆଇନ୍ ଓ ନ୍ୟାୟାଳୟ

ଆଇନ୍

ଆମ ଦେଶ ଏକ ଗଣତନ୍ତ୍ର ରାଷ୍ଟ୍ର । ଏଠାରେ ଆଇନ୍ ର ଶାସନ ଚାଲେ 

ଏହାର ଅର୍ଥ ଦେଶର ଶାସନ ପ୍ରଚଳିତ ଆଇନ୍ ଅନୁଯାୟୀ କରାଯାଏ । କୌଣସି ବ୍ୟକ୍ତି ବା ଅନୁଷ୍ଠାନର ଖୁସି ବା ଇଚ୍ଛା ଅନୁଯାୟୀ ଦେଶର ଶାସନ ଚାଲେ ନାହିଁ ।

ବ୍ୟକ୍ତି ବିଶେଷ ଯେତେ ବଡ ଉଚ୍ଚ ପଦପଦବୀରେ ଥାଆନ୍ତୁ ନା କାହିଁକି –ଏପରିକି ସେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ଜଜ୍, ଆଇ.ଏ.ଏସ୍., ଆଇ.ପି.ଏସ୍. ଅଥବା ଅନ୍ୟ ଯେ କୌଣସି ସରକାରୀ କର୍ମଚାରୀ ହୁଅନ୍ତୁ ନା କାହିଁକି ଦେଶ ଶାସନ ତାଙ୍କ ମନ ଇଚ୍ଛା ବା ଖୁସି ମୁତାବକ ଚାଲେ ନାହିଁ । ଶାସନ କେବଳ ଆଇନ୍ ମୁତାବକ ଚାଲିବାକୁ ବାଧ୍ୟ ।

ସେହିପରି ଅନୁଷ୍ଠାନ ଯେତେ ବଡ ହେଲେ ମଧ୍ୟ ଏପରିକି ରାଜ୍ୟ ଓ ଦେଶ ମଧ୍ୟ ବେଆଇନ୍ କାମ କରିପାରିବେ ନାହିଁ । ଉପରୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ଯେ ଆଇନ୍ ସବୁରି ଉର୍ଦ୍ଧ୍ଵରେ ।

ଆଇନର ଶକ୍ତି

ଆଇନର ଶକ୍ତି ବା ପରାକାଷ୍ଠା ସମ୍ପର୍କରେ ଆପଣ ନିମ୍ନଲିଖିତ କେତେକ କଥା ଜାଣିବା ଆବଶ୍ୟକ, ଯଥା :-

  1. ଆଇନ୍ ଆଗରେ ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗ ନିର୍ବିଶେଷରେ ସମସ୍ତେ ସମାନ ।
  2. ଆଇନ୍ ର ହାତ ଲମ୍ବା, ଏହାର ଅର୍ଥ ବେଆଇନ୍ କାମ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ଆଇନ୍ ଧରି ଦଣ୍ଡ ପ୍ରଦାନ କରିଥାଏ ।
  3. ଯେତେ ବଡ କ୍ଷତି ହେଉ ନା କାହିଁକି ଆଇନ୍ ବା ନ୍ୟାୟ ହିଁ କାର୍ଯ୍ୟକାରୀ ହୁଏ ।
  4. ଆଇନ୍ ହେଉଛି ଏକମାତ୍ର ଅସ୍ତ୍ର ଯାହା ସାହାଯ୍ୟରେ ଜଣେ ଅତି ଦୁର୍ବଳ ଶ୍ରେଣୀର ବ୍ୟକ୍ତି ଅତି ସବଳ ବ୍ୟକ୍ତିକୁ ନିୟନ୍ତ୍ରଣରେ ରଖିପାରୁଛନ୍ତି ।
  5. ଆଇନ୍ ସଚେତନ ବ୍ୟକ୍ତିଙ୍କୁ ସାହାଯ୍ୟ କରେ ଓ ଶ୍ରମବିମୁଖ ଲୋକଙ୍କୁ ସାହାଯ୍ୟ କରିନଥାଏ ।
  6. ଆଇନ୍ ହେଉଛି ଉପାୟ ଯାହାଦ୍ୱାରା ନ୍ୟାୟ ପ୍ରତିଷ୍ଠା ହୋଇଥାଏ ।
  7. ଅନେକ ଘଟଣାରେ ଆଇନ୍ କୁ ନିର୍ଦ୍ଧାରିତ ସମୟରେ ପ୍ରୟୋଗ ନ କଲେ ଆଉ ଆଇନ୍ କୁ ପ୍ରୟୋଗ କରି ହୁଏ ନାହିଁ, କେଶ୍ଟି ତମାଦି ଦୋଷରେ ବାରିତ ହୋଇଥାଏ ।

ସଚେତନ

ଉପରୋକ୍ତ ଆଲୋଚନାରୁ ଆପଣଙ୍କର ନିଶ୍ଚୟ ହୃଦ୍ ବୋଧ ହେଉଥିବା ଯେ ଆଇନ୍ ହିଁ ପ୍ରତ୍ୟେକ ବ୍ୟକ୍ତିର ଧନ, ଜୀବନ, ମାନ, ସମ୍ମାନ ଓ ଅଧିକାର ରକ୍ଷା କରିଥାଏ । ଏଣୁ ଆପଣ ପ୍ରଥମେ ସଚେତନ ହେବା ଉଚିତ୍ ଯେ କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଆପଣଙ୍କର ଧନଜୀବନ ବା ମାନ ସମ୍ମାନ ବେଆଇନ୍ ଭାବେ ହଡପ୍ କରିପାରିବେ ନାହିଁ । ଯଦି ହଡପ୍ କରନ୍ତି ତେବେ ଆପଣ ସୁରକ୍ଷା ପାଇଁ ନିର୍ଭୟରେ ନ୍ୟାୟାଳୟର ଦ୍ଵାରସ୍ଥ ହେବା ଉଚିତ୍ ।

କୋର୍ଟ

ଅନେକ ବ୍ୟକ୍ତି ମତବ୍ୟକ୍ତ କରିଥାନ୍ତି ଯେ ନ୍ୟାୟାଳୟକୁ ଯାଇ କିଛି ଲାଭ ନାହିଁ, କାରଣ ନ୍ୟାୟାଳୟ (କୋର୍ଟ) ଗୁଡିକ ଉଚ୍ଚପଦସ୍ଥ ଲୋକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିପାରିବେ ନାହିଁ । ଏଭଳି ଧାରଣା ସମ୍ପୂର୍ଣ୍ଣ ଭୁଲ୍ ଓ ମାରାତ୍ମକ ମଧ୍ୟ । ପ୍ରକୃତ ପକ୍ଷେ ଆମ ଦେଶର ବିଚାର ବିଭାଗୀୟ ସମସ୍ତ କୋର୍ଟ ଗୁଡିକ ଅତ୍ୟନ୍ତ ଶାକ୍ତିଶାଳି । ଯେ କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଅନ୍ୟାୟ କଲେ ତାଙ୍କୁ କୋର୍ଟମାନେ ଦଣ୍ଡିତ କରିପାରିବେ । ଅନେକ ଲୋକଙ୍କର ଭ୍ରାନ୍ତ ଧାରଣା ଥାଏ ଯେ କେବଳ ହାଇକୋର୍ଟ ବା ସୁପ୍ରିମ୍ କୋର୍ଟ ରାଜ୍ୟ, ଦେଶ ବା ବିଶିଷ୍ଟ/ଉଚ୍ଚ ପଦପଦବୀ ବ୍ୟକ୍ତିଙ୍କ ନାମରେ ମକଦ୍ଦମା ଶୁଣି ପାରିବେ ଏବଂ ନିମ୍ନ ଅଦାଲତମାନେ ଉପର ଲିଖିତ ବ୍ୟକ୍ତି ବା ଅନୁଷ୍ଠାନଙ୍କ ନାମରେ ମକଦ୍ଦମା ଶୁଣିପାରିବେ ନାହିଁ । ଏପରି ଧାରଣା ସମ୍ପୂର୍ଣ୍ଣ ଭୁଲ୍ ଅଟେ ।

ଆମ ଦେଶର ସମସ୍ତ କୋର୍ଟ ଗୁଡିକ ସ୍ଵାଧୀନ ଅଟନ୍ତି । କୋର୍ଟ ଗୁଡିକ କାହାର ଅଧୀନସ୍ଥ ନୁହଁନ୍ତି । ସେମାନେ କେବଳ ଆଇନ୍ କୁ ମାନି କାମ କରନ୍ତି ଓ କୌଣସି ବ୍ୟକ୍ତି ବା ଅନୁଷ୍ଠାନ କୋର୍ଟକୁ ଆଦେଶ ଦେଇ ପାରନ୍ତି ନାହିଁ । ପୁନଶ୍ଚ ମନେ ରଖିବା ଉଚିତ୍ ଯେ, କୋର୍ଟ ମାନଙ୍କର ଗୋଟିଏ ଶିଡି ବା ପାହ୍ୟା (Hierachy) ଅଛି। ଉପରିସ୍ଥ କୋର୍ଟଗୁଡିକ ନିମ୍ନ କୋର୍ଟକୁ ଆଇନ୍ ବର୍ହିଭୂତ ଆଦେଶ ଦେଇପାରିବେ ନାହିଁ । ନିମ୍ନ ଅଦାଲତରେ ଠିକ୍ ରାୟକୁ ଉଚ୍ଚ ଅଦାଲତମାନେ ଆଇନ୍ ତଃ ମାନିବାକୁ ବାଧ୍ୟ । ନିମ୍ନ ଅଦାଲତଙ୍କ ରାୟରେ ତୃଟି ଥିଲେ ଉପର ଅଦାଲତ ତାକୁ (Appeal) ଓ (Revision)ଦ୍ଵାରା ଆଇନ୍ ଗତ ଭାବରେ ବଦଳେଇ ପାରିବେ। ଏଭଳି ଭାବେ ନିମ୍ନ ଅଦାଲତଗୁଡିକ ମଧ୍ୟ ନିର୍ଭୟରେ ଓ ସ୍ଵାଧୀନ ଭାବେ କାମ କରିପାରିଥାନ୍ତି । ପୁନଶ୍ଚ ମନେ ରଖିବାକୁ ହେବ ଯେ, ‘ରାୟ’ ଯାହାଙ୍କ ବିରୁଦ୍ଧରେ ଦିଆଯାଇଛି ସେ ତାହା ମାନିବାକୁ ବାଧ୍ୟ, ଯେ ପର୍ଯ୍ୟନ୍ତ ସେହି ରାୟ ଉପରେ କୋର୍ଟ ଦ୍ଵାରା ପରିବର୍ତ୍ତିନ ହୋଇନାହିଁ । ଏପରିକି କୌଣସି କୋର୍ଟ ଭୁଲ୍ ରାୟ ଦେଇଥିଲେ ମଧ୍ୟ ଯଦି ତାହା ବିରୁଦ୍ଧରେ ଅପିଲ୍ କରିବାକୁ ବଦଳା ନଯାଏ । ତେବେ ସେଗୀ ଭୁଲ୍ ରାୟକୁ ମଧ୍ୟ ପକ୍ଷମାନେ ମାନିବାକୁ ବାଧ୍ୟ ହେବେ । ଏଥିରୁ କୋର୍ଟର ଗାରିମା ସ୍ପଷ୍ଟ ଅନୁମେୟ ।

ମାଜିଷ୍ଟ୍ରେଟ୍ ବା ଜଜ୍

ବେଳେ ବେଳେ ଲେଖକଙ୍କୁ ଅନ୍ୟ ବିଭାଗମାନଙ୍କରେ କାମ କରୁଥିବା ତାଙ୍କର ବନ୍ଧୁମାନେ ପ୍ରଶ୍ନ କରିଥାନ୍ତି ଯେ ଜଜ୍ ବା ମାଜିଷ୍ଟ୍ରେଟ୍ ମାନଙ୍କୁ ସରକାରୀ ଚାକିରୀଆଙ୍କ ରୁଲ୍ ମାନ ପ୍ରଯୁଜ୍ୟ ହେଉଛି, ଏ ଦୃଷ୍ଟିରୁ ମାଜିଷ୍ଟ୍ରେଟ୍ ବା ଜଜ୍ ମାନେ ଅନ୍ୟ ବିଭାଗର ଉଚ୍ଚପଦସ୍ଥ ଅଫିସର ଓ ମନ୍ତ୍ରୀମାନଙ୍କୁ ମାନିବାକୁ ବାଧ୍ୟ ଅଟନ୍ତି । ଏଭଳି ଧାରଣା ମଧ୍ୟ ସମ୍ପୂର୍ଣ୍ଣ ଭୁଲ୍ । ଜଜ୍ ବା ମାଜିଷ୍ଟ୍ରେଟ୍ ମାନେ ବାସ୍ତବରେ ସରକାରୀ ଚାକିରିଆ ନୁହଁନ୍ତି । ସରକାରଙ୍କର ତିନୋଟି ଅଙ୍ଗ ଅଛି । ସେଗୁଡିକ ହେଲା ବିଧିପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା । ସମସ୍ତ କୋର୍ଟ ଯଥା ମାଜିଷ୍ଟ୍ରେଟ୍ ଠାରୁ ଆରମ୍ଭ କରି ସୁପ୍ରିମ୍ କୋର୍ଟ ପର୍ଯ୍ୟନ୍ତ ନ୍ୟାୟପାଳିକାର ଅଙ୍ଗ । ସରକାରଙ୍କର ଥିବା ତିନୋଟି ଅଙ୍ଗ ମଧ୍ୟରୁ କେହି ଭୁଲ୍ କଲେ ତାହା ବିଚାର କରି ଦଣ୍ଡ ଦେବା ବା ନିର୍ଦ୍ଦେଶ ଦେବାର କ୍ଷମତା କେବଳ ହିଁ ନ୍ୟାୟପାଳିକାର ଅଛି । ଅନ୍ୟ ଦୁଇଟି ଅଙ୍ଗର ନାହିଁ । ଏହା ହେଉଛି, ଆମ ସମ୍ବିଧାନ ଓ ଆଇନ୍ ର ବିଶେଷତ୍ଵ ।

ପୁନଶ୍ଚ All India Judges Association କେଶ୍ ରେ ମାନ୍ୟବର ସୁପ୍ରିମ୍ କୋର୍ଟ ପରିଷ୍କାର କରିଦେଇଛନ୍ତି ଯେ ମାଜିଷ୍ଟ୍ରେଟ୍ ବା ଜଜ୍ ମାନେ ସରକାରୀ ଚାକିରୀଆ ନୁହଁନ୍ତି । ଏଠାରେ ପରିଷ୍କାର କରିଦିଆଯାଇପାରେ ଯେ ଅଲ୍ ଇଣ୍ଡିଆ ଜଜେସ୍ ଆସୋସିଏସନ୍ ର ସଭ୍ୟମାନେ ହେଲେ ଭାରତବର୍ଷର ସମସ୍ତ ସିଭିଲ୍ ଜଜ୍ ଜୁନିୟର, ସିଭିଲ୍ ଜଜ୍ ସିନିଅର, ମାଜିଷ୍ଟ୍ରେଟ୍ ଓ ଜିଲ୍ଲା ଜଜ୍ ମାନେ । ଏଠାରେ ମନେ ରଖିବା ଉଚିତ୍ ଯେ ବିଚାର ବିଭାଗୀୟ ଅଫିସରମାନଙ୍କୁ ବାଦ ଦେଲେ, ଅନ୍ୟ ସମସ୍ତ ସରକାରୀ ଯଥା IAS, IPS, OPS, OAS, Doctor, Engineer, Lecturer ଅଧ୍ୟାପକ, କିରାଣି ଓ ପିଅନ ଆଦି ସମସ୍ତେ ଅଫିସର ଅଟନ୍ତି । ସେମାନେ ସମସ୍ତେ ମନ୍ତ୍ରୀମାନଙ୍କର ଅଧିନସ୍ଥ, ମାତ୍ର ବିଚାର ବିଭାଗୀୟ ଅଫିସରମାନେ ମନ୍ତ୍ରୀମାନଙ୍କର ଅଧିନସ୍ଥ ନୁହଁନ୍ତି ଓ ଦେଶର ନ୍ୟାୟିକ ସାର୍ବଭୌମ କ୍ଷମତା ଜାହିର କରିଥାନ୍ତି।

ଭ୍ରମଧାରଣା

ଅନେକ ଲୋକଙ୍କର ବେଳେବେଳେ ଏକ ଭ୍ରମଧାରଣା ସୃଷ୍ଟି ହୋଇଥାଏ ଯେ, ବିଚାର ବିଭାଗୀୟ ଅଫିସରମାନଙ୍କ ମଧ୍ୟରେ କ୍ଲାସ୍-୨, କ୍ଲାସ୍-୧ ଓ ସୁପରିୟର କ୍ଲାସ୍ -୧ ଅଫିସରମାନେ ଅଛନ୍ତି । ସେହିପରି ଆଇଏଏସ୍,ଆଇପିଏସ୍, ଇଂଜିନିୟରିଂ, ଇଣ୍ଡିଆନ୍ ଡିଫେନ୍ସ ସର୍ଭିସ୍, ଇଣ୍ଡିଆନ୍ ଇନ୍କମ୍ ଟ୍ୟାକ୍ସ ସର୍ଭିସ୍, ଇଣ୍ଡିଆନ୍ ରେଲ୍ ୱେ ସର୍ଭିସ୍ ମଧ୍ୟରେ ଉପରୋକ୍ତ ଶ୍ରେଣୀମତେ ଅଫିସରମାନେ ଅଛନ୍ତି । ଏଣୁ ବେଳେ ବେଳେ ସାଧାରଣ ଲୋକ ଏବଂ ଅନେକ ଅନଭିଜ୍ଞ ଅଫିସରମାନେ ମଧ୍ୟ ନିଜର ଶ୍ରେଣୀକୁ ବିଚାର ବିଭାଗୀୟ ଅଫିସରଙ୍କର ଶ୍ରେଣୀ ସହ ତୁଳନା କରି ନିଜକୁ କୋର୍ଟ ଉପରେ ଥିବାର ମନେ କରନ୍ତି । ଉପରୋକ୍ତ ଉଚ୍ଚ ପାହ୍ୟାରେ ଥିବା ଏକ୍ଜିକ୍ୟୁଟିଭ୍ ଅଫିସରମାନଙ୍କର ସର୍ବଭାରତୀୟ ସ୍ତରରେ ପରୀକ୍ଷା ଦେଇ ନିଯୁକ୍ତି ପାଇବାର ପ୍ରଣାଳୀ ତଥା ସେମାନଙ୍କର ବଡବଙ୍ଗଳା, ଗାଡି, ଭତ୍ତା ଆଦି ଅନେକ ବ୍ୟବସ୍ଥାକୁ ବିଚାର ବିଭାଗୀୟ ଅଫିସରଙ୍କର ସବୁ ବିଷୟ ସହ ତୁଳନା କରି ଏହି ଏକ୍ଜିକ୍ୟୁଟିଭ୍ ଅଫିସରମାନେ ବିଚାର ବିଭାଗୀୟ ଅଫିସରଙ୍କର ଉପରିସ୍ଥ ହାକିମ ବୋଲି ଅନେକ ଧାରଣା କରିଥାଆନ୍ତି । ଏହା ଏକ ବଡ ଭୁଲ୍ ଧାରଣା । ସରକାର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ମାନଙ୍କୁ କୌଣସି ନିର୍ଦ୍ଦେଶ ଦିଅନ୍ତି ନାହିଁ କି ଦେଇପାରିବେ ନାହିଁ ମଧ୍ୟ । ଏପରିକି ବିଚାର ବିଭାଗରେ ନୂତନ ଭାବେ ନିଯୁକ୍ତ ପାଇଥିବା ଜଣେ ୨ୟ ଶ୍ରେଣୀ ମାଜିଷ୍ଟ୍ରେଟ୍ ମନ୍ତ୍ରୀ, ଆଇଏଏସ୍,ଆଇପିଏସ୍, ଇଂଜିନିୟରିଂ, ଇଂଜିନିୟର, ଡାକ୍ତର, ଅଧ୍ୟାପକ ଆଦି ଉଚ୍ଚପଦବୀର ଅଧିକାରୀମାନେ ଆଇନ୍ ଭଙ୍ଗ କଲେ, ତାଙ୍କ କେଶ୍ ବିଚାର କରି ତାଙ୍କୁ ଦଣ୍ଡ ପ୍ରଦାନ କରିପାରିବେ । ଆମ ଦେଶ ଗ୍ରହଣ କରିଥିବା ଶାସନ ବ୍ୟବସ୍ଥା ଉପରୋକ୍ତ ସାରମର୍ମ ଦେଶର ଅଧିକାଂଶ ଶିକ୍ଷିତ ତଥା ଅଶିକ୍ଷିତ ଜନ ସାଧାରଣ ଜାଣନ୍ତି ନାହିଁ । ସେମାନେ ଅଧିକାଂଶ ଭୁଲ୍ କଥା ଜାଣିଥାଆନ୍ତି ଓ ତାହା ଠିକ୍ ବୋଲି ଗ୍ରହଣ କରିଥାଆନ୍ତି । ଏପରିକି ଆପଣଙ୍କୁ କୌଣସି ବ୍ୟକ୍ତି ଅତ୍ୟାଚାର କରି ଧମକଚମକ ଦେଇ କିମ୍ବା ଅନ୍ୟ କୌଣସି ଅନ୍ୟାୟ କଲେ ଆପଣ ତାହା ସିଧା ସଳଖ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଙ୍କୁ ଜଣାଇପାରିବେ, ଏକଥା ମଧ୍ୟ ଅନେକ ଜାଣନ୍ତି ନାହିଁ। କୋର୍ଟମାନେ ଆପଣଙ୍କର ଅଭିଯୋଗ ପାଇ କେସ୍ ନିଜେ ଚାଲୁ କରିପାରନ୍ତି ଅଥବା ପୋଲିସ୍ ଓ ଅନ୍ୟ ତଦନ୍ତକାରୀ ସଂସ୍ଥାକୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇ ପାରିବେ । ଏକଥା ଅନେକ ଜାଣନ୍ତି ନାହିଁ । ଆମର ଅଧିକାର ଓ ସ୍ଵାଧୀନତା ତଥା ଧାନ ଜୀବନ ରକ୍ଷା କରିବା ପାଇଁ ସବଡିଭିଜନ ଓ ଜିଲ୍ଲା ସ୍ତରରେ ଏପରିକି ଅନେକ ବ୍ଲକ୍ ତଥା ତହସିଲ୍ ଠାରେ ଅନେକ ଅଦାଲତମାନ ରହିଅଛି । ଯେଉଁଠାରୁ ସମନ (ଆଦେଶନାମା) ପାଇଲେ ଭାରତ ସରକାର ମଧ୍ୟ ଉପସ୍ଥିତ ରହିବାକୁ ବାଧ୍ୟ ହେଉଛନ୍ତି। ଏକଥା ସମ୍ପର୍କରେ ଦେଶର ଅନେକ ଉଚ୍ଚଶିକ୍ଷିତ ନାଗରିକ ସଂପୂର୍ଣ୍ଣ ଅଜ୍ଞ ଅଟନ୍ତି । ଏହା ଘୋର ଲାଜ୍ୟା ଓ ଦୁଃଖର କଥା ନୁହେଁ କି?

ଏଣୁ କୋର୍ଟ ବା ନ୍ୟାୟାଳୟ ହିଁ ଆପଣଙ୍କର ଧନଜୀବନ, ମାନ ସମ୍ମାନ ଓ ଅଧିକାର ରକ୍ଷାକରିଥାନ୍ତି । ଏହା ହୃଦୟଙ୍ଗମ କରିବା ଉଚିତ୍ ।

ଆଧାର –ଓଡିଶା ଲ ରିଭିଉସ

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate