অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଥାନା, ପୁଲିସ ଓ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍

ଉପକ୍ରମ

ଆମ ଦେଶର କୋର୍ଟ କଚେରୀମାନେ ଆଇନ୍ ଭଙ୍ଗ କାରିଙ୍କୁ କେଶ୍ ବିଚାର କରି ଦଣ୍ଡ ଦିଅନ୍ତି ଓ ଆଇନ୍ ପ୍ରପୀଡ଼ିତ ବ୍ୟକ୍ତିଙ୍କ ଧନ, ଜୀବନ, ମାନ, ସମ୍ମାନ ଓ ଅଧିକାର ସୁରକ୍ଷା କରିଥାନ୍ତି ।ସେହିପରି ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଓ ସେମାନଙ୍କ ମଧ୍ୟରେ ଶାନ୍ତି ଭଙ୍ଗ ନ ହୋଇ କିପରି ଶାନ୍ତିସହାବସ୍ଥାନ ହୋଇ ପାରିବ, ତାହା ପୁଲିସ୍ ମାନେ ପାଳନ କରିଥାନ୍ତି ।ପୁଲିସର ମୁଖ୍ୟ କାମ ହେଉଛି ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଅପରାଧ ନ ଘଟିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା କରିବା ଓ ଏହା ସତ୍ତ୍ୱେ କେଶ୍ ଟିଏ ଘଟିଗଲେ ଦୋଷୀକୁ ଧରି କେଶ୍ ଟି ତଦନ୍ତ କରି କୋର୍ଟ ନିକଟରେ ହାଜର କରାଇବା ।

ପ୍ରାୟତଃ କ୍ରିମିନାଲ୍ କେଶ୍ ଗୁଡିକର ତଦନ୍ତ କାର୍ଯ୍ୟ ପୁଲିସ୍ କରିଥାଆନ୍ତି, ଯଦିଓ ସବୁ ପ୍ରକାର କ୍ରିମିନାଲ୍ କେଶ୍ ତଦନ୍ତ କାର୍ଯ୍ୟ ପୁଲିସ୍ କରିନଥାନ୍ତି । ପୁନଶ୍ଚ କେତେକ ପ୍ରକାର କ୍ରିମିନାଲ୍ କେଶ୍ ତଦନ୍ତ କରିବା ପାଇଁ ସ୍ଵତନ୍ତ୍ର ବିଭାଗ ମାନ ରହିଛି । ଯେପରିକି ମଦ, ଗଞ୍ଜେଇ ଆଦି ଧରିବା ପାଇଁ ଏକ୍ସାଇଜ୍ ବିଭାଗ ଅଛି, ଓଜନର ଠକାମି ଧରିବା ପାଇଁ ମାପ ଓ ଓଜନ ବିଭାଗ ଅଛି । ଉପରୋକ୍ତ ବିଷୟରେ ପୁଲିସ୍ ମଧ୍ୟ ତଦନ୍ତ କରିପାରିବେ । ଏଣୁ ବାସ୍ତବିକ କ୍ରିମିନାଲ୍ କେଶ୍ ତଦନ୍ତ ପାଇଁ ପୁଲିସ୍ ର ଅଖଣ୍ଡ କ୍ଷମତା ରହିଛି ।

ଏଫ୍.ଆଇ.ଆର୍.

ପ୍ରଶ୍ନ- ଆପଣ ଏଫ୍.ଆଇ.ଆର୍. (ଏତଲା) କିପରି ଓ କାହାକୁ ଦେବେ ?ସେ ଏତଲା ଗ୍ରହଣ ନକଲେ, ଆପଣ କଣ କରିବେ?

ଉତ୍ତର – ଆପଣ ଏତଲା ମୌଖିକ ବା ଲିଖିତ ଭାବେ ଥାନାରେ ବଡବାବୁ ଦାରୋଗା (Officer-in-Charge)ଙ୍କୁ ଦେବେ ।

ଏପରି ଆପଣ ଥାନାକୁ ନଯାଇ ଯଦି ଥାନା ବାହାରେ କୌଣସି ପୁଲିସ୍କୁ ଦେଖିଲେ ତାଙ୍କ ଏତଲା ଦେଇ ପାରନ୍ତି । ସେ ଏହି ଏତଲା କୁ ନେଇ ଥାନାରେ ନମ୍ବର କରାଇବେ । ଲିଖିତ ଏତଲା ଦେବାର କୌଣସି ନିର୍ଦ୍ଧିଷ୍ଟ ଫର୍ମ ନାହିଁ । ଆପଣ ସାଧାରଣ ଦରଖାସ୍ତ ଲେଖିଲା ଭଳି ଏତଲାଟି ଲେଖିବେ ଓ ତଳେ ଦସ୍ତଖତ କରିବେ ଓ ନିଜର ଠିକଣା ଦେବେ। ଆପଣ ଯଦି ଲେଖାପଢା ଜାଣି ନାହାନ୍ତି, ତେବେ ଏତଲାଟି ଅନ୍ୟ କାହା ଦ୍ଵାରା ଲେଖାଇ ପାରନ୍ତି । ସେହି ଏତଲାଟିରେ ଲେଖକଙ୍କ ନାମ ଓ ଆପଣଙ୍କର ଟିପ ଚିହ୍ନ ଓ ଉଭୟର ଠିକଣା ରହିବା ଉଚିତ୍ । ଏତଲା ପରେ ଘଟଣାର ମୁଖ୍ୟ ବିବରଣୀ ସାକ୍ଷୀ ଓ ଏତଲା ଦେବାରେ ବିଳମ୍ବ ହୋଇଥିଲେ ତାହାର କାରଣ ଉଲ୍ଲେଖ କଲେ ଭଲ, ନଚେତ୍ ଏହି କାରଣ ଯୋଗୁଁ ବେଳେ ବେଳେ କେଶ୍ ଟି ଦୁର୍ବଳ ହୋଇଯାଏ।

ଆପଣ ଗୋଟିଏ ଥାନା ଅନ୍ତର୍ଗତ କେଶ୍ ର ଏତଲା ଅନ୍ୟ ଥାନାରେ ଯଦି ଦିଅନ୍ତି ତାହା ସେଠିକା ପୁଲିସ୍ ରଖି ଠିକ୍ ଥାନାକୁ ତଦନ୍ତ ପାଇଁ ପଠାଇବା ଉଚିତ୍ । ଏହା ପୁଲିସ୍ ଅଫିସରମାନେ ମଧ୍ୟ ଜାଣିବା ଉଚିତ୍ । ସେମାନେ ଏତଲା ନ ରଖି ଅନ୍ୟ ଥାନାକୁ ଯାଅ ଓ ଏହା ଆମ ପରିସରରେ ର କେଶ୍ ନୁହେଁ କହିବା ଠିକ୍ ନୁହେଁ ।

ଏତଲାକାରୀମାନେ ମନେ ରଖିବା ଉଚିତ୍ ଯେ ସେମାନେ ଲିଖିତ ଏତଲା ଦେଲା ବେଳେ ତାର କପି ନିଜ ପାଖରେ ରଖିବା ଉଚିତ୍ ହେବ ।

ବେଳେ ବେଳେ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମରେ କେଶ୍ ଆସୁଥିଲେ ଅଥବା ଅନ୍ୟ କେତେକ କାରଣ ଯୋଗୁଁ ପୁଲିସ୍ ଏତଲା ଗ୍ରହଣ କରିନଥାନ୍ତି ବା ଏତଲାଟି ଗ୍ରହଣ କରି ତା ଉପରେ କାର୍ଯ୍ୟାନୁଷ୍ଠାନ କରନ୍ତି ନାହିଁ । ଏତଲା ଟି ଗ୍ରହଣ ହୋଇ କାର୍ଯ୍ୟକାରୀ ହେଲେ ତାହା ଏତଲା ରେଜିଷ୍ଟ୍ରାରରେ ନମ୍ବର, ତାରିଖ, ସମୟ ଓ କେଶ୍ ର ଦଫା ମାନ ସାଙ୍ଗେ ସାଙ୍ଗେ ଲେଖାଯାଏ । ଏତଲାଟି କପି ଓ ଏତଲା ଫର୍ମର କପି ଆପଣଙ୍କୁ ପୁଲିସ୍ ସାଙ୍ଗେ ସାଙ୍ଗେ ପ୍ରଦାନ କରିଥାନ୍ତି । ଯଦି ପୁଲିସ୍ କପି ଦେଉ ନାହାଁନ୍ତି ତାହାହେଲେ ଆପଣ ଜାଣିବେ ଯେ ପୁଲିସ୍ କେଶ୍ ଟି ମାଡି ବସି ରହିଛନ୍ତି । ଏପରି ସ୍ଥଳେ ଆପଣ ଦେଇଥିବା ଏତଲାର ଏକ କପି ପୁଲିସ୍ ଏସ୍ପିଙ୍କୁ ରେଜିଷ୍ଟ୍ରି ଚିଠି ଦ୍ଵାରା ପଠାଇବେ । ଆପଣ ନିଜେ ମଧ୍ୟ ଏସ୍ପିଙ୍କ ପାଖକୁ ଯାଇ ଏତଲାଟି ଦେବାରେ କୌଣସି ପ୍ରତିବନ୍ଧକ ନାହିଁ । ଏଠାରେ ମାନେ ରଖିବା ଉଚିତ୍ ଯେ ଯଦି ପୁଲିସ୍ ଆପଣଙ୍କର ଏତଲାଟି ଗ୍ରହଣ କଲେ ନାହିଁ ବା ଗ୍ରହଣ କରି କୌଣସି ତଦନ୍ତ କଲେ ନାହିଁ, ତେବେ ଆପଣ ଏତଲାର କପି ରେଜିଷ୍ଟ୍ରି ଚିଠି ଦ୍ଵାରା ଥାନାକୁ ଦେଲେ, ଥାନା ବାବୁ ଏତଲା ଟି ଚପାଇ ରଖିପାରିବେ ନାହିଁ ।

ଯଦି କୌଣସି କାରଣବଶତଃ ଥାନାବାବୁ ବା ଏସ୍ପି ଏପରିକି ପୁଲିସ୍ D.G. ଆଦି କେହି ଆପଣଙ୍କର ଏତଲା ଉପରେ କାର୍ଯ୍ୟ କରୁନାହାଁନ୍ତି, ତେବେ ଆପଣ ଏତଲାର କପି ସ୍ଥାନୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଙ୍କୁ ପଠାଇବେ । ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସେହି ଦରଖାସ୍ତକୁ ପାଇ Criminal Procedure Code (ଦଣ୍ଡ ବିଧି ଆଇନ୍) ର ଧାରା ୧୯୦ ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ କରିବେ ଓ କେଶ୍ ଟି ବିଚାର କରିବେ । ଏଣୁ ପୁଲିସ୍ ଆପଣଙ୍କ କେଶ୍ ଟି ଗ୍ରହଣ କରି ତଦନ୍ତ ନ କଲେ ମଧ୍ୟ ତାହା ଉପରୋକ୍ତ ମତେ କୋର୍ଟରେ ବିଚାର ହୋଇପାରିବ । ପୁନଶ୍ଚ ଯଦି ମାଜିଷ୍ଟ୍ରେଟ୍ ଦେଖନ୍ତି ଯେ ଆପଣଙ୍କର କେଶ୍ ଟି ଅତି ଜଟିଳ ଓ ଗୁରୁତର ଅଛି ଓ ସେଥିପାଇଁ ତଦନ୍ତ ଆବଶ୍ୟକ, ତେବେ ମାଜିଷ୍ଟ୍ରେଟ୍ ପୁଲିସ୍ କୁ ଫୌଜଦାରୀ କାର୍ଯ୍ୟବିଧି ଆଇନ୍, ୧୯୭୩ ର ଧାରା ୧୫୬(୩)ରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବେ । ପୁଲିସ୍ କୋର୍ଟଙ୍କର ନିର୍ଦ୍ଦେଶ ମାନିବାକୁ ବାଧ୍ୟ । ଯଦି ପୁଲିସ୍ ତଦନ୍ତ କରି କୋର୍ଟକୁ ଜଣାଇଲେ ଯେ କେଶ୍ ଟିରେ କୌଣସି ଅଭିଯୋଗ ପ୍ରମାଣ ହେଉନାହିଁ, ତେବେ ଏ ସମ୍ପର୍କରେ ଆପଣଙ୍କୁ ପୁଲିସ୍ ଜଣାଇବେ ଓ କୋର୍ଟରୁ ମଧ୍ୟ ଆପଣଙ୍କଠାରୁ Objective ମଗାଯିବ । ଆପଣ କୋର୍ଟଙ୍କ ନିକଟରେ ଏହାଉପରେ ଆପଣଙ୍କ ସାକ୍ଷୀଗୁହା ପ୍ରମାଣ ଉପସ୍ଥାପନ କରିବେ ଓ ଆପଣଙ୍କ ଅଭିଯୋଗ ଆପାତତଃ ପ୍ରମାଣିତ ହେଲେ କେଶ୍ ଟି ଚାଲୁ ହେବ, ଏଣୁ କେଶ୍ ଟି ଚାଲୁ ହେବ କି ନ ହେବ ତାର ଶେଷ ବିଚାରକ କୋର୍ଟ ଅଟନ୍ତି, ପୁଲିସ୍ ନୁହେଁ ।

ପୁଲିସ୍ କେଶ୍ ଟି ଗ୍ରହଣ ନ କଲେ ଯେ ଆପଣଙ୍କର କେଶ୍ ଟି ଚାଲୁ ହୋଇପାରିବ ତାହା ଉପରୋକ୍ତ ବର୍ଣ୍ଣନାରୁ ସ୍ପଷ୍ଟ । ଏତ ଗଲା ଗୋଟିଏ ଦିଗ । ଏହାଛଡା ଆପଣ ଯଦି ଚାହାଁନ୍ତି ତେବେ ମଧ୍ୟ ଆପଣ ଓକିଲ ଲଗାଇ ଅଥବା ନିଜେ କୋର୍ଟରେ Private complaint (ଅଭିଯୋଗ) କରିପାରନ୍ତି । କୋର୍ଟ ସେ କେଶ୍ ଟି ଗ୍ରହଣ କରି ଚାଲୁ କରିପାରିବେ ।

ଉପରୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ଯେ, କେଶ୍ ବିଚାର ଅଧିକାରୀ ହେଲେ କୋର୍ଟ, ପୁଲିସ୍ ନୁହେଁ । ଆମ ଦେଶର ପୁଲିସ୍ ମାନେ କେବଳ କେଶ୍ ତଦନ୍ତ କରିଥାନ୍ତି ଓ ଏହି ତଦନ୍ତ ରିପୋର୍ଟ କୋର୍ଟଙ୍କ ନିକଟରେ କେଶ୍ ର ବିଚାର ପାଇଁ ଉପସ୍ଥାପନ କରିଥାନ୍ତି । ଏହା ସମସ୍ତେ ଉପଲବ୍ଧି କରିବା ଉଚିତ୍ । ପୁନଶ୍ଚ ମନେ ରଖିବା ଉଚିତ୍ ପୁଲିସ୍ ତଦନ୍ତରେ ଯାହା ଲେଖନ୍ତି ଓ କେଶ୍ ସମ୍ପର୍କରେ ଯାହା ମତାମତ ଦିଅନ୍ତି, ତାହା କୋର୍ଟ ଗ୍ରହଣ କରିବାକୁ ବାଧ୍ୟ ନୁହଁନ୍ତି । ମାଜିଷ୍ଟ୍ରେଟ୍ ମଧ୍ୟ ପୁଲିସ୍ କୁ Re investigation(ପୁନଃ ତଦନ୍ତ) ପାଇଁ ନିର୍ଦ୍ଦେଶ ଦେଇପାରିବେ । ଏଣୁ ପୁଲିସ୍ କେଶ୍ ଟି ବିଚାର କରୁଛନ୍ତି, ଏହା ଭାବିବା ଭୁଲ୍ । କେଶ୍ ଟି କେବଳ କୋର୍ଟ ହିଁ ବିଚାର କରିଥାନ୍ତି । ଏଣୁ ଆପଣଙ୍କର ଅଭିଯୋଗ ପୁଲିସ୍ ଗ୍ରହଣ କରୁନଥିବା ସୁରାକ୍ ପାଇଲେ ଅଭିଯୋଗଟି ମାଜିଷ୍ଟ୍ରେଟ୍ ଙ୍କ ନିକଟକୁ ଆଣନ୍ତୁ । ଏହା ଆପଣଙ୍କ ଅଧିକାର ଅଟେ ।

ଏତଲା

ପ୍ରଶ୍ନ-ସବୁ ପ୍ରକାର କେଶ୍ ରେ ଏତଲା ଦିଆଯାଇ ପାରିବ କି ? କେଉଁ କେଶ୍ ସମ୍ପର୍କରେ ଏତଲା ଦିଆଯାଏ ?

ଉତ୍ତର- ସିଭିଲ୍ ଓ ରେଭେନ୍ୟୁ ମକଦ୍ଦମାଗୁଡିକ ଏତଲା ଆକାରରେ ଗ୍ରହଣ କରାଯାଏ ନାହିଁ । କ୍ରିମିନାଲ୍ କେଶ୍ ଗୁଡିକ ଉପରେ ଏତଲା ଗ୍ରହଣ କରାଯାଏ, ଏହା ପୁଣି ସବୁ କ୍ରିମିନାଲ୍ କେଶ୍ ଉପରେ ନୁହେଁ । ଯେଉଁ କେଶ୍ ଗୁଡିକ ପୁଲିସ୍ ଧର୍ତ୍ତବ୍ୟ (Cognisable) ଅପରାଧ ସେଗୁଡିକ ଉପରେ କେବଳ ଏତଲା ଗ୍ରହଣ ହୋଇଥାଏ । ଯେଉଁ କେଶ୍ ଗୁଡିକ ପୁଲିସ୍ ଧର୍ତ୍ତବ୍ୟ କେଶ୍ ନୁହେଁ (Non-cognisable) ତା ଉପରେ ଏତଲା ଗ୍ରହଣ କରାଯାଏ ନାହିଁ । ଏପରି କେଶ୍ ଗୁଡିକ ବିଷୟରେ ପୁଲିସ୍ ଙ୍କୁ ଜଣାଇଲେ ସେ ଏହାକୁ ଥାନା ଓ ଫାଣ୍ଡିରେ ଥିବା ଷ୍ଟେସନ ଡାଏରୀ ବୁକ୍ ରେ ଲେଖିରଖନ୍ତି । ଏହା ପରେ ପୁଲିସ୍ ଅଭିଯୋଗକାରୀଙ୍କୁ ମାଜିଷ୍ଟ୍ରେଟ୍ଙ୍କ ପାଖକୁ ଯାଇ କେଶ୍ କରିବାକୁ କହିଥାନ୍ତି । ଏପରି ଷ୍ଟେସନ ଡାଏରୀ ଲେଖାର କପି ମଧ୍ୟ ଅଭଯୋଗକାରୀଙ୍କୁ ପୁଲିସ୍ ଦେବାକୁ ବାଧ୍ୟ ନୁହଁନ୍ତି । ଆବଶ୍ୟକ ପଡିଲେ ମାଜିଷ୍ଟ୍ରେଟ୍ ଏହି ଷ୍ଟେସନ ଡାଏରୀକୁ ମଗାଇ ଦେଖିପାରନ୍ତି । ଅଭିଯୋଗୀକାରୀ ଯାଇ ମାଜିଷ୍ଟ୍ରେଟ୍ ଙ୍କ ପାଖରେ ପ୍ରାଇଭେଟ୍ କମ୍ପ୍ଲେଟ୍ କେଶ୍ କରିବେ ଅଥବା ମାଜିଷ୍ଟ୍ରେଟ୍ ଙ୍କୁ ଲିଖିତ ଆକାରରେ ଜଣାଇଲେ ମାଜିଷ୍ଟ୍ରେଟ୍ କେଶ୍ ଟି ଚାଲୁ କରିବାର ଆଇନ୍ ଗତ ବ୍ୟବସ୍ଥା କରିବେ ।

ପ୍ରଶ୍ନ- ଗୋଟିଏ କେଶ୍ ରେ ଏକାଧିକ ଏତଲା ଦିଆଯାଇ ପାରିବ କି ?

ଉତ୍ତର- ଏକାଧିକ ଏତଲା ଦେବାରେ ମନା ନାହିଁ, ମାତ୍ର ସେଥିରୁ ଗୋଟିଏ ଏତଲା ପ୍ରଥମେ ଗ୍ରହଣ ହୋଇ ଏତଲା ରେଜିଷ୍ଟ୍ରରରେ ଚଢିଲା ପରେ ଅନ୍ୟ ଏତଲା ଗୁଡିକ ଆଉ ଏତଲା ରୂପେ କାମ କରିବ ନାହିଁ । ତାର ମୂଲ୍ୟ ଅଲଗା ହୋଇଯିବ । ସେଗୁଡିକ ଷ୍ଟେଟ୍ ମେଣ୍ଟ୍ ହସାବରେ କେଶ୍ ରେ ରହିବ ।

ଉଦାହରଣ- ମନେକର ଗୋଟିଏ କେଶ୍ ରେ ଏତଲା ଦେବା ପାଇଁ ‘କ’ ଥାନାକୁ ଗଲେ । ‘ଖ’ ପୁଲିସ୍ ଙ୍କୁ ରାସ୍ତାରେ ଦେଖି ଏତଲା ଦେଲେ, ଉଭୟ ଏତଲା ଠିକ୍ ଅଟେ । ମାତ୍ର ଯେଉଁ ଏତଲାଟି ପ୍ରଥମେ ମିଳିଥିବ ତାହା ଏତଲା ରୂପେ ପରିଗଣିତ ହେବ ।

ଏତଲା ଦେଇ ପାରିବେ

ପ୍ରଶ୍ନ- କିଏ ଏତଲା ଦେଇ ପାରିବେ ?

ଉତ୍ତର – ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ପଦ, ପଦବୀ ନିର୍ବିଶେଷରେ ତଥା ରୋଗୀ, ଦାଗୀ, ଧର୍ମତ୍ୟାଗୀ, ବିକଳାଙ୍ଗ ଆଦି ସମସ୍ତେ ପୁଲିସ୍ ଧର୍ତ୍ତବ୍ୟ କେଶ୍ ଗୁଡିକ ଉପରେ ଏତଲା ଦେଇପାରିବେ । ନାବାଳକ ଓ ନାବାଳିକାମାନେ ମଧ୍ୟ ଏତଲା ଦେବାରେ ପ୍ରତିବନ୍ଧକ ନାହିଁ । ଯେକୌଣସି ଲୋକ ସେ କ୍ଷତିଗ୍ରସ୍ତ ହୋଇଥାଆନ୍ତି ବା ନଥାଆନ୍ତୁ ବା ଘଟଣା ସହିତ ତାଙ୍କର ସମ୍ପର୍କ ଥାଉ ବା ନଥାଉ ଏତଲା ଦେଇପାରିବେ । ଏପରିକି ପୋଲିସ୍ ମଧ୍ୟ କୌଣସି ପ୍ରକାରେ ଖବର ପାଇଲେ ସେ ନିଜେ ଏତଲା ପ୍ରସ୍ତୁତ କରି କେଶ୍ ର ତଦନ୍ତ କରିପାରିବେ ।

ମୁଦାଲା

ପ୍ରଶ୍ନ-ନିଜେ ମୁଦାଲା ଏତଲା ଦେଇଥାନ୍ତି କି ?

ଉତ୍ତର- ନିଜେ ମୁଦାଲା ଏତଲା ଦେଇଥାନ୍ତି, ଅନେକ ବେଳେ ମୁଦାଲା ନିଜେ ଦୋଷ ସ୍ଵୀକାର କରି ଏତଲା ଦେଇଥାନ୍ତି ଅଥବା ବୁଲେଇ ବଙ୍କେଇ ଅନ୍ୟକୁ ଅପରାଧୀ ଦେଖାଇ ଏତଲା ଦେଇଥାନ୍ତି । ଏପରି ଏତଲା ଆଇନ୍ ସମ୍ମତ ଅଟେ, ଯଦିବା ତଦନ୍ତରେ ସତ୍ୟ ଘଟଣା ଉଦ୍ ଘାଟିତ ହୋଇଥାଏ ।

କ୍ରିମିନାଲ୍ କେଶ୍

ପ୍ରଶ୍ନ-ଆପଣ ଗୋଟିଏ କ୍ରିମିନାଲ୍ କେଶ୍ ସମ୍ପର୍କରେ ଏତଲା ନ ଦେଇ ସିଧାସଳଖ କେଶ୍ କରିପାରିବେ କି ?

ଉତ୍ତର- ଆପଣ ଗୋଟିଏ କ୍ରିମିନାଲ୍ କେଶ୍ ସମ୍ପର୍କରେ ଏତଲା ନ ଦେଇ ସିଧାସଳଖ କେଶ୍ କରିପାରିବେ । ମାତ୍ର ସାଧାରଣତଃ କେଶ୍ ବହୁ ଗୁରୁତର ଓ ବହୁତ ଅନୁସନ୍ଧାନ ଆବଶ୍ୟକ ପଡୁଥିଲେ, ଏପରି କେଶ୍ କୋର୍ଟ ପୁଲିସ୍ କୁ ତଦନ୍ତ କରିବା ପାଇଁ ଭାରତୀୟ ଦଣ୍ଡ ବିଧି ଆଇନ୍ ର ଧାରା ୧୫୬(୩) ଅନୁସାରେ ଅଥବା ଧାରା ୨୦୨ ଅନୁସାରେ ତଦନ୍ତ ପାଇଁ ପୁଲିସ୍ କୁ ନିର୍ଦ୍ଦେଶ ଦେଇଥାନ୍ତି ।

କୋର୍ଟକୁ କେଶ୍

ପ୍ରଶ୍ନ- ଆପଣ କୋର୍ଟକୁ କେଶ୍ ସମ୍ପର୍କରେ ସୂଚନା ଦେଇ, କେଶ୍ ଟି ଚାଲୁ କରିବା ପାଇଁ ଦରଖାସ୍ତ କରିପାରିବେ କି ?

ଉତ୍ତର- ଆପଣ କୋର୍ଟକୁ କେଶ୍ ସମ୍ପର୍କରେ ସୂଚନା ଦେଇ, କେଶ୍ ଟି ଚାଲୁ କରିବା ପାଇଁ ଦରଖାସ୍ତ କରିପାରିବେ । ଏହା କୋର୍ଟଙ୍କ ଦ୍ଵାରା ଭାରତୀୟ ଦଣ୍ଡବିଧି ଆଇନ୍ ର ଧାରା ୧୦୯(ଗ) ଦ୍ଵାରା ଗ୍ରହଣୀୟ ।

ପ୍ରଶ୍ନ - ଆପଣ ଏତଲା ଦେଇ ତାର କପି ମାଜିଷ୍ଟ୍ରେଟ୍ ଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଇ ପାରିବେ କି ?

ଉତ୍ତର- ଆପଣ ଏତଲା ଦେଇ ତାର କପି ମାଜିଷ୍ଟ୍ରେଟ୍ ଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଇ ପାରିବେ, ଏପରି କପି ମାଜିଷ୍ଟ୍ରେଟ୍ ଙ୍କୁ ଦେଇ ତାଙ୍କ ଠାରୁ ନ୍ୟାୟ ପାଇଁ ଆବେଦନ କରିବାରେ ମନା ନାହିଁ ।

ସାକ୍ଷୀଙ୍କୁ

ପ୍ରଶ୍ନ- ପୋଲିସ୍ ଅଫିସର କେଶ୍ ତଦନ୍ତ ପାଇଁ ସମସ୍ତ ସାକ୍ଷୀଙ୍କୁ ଥାନାକୁ ଡକାଇ ପାରିବେ କି ?

ଉତ୍ତର- ପୋଲିସ୍ ଅଫିସର କେଶ୍ ତଦନ୍ତ ପାଇଁ ସମସ୍ତ ସାକ୍ଷୀଙ୍କୁ ଥାନାକୁ ଡକାଇ ପାରିବେ । ମାତ୍ର ୧୫ ବର୍ଷରୁ କମ୍ ବାଳକ ଓ ସ୍ତ୍ରୀ ଲୋକଙ୍କୁ ସାକ୍ଷୀ ହିସାବରେ ପଚରା ଉଚରା କରିବାକୁ ହେଲେ ପୁଲିସ୍ ସେମାନଙ୍କ ବାସ ସ୍ଥାନକୁ ଯାଇ ପଚାରିବେ । ଥାନା କିମ୍ବା ଅନ୍ୟ କୌଣସି ସ୍ଥାନକୁ ଡକାଇ ପାରିବେ ନାହିଁ । ଏହା ଭାରତୀୟ ଦଣ୍ଡବିଧି ଆଇନ୍ ର ଧାରା ୧୬୦ରେ ଅଛି ।

ପ୍ରଶ୍ନ- ପୋଲିସ୍ ଆପଣଙ୍କୁ ଥାନାକୁ ଡକାଇ କିମ୍ବା ଧରି ନେଇ କୌଣସି କେଶ୍ ସମ୍ପର୍କରେ ପଚରା ଉଚୁରା କରୁଛି ବୋଲି କହି ଦିନ ଦିନ ଧରି ଅଟକାଇ ରଖିବା ଠିକ୍ କି ?

ଉତ୍ତର- ନାଁ,ପୁଲିସ୍ ଏପରି କରିପାରିବେ ନାହିଁ । କୌଣସି ନାଗରିକଙ୍କୁ ବେଆଇନ୍ ଅଟକ ରଖିବା ପୁଲିସର ଅଧିକାର ବା କର୍ତ୍ତବ୍ୟଭୁକ୍ତ କର୍ମ ନୁହେଁ । ପୋଲିସ୍ ଏପରି କଲେ ତାଙ୍କ ନାମରେ କ୍ରିମିନାଲ୍ କେଶ୍ କରାଯାଇପାରିବ ।

ଆରେଷ୍ଟ୍ କରି ନେଲାବେଳେ

ପ୍ରଶ୍ନ-ପୋଲିସ୍ ଜଣକୁ ଆରେଷ୍ଟ୍ କରି ନେଲାବେଳେ ଆପଣ ତାର ପରିବାରବର୍ଗ ସଦସ୍ୟ ହିସାବରେ କଣ କରିବେ?

ଉତ୍ତର- ଆପଣ ପୁଲିସ୍ ଠାରୁ ଆରେଷ୍ଟ୍ ର ଲିଖିତ ପ୍ରମାଣ ରଖିବେ । ପୁଲିସ୍ ଯଦି ଆରେଷ୍ଟ୍ ହୋଇଥିବା ବ୍ୟକ୍ତିଙ୍କୁ ୨୪ ଘଣ୍ଟାକୁ ଅଧିକ ସମୟ ଥାନାରେ ରଖୁଥାନ୍ତି, ଆପଣ ତାହା ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଙ୍କୁ ଜଣାଇବେ ଓ ତାର ମୁକ୍ତି ପାଇଁ କୋର୍ଟରେ ଚେଷ୍ଟା କରିବେ ।

ଓକିଲଙ୍କ ସହ କଥାବାର୍ତ୍ତା

ପ୍ରଶ୍ନ - ଆରେଷ୍ଟ୍ ରେ ଥିଲାବେଳେ ଆପଣ ଓକିଲଙ୍କ ସହ କଥାବାର୍ତ୍ତା କରିପାରିବେ କି ?

ଉତ୍ତର- ଏହା ଆପଣଙ୍କର ସମ୍ବିଧାନିକ ଅଧିକାର । ଏହା ଭାରତୀୟ ସମ୍ବିଧାନ ର ୨୨ ଧାରାରେ ଆପଣଙ୍କୁ ମୌଳିକ ଅଧିକାର ହିସାବରେ ଦିଆଯାଇଛି । ଏହା କାହାର ଦୟା ନୁହେଁ ବା ପୁଲିସ୍ ର ଦୟା ନୁହେଁ ।

ଅତ୍ୟାଚାର

ପ୍ରଶ୍ନ - ପୁଲିସ୍ ଅଫିସର୍ କିମ୍ବା କୌଣସି ତଦନ୍ତକାରୀ ସଂସ୍ଥା (ଯଥା ଏକ୍ସାଇଜ୍, ଖାଦ୍ୟ, ଅପମିଶ୍ରଣ, ଫରେଷ୍ଟ ଅଫିସର ଆଦି) ଆପଣଙ୍କୁ ଆରେଷ୍ଟ କରି କେଶ୍ ର ସୁରାକ୍ ପାଇବା ପାଇଁ ଆପଣଙ୍କୁ ଅତ୍ୟାଚାର କରିବା ସେମାନଙ୍କର ଅଧିକାରଭୁକ୍ତ କି ? ଯଦି ଅତ୍ୟାଚାର କରନ୍ତି ତେବେ ଆପଣ କଣ କରିବେ ?

ଉତ୍ତର- ପୁଲିସ୍ ତଥା ଅନ୍ୟ ତଦନ୍ତକାରୀ ସଂସ୍ଥାମାନ ଆପଣଙ୍କୁ ନିର୍ଯ୍ୟାତନା କରିପାରିବେ ନାହିଁ । ଯଦି ସେମାନେ ଏପରି କରନ୍ତି, ତେବେ ଆପଣଙ୍କୁ ମାଜିଷ୍ଟ୍ରେଟ୍ ଙ୍କ ସମ୍ମୁଖୀନରେ ହାଜର କଲାବେଳେ ଆପଣ ତାହା ମାଜିଷ୍ଟ୍ରେଟ୍ ଙ୍କୁ ଜଣାଇବେ । ମାଜିଷ୍ଟ୍ରେଟ୍ ଏହି ଅଭିଯୋଗକୁ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବା ମାଜିଷ୍ଟ୍ରେଟ୍ ଙ୍କ ଆଇନଗତ କର୍ତ୍ତବ୍ୟ ଓ ଗୁରୁ ଦାୟିତ୍ଵ ଅଟେ । ମାଜିଷ୍ଟ୍ରେଟ୍ ମାନେ ଲୋକମାନଙ୍କର ସୁରକ୍ଷା ଦେଖିବା ଉଚିତ୍ । ମାଜିଷ୍ଟ୍ରେଟ୍ ମାନେ ଉପରୋକ୍ତ କର୍ତ୍ତବ୍ୟକୁ ସୂଚାରୁ ରୂପେ ପାଳନ କରିବା ଅତ୍ୟନ୍ତ ଜରୁରୀ।

ଅତ୍ୟାଚାର କରି ଛାଡିଦେଲେ

ପ୍ରଶ୍ନ - ପୁଲିସ୍ ବା ଅନ୍ୟ ତଦନ୍ତକାରୀ ସଂସ୍ଥା ଆପଣଙ୍କୁ ଅତ୍ୟାଚାର କଲେ ବା ଅତ୍ୟାଚାର କରି ଛାଡିଦେଲେ ଆପଣ ସେମାନଙ୍କ ବିରୁଦ୍ଧରେ ଯାଇ କେଶ୍ କରିପାରିବେ କି ?

ଉତ୍ତର - ନିଶ୍ଚୟ କରିପାରିବେ । କେଶ୍ କରିବାର ଉପାୟ ହେଲା ତିନି ପ୍ରକାରର ।

  • କୋର୍ଟରେ ପ୍ରାଇଭେଟ୍ କମ୍ପ୍ଲେନ୍ କେଶ୍ କରି ।
  • ପୋଲିସ୍ କୁ ଏତଲା ପ୍ରଦାନ କରି ।
  • ମାଜିଷ୍ଟ୍ରେଟ୍ ଙ୍କ ନିକଟକୁ ଦରଖାସ୍ତ କରି ମଧ୍ୟ କେଶ୍ କରାଯାଇଥାଏ ।

ସାଧାରଣତଃ ଉପରୋକ୍ତ ‘କ’ ଓ ‘ଖ’ ପ୍ରଣାଳୀ ଦ୍ଵାରା କେଶ୍ ମାନ ହୋଇଥାଏ । ‘ଗ’ ପ୍ରଣାଳୀ ବିଷୟରେ ଲୋକମାନେ ଅନଭିଜ୍ଞ । ପ୍ରାଇଭେଟ୍ କମ୍ପ୍ଲେନ୍ କହିଲେ ଆପଣ କୋର୍ଟରେ ଓକିଲ ଲଗାଇ ଅଥବା ନିଜେ ଗୋଟିଏ ଦରଖାସ୍ତ ପ୍ରସ୍ତୁତ କରି କେଶ୍ ଟି ଚାଲୁ କରିବେ । ଏହି କେଶ୍ ରେ ଆପଣଙ୍କ ତରଫରୁ ତାରିଖକୁ ତାରିଖ କେଶ୍ ର ପଦବୀରେ କରାଯାଉଥିବା । ଏଥିରେ ସାକ୍ଷୀମାନଙ୍କୁ ଆପଣ ନିଜେ ଆଣିବେ କିମ୍ବା କୋର୍ଟ ଜରିଆରେ ଡକାଇବେ ।

ଗୁରୁତର ଅପରାଧ

ପ୍ରଶ୍ନ - ଗୋଟିଏ ଗୁରୁତର ଅପରାଧ ଘଟିନାହିଁ ମାତ୍ର ଏହା ଘଟିବାର ସୁରାକ୍, ସମ୍ଭାବନା ବା ଯୋଜନା ଆପଣଙ୍କୁ ଜଣାପଡିଲା, ଆପଣ କଣ କରିବେ ?

ଉତ୍ତର- ଭାରତୀୟ ଦଣ୍ଡବିଧି ଆଇନ୍ ର ଧାରା ୩୯ ଅନୁଯାଇ ଆପଣ ଉକ୍ତ ସମ୍ଭାବ୍ୟ ଅପରାଧ ସମ୍ପର୍କରେ ମାଜିଷ୍ଟ୍ରେଟ୍ ବା ପୁଲିସକୁ ଜଣାଇବେ । ତେବେ ସେମାନେ ଅପରାଧ ନ ଘଟିବାର ବ୍ୟବସ୍ଥା କରିବାକୁ ପଦକ୍ଷେପ ନେବେ ।

କ୍ରିମିନାଲ୍ ଭଙ୍ଗ

ପ୍ରଶ୍ନ - କ୍ରିମିନାଲ୍ ଭଙ୍ଗ ବ୍ୟତିତ ଆଉ କେଉଁ କେଉଁ ବିଷୟରେ ଆପଣ ପୋଲିସ୍ କୁ ଜଣାଇ ସହାୟତା ଲୋଡିବେ ?

ଉତ୍ତର- ଭାରତର ପେନାଲ୍ କୋଡ଼୍ ର ଆଇନ୍ ଭଙ୍ଗ ଏକସାଇଜ୍ ଆଇନ୍ ଭଙ୍ଗ ହେଉଥିଲେ ଆପଣ ପୋଲିସ୍ କୁ ଜଣାଇବେ । ଏହାଛଡା ନିମ୍ନଲିଖିତ ବିଷୟମାନଙ୍କର ମଧ୍ୟ ଆପଣ ପୋଲିସ୍ କୁ ଜଣାଇ ତାଙ୍କର ସହାୟତା ନେବେ ଯାହାକି ପୁଲିସ୍ ମାନୁଏଲ୍ ରେ ପୋଲିସ୍ ଙ୍କର ସାଧାରଣ କର୍ତ୍ତବ୍ୟ ବୋଲି ଉଲ୍ଲେଖ ଅଛି । ସେଗୁଡିକ ହେଲା :-

  • ଜମି ସମ୍ପର୍କୀୟ ଗଣ୍ଡଗୋଳ ଓ ସେଥିଯୋଗୁଁ ଶାନ୍ତି ଭଙ୍ଗର ଆଶଙ୍କା ଥିଲେ ।
  • କୌଣସି ଭୟଙ୍କର ପାଗଳ କାହା ହେପାଜତ୍ ରେ ନଥାଇ ସର୍ବସାଧାରଣରେ ବୁଲାବୁଲି କରୁଥିଲେ ।
  • ସଂକ୍ରାମକ ହଇଜା, ବସନ୍ତ, ପ୍ଲେଗ୍, ଏନ୍ ଫ୍ଲୁ ଏନ୍ଜା ଇତ୍ୟାଦି ଓ ଗୋରୁଗାଈଙ୍କୁ ରୋଗ ଆଦି ଘଟିଥିଲେ ।
  • କୌଣସି ଜାଗାରେ ନିଆଁ ଲାଗିଯାଇଥିଲେ ।
  • ବସ୍, ମଟର କାର, ଡଙ୍ଗା, ଜାହାଜ, ମଟର ବୋଟ୍ ଓ ଟ୍ରେନ୍ ଆଦି ଧକ୍କା ଘଟିଥିଲେ।
  • ସର୍ବସାଧାରଣ ରାସ୍ତାକୁ ଜବର ଦଖଲ କରିବାକୁ କେହି ଚେଷ୍ଟା କରୁଥିଲେ ବା ଜବରଦଖଲ କରିସାରିଥିଲେ ।
  • ଦୁଇଦଳ ବା ଅଧିକ ଲୋକଙ୍କର ମଧ୍ୟରେ ଗଣ୍ଡଗୋଳ ଲାଗି ଶାନ୍ତି ଭଙ୍ଗର ଆଶଙ୍କା ଥିଲେ ।
  • ସୈନିକ ବିଭାଗରୁ କୌଣସି କର୍ମୀ ଫେରାର୍ ହୋଇଥିଲେ ବା ଅଭିଯୁକ୍ତ ଥିଲେ ବା (Warantee) ଆଦିଙ୍କ ସମ୍ପର୍କରେ ସନ୍ଧାନ ପାଇଲେ ।
  • ବୋମା ବିସ୍ଫୋରଣ ଘଟାଇବା, ଦୁର୍ଘଟଣା ଘଟାଇବା, ଆତଙ୍କବାଦ ସୃଷ୍ଟି କରାଇବା ବେଆଇନ୍ ଭାବେ ମାରଣାସ୍ତ୍ର ରଖିବା ଆଦି ।
  • ଉପରୋକ୍ତ ଘଟଣା ବ୍ୟତିତ ଅନ୍ୟ କୌଣସି ଘଟଣା ବେଆଇନ୍ ବୋଲି ଅନୁଭବ କରିଥିଲେ ।

ତଲାସିବା

ପ୍ରଶ୍ନ - କୌଣସି ସ୍ଥାନକୁ ପୋଲିସ୍ ତଲାସିବା ବେଳେ ଆପଣ କଣ ଦାବି କରିବେ ?

ଉତ୍ତର- ପୋଲିସ୍ ସନ୍ଦେହ ସ୍ଥାନକୁ ତଲାସ କରିବାର ଅଧିକାର ଅଛି । କେବଳ ଯଦି ଆପଣ ମହିଳା ହୋଇଥାନ୍ତି, ତେବେ ପୋଲିସ୍ ଆପଣଙ୍କୁ ସେ ସ୍ଥାନ ତଲାସ କରିବାକୁ ସୁଯୋଗ ଦେବା ପାଇଁ ସେଠାରୁ ବାହାରିଯିବା ପାଇଁ ଅନୁରୋଧ କରିବେ । ଏହାପରେ ଆପଣ ସେଠାରୁ ବାହାରିଯିବା ଉଚିତ୍ । ଯଦି ଆପଣ ବାହାରି ନଯାଆନ୍ତି ତେବେ ପୋଲିସ୍ ସେ ସ୍ଥାନରେ ପଶି ତଲାସ କରିବେ । ଯଦି ବ୍ୟକ୍ତିଙ୍କ ପୋଷାକ ଆଦି ତଲାସ କରାଯାଏ ଓ ସେ ମହିଳା ହୋଇଥାନ୍ତି, ତେବେ ତାଙ୍କର ସମ୍ମାନ ରକ୍ଷା ହେବା ଭଳି ତଥା ଜଣେ ମହିଳା ପୋଲିସ୍ ଦ୍ଵାରା ବା ଅନ୍ୟ କୌଣସି ମହିଳା ଦ୍ଵାରା ତଲାସ କରିବେ । ତଲାସ କଲାବେଳେ ମହିଳା ଜଣଙ୍କର ମାନ ସମ୍ମାନ ଓ ଇଜ୍ଜତ୍ରକ୍ଷା ପାଇଁ ଧ୍ୟାନ ଦେବାକୁ ହେବ । ଦ୍ରୌପଦିଙ୍କର ବସ୍ତ୍ର ହରଣ ପରି ମହିଳାଙ୍କର ହସ୍ତ ବା କେଶ ଧରି ଟଣା ଓଟରା କରିବା ଅପରାଧ ଅଟେ ।

ଜବତ

ପ୍ରଶ୍ନ - ପୋଲିସ୍ କୌଣସି ଜିନିଷ ଆପଣଙ୍କ ଠାରୁ ଜବତ କଲେ ଆପଣ କଣ କରିବେ ?

ଉତ୍ତର- ଆପଣ ଜବତ ତାଲିକାର କପି ଦାବି କରିବେ । କପି ଗ୍ରହଣ କରି ଜବତ ତାଲିକାରେ ଦସ୍ତଖତ ଦେବେ । ଜବତ ତାଲିକାରେ ସମସ୍ତ ଜବତ ଜିନିଷମାନ ସଠିକ୍ ଉଲ୍ଲେଖ ଥିବାର ଦେଖିବେ । ଯଦି ସଠିକ୍ ଉଲ୍ଲେଖ ନଥାଏ, ତେବେ ତୁରନ୍ତ ଆପଣ ଉପରିସ୍ଥ ପୋଲିସ୍ ଅଫିସର ବା ମାଜିଷ୍ଟ୍ରେଟ୍ ଙ୍କ ଦୃଷ୍ଟିକୁ ଆଣିବେ ।

ରାଗିଙ୍ଗ

ପ୍ରଶ୍ନ - ଆଜିକାଲି କଲେଜମାନଙ୍କରେ ରାଗିଙ୍ଗ ଏକ ସଂକ୍ରାମକ ରୋଗ ପରି ବ୍ୟାପୁଅଛି । ଦୋଷୀମାନେ ଏଥିରେ ଉପଯୁକ୍ତ ଦଣ୍ଡ ପାଉନାହାଁନ୍ତି, ଆପଣ ନ୍ୟାୟ ପାଇବେ ଓ ଦୋଷୀମାନେ ଦଣ୍ଡ ପାଇବା ପାଇଁ ଆପଣ କି ଉପାୟ କରିବେ ?

ଉତ୍ତର- ରାଗିଙ୍ଗ ଦ୍ଵାରା ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେବା ଏକ ଅପରାଧ । ଏଥିପାଇଁ ଆପଣ ପୋଲିସ୍ ନିକଟରେ ଏତଲା ଦେବା ଉଚିତ୍ । ପୋଲିସ୍ ଏତଲା ପରେ କାର୍ଯ୍ୟ ନ କଲେ ଆପଣ କଣ କରିବେ ତାହାର ସୂଚନା ୧ନମ୍ବର ପ୍ରଶ୍ନର ଉତ୍ତରରେ ଦିଆଯାଇଛି ।

ବେଳେ ବେଳେ ଲେଖକ କେତେକ ପିଲାଙ୍କ ଠାରୁ ଶୁଣିବାକୁ ପାଇଛନ୍ତି ଯେ, କୁଆଡେ ତାଙ୍କ କଲେଜରେ ପ୍ରିନ୍ସିପାଲ୍ ପୋଲିସ୍ ଙ୍କୁ ତାଙ୍କର ବିନା ପରାମର୍ଶରେ କଲେଜ ହତାରେ ପଶିଥିବାରୁ ତାଗିଦ୍ କରିଥିଲେ । ଏହା ବାସ୍ତବିକ ମନଗଢା ବା ଗୁଲିଖଟି ଗପ । କୌଣସି ବ୍ୟକ୍ତିଙ୍କର ପୋଲିସ୍ ଙ୍କ ତଦନ୍ତ ପ୍ରଣାଳୀରେ ଦସ୍ତକ୍ଷେପ କରିବାର ଅଧିକାର ନାହିଁ । ପୁନଶ୍ଚ ମନେରଖିବା ଉଚିତ୍ ଯେ ଆଇନ୍ ଭଙ୍ଗକାରୀ ଯେଉଁଠାରେ ଥିଲେ ମଧ୍ୟ ଆଇନ୍ ସେଠାରେ ପ୍ରବେଶ କରପାରିବ । କାରଣ ଆଇନ୍ ର ହାତ ଲମ୍ବା । ତେବେ ବେଳେ ବେଳେ ଦେଖାଯାଏ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ପିଲାମାନେ, କିମ୍ବା ରାଜନୀତି ଦଳର ଅନୁଗତ ପିଲାମାନେ ରାଗିଙ୍ଗ କଲେ ମଧ୍ୟ ପୋଲିସ ସେମାନଙ୍କ ବିରୁଦ୍ଧରେ ନୀରବ ଦ୍ରଷ୍ଟା ରହନ୍ତି ଅଥବା ଏତଲା ଗ୍ରହଣ କରି ତା ଉପରେ କାମ ନ କରି ମାଡି ବସନ୍ତି । ଏଣୁ ରାଗିଙ୍ଗ ଭଳି ଏକ ଜଘନ୍ୟ ଘଟଣାରେ ଆପଣଙ୍କୁ କଣ ଅତ୍ୟାଚାର କରାଗଲା ତାର ସମ୍ପୂର୍ଣ୍ଣ ବିବରଣୀ ଦେଇ, ଅତ୍ୟାଚାରୀମାନଙ୍କର ନାମ ଠିକଣା ଦେଇ ଓ ସାକ୍ଷୀମାନଙ୍କର ତାଲିକା ଦେଇ ଆପବ ଏକ ଦରଖାସ୍ତ ସ୍ଥାନୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ (S.D.J.M.) ଙ୍କୁ ଲେଖନ୍ତୁ । ଏପରି ଦରଖାସ୍ତ ଆପଣ ରେଜେଷ୍ଟ୍ରି ଚିଠି କରି ଲେଖିବେ । ବିଚାର ବିଭାଗରେ ସିଧା ସଳଖ ଆପଣଙ୍କ ଦରଖାସ୍ତଟି ପହଞ୍ଚିଲେ ଆଉ ଛପି ଯାଇ ପାରିବ ନାହିଁ । ଆପଣଙ୍କ ଦରଖାସ୍ତ ଉପରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ହେବ । ଏଣୁ ଦୁଷ୍ଟ ତଥା ଜ୍ଞାନାନ୍ଧ ଛାତ୍ରମାନଙ୍କୁ ତାଙ୍କ ଅପକର୍ମରେ ଆଗେଇବାକୁ ସୁଯୋଗ ନ ଦେଇ ନ୍ୟାୟାଳୟକୁ ଜଣାଇ ସେମାନଙ୍କୁ ଦଣ୍ଡ ଦେବାର ବ୍ୟବସ୍ଥା କରନ୍ତୁ । ଏହା ଦ୍ଵାରା ଆପଣଙ୍କର ଆଇନ୍ ଗତ ଓ ନୈତିକ କର୍ତ୍ତବ୍ୟ ତଥା ଭବିଷ୍ୟତ ବଂଶଧରଙ୍କ ପାଇଁ ମଙ୍ଗଳମୟ ହେବ ।

ଚାର୍ଜସିଟ୍

ପ୍ରଶ୍ନ - ଗୋଟିଏ କେଶ୍ ରେ ଚାର୍ଜସିଟ୍ କିଏ ଦିଅନ୍ତି ଓ ଚାର୍ଜ କିଏ ତିଆରି କରନ୍ତି ?

ଉତ୍ତର – ଗୋଟିଏ କେଶ୍ ରେ ପୋଲିସ୍ ଚାର୍ଜସିଟ୍ ପ୍ରଦାନ କରିଥାନ୍ତି, ମାତ୍ର ଏଥିରେ ସେ କେଶ୍ ର ଯେଉଁ ଦଫା ମାନ ଉଲ୍ଲେଖ କରିଥାଆନ୍ତି ତାହା କୋର୍ଟ ମାନିବାକୁ ବାଧ୍ୟ ନୁହେଁ । ପ୍ରକୃତ ପକ୍ଷେ କେଶ୍ ରେକର୍ଡର ସମସ୍ତ କାଗଜାତକୁ ପଢି କୋର୍ଟମାନେ ହିଁ ଚାର୍ଜ ପ୍ରସ୍ତୁତ କରିଥାନ୍ତି । ଏଣୁ କୋର୍ଟମାନେ ବେଳେ ବେଳେ ପୋଲିସ୍ ଦେଇଥିବା ଚାର୍ଚ୍ଚ ସିଟ୍ ରେ ଥିବା ଦଫା ଠାରୁ କେତେକ ଦଫାମାନ କାଟି ଦିଅନ୍ତି ଅଥବା ପୋଲିସ୍ ଦେଇଥିବା କେତେକ ଦଫାମାନଙ୍କରେ ଚାର୍ଜ କରିଥାନ୍ତି। କୋର୍ଟ ହେଉଛନ୍ତି ଚାର୍ଜ ପ୍ରସ୍ତୁତ କରିବାର ଅଧିକାରୀ, ପୋଲିସ୍ ନୁହଁନ୍ତି । ଏପରିକି ପୋଲିସ୍ ଛାଡିଥିବା ଅପରାଧୀମାନଙ୍କୁ ମଧ୍ୟ କୋର୍ଟମାନେ ଅପରାଧି ରୂପେ ସମନ କରିପାରନ୍ତି । ପୋଲିସ୍ ପଠାଇଥିବା ଅପରାଧୀମାନଙ୍କୁ କୋର୍ଟମାନେ ସଠିକ୍ ପ୍ରମାଣ ଅଭାବ ଥିଲେ, କେଶ୍ ର ମୁକ୍ତ କରିଦେଇଥାନ୍ତି ।

ଅକ୍ଷମ ବ୍ୟକ୍ତି

ପ୍ରଶ୍ନ - ଆପଣ ଜଣେ ଅକ୍ଷମ ବ୍ୟକ୍ତି ଅଟନ୍ତି, ଆପଣ ଭରଣପୋଷଣ ପାଇଁ କଣ କରିବେ ?

ଉତ୍ତର- ଆମ ଦେଶର ଭରଣପୋଷଣ ଦେବାର ବ୍ୟବସ୍ଥା ସିଭିଲ୍ ଆଇନ୍ ଓ କ୍ରିମିନାଲ୍ ଆଇନ୍ ଉଭୟରେ ଅଛି । ଏଠାରେ ଆମେ କ୍ରିମିନାଲ୍ ଆଇନ୍ ର ବ୍ୟବସ୍ଥା ଆଲୋଚନା କରାଯିବ । ପ୍ରତ୍ୟେକ ସ୍ଵଚ୍ଛଳ ବ୍ୟକ୍ତି ।

  • ତାଙ୍କର ସ୍ତ୍ରୀଙ୍କୁ ଯାହାଙ୍କର ନିଜର ଚଳିବା କ୍ଷମତା ନାହିଁ ।
  • ତାଙ୍କର ବୈଧ ଓ ଅବୈଧ ନାବାଳକ ବା ନାବାଳିକା ସନ୍ତାନମାନଙ୍କୁ ଯାହାଙ୍କର ଚଳିବାର କ୍ଷମତା ନାହିଁ ।
  • ତାଙ୍କର ବୈଧ ଓ ଅବୈଧ ସନ୍ତାନ (ପୁତ୍ର ଓ କନ୍ୟା ଉଭୟ) ମାତ୍ର କନ୍ୟା ଯେ କି ବିବାହିତ ହୋଇ ନଥିବେ ସେ ସାବାଳକ, ସାବାଳିକା ହୋଇଥିଲେ ମଧ୍ୟ ଯଦି ତାଙ୍କର ମାନସିକ ଓ ଶାରୀରିକ ଦୌର୍ବଲ୍ୟ ହେତୁ ନିଜକୁ ଚଳାଇବାକୁ କ୍ଷମତା ନଥାଏ।
  • ନିଜର ପିତାମାତା ଯଦି ସେମାନଙ୍କର ନିଜକୁ ଚଳାଇବାରେ କ୍ଷମତା ନଥାଏ ଉପରୋକ୍ତ ବ୍ୟକ୍ତି ବିଶେଷଙ୍କୁ ଭରଣପୋଷଣ କରିବାକୁ ବାଧ୍ୟ, ଯଦି କୌଣସି ବ୍ୟକ୍ତି ଏଥିରେ ଖିଲାପ କରୁଛନ୍ତି ତେବେ ତାଙ୍କ ବିରୁଦ୍ଧରେ ବିଚାରବିଭାଗୀୟ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍ ଙ୍କ ନିକଟରେ ଦରଖାସ୍ତ କରି ଖୋରାକ ପୋଷାକ ନିଆଯାଇପାରିବ । ଖୋରାକ ପୋଷାକ ନ ଦେଲେ ସମ୍ପୃକ୍ତ ବ୍ୟକ୍ତି ମଧ୍ୟ ଜେଲ୍ ଦଣ୍ଡ ଭୋଗୀବାକୁ ବାଧ୍ୟ ଓ ତାଙ୍କର ସମ୍ପତ୍ତି ବାଜ୍ୟାପ୍ତ କରାଯାଇପାରିବ । ଏଠାରେ ଜାଣି ରଖିବାକୁ ହେବ ଯେ, ଯଦି ଜଣେ ବ୍ୟକ୍ତିଙ୍କର ଏକାଧିକ ପୁତ୍ର ଥାଆନ୍ତି, ତେବେ ସେ ତାଙ୍କର ସମସ୍ତ ପୁତ୍ରଙ୍କ ଠାରୁ ଅଥବା ଜଣେ ବା ଦୁଇଜଣ ପୁତ୍ରଙ୍କ ଠାରୁ ଖୋରାକ ପୋଷାକ ଦାବି କରିପାରନ୍ତି । ଏହାକୁ ଏହି ପୁତ୍ରମାନେ ଅନ୍ୟମାନଙ୍କ (ପୁତ୍ର) ଠାରୁ କାହିଁକି ଦାବି କରାଯାଉନାହିଁ କହି ଏଡାଇ ଦେଇ ପାରିବେ ନାହିଁ । ଦାବିଦାର କେଉଁ ପୁତ୍ରଙ୍କୁ ଭରଣ ପୋଷଣ ମାଗିବେ ଏହା ତାଙ୍କର ନିଜସ୍ୱ ଇଚ୍ଛା ।
  • ମାନ୍ୟବର ସୁପ୍ରିମ କୋର୍ଟ ୧୯୮୭ ମସିହାରେ ଏକ କେଶ୍ ରେ କହିଛନ୍ତି ଯେ କ୍ରିମିନାଲ୍ ପ୍ରସିଡିଓର କୋର୍ଡର ଧାରା ୧୨୫ ଅନୁଯାୟୀ ଝିଅମାନେ ମଧ୍ୟ ମାତାପିତାଙ୍କୁ ପୋଷିବାକୁ ବାଧ୍ୟ। ଏହି ଦଫା He ର ଅର୍ଥ (ଅର୍ଥାତ୍ ପୁରୁଷ) ର ଅର୍ଥ She (ଅର୍ଥାତ୍ ସ୍ତ୍ରୀ) କୁ ବୁଝାଇବ ବୋଲି ମାନ୍ୟବର ସୁପ୍ରିମ କୋର୍ଟ ମତ ଦେଇଛନ୍ତି । ଉକ୍ତ କେଶ୍ ଟି ହେଲା A.I.R. ୧୯୮୭ ସୁପ୍ରିମ କୋର୍ଟ ପୃଷ୍ଠା୧୧୦୦ ଡାକ୍ତର ଶ୍ରୀମତୀ ବିଜୟ ମନୋହର ଅରବାତ ବନାମ କାଶୀରା ଓ ରାଜରାମ । ଏହି କେଶ୍ ଆଧାରରେ ମହିଳାମାନେ ନିଜର ନାବାଳକ ଶିଶୁମାନଙ୍କୁ ମଧ୍ୟ ଭରଣପୋଷଣ ଦେବାକୁ ବାଧ୍ୟ ହେବେ । ଉପରୋକ୍ତ କେଶ୍ ରେ କାଶୀରାଓ ହେଉଛନ୍ତି ଡାକ୍ତରାଣୀ ବିଜୟାଙ୍କ ପିତା ।
  • ଭରଣପୋଷଣ କେଶ୍ ଫାଇଲ୍ କରି କେଶ୍ ବିଚାର ହେବ ପୂର୍ବରୁ ମଧ୍ୟ ମଧ୍ୟବର୍ତ୍ତୀକାଳୀନ ଭତ୍ତା ପାଇବାର ବ୍ୟବସ୍ଥା କ୍ରିମିନାଲ୍ ପ୍ରସିଡିଓର କୋଡ୍ ର ଧାରା ୧୨୫ ଅନୁଯାୟୀ ହୋଇ ପାରିବ । ଏଭଳି ଭରଣ ପୋଷଣ ଆଦେଶ ପ୍ରତିପକ୍ଷଙ୍କ ଅନୁପସ୍ଥିତିରେ ମଧ୍ୟ କରାଯାଇପାରିବ । ପ୍ରତିପକ୍ଷ କୋର୍ଟଙ୍କର ଏପରି ଆଦେଶକୁ ଅବଜ୍ଞା କଲେ ତାଙ୍କୁ କେଶ୍ ରେ ଅଂଶ ଗ୍ରହଣ କରିବାର ସୁଯୋଗରୁ ବଞ୍ଚିତ କରାଯିବ ।

ରାସ୍ତା ଅବରୋଧ

ପ୍ରଶ୍ନ - ଯଦି ସର୍ବସାଧାରଣ ରାସ୍ତା ଅବରୋଧ କରାଯାଇଛି। କେହି ଅସାଧୁ ବ୍ୟବସାୟୀ ସମାଜର କ୍ଷତି ହେଲା ଭଳି ପଦାର୍ଥମାନ ଜମା କରି ରଖିଛନ୍ତି,କୌଣସି ସ୍ଥାନୀୟ ଭଙ୍ଗା ଘର ବା ଗଛ ରାସ୍ତା ଉପରକୁ ଭାଙ୍ଗି ପଡିବାର ସମ୍ଭାବନା ଅଛି- କୌଣସି ପୋଖରୀ ବା କୂପ ସର୍ବ ସାଧାରଣ ରାସ୍ତା ନିକଟକୁ ବିପଦପୂର୍ଣ୍ଣ ଭାବେ ଅଛି, ଆଦି ଘଟଣା ଆପଣଙ୍କର ଦୃଷ୍ଟି ଗୋଚର ହୁଏ ଆପଣ କଣ କରିବେ ?

ଉତ୍ତର- ଆପଣ ଏ ସବୁ ଥାନାରେ ଜଣାଇବେ । ପୋଲିସ୍ ଏହାର ପ୍ରତିକାର କରିବେ ଏହାଛଡା, ଆପଣ ଏ ସବୁ ଘଟଣାର ବିବରଣୀ ଦେଇ District Magistrate ବା ସବ୍- କଲେକ୍ଟରଙ୍କୁ ଜଣାଇ ପାରିବେ । ସେମାନେ ଆପଣଙ୍କ ଦରଖାସ୍ତ ପାଇ ଉଚିତ୍ ବ୍ୟବସ୍ଥା କରିବେ ।

ଆଧାର – ଓଡିଶା ଲ ରିଭିଉସ

Last Modified : 6/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate